Unknown

 

 

 

 

 

 

 

 

 

 

 

ସ୍ମରଣୀୟ ପ୍ରେମକଥା

କମଳଲୋଚନ ମହାନ୍ତି

 

ଅଗ୍ରଲେଖ

 

ସୁପରିଚିତ ନାଟ୍ୟକାର ଶ୍ରୀଯୁକ୍ତ କମଳଲୋଚନ ମହାନ୍ତିଙ୍କ “ସ୍ମରଣୀୟ ପ୍ରେମ କଥା” ପାଠ କରିବାର ସୁଯୋଗ ଲାଭ କରି ଆପ୍ୟାୟିତ ହେଲି । ତାଙ୍କର ପାଣ୍ଡୁଲିପି ପାଠ କରିବା ପରେ ସେ ମୋତେ ‘ଅଗ୍ରଲେଖ’ ଲେଖିବାପାଇଁ ଯେତେବେଳେ ଅନୁରୋଧ କଲେ ମୁଁ ତାହାକୁ ଏକ ନିର୍ଦ୍ଦେଶରୂପେ ଗ୍ରହଣ କରିନେବାକୁ ବାଧ୍ୟ ହେଲି । କାରଣ ସେ ମୋର ଅଗ୍ରଜ–କଳ୍ପ ଆଉ ଆମ କଳା–ସାହିତ୍ୟ–ସଂସ୍କୃତି କ୍ଷେତ୍ରର ଜଣେ ସୁପରିଚିତ ଶିଳ୍ପୀ ।

 

କିରାଣି, ଆଜାଦୀ, ଡାକବଙ୍ଗଳା, ରାମରହିମ୍, ମିସ୍‍ମଲ୍ଲିକ, ସଂଗ୍ରାମ, ସ୍ଵାମୀ ସ୍ତ୍ରୀ, ଭାଇଭଉଣୀ ଓ ମାତୃମଙ୍ଗଳ କେନ୍ଦ୍ର ଆଦି ବହୁ ଲୋକପ୍ରିୟ ନାଟକର ସ୍ରଷ୍ଟା କମଳଲୋଚନବାବୁଙ୍କ ରଚନାର ନୈପୁଣ୍ୟ ଆଉ ବାସ୍ତବ ସମସ୍ୟା ପ୍ରତି ଆତ୍ୟନ୍ତିକ ସଚେତନତା ତାଙ୍କର ପ୍ରତିଟି ନାଟକରେ ଫୁଟିଉଠିଛି । ସମସ୍ୟାବଳୀ ପ୍ରତି ତୀକ୍ଷ୍ଣ ଦୃଷ୍ଟିପାତହିଁ ତାଙ୍କ କଲମରେ ବଳିଷ୍ଠ ରୂପ ନେଇପାରିଛି ।

 

ଏଥି ପୂର୍ବରୁ ତାଙ୍କର ଅନେକଗୁଡ଼ିଏ ବାସ୍ତବ ଆଉ ଜୀବନ୍ତ ପ୍ରେମ କାହାଣୀ ସମ୍ବଳିତ ‘ଭାରତ ପ୍ରେମକଥା’ ପ୍ରକାଶିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା । ଏହି ପୁସ୍ତକଟି ମଧ୍ୟ ପୂର୍ବବର୍ତ୍ତୀ ‘ଭାରତ ପ୍ରେମ କଥା’ ସଦୃଶ କେତେଗୁଡ଼ିଏ ଅମୂଲ୍ୟ ତଥା ଜ୍ଵଳନ୍ତ ପ୍ରେମକାହାଣୀର ଏକତ୍ରରୂପେ ସ୍ଵୀକୃତ ।

 

ଏଇ ପ୍ରେମ କାହାଣୀର ବହୁ ଅଂଶ ମୁଁ ନିର୍ନିମେଷ ନେତ୍ରରେ ପଢ଼ିଛି; ଥରେ ଆରମ୍ଭ କଲେ ହଠାତ୍ ବନ୍ଦ କରିବାକୁ ଇଚ୍ଛା ହୋଇନାହିଁ । ପୃଥିବୀର ଶ୍ରେଷ୍ଠ କବି, ସାହିତ୍ୟିକ, କଳାକାର, ନେତା, ଭାବୁକଙ୍କ ମହନୀୟ ଜୀବନର ପୃଷ୍ଠଭୂମିରେ ଯେଉଁ ଅବିସ୍ମରଣୀୟ କ୍ଷତ ଆଉ ବ୍ୟଥା–ଯନ୍ତ୍ରଣା–କାତର ଅଧ୍ୟାୟ ରହିଛି, ତା’ର ଅବତାରଣା ବାସ୍ତବରେ ଉଚ୍ଚାଙ୍ଗ ମନେହେଲା ।

 

ପୃଥିବୀର ପ୍ରଥିତଯଶା କବି ଗେଟେ, ଶେଲୀ ରବର୍ଟବ୍ରାଉନିଂ, ଦସ୍ତୟେଭସ୍କି, ଗର୍କୀ ପ୍ରମୁଖଙ୍କ ରୋମାଞ୍ଚକର ଜୀବନ ଭିତରେ ଲୁକ୍କାୟିତ ପ୍ରେମଦଗ୍ଧ–କ୍ଷତ ଆଜି ବିଶ୍ଵ ସାହିତ୍ୟରେ ନୂତନ ଜୀବନପାଇଁ ସନ୍ଦେଶ ଦେଇଛି । ସେହିପରି ପ୍ରୀତି–କମ୍ପିତା ‘ଜାହାନ୍ନାରା’ଙ୍କ ଦିବ୍ୟ–ପ୍ରେମଭିକ୍ଷା ଏବଂ ଫ୍ରାଙ୍କ୍ ହ୍ୟାରିସ୍‍ଙ୍କ ବହୁବଲ୍ଲଭ ପ୍ରେମ ବିଶ୍ଵରଙ୍ଗମଞ୍ଚରେ ରହସ୍ୟ ସୃଷ୍ଟି କରିଛି । ନେପୋଲିୟନ, ହିଟଲରଙ୍କ ଭଳି ପୃଥିବୀ ବିଖ୍ୟାତ ରାଷ୍ଟ୍ରନାୟକମାନଙ୍କ ଜୀବନରେ ଦିନେ ଯେଉଁ ପ୍ରେମର ବହ୍ନି ଲେଲିହାନ ଶିଖା ତୋଳି, ଜଳି ଉଠି ସେମାନଙ୍କ କର୍ତ୍ତବ୍ୟଦଗ୍ଧଜୀବନରେ ଯନ୍ତ୍ରଣା, ଲାଞ୍ଛନା, ବିଡ଼ମ୍ବନା ଦେଇଥିଲା, ଏହାକୁ ହୁଏତ ଇତିହାସ ଭୁଲିପାରେ, ରହସ୍ୟବାଦୀ ସ୍ରଷ୍ଟା ଓ କଳାକାର ଏ କ୍ଷତର ଦାଗକୁ ଭୁଲି ପାରିବ ନାହିଁ ।

 

କମଳଲୋଚନବାବୁ ବିଶ୍ଵ ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ଚିରଭାସ୍ୱର, ଏଇ କେତେକ–ବ୍ୟକ୍ତିତ୍ଵର ଛାତିତଳ କଥାକୁ ସାଇତି ରଖିଛନ୍ତି ଆଲୋଚ୍ୟ ପୁସ୍ତକରେ ଉଇଲିୟମ ହଣ୍ଟ୍‍ ତ ପୁଣି ବାର୍ଦ୍ଧକ୍ୟର ଅକରୁଣ–କଷାଘାତ–ଜର୍ଜରିତ କଣ୍ଠରେ ଗାଇ ଉଠିଥିଲେ–

 

“ଅବସନ୍ନ ମୁଁ କ୍ଳାନ୍ତ ଆଜି

ନୀରବ, ନିଧନ ସ୍ୱାସ୍ଥ୍ୟ ଢିଲା

ବୃଦ୍ଧ ମୁଁ ଆଜି, କହତ ସମୟ !

ଦିନେ ‘ଜେନି’ ମତେ ଚୁମ୍ବିଥିଲା ।”

(I am old but odd

Jenni Kissed me :–Hunt)

 

ପ୍ରେମପାଇଁ ସ୍ରଷ୍ଟାବି ଉନ୍ମତ୍ତ । ପ୍ରେମ ଫଲ୍‍ଗୁ କାହା ଜୀବନରେ ଯେ ଅନୁଶୋଚନା, ବିଡ଼ମ୍ବନା ଓ ଯନ୍ତ୍ରଣାର ପ୍ଳାବନ ଘଟାଇ ନାହିଁ, ଏହା କହି ହେବ ନାହିଁ । ଜୀବନପାଇଁ ଜୀବନ ବିକଳ ଓ ବ୍ୟଥିତ ହୁଏ । ବିଶ୍ଵର ଏଇ ନିଷ୍ଠୁର ସତ୍ୟକୁ ସାହିତ୍ୟ ଓ ଇତିହାସ ଭୁଲିପାରେ ନାହିଁ । ଏ କ୍ଷେତ୍ରରେ ସେଇ ଅବିସ୍ମୃତ–ଇତିବୃତ୍ତିର ସଜ୍ଜୀକୃତ–ଅଭିଲେଖହିଁ ମୂର୍ତ୍ତିମାନ୍ ।

 

କମଳଲୋଚନବାବୁ ଏ ପୁସ୍ତକର ଉପଜୀବ୍ୟଗୁଡ଼ିକୁ ବିଭିନ୍ନ ଗ୍ରନ୍ଥ ଓ ପତ୍ରିକାର ସହାୟତାରେ ସଜ୍ଜୀକୃତ–ରୂପ ପ୍ରଦାନ କରିଛନ୍ତି । ବଙ୍ଗଳା ଲେଖକ କୃଶାନୁ ବନ୍ଦୋପାଧ୍ୟାୟଙ୍କ “ବରଣୀୟ ମାନବେର୍ ସ୍ମରଣୀୟ ପ୍ରେମ” ପୁସ୍ତକ ଏ କ୍ଷେତ୍ରରେ କମଳଲୋଚନବାବୁଙ୍କୁ ଖୋରାକ ଯୋଗାଇଛି । ମାତ୍ର ସରଳ ସାବଲୀଳ ତଥା ତରଙ୍ଗାୟିତ ଭାଷା–ବିନ୍ୟାସ କମଳଲୋଚନଙ୍କ ନିଜସ୍ଵ ଓ ସୃଷ୍ଟିର ଛତ୍ରେ ଛତ୍ରେ ସେ ଆବେଗ–କମ୍ପିତ ସ୍ଵର ଉତ୍ତୋଳନ କରି ମୌଳିକତା ପ୍ରତିପାଦନ କରିପାରିଛନ୍ତି ।

 

ପ୍ରେମ–ବିଦଗ୍ଧ ଜୀବନ ଚିତ୍ରର ଅବତାରଣା ବେଶ୍ ରୁଚିମନ୍ତ, ସାରଗର୍ଭକ ଓ ଏଥିରେ ପ୍ରେମାର୍ଥୀ–ପ୍ରେମାର୍ଥିନୀଙ୍କ କ୍ରନ୍ଦସୀ–ଆତ୍ମାର ବିଳାପ ସଂଚିତ ।

 

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏଇ ପୁସ୍ତକର ନିଶ୍ଚିତ ଆବଶ୍ୟକତାକୁ କମଳଲୋଚନବାବୁ ଉପଲବ୍ଧ କରିଥିବା ଆନନ୍ଦର ବିଷୟ । ବିଦଗ୍ଧ ପାଠକପାଠିକା ମହଲରେ ଏହାର ଯଥାର୍ଥ ମୂଲ୍ୟାୟନ ଅବଶ୍ୟ ହେବ ବୋଲି ଆଶା କରାଯିବା ସ୍ଵାଭାବିକ ।

 

ବିଶ୍ଵର ସେଇ ଅବିସ୍ମୃତ–ବ୍ୟକ୍ତିତ୍ଵମାନଙ୍କର ଅବିଲୁପ୍ତ ଅଥଚ ଚିରଭାସ୍ଵର ପ୍ରେମ–କାହାଣୀକୁ ଓଡ଼ିଆ ପାଠକପାଠିକା ତଥା ରସଗ୍ରାହୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ଗଭୀର ଉଦ୍ୟମ କରି କମଳବାବୁ ଯେ ଏକ ନୂତନ ଦୃଷ୍ଟିଭଙ୍ଗୀରେ ଆମର ସାହିତ୍ୟକୁ ସମୃଦ୍ଧ କରିଛନ୍ତି ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ତାଙ୍କର ପୃଷ୍ଟ ଲେଖନୀକୁ ମୁଁ ସ୍ଵାଗତ କରୁଛି ।

 

‘ମାତୃଭୂମି କାର୍ଯ୍ୟାଳୟ

ଶ୍ରୀ ପ୍ରବୋଧକୁମାର ମିଶ୍ର

କଟକ

(ସଂସ୍କୃତ କବି)

ତା ୯-୯-୭୧ରିଖ

 

☆☆☆

 

ପଚାଶବର୍ଷ ପୂରିଗଲା ।

 

ବାର୍ଦ୍ଧକ୍ୟର ପଦଧ୍ୱନି ଆଗରେ ଶୁଣାଯାଉଛି । ଆଉ ପଛରେ ପଡ଼ି ରହିଛି ବିଗତ ଜୀବନର ଅସରନ୍ତି ହସ–ଅଶ୍ରୁର ସ୍ମୃତି ।

 

ସେ ସ୍ମୃତି ଧୀରେ ଧୀରେ ଥମି ଥମିଆସି ଏକବାରେ ଲିଭି ଯିବାକୁ ବସିଲାଣି !!!

 

ଅତୀତର ବ୍ୟର୍ଥତା ଓ ପୂର୍ଣ୍ଣତାର ସମୀକ୍ଷା କରି ବସିବାବେଳେ, ଶିଳ୍ପୀଗୁରୁ ସ୍ଵର୍ଗତ ଗୋପାଳ କାନୁନଗୋଙ୍କର ସହକାରରେ ପ୍ରକାଶିତ ବାଇରନଙ୍କର ଜୀବନ ସମୀକ୍ଷା ପରେ ପରେ ତାଙ୍କର ଅମର କାହାଣୀ “ପ୍ରଣୟ ଓ ପ୍ରତିଭା” ମନେପଡ଼େ ।

 

ମାଟ୍ରିକ ପରୀକ୍ଷା ପରେ ପରେ ସହକାର ଘାଣ୍ଟୁ ଘାଣ୍ଟୁ ବାଇରନ୍‍ଙ୍କର ଜୀବନ ମୋ ଜୀବନକୁ କେତେକ ପରିମାଣରେ ଉସୁମିତ କରିଥିଲା । ଚାକିରି ଜୀବନରେ “ପ୍ରଣୟ ଓ ପ୍ରତିଭା” ବହିଟି ମୋତେ ଖୁବ୍ ଭଲ ଲାଗିଥିଲା ।

 

ପର ଜୀବନରେ ବଙ୍ଗଳାର ଖ୍ୟାତନାମ ଲେଖକ କୁଶାନୁ ବନ୍ଦୋପାଧ୍ୟାୟଙ୍କର “ବରଣୀୟ ମାନବେର୍ ସ୍ମରଣୀୟ ପ୍ରେମ” ବହିଟି ଏତେ ଆନନ୍ଦ ଦେଲା ଯେ, ତାକୁ ଭିତ୍ତି କରି “ସ୍ମରଣୀୟ ପ୍ରେମ କାହାଣୀ”ର ଗଳ୍ପଗୁଡ଼ିକ ଲେଖି ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରିବାକୁ ଦେଲି ।

 

ଅନେକ ବନ୍ଧୁଙ୍କର ଉତ୍ସାହ ମୋତେ ବହିଟିକି ଶେଷ କରିବାପାଇଁ ବିଶେଷ ସାହାଯ୍ୟ କରିଛି ।

 

ତେଣୁ ବହି ପ୍ରକାଶନବେଳେ ସ୍ଵର୍ଗତ ଶିଳ୍ପୀ ଗୋପାଳ କାନୁନଗୋ, ବଙ୍ଗଳାର ସ୍ଵନାମଧନ୍ୟ ଲେଖକ କୁଶାନୁ ବନ୍ଦୋପାଧ୍ୟାୟ ଓ “ରିଡ଼ର ଡାଇଜେଷ୍ଟ”ର ସମ୍ପାଦକଙ୍କ ନିକଟରେ କୃତଜ୍ଞତା ଜଣାଉଛି ।

 

ମୁଁ କହିବି ଏ ବହିର ଗଳ୍ପଗୁଡ଼ିକ ଏକାନ୍ତ ଭାବରେ ଐତିହାସିକ, ଚିରସ୍ମରଣୀୟ ଓ ବରେଣ୍ୟ ମହାମାନବମାନଙ୍କର ଜୀବନର ବ୍ୟଥାକୁଳ ପ୍ରେମର କାହାଣୀ ।

 

ଦୋଷ ଦୁର୍ବଳତା ମଣିଷର ସହଜାତ ପ୍ରବୃତ୍ତି । ଦୁର୍ଦ୍ଧର୍ଷ ସମର ବିଳାସୀ ହିଟଲରଙ୍କ ପ୍ରଣୟ–ବିଳାସ ଯେପରି ମନକୁ ଛୁଏଁ ନେପୋଲିୟନଙ୍କର ଯୌନ ଦୁର୍ବଳତା ଅନୁଶୀଳନ ଠିକ୍ ସିମିତି ମନ ଆନ୍ଦୋଳିତ ହୋଇଉଠେ ।

 

ବାଇରନଙ୍କର ଯୌନ ଚତୁରତା ଆଉ ପୃଥିବୀପ୍ରସିଦ୍ଧ ଔପନ୍ୟାସିକ ବାଲଜାକ୍‍ଙ୍କର ବ୍ୟର୍ଥ ବେସୁରା ପ୍ରେମକାହାଣୀ ବହୁ ଭାବରେ ଆଘାତ ଦିଏ ।

 

ଆହୁରି ଆଘାତ ଦିଏ ଜାହାନାରାଙ୍କର ବ୍ୟର୍ଥ ଜୀବନ ଆଉ ମେହରୁନ୍ନିଶାଙ୍କୁ ପାଇବାପାଇଁ ସଲିମଙ୍କର ରାଜକୀୟ ପ୍ରେମ ପିପାସା ।

 

ନାଟ୍ୟକାର ‘ଶ’, ବହୁ ପ୍ରେମିକାର ନାୟକ ଗେଟେ, ଯାଯାବର ପ୍ରେମିକ ସେଲି, ଯୌନ ତୁଷାତୁର ହ୍ୟାରିସଙ୍କଠାରୁ ବ୍ରାଉନିଂଙ୍କ ପ୍ରେମ ଗଳ୍ପ ଅଧିକ ଆଦର୍ଶ ସୃଷ୍ଟି କରିଥାଏ ।

 

ହେଲେ ସେ ଆଦର୍ଶରେ ମନମାନେନା...। ବିଚାର ମାନଦଣ୍ଡରେ ସେଗୁଡ଼ିକ ତଉଲି ବସିଲେ କୌଣସି ମାପୁଣି ତା’ର ମାପଦଣ୍ଡରେ ତଉଲିବାକୁ ଅକ୍ଷମ ହୋଇ ପଡ଼ିବ ।

 

ସବୁ ଚରିତ୍ରଗୁଡ଼ିକ ସ୍ଵତନ୍ତ୍ର ଭାବରେ ବିଭିନ୍ନ–ଜୀବନଦର୍ଶନରେ ଏକବାରେ ଆମୂଳଚୂଳ ସ୍ୱ ସ୍ୱ ପ୍ରବୃତ୍ତି ନେଇ ଉଜ୍ଜ୍ଵଳ ଆଉ ମଧ୍ୟ ନିଷ୍ପ୍ରଭ ।

 

ସେଗୁଡ଼ିକ ନିରୀକ୍ଷଣ କଲେ, କୋଣାର୍କ ଓ ପୁରୀ ମନ୍ଦିରରେ ଖୋଦିତ ଅଶ୍ଳୀଳ ପ୍ରସ୍ତର ମୂର୍ତ୍ତିଠାରୁ ଆହୁରି ଅଶ୍ଳୀଳ ଆଉ ସାଧାରଣ ମଣିଷ ଆଖିରେ ଖୁବ୍ ଲୋଭିଲା...ମଣିଷର ଦୋଷ ଦୁର୍ବଳତାର ପ୍ରତୀକ ।

 

ପ୍ରାତଃସ୍ମରଣୀୟ ଯୌନ ପିପାସାର ମୂର୍ତ୍ତିମନ୍ତ ବିଶ୍ଵର ଏହି ମହାନ୍ ଚରିତ୍ରଗୁଡ଼ିକର ପ୍ରେମ କାହାଣୀ ପଢ଼ୁପଢ଼ୁ ଲେଖୁଁ ଲେଖୁଁ ଭାବେ, ମଣିଷକୁ ଏହି ଜୀବନହିଁ ଚିରନ୍ତନ ସ୍ଵର୍ଗ ସୁଖ ଦିଏ ।

 

ଦୁର୍ବଳ, କାପୁରୁଷଙ୍କୁ ଭାଷାରେ ନରକକୁ ଠେଲିଦିଏ ଏହି ଯୌନ ପିପାସା–

 

ମୋର ବିଦଗ୍ଧ ପାଠକମାନେ କୁହନ୍ତୁ, ଜୀବନରେ ଯୌବନର ଉନ୍ମେଷ ଯୌନତୃଷା ସ୍ଵର୍ଗୀୟ କି ନା ?

 

କିନ୍ତୁ ମୋ ଭାଷାରେ ଏହି କେତୋଟି ବିଶ୍ଵବନ୍ଦନୀୟ ଚରିତ୍ରର ପ୍ରେମ–ଜୀବନର ସମାବେଶ କରୁଥିବାରୁ ମୁଁ ତ ଆତ୍ମ–ପ୍ରସାଦ ନିଶ୍ଚୟ ଅନୁଭବ କରିବି । କାରଣ ମୁଁ ଭଗବାନଙ୍କ ସୃଷ୍ଟିର ସତ୍ୟକୁ ସ୍ଵୀକାର କରେ ।

 

କୁତ୍ସାରଟନାକାରୀମାନେ ଆସନ୍ତୁ ମୋ ପଛେ ପଛେ–ସମାଲୋଚନା, ବ୍ୟଙ୍ଗୋକ୍ତି ଇତ୍ୟାଦି ଇତ୍ୟାଦି ଅସ୍ତ୍ରଶସ୍ତ୍ର ନେଇ । ମୋର ପାଠକେ ତା’ର ଉତ୍ତର ଦେବେ । ପ୍ରଶଂସା ବା ଦଣ୍ଡାଦେଶ ଯାହାଦେବେ ମୁଣ୍ଡପାତି ସହିନେବି । ବନ୍ଧୁ ନଗେନ, ଦୁର୍ଯୋଧନ, ଦୋଳଗୋବିନ୍ଦ; ଶିଳ୍ପୀ ନିର୍ମଳ; ପୂଜ୍ୟ ପଣ୍ଡିତେ ବାମଦେବ ମିଶ୍ରଙ୍କ ଉତ୍ସାହିତ ସାହାଯ୍ୟ ଓ ସର୍ବୋପରି କବି, ଲେଖକ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଅଗ୍ରଲେଖା ପାଇଁ ବହୁ ଧନ୍ୟବାଦ ଜଣାଉଛି ।

 

ସର୍ବଶେଷରେ ବନ୍ଧୁ ନାରାୟଣସାହା ଓ ପ୍ରସନ୍ନକୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବହିଟି ମୁଦ୍ରଣ ହେଉଥିବାରୁ ସେ ମଧ୍ୟ ମୋର ଧନ୍ୟବାଦାର୍ହ ।

 

।। ଇତି ।।

କମଳଲୋଚନ ମହାନ୍ତି

☆☆☆

 

ସୂଚିପତ୍ର

 

୧.

ବହୁ ପ୍ରେମିକାର ନାୟକ ଗେଟେ

୨.

ଯାଯାବର ପ୍ରେମିକ ଶେଲୀ

୩.

ବିଶ୍ଵସ୍ତ ପ୍ରେମିକ ରବର୍ଟ ବ୍ରାଉନିଂ

୪.

ପ୍ରୀତି–କମ୍ପିତା ଜାହାନ୍‍ଆରା

୫.

ଅତୃପ୍ତ ପ୍ରେମିକ ଦସ୍ତୟେଭସ୍କି

୬.

ରସିକ ପ୍ରେମିକ ‘ଶ’

୭.

ସଂଗ୍ରାମୀ ପ୍ରେମିକ ଗର୍କୀ

୮.

ହିଟଲର୍‍ର ପ୍ରଣୟ ଲୀଳା

୯.

ବହୁବଲ୍ଲଭା ଫ୍ରାଙ୍କ୍ ହ୍ୟାରିସ୍

୧୦.

ପ୍ରେମିକ ସମ୍ରାଟ ଏଡ଼ୱାର୍ଡ଼

୧୧.

ସାହାସୀ ପ୍ରେମିକ ରାହାସ ବିହାରୀ ବସୁ

୧୨.

ପ୍ରେମର ରାଜା ଡିକେନ୍‍ସ

୧୩.

ପ୍ରେମ–ପିପାସୁ ବାଲଜାକ୍

୧୪.

ଦୁର୍ଜୟ ପ୍ରେମ ବିଳାସିନୀ କ୍ଳିଓପେଟ୍ରା

୧୫.

ଅତୃପ୍ତ ପ୍ରେମ ପିପାସୁ ନେପୋଲିୟନ

୧୬.

ମିହିରୁନିସା

୧୭.

ସ୍ମରଣୀୟ ପ୍ରେମିକା ରାଣୀ ସେବା

୧୮.

ହତଭାଗିନୀ ପ୍ରେମିକା ଆନିବଲେନ୍

 

ବହୁ ପ୍ରେମିକାର ନାୟକ ଗେଟେ

 

ଅଠର ଶହ ବତିଶ ସାଲ ।

 

ମାର୍ଚ୍ଚ ମାସ ।

 

ସୁସଜ୍ଜିତ କୋଠରୀ ।

 

ରୋଗଶଯ୍ୟାରେ ଶୋଇ ରହିଥିଲେ କବି ଗେଟେ ।

 

ରୁଗ୍‍ଣ, ଜରାଗ୍ରସ୍ତ କବି ଗେଟେ ବୟାଶୀବର୍ଷ ଅତିକ୍ରମ କଲେଣି; ତଥାପି ସୁନ୍ଦର ଚେହେରାରେ ଯୁବସୁଲଭ ଚପଳତା ଲାଖି ରହିଥିଲା ।

 

ବିଛଣାରେ ଶୋଇରହି ଅର୍ଦ୍ଧଚେତନ ଅବସ୍ଥାରେ ଜୀବନର ଆଦି–ଅନ୍ତର ହିସାବ କରିବାରେ ସେ ଚିନ୍ତିତ ।

 

ଗତ ବର୍ଷ ବିଶ୍ଵବିଖ୍ୟାତ ଫାଉଷ୍ଟେର ଦ୍ଵିତୀୟ ଖଣ୍ଡ ଶେଷ କରିଥିଲେ ।

 

ବହୁ ପରିଶ୍ରମ ଫଳରେ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଛି ।

 

ବନ୍ଧୁ ଓ ଆତ୍ମୀୟମାନେ ଉଦ୍‍ଗ୍ରୀବ ଭାବରେ ତାଙ୍କ ସ୍ୱାସ୍ଥ୍ୟପାଇଁ ଚିନ୍ତିତ ।

 

ଆଶା ଓ ଆକାଂକ୍ଷାରେ ଦୋଳାୟମାନ ସମସ୍ତ ପରିବେଷ୍ଟନୀ ।

 

ସେବିକା ଖୁବ୍ ନିକଟରେ ଆଦେଶକୁ ଅପେକ୍ଷା କରି ରହିଥିଲେ ।

 

ନୀରବତା ସବୁ ଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା । ସମସ୍ତଙ୍କ ମନରେ ଏକ ପ୍ରଶ୍ନ । ସେ ପ୍ରଶ୍ନ ପ୍ରତିଧ୍ଵନିତ ହୋଇ ଉଠୁଥିଲା ସମସ୍ତଙ୍କ ମନରେ, ପ୍ରାଣରେ ।

 

ହଠାତ୍ ଉଠିପଡ଼ିଲେ ଗେଟେ । ଝରକା ଆଡ଼କୁ ଦୃଷ୍ଟି ଫେରାଇ କହିଲେ, “ଆଜି କେତେ ତାରିଖ ସିଷ୍ଟର !”

 

“ମାର୍ଚ୍ଚ ବାଇଶି ତାରିଖ । ”

 

ଶ୍ୟାମଳିମାର ଉତ୍ସ ନେଇ ଧରାବକ୍ଷକୁ ସୁରଭିତ କରିବାକୁ ଆସିଛି ବସନ୍ତ । ମଳୟ ବହୁଛି ପଦାରେ ।

 

କବି ଗେଟେ ଉଠିପଡ଼ି ନିଜ ଆରାମ ଚୌକିରେ ବସିପଡ଼ିଲେ ।

 

ଏହି ସାମାନ୍ୟ ପରିଶ୍ରମରେ କ୍ଳାନ୍ତିର ଛାୟା ତାଙ୍କ ମୁଖମଣ୍ଡଳକୁ ଆଚ୍ଛନ୍ନ କଲା । ମୁଖମଣ୍ଡଳ ଥରିଉଠିଲା । ଆଖି ବୁଜି ହୋଇଗଲା ।

 

କବି ଜ୍ଞାନ ହରାଇ ବସିଲେ ।

 

ଆତ୍ମୀୟସ୍ଵଜନ ଉଦ୍‍ବିଗ୍ନ ହୋଇଉଠିଲେ ।

 

କ’ଣ ହେଲା ? କ’ଣ ହେଲା ??

 

ନିଦ୍ରିତ ଅବସ୍ଥାରେ କବି ଚିତ୍କାର କରିଉଠିଲେ ।

 

“ଖୋଲିଦିଅ, ଖୋଲିଦିଅ ଝରକାସବୁ । ଆଲୁଅ ଦରକାର । ଦୁନିଆଯାକର ଆଲୋକ ବିଛାଡ଼ି ହୋଇ ପଡ଼ୁ ମୋ କୋଠରୀରେ.....”

 

ସେ ଅବଜ୍ଞାତ ଉତ୍ତେଜନା ପ୍ରଶମିତ ହେଲା । ସମସ୍ତ ପ୍ରଶ୍ନବାଚୀର ଉତ୍ତର ଦେଇ, କବି ଗେଟେ ମହାନିଦ୍ରାରେ ଢଳିପଡ଼ିଲେ ।

 

“ପୃଥିବୀ ଜ୍ଞାନାଲୋକରେ ଆଲୋକିତ ହେଉ ।”

 

ପୁରୁଷପୁଙ୍ଗବ ଗେଟେ, କବିସମ୍ରାଟ ଗେଟେ ଶେଷ ବାଣୀ ଶୁଣାଇ ଚାଲିଗଲେ ।

 

ମୁଖମଣ୍ଡଳରୁ ପୁରୁଷତ୍ଵ, କବିତ୍ଵ ହଜିଯାଇଛି ।

 

ପୃଥିବୀକୁ ସେ ଭଲ ପାଉଥିଲେ । ପ୍ରେମିକାକୁ ସେ ଭଲ ପାଉଥିଲେ । ସେହି ଶେଷ କଥା ମୁଖମଣ୍ଡଳରୁ ବିଛାଡ଼ି ହୋଇ ପଡ଼ୁଥିଲା–“ପୃଥିବୀକୁ ଭଲ ପାଅ–ପ୍ରେମିକାକୁ ଭଲ ପାଅ ।”

 

ଏହି ମହୀୟାନ୍ କବି ୟେହାନ୍ ଗେଟେ ଜର୍ମାନୀର ଫ୍ରାଙ୍କ୍‍ଫାର୍ଟ ସହରରେ ଗୋଟିଏ ଧନୀ ପରିବାରରେ ଜନ୍ମ ହୋଇଥିଲେ ।

 

ଜନ୍ମତିଥି ହେଲା ୧୭୪୯ ମସିହା । ଅଗଷ୍ଟ ୨୮ ତାରିଖ

 

କାସ୍‍ପାର ଗେଟେ ଆସନ୍ନପ୍ରସବା ପତ୍ନୀଙ୍କର ଗର୍ଭବେଦନା ଅନୁଭବ କରି ପଦଚାରଣା କରୁକରୁ ଉଦ୍‍ଗ୍ରୀବ ଭାବରେ ଶୁଭ ସମ୍ବାଦ ଶୁଣିବାକୁ ଆଗ୍ରହୀ ହୋଇ ଉଠୁଥିଲେ ।

 

ନର୍ସିଂ ସିଷ୍ଟର୍ ଆସି ଖବର ଦେଲେ, “ଆପଣଙ୍କର ସୁନ୍ଦରିଆ ପୁଅଟିଏ ହୋଇଛି ।”

 

ତାଙ୍କ ଜୀବନ ଆନନ୍ଦରେ ଭରିଉଠିଲା । ଧାଇଁଯାଇ ସଦ୍ୟଜାତ ସୁନ୍ଦର ଛୁଆଟିର ମୁଖଲାବଣ୍ୟ ଦେଖି ଆତ୍ମବିମୁଗ୍ଧ ହୋଇଉଠିଲେ ।

 

ସେ କଳ୍ପନା କରିପାରି ନଥିଲେ ଯେ ଏହି ଶିଶୁ ଦିନେ ପୃଥିବୀର ଜଣେ ଶ୍ରେଷ୍ଠ କବି ହେବ–କମନୀୟ ସୁଦର୍ଶନ ଯୁବକ ହୋଇ ଅଜସ୍ର ପ୍ରେମିକାର ପ୍ରାଣରେ ଅସରନ୍ତି ପ୍ରେମର ଜୁଆର ଛୁଟାଇବ ।

 

ତାହାହିଁ ହେଲା ।

 

ଅଳ୍ପ ବୟସରେ ଇଂରାଜୀ, ଲାଟିନ୍, ଫରାସୀ, ହିବ୍ରୁ ପ୍ରଭୃତି ଭାଷାରେ ସେ ପ୍ରବୀଣ ହୋଇଉଠିଲେ ।

 

ଷୋଳବର୍ଷ ବୟସରେ ସେ ଲାଇପତ୍‍ସିଗ୍ ବିଶ୍ଵବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଗଲେ-

 

କିନ୍ତୁ ବିଶ୍ଵବିଦ୍ୟାଳୟର ସିଲାବସ୍ ପାଠରେ ସେ ବିଶେଷ ମନ ଦେଇପାରିଲେ ନାହିଁ । କବିତା ଲେଖା, ସାହିତ୍ୟ ଚର୍ଚ୍ଚାରେ ବେଶୀ ସମୟ ଅତିବାହିତ ହେବାକୁ ଲାଗିଲା ।

 

ଏହି ସମୟରେ ସେ ଆନ୍ନା କାତରୀନାର ପ୍ରେମରେ ପଡ଼ିଲେ । ଏହା ଯେ ତାଙ୍କର ପ୍ରଥମ ପ୍ରେମ, ତା’ ନୁହେଁ । ଏଥି ପୂର୍ବରୁ ଅନେକ ଥର ସେ ବିଭିନ୍ନ ବାଳିକାଙ୍କ ପ୍ରେମରେ ପଡ଼ିଥିଲେ-। ଏପରି କି ଚଉଦବର୍ଷ ବୟସବେଳେ ସେ ତାଙ୍କର ପ୍ରତିବେଶୀ ବାଳିକା ପ୍ରତି ଆକୃଷ୍ଟ ହୋଇଥିଲେ-

 

ତା’ର ନାମଟି ଜଣା ନାହିଁ । କବି ତାଙ୍କ ଆତ୍ମଜୀବନୀରେ ତା’ ନାମ ଗ୍ରେଟ୍‍ଶେନ୍ ବୋଲି ଲେଖିଛନ୍ତି ।

 

ପ୍ରେମିକାଟି ଅନିନ୍ଦ୍ୟସୁନ୍ଦରୀ; କିନ୍ତୁ ଗେଟେଙ୍କଠାରୁ ବୟସରେ ବଡ଼ ।

 

ଦରିଦ୍ର ପରିବାରର ଝିଅ ଥିଲା ସେ ପ୍ରେମିକା । ବୟସର ବ୍ୟବଧାନ, ସାମାଜିକ ଅସମତା ହେତୁ ଏହି ପ୍ରେମ ବେଶି ଦିନ ସ୍ଥାୟୀ ହେଲା ନାହିଁ ।

 

ପ୍ରାୟ ପ୍ରତିଦିନ ସେ ବନ୍ଧୁବାନ୍ଧବଙ୍କ ଗହଣରେ ହୋଟେଲକୁ ଆଡ୍‍ଡ଼ା ଦେବାକୁ ଯାଉଥିଲେ ।

 

କାତରୀନା ଏହି ହୋଟେଲମାଲିକର ଝିଅ । ଗେଟେଙ୍କ ସହିତ ତାଙ୍କର ପ୍ରତିଦିନ ଦେଖାହୁଏ; କିନ୍ତୁ ପରସ୍ପର କଥାବାର୍ତ୍ତା ହୁଅନ୍ତି ନାହିଁ । କବି ଛାତ୍ରାବାସକୁ ଫେରିଯାଇ ଆନ୍ନାର କଥା ଭାବି ଭାବି ଅସ୍ଥିର ହୋଇ ଉଠୁଥିଲେ ।

 

ପ୍ରେମ–ନିଶାରେ ଗେଟେ ବ୍ୟାକୁଳ ।

 

ଦିନେ କୌଣସି ଆଳ ଦେଖାଇ କବି ଗେଟେ ତା’ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କଲେ । ପରିଚୟ, ଆଳାପରୁ ଦୁଇ ଜଣଙ୍କ ମଧ୍ୟରେ ଗଭୀର ଶ୍ରଦ୍ଧା, ସ୍ନେହ, ଶେଷରେ ପ୍ରଣୟପାଇଁ ଉଦ୍‍ବେଗ ଜାତ ହେଲା ।

 

କଳ୍ପନାପ୍ରବଣ ଗେଟେ ପ୍ରାଣଭରି ଆନ୍ନାକୁ ଭଲ ପାଇଲେ । ନିଜର ମନୋଭାବ ତିଳେମାତ୍ର ଲୁଚାଇବାକୁ ସେ ଚେଷ୍ଟା କଲେ ନାହିଁ । ଅନ୍ୟ କାହା ସାଙ୍ଗରେ କାତରୀନା ଆଳାପ କଲେ କବି ଗେଟେ ସହି ପାରିଲେ ନାହିଁ । ଅଧିକନ୍ତୁ ଈର୍ଷାରେ ଜର୍ଜରିତ ହୋଇ ଉଠୁଥିଲେ ।

 

ଏହି ସମୟରେ ଗେଟେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ସେ ଆଉ ହୋଟେଲକୁ ଯାଇପାରିଲେ ନାହିଁ । ଆନ୍ନା ତାଙ୍କ ନିକଟକୁ ଆସେ । ସେ ଆସିଲେ ଗେଟେ ପ୍ରଫୁଲ୍ଲ ହୋଇଉଠନ୍ତି-। ମନରେ ଚମକ ସୃଷ୍ଟି ହୁଏ । ସେ ଆସିଲେ ମନରେ ଜୁଆର ଆସେ, ଚାଲିଗଲେ ଭଟ୍ଟା ପଡ଼ିଯାଏ-

 

ସନ୍ଧ୍ୟା ହୋଇ ଆସୁଥିଲା । ବିଛଣାରେ ଶୋଇ ରହି ଛଟପଟ ହେଉଥିଲେ କବି । ବାରମ୍ବାର ଦରଜା ଆଡ଼କୁ ଚାହୁଁଥାନ୍ତି । ସନ୍ଧ୍ୟା ପୂର୍ବରୁ ଆନ୍ନା ଆସେ । ଆଜି ଏତେବେଳଯାଏଁ ଆସିନି କାହିଁକି ? ତା’ର ଅନୁପସ୍ଥିତିରେ କବି ଅତ୍ୟନ୍ତ ଅସ୍ଥିର ହୋଇ ପଡ଼ୁଥିଲେ ।

 

ଜଣେ ବନ୍ଧୁ ଆସି ଖବର ଦେଲେ, ଆନ୍ନା ତା’ ମାଆ ସାଙ୍ଗରେ ଥିଏଟର ଦେଖିବାକୁ ଯାଇଛି । ଗେଟେଙ୍କର ମନ ଭାଙ୍ଗିପଡ଼ିଲା । ଅସୁସ୍ଥ ଶରୀରରେ ବ୍ୟାକୁଳ ହୋଇ ତା’ପାଇଁ ଅପେକ୍ଷା କରିବେ, ଅଥଚ ଜାଣିଶୁଣି ସେ ଥିଏଟର ଦେଖିବାକୁ ଚାଲିଗଲା ! ଏଇ ତା’ର ଭଲ ପାଇବା.... !

 

ସେ ଦୀର୍ଘନିଃଶ୍ଵାସ ପକାଇ ଝରକା ଆଡ଼କୁ ଚାହିଁ ରହିଲେ । ହଠାତ୍ ତାଙ୍କର ମନେ ହେଲା, ସେ ମାଆ ସଙ୍ଗରେ ଥିଏଟର ଦେଖିବାକୁ ଯାଇନି । କେବଳ ଛଳନାକରି ଅନ୍ୟ କୌଣସି ପ୍ରେମିକ ପାଖକୁ ଯାଇଛି ।

 

ଅସମ୍ଭବ ନୁହେଁ...। କବି ଅସ୍ଥିର ହୋଇଉଠିଲେ । ନିଜର ଅସୁସ୍ଥତାର କଥା ଭୁଲିଗଲେ । ବିଛଣାରୁ ଉଠି ପୋଷାକ ବଦଳାଇ ଚାଲିଲେ ଥିଏଟର ପ୍ରାଙ୍ଗଣକୁ । ତାଙ୍କର ସନ୍ଦେହ ଘନୀଭୂତ ହେଲା । ଅନୁସନ୍ଧାନ କରି ବୁଝିଲେ, ଆନ୍ନା ଥିଏଟର ଯାଇ ନାହିଁ ।

 

ପ୍ରେମିକ ଗେଟେଙ୍କର ମନ ଭାଙ୍ଗିଗଲା ।

 

ଦୁହେଁ ଦୂରେଇଗଲେ ।

 

ଅନେକ କ୍ଷେତ୍ରରେ ପୁରୁଷମାନଙ୍କ ପରି ଝିଅମାନେ ପାଗଳ ହୋଇ ପ୍ରେମରେ ପଡ଼ନ୍ତି ନାହିଁ । ସେମାନେ ଚାଲାକ ।

 

ଆନ୍ନା ଚିନ୍ତାକରି ଦେଖିଲା, ଅଠରବର୍ଷ ବୟସର ଛାତ୍ର ଗେଟେଙ୍କର ଭବିଷ୍ୟତ ଅନିଶ୍ଚିତ-। ସୁତରାଂ ତାଙ୍କ ସଙ୍ଗରେ ଜୀବନକୁ ବାନ୍ଧି ପକାଇବା ଅର୍ଥହୀନ । ଗେଟେ ଶେଷ ପର୍ଯ୍ୟନ୍ତ କ’ଣ କରିବେ ସ୍ଥିର କରିପାରି ନଥିଲେ ।

 

ପ୍ରେମର ଭୂତ ଛାଡ଼ିଆସିଲା । ଲାଇପଡ଼ସିଗରେ ରହିବାର ଆୟୁ ତାଙ୍କର ଶେଷ ହୋଇ ଯାଇଥିଲା । ଆଇନରେ ଡକ୍ଟରେଟ ଡିଗ୍ରୀ ପାଇ ଜଜ୍‍କୋର୍ଟକୁ ଫେରିଗଲେ ।

 

ଫ୍ରାଙ୍କ୍‍ଫାର୍ଟ ଫେରିଆସି ଗେଟେ ଆଇନ ବ୍ୟବସାୟ ଆରମ୍ଭ କଲେ । ଆଇନ ସଂକ୍ରାନ୍ତ କାର୍ଯ୍ୟରେ ତାଙ୍କୁ ଥରେ ଭେସେଲାର ଯିବାକୁ ପଡ଼ିଥିଲା । ସେଠାରେ ତାଙ୍କ ମହକିଲ ତାଙ୍କୁ ଦିନେ ଗୋଟିଏ ଗ୍ରାମ୍ୟ ନାଚ ମଜଲିସ୍‍କୁ ନେଇଗଲେ । ସେଠାରେ ତାଙ୍କର ଶାର୍ଲୋଟର ସଙ୍ଗେ ପରିଚୟ ହେଲା ।

 

ନିଜ ଆତ୍ମଜୀବନୀରେ କବି ଲେଖିଛନ୍ତି–

 

“ଇଏ ହେଉଛନ୍ତି ସେହି ଜାତୀୟ ନାରୀ, ଯେଉଁମାନେ ପୁରୁଷର ମନରେ ଅଶାନ୍ତିର ଅଗ୍ନି ଜଳାନ୍ତି...।”

 

ତାଙ୍କର ସେ ସମୟର ଚିଠିପତ୍ର ପଢ଼ିଲେ ପରିଷ୍କାର ବୁଝାପଡ଼େ । ଶାର୍ଲୋଟ ତାଙ୍କ ମନରେ ପ୍ରେମାଗ୍ନି ଜଳାଇଥିଲେ । ବୁଦ୍ଧିମତୀ ଶାର୍ଲୋଟ କେଷ୍ଟେନର ନାମକ ଜଣେ ସୁଦର୍ଶନ ଯୁବକଙ୍କର ବାଗ୍‍ଦତ୍ତା ଥିଲେ । ଭାବୀ ସ୍ଵାମୀଙ୍କୁ ପ୍ରତାରିତ କରିବାର ତାଙ୍କର ସାହସ ନଥିଲା ।

 

ଗେଟେଙ୍କ ସହ ତାଙ୍କର ମିଳାମିଶା ଯୁବ କବିଙ୍କୁ ଭାରି ଭଲ ଲାଗିଲା ।

 

ନିଆଁ ପାଖରେ ବସି ଉତ୍ତାପ ଉପଭୋଗ କରି ହୁଏ । ହେଲେ କବି ନିଜ ଦେହର ଉତ୍ତାପରେ ନିଜେ ଜଳିଲେ । ଗେଟେ ଚେଷ୍ଟା କରି ମଧ୍ୟ ଶାର୍ଲୋଟର ହୃଦୟ ଜୟ କରିପାରିଲେ ନାହିଁ । କ୍ରମେ ସେ ବୁଝିପାରିଲେ, ବର୍ଷ ପରେ ବର୍ଷ ଚେଷ୍ଟା କଲେ ମଧ୍ୟ ସେ ତାକୁ ପାଇପାରିବେ ନାହିଁ । କବି ଅସହ୍ୟ ମାନସିକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ତା’ପରେ କାହାକୁ କିଛି ନ ଜଣାଇ ଚୁପ୍‍ଚାପ୍ ଫେରିଗଲେ ଫ୍ରାଙ୍କ୍‍ଫୋର୍ଟ ।

 

ଜୀବନର ଗୌଣ ମୂଲ୍ୟବୋଧ ସେ ଉପଲବ୍ଧି କରିପାରିଲେ ନାହିଁ ।

 

ଆତ୍ମହତ୍ୟା ପାଇଁ ବାସନା ଉଗ୍ର ହୋଇଉଠିଲା । ଜୀବନର ଏହି ଘଡ଼ିସନ୍ଧିବେଳେ ବ୍ୟର୍ଥ ପ୍ରେମିକ ଗେଟେଙ୍କର ଏଲିଜାବେଥ୍‍ଙ୍କ ସହିତ ପରିଚୟ ହେଲା ।

 

ବିପଦଗ୍ରସ୍ତ ଜାହାଜ ନୂତନ ବନ୍ଦରର ସନ୍ଧାନ ପାଇଛି ।

 

ଏଲିଜାବେଥ୍‍ଙ୍କ ବାପା ଫ୍ରାଙ୍କ୍‍ଫୋର୍ଟର ଗୋଟିଏ ବ୍ୟାଙ୍କ୍‍ର ମାଲିକ ଥିଲେ । ଗେଟେ ପରିବାର ଅପେକ୍ଷା ଶ୍ୟେନୋମାନ ପରିବାର ଅଧିକ ସମ୍ଭ୍ରାନ୍ତ ଓ ଧନୀ ଥିଲେ ।

 

ଏଲିଜାବେଥ୍‍ଙ୍କ ସୌନ୍ଦର୍ଯ୍ୟ ଅତୁଳନୀୟ ।

 

କବି ଏଲିଜାଙ୍କର ପ୍ରଥମ ଦର୍ଶନରେ ନିଜର ପରାଜୟ ଗ୍ଳାନି ଭୁଲି ଆତ୍ମବିମୁଗ୍ଧ ହୋଇପଡ଼ିଲେ ।

 

କଳ୍ପନାରେ ଆତ୍ମବିଭୋର ହୋଇଉଠିଲେ କଳ୍ପନା ବିଳାସୀ କବି ଗେଟେ ।

 

ନାଟକୀୟ ଭାବରେ ତରୁଣ ପ୍ରେମିକ–ପ୍ରେମିକାଙ୍କର ମିଳନ–ପିପାସା ଧୈର୍ଯ୍ୟସୀମା ଅତିକ୍ରମ କରିବାକୁ ଲାଗିଲା ।

 

କର୍ମହୀନ ଗେଟେ ବ୍ୟବସାୟ ପ୍ରତି ବିମୁଖ ହୋଇ ପଡ଼ିଲେ । ନାରୀମନର ବିଚିତ୍ର ରହସ୍ୟ କଥା ଅନୁଶୀଳନ କରିବସିଲେ ସେ ।

 

ନ ପାଇବାର ବ୍ୟର୍ଥତା ନବ–ଆଶାର ଆଲୋକରେ ଉଦ୍ଭାସିତ ହୋଇଛି ।

 

ଦିନେ ଜଣେ ବନ୍ଧୁ ଗେଟେଙ୍କୁ ଦେଖା କରିବାକୁ ଆସିଥିଲେ । ପ୍ରଫୁଲ୍ଲମନା ଗେଟେଙ୍କର ବିଷଣ୍ଣତା ଦେଖି କ୍ଷୁବ୍ଧ ହେଲେ ।

 

“କ’ଣ ହୋଇଛି ଗେଟେ ?”

 

ଗେଟେ ନିରୁତ୍ତର ରହିଲେ ।

 

“କୁହ କ’ଣ ହୋଇଛି । ଭାଙ୍ଗିଥିଲେ ଗଢ଼ିଦେବି; ହଜିଥିଲେ ଖୋଜି ଆଣିବି । କୁହ...”

 

କହିଲେ କବି, “ବେସୁରା ପ୍ରେମର ବ୍ୟର୍ଥତା, ଆଗାମୀ ସନ୍ଧ୍ୟାର ମିଳନ, ତୁମେ ବୁଝିପାରିବ ?”

 

ବନ୍ଧୁ କହିଲେ, “ଚଳାପାଣି ଚାଲିଯାଇଛି । ଚିନ୍ତା କଲେ ସ୍ୱାସ୍ଥ୍ୟ ନଷ୍ଟ ହୁଏ । ଆସ, ମୋ ସାଙ୍ଗରେ ବୁଲିଆସିବ । ଭଲ ଲାଗିବ ।’’

 

କବି ବିମର୍ଷ ଭାବରେ କହିଲେ, “ଯିବି କେଉଁଠିକି ?”

 

“ମୋର ଜଣେ ବନ୍ଧୁଙ୍କ ଘରକୁ ।”

 

ନା ଭାଇ ! କ୍ଷମା କର, ଯାଇପାରିବି ନାହିଁ ।

 

“ଆଶାୟୀ ହୁଅ ବନ୍ଧୁ ! ପ୍ରେମର ବ୍ୟର୍ଥତା ଆଗାମୀ କାଳର ଜୟମାଲ୍ୟର ସନ୍ଧାନ ଦେଇଛି ।”

 

ସେ ଜୋର କରି ଗେଟେଙ୍କୁ ଶ୍ୟେନୋମାନର ଘରକୁ ନେଇଗଲେ । ବିରାଟ ଘର । ପ୍ରାଚୁର୍ଯ୍ୟର ମହୋତ୍ସବ ଚାରିଆଡ଼େ । ଆଭିଜାତ୍ୟ ଓ ଐଶର୍ଯ୍ୟ ସେ ଘରେ ଖୁନ୍ଦି ହୋଇ ରହିଛି । ବଗିଚା ଅତିକ୍ରମ କରି ଦୁଇ ଜଣ ବାରଣ୍ଡାକୁ ଉଠିଲେ ।

 

ଅତିଥିମାନଙ୍କ ଗହଣରେ ଏଲିଜାବେଥ୍ ସୀତାର ବଜାଉଥିଲେ ଡ୍ରଇଂରୁମ୍‍ରେ ।

କକ୍ଷର ଗୋଟିଏ ପାଖରେ ଗେଟେ ବସିଲେ । ଏଲିଜାବେଥ୍‍ଙ୍କର ସୁନ୍ଦର ମୁହଁ ଆଡ଼କୁ ଚାହିଁ ହଠାତ୍ ତାଙ୍କ ମନରେ ତୀବ୍ର ଶିହରଣ ଜାଗି ଉଠିଲା । ସୀତାର ରିଡ଼୍ ଉପରେ ସୁନ୍ଦର କମନୀୟ ଅଙ୍ଗୁଳି ଚଳାଉ ଚଳାଉ ଅପାଙ୍ଗ ଦୃଷ୍ଟିରେ ଏଲିଜାବେଥ୍ ଗେଟେଙ୍କୁ ଚାହିଁଲେ ।

ମାତାଲ ହୋଇଉଠିଲେ କବି ।

ଶାର୍ଲୋଟର ଚିନ୍ତାରେ ଏତେ ଦିନ ସେ ଦଗ୍ଧ ହେଉଥିଲେ । ସେଇ ଚିନ୍ତା କୁଆଡ଼େ ଉଭେଇଗଲା ।

ପ୍ରଥମ ସାକ୍ଷାତରେ କବି ଗଭୀର ଭାବରେ ଏଲିଜାବେଥ୍‍ଙ୍କର ପ୍ରେମରେ ପଡ଼ିଲେ ।

ସଙ୍ଗୀତ ଆଳାପ ଶେଷ ହୋଇଆସିଲା । ଧନ୍ୟବାଦ, କରତାଳି ସଙ୍ଗେ ସଙ୍ଗେ ପ୍ରୋଗ୍ରାମ ଶେଷ ହେଲା ।

ବନ୍ଧୁ ଏଲିଜାବେଥ୍‍ଙ୍କ ସହ ପରିଚୟ କରାଇଦେଲେ । ତାଙ୍କ ବୟସ ସତରରୁ ବେଶି ହେବନି । କବି ମୁଗ୍ଧଦୃଷ୍ଟିରେ ଏଲିଜାବେଥ୍‍ଙ୍କୁ ଚାହିଁରହିଲେ ।

ଦୃଷ୍ଟି ବିନିମୟରେ ପରସ୍ପର ପରସ୍ପରକୁ ଜାଣିବାକୁ ଲାଗିଲେ । ଏଲିଜାବେଥ୍‍ଙ୍କ ମନରେ ଏଇ ଯୁବକର ସୁନ୍ଦର ଚେହେରା ଓ ମାର୍ଜିତ କଥାବାର୍ତ୍ତା ପ୍ରେମ ଭାବ ଜଣାଇଲା କି ନା, କବି ଜାଣି ଜାଣିପାରିଲେ ନାହିଁ ।

 

ଗେଟେ ଫେରିଗଲେ ।

 

ମନ–ତରୀ ବନ୍ଧାହୋଇ ରହିଲା ଗୋଟିଏ ଅନିଶ୍ଚିତ ବନ୍ଦରରେ ।

 

ଅଧିକାର, ଅନଧିକାର ସେ ବାସନା ।

 

ଦୁଇ ଦିନ ପରେ ଆସିଲେ ଗେଟେ । ସୌଭାଗ୍ୟବଶତଃ ଏଲିଜାବେଥ୍ ଏକୁଟିଆ ଥିଲେ-। ସୀତାର ବଜାଇବାରେ ତାଙ୍କର ପାରଗତା ବିଷୟ ଆଲୋଚନା କରୁକରୁ ଘରସଂଲଗ୍ନ ବଗିଚାକୁ ଦୁହେଁ ବୁଲିବାକୁ ଗଲେ ।

 

କେତେ ଅର୍ଥହୀନ କଥାବାର୍ତ୍ତା ଯେ ହେଲା, ତା’ର ଆଦି–ଅନ୍ତ ନାହିଁ ।

 

“ଅନେକ ବେଳ ହୋଇଯାଇଛି ।” –ଚମକି ଉଠିଲେ ଏଲିଜାବେଥ୍ ।

 

ହଁ, ବିଳମ୍ବ ହୋଇଯାଇଛି ।”

 

–ପୁଣି କେବେ ଆସିବ ?

 

କବି ଉତ୍ତର ଦେବାକୁ ଯେମିତି ଟିକିଏ ଦ୍ଵିଧା କଲେ । କହିଲେ–ଆସିବି... ।

 

–ଆଉ ଆମର କ’ଣ ଦେଖା ହେବନି ?

 

–ନିଶ୍ଚୟ ହେବ । ହେଲେ ଏଠି କାହିଁକି ?

 

–କାହିଁକି ? ଜାଗାଟା ତ ବେଶ୍ ମନୋରମ । କାଲି ଆପଣଙ୍କୁ ଏଇ ଗଛ ତଳେ ଅପେକ୍ଷା କରିଥିବି । ଠିକ୍ ଏଇ ସମୟରେ ।

 

ଗେଟେ କହିଲେ–ନିଶ୍ଚୟ ଏହି ସ୍ଥାନଟି ମନୋରମ, ହେଲେ ନିର୍ଜନ ନୁହେଁ । କୌଣସି ନିର୍ଜନ ସ୍ଥାନରେ ତୁମକୁ ପାଇଲେ ମୁଁ ଖୁସି ହେବି । ତୁମର ଆପତ୍ତି ଅଛି କି ?

 

ଖିଲି ଖିଲି ହସିଉଠିଲେ ଏଲିଜାବେଥ୍ । କହିଲେ–ଏତିକି ମାତ୍ର ପ୍ରସ୍ତାବ କରୁ କରୁ ଆପଣ ଥରି ଉଠିଛନ୍ତି ! ଆପଣଙ୍କୁ ନିର୍ଜନ ସ୍ଥାନରେ ଦେଖା କରିବାର ଲୋଭ ମୋର ମଧ୍ୟ ଅଛି ।

 

ଗେଟେ ଈଷତ୍ ହସିଲେ ।

 

ପ୍ରସ୍ତାବିତ ନିର୍ଜନ ସ୍ଥାନଟିର ଠିକଣା ଦେଲେ । ସ୍ଵୀକୃତି ପାଇ ଆନନ୍ଦରେ କବି ଘରକୁ ଫେରିଲେ ।

 

ଅନେକ ରାତ୍ରି ପର୍ଯ୍ୟନ୍ତ ଚିନ୍ତା କରିବା ପରେ ସ୍ଥିର କଲେ, କାଲି ଏଲିଜାବେଥ୍‍ଙ୍କ ନିକଟରେ ପ୍ରଣୟ ନିବେଦନ କରିବେ ।

 

ସେ କ’ଣ ଚାହେଁନି ?

 

ନିଦ ଆସିଲା ନାହିଁ । ଉତ୍ତେଜନା, ଉଦ୍‍ବେଗରେ ସେ ଅସ୍ଥିର ହୋଇପଡ଼ିଲେ । ଭାବି ଭାବି ରାତିଟା କଟିଗଲା ।

 

ନିର୍ଦ୍ଦିଷ୍ଟ ସମୟରେ ଗେଟେ ଯାଇ ଅପେକ୍ଷା କଲେ ।

 

କିଛିକ୍ଷଣ ପରେ ଏଲିଜାବେଥ୍ ଆସିଲେ ।

 

ରୂପସଜ୍ଜାରେ ଏଲିଜାବେଥ୍ ଅନିନ୍ଦ୍ୟସୁନ୍ଦରୀ ହୋଇଉଠିଛି ବୋଲି କବିଙ୍କର ମନେ ହେଲା ।

 

–ଡେରି ହେଲା, କ୍ଷମା କରିବେ ।

 

–କ୍ଷମା !

 

କହୁ କହୁ ପ୍ରେମିକ ପ୍ରେମିକା ବସିପଡ଼ିଲେ ।

 

–ଆଜିର ଦିନଟା ଭାରି ଶୁଭ ଆଉ ନିର୍ଜନତା ବେଶ୍ ଚମତ୍କାର ।

 

–କହିବି, ଏଲିଜାବେଥ୍ !

 

–କହିବେ ଆପଣ, ମୁଁ ଶୁଣିବି, ଏଥିରେ ଏତେ ସଂକୋଚ କାହିଁକି ?

 

–କହିବି ?

 

–କୁହନ୍ତୁ ।

 

କିନ୍ତୁ ଗେଟେ କିଛି କହିପାରିଲେନି । କ’ଣ କହିବେ ? ଭାବିଲେ ଗେଟେ । ଏଲିଜାବେଥ୍ ତାଙ୍କ ପ୍ରଶ୍ନର କି ଉତ୍ତର ଦେବେ ଭାବି ବସିଲେ । ହେଲେ ପ୍ରଶ୍ନ ପଚାରିପାରିଲେ ନାହିଁ-

 

ଏଲିଜାବେଥ୍ ଗେଟେଙ୍କର ମୁହଁ ଆଡ଼କୁ ଚାହିଁରହିଲେ ।

 

–ଚୁପ୍ ରହିଲେ କାହିଁକି ? କୁହନ୍ତୁ ।

 

–ଜାଣିଛ, ବୋଧହୁଏ ମୁଁ କବିତା ଲେଖେ ।

 

–ଆପଣଙ୍କର କବିତା ଲେଖିବା ପ୍ରତିଭା ଅନେକଙ୍କଠାରୁ ଶୁଣିଛି ।

 

–ମୋର ଗୋଟିଏ କବିତା ଶୁଣିବ ?

 

–ସେ ମୋର ଭାଗ୍ୟ । ଆପଣଙ୍କ କବିତା ଆପଣ ପଢ଼ି ଶୁଣାଇବେ, ଏହାଠାରୁ ମୋର ଭାଗ୍ୟ କ’ଣ ଥାଇପାରେ ?

 

କବିତା ପଢ଼ି ଗେଟେ ସମୟ କଟାଇଦେଲେ । ଏଥର ହାରିଗଲେ ଗେଟେ । କହିପାରିଲେ ନାହିଁ ମନର କଥା ।

 

ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଇ ନିଜ ନିଜ ଘରକୁ ଫେରିଗଲେ ।

 

ତୃତୀୟ ମିଳନରେ ଗେଟେ କହିଲେ, “ଏଲିଜା, କୌଣସି ବ୍ୟାପାରରେ ନିଜକୁ ନିୟମ–ଶୃଙ୍ଖଳାରେ ମୁଁ ଚଳେଇପାରେ ନାହିଁ । ପରିସ୍ଥିତି ସହିତ ଖାପ ଖୁଆଇ ଚଳିପାରେ ନାହିଁ । ଅନେକ ସମୟରେ ଖାମ୍‍ଖିଆଲିଭାବେ କାମ କରେ । ଭଲମନ୍ଦ ଭାଗମାପ ଆପେଆପେ ଭୁଲିଯାଏ । ସତେ ! ଏଲି, ଏଇ ଅଳ୍ପ ମିଳାମିଶାରେ ତୁମକୁ ମୁଁ ଭଲ ପାଇବସିଛି ।’’ କବିଙ୍କର କହିବା ଶକ୍ତି ଥମି ଥମି ରହିଗଲା ।

 

ଏଲିଜାବେଥ୍ କିଛି କହିପାରିଲେ ନାହିଁ । ତଳକୁ ମୁହଁ ପୋତି ଲଜ୍ଜିତଭାବେ ବସିଲେ । ମୁହଁରେ ରକ୍ତିମାର ଆଭା ଉକୁଟି ଉଠୁଥିଲା ।

 

–ରାଗିଲ କି ଏଲା ?

 

–ନା.... । –ସଲ୍ଲଜଭାବେ କହିଲେ ଏଲିଜା ।

 

–ମୋର ଅନ୍ତରର ସ୍ଵର ତୁମ ସୀତାରରେ ତରଙ୍ଗ ସୃଷ୍ଟି କରିଛି । ମୋତେ ତୁମେ ଦୁର୍ବଳ କରି ବିଜୟିନୀ ହୋଇଛ । ଏସବୁ ଯେବେ ସତ୍ୟ ହୋଇଥାଏ, ତେବେ ଆଉ ଡେରି କାହିଁକି ?

 

–ନା, ନା, ଡେରି କାହିଁକି ? ସମାଜ ଜାଣୁ–ସମସ୍ତେ ଜାଣନ୍ତୁ–ଆମ ମିଳନକୁ ସେମାନେ ଆଶୀର୍ବାଦ କରନ୍ତୁ ।“

 

ଉତ୍‍ଫୁଲ୍ଲ ହୋଇଉଠିଲେ ଗେଟେ । କହିଲେ–

 

“ତୁମକୁ ବିବାହ କରିବାପାଇଁ ମୋର ଭାରି ଲୋଭ । ଏଇ ମୋର ପଚିଶବର୍ଷ ଜୀବନରେ ବହୁତ କିଛି ଦେଖିଲି । ହେଲେ ତୁମେ ମୋର ପ୍ରେରଣାର ଉତ୍ସ ହୋଇଉଠିଛ । ମୁଁ ଭାଗ୍ୟବାନ, ତୁମକୁ ପାଇଛି ।”

 

ପ୍ରେମିକା ଓ ପ୍ରେମିକର ପ୍ରଣୟ ଦେବଦୁର୍ଲଭ । ସମସ୍ତେ ଜାଣିଲେ, ଗେଟେ ଏଲିଜାଙ୍କୁ ଭଲ ପାଉଛନ୍ତି ।

 

ଦୁଇ ପରିବାରର କୁଟୁମ୍ବବର୍ଗ ଆଲୋଚନା କଲେ । ଆଶା ଓ ଆନନ୍ଦରେ ସେମାନଙ୍କ ମନ ଭରିଗଲା ।

 

ସେମାନେ ଦୁହେଁ ଦୁହିଁଙ୍କି ନିବିଡ଼ଭାବେ ଭଲ ପାଇଛନ୍ତି ।

 

ବ୍ୟାଙ୍କ୍‍ର ଶ୍ୟେନୋମାନେ ଦିନେ ନିଜର ସୁରମ୍ୟ ଗୃହରେ ପାର୍ଟିର ଆୟୋଜନ କଲେ । ବିଟ୍ରଥାଲ ଉତ୍ସବ ପାଳିତ ହେଲା । ଭାବୀ ଜାମାତାଙ୍କ ସହିତ ପରିଚୟ କରାଇଦେଲେ ଗୃହକର୍ତ୍ତା ।

 

ସମସ୍ତେ ଏ ବିବାହ ପ୍ରସ୍ତାବରେ ଖୁସି ହେଲେ ।

 

ଏ ବିବାହ ମଣି–କାଞ୍ଚନ ସଂଯୋଗ ।

 

ଗେଟେ, ଏଲିଜାବେଥ୍ ମହାଖୁସି ।

 

ରଙ୍ଗୀନ୍ ପ୍ରଜାପତି ପରି ଉଡ଼ିବୁଲିଲେ ପ୍ରେମିକ–ପ୍ରେମିକା ।

 

ଭବିଷ୍ୟତ କଳ୍ପନାରେ ହଜିଗଲେ ଗେଟେ ଓ ଏଲିଜାବେଥ୍ ।

 

ଗିର୍ଜାକୁ ଯାଇ ବିବାହ–ଉତ୍ସବ ପାଳନ କରିବାପାଇଁ ଦିନ, ବେଳା ଠିକ୍ ହୋଇଗଲା ।

 

ହେଲେ ନିୟତିର ଗତି ବିଚିତ୍ର ।

 

ହଠାତ୍ ପାରିବାରିକ ମନାନ୍ତର, କଳହ ନିମନ୍ତେ ଉତ୍ସବ ସ୍ଥଗିତ ରହିଲା ।

 

ଦୁଇ ପରିବାର ଅଡ଼ି ବସିଲେ–ଏହି ବାହାଘର ହୋଇପାରିବ ନାହିଁ ।

 

ଗେଟେଙ୍କର ହତାଶା ସୀମା ଲଙ୍ଘନ କଲା । ସେ ବ୍ୟର୍ଥପ୍ରେମର ପ୍ରଳୟ ଘୂର୍ଣ୍ଣିବାୟୁରେ ପଡ଼ି ଅସ୍ଥିର ହୋଇଉଠିଲେ । ଅନ୍ୟ ପକ୍ଷରେ ଏଲିଜାବେଥ୍ ଭାଙ୍ଗିପଡ଼ିଲେ । କାନ୍ଦି କାନ୍ଦି ଲୁହରେ ନିଜକୁ ଶେଷ ଆହୁତି ଦେଲେ ସେ ।

 

ବାହାରକୁ ଯିବାକୁ ପରିବାରର ନିଷେଧ ଆଜ୍ଞା ଜାରି ହେଲା । ଘର ବାହାରକୁ ଯିବାର ସ୍ଵାଧୀନତା ସେ ହରାଇ ବସିଲେ ।

 

ସମସ୍ତଙ୍କ କଡ଼ା ନଜରକୁ ଏଡ଼ିଦେଇ ଦିନେ ସେ ଅଚାନକ ଭାବରେ ଗେଟେଙ୍କ ପାଖରେ ପହଞ୍ଚିଗଲେ ।

 

ବିସ୍ମିତ ହେଲେ ଗେଟେ ।

 

“ତୁମେ ଏଠିକି ଆସି ଠିକ୍ କଲ ନାହିଁ ।”

 

“ନ ଆସି କ’ଣ କରିପାରିଥାନ୍ତି ?” –ଗେଟେଙ୍କ ଉପରେ ତୀକ୍ଷ୍ଣ ଚାହାଣି ହାଣି କହିଲେ ଏଲିଜାବେଥ୍–‘‘ଅନ୍ୟାୟ, ଅତ୍ୟାଚାର ସହିବାର ଶକ୍ତି ହରାଇ ବସିଛି କବି !”

 

–ଆଉ ଉପାୟ ନାହିଁ । ତୁମ ସହିତ ମୋର ମିଳନ ସେମାନେ ଚାହୁଁ ନାହାନ୍ତି ।

 

–ସେମାନେ ନ ଚାହିଁଲେ କ’ଣ ହେବ ? ଆମ ବାଟ ଆମେ ଠିକ୍ କରିନେଇଛେ.....

 

–ତୁମେ ଯାହା ଚାହୁଁଛ, ବୁଝିପାରୁଛି ଏଲି !

 

–ଚାଲ ଏଠୁ ପଳାଇବା ଆମେରିକା । ସେଠି ଆମର ଅବାରିତ ଜୀବନରେ କେହି ପ୍ରତିବନ୍ଧକ ହୋଇପାରିବେ ନାହିଁ । ଆମେ ଜୀବନର ପ୍ରକୃତ ସ୍ଵାଦ ଚାଖିବା... ।

 

ଗେଟେ ଆଶ୍ଚର୍ଯ୍ୟ ହେଲେ । ଅନ୍ୟ କେହି ହୋଇଥିଲେ ଏପରି ସୁବର୍ଣ୍ଣ ସୁଯୋଗ ହରାନ୍ତା ନାହିଁ ।

 

“ଆମେରିକା ଧନୀର ଦେଶ । କାହାରି ଅଭାବ ନାହିଁ । ଅନାଟନ ନିରର୍ଥକ ସେ ଦେଶରେ ।”

 

“ଦୁଇଟି ସମ୍ଭ୍ରାନ୍ତ ବଂଶର ମର୍ଯ୍ୟାଦାକୁ ଅସମ୍ମାନ କରି ଆମେ କଳଙ୍କର ପସରା ନେଇ ବାହାରକୁ ଯାଇପାରିବା ନାହିଁ ଏଲିଜା ।”

 

ଦୁଇ ଧାର ଅଶ୍ରୁ ଝରିପଡ଼ି ଏଲିଜାଙ୍କ ଗଣ୍ଡମଣ୍ଡଳ ସିକ୍ତ କଲା ।

 

ହଠାତ୍ ଦ୍ରୁତଗତିରେ ସେଠୁ ଏଲିଜା ପଳାଇଗଲେ ।

 

ଯିବାପଥକୁ ଅନାଇ ରହିଲେ ଗେଟେ ।

 

ବିଫଳତାର ଜୟଗାନ କରି ପରାଜିତ ପ୍ରେମିକ ଗେଟେ ଆତ୍ମଜୀବନୀରେ ଏଲିଜାଙ୍କ ପ୍ରେମ ବିଷୟରେ ବର୍ଣ୍ଣନା କରିଛନ୍ତି–

 

“ଏଲି ପ୍ରକୃତରେ ତାଙ୍କର ପ୍ରେମିକା । ଜୀବନରେ ହସକାନ୍ଦର ଆଲେଖ୍ୟର ଲିପି ନେଇ ସବୁଦିନ ପାଇଁ ସେ ଚାଲିଗଲା ।”

 

କିନ୍ତୁ ପ୍ରକୃତରେ ଏଲିଜାବେଥ୍‍ଙ୍କୁ ଭଲ ପାଇବାର ଉଷ୍ମତା ଅଙ୍ଗେ ଅଙ୍ଗେ ଗେଟେ ପାଇଥିଲେ । ସେଥିରେ ହିଲ୍ଲୋଳ ଥିଲା, ଗଭୀରତା ନଥିଲା ।

 

ପ୍ରେମର ଗଭୀରତା ଥିଲେ ଗେଟେ ଏଲିଜାଙ୍କ ହାତ ଧରି ଅନ୍ୟ ମହାଦେଶକୁ ଯାଇ ପ୍ରେମିକର ଜୀବନ କଟାଇ ପ୍ରଣୟର ଜୟ ଜୟକାର କରିଥାଆନ୍ତେ ।

 

ପରବର୍ତ୍ତୀ ଜୀବନରେ ସମାଜକୁ ଭ୍ରୂକ୍ଷେପ ନ କରି ପ୍ରଣୟ ପିପାସାରେ ଆକଣ୍ଠ ସୁରାପାନ କରି, ଆତ୍ମବିସ୍ମୃତ ହୋଇ ଉଠିଥିଲେ ଗେଟେ ।

 

ହେଲେ ଏଲିଜାଙ୍କ ପ୍ରତି ସେ ବିମୁଖ ହେଲେ କାହିଁକି ?

 

ସାମୟିକ ମୋହ ବିବାହ ଭାଙ୍ଗିଯିବା ସଙ୍ଗେ ସଙ୍ଗେ ମିଳେଇଗଲା ।

 

ଗେଟେ ଆଇନ ବ୍ୟବସାୟ ଛାଡ଼ିଦେଲେ । ବର୍ଷେ ଖଣ୍ଡେ ଅନ୍ୟ କୌଣସି ରାଜକର୍ମ ନ କରି ଏକାଗ୍ରମନରେ ଲେଖାଲେଖିରେ ଲାଗିଲେ । ୧୭୭୫ ସାଲରେ ଗୁଣଗ୍ରାହୀ ଡିଉକ୍ କାର୍ଲ ଆଉଗୁଷ୍ଟେ ତାଙ୍କୁ ନିମନ୍ତ୍ରଣ କରି ଭାଇମାର୍‍କୁ ନେଇଗଲେ ।

 

ବର୍ଷେ ରହଣି ପରେ ଭାଇମାର୍ ରାଜଦରବାରରେ ସେ ମନ୍ତ୍ରୀପଦ ଗ୍ରହଣ କଲେ । କାର୍ଲ ଆଉଗୁଷ୍ଟେଙ୍କ ସଙ୍ଗେ ତାଙ୍କର ଗଭୀର ବନ୍ଧୁତା ଗଢ଼ିଉଠିଲା ।

 

ସେ ରାଜପରିବାରର ଜଣେ ହୋଇଉଠିଲେ । ଭାଇମାର୍‍ରେ ତାଙ୍କର ଜୀବନ ଚମତ୍କାର ଭାବରେ କଟିବାକୁ ଲାଗିଲା । ସେଦିନ ଭୋରରୁ ଉଠି ଅନ୍ୟମନସ୍କ ଭାବରେ ବଗିଚାରେ ବୁଲୁଥିଲେ ଗେଟେ ।

 

ହଠାତ୍ ସେ ଲକ୍ଷ୍ୟ କଲେ, ଗୋଟିଏ ତରୁଣୀ ନିକଟରେ ଆସି ଠିଆ ହୋଇଛି । ମୁହଁ ଟେକି ତରୁଣୀକୁ ଭଲ କରି ଦେଖିଲେ ଗେଟେ । ଉଛୁଳା ଯୌବନ । ଅପରୂପ ମୁଖଶ୍ରୀ । ବଳିଷ୍ଠ ଅଙ୍ଗସୌଷ୍ଠବ ।

 

ଦଣ୍ଡେ ଅଟକ ରହିଲେ ଗେଟେ ।

 

“ମୋତେ..... ??”

 

–‘‘ନା, ନା..... ।’’ –ଇତସ୍ତତଃ ହୋଇଉଠିଲେ ଯୁବତୀ ।

 

–ମୁଁ କିଛି ସାହାଯ୍ୟ କରିପାରେ ?

 

–ଆପଣ ସାହାଯ୍ୟ କରିବେ ବୋଲି ଆଶା ରଖି ଆସିଛି ।

 

–ମୋର ସାହାଯ୍ୟ ଚାହୁଁଛନ୍ତି ? କି ସାହାଯ୍ୟ କରିପାରିବି ?

 

–ମୋର ବଡ଼ ଭାଇ, ସାହିତ୍ୟ ଅନୁରାଗୀ–ହଁ, ସାହିତ୍ୟିକ କହିଲେ ଭୁଲ୍ ହେବ ନାହିଁ, ସେ ବେକାର । ଆପଣ ଚାହିଁଲେ ରାଜଦରବାରରେ କିଛି ନିଯୁକ୍ତି ପାଇପାରନ୍ତେ ।

 

–ଦରଖାସ୍ତ ଆଣିଛ ? –ପଚାରିଲେ ଗେଟେ ।

 

ଥରିଲା ହାତରେ ଦରଖାସ୍ତଟି ବଢ଼େଇଦେଲେ ସୁନ୍ଦରୀ ।

 

ଗେଟେ ଆତ୍ମବିମୁଗ୍ଧ ହୋଇ ତରୁଣୀ ଆଡ଼କୁ ଚାହିଁ ରହିଲେ, ସତେ ଅବା ତା’ର ନୟନଯୁଗଳରୁ ଆଶା–ନିରାଶାର ଭାବ–ତରଙ୍ଗ ବିସ୍ଫାରିତ ହୋଇ ତାଙ୍କ ଛାତିରେ ତଡ଼ିତ୍‍ର ତରଙ୍ଗ ସୃଷ୍ଟି କରୁଛି ।

 

ଅତୀତର ଏଲିଜାଙ୍କ ସ୍ମୃତି ନୂଆ ରୂପ ନେଇଛି ଗେଟେଙ୍କ ଜୀବନରେ ।

 

ସେ ତରୁଣୀର ସୌନ୍ଦର୍ଯ୍ୟରେ କ୍ଷଣକପାଇଁ ଅନ୍ୟମନସ୍କ ହୋଇଉଠିଲେ ।

 

ପରେ ଆତ୍ମସ୍ଥ ହୋଇ ପଚାରିଲେ–‘‘ତୁମ ନାମ କ’ଣ ?”

 

–ତ୍ରିସତିଆନା ଫୁଲପିଭସ୍ ।

 

–ତୁମେ କେଉଁଠି କାମ କର ?

 

–କାରଖାନାରେ ।

 

–ଦରଖାସ୍ତଟି ରଖିଲି । ଚେଷ୍ଟା କରିବି । ତୁମେ ପରେ ମତେ ଦେଖା କରିବ ।

 

କୃତଜ୍ଞତା ଜଣାଇ ସେ ଚାଲିଗଲା ।

 

ଭଗବାନଙ୍କୁ ମନେମନେ ଧନ୍ୟବାଦ ଦେଲେ ଗେଟେ ।

 

ସେଇ ମୁହୂର୍ତ୍ତରେ ସେ ସ୍ଥିର କରି ପକାଇଲେ, ନିଜର ଜୀବନ ସଙ୍ଗେ ବାନ୍ଧି ପକାଇବେ ତ୍ରିସ୍‍ତିୟାନା ଫଲପିଭସ୍‍ଙ୍କୁ ।

 

“ସୁନ୍ଦର, ବିନମ୍ର ଓ ଶାନ୍ତ ସ୍ଵଭାବର ଝିଅଟି ମୋ ଜୀବନକୁ ନିଃସନ୍ଦେହରେ ପରିପୂର୍ଣ୍ଣ କରି ତୋଳିବ ।’’

 

ତା’ପରେ ଅନେକ ଥର ଦେଖା ହୋଇଛି ସେହି ସୁନ୍ଦରୀ ତରୁଣୀ ସାଙ୍ଗରେ ।

 

ଶେଷରେ ଦିନେ ଗେଟେ ପଚାରିଲେ–ଜୀବନଟା ଦାରିଦ୍ର୍ୟରେ କଟାଇବାକୁ ସ୍ଥିର କରିଛ-?

 

ଅବିଚଳିତ ସ୍ଵରରେ ତ୍ରିସ୍‍ତିୟାନା କହିଲେ–

 

ଦାରିଦ୍ର୍ୟକୁ ଜୟ କରିବାର କ୍ଷମତା ତ ମୋର ନାହିଁ !

 

–ତୁମେ କାହାକୁ ବିବାହ କରିବାକୁ କଥା ଦେଇଛ ?

 

ତ୍ରିସ୍‍ତିୟାନା ଅଳ୍ପ ହସିଲେ ।

 

–ମୋପାଇଁ ସେପରି ପ୍ରସ୍ତାବ କେହି କରି ନାହାନ୍ତି ।

 

ଗେଟେ କହିଲେ–ଦେଶର ଦୁର୍ଭାଗ୍ୟ ତରୁଣୀ ! ତୁମ ପରି ସୁନ୍ଦରୀ ଝିଅକୁ ବିବାହ କରିବାକୁ କେହି ପ୍ରସ୍ତାବ ନେଇ ଆସିନି !

 

ତ୍ରିସ୍‍ତିୟାନା କିଛି କହିଲେନି । ଗେଟେଙ୍କ ପ୍ରତି ତାଙ୍କର ଶ୍ରଦ୍ଧାର ଅନ୍ତ ନାହିଁ । ଦେଶର ମନ୍ତ୍ରୀ ଅକିଞ୍ଚନ ବାଳିକା ପ୍ରତି ଏତେ ଅନୁଗ୍ରହ ଦେଖାଇଛନ୍ତି !

 

ବିଶ୍ଵାସ ହେଉ ନଥାଏ । ଅତର୍କିତ ଭାବରେ କହିଉଠିଲେ ।

 

–ଆପଣ... ?

 

ଗେଟେ ଆହୁରି କହିଲେ–ହଁ, ମୁଁ, ତୁମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

 

–ମୋତେ...ଆପଣ...?

 

–ଅସଂଲଗ୍ନ ଭାବରେ କେତୋଟି ଶବ୍ଦ ମାତ୍ର ଗଳାଚିରି ବାହାରି ଆସିଲା ତ୍ରିସ୍‍ତିୟାନାଙ୍କର ।

 

–ମୁଁ ତୁମକୁ ଭଲ ପାଏ । ମୋର ପ୍ରସ୍ତାବରେ କ’ଣ ତୁମର ସମର୍ଥନ ଅଛି ?

 

–ବିଶ୍ଵାସ କରିପାରୁନି କବି !

 

–ଅବିଶ୍ଵାସ କରିବାର କିଛି ନାହିଁ । କହ, ତ୍ରିସ୍‍ତିୟାନା, ରାଜି ଅଛ ?

 

–ମୋର ପରମ ସୌଭାଗ୍ୟ ହେବ କବି !

 

ଆପାତତଃ କୌଳିକ ବିବାହ ପ୍ରଥାରେ ଗେଟେଙ୍କର ଶ୍ରଦ୍ଧା ନଥିଲା । ହୁଏତ ପରେ ସାମାଜିକ ଆଇନକାନୁନ ଅନୁସାରେ ସ୍ଵାମୀ–ସ୍ତ୍ରୀରୂପେ ସେ ଦୁହେଁ ଜୀବନ କଟାଇଲେ । ସୁଖର ସଂସାର । ଅବାରିତ ସେ ପ୍ରେମ । ହେଲେ ପ୍ରକୃତିର ଉପହାସରେ ତ୍ରିସ୍‍ତିୟାନାର ମୃତ୍ୟୁ ଘଟିଲା ।

 

ପୁଣି ଗେଟେଙ୍କର ଆନ୍ତରିକତାରେ ସନ୍ଦେହ ଆସିଲା । ଦୀର୍ଘ ଦିନ ସ୍ଵାମୀ–ସ୍ତ୍ରୀ ହିସାବରେ ବାସ କରିବା ପରେ କାହିଁକି ଯେ କବି ତାଙ୍କୁ ବିବାହ କରିବାକୁ ଏତେ ବିଳମ୍ବ କରିଥିଲେ, ତାହା ଅନୁମାନ କରିବା କଠିନ । ଗେଟେ ଓ ତ୍ରିସ୍‍ତିୟାନାଙ୍କ ମିଳିତ ଜୀବନ ଅତ୍ୟନ୍ତ ସୁଖମୟ ଥିଲା-। ସେହି ପ୍ରେରଣାରେ ତାଙ୍କର ଅପୂର୍ବ କାବ୍ୟ “ରୋମାନ୍ ଏଲିଜିସ୍” ଲେଖାଯାଇଥିଲା ।

 

ଏତେ ଆନ୍ତରିକତା, ଏତେ ପ୍ରେମ କବିଙ୍କ ଜୀବନରେ ପ୍ରକର ନୁହେଁ ??

 

ତା’ପରେ କବି ଅନେକ ପ୍ରେମିକାଙ୍କ ସାନ୍ନିଧ୍ୟ ପାଇବାକୁ ପାଗଳ ହୋଇଥିଲେ ।

 

ଜୀବନର ଶେଷ ପର୍ଯ୍ୟାୟରେ ଦୁଇଟି ତରୁଣୀଙ୍କ ପ୍ରେମ ବିଳାସ ବିସ୍ମୟକର ।

 

ସତୁରି ବର୍ଷ ବୟସରେ କବି ତ୍ରିସ୍‍ତିୟାନାଙ୍କୁ ହରାଇଲେ ।

 

ପତ୍ନୀବିୟୋଗ ପରେ ଅନେକ ଥର ଗେଟେ ଯାଉଥିଲେ ଲୋଫତ୍‍ଶୋଭାର ଘରକୁ ।

 

ସେଠି ଭଲରିକାଙ୍କ ସହିତ ପରିଚୟ ହେଲା । ସେ ଅତି ସୁନ୍ଦରୀ ନଥିଲେ । ହେଲେ ତାଙ୍କର ମନୋମୁଗ୍ଧକର ଚାହାଣି, ଆକର୍ଷଣୀୟ ନାରୀତ୍ଵ ପ୍ରଲୁବ୍‍ଧ କଲା ଗେଟେଙ୍କୁ ।

 

ସେ ହୃଦୟ ହରାଇ ବସିଲେ । ତରୁଣ ପ୍ରେମିକ ପରି ବ୍ୟତିବ୍ୟସ୍ତ ହୋଇଉଠିଲେ । ଶେଷରେ ସେ ସ୍ଥିର କଲେ, ଭଲରିକାଙ୍କୁ ବିବାହ କରିବେ ।

 

କିନ୍ତୁ ନିଜେ ବିବାହ ପ୍ରସ୍ତାବ ଉଠାଇବାକୁ ସଂକୋଚ ମନେ କଲେ ।

 

ଗେଟେଙ୍କର ବୟସ ଚଉସ୍ତରି, ଭଲରିକାଙ୍କ ବୟସ ମାତ୍ର ଊଣେଇଶ ।

 

ଉପାୟାନ୍ତର ନ ଦେଖି ମନକଥା ବନ୍ଧୁ ଓ ମୁନିବ ଡିଉକ୍ କାର୍ଲ ଆଉଗୁଷ୍ଟେଙ୍କୁ କହିଲେ ।

 

ତାଙ୍କର ଧାରଣା ଥିଲା, କାର୍ଲ ଏକଥା ଶୁଣି କ୍ଷୁବ୍ଧ ହେବେ । କଲେ କବିଙ୍କର ପ୍ରେମ–ପିପାସା ଉପଶମ କରିବାପାଇଁ ସେ ଉତ୍ସାହିତ କଲେ । ନିଜେ ଭଲରିକାଙ୍କ ମାଆଙ୍କ ପାଖକୁ ଗଲେ-

 

କଥାଟା ଶୁଣି ଭଦ୍ରମହିଳା ଅବାକ୍ ।

 

ବୃଦ୍ଧ ରାଜମନ୍ତ୍ରୀ ତାଙ୍କର ଝିଅକୁ ବିବାହ କରିବାକୁ ଚାହାନ୍ତି । ସେ ବିଶ୍ଵାସ କରିପାରିଲେ ନାହିଁ । ଏହାକୁ ଏକ ରାଜସିକ ଥଟ୍ଟା ବୋଲି ମନେ କଲେ । ଡିଉକ୍ କହିଲେ, “ଥଟ୍ଟା ନୁହେଁ, ବିବାହ କରିବା କବିଙ୍କର ପ୍ରକୃତ ଅଭିଳାଷ ।”

 

ତାଙ୍କ ମା’ ପ୍ରସ୍ତାବ ବୁଝିବିଚାରି ଶେଷ ସିଦ୍ଧାନ୍ତ କରିବେ ବୋଲି ସମୟ ନେଲେ ।

 

ସମୟ ନେବା କଥା ଶୁଣି କବି କ୍ଷୁଣ୍ଣ ହେଲେ ।

 

ସେ ବିଳମ୍ବ ସହ୍ୟ କରିପାରିଲେ ନାହିଁ ।

 

ଅସୁସ୍ଥ ହେଲେ କବି ।

 

କବିଙ୍କ ପୁତ୍ର ଓ ପୁତ୍ରବଧୂ ଏହି ବିବାହ ପ୍ରସ୍ତାବକୁ ପ୍ରତିରୋଧ କଲେ । କବିଙ୍କର ଏହି ଅଭିଳାଷ ଅଭିଶାପରୂପେ ଜୀବନକୁ ଘେରିଗଲା ।

 

ପୁଣି ବାରବାର କବି ଗେଟେ ଆସନ୍ନ ମୃତ୍ୟୁମୁଖରେ ପଡ଼ି ଅଭିଶପ୍ତ ପ୍ରେମିକର ହାତୁତାଶ ଦାବାଗ୍ନିରେ ଜଳି ଜଳି ଗଲେ ।

 

ପୁଣି ସୁସ୍ଥ ହେଲେ କବି ।

 

କବିଙ୍କର ସର୍ବଶେଷ ପ୍ରଣୟିନୀ ଥିଲେ ମାଦାମସି ମାନୋ ଭସ୍କାର । ସେ ଥିଲେ ପଲ୍ଲୀର ସୁନ୍ଦରୀ ।

 

ଅସାଧାରଣ ସୌନ୍ଦର୍ଯ୍ୟ, ସାର୍ବଜନୀନ ସରଳତାର ବୃଦ୍ଧ ଗେଟେ ଯୁବକ ପ୍ରେମିକରୂପେ ଜୀବନ ଅତିବାହିତ କଲେ ।

 

ସେ ସୀତାର ବଜାନ୍ତି ।

 

କବି ଆତ୍ମହରା ।

 

ଗେଟେ ବିସ୍ମୃତ ଭଲରିକାଙ୍କର କ୍ଷତବିକ୍ଷତ ଯନ୍ତ୍ରଣା ଉପଶମ କରୁଥିଲେ ନବୀନ ପ୍ରେମିକାର ଚାରୁ ପ୍ରେମକଳାରେ... ।

 

ମନରେ ଫୁଲର ସୌରଭ ।

 

ଆଖିରେ ରଙ୍ଗୀନ ସ୍ଵପ୍ନ ।

 

ପୃଥିବୀ ଇତିହାସରେ ଏପରି ପ୍ରେମିକ ଖୁବ୍ ବିରଳ । ପ୍ରଣୟ ଓ ପ୍ରେମର ଏକ ଉଜ୍ଜ୍ୱଳ କୀର୍ତ୍ତିମୟ କବି ଗେଟେ ।

 

ବହୁବଲ୍ଲଭା ପ୍ରେମିକ କବି ଗେଟେ–ସେ ଚିରସ୍ମରଣୀୟ ।

 

ପ୍ରେମିକା ଓ ପ୍ରେମିକଙ୍କର ଚିର ବନ୍ଦନୀୟ ।

☆☆☆

 

ଯାଯାବର ପ୍ରେମିକ ଶେଲୀ

 

ବାହାରେ ପ୍ରବଳ ଥଣ୍ଡା ।

 

ବାଟଘାଟ ଶୂନଶାନ୍ । କୁଆ, କୋଇଲିର ଦେଖା ନାହିଁ ।

 

ଏହି ଖରାପ ପାଣିପାଗ ଶେଲୀଙ୍କୁ ଛୁଉଁ ନଥିଲା

 

ମନରେ ଅଶାନ୍ତ ଝଡ଼ । ବାରମ୍ବାର ପଦଚାରଣ କରୁଥିଲେ ନିଜର କୋଠରୀ ଭିତରେ । ମୁଣ୍ଡରେ ଯେପରି ଭୂତ ଗ୍ରାସ କରିଛି । ବାହାରେ ତୁଷାର ପଡ଼ୁଛି ଅବିଶ୍ରାନ୍ତ ଭାବରେ । ସେଥିପ୍ରତି ଭ୍ରୂକ୍ଷେପ ନ କରି ପଦାକୁ ବାହାରି ପଡ଼ିଲେ ସେ ।

 

ଗୋଟାଏ ଅଜଣା ଆକର୍ଷଣରେ ସେ ଆଗେଇ ଯାଉଥିଲେ ।

 

ଗାଁ ସେମୁଣ୍ଡରେ କୁଞ୍ଜବନ ।

 

ଏଇଠି ଜୀବନର ପ୍ରଥମ ପ୍ରେମିକା ହ୍ୟାରିଏଟ୍‍ଙ୍କର ସେ ସାନ୍ନିଧ୍ୟ ଲାଭ କରିଛନ୍ତି ।

 

ସିକ୍ତ ତୁଷାରମିଶ୍ରିତ ଘାସ ଉପରେ ବସିପଡ଼ିଲେ ଶେଲୀ ।

 

ହା–ହୁତାଶରେ ହ୍ୟାରିଏଟ୍‍ଙ୍କର ପ୍ରତ୍ୟାଖ୍ୟାତ ପ୍ରେମ–କାହାଣୀ କଥା ଭାବିଲେ ।

 

ଇଂରେଜୀ ସାହିତ୍ୟର ପ୍ରଖ୍ୟାତନାମା କବି ପାର୍ଥୀ ବଶି ଶେଲୀ ଐଶ୍ଵର୍ଯ୍ୟର ପ୍ରାଚୁର୍ଯ୍ୟ ନେଇ ଜନ୍ମଗ୍ରହଣ କରିଥିଲେ ବ୍ୟାରଣ ପରିବାରରେ । ପିତାମହ ସାସେସ୍କର ବ୍ୟାରଣମାନଙ୍କ ମଧ୍ୟରେ ଅତି ପରିଚିତ । ପ୍ରଖ୍ୟାତଯଶା ମଧ୍ୟ ।

 

ତାଙ୍କର ବାପା ଟେମ୍‍ଥି ଶେଲୀ ପାର୍ଲିଆମେଣ୍ଟ୍‍ର ସଦସ୍ୟ ।

 

କିଶୋର ବୟସରୁ ନିର୍ଜନତାକୁ ଖୁବ୍ ଭଲ ପାଉଥିଲେ ଶେଲୀ ।

 

ଘରସଂଲଗ୍ନ ବିରାଟ ପ୍ରମୋଦ ଉଦ୍ୟାନରେ ଫୁଲ, ଫଳ, ପକ୍ଷୀମାନଙ୍କ ସାଙ୍ଗରେ ନିଜକୁ ହଜାଇ ଦେଇଥିଲେ ସେ । ବନଲତାର ସବୁଜିମା, ପତ୍ର–ପୁଷ୍ପର ସୌରଭ, ପକ୍ଷୀମାନଙ୍କର କାଳକିରେ ଆଗାମୀ ଜୀବନର ଭବିଷ୍ୟତ୍ କାହାଣୀ ତାଙ୍କ ଜୀବନରେ ଲିପିବଦ୍ଧ ହେଉଥିଲା ।

 

ବ୍ୟାରଣ ଉଆସର ସୁଖସମ୍ଭୋଗ, ଦିଆନିଆ ହଟ୍ଟଗୋଳ ତାଙ୍କୁ ଭଲ ଲାଗୁ ନଥିଲା ।

 

ଉତ୍ତର ଜୀବନରେ ସେହି ପରିବେଶ, ନିର୍ଜନତା, ବୃକ୍ଷଲତା, ପଶୁପକ୍ଷୀ ତାଙ୍କର ଅତି ନିଜର ହୋଇଉଠିଲେ ।

 

ବାଳକ ଶେଲୀ ଇଟେନ୍ ସ୍କୁଲ୍‍ରେ ନାମ ଲେଖାଇଲେ ।

 

ଇଟେନ୍ ସ୍କୁଲ୍‍ ଥିଲା ତତ୍‍କାଳୀନ ଧନୀମାନୀ, ସମ୍ଭ୍ରାନ୍ତ ବ୍ୟାରଣମାନଙ୍କର ପିଲାଛୁଆଙ୍କର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ।

 

ସେଠାର ଆଭିଜାତ୍ୟର ଚଳଣ ତାଙ୍କ ମନକୁ ଛୁଇଁଲା ନାହିଁ ।

 

ବିଳାସସର୍ବସ୍ଵ ସହପାଠୀମାନଙ୍କ ବ୍ୟବହାରରେ ସେ ଜର୍ଜରିତ ହୋଇଉଠିଲେ । ବାରବାର ମନେ ପଡ଼େ ତାଙ୍କର ବନାନୀ ପରିଶୋଭିତ ନିଜର ଉଦ୍ୟାନ ଆଉ କିଶୋରୀ ବାନ୍ଧବୀ ହ୍ୟାରିଏଟ୍‍ଙ୍କର ଅନ୍ତରଭରା ପ୍ରେମ ସମ୍ଭାଷଣ ।

 

ଛୁଟିରେ ଘରକୁ ଫେରିଲେ କିଶୋରୀ ବାନ୍ଧବୀଙ୍କୁ ନେଇ ବଗିଚାରେ ଘୂରି ବୁଲନ୍ତି ।

 

ହାତ ଧରାଧରି ହୋଇ କିଶୋର ଶେଲୀ ତନ୍ଵୀ ହ୍ୟାରିଏଟ୍‍ଙ୍କୁ ନେଇ ଖୁବ୍ ଦୂରକୁ ଚାଲିଯାଆନ୍ତି ।

 

ପାଦ ଥକିପଡ଼େ । ଅଟକି ପଡ଼ନ୍ତି ପ୍ରେମିକ–ପ୍ରେମିକା ।

 

ପଥଶ୍ରାନ୍ତ କ୍ଳାନ୍ତି ନୁହେଁ, ନିର୍ଜନତା ସେମାନଙ୍କୁ ଉଚ୍ଛୃଙ୍ଖଳ କରିପକାଏ ।

 

ବସିପଡ଼ନ୍ତି ପରସ୍ପରର ଖୁବ୍ ନିକଟରେ ।

 

ପ୍ରେମିକାର ସାନ୍ନିଧ୍ୟ ଲାଭ କରି କିଶୋର କବି ମୁହେଁ ମୁହେଁ କବିତା ରଚନା କରି ବୋଲନ୍ତି । ପ୍ରଲୁବ୍‍ଧ ଭାବରେ ହ୍ୟାରିଏଟ୍ ଶୁଣେ ।

 

କୈଶୋର ଅତିକ୍ରମ କରି, ସ୍କୁଲ୍‍ ପଢ଼ା ଶେଷ କରି ସେ ଅକ୍‍ସଫୋର୍ଡ଼ ବିଶ୍ଵବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଗଲେ ।

 

ତରୁଣ ସହପାଠୀ ହଗ୍‍ଙ୍କ ସହିତ ବନ୍ଧୁତା ଜମିଉଠିଲା ।

 

ନିଜର ପ୍ରଣୟକାହାଣୀ, ଜର୍ମାନ୍ ସାହିତ୍ୟର ଅଭିବୃଦ୍ଧି, ଭଗବାନଙ୍କ ଅସ୍ତିତ୍ୱ ନେଇ ସରଗରମ ଆଲୋଚନା ହୁଏ ଦୁଇ ବନ୍ଧୁଙ୍କର ।

 

ଉପହାସ କରନ୍ତି ବନ୍ଧୁ, “ଶେଲୀ ଆଉ ତନ୍ଵୀ ହ୍ୟାରିଏଟ୍ ପ୍ରଣୟ” ।

 

ଛୁଟିରେ ଘରକୁ ଫେରିଥିଲେ ଶେଲୀ ।

 

ମଧ୍ୟାହ୍ନରେ ହ୍ୟାରିଏଟ୍‍ଙ୍କ ସଙ୍ଗେ ଦେଖା ହେଲା ।

 

ପ୍ରେମିକ–ପ୍ରେମିକା ଚାଲିଲେ ଛାୟାଘେରା କୁଞ୍ଜବନକୁ ।

 

କଥାସୁଅରେ ଭାସିଗଲେ ସେମାନେ ।

 

ଶେଷରେ ଶେଲୀ କହିଲେ, “ଏଥର ପରୀକ୍ଷାରେ ପାସ୍ କରିପାରିବିନି ।”

 

“କାହିଁକି ?”

 

“ସେଥିପାଇଁ ତୁମେ ଦାୟୀ ।”

 

“ମୁଁ ଦାୟୀ ? ମାନେ ?”

 

“ମୋର ବନ୍ଧୁ ହଗ୍ ତ କହନ୍ତି, ସବୁବେଳେ ହ୍ୟାରିଏଟ୍‍ଙ୍କୁ ଝୁରି ହେଉଛ । ପାଠ ପଢ଼ିବ କେତେବେଳେ ?”

 

“ମୋତେ ଝୁରୁଛ !”–ହସିଉଠିଲେ ପ୍ରେମିକା ।

 

“ସତେ, ତୁମକୁ ଭୁଲିପାରୁନି..... ।”

 

ହ୍ୟାରିଏଟ୍ ଅନ୍ୟମନସ୍କ ହୋଇ କହିଲେ–‘‘ଆମର ସମାଜର ବନ୍ଧନ ଯଦି ଏତେ ଦୃଢ଼ ହୋଇ ନଥାନ୍ତା... ।”

 

ଅଳ୍ପ ହସି ଶେଲୀ କହିଲେ, “ତାହାହେଲେ ତ ବନ୍ଧନର ପ୍ରୟୋଜନ ସମାଜରେ ନଥାନ୍ତା-!”

 

“ମୁଁ ଆଉ ତୁମପାଇଁ ଝୁରି ହୁଅନ୍ତି କାହିଁକି ?”

 

“ହଁ, ସମାଜ ପରମ୍ପରା... ।”

 

“ଏଇ ପ୍ରଗତିଶୀଳ ଦୁନିଆରେ ସେ କାଳର କାନୁନରେ ମୂଲ୍ୟ କ’ଣ ?”

 

ନିବିଡ଼ ଭାବରେ ପରସ୍ପର ପରସ୍ପରକୁ ଚାହିଁଲେ । ସତେ ଯେମିତି ସେ ଚାହାଣିରେ ଦୁଇଟି ହୃଦୟର ସ୍ଵାକ୍ଷର ଥିଲା । ହୃଦୟର ବାସନାକୁ ସମାଜ ସ୍ଵୀକାର କରୁ, ସେଥିପାଇଁ ଦୁହେଁ କୃତସଂକଳ୍ପ ହେଲେ ।

 

ସେ ହ୍ୟାରିଏଟ୍‍ଙ୍କୁ ବିବାହ କରିବେ ।

 

ପାରିପାର୍ଶ୍ଵିକ ଅବସ୍ଥାକୁ ଅନୁକୂଳ କରିନେବା ପାଇଁ ଯତ୍ନ କଲେ ।

 

ଆତ୍ମୀୟସ୍ଵଜନଙ୍କ ପାଖରେ ପ୍ରସ୍ତାବଟା ଆସି ପହଞ୍ଚିଲା ।

 

ଆନ୍ତରିକତାର ସହିତ ସମସ୍ତେ ଏ ପ୍ରସ୍ତାବକୁ ଅନୁମୋଦନ କଲେ ।

 

ପ୍ରସ୍ତାବକୁ ସିଦ୍ଧାନ୍ତ କରି ନିଶ୍ଚିନ୍ତ ଭାବରେ ଶେଲୀ ଅକ୍‍ସଫୋର୍ଡ଼କୁ ଫେରିଗଲେ ।

 

ପଢ଼ାଶୁଣାରେ ମନ ଦେଲେ ।

 

“ସମାଜ–ବିପ୍ଳବ” ନାମକ ଖଣ୍ଡିଏ ବହି ଲେଖିଲେ ।

 

ଏତିକିବେଳେ ଗଡ଼ଉଇନ୍‍ଙ୍କର ଦର୍ଶନ ତାଙ୍କୁ ମୁଗ୍ଧ କରିଥିଲା । ତାଙ୍କ “ସମାଜ–ବିପ୍ଳବ’’ ବହିରେ ଗଡ଼ଉଇନ୍‍ଙ୍କର ଦର୍ଶନ ବିଶେଷଭାବେ ପ୍ରତିଫଳିତ ହୋଇଥିଲା ।

 

ଏ ବହି ବିଷୟରେ ହ୍ୟାରିଏଟ୍‍ଙ୍କୁ ଶେଲୀ ଲେଖିଥିଲେ । ସମାଜର ସବୁ କଳଙ୍କ ଧୋଇ ହୋଇଯିବା ପାଇଁ ଏ ବହିରେ ସେ ଉଦ୍ୟମ କରିଛନ୍ତି ।

 

ବହି ଲେଖିସାରି ଶେଲୀ ପାଣ୍ଡୁଲିପିଟି ନେଇ ଜଣେ ପ୍ରକାଶକଙ୍କ ପାଖରେ ପହଞ୍ଚିଲେ ।

 

ନୂଆ ଲେଖକଙ୍କ ପରି ପ୍ରକାଶକଙ୍କର ଶ୍ରଦ୍ଧା ନଥିଲା । ବ୍ୟାରଣଙ୍କ ପୁଅ ବୋଲି ଜାଣିଥିଲେ ହୁଏତ ସଶ୍ରଦ୍ଧ ହୋଇଥାନ୍ତେ ।

 

ଗତାନୁଗତିକ ଭାବରେ ପାଣ୍ଡୁଲିପିର ଦୁଇ ତିନି ପୃଷ୍ଠା ଓଲଟାଇ ଦେଖିଲେ ।

 

‘ଆପଣ ଯା’ନ୍ତୁ । ପାଣ୍ଡୁଲିପିଟି ସୁବିଧା ଦେଖି ପଢ଼ିନେବି । ଯଦି ମନୋନୀତ ହୁଏ ପ୍ରକାଶ କରିବି, ନଚେତ୍ ଆପଣଙ୍କ ପାଣ୍ଡୁଲିପିଟି ଫେରାଇଦେବି ।”

 

ଶେଲୀ ଉତ୍ସାହିତ ହେଲେ ନାହିଁ ।

 

ପାଣ୍ଡୁଲିପିଟି ଜିମା ଦେଇ ଫେରିଆସିଲେ ।

 

ପ୍ରକାଶକ ପାଣ୍ଡୁଲିପିଟି ପଢ଼ି ବିସ୍ମିତ ହେଲେ । ସମାଜ ବିପ୍ଳବର ସ୍ଫୁଲିଙ୍ଗ ଯେପରି ଅବାରିତ ଗତିରେ ସେ ବହିର ପ୍ରତ୍ୟେକ ଧାଡ଼ିରୁ ବିଛାଡ଼ି ହୋଇ ପଡ଼ୁଥିଲା ।

 

କିଏ ଏହି ତରୁଣ ଲେଖକ ?

 

ସମାଜବିରୋଧୀ ଲେଖାଟି ଜଣେ ବ୍ୟାରଣଙ୍କ ପୁଅର ଜାଣି ସେ ସାର୍‍ଟେମ୍‍ଥିଙ୍କୁ ଚିଠି ଲେଖିଲେ–

 

“ଆପଣଙ୍କ ପୁଅ ଏପରି ଅସମାଜିକ ଧାରଣା ନେଇ ବହି ଲେଖିପାରିବେ ବୋଲି କେହି ଆଶା କରିବେ ନାହିଁ । ସେ ଯେଉଁ ମତବାଦ ପୋଷଣ କରୁଛନ୍ତି, ସେଥିରେ ସମାଜ ବିଶୃଙ୍ଖଳିତ ହେବ; ଦେଶରେ ଅହିତକର ବାୟୁମଣ୍ଡଳ ସୃଷ୍ଟି କରିବ । ଆପଣଙ୍କୁ ଜଣାଇଲି । ଆପଣ ଚାହିଁଲେ ଅବଶ୍ୟ ମୁଁ ଏ ବହି ପ୍ରକାଶ କରିବି ।”

 

ଚିଠି ପଢ଼ିସାରି ଟେମ୍‍ଥି ଭୟଙ୍କର ରାଗିଗଲେ ।

 

ତାଙ୍କର କୁଟୁମ୍ବ, ଆତ୍ମୀୟ, ବନ୍ଧୁମାନେ ଶେଲୀର ଏତାଦୃଶ ମତବାଦ ଓ ବହିଲେଖା ପାଇଁ ବିରକ୍ତି ହେଲେ ।

 

ହ୍ୟାରିଏଟ୍‍ଙ୍କ ପାଖରେ ଏହି ସମ୍ବାଦଟି ଲୁଚି ରହିଲା ନାହିଁ । ସେ ମଧ୍ୟ ବିବ୍ରତ ହୋଇପଡ଼ିଲେ ।

 

ଶେଲୀ ଛୁଟିରେ ଘରକୁ ଆସିଥିଲେ । ତାଙ୍କ ବାପା ତାଙ୍କୁ ଦେଖି ରାଗିଗଲେ । ଖୁବ୍ ଗାଳି ଦେଲେ । ଜୀବନରେ ଏପରି ରଚନା ନ ଲେଖିବାପାଇଁ ଦୃଢ଼ଭାବରେ ପ୍ରତିଶ୍ରୁତି ଚାହିଁଲେ ।

 

ହେଲେ ଏମିତି ପ୍ରତିଶ୍ରୁତି ଶେଲୀ ଦେଇପାରିଲେ ନାହିଁ ।

 

ପରିବାରର ସମସ୍ତେ ଯେପରି ତାଙ୍କୁ ଘୃଣା କରୁଛନ୍ତି । ଅସହିଷ୍ଣୁ ପାରିପାର୍ଶ୍ଵିକ ଅବସ୍ଥାରେ ନିଜକୁ ଅସହାୟ ବୋଧକଲେ ଶେଲୀ ।

 

ଦିନେ ସୁବିଧା ଦେଖି ନିଜ ଭଉଣୀମାନଙ୍କୁ ହ୍ୟାରିଏଟ୍‍ଙ୍କ ଖବର ପଚାରିଲେ ।

 

ଖବର ପାଇଲେ, ତାଙ୍କର ସମାଜବିରୋଧୀ ଲେଖାପାଇଁ ହ୍ୟାରିଏଟ୍ ବିରକ୍ତି ହୋଇଛି । ତା’ ଉପରେ ନିଷେଧ ଆଜ୍ଞା ଜାରି ହୋଇଛି–ଶେଲୀଙ୍କୁ ଦେଖା କରିପାରିବ ନାହିଁ ।

 

“ତୁମ ମତବାଦକୁ ସେ ଘୃଣା କରେ, ତୁମକୁ ବିବାହ କଲେ ସୁଖୀ ହୋଇପାରିବ ନାହିଁ ବୋଲି ତା’ର ଧାରଣା ହୋଇଛି ।’’ ଶେଲୀଙ୍କ ଭଉଣୀ କହିଲା ।

 

ଶେଲୀଙ୍କ ଧୈର୍ଯ୍ୟ ତୁଟିଗଲା ।

 

ସେ କିଛି ନ ମାନି ହଠାତ୍ ହ୍ୟାରିଏଟ୍‍ଙ୍କ ପାଖରେ ପହଞ୍ଚିଗଲେ ।

 

ପଲ୍ଲୀପ୍ରାନ୍ତରର ସେହି କେଳିକୁଞ୍ଜ ।

 

“ମୋ ମତବାଦ ପାଇଁ ତୁମେ ମୋତେ ବିବାହ କରିବ ନାହିଁ ?”–ଦୃଢ଼ ଭାବରେ ପ୍ରଶ୍ନ କଲେ ଶେଲୀ ।

 

ହ୍ୟାରିଏଟ୍ ନୀରବ ରହିଲେ ।

 

“ମୁଁ ପଚାରୁଛି–ମୋତେ କାହିଁକି କଥା ଦେଇ ହତାଶ କରୁଛ ?”

 

“ତୁମ ବିଷୟରେ ଯାହା ଜାଣିଥିଲି, ତୁମେ ତାହା ନୁହେଁ । ମୁଁ ସୁଖୀ ହୋଇପାରିବି ନାହିଁ ନା ତୁମକୁ ସୁଖୀ କରିପାରିବି ନାହିଁ ।’’ –ଉତ୍ତର ଦେଲେ ହ୍ୟାରିଏଟ୍ ।

 

ଶେଲୀ ଆଉ ଶୁଣିପାରିଲେ ନାହିଁ । ରାଗ ଓ ଅଭିମାନରେ ଜଳିଗଲେ । ଆଉ ତାଙ୍କ ମୁହଁକୁ ଚାହିଁପାରିଲେ ନାହିଁ ।

 

ଝିପିଝିପି ତୁଷାର ପଡ଼ୁଥାଏ । ସେ ବେଦନାବିଧୁର କେଳିକୁଞ୍ଜକୁ ତୁଚ୍ଛ କରି, ହ୍ୟାରିଏଟ୍‍ଙ୍କଠାରୁ ସବୁ ସମ୍ପର୍କ ତୁଟାଇ ଫେରିଆସିଲେ ।

 

ହ୍ୟାରିଏଟ୍‍ଙ୍କର ବିବାହ ସରିଛି ।

 

ଶେଲୀ ଭଗ୍ନହୃଦୟ ନେଇ ବିଶ୍ୱବିଦ୍ୟାଳକୁ ଫେରି ଆସିଛନ୍ତି ।

 

ଅଧ୍ୟୟନ–ଅଧ୍ୟାପନାରେ ମନ ଦେବେ !!!

 

ଚିତ୍ତ ଚଞ୍ଚଳ ।

 

ଅତୀତର ସ୍ଵାଦ ଖୋଜି ତିକ୍ତତାର ଆସ୍ଵାଦନରେ ଅସ୍ଥିର ହୋଇପଡ଼ନ୍ତି ।

 

ଅତୀତକୁ ବିଶ୍ଳେଷଣ କରି ମନ ବିଦ୍ରୋହ କରିଉଠେ । ସମାଜର ସମସ୍ତ ଚଳନ୍ତି ପରମ୍ପରାକୁ ଛିନ୍ନ କରିବାପାଇଁ ସଂସ୍କାରୀ ଶେଲୀ ଉତ୍ତେଜିତ ହୋଇଉଠନ୍ତି ।

 

“ନାସ୍ତିକତାର ପ୍ରୟୋଜନୀୟତା” ପାଣ୍ଡୁଲିପି ପ୍ରସ୍ତୁତ କଲେ ।

 

ବହି ଲେଖା ଶେଷ ହେଲା । ହେଲେ କୌଣସି ପ୍ରକାଶକଙ୍କ ଦ୍ଵାରସ୍ଥ ହେବାପାଇଁ ମନ ବଳିଲା ନାହିଁ । କାରଣ ସେ ଉପଲବ୍ଧି କରିଥିଲେ, କୁସଂସ୍କାରାଚ୍ଛନ୍ନ ସମାଜର ଦଲାଲ ଏହି ପ୍ରକାଶକଗଣ ! ବହି ଛାପିବେ ନାହିଁ ଏମାନେ, ଅଥଚ କୁତ୍ସାରଟନା କରି ବହି ଯେପରି ପ୍ରକାଶ ନ ପାଏ ସେଥିପାଇଁ ଷଡ଼ଯନ୍ତ୍ର କରିବେ ।

 

ନିଜ ପଇସାରେ ଛଦ୍ମନାମରେ ବହିଟି ପ୍ରକାଶ କଲେ । ଜଣେ ବହିବିକ୍ରେତା ପାଖରେ ସେଗୁଡ଼ିକ ବିକ୍ରିପାଇଁ ଜମା ଦେଲେ ।

 

ଅତି ଭାଗ୍ୟର କଥା–ଏ ବହିଟି ପ୍ରଥମେ କିଣିଲେ ଅକ୍‍ସଫୋର୍ଡ଼ ବିଶ୍ଵବିଦ୍ୟାଳୟର ଧର୍ମଯାଜକ ରେଭରେଣ୍ଡ ଜନ ଓଇକାର ।

 

ବହିରୁ କେତୋଟି ମାତ୍ର ପୃଷ୍ଠା ପଢ଼ି ରାଗରେ ଅଗ୍ନିଶର୍ମା ହୋଇଉଠିଲେ ।

 

ଚିଠି ଲେଖିଲେ ବହିବିକ୍ରେତାକୁ, “କିଏ ଏହି ଛଦ୍ମବେଶୀ ଲେଖକ ? ଅସଲ ନାମଟା କ’ଣ ? ତାଙ୍କର ପ୍ରକୃତ ପରିଚୟ, ଠିକଣା ଇତ୍ୟାଦି ।

 

ସେସବୁ ଖବର ନେଇ ଧର୍ମଯାଜକ ମହାଶୟ ବିଶ୍ଵବିଦ୍ୟାଳୟର ଡିନ୍‍ଙ୍କ ସହିତ ଦେଖା କଲେ ।

 

ତା’ପରେ ପରେ ଶେଲୀଙ୍କୁ ବିଶ୍ଵବିଦ୍ୟାଳୟରୁ ବହିଷ୍କାର କରାଗଲା ।

 

ଶେଲୀଙ୍କର ଗତି କିଛି ନଥିଲା, ଯିବେ କୁଆଡ଼େ ?

 

ଲଣ୍ଡନ ଗଲେ । ପୋଲାଣ୍ଡ ଷ୍ଟ୍ରିଟ୍‍ରେ ଶସ୍ତାରେ ଖଣ୍ଡେ ଘର ମିଳିଲା । ଘରକୁ କିଛି ପଇସାପାଇଁ ଚିଠି ଲେଖି ଅପେକ୍ଷା କରି ରହିଲେ ।

 

ଟଙ୍କା ଆସିଲା ନାହିଁ । ବାପାଙ୍କଠାରୁ ଖଣ୍ଡେ ଚିଠି ପାଇଲେ । ସେଥିରେ ଲେଖାଥିଲା–‘‘X X ତୁମପାଇଁ ମୁଁ ବିଶେଷ ଲଜ୍ଜିତ । ମୋର ଧର୍ମ ଧାରଣାପାଇଁ ମୁଁ ଗର୍ବ ଅନୁଭବ କରେ । ସେ ଧାରଣା ଉପରେ ଯେ କୁଠାରାଘାତ କରେ, ତା’ ସଙ୍ଗରେ ମୁଁ ସମ୍ପର୍କ ରଖିବି ନାହିଁ ।

 

ତୁମେ ନିମ୍ନୋକ୍ତ ତିନୋଟି ସର୍ତ୍ତ ପାଳନ କଲେ ଅର୍ଥ ସାହାଯ୍ୟ ଦେବି । (୧) ଶୀଘ୍ର ଘରକୁ ଫେରିଆସ । (୨) ହଗ୍‍ଙ୍କ ସହିତ ସବୁ ସମ୍ପର୍କ ତୁଟାଇଦିଅ । (୩) ମୁଁ ଯାହାଙ୍କ ତତ୍ତ୍ଵାବଧାନରେ ରଖିବି, ତାଙ୍କ କଥା ଅନୁସାରେ ଚଳିବ ।

 

ସର୍ତ୍ତଗୁଡ଼ିକ ଖୁବ୍ ସରଳ ଓ ସହଜ । ପୁଣି କହୁଛି–‘‘ଏଗୁଡ଼ିକ ଗ୍ରହଣ ନ କଲେ ମୋଠାରୁ କୌଣସି ସାହାଯ୍ୟ ଆଶା କରିବା ଅନ୍ୟାୟ ହେବ ।”

 

ଶେଲୀ ଓଲଟପାଲଟ କରି ସର୍ତ୍ତଗୁଡ଼ିକ ତନ୍ନତନ୍ନ କରି ବିଶ୍ଳେଷଣ କରି ଚିଠିର ଉତ୍ତର ଦେଲେ–

 

“X X X ମୋର ଭବିଷ୍ୟତ କର୍ମପନ୍ଥା ଓ ସ୍ଵାତନ୍ତ୍ର୍ୟ ଉପରେ ଆପଣଙ୍କର ବିଶ୍ଵାସ ନାହିଁ । ତେଣୁ ଦୁଃଖର ସହିତ ଜଣାଇଦେଉଛି, ଆପଣଙ୍କର କୌଣସି ସର୍ତ୍ତ ଗ୍ରହଣ କରିବା ମୋ ପକ୍ଷରେ ସମ୍ଭବପର ନୁହେଁ । X X X”

 

ଚିଠି ପାଇ ସାର୍‍ଟେମଥି ଲଣ୍ଡନ ଆସିଲେ ।

 

ବାପ ପୁଅକୁ ନିଜ ଆଡ଼କୁ ଟାଣିନେବା ପାଇଁ ବହୁ ଚେଷ୍ଟା କଲେ । କିନ୍ତୁ ସବୁ ବିଫଳ ହେଲା । ତରୁଣ କବି ଶେଲୀ ମଧ୍ୟ ବାପାଙ୍କୁ ନିଜ କଥା ବୁଝାଇଦେଲେ । ଫଳ କିଛି ହେଲା ନାହିଁ । ସାର୍‍ଟେମ୍‍ଥି ନିଜ ବିଶ୍ୱାସରେ ଅଟଳ ।

 

ସାର୍‍ଟେମ୍‍ଥି ମନଦୁଃଖରେ ଘରକୁ ଫେରିଗଲେ ।

 

କୌଣସି ଆର୍ଥିକ ସାହାଯ୍ୟ ଶେଲୀଙ୍କୁ ମିଳିଲା ନାହିଁ ।

 

ଅର୍ଥସଙ୍କଟ ମଧ୍ୟରେ ପଢ଼ାଶୁଣା କରିବାକୁ ସେ ଆରମ୍ଭ କଲେ । କବିତା ଲେଖୁଥାନ୍ତି । ମାତ୍ର ସେ କବିତାପାଇଁ କିଏ ପଇସା ଦେବ । ଧର୍ମଦ୍ରୋହୀର କବିତା ପଇସା ଦେଇ କିଏ କିଣିବ ? ସମାଜଦ୍ରୋହୀକୁ କିଏ ଚାକିରି ଦେବ ?

 

ଅନ୍ନଚିନ୍ତା ଚମତ୍କାର !

 

ତାଙ୍କର ଛୋଟ ଭଉଣୀମାନେ ମିସେସ୍ କେନିୟରଙ୍କ ଏକାଡ଼େମୀରେ ପଢ଼ାଶୁଣା କରୁଥିଲେ ।

 

ସେମାନେ ଭାଇର ହାତ ଖର୍ଚ୍ଚପାଇଁ ଟଙ୍କା ପଠାଇବାକୁ ଲାଗିଲେ । ସୁବିଧା ଦେଖି ଭଉଣୀମାନଙ୍କୁ ଦେଖିବାପାଇଁ ଏକାଡ଼େମୀକୁ ଶେଲୀ ଯିବା ଆସିବା କଲେ ।

 

କିଛିଦିନ ପରେ ମିଷ୍ଟର୍ ଟେମ୍‍ଥିଙ୍କ ପାଖରେ ଏହି ଖବର ପହଞ୍ଚିଗଲା ।

 

ସେ ମିସେସ୍ କେନିୟରଙ୍କ ପାଖକୁ ଚିଠି ଲେଖିଲେ ।–‘‘ମୋ ଝିଅମାନଙ୍କୁ ଶେଲୀଙ୍କୁ ଦେଖାସାକ୍ଷାତ୍ କରିବାକୁ ଅନୁମତି ଦିଅ ନାହିଁ ।’’

 

ଉପାୟ ନାହିଁ । ଶେଲୀ ଦେଖା କରିବାକୁ ଯାଇ ଅନୁମତି ନ ପାଇ ଫେରିଆସିଲେ ।

 

ଭଉଣୀମାନେ ଭାଇଙ୍କୁ ଆର୍ଥିକ ସାହାଯ୍ୟ କିପରି ଦେବେ ସେଥିପାଇଁ ବ୍ୟାକୁଳ ହୋଇଉଠିଲେ । ବାନ୍ଧବୀମାନଙ୍କ ଜରିଆରେ ଆର୍ଥିକ ସାହାଯ୍ୟ ଦେବାପାଇଁ ବ୍ୟବସ୍ଥା କଲେ ।

 

ଓୟେଷ୍ଟବ୍ରୁକ୍‍ଙ୍କର ଝିଅ ହ୍ୟାରିଏଟ୍ ଏଇ ଦାୟିତ୍ଵ ନେଲେ ।

 

ମିଷ୍ଟର୍ ଓୟେଷ୍ଟବ୍ରୁକ୍ ଅବସରପ୍ରାପ୍ତ ମିଲିଟାରୀ ଅଫିସର । ବିପତ୍ନୀକ । ଦୁଇଟି ଝିଅ । ବଡ଼ ଝିଅ ଏଲିଜା । ବିବାହ କରିବେ ନାହିଁ–ଶେଷ ନିଷ୍ପତ୍ତି ତାଙ୍କର । ମା’ ମଲା ପରେ ସେ ଆପାତତଃ ସଂସାରଚଳାନ୍ତି । ସାନ ଝିଅ ହ୍ୟାରିଏଟ୍, ମିସ୍ କେନିୟରଙ୍କ ଏକାଡ଼େମୀରେ ପଢ଼େ । ଭଲ ଶିକ୍ଷାଦୀକ୍ଷା ପାଇଲେ ଜଣେ ବଡ଼ଲୋକଙ୍କ ସହିତ ତା’ର ବାହାଘର କରିବେ ବୋଲି ଓୟେଷ୍ଟବ୍ରୁକ୍‍ଙ୍କର ବଡ଼ ଆଶା ।

 

ଘନଘନ ଦେଖାସାକ୍ଷାତ୍‍ରେ ହ୍ୟାରିଏଟ୍ ଶେଲୀଙ୍କୁ ମୁଗ୍ଧ କଲେ ।

 

ସେଦିନ ସନ୍ଧ୍ୟାରେ ଶେଲୀ ଅପେକ୍ଷା କରିଥିଲେ ।

 

ହ୍ୟାରିଏଟ୍ ଆସିଲେ ଆର୍ଥିକ ସାହାଯ୍ୟ ନେଇ ।

 

ଶେଲୀ ଆସନ ଗ୍ରହଣ କରିବାକୁ କହି ଭଉଣୀମାନଙ୍କୁ କୁଶଳ ସମ୍ବାଦ ପଚାରିଲେ ।

 

ବଣ ହରିଣୀ ପରି ଚଞ୍ଚଳ ହୋଇ ଉଠୁଥିଲେ ହ୍ୟାରିଏଟ୍ ।

 

“ମୋର ଭଉଣୀମାନଙ୍କର ଅନେକ ବାନ୍ଧବୀ ଅଛନ୍ତି । ହେଲେ ମୋପାଇଁ ତୁମେ ବହୁ କଷ୍ଟ ସହ୍ୟ କରୁଛ । ତେଣୁ ମୁଁ ଧନ୍ୟବାଦ ଦେଉଛି ।”

 

“ଧନ୍ୟବାଦ ନ ଦେଲେ କ’ଣ ଚଳିବ ନାହିଁ ?”

 

“ମୁଁ ତୁମକୁ ଭଲ ପାଇବସିଛି ।”–ଶେଲୀ କହିଲା ।

 

ହ୍ୟାରିଏଟ୍ ନିଜର ସଙ୍କୋଚ ଦୂର କରି ଥରିଲା ଗଳାରେ କହିଲା, “ମୁଁ...ମୁଁ ମଧ୍ୟ.... ।”

 

ଶେଲୀ ସନ୍ଧ୍ୟାର କମନୀୟତାକୁ ଆହୁରି କମନୀୟ କରିବାପାଇଁ ହ୍ୟାରିଏଟ୍‍ଙ୍କୁ ନିଜ ପାଖକୁ ଟାଣିନେଇ ଦୁଇ ହୃଦୟର ବାସନାକୁ ପରିତୃପ୍ତି କଲେ ।

 

ଦିନକୁଦିନ ଦୁହିଁଙ୍କର ଭଲ ପାଇବା ଘନିଷ୍ଠ ହୋଇଉଠିଲା ।

 

ହ୍ୟାରିଏଟ୍ ଶେଲୀଙ୍କୁ ଭଲ ପାଇବା କଥା ଭଉଣୀ ଏଲିଜାବେଥ୍‍ଙ୍କୁ ଜଣାଇଲେ ।

 

ସ୍କୁଲ୍‍ରେ ମଧ୍ୟ ସାଙ୍ଗସାଥୀମାନେ ଜାଣିଲେ ।

 

ଦିନେ ଶେଲୀଙ୍କ ପ୍ରେମ ଚିଠି ହ୍ୟାରିଏଟ୍‍ଙ୍କ ଖାତାରୁ ବନ୍ଧୁମାନେ ଉଦ୍ଧାର କଲେ ।

 

ମିସେସ୍ କେନିୟର ଖବର ପାଇ ନିଜ କୋଠରୀକୁ ହ୍ୟାରିଏଟ୍‍ଙ୍କୁ ଡକାଇନେଲେ । ଭର୍ତ୍ସନା କରି କହିଲେ, “ଜଣେ ଘୋର ନାସ୍ତିକକୁ ପ୍ରେମ କରିବା କେବଳ ଦୋଷାବହ ନୁହେଁ, ପାପ ମଧ୍ୟ । ତୁମ ପରି ଛାତ୍ରୀଙ୍କ ପାଇଁ ମୋତେ ପ୍ରାୟଶ୍ଚିତ୍ତ କରିବାକୁ ହେବ...ଛି, ଛି... !”

 

ଶେଲୀ ସବୁ କଥା ଶୁଣିଲେ । ଦୁନିଆ ଲୋକ କାହିଁକି ଯେ ତାଙ୍କୁ ଘୃଣା କରୁଛନ୍ତି, ସେ ବୁଝିପାରିଲେ ନାହିଁ ।

 

ଦିନେ ହ୍ୟାରିଏଟ୍‍ଙ୍କୁ ଡକାଇ ପଠାଇଲେ ଶେଲୀ । ଭୀତତ୍ରସ୍ତ ଭାବରେ ସେ ଆସି ଶେଲୀଙ୍କ ପାଖରେ ପହଞ୍ଚିଲେ । ଶେଲୀ ଅନାଇ ରହିଥିଲେ ତାଙ୍କର ହାବଭାବ ପ୍ରତି ।

 

“ଡରିଯାଇଛ, ନା ?”

 

“ନାଇଁ ତ... ?”

 

“ତୁମ ବାବା ଆଉ ଭଉଣୀ କ’ଣ କହୁଥିଲେ ?”

 

“ନା ।”

 

“ଆମର ବିବାହ ହୋଇଗଲେ କ’ଣ ହୁଅନ୍ତା ?”–ନୀରବ ରହିଲେ ହ୍ୟାରିଏଟ୍ ।

 

“ମୋର ଅବସ୍ଥା ଦେଖୁଛ ?”–ଶେଲୀ କହିଲେ ।

 

“ତା’ ଜାଣିବା ପରେ ମୁଁ ଆସିଛି ।”

 

“ଭାବପ୍ରବଣତାରେ ଭାସିଯାଅ ନାହିଁ । ଏପରି ଜଣେ ଦରିଦ୍ର ଅପଦାର୍ଥ ସାଙ୍ଗରେ ବିବାହ କରି ତୁମେ କ’ଣ ସୁଖୀ ହୋଇପାରିବ ?”

 

“ନିଜକୁ ସମର୍ପିଦେବା ପରେ ଫେରିଯିବାରେ ମୋର ଅଭିଳାଷ ନାହିଁ । ତୁମେ ମୁକ୍ତି ଦେଲେ ମଧ୍ୟ ମୁଁ ମୁକ୍ତି ଚାହେଁନା...”

 

ଶେଲୀଙ୍କ ହୃଦୟରେ ଦୁର୍ବାର ଆନନ୍ଦ । ବିବାହପାଇଁ ଅର୍ଥ ସଂଗ୍ରହ ନିମନ୍ତେ ସେ ବ୍ୟସ୍ତ ହୋଇଉଠିଲେ ।

 

ଏତିକିବେଳେ ତାଙ୍କ ମାମୁ ଫିଲପାର୍ଟ ଶେଲୀଙ୍କ ଆର୍ଥିକ ଅବସ୍ଥା ଶୁଣିପାରି ତାଙ୍କ ଘରକୁ ଡକାଇ ପଠାଇଲେ ।

 

ଫିଲପାର୍ଟ ଅବସରପ୍ରାପ୍ତ ସେନାପତି । ଆର୍ଥିକ ଅବସ୍ଥା ତାଙ୍କର ଖୁବ୍ ଭଲ ।

 

ମାମୁଙ୍କଠାରୁ ଚିଠି ପାଇ ଶେଲୀ ଆଶାୟୀ ହୋଇଉଠିଲେ ।

 

ଫିଲପାର୍ଟ ଡିଉକ୍ ଅଫ୍ ନରଫୋକଙ୍କୁ ଘଟଣାଟି ଜଣାଇଲେ ।

 

ଭିଣେଇଙ୍କ ଉପରେ ନିଜର ପ୍ରଭାବ ଓ ନରଫୋକଙ୍କ ଚାପ ଫଳରେ ଟେମ୍‍ଥି ବାର୍ଷିକ ଆର୍ଥିକ ସାହାଯ୍ୟ ଶେଲୀଙ୍କୁ ଦେବାପାଇଁ ବାଧ୍ୟ ହେଲେ ।

 

ଅନ୍ୟ ପକ୍ଷରେ ମିସେସ୍ କ୍ୟାନିଂ ଓୟେଷ୍ଟବ୍ରୁକ୍‍ଙ୍କୁ ବୁଝାଇଲେ । ଶେଲୀ ବ୍ୟାରଣଙ୍କ ପୁତ୍ର-। ଝିଅଙ୍କୁ ତାଙ୍କର ଆଦୌ ବିବାହ କରିବେ ନାହିଁ । ଭାବପ୍ରବଣତାରେ ଭାସିଯାଇ ସେ ଯେବେ ବିବାହ କରେ, ଭବିଷ୍ୟତ ଉଜ୍ଜ୍ୱଳ ହେବ ନାହିଁ । ଦିନେ ନା ଦିନେ ହତାଦର କରି ଘରୁ ବାହାର କରିଦେବ ।

 

ଓୟେଷ୍ଟବ୍ରୁକ୍ ଭାବିଲେ । ଏପରି ଘଟିଯାଉଥିବା ଘଟନା ପ୍ରତି ଦୃଷ୍ଟିଫେରାଇ ହତାଶ ହେଲେ ।

 

ବଡ଼ ଝିଅ ବିବାହ କଲା ନାହିଁ । ସାନ ଝିଅ ଯେବେ ଜୀବନରେ ହତାଶ ହୁଏ...ଆଉ ଭାବିପାରିଲେ ନାହିଁ ଓୟେଷ୍ଟବ୍ରୁକ୍ । ଝିଅକୁ ସ୍କୁଲ୍‍ ଯିବା ବନ୍ଦ କରିଦେଲେ ଓ ଜଣେ ଧର୍ମଯାଜକଙ୍କ ତତ୍ତ୍ୱାବଧାନରେ ରଖିଲେ ।

 

ଲଣ୍ଡନରୁ ଫେରି ଶେଲୀ ହ୍ୟାରିଏଟ୍‍ଙ୍କୁ ଦେଖିବାକୁ ଗଲେ । କିନ୍ତୁ ତାଙ୍କୁ ଅନୁମତି ମିଳିଲା ନାହିଁ ।

 

ଆଶ୍ଚର୍ଯ୍ୟ ଭାବରେ ମନଦୁଃଖରେ ଶେଲୀ ନିଜ ବସାକୁ ଫେରିଗଲେ ।

 

ହ୍ୟାରିଏଟ୍ ଗୋପନରେ ସମସ୍ତ କଥା ଲେଖି ଶେଲୀଙ୍କି ଜଣାଇଦେଲେ ।

 

ନଦୀ କ’ଣ ସମୁଦ୍ର ପାଖରେ ବାଧା ମାନି ରହିପାରେ ?

 

ତାହାହିଁ ହେଲା । ଦିନେ ସନ୍ଧ୍ୟାରେ ହ୍ୟାରିଏଟ୍ ଘରୁ ପଳାଇ ଆସିଲେ ଶେଲୀଙ୍କ ପାଖକୁ-

 

ଶେଲୀ ଆଶାତୀତ ଆନନ୍ଦରେ ବିସ୍ମିତ ହୋଇପଡ଼ିଲେ ।

 

କାଳ ବିଳମ୍ବ ନ କରି ହ୍ୟାରିଏଟ୍‍ଙ୍କୁ ସଙ୍ଗରେ ନେଇ ଏଡ଼ିନ୍‍ବରାକୁ ପଳାଇଗଲେ ।

 

ନିରାଡ଼ମ୍ବର ଭାବରେ ବାହାଘର ହେଲା, ଦାମ୍ପତ୍ୟ ଜୀବନର ସୋମରସ ଆକଣ୍ଠ ପାନକରି ଶେଲୀ ଆଉ ହ୍ୟାରିଏଟ୍ ସବୁ ଭୁଲିଗଲେ ।

 

ଶେଲୀ କବିତା ଲେଖନ୍ତି ।

 

ପତ୍ନୀଙ୍କ ପାଖରେ ଆବୃତ୍ତି କରନ୍ତି ।

 

ଓୟେଷ୍ଟବ୍ରୁକ୍‍ଙ୍କ ପାଖରେ ସମ୍ବାଦ ପହଞ୍ଚିଲା । ସେ ବଡ଼ଝିଅ ଏଲିଜା ଉପରେ ରାଗ ତମତମ ହୋଇ ସାନ ଝିଅର ଅପକର୍ମ ପାଇଁ ଅଭିଶାପ ଦେଲେ ।

 

ଏଲିଜାବେଥ୍ ସାନ ଭଉଣୀର ଚିଠି ପାଇ ବାବାଙ୍କୁ ସାନ୍ତ୍ଵନା ଦେଲା । ସେମାନେ ସୁଖରେ ଅଛନ୍ତି । ତାହାହିଁ ସମସ୍ତଙ୍କର କାମ୍ୟ ।

 

ଓୟେଷ୍ଟବ୍ରୁକ୍‍ଙ୍କ ରାଗ ଥମିଗଲା । ଏଲିଜାବେଥ୍ ସେମାନଙ୍କୁ ସଙ୍ଖୁଳି ଆସିବାପାଇଁ ସେ ପଠାଇଲେ ।

 

ଏଲିଜାବେଥ୍‍ଙ୍କୁ ପାଇ କବି–ପତ୍ନୀ ଅଧୀର ହୋଇପଡ଼ିଲେ ।

 

କିଛିଦିନ ପରେ ଶେଲୀ, ଶେଲୀ–ପତ୍ନୀ ଓ ଏଲିଜାବେଥ୍ ଲେକ୍ ସହର ବୁଲି ଦେଖିବାକୁ ଗଲେ ।

 

ମିଷ୍ଟର୍ ଟେମ୍‍ଥି ଟଙ୍କା ପଠାଉଥିଲେ । ତେଣୁ ଅର୍ଥଚିନ୍ତା ଶେଲୀଙ୍କର ନଥିଲା ।

 

ମହାଆନନ୍ଦରେ ଶେଲୀ ପରିବାର ବିଶ୍ଵବିଖ୍ୟାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଦିନଗୁଡ଼ିକ ପାଣି ପରି ବୋହିଗଲା ।

 

ଉନ୍ନତ–ପ୍ରେମିକ ଶେଲୀ ପ୍ରକୃତିର ସୌନ୍ଦର୍ଯ୍ୟ ଲୁଣ୍ଠନ କରି ପ୍ରେୟସୀର ପଣତତଳେ ଆତ୍ମଗୋପନ କରନ୍ତି ।

 

ପ୍ରଣୟ–ପ୍ରବାହରେ ହଜିଗଲେ ନବଦମ୍ପତି ।

 

ଅମିତବ୍ୟୟିତା ପାଇଁ ଭୟଙ୍କର ଅର୍ଥାଭାବ ଘଟିଲା ।

 

ଏଲିଜା ଓ ହ୍ୟାରିଏଟ୍ କବିଙ୍କୁ ଚେତାଇଦେଲେ ।

 

ନରଫୋକ୍‍ଙ୍କ ପାଖକୁ ଚିଠି ଲେଖିଲେ ଶେଲୀ ।

 

ଚିଠି ପାଇ ନରଫୋକ୍ ନିମନ୍ତ୍ରଣ ପଠାଇ ସେମାନଙ୍କୁ ଆଦରରେ ପାଛୋଟିନେଲେ ।

 

ଡିଉକ୍ ମଧୁ–ଭର୍ତ୍ସନା କରି ମିଷ୍ଟର୍ ଟେମ୍‍ଥିଙ୍କୁ ପୁଣି ଚିଠି ଲେଖିଲେ । ଅନୁରୋଧ କଲେ, ନିୟମିତ ଭାବରେ ଆବଶ୍ୟକ ପରିମାଣର ଆର୍ଥିକ ସାହାଯ୍ୟ ଶେଲୀଙ୍କୁ ଦେବାପାଇଁ ।

 

ନରଫୋକଙ୍କ ରାଜବାଟୀରେ କିଛିଦିନ କଟାଇବା ପରେ ସେମାନେ ଲଣ୍ଡନ ଫେରିଆସିଲେ ।

 

ରାଜଧାନୀରେ ପହଞ୍ଚି ଶେଲୀ ଗଡ଼୍‍ଉଇନ୍‍ଙ୍କ ସମ୍ବାଦ ନେଲେ ।

 

ଗଡ଼୍‍ଉଇନ୍‍ଙ୍କୁ ଗୁରୁ ବୋଲି ସମ୍ମାନ ଦେଖାଇ ଶେଲୀ ଗୁରୁଙ୍କ ସୁଖ–ଦୁଃଖରେ ଭାଗୀ ହେବାପାଇଁ ବ୍ୟାକୁଳ ହୋଇଉଠିଲେ ।

 

ଗଡ଼୍‍ଉଇନ୍‍ଙ୍କ ରଚିତା “ପଲିଟିକାଲ୍ ଜଷ୍ଟିସ୍” ବହି ସେତେବେଳେ ଦେଶରେ ଚହଳ ପକାଇଥିଲା ।

 

କ୍ୟାବିନେଟ୍‍ର ପ୍ରତ୍ୟେକ ମନ୍ତ୍ରୀ ଗଡ଼୍‍ଉଇନ୍‍ଙ୍କୁ ସମାଜଦ୍ରୋହୀ ରଚନାପାଇଁ ଜେଲକୁ ପଠାଇବା ନା ନଜରବନ୍ଦୀରେ ରଖିବା ନିମନ୍ତେ ଦାବି କରୁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ପିଟ୍ ଗଡ଼୍‍ଉଇନ୍‍ଙ୍କୁ ଏପରି ଭାବରେ ଶାସ୍ତି ଦେବାକୁ ଇଚ୍ଛା କଲେ ନାହିଁ ।

 

ତାଙ୍କର ମତ–ଗଡ଼୍‍ଉଇନ୍‍ଙ୍କୁ ଜେଲ ପଠାଇଲେ ବା ବହିକୁ ବାଜ୍ୟାପ୍ତି କରିଦେଲେ ଗଡ଼୍‍ଉଇନ୍ ଜିତିଯିବେ । ସାଧାରଣ ଭାବରେ ବହିଟିକୁ ରାଜକୀୟ ଦୃଷ୍ଟି ନ ଫେରାଇ ଅବହେଳା କରିବା ଉଚିତ ।”

 

ଗଡ଼୍‍ଉଇନ୍ ଦୁଇ ଥର ବିବାହ କରିଥିଲେ ।

 

ତାଙ୍କର ଆର୍ଥିକ ଅବସ୍ଥା ଭାରି ଖରାପ । ଗୋଠେ ଛୁଆ ।

 

ଅନାଟନ ସତ୍ତ୍ଵେ ତିନି ଝିଅ ମେରି, ଜେନି, ଫ୍ୟାନିଙ୍କୁ ଉଚ୍ଚଶିକ୍ଷା ଦେବାପାଇଁ ସେ ଆପ୍ରାଣ ଚେଷ୍ଟା କରୁଥିଲେ ।

 

ଏତିକିବେଳେ ବ୍ୟାରଣପୁତ୍ର ଶେଲୀଙ୍କୁ ଶିଷ୍ୟରୂପେ ପାଇ ସାତିଶୟ ଆନନ୍ଦିତ ହେଲେ ।

 

ଗୁରୁ–ଶିଷ୍ୟ ଦୁନିଆର କୁସଂସ୍କାର ଦୂର କରିବାପାଇଁ ବିଭିନ୍ନ ସମସ୍ୟା ନେଇ ଚିନ୍ତା କଲେ ।

 

ଆୟାର୍‍ଲାଣ୍ଡରେ ମୁକ୍ତି ସଂଗ୍ରାମ ମୁଣ୍ଡ ଟେକିଥାଏ । ଆଇରିସବାସୀ ଇଂଲଣ୍ଡର ଶୋଷଣରୁ ମୁକ୍ତ ହେବାପାଇଁ ବିକଳ୍ପ ପନ୍ଥା ସ୍ଥିର କରୁଥାନ୍ତି ।

 

କାଳବିଳମ୍ବ ନ କରି ସେମାନଙ୍କୁ ସାହାଯ୍ୟ କରିବାପାଇଁ ଆଉ କୁସଂସ୍କାରପୂର୍ଣ୍ଣ ଆୟାର୍‍ଲାଣ୍ଡବାସୀଙ୍କୁ ସଂସ୍କାରପ୍ରେମୀ କରିବାପାଇଁ ଶେଲୀ ପରିବାର ସହିତ ଆୟାର୍‍ଲାଣ୍ଡ ଗଲେ ।

 

ଆଇରିସ୍‍ବାସୀ ମଦ୍ୟପାନର ଅର୍ଥ–ଶକ୍ତି ଅପଚୟ କରି ସର୍ବସ୍ଵାନ୍ତ ହୋଇ ପଡ଼ୁଥିଲେ ।

 

“ମଦ ସେମାନେ ଛାଡ଼ିଦେଲେ ଆୟାର୍‍ଲାଣ୍ଡ ନିଶ୍ଚୟ ସ୍ଵାଧୀନ ହେବ ।”

 

ଶେଲୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବତ୍କୃତା ଦେଲେ ।

 

କିନ୍ତୁ ମଦ୍ୟପମାନେ ତାଙ୍କୁ ବିଦ୍ରୂପ କଲେ । ତାଙ୍କ ଉପରକୁ ପଚା ଅଣ୍ଡା, ଟମାଟୋ ପକାଇ ଅସମ୍ମାନ କଲେ ।

 

ଆୟାର୍‍ଲାଣ୍ଡର ଆଇ.ଜି. ଶୁଣିଲେ, ଇଂଲଣ୍ଡର ଜଣେ ବ୍ୟାରଣ ପୁତ୍ର ଆସି ଆଇରିସ୍‍ବାସୀଙ୍କୁ ପରାମର୍ଶ ଦେଉଛି–‘‘ମଦ ଛାଡ଼ିଦିଅ, ସ୍ଵାଧୀନ ହେବ ।”

 

ପ୍ରାଣଭରି ହସିଲେ ଆଇ.ଜି. ସାହେବ ।

 

ଶେଲୀ ବାରମ୍ବାର ଅପଦସ୍ଥ ହୋଇ ଥକିପଡ଼ିଲେ ।

 

“ଯେଉଁମାନଙ୍କ ପାଇଁ ସେ ଚୋରୀ କରିବାକୁ ଆସିଛନ୍ତି, ସେମାନେ ତାଙ୍କୁ ଚୋର ବୋଲି କହୁଛନ୍ତି ।”

 

ହ୍ୟାରିଏଟ୍ ଭାରି ବିରକ୍ତ ହେଲେ ।

 

ସେ ଆୟାର୍‍ଲାଣ୍ଡ ଆସିଥିଲେ, ମନ ଆନନ୍ଦରେ ସ୍ଵାମୀଙ୍କ ସହିତ ବୁଲିବେ । ପ୍ରାଣଭରି ଉପଭୋଗ କରିବେ ।

 

କିନ୍ତୁ ଭାଗ୍ୟ ଅନ୍ୟ ଦିଗରେ ଚଳାଇଲା । ସେ ଜିଦ୍ ଧରିଲେ, “ଚାଲ, ଲଣ୍ଡନ ଚାଲିଯିବା-।”

 

ଶେଷରେ ସେମାନେ ଲଣ୍ଡନ ଫେରିଆସିଲେ ।

 

ଶେଲୀ ଲଣ୍ଡନରେ ପହଞ୍ଚି ଗଡ଼୍‍ଉଇନ୍‍ଙ୍କୁ ଦେଖା କରିବାକୁ ଗଲେ ।

 

ତାଙ୍କ ପୁଅ, ଝିଅ ଘରେ ଥିଲେ । ବଡ଼ ଝିଅ ମେରି କେବଳ ସ୍କଟଲାଣ୍ଡରେ ଥିଲା ।

 

ଗଡ଼୍‍ଉଇନ୍ ନିଜ ପିଲାମାନଙ୍କ ସାଙ୍ଗରେ ଶେଲୀଙ୍କର ପରିଚୟ କରାଇଦେଲେ ।

 

କବି ପତ୍ନୀଙ୍କ ଫଟୋ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ, “କେତେ ସୁନ୍ଦର ଦେଖ ଶେଲୀ ! ସ୍ଵର୍ଗୀୟ ହସ ଲାଗିରହିଛି ଓଠରେ...”

 

“ଗରିବ ହୋଇ ଜନ୍ମ ହେବା ଅଭିଶାପ ନୁହେଁ ଶେଲୀ, ନିଶ୍ଚେଷ୍ଟ ହୋଇ ଦରିଦ୍ର ହେବା ପାପ । କୁସଂସ୍କାରଲିପ୍ତ ବ୍ରଜିୟାଙ୍କ ସାଙ୍ଗରେ ତାଳ ନ ଦେଇପାରି ହାରିଗଲି । ହାରିଗଲି...”

 

ଅଶ୍ରୁସିକ୍ତ ହୋଇଗଲା ନୟନଯୁଗଳ ।

 

ଶେଲୀ ଗୁରୁ ଗଡ଼୍‍ଉଇନ୍‍ଙ୍କ ଆର୍ଥିକ ଦୁରବସ୍ଥା ପାଇଁ ଚିନ୍ତିତ ହୋଇପଡ଼ିଲେ... ।

 

ଗଡ଼୍‍ଉଇନ୍‍ଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସଂକଳ୍ପ କଲେ ଶେଲୀ ।

 

ଅଧିକାଂଶ ସମୟ ଶେଲୀ ଗଡ଼୍‍ଉଇନ୍‍ଙ୍କ ପାଖରେ କଟାଇବାକୁ ଲାଗିଲେ ।

 

ଆଲୋଚନା କରନ୍ତି, କବିତା ଲେଖନ୍ତି ।

 

ଘରକୁ ଫେରିବାକୁ ବହୁତ ରାତି ହୋଇଯାଏ ।

 

ଘରେ ଅଶାନ୍ତିର ନିଆଁ ଜଳେ ।

 

ଏଲିଜା ଭଉଣୀକୁ ବୁଝାଇ ଦେଇଛି–‘‘ଅଭାବ ଅସୁବିଧାରେ ଜୀବନକୁ ଝାସ ଦେବାର କୌଣସି ଅର୍ଥ ନାହିଁ । ନିଜେ ଟାଣ ହେଲେ, ସବୁ ହାତମୁଠାକୁ ଚାଲିଆସିବ । ସ୍ଵାମୀଙ୍କୁ ହାତମୁଠାରେ ନ ରଖିଲେ ନାରୀଜନ୍ମ ବ୍ୟର୍ଥ ।”

 

ଶେଲୀଙ୍କ ସାଙ୍ଗରେ ହ୍ୟାରିଏଟ୍‍ଙ୍କ ଜୀବନ–ସୁଆଦର ଅର୍ଥ ଭିନ୍ନ ହୋଇଉଠିଲା ।

 

ସ୍ତ୍ରୀ–ସୁହାଗିନୀ ଶେଲୀ ସ୍ତ୍ରୀଙ୍କର ପ୍ରୀତିଭାଜନ ହୋଇପାରିଲେ ନାହିଁ । ସବୁବେଳେ ହ୍ୟାରିଏଟ୍ ଶେଲୀଙ୍କୁ ଅପମାନ ଦେଲେ । ଦୂରରେ ରହିବାକୁ ଚେଷ୍ଟା କଲେ ।

 

ପଇସାପତ୍ର ଅଭାବପାଇଁ ସ୍ତ୍ରୀ ବିମନା ହୋଇଛି ।

 

ଧାର କରଜ ଆଣି ଟଙ୍କା ଦିଅନ୍ତି, କିନ୍ତୁ ପାରିବାରିକ ଶାନ୍ତି ଫେରେନା ।

 

ଗୋଟିଏ ମାତ୍ର ଝିଅ । ଶେଲୀ ଛୁଆଟିକୁ କୋଳରେ ଧରି ଶାନ୍ତି ପାଇବାକୁ ଚେଷ୍ଟା କରନ୍ତି । ପଦ୍ୟ ରଚନା କରି ଗାଆନ୍ତି ।

 

ଏସବୁ ଏଲିଜା ଆଉ ହ୍ୟାରିଏଟ୍‍ଙ୍କୁ ଭଲ ଲଗେନା ।

 

ଜବରଦସ୍ତି ହ୍ୟାରିଏଟ୍ ଝିଅକୁ ଶେଲୀଙ୍କ କୋଳରୁ ନେଇ ଯାଆନ୍ତି ।

 

ଶୂନ୍ୟ ଓ ବ୍ୟାକୁଳ ଭାବରେ ଶେଲୀ ପତ୍ନୀଙ୍କ ଆଡ଼େ ଚାହାନ୍ତି । କି ବ୍ୟର୍ଥତାପୂର୍ଣ୍ଣ ସେ ଆଖି !

 

ସେ ଧନୀ ନଥିଲେ । ବିବାହ ପୂର୍ବରୁ ଏହା ଭଲଭାବରେ ହ୍ୟାରିଏଟ୍‍ଙ୍କୁ ବୁଝାଇ ଦେଇଥିଲେ । ତା’ ସତ୍ତ୍ୱେ ବିବାହ କରି, ଗୋଟିଏ ସନ୍ତାନର ଜନନୀ ହୋଇ ଏପରି ମତିଗତି କ’ଣ-?

 

ପାରିବାରିକ ଅଶାନ୍ତିରେ ଶେଲୀ ଭାଙ୍ଗିପଡ଼ିଲେ । ଅନ୍ୟ ପକ୍ଷରେ ହ୍ୟାରିଏଟ୍ ମିଲିଟାରୀ ଅଫିସର ମେଜର ରିୟାନଙ୍କ ସଙ୍ଗେ ବନ୍ଧୁତା ଜମାଇ ବସୁଥିଲେ ।

 

ଏଲିଜାବେଥ୍ ମଧ୍ୟ ସେମାନଙ୍କ ସାଙ୍ଗରେ ଯୋଗ ଦେଇ ବନ୍ଧୁତା ଯେପରି ସୁଦୃଢ଼ ହେବ, ସେଥିପାଇଁ ଉଦ୍ୟମ କରୁଥିଲେ ।

 

ଶେଲୀଙ୍କୁ ଖାତିର ନ କରି ହ୍ୟାରିଏଟ୍ ରିୟାନ୍‍ଙ୍କ ହାତ ଧରି ରାସ୍ତାକୁ ବାହାରି ପଡ଼ନ୍ତି । ନାଇଟ୍ କ୍ଲବ୍, ଡିନର, ଥିଏଟର, କେତେ କଥା ।

 

ଭ୍ରୂକ୍ଷେପ ନାହିଁ । ଅନୁଶୋଚନା ନାହିଁ । ଭୟ ନାହିଁ ।

 

ମୁକ୍ତ ବିହଙ୍ଗ ପରି ରିୟାନଙ୍କ ସାଙ୍ଗରେ ହ୍ୟାରିଏଟ୍ ଘୂରି ବୁଲିଲେ ।

 

କ୍ଷତ–ବିକ୍ଷତ ଶେଲୀ ନିର୍ବାକ୍ ହୋଇ ସବୁ ଦେଖିଗଲେ ।

 

କିଛିଦିନ ପରେ ହ୍ୟାରିଏଟ୍ ଆଉ ଘରକୁ ଫେରିଲେ ନାହିଁ ।

 

ସ୍ତ୍ରୀକୁ ଫେରାଇ ଆଣିବାପାଇଁ ଶେଲୀ ଧାଇଁଗଲେ । କେତେ ଅନୁନୟ ବିନୟ କରି କହିଲେ ।

 

ହ୍ୟାରିଏଟ୍ କିଛି ଶୁଣିଲେ ନାହିଁ । ମନା କରିଦେଲେ–ସେ ଆଉ ଘରକୁ ଫେରିବେ ନାହିଁ-

 

ଭଗ୍ନହୃଦୟ ନେଇ ଶେଲୀ ଫେରିଲେ । କବି ଶୂନ୍ୟଗୃହରେ ଉଦ୍ଭ୍ରାନ୍ତ ପରି ଜୀବନ କଟାଇଲେ ।

 

ଗଡ଼୍‍ଉଇନ୍ ଏ ଖବର ଶୁଣି ଡକାଇ ପଠାଇଲେ । ସାନ୍ତ୍ଵନା ଦେଲେ ।

 

ତାଙ୍କ ଝିଅ ଜେନି, ଫ୍ୟାନି ଶେଲୀଙ୍କ ସାଙ୍ଗରେ ମିଶାମିଶି କରିବାକୁ ଆପ୍ରାଣ ଉଦ୍ୟମ କଲେ ।

 

ହେଲେ ନାରୀ ଜାତି ପ୍ରତି ତାଙ୍କର ଅଶ୍ରଦ୍ଧା ମିଳାମିଶା କରିବା ପଥରେ ଅନ୍ତରାୟ ହେଲା-

 

ଗଡ଼୍‍ଉଇନ୍ ଅନେକ ସମୟରେ ମେରିର ପ୍ରଶଂସା କରନ୍ତି କଥା କଥାରେ ତା’ର ଉଦାହରଣ ।

 

ଜେନି ମଧ୍ୟ ବଡ଼ଭଉଣୀର ବହୁ ପ୍ରଶଂସା କରେ ।

 

ସ୍କଟ୍‍ଲାଣ୍ଡରୁ ଛୁଟିରେ ଆସିଥିଲେ ମେରି । ତାଙ୍କ ସାଙ୍ଗରେ ଶେଲୀଙ୍କର ଆଳାପ ପରିଚୟ ହେଲା ।

 

ନାରୀ ଜାତି ପ୍ରତି ଘୃଣା, ଅସହିଷ୍ଣୁତା ମେରିଙ୍କୁ ଦେଖିବା ପରେ ଦୂର ହୋଇଗଲା ।

 

ମେରି ତାଙ୍କୁ ଖୁବ୍ ଭଲ ଲାଗିଲା ।

 

ଘରେ ଥିଲାବେଳେ ମେରି ପ୍ରତ୍ୟହ ମାଆଙ୍କ କବରରେ ସନ୍ଧ୍ୟା ଦୀପ ଜଳାନ୍ତି । କବର ଉପରେ ଫୁଲ ଦିଅନ୍ତି ।

 

ଦିନେ ଶେଲୀ ମେରିଙ୍କ ସାଙ୍ଗରେ କବର ଦେଖିବାକୁ ଗଲେ । ମେରି ସନ୍ଧ୍ୟା ଦୀପ ଜଳାଇ ଘରକୁ ଫେରିଲାବେଳେ ଶେଲୀଙ୍କ ଅନୁରୋଧରେ ତାଙ୍କ ସାଙ୍ଗରେ ପାର୍କ୍‍କୁ ଗଲେ ।

 

“ନାରୀ ମାତ୍ରେ ଘୃଣା କରୁଥିଲି । ହେଲେ ତୁମକୁ ଦେଖିବା ପରେ ମୋର ସେ ଘୃଣାଭାବ କୁଆଡ଼େ ଉଭେଇ ଯାଇଛି ।”

 

“ଏତେ ମମତା...‘‘–କୃତଜ୍ଞତାରେ ମୁଣ୍ଡ ନଇଁଗଲା ମେରିର ।

 

“ମୋତେ ତୁମେ ଗ୍ରହଣ କରିବ ?”–ଶେଲୀ କହିଲେ ।

 

“ଲଜ୍ଜା ଦିଅନ୍ତୁ ନାହିଁ”–ମେରି କହିଲେ ।

 

ମୁଁ ଅଶାନ୍ତ ଗ୍ରହର ଶିକାର ହୋଇଉଠିଛି ମେରି । ନିଭୃତରେ ଟିକେ ମୋତେ ଶାନ୍ତି ଦେଇପାରିବ ?”

 

ବିସ୍ଫାରିତ ନେତ୍ରରେ ମେରି କେବଳ ଶେଲୀଙ୍କ ମୁହଁକୁ ଚାହିଁ ରହିଲେ ।

 

“ମୁଁ ବିବାହିତା । ମୋର ସ୍ତ୍ରୀ ବଞ୍ଚିଛି । ହେଲେ–ତୁମପାଇଁ ମୁଁ ପ୍ରଲୁବ୍‍ଧ...।”

 

ବାଧା ଦେଇ ମେରି କହିଲେ–‘‘ବନ୍ଦ କରନ୍ତୁ । ଆପଣଙ୍କ କରୁଣ ଦାମ୍ପତ୍ୟ ଇତିହାସ ମୋତେ ଜଣାନ୍ତୁନି । ମୁଁ ସବୁ ଶୁଣିଛି । ସବୁ ଜାଣିଛି ।”

 

ମେରିର ଦୁଇ ହାତକୁ ନିଜର ହାତରେ ରଖି ଉତ୍ତେଜିତ ଭାବରେ ଶେଲୀ କହିଲେ–‘‘ହ୍ୟାରିଏଟ୍‍କୁ ଖୁବ୍ ଭଲ ପାଉଥିଲି । କିନ୍ତୁ ମୋର ଭଲ ପାଇବାଟା ସେ ଟଙ୍କାପଇସା ନିକିତିରେ ମାପିବାକୁ ବସିଲା ।”

 

“ସେ କଥା ତୁମେ ଜାଣିବା ଉଚିତ ।”

 

ମେରି କବିଙ୍କ ଆଲିଙ୍ଗନରେ ଧରା ଦେଲା । ଅନୁକମ୍ପା ସ୍ଵରରେ କହିଲା–“ମୁଁ ତମକୁ ଭଲ ପାଇଛି । ମୋର ଏହାହିଁ ଯଥେଷ୍ଟ ।”

 

ହ୍ୟାରିଏଟ୍ ସାଙ୍ଗରେ ଶେଷ ନିଷ୍ପତ୍ତି କରିବାକୁ ଚାହିଁଥିଲେ ଶେଲୀ ।

 

ମେରିଙ୍କୁ ବିବାହ କରିବାପାଇଁ ଆଇନ ଅନୁମତି ଦେଲା । ସେଥିପାଇଁ ହ୍ୟାରିଏଟ୍‍ଙ୍କୁ ଆସିବାପାଇଁ ଶେଲୀ ଅନୁରୋଧ କଲେ ।

 

ଗର୍ଭବତୀ ହ୍ୟାରିଏଟ୍ ଶେଲୀଙ୍କ ସାଙ୍ଗରେ ଗୋଟିଏ ନିଷ୍ପତ୍ତି କରିବାକୁ ଆସିଲେ ।

 

ଶେଲୀ ତାଙ୍କୁ ଦେଖି ଘୃଣାରେ ଜଳିଗଲେ । ମେରି ପାଖରେ ଥିଲେ । ହ୍ୟାରିଏଟ୍‍ଙ୍କୁ ବସିବାକୁ ଅନୁରୋଧ କଲେ ମେରି ।

 

“ହୃଦୟର ସମ୍ପର୍କ ତୁଟିଯାଇଛି । ଆଉ ଆଇନର ବୋଟି ଲଦି ହୋଇ ଲାଭ ନାହିଁ । ତୁମେ ତୁମ ବାଟରେ ଗଲ, ମୋ ବାଟରେ ମୋତେ ଯିବାକୁ ବାରଣ କରିବା ଅନ୍ୟାୟ... ।”

 

ମେରିଙ୍କୁ ଦେଖି ହ୍ୟାରିଏଟ୍ ମଧ୍ୟ ଈର୍ଷାରେ ଜଳୁଥିଲେ ।

 

ଛାଡ଼ପତ୍ର ଦେବାପାଇଁ ସେ ଅନୁମତି ଦେଲେ ନାହିଁ । ପରନ୍ତୁ ବାର୍ଷିକ ପେନ୍‍ସନ୍ ଦେଲେ ଅନ୍ୟତ୍ର ବିବାହପାଇଁ ଶେଲୀଙ୍କୁ ଅନୁମତି ଦେବେ ।

 

ଶେଷରେ ଶେଲୀ ଏ ପ୍ରସ୍ତାବରେ ରାଜି ହେଲେ ।

 

ଗଡ଼୍‍ଉଇନ୍ ଶେଲୀଙ୍କ ସମ୍ପର୍କରେ ହତାଶ ହୋଇଥିଲେ । ବ୍ୟାରଣଙ୍କ ପୁଅ । ପ୍ରଚୁର ଟଙ୍କାପଇସା ଅଛି । ସାହାଯ୍ୟ କରିବା । ତେଣୁ ମେରି ସାଙ୍ଗରେ ଶେଲୀଙ୍କର ମିଳାମିଶା ପାଇଁ ପ୍ରତିବନ୍ଧକ ହୋଇ ନଥିଲେ । ଅର୍ଥାଗମର କୌଣସି ଲକ୍ଷଣ ନ ଦେଖି ସେ ବିରକ୍ତ ହେଲେ ।

 

ମେରି ସାଙ୍ଗରେ ଶେଲୀଙ୍କର ମିଳାମିଶା ପାଇଁ ବାସନ୍ଦ କଲେ ।

 

ମେରି ବାପାଙ୍କ ନିର୍ମମ ଆଦେଶରୁ ନିଜକୁ ବଞ୍ଚାଇବା ପାଇଁ ଶେଲୀଙ୍କ ସାଙ୍ଗରେ ପଳାଇଗଲେ । ଜେନି ମଧ୍ୟ ସେମାନଙ୍କ ସାଙ୍ଗରେ ପଳାଇଲା ।

 

୧୮୧୪ ମସିହା ମଧ୍ୟଭାଗରେ ଶେଲୀ ମେରି ଓ ଜେନିଙ୍କୁ ନେଇ ପ୍ୟାରିସରେ ପହଞ୍ଚିଲେ ।

 

ହୋଟେଲରେ ଦିନଗୁଡ଼ିକ ସୁଖରେ କଟିଗଲା ।

 

ଶେଲୀ ସୁଇଜରଲାଣ୍ଡକୁ ଯିବାପାଇଁ ପୋଗ୍ରାମ କଲେ ।

 

ସେତେବେଳକୁ ମେରି ଓ ଜେନି ଦୁହେଁ ଶେଲୀଙ୍କୁ ଭଲ ପାଇବାପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।

 

ଅଳ୍ପଦିନ ପରେ ତାଙ୍କର ଆର୍ଥିକ ଦୁରବସ୍ଥା ଖୁବ୍ ଉତ୍କଟ ହୋଇଉଠିଲା ।

 

ତାଙ୍କର ପ୍ରତି ରକ୍ତକଣିକାରେ ଯାଯାବର ସହଜାତ ପ୍ରକୃତି ବଞ୍ଚି ରହିଥିଲା । ତେଣୁ ଆର୍ଥିକ ଅବସ୍ଥାକୁ ଭ୍ରୂକ୍ଷେପ ନ କରି ମେରି ଓ ଜେନିଙ୍କୁ ନେଇ ସେ ସୁଇଜରଲାଣ୍ଡ ଗଲେ ।

 

ସୁଇଜରଲାଣ୍ଡରେ ଅଳ୍ପ ଦିନ ରହି ଇଂଲଣ୍ଡ ଫେରିଗଲେ ।

 

ଲଣ୍ଡନର ଗୋଟିଏ ଅଖ୍ୟାତ ପଲ୍ଲୀରେ ବଡ଼ କଷ୍ଟରେ ସମୟ କଟାଇଲେ ।

 

ଅଭାବ–ଅନାଟନ ତାଙ୍କୁ ବାଧି ନଥିଲା, କାରଣ ମେରିର ନିର୍ମଳ ପ୍ରେମରେ ସେ ବୁଡ଼ି ରହୁଥିଲେ ।

 

ଜେନିର ତୀବ୍ର ଦୁର୍ବଳତା ଶେଲୀଙ୍କୁ ସଚେତ କରି ରଖିଥିଲା ।

 

ମେରି କିନ୍ତୁ ଭଉଣୀଙ୍କୁ ବାଧିବ ବୋଲି ନିଜ ମନକଥା ଲୁଚାଇ ରଖିବାପାଇଁ ସଚେଷ୍ଟ ଥିଲେ ।

 

ଏକବର୍ଷ କାଳ ଅର୍ଥାଭାବ ପରେ ଶେଲୀ ଖବର ପାଇଲେ ଯେ ତାଙ୍କର ଜଣେ ଆତ୍ମୀୟ ତାଙ୍କୁ ଅଠର ହଜାର ପାଉଣ୍ଡର ସମ୍ପତ୍ତି ଦାନ କରିଛନ୍ତି । ଆହୁରି ମଧ୍ୟ ତାଙ୍କ ଅଜା ମଲାବେଳେ ତାଙ୍କ ବାପଙ୍କୁ ଦୁଇ ଲକ୍ଷ ପାଉଣ୍ଡର ସମ୍ପତ୍ତି ଦେଇ ଯାଇଛନ୍ତି । ସେ ସମ୍ପତ୍ତିରୁ ଶେଲୀ ଅଶୀ ହଜାର ପାଉଣ୍ଡ ମୂଲ୍ୟର ସମ୍ପତ୍ତି ପାଇବେ ।

 

ଶେଲୀ ସାସେକ୍‍ସ ଗଲେ ।

 

ତାଙ୍କୁ ଘରେ ପ୍ରବେଶ କରିବାକୁ ବୃଦ୍ଧ ଟେମ୍‍ଥି ଅନୁମତି ଦେଲେ ନାହିଁ । ବାପାଙ୍କ ସାଙ୍ଗରେ ଦେଖା କରିବା ମଧ୍ୟ ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ ।

 

ଜଣେ ଓକିଲ ବନ୍ଧୁଙ୍କ ଜରିଆରେ ଶେଲୀ ତାଙ୍କ ଅଠର ହଜାର ପାଉଣ୍ଡର ସମ୍ପତ୍ତି ମିଷ୍ଟର୍ ଟେମ୍‍ଥିଙ୍କୁ ବିକ୍ରି କଲେ ।

 

ପୈତୃକ ସମ୍ପତ୍ତିରୁ ବାର୍ଷିକ ହଜାର ପାଉଣ୍ଡ ପାଉଣା ପାଇବା ସ୍ଥିର ହେଲା ।

 

ଦରିଦ୍ର କବିଙ୍କର ଅନ୍ନ–ଚିନ୍ତା ରହିଲା ନାହିଁ ।

 

ଏହି ଅର୍ଥରେ ସୁଖରେ ବଞ୍ଚିପାରିବେ ।

 

ଲଣ୍ଡନରେ ଆଉ ଶେଲୀଙ୍କ ମନ ଲାଗିଲା ନାହିଁ ।

 

ମେରି ଓ ଜେନିଙ୍କୁ ନେଇ ସେ ଇଟାଲୀ ଚାଲିଗଲେ ।

 

ପ୍ୟାରିସ୍‍ରେ ଶେଲୀଙ୍କର ପରିଚୟ ହେଲା ବାୟରଣଙ୍କ ସହିତ । ନାରୀ–ଲୋଲୁପ ବାୟୁରଣ ଇଂଲଣ୍ଡରୁ ଏକପ୍ରକାର ନିର୍ବାସିତ ହୋଇ ଏଠାକୁ ପଳାଇ ଆସିଥିଲେ । ହାୟରେ ଦୁର୍ଭାଗ୍ୟ-! ବାୟରଣ ହାତରୁ ଜେନି ନିସ୍ତାର ପାଇଲା ନାହିଁ । ସେ ଗର୍ଭବତୀ ହେଲା ।

 

ଶେଲୀ ଜେନିଭାରୁ ଲଣ୍ଡନ ଫେରିଲେ । ଲଣ୍ଡନ ନ ଯାଇ ବାଥି ସହରରେ ଘରଭଡ଼ା ନେଲେ । ଦିନ ପନ୍ଦରଟା ମେରି ଓ ଶେଲୀଙ୍କର ଅତ୍ୟନ୍ତ ଆନନ୍ଦରେ କଟିଲା । ଏହା ମଧ୍ୟରେ ତାଙ୍କର ଗୋଟିଏ ପୁଅ ହୋଇଛି । ହଠାତ୍ ଏଠାରେ ସମ୍ବାଦ ପାଇଲେ ଯେ ହ୍ୟାରିଏଟ୍ ସର୍ପେଣ୍ଟାଇନା ନଦୀକୁ ଡେଇଁପଡ଼ି ଆତ୍ମହତ୍ୟା କରିଛି ।

 

ଶେଲୀଙ୍କ ମନ ବିଷଣ୍ଣ ହୋଇଉଠିଲା ।

 

ଅନେକ ଦିନର ସ୍ମୃତି ତାଙ୍କୁ ଅସ୍ଥିର କଲା । ଦୁଇ ଦିନ ଦୁଇ ରାତି କାହାକୁ କିଛି କହିଲେ ନାହିଁ । ଗୁମ୍‍ମାରି ବସିଲେ ।

 

ତା’ପରେ ସେଣ୍ଟ୍ ମିଲଗ୍ରେଡ଼୍‍ ଗିର୍ଜାରେ ନିରାଡ଼ମ୍ବର ଭାବରେ ମେରିଙ୍କୁ ବିବାହ କଲେ ।

 

ଇଂଲଣ୍ଡରେ ଆଉ ଭଲ ଲାଗିଲା ନାହିଁ । ଇଟାଲୀ ତାଙ୍କୁ ହାତ ଠାରି ଡାକିଲା ।

 

ତାଙ୍କର ଏଇଟା ଶେଷ ଯାତ୍ରା ।

 

ଇଂଲଣ୍ଡକୁ ସେ ଆଉ ଫେରି ନାହାନ୍ତି । ଭେନିସରେ ବାୟରଣଙ୍କ ସହିତ ପୁଣି ଦେଖା ହେଲା ।

 

ଦୁଇ ବନ୍ଧୁ ଅତୀତର ଘଟଣାକୁ ଭୁଲିଗଲେ ।

 

ଗାଢ଼ ବନ୍ଧୁତାର ବନ୍ଧନରେ ଆବଦ୍ଧ ହେଲେ ।

 

ଭେନିସ୍‍ରେ ଶେଲୀଙ୍କ ଦିନ ଆନନ୍ଦରେ କଟିବାକୁ ଲାଗିଲା ।

 

ମେରିଙ୍କର ପ୍ରେରଣାରେ ସେ ଅବିରାମ ଲେଖିଚାଲିଲେ ।

 

ଶେଲୀ ସୁଖୀ । ମେରି ସୁଖୀ ।

 

ସୁଖ ଦିନଗୁଡ଼ିକ ଭଗବାନ ସହିପାରିଲେ ନାହିଁ ।

 

ଦିନେ ଶେଲୀ ନୌକାରେ ନଦୀ ପାର ହେଉଥିଲେ ।

 

ମେରି ସ୍ଵାମୀଙ୍କୁ ପାଛୋଟି ନେବାପାଇଁ ସେଇ ନଦୀକୂଳରେ ଅପେକ୍ଷା କରିଥିଲେ ।

 

ନୌକାଟି ହଠତ୍ ଘୂର୍ଣ୍ଣିବାୟୁରେ ପଡ଼ି ବୁଡ଼ିଗଲା ।

 

ମେରିଙ୍କ ଆଖି ଭୟରେ ବୁଜି ହୋଇଗଲା ।

 

ଆଖିପିଛୁଳାକେ ଜଳମଗ୍ନ ହୋଇଗଲେ ଯାଯାବର ପ୍ରେମିକ ଶେଲୀ ।

 

ଇଂରେଜୀ ସାହିତ୍ୟ ତାଙ୍କ ଅକାଳ ମୃତ୍ୟୁରେ ଯାହା ପାଇବାକୁ ଆଶା କରିଥିଲା, ପାଇଲା ନାହିଁ ।

 

କବି ବାୟରଣ ତାଙ୍କର ପ୍ରୟାଣରେ ଦିଗହରା ହୋଇ ପଡ଼ିଥିଲେ ।

☆☆☆

 

ବିଶ୍ଵସ୍ତ ପ୍ରେମିକ ରବର୍ଟ ବ୍ରାଉନିଂ

 

ସୋଫାରେ ପଡ଼ିରହି ଏଲିଜାବେଥ୍ କବିତା ଲେଖିବାରେ ମଗ୍ନ ଥିଲେ । କିଏ ଆସୁଛି, ଯାଉଛି ସେଥିପ୍ରତି ଦୃଷ୍ଟି ନଥିଲା ।

 

ଏଲିଜାବେଥ୍‍ଙ୍କ ଛୋଟ ଭଉଣୀ ହେନେରୀ ତାଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ପରଦା ଆଡ଼େଇ ଦୁଇ ତିନି ଥର ଉଙ୍କି ମାରିଲେଣି ।

 

କିନ୍ତୁ ଏଲିଜାବେଥ୍‍ଙ୍କର ଧ୍ୟାନଭଗ୍ନ ହୋଇନି ।

 

ନିରାଶ ହୋଇ ହେନେରୀ ଶେଷ ଥରପାଇଁ ପରଦା ଆଡ଼େଇ ଆସି ତାଙ୍କ ପାଖରେ ଛିଡ଼ା ହେଲେ । ତଥାପି ଏଲିଜାବେଥ୍‍ଙ୍କର ସେ ଦିଗକୁ ଦୃଷ୍ଟି ନାହିଁ ।

 

ଫେରି ଯାଉଥିଲେ ହେନେରୀ ।

 

ଏଲିଜାବେଥ୍‍ଙ୍କର ଧ୍ୟାନ ଭାଙ୍ଗି ଯାଇଥିଲା–ଡାକିଲେ, “ହେନେରୀ !”

 

ହେନେରୀ ଫେରିଯାଇ ସୋଫାକୁ ଲାଗି ଛିଡ଼ା ହେଲେ ।

 

ଏଲିଜାବେଥ୍ ସାନ ଭଉଣୀ ମୁହଁରେ ଫୁଟି ଉଠିଥିବା ଭାବତରଙ୍ଗ ପ୍ରତି ଅନାଇ ରହିଲେ-। ପରେ ପରେ ତାଙ୍କ ପାଖରେ ବସିବାପାଇଁ ଇଙ୍ଗିତ ଦେଲେ ।

 

ହେନେରୀ ଅପା ପାଖରେ ସଂକୋଚରେ ବସିରହିଲେ । କ’ଣ କହିବେ କହିବେ ବୋଲି ଭାବୁଥାନ୍ତି, ମାତ୍ର କିଛି ନକହିବାରୁ ଏଲିଜାବେଥ୍ ଭଉଣୀର ମନକଥା ଜାଣିବାପାଇଁ ବାରବାର ପ୍ରଶ୍ନ କଲେ ।

 

“କ’ଣ କହିବାକୁ ଚାହୁଁଛୁ, କହୁନୁ କାହିଁକି ?”

 

“ଭୁଲ୍ କି ଠିକ୍ କରିଛି ଜାଣିନି ଅପା !”

 

“ପୁରାକଥାଟା କହିଲେ ସିନା ଜାଣିବି !” ଏଲିଜା କହିଲେ ।

 

“ମୋର ଏନ୍‍ଗେଜ୍‍ମେଣ୍ଟ୍ ଠିକ୍ କରିନେଇଛି । ତରୁଣ, ବିଦ୍ଵାନ, ସୁଶ୍ରୀ, ସମ୍ଭ୍ରାନ୍ତବଂଶୀୟ...ସେ ।”

 

“ଭଲ କରିଛୁ । ସଂକୋଚ କରୁଛୁ କାହିଁକି ?”

 

“କିନ୍ତୁ ବାବା ଅନୁମତି ଦେଲେ ସିନା ହେବ !” ହେନେରୀ କାକୁତିମିଶା ଗଳାରେ କହିଲେ ।

 

ବାବାଙ୍କର ଅନୁମତି କଥା ହେନେରୀ ଉତ୍ଥାପନ କରିବା ସଙ୍ଗେ ସଙ୍ଗେ ଏଲିଜାବେଥ୍‍ଙ୍କର ମୁଖମଣ୍ଡଳ ବିଷଣ୍ଣ ହୋଇଗଲା ।

 

ଏଲିଜାଙ୍କ ବାପା ଏଡ଼ୱାର୍ଡ଼ ବ୍ୟାରେଟ୍ ଏକ ଅଦ୍ଭୁତ ଲୋକ । ପରିବାରଟି ତାଙ୍କ ହୁକୁମ ଉପରେ ଚଳିବାକୁ ବାଧ୍ୟ । ପୁଅ–ଝିଅ ବିବାହ କରନ୍ତୁ, ସେ ମୋଟେ ଚାହାନ୍ତି ନାହିଁ । ସେମାନଙ୍କ ମଧ୍ୟରୁ କିଏ ବିବାହ କରିବ, ଏ କଥା ପ୍ରକାଶ କଲେ ଘରେ ମହାପ୍ରଳୟ ଘଟିଯିବ ।

 

ଅଦ୍ଭୁତ ଖିଆଲ, ବିଚିତ୍ର ସ୍ଵଭାବ ଏଡ଼ୱାର୍ଡ଼ ବ୍ୟାରେଟ୍‍ଙ୍କର ।

 

ତାଙ୍କ ଇଚ୍ଛା ବିରୋଧରେ ଯେବେ କିଏ କିଛି କରନ୍ତି ବା କହନ୍ତି, ହିତାହିତ ଜ୍ଞାନ ହରାଇ ଭୟଙ୍କର ଭାବରେ ସେ ପୁଅ–ଝିଅଙ୍କୁ ପ୍ରହାର କରନ୍ତି ।

 

ଖୁବ୍ ଅବସ୍ଥାସମ୍ପନ୍ନ ଲୋକ ସେ । ଧନୀ କହିଲେ ଚଳେ ।

 

ଏଗାରଟି ପୁଅ ଝିଅ ତାଙ୍କର । ସ୍ତ୍ରୀ ନିକଟରେ ମରିଯାଇଛନ୍ତି ।

 

ସ୍ତ୍ରୀ ମରିଗଲା ପରେ ଛୁଆମାନଙ୍କର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ମିଷ୍ଟର୍ ବ୍ୟାରେଟ୍‍ଙ୍କର କଡ଼ା ପ୍ରକୃତି ଆହୁରି ତୀବ୍ର ହୋଇଉଠିଛି ।

 

ସ୍ତ୍ରୀ ମଲାପରେ ଜାମାଇକାରେ ଥିବା ତାଙ୍କର ଚିନିକଳରେ ଗୋଳମାଳ ଘଟିଛି ।

 

ଚିନିକଳରେ ନିଗ୍ରୋ କ୍ରୀତଦାସମାନଙ୍କୁ ସେ ଗୋରୁପରି ଖଟାଉଥିଲେ, ହଠାତ୍ କ୍ରୀତଦାସପ୍ରଥା ଲୋପ ପାଇଗଲା । ଆଇନ ପାସ୍ ହେବାପରେ କ୍ରୀତଦାସ ରଖିବାର ସାହସ ରହିଲା ନାହିଁ ତାଙ୍କର ।

 

ବ୍ୟବସାୟ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେଲା ।

 

ବିବ୍ରତ ହୋଇପଡ଼ିଲେ ମିଷ୍ଟର୍ ବ୍ୟାରେଟ୍ । ସ୍ତ୍ରୀ ମଲା । କ୍ରୀତଦାସମାନେ ଗଲେ, ରହିଲେ କେବଳ ପାଖରେ ପୁତ୍ର କନ୍ୟା । ତାଙ୍କରି ଉପରେ କ୍ଷମତା ଜାହିର କରି ସେ ନିଜ ପ୍ରକୃତି ମେଣ୍ଟାଉଥିଲେ ।

 

ତାଙ୍କର କଡ଼ା ଆଦେଶ ପୁତ୍ର–କନ୍ୟାଙ୍କୁ ଶୁଣାଇଦେଲେ । ବିବାହ ତ ଦୂରର କଥା, କେହି ଯେବେ ପ୍ରେମରେ ପଡ଼ନ୍ତି, ସେ ବରଦାସ୍ତ କରିପାରିବେ ନାହିଁ, ନିଜ ହାତରେ ଶାସ୍ତିବିଧାନ କରିବେ-

 

ରକ୍ଷଣଶୀଳ ଭିକ୍ଟୋରିଆନ୍ ଯୁଗରେ ସାମନ୍ତ ବୋଲାଉଥିବା ଫିଉଡ଼ାଲମାନଙ୍କର ଥିଲା ଏହି ରୀତି ।

 

ତେଣୁ ଏଲିଜା ଭଉଣୀର ପ୍ରେମ ଓ ବିବାହ କଥା ଶୁଣି ପ୍ରଥମେ ଯେଉଁ ଆନନ୍ଦ ପ୍ରକାଶ କରିଥିଲେ, ବାବାଙ୍କ ନିଷ୍ପତ୍ତି କଥା ସାଙ୍ଗରେ ତଉଲି ପ୍ରଥମେ ଡରିଗଲେ ।

 

ହେନେରୀ ଅନୁନୟ ସ୍ଵରରେ କହିଲେ, “ଅପା ! ତୁ ବାପାଙ୍କ ପାଖରେ ପ୍ରସ୍ତାବଟା ପକାଇଲେ, ହୁଏତ ସେ ଭଲ ମନରେ ଥିଲେ ସହାନୁଭୂତିଶୀଳ ହୋଇପାରନ୍ତି ।”

 

“ଚେଷ୍ଟା କରିବି, ଫଳ ଭଗବାନଙ୍କ ହାତରେ...’’ କହୁ କହୁ ଏଲିଜା ବହୁ କଷ୍ଟରେ ଉଠି ଭରା ଦେଇ ଛିଡ଼ା ହେଲେ ।

 

ଏଲିଜାବେଥ୍ ପିଲାଦିନେ ଘୋଡ଼ାରୁ ପଡ଼ି ଭୟଙ୍କର ଆଘାତ ପାଇଥିଲେ । ତାଙ୍କର ଗୋଟିଏ ରକ୍ତବାହୀ ଶିରା ଛିଣ୍ଡିଯିବା ଫଳରେ ସେ ଆଂଶିକ ଭାବରେ ପଙ୍ଗୁ ହୋଇ ଯାଇଥିଲେ ।

 

ନିଜର ଦେହଭାର ସମ୍ଭାଳି ସମ୍ଭାଳି ବାପାଙ୍କୁ ଦେଖା କରିବାପାଇଁ ଆଗେଇ ଯାଉଥିଲେ । ମନରେ ଭୟ । ଏଣେ ଭଉଣୀର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କରୁଣ ପ୍ରାର୍ଥନା ।

 

ପରିବାରରେ ବାପା କିୟତ୍ ପରିମାଣରେ ଏଲିଜାବେଥ୍‍ଙ୍କ ପ୍ରତି ସଦୟ ଥାଆନ୍ତି ।

 

ନିଷ୍ଠୁରମନା ବ୍ୟାରେଟ୍ ଏଲିଜାବେଥ୍‍ଙ୍କ ଉପରେ ସଦୟ ହେବାର ଦୁଇଟି କାରଣ ଥିଲା-

 

ଏଲିଜାବେଥ୍ ପଙ୍ଗୁ । ସେ କାହାରି ପ୍ରେମରେ ପଡ଼ିପାରିବେ ନାହିଁ କି ବିବାହ ପ୍ରସ୍ତାବ ଆଣି ତାଙ୍କୁ ବ୍ୟସ୍ତ କରିବାର ସମ୍ଭାବନା ନାହିଁ । ଦ୍ଵିତୀୟ କାରଣ ହେଲା, ଏଲିଜାବେଥ୍ କବିତା ଲେଖେ । ସେ କବିତାଗୁଡ଼ିକ ପତ୍ରପତ୍ରିକାରେ ପ୍ରକାଶ ପାଏ । ଗୋଟିଏ କବିତା ସଂକଳନ ଛାପା ହୋଇ ସରିଛି । କବିତା ଲେଖି ପଙ୍ଗୁ ଏଲିଜାବେଥ୍ ନାମ କରିଛି ।

 

ଏଲିଜାବେଥ୍‍ଙ୍କୁ ଦେଖିବାକ୍ଷଣି ବ୍ୟାରେଟ୍ ସ୍ନେହମିଶା ସ୍ଵରରେ ଡାକିଲେ, “ମାଆ ! ଆସ୍ତେ ଆସ୍ତେ ଆ–”

 

ଏଲିଜାବେଥ୍ ବାପାଙ୍କ ପାଖରେ ବସିପଡ଼ିଲେ । କଥାଟା ବାଗେଇ ବାଗେଇ ଉତ୍ଥାପନ କଲେ ।

 

ହେନେରୀ ବିବାହ କରିବାପାଇଁ ପ୍ରେମ କରିସାରିଛି, କଥା ଦେଇସାରିଛି ଶୁଣି ଏଡ଼ୱାର୍ଡ ବ୍ୟାରେଟ୍‍ ଏକାବେଳକେ ଅଗ୍ନିଶର୍ମା ହୋଇଗଲେ ।

 

ହେନେରୀକୁ ଡକାଇ ପଠାଇ ଭୟଙ୍କର ଭାବରେ ଗାଳି ଦେଲେ । ପ୍ରହାର କରି ନାହାନ୍ତି ରକ୍ଷା !

 

ଶେଷରେ ଭୁଲ କରିଛି ବୋଲି ଅନୁତାପ କଲେ ।

 

ନତଜାନୁ ହୋଇ କ୍ଷମା ଭିକ୍ଷା କଲେ । ଜୀବନରେ ଆଉ ଏମିତି ଭୁଲ କରିବେ ନାହିଁ ବୋଲି ଭଗବାନଙ୍କ ନାମରେ ଶପଥ ନେଲେ ।

 

ଏଲିଜାଙ୍କ ଦେହ ଥରୁଥାଏ । କାହିଁକି ସେ ହେନେରୀର ଅନୁରୋଧରେ ବାପାଙ୍କୁ ଯାଇ କହିଲେ ? ଭଉଣୀର ବା କେଉଁ ଉପକାର ହେଲା ?

 

ମନସ୍ତାପରେ ନିଜ ବୈଠକଖାନାକୁ ଫେରିଆସିଲେ ।

 

ଏ ପରିବେଶରେ ଅଶାନ୍ତି–ଅସନ୍ତୋଷପୂର୍ଣ୍ଣ ହୃଦୟରେ କି କବିତା ଲେଖିବେ ସେ ?

 

ତଥାପି ତାଙ୍କର “ଦି କ୍ରାଏ ଅଫ୍ ଦି ଚିଲଡ଼୍ରେନ୍” ବିଶ୍ଵବିଖ୍ୟାତ କବିତା ପ୍ରକାଶ ପାଇସାରିଥିଲା ।

 

ଘରକୁ ଫେରି ଟେବୁଲ ଉପରେ ତାଙ୍କ ନାମରେ ଖଣ୍ଡେ ଚିଠି ଥୁଆ ହୋଇଥିବାର ଦେଖିଲେ ।

 

ମଝିରେ ମଝିରେ ତାଙ୍କ ନାମରେ ଅନେକ ଚିଠି ଆସେ । ତାଙ୍କ କବିତାକୁ ପ୍ରଶଂସା କରି କିଏ କିଏ ଲେଖିଥାନ୍ତି । କବିତାର ଧର୍ମ କେହି କେହି ପସନ୍ଦ କରିଥାନ୍ତି, ଇତ୍ୟାଦି ଇତ୍ୟାଦି–।

 

ଅନ୍ୟମନସ୍କ ଭାବରେ ଲଫାଫାଟି ଟେବୁଲ ଉପରୁ ଉଠାଇ ବାରବାର ପରୀକ୍ଷା କରୁ କରୁ ଚିଠିଟି ଖୋଲିଲେ ।

 

ଚିଠିଟି ଖୋଲିବାମାତ୍ରେ ଆନନ୍ଦରେ ମନ ଭରିଉଠିଲା ।

 

ଲେଖାଥିଲା–

 

ପ୍ରିୟ କୁମାରୀ ବ୍ୟାରେଟ୍ !

 

ଆପଣଙ୍କର କବିତା ମୁଁ ପ୍ରାଣର ସହିତ ପଢ଼ିଛି ।

 

ଆପଣ ପ୍ରାୟ ଜାଣନ୍ତି ନାହିଁ–ଥରେ ଆପଣଙ୍କୁ ଦେଖା କରିବାକୁ ମୁଁ ଆପ୍ରାଣ ଚେଷ୍ଟା କରିଥିଲି । ଆପଣଙ୍କ ଆତ୍ମୀୟ ମିଷ୍ଟର୍ କେନିୟାନ୍ ମୋତେ ନେଇ ଦେଖା କରାଇଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମୁଁ ଅପେକ୍ଷା କରି ରହିଥିଲି କିନ୍ତୁ, ସେ ଫେରିଆସି ଜଣାଇଲେ ଯେ ଆପଣ ଅସୁସ୍ଥ ଅଛନ୍ତି ।

 

ମନର ବ୍ୟଗ୍ରତା ନେଇ ଦେଖା କରିବାକୁ ଅପେକ୍ଷା କରି ବସି ବସି ଏମିତି ଭାବରେ ହତାଶ ହୋଇ ଆପଣଙ୍କର ଖୁବ୍ ନିକଟକୁ ଯାଇ ଦେଖା ନ ପାଇ ଫେରିଲି ।

 

ଖୁବ୍ ଦୂରରୁ ଯାଇ ଦେଖା କରି ନ ପାରି ଫେରିଲି ।

 

ଭଗବାନଙ୍କ ଉଦ୍ଦେଶ୍ୟ କେବଳ ତାଙ୍କୁହିଁ ଜଣା । ଆଶା ନେଇ ନିରାଶା ହୋଇ ଫେରିଲି-

 

ନମସ୍କାର ଗ୍ରହଣ କରିବେ ।

 

ଆପଣଙ୍କର

ରବର୍ଟ ବ୍ରାଉନିଂ

 

ରବର୍ଟ ବ୍ରାଉନିଂଙ୍କ ପରି ଲବ୍ଧପ୍ରତିଷ୍ଠିତ କବି ନିଜ ହାତରେ ତାଙ୍କୁ ଚିଠି ଲେଖିଛନ୍ତି । ଆତ୍ମହରା ହୋଇଉଠିଲେ ଏଲିଜାବେଥ୍ । ବାରବାର ଆତ୍ମହରା ହୋଇ ସେ ଚିଠିଟି ପଢ଼ିଲେ ।

 

ସଙ୍ଗେ ସଙ୍ଗେ ଉତ୍ତର ଲେଖିବସିଲେ ।

 

ଦୁଇ କବିଙ୍କ ମଧ୍ୟରେ ପତ୍ରର ଆଦାନ–ପ୍ରଦାନ ନିୟମିତ ଭାବରେ ଚାଲିଲା ।

 

ରବର୍ଟ ବ୍ରାଉନିଂଙ୍କ ବାପା ଗୋଟିଏ ବ୍ୟାଙ୍କ୍‍ରେ କାମ କରୁଥିଲେ । ସାହିତ୍ୟ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧା ଥିଲା ।

 

ରବର୍ଟଙ୍କର ପିଲାଦିନୁ କବିତା ଲେଖିବାର ଖୁବ୍ ଝୁଙ୍କ ଥିଲା ।

 

କବିତା ଲେଖିବାପାଇଁ ତାଙ୍କର ଅନ୍ୟାନ୍ୟ ଗୁରୁଜନମାନେ ଉତ୍ସାହ ଦେଉ ନଥିଲେ । କିନ୍ତୁ ତାଙ୍କ ବାପା ସେ କବି ହୁଅନ୍ତୁ ବୋଲି ସବୁବେଳେ ଉତ୍ସାହିତ କରୁଥିଲେ ।

 

ରବର୍ଟ ବିଭିନ୍ନ ଭାଷା ଶିଖିବାପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ ।

 

ସେ କୌଣସି ସ୍କୁଲ୍‍ କଲେଜରେ ପାଠ ପଢ଼ି ନାହାନ୍ତି; କିନ୍ତୁ ଘରୋଇ ଭାବରେ ଅନେକ ଭାଷାରେ ସୁପଣ୍ଡିତ ହୋଇଥିଲେ ।

 

ଏଲିଜାବେଥ୍‍ଙ୍କୁ ରବର୍ଟ ଯେତେବେଳେ ଚିଠି ଲେଖାଲେଖି ଆରମ୍ଭ କଲେ, ତାଙ୍କର ବୟସ ଥିଲା ଅଣଚାଳିଶ; ରବର୍ଟଙ୍କର ବୟସ ତିରିଶ ।

 

ରବର୍ଟ ଯୁବକ । ଏଲିଜାବେଥ୍ ପ୍ରୌଢ଼ା ।

 

ଚିଠିପତ୍ର ଆଦାନ–ପ୍ରଦାନ ପରେ ରବର୍ଟ ଏଲିଜାବେଥ୍‍ଙ୍କୁ ଦେଖା କରିବାପାଇଁ ଚିଠି ଲେଖିଲେ ।

 

କିନ୍ତୁ ଏଲିଜା ବିଭିନ୍ନ ଆଳ ନେଇ ବସନ୍ତ ଋତୁରେ ଦେଖାସାକ୍ଷାତ୍ କରିବାପାଇଁ ପ୍ରୋଗ୍ରାମ ଦେଲେ ।

 

ବସନ୍ତ ଋତୁର ଠିକ୍ ପୂର୍ବରୁ ଏଲିଜାବେଥ୍‍ଙ୍କୁ ରବର୍ଟ ଚିଠି ଲେଖିଲେ ସମୟ, ଦିନ ଠିକ୍ କରି ପ୍ରୋଗ୍ରାମ ଦେବାପାଇଁ ।

 

ଏଲିଜାବେଥ୍ ଅଡ଼ୁଆରେ ପଡ଼ିଲେ ।

 

ବୟସରେ ରବର୍ଟଙ୍କଠାରୁ ସେ ୫।୬ ବର୍ଷ ବଡ଼ । ପଙ୍ଗୁ ସେ–ପୁଣି ବିଗତଯୌବନା ।

 

ରବର୍ଟ ବ୍ରାଉନିଂ ତାଙ୍କୁ ନେଇ ଯେଉଁ କଳ୍ପନା କରୁଛନ୍ତି, ଦେଖାସାକ୍ଷାତ୍ ହେଲାପରେ ନୈରାଶ୍ୟରେ ଜର୍ଜରିତ ହୋଇ ଫେରିବେ ।

 

ଏହି ଚିନ୍ତା ରବର୍ଟଙ୍କ ସାଙ୍ଗରେ ଦେଖାସାକ୍ଷାତ୍ କରିବାପାଇଁ ବାରବାର ବାଧା ସୃଷ୍ଟି କରୁଥିଲା ।

 

ଦ୍ଵିତୀୟରେ ଏଲିଜାବେଥ୍ ଭୟ କରୁଥିଲେ–ମିଷ୍ଟର୍ ବ୍ୟାରେଟ୍ ଆତିଥ୍ୟକୁ ସହାନୁଭୂତିଶୀଳ ଭାବରେ ଗ୍ରହଣ କରି ନ ପାରନ୍ତି ।

 

କବିଙ୍କୁ ସାଧାରଣ କଥାରେ ଅପମାନିତ କରିବା ତାଙ୍କ ପକ୍ଷରେ କିଛି ବିଚିତ୍ର ନୁହେଁ ।

 

ଏଲିଜାବେଥ୍ ଅବଶ୍ୟ ରବର୍ଟଙ୍କୁ ଥରେ ଦେଖିବାପାଇଁ ଅଧୀର ହୋଇ ଉଠିଥିଲେ । ଅନେକ ଭାବିଚିନ୍ତି ବାପାଙ୍କୁ ରବର୍ଟ ବ୍ରାଉନିଂଙ୍କ ଆସିବା କଥା ଜଣାଇଲେ ।

 

ମିଷ୍ଟର୍ ବ୍ୟାରେଟ୍ ଭଲ ମିଜାଜରେ ଥିଲେ । ଏହି ସୁଯୋଗରେ ଏଲିଜାବେଥ୍ ବ୍ୟାରେଟ୍‍ଙ୍କୁ ରବର୍ଟଙ୍କର ଆସିବା କଥା କହିଲେ ।

 

“ରବର୍ଟ ବ୍ରାଉନିଂ କିଏ ସେ ?”

 

“ଆମ ଦେଶର ଜଣେ ପ୍ରସିଦ୍ଧ କବି ।”

 

“କବି ?”

 

“ଆପଣ ତାଙ୍କର କବିତା ପଢ଼ିଛନ୍ତି, ମନେ ନାହିଁ ? ଅଳ୍ପ ବୟସରେ ଆମ ଦେଶର ଜଣେ ପ୍ରସିଦ୍ଧ କବି ହୋଇ ଉଠିଛନ୍ତି ।”

 

“ହଁ ହଁ, ସେମିତି ଗୋଟିଏ ନାମ ମନେ ପଡ଼ୁଛି । ହଉ ଆସନ୍ତୁ”–ବ୍ୟାରେଟ୍ ସମର୍ଥନ ଜଣାଇଲେ ।

 

ଏଲିଜାବେଥ୍ ଗଡ଼ ଜିଣିଲା ପରି ବିଜୟ ଉଲ୍ଲାସରେ ନିଜର ବୈଠକଖାନା ରୁମ୍‍କୁ ଫେରିଆସିଲେ । ବ୍ରାଉନିଂଙ୍କୁ ସଙ୍ଗେ ସଙ୍ଗେ ଚିଠି ଲେଖିଲେ । ଦିନ, ବାର, ସମୟ ସବୁ ଠିକ୍ ଠିକ୍ ଲେଖି ପ୍ରୋଗ୍ରାମଟି ପଠାଇଦେଲେ ।

 

ନିମତ୍ରଣପତ୍ରରେ ପୁଣି ମଧ୍ୟ ଲେଖିଥିଲେ–“X X X ଆପଣ ମୋତେ ଦେଖିବାପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ମୋ ସାଙ୍ଗରେ ଦେଖାସାକ୍ଷାତ୍ ହେବାପରେ ଆପଣ ନିଶ୍ଚିନ୍ତ ଭାବରେ ହତାଶ ହେବେ । ତା’ ସତ୍ତ୍ୱେ ଆପଣ ଦେଖା କରିବାପାଇଁ ଆସିବେ ବୋଲି ଯେତେବେଳେ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି, ମୋର ଆପତ୍ତି ନାହିଁ–କାରଣ ମୋର ତ ନିଶ୍ଚିୟ ଲାଭ ହେବ । ଥରେ ଆସି ଦେଖିଗଲା ପରେ ଆଉ ଆପଣଙ୍କର ଆସିବାପାଇଁ ଇଚ୍ଛା ହେବ ନାହିଁ ।’’

 

ରବର୍ଟ ବ୍ରାଉନିଂ ନିର୍ଦ୍ଦିଷ୍ଟ ସମୟରେ ଆସିଲେ ।

 

କବିଙ୍କ ପ୍ରଥମ ଦର୍ଶନରେ ଏଲିଜାଙ୍କ ଦେହରେ ଶିହରଣ ଖେଳିଗଲା । ବ୍ରାଉନିଂ ଏଲିଜାବେଥ୍‍ଙ୍କୁ ଦେଖି ବିଶେଷ ଆନନ୍ଦିତ ହେଲେ କି ନାହିଁ, କିଏ କହିପାରିବ ?

 

କିନ୍ତୁ ଆଗ୍ରହ ସହିତ ସଂଯତ ଭାବରେ ବ୍ରାଉନିଂ ଏଲିଜାଙ୍କ ସାଙ୍ଗରେ ସମୟ କଟାଇଦେଲେ ।

 

ଫେରିଗଲେ ବ୍ରାଉନିଂ । ଫେରିଯାଇ ଚିଠି ଲେଖିଲେ–“X X ଆପଣଙ୍କୁ କ’ଣ ଅତ୍ୟନ୍ତ ବିରକ୍ତ କରି ଆସିଛି ? ବେଶି ସମୟ ଶଙ୍କର ଯେବେ ନଷ୍ଟ କରିଥାଏ, ଅଭ ଭାବରେ କ’ଣ କଥା ହୋଇଛି X X X

 

ଏଲିଜାବେଥ୍ ଚିଠି ପାଇବା ସଙ୍ଗେ ସଙ୍ଗେ ଉତ୍ତର ଦେଲେ–“X X ଆପଣଙ୍କ ସ୍ଵଭାବରେ ଅଭଦ୍ରାମି ଆସିବ କେଉଁଠୁଁ ? ଆପଣ ଅପ୍ରିୟ କଥା କହିପାରିବେ ବୋଲି ମୋର ଧାରଣା ନାହିଁ । ଆଗାମୀ ମଙ୍ଗଳବାର ଦିନ ଆପଣ ନିଶ୍ଚୟ ଆସିବେ ।”

 

ଚିଠିଟି ପାଇ ବ୍ରାଉନିଂ ଆଶ୍ଵସ୍ତ ହେଲେ । ଅବଶ୍ୟ ସେଥିରେ ଅନନ୍ୟସାଧାରଣ କୌଣସି କଥା ନଥିଲା । ତଥାପି ତାଙ୍କର ହୃଦୟ ଏହି ଚିଠିଟି ପାଇ ଉଦ୍‍ବେଳିତ ହୋଇପଡ଼ିଲା ।

 

ସେ ଯେମିତି ଅନୁଭବ କଲେ, ଏଲିଜାବେଥ୍‍ଙ୍କ ପାଇଁ ତାଙ୍କ ହୃଦୟ ମାୟାମମତାର ଇନ୍ଦ୍ରଜାଲରେ ଛନ୍ଦି ହୋଇ ପଡ଼ିଛି ।

 

ପଙ୍ଗୁ, ବର୍ଷିୟସୀ ନାୟିକା ପ୍ରେମରେ ପଡ଼ିଲେ କାହିଁକି ସୁଦର୍ଶନ ତରୁଣ କବି ବ୍ରାଉନିଂ ? ପୁଣି ବିଗତ ଯୌବନା….

 

କବି ଦୈହିକ ବାହ୍ୟ ଆଡ଼ମ୍ବରଠାରୁ ଏଲିଜାଙ୍କର ନୈସର୍ଗିକ କବି–ପ୍ରତିଭା ପାଇଁ ପ୍ରଲୁବ୍‍ଧ ହୋଇ ଉଠିଥିଲେ ।

 

ଆବେଗଭରା ଭାଷାରେ ସେ ନିଜର ମନକଥା ଜଣାଇଲେ ।

 

କିନ୍ତୁ ହାୟରେ ମନ୍ଦ ଭାଗ୍ୟ ! ଏ ପ୍ରସ୍ତାବ ଅସମ୍ଭବ...ହୋଇପାରେନା, ହୋଇପାରେନା...

 

ପ୍ରେମପତ୍ର ପାଇ ଏଲିଜାବେଥ୍ ଆନନ୍ଦରେ କାନ୍ଦି ପକାଇଥିଲେ । ଚିଠିଟି ବାରବାର ପଢ଼ି ପାଗଳିନୀ ପରି ହୋଇଗଲେ ।

 

ପାଗଳାମୀ ଥମି ଥମି ଆସିଲା । ଅନୁଭବ କଲେ ବ୍ୟଥା । ଆଃ ! କାହିଁକି କବି ତାଙ୍କୁ ଏତେ ଭଲ ପାଇ ବସିଛନ୍ତି !!

 

କବିଙ୍କର ଏତେ ସରସ ଜୀବନକୁ ଜାଣି ଜାଣି କାହିଁକି ସେ ବିଷମୟ କରି ପକାଇବେ ! ତାଙ୍କର ଅଲୋଡ଼ା ଜୀବନ ସହିତ ଏତେ ବଡ଼ ମୂଲ୍ୟବାନ ଜୀବନକୁ ଛନ୍ଦି ଦେଇ ଆଜୀବନ ତାଙ୍କୁ କାହିଁକି ଅସୁଖୀ କରବେ ?

 

ଚିଠିରେ ପୁଣି ଲେଖିଥିଲେ–“X X ଭବିଷ୍ୟତରେ ଏହି ଧରଣର ଚିଠି ଆଉ ଆପଣ ଲେଖିବେ ନାହିଁ । ଯେବେ ଲେଖନ୍ତି, ଆପଣଙ୍କ ସାଙ୍ଗରେ ଦେଖାସାକ୍ଷାତ୍ କରିବା ସମ୍ଭବପର ହେବ ନାହିଁ ।

 

ଆପଣଙ୍କର ବନ୍ଧୁତ୍ଵ ମୋ ଜୀବନରେ ଏକ ସଞ୍ଚିତ ସମ୍ପଦ ।

 

ଆପଣ ପ୍ରତିଶ୍ରୁତି ଦେଇଛନ୍ତି, ନିଶ୍ଚୟ ଆସନ୍ତା ମଙ୍ଗଳବାର ଆସିବେ । ଅନାଇ ରହିଛି, ସାହିତ୍ୟ ବିଷୟରେ ଆଲୋଚନା କରିବା ।’’

 

ଚିଠିଟି ପାଇ ବ୍ରାଉନିଂ ବ୍ୟଥିତ ହେଲେ । ମନରେ ଝଡ଼ । ଆତ୍ମଗ୍ଳାନିରେ ଭାଙ୍ଗିପଡ଼ିଲେ-

 

ଏଲିଜାବେଥ୍ ତାଙ୍କ ବ୍ୟବହାରରେ ନିଶ୍ଚୟ ବ୍ୟଥିତ ହୋଇଛନ୍ତି । କାହିଁକି ନିଜକୁ ସଂଯତ ନ କରି ଏପରି ଭାବରେ ତରବରିଆରେ ନିଜର ମନକଥା ଲେଖିଦେଲେ ?

 

ବ୍ରାଉନିଂ ନିର୍ଦ୍ଦିଷ୍ଟ ସମୟରେ ପୁଣି ଏଲିଜାଙ୍କୁ ଦେଖା କରିବାକୁ ଗଲେ । ତାଙ୍କ ମୁହଁ ଲଜ୍ଜା ଓ ସଙ୍କୋଚରେ ପାଣ୍ଡୁର ପଡ଼ିଯାଇଥିଲା । ଏଲିଜା ଗତାନୁଗତିକ ଭାବରେ ତାଙ୍କୁ ଅଭ୍ୟର୍ଥନା କରିନେଲେ ।

 

କିଛି ସମୟ ପରେ ବ୍ରାଉନିଂ କହିଲେ–

 

“ମୋତେ କ୍ଷମା କରିବ ଏଲିଜା !”

 

“କ୍ଷମା କରିବା କଥା ଉଠୁଛି କାହିଁକି ?”

 

“ଚିଠିରେ ଏସବୁ ମୋର ଲେଖିବାର ନଥିଲା ।” ବ୍ରାଉନିଂ କମ୍ପିତ କଣ୍ଠରେ କହିଲେ ।

 

“ନା, ନା, ଲଜ୍ଜିତ ହେବାର କିଛି ନାହିଁ । ଆପଣ ଭାବପ୍ରବଣ ହୋଇ ଉଠିଛନ୍ତି । ଆପଣ ଆମ ଦୁହିଁଙ୍କର ବୟସର ବ୍ୟବଧାନ ଚିନ୍ତା କରନ୍ତୁ । ଆପଣଙ୍କଠାରୁ ବୟସରେ ମୁଁ କେତେ ବଡ଼ !”

 

ପୁଣି କହିଲେ–

 

“ମୋର ପରିସ୍ଥିତି ଚିନ୍ତା କରନ୍ତୁ । ବାବାଙ୍କ କଡ଼ା ଆଦେଶ କଥା ଆପଣ ଜାଣି ନାହାନ୍ତି । ଆପଣ ମୁକ୍ତ ଆକାଶର ବିହଙ୍ଗ X X X” ଆଉ କିଛି କହିପାରିଲେ ନାହିଁ ଏଲିଜାବେଥ୍ ।

 

ମାମୁଲି ଭାବରେ କିଛି ସାହିତ୍ୟିକ ଆଲୋଚନା କରାଗଲା । ଫେରିଆସିଲେ ବ୍ରାଉନିଂ କ୍ଷତହୃଦୟ ନେଇ ।

 

ତା’ପରେ ବ୍ରାଉନିଂ ଏଲିଜାବେଥ୍‍ଙ୍କ ପାଖକୁ ଯିବା ବନ୍ଦ କରିଦେଲେ । ଚିଠିପତ୍ର ମଧ୍ୟ ଦେଲେ ନାହିଁ ।

 

ଏଲିଜାବେଥ୍ କୌଣସି ଖବର ବ୍ରାଉନିଂଙ୍କଠାରୁ ନ ପାଇ ବିଶେଷ ଚିନ୍ତିତ ହେଲେ । ନାନା ଆଶଙ୍କାରେ ହୃଦୟ ଜଳିବାକୁ ଲାଗିଲା । ଶେଷରେ ଚିଠି ଲେଖିବାକୁ ବାଧ୍ୟ ହେଲେ ଏଲିଜାବେଥ୍ ।

 

“X X ଅନେକ ଦିନ ହେଲା ଦେଖାସାକ୍ଷାତ୍ ହୋଇନି । ଚିଠି ମଧ୍ୟ ଖଣ୍ଡେ ଦେଉ ନାହାନ୍ତି-। ରାଗିଛନ୍ତି ନିଶ୍ଚୟ । କେଉଁ କାରଣରୁ ମୋ ସଙ୍ଗରେ କୌଣସି ସମ୍ପର୍କ ରଖୁନାହାନ୍ତି ? ଆପଣଙ୍କର ନୀରବତାରେ ମୁଁ ଅତ୍ୟନ୍ତ ଚିନ୍ତିତ । ବିବ୍ରତ ମଧ୍ୟ X X X ।”

 

ବ୍ରାଉନିଂ ଚିଠି ପାଇ ଲଜ୍ଜିତ ହେଲେ । ଅନୁଭବ କଲେ, ହଠାତ୍ ଚିଠିପତ୍ର ବନ୍ଦ କରି, ସାକ୍ଷାତ କରିବାକୁ ନ ଯାଇ ଭୁଲ୍ କରିଛନ୍ତି ।

 

ତା’ ସଙ୍ଗେ ସଙ୍ଗେ ସେ ଅନୁଭବ କଲେ, ଏଲିଜାବେଥ୍ ଚିଠି ନ ପାଇଥିବାରୁ ଓ ଅନେକ ଦିନ ହେଲା ଦେଖାସାକ୍ଷାତ୍ ନ ହୋଇଥିବାରୁ ବ୍ୟଥିତ ହୋଇଛନ୍ତି ।

 

ଉତ୍ତର ଲେଖି ବସିଲେ ବ୍ରାଉନିଂ । X X X ଆପଣଙ୍କର ଧାରଣା ଅନର୍ଥକ । ଆପଣଙ୍କର କୌଣସି କଥାରେ କାର୍ଯ୍ୟରେ ଆଜି ପର୍ଯ୍ୟନ୍ତ ମୁଁ ବିରକ୍ତ ହେବାର ଆପଣ ଦେଖିଛନ୍ତି କି-?

 

ମୁଁ କେବଳ ଗୋଟିଏ ଅନୁଗ୍ରହ ପାଇଁ ଆପଣଙ୍କୁ ଅନାଇ ରହିଛି ରହିବି ମଧ୍ୟ ।

 

ମୋତେ ଗୋଟିଏ କଥା ବାରବାର କହିବାପାଇଁ ଅନୁମତି ଦିଅନ୍ତୁ ।

 

ମୁଁ ଅନ୍ତରର ସହିତ ଆପଣଙ୍କୁ ଭଲ ପାଇଛି । ଆଉ ଫେରି ଆସିବାର ଉପାୟ ନାହିଁ । X X X

 

ଚିଠିଟି ଗଭୀର ଦୁଃଖର ସହିତ ଏଲିଜାବେଥ୍ ପଢ଼ିଲେ । ବିଷଣ୍ଣ ହୋଇ ଉଠିଲେ । ପୀଡ଼ିତ ହେଲେ ମଧ୍ୟ ।

 

ଦେହ ମନର ସମ୍ପର୍କ ଅତୁଟ । ମନରେ ବେମାରି ଘାରିଛି । ଦେହର ଅବସ୍ଥା ଦିନକୁଦିନ ଖରାପ ଆଡ଼କୁ ଗତିକଲା । ଡାକ୍ତରମାନେ ମଧ୍ୟ ଚିକିତ୍ସା କରିବାପାଇଁ ଭୟ କଲେ ।

 

ରୋଗ ଶଯ୍ୟାରେ ଏଲିଜାବେଥ୍ ଚିଠି ଲେଖିବାପାଇଁ ବହୁ ଚେଷ୍ଟା କଲେ । ହେଲେ ଧାଡ଼ିଟିଏ ମଧ୍ୟ ଲେଖି ପାରିଲେ ନାହିଁ ।

 

ଡାକ୍ତରମାନେ କହିଲେ ଇଂଲଣ୍ଡର ସନ୍ତସନ୍ତିଆ ଜଳବାୟୁ ଛାଡ଼ି ଇଉରୋପର କୌଣସି ସ୍ଥାନକୁ ଜଳବାୟୁ ପରିବର୍ତ୍ତନ ପାଇଁ ଏଲିଜାବେଥ୍ ଯା’ନ୍ତୁ ।

 

ରୋଗ ଶଯ୍ୟାରେ ସଙ୍ଖୋଳିବା ପାଇଁ ବ୍ରାଉନିଂ ଆସିଥିଲେ ।

 

ବ୍ରାଉନିଂଙ୍କ ଉପରେ ଆଖି ବୁଲାଉ ବୁଲାଉ ଏଲିଜାବେଥ୍ କହିଲେ “ଆପଣ ଭାରି ରୋଗଣା ଦିଶୁଛନ୍ତି । ଆପଣ ଅସୁସ୍ଥ ହେଲେ ମୋର ମାନସିକ ଅବସ୍ଥା ଭଲ ରହିବା ନାହିଁ ।

 

ବ୍ୟଥିତ ଅଥଚ ମନ୍ତ୍ରମୁଗ୍ଧ ଭାବରେ ବ୍ରାଉନିଂ ଏଲିଜାବେଥ୍‍ଙ୍କୁ ଅନାଇ ରହିଥିଲେ । ଶେଷରେ ଦୀର୍ଘ ନିଃଶ୍ଵାସ ପକାଇ କହିଲେ “ଆପଣଙ୍କ କ୍ରମାଗତଃ ଅସୁସ୍ଥତା ଖବର ପାଇଲେ, ମୁଁ କିପରି ଶାନ୍ତିରେ ରହିବି ବୋଲି ଭାବୁଛନ୍ତି ? ଆପଣଙ୍କ ଅସୁସ୍ଥତା ବାସ୍ତବରେ ମୋତେ ଅସୁସ୍ଥ କରିପକାଇଛି ।

 

X X X

 

ଅଶ୍ରୁ ଭରି ଉଠିଥିଲେ । ଦୁହିଁଙ୍କ ଆଖିରେ ।

 

ଏଲିଜାଙ୍କର ଅଶ୍ରୁ ମାନିଲା ନାହିଁ କିଛି ବାଧା ବନ୍ଧନ ।

 

ରୁଗ୍‍ଣ, ଦୁର୍ବଳ ଏଲିଜାବେଥ୍ ଯେପରି ଦିଗହରା ହୋଇ ପଡ଼ିଛନ୍ତି ।

 

“କିନ୍ତୁ ............”

 

“କିନ୍ତୁ ଫିନ୍ତୁ ମୁଁ କିଛି ମାନିବି ନାହିଁ X X X

 

ଏଲିଜାବେଥ୍ ମୁଣ୍ଡ ନୁଆଁଇ ସବୁ ଶୁଣିଗଲେ ।

 

“ତମେ କ’ଣ ମୋତେ ଭଲ ପାଅ ନାହିଁ ଏଲିଜାବେଥ୍ ?”

 

ଏଲିଜାବେଥ୍ ଆଉ ସାହିପାରିଲେ ନାହିଁ । ନୀରବତା ଭଙ୍ଗ କରି କହିଲେ “ବ୍ରାଉନିଂ ତମେ ଏସବୁ ଆଲୋଚନା ବର୍ତ୍ତମାନ ପାଇଁ ବନ୍ଦକର–ବନ୍ଦକର X X X

 

କିଛି ସମୟ ନୀରବତା ଲାଗି ରହିଲା । ଆତ୍ମ ସମୀକ୍ଷା କରୁ କରୁ ପରସ୍ପରକୁ ଚାହିଁ ରହିଲେ ।

 

ଏଲିଜାବେଥ୍ ବ୍ୟଥା ପାଇଛନ୍ତି ଜାଣି ବ୍ରାଉନିଂ ଡାକ୍ତରଙ୍କ ପରାମର୍ଶ, ଚିକିତ୍ସା ପ୍ରଭୃତି ବିଷୟରେ କେତେକ ପ୍ରଶ୍ନ କଲେ । ଉତ୍ତର ପାଇଲେ ମଧ୍ୟ ।

 

ସତେ ସେ ସବୁ ପ୍ରଶ୍ନ ଉତ୍ତରର ଗଣ୍ଡିଦେଇ ଦୁଇଟି ପ୍ରେମିକ ପ୍ରେମିକାର କ୍ରନ୍ଦସୀ ଆତ୍ମା ବ୍ୟଥିତ ହୋଇ ଉଠୁଥିଲା ।

 

ବ୍ରାଉନିଂ କହିଲେ “ଲଣ୍ଡନ ଛାଡ଼ି କେଉଁଠିକି ଜଳବାୟୁ ପରିବର୍ତ୍ତନ କରିବାକୁ ଯିବାକୁ ହେଲେ, ତମକୁ ଇଟାଲୀ କିମ୍ବା ମାଲଟା ଯିବାକୁ ହେବ ।”

 

ଅନ୍ୟମନସ୍କ ଭାବରେ ଏଲିଜାବେଥ୍ ବ୍ୟଥିତ ସ୍ଵରରେ କହିଲେ, “ଦେଖେ, ବାବାଙ୍କୁ କୁହେ....”

 

ମିଷ୍ଟର୍ ବ୍ୟାରେଟ୍ ପ୍ରସ୍ତାବଟି ଶୁଣି ରାଗରେ ଚିତ୍କାର କଲେ ।

 

“ଜଳବାୟୁ ପରିବର୍ତ୍ତନ ଗୋଟାଏ ଫେସନ ହୋଇ ଉଠିଛି । କେବଳ ପଇସା ଶ୍ରାଦ୍ଧ ! ନା, ନା, ଇଏ ଭଣ୍ଡାମି ପରାମର୍ଶରେ ମୁଁ ପଇସା ବିନର୍ବ୍ୟୟ କରିପାରିବି ନାହିଁ ।”

 

ବାବାଙ୍କର ମତାମତ ଶୁଣିଲା ପରେ ଏଲିଜାବେଥ୍ ନୀରବ ହୋଇଗଲେ ।

 

କିନ୍ତୁ ରାଜପଥକୁ ବ୍ରାଉନିଂର ହାତଧରି ବାହାରି ପଡ଼ିବାପାଇଁ ସେ ତାଙ୍କର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ।

 

ସେଇଆ ବ୍ରାଉନିଂଙ୍କୁ ଚିଠି ଲେଖି ଏଲିଜାବେଥ୍ ଜଣାଇଦେଲେ ।

 

ବ୍ରାଉନିଂ ଏଲିଜାବେଥ୍‍ଙ୍କୁ ଦେଖାକରି କହିଲେ–

 

“ଆମର ବିବାହ ହୋଇଗଲେ ସବୁ ସମସ୍ୟା ସମାଧାନ ହୋଇଯିବ । ମିଷ୍ଟର୍ ବ୍ୟାରେଟ୍‍ଙ୍କର ମରଜି ଜଗି ଜଗି ନଜର ସ୍ୱାସ୍ଥ୍ୟ ହରାଇବାକୁ ପଡ଼ିବ ନାହିଁ ।

 

“ନା, ନା…” ଏଲିଜାବେଥ୍ କହିଲେ ।

 

ଜିଦ୍ ଧରି ଉତ୍ତର ଚାହିଁଲେ ବ୍ରାଉନିଂ ।

 

“ନା, ନା, ତମର ସୁଖର ଜୀବନ ମୁଁ ନଷ୍ଟ କରିବାକୁ ଚାହିଁବି ନାହିଁ । ଅନୁରୋଧ କରୁଛି ତମେ ଇଏ ବଦ୍ ଜିଦ୍ ଛାଡ଼ିଦିଅ । ଏଲିଜାବେଥ୍ କହୁ କହୁ ଫଟାଇ କାନ୍ଦିବାକୁ ଲାଗିଲେ ।

 

ବ୍ୟର୍ଥମନୋରଥ ହୋଇ ବ୍ରାଉନିଂ ଫେରି ଆସିଲେ ।

 

ଦିନେ ଦୁଇ ଦିନ ପରେ ଏଲିଜାବେଥ୍ ଚିଠି ପାଇଲେ ବ୍ରାଉନିଂଙ୍କଠାରୁ ।

 

X X X ତୁମେ ମୋତେ କେତେ ଗଭୀର ଭାବରେ ପାଅ, ମୁଁ ପ୍ରାଣେ ପ୍ରାଣେ ଅନୁଭବ କରିଛି । ମୋର ଉପାୟ ନଥିଲା...ଏଥର ଶେଷ ନିଷ୍ପତ୍ତି ଶୁଣନ୍ତୁ, ଆଜିଠାରୁ ସମ୍ପୂର୍ଣ୍ଣ ମୁଁ ତୁମର X X

 

ତମର ସୁନ୍ଦର ଜୀବନକୁ ନଷ୍ଟ କରିଦେବାକୁ ପ୍ରାଣପଣେ ଚେଷ୍ଟା କରିଥିଲି, ହେଲେ ଆଜି ଆଉ ପାରୁନି–କ୍ଷମା ଦେବ । X X

 

ମିଷ୍ଟର୍ ବ୍ୟାରେଟ୍‍ଙ୍କ ପରି ବଦଖୋରୀ ଲୋକ କେବେହେଲେ ଏହି ବିବାହ ପ୍ରସ୍ତାବରେ ରାଜି ହେବେ ନାହିଁ । ତେଣୁ ଉପାୟ ନଥିଲା ।

 

ବାପା, ଭାଇ, ଭଉଣୀ କାହାରିକୁ ନ ଜଣାଇ ଦିନେ ବ୍ରାଉନିଂଙ୍କ ହାତ ଧରି ଏଲିଜାବେଥ୍ ଘରୁ ବାହାରିଗଲେ ।

 

ଗିର୍ଜାରେ ସେମାନଙ୍କ ବିବାହ ଖୁବ୍ ସରଳ ଭାବରେ ସମ୍ପନ୍ନ ହେଲା ।

 

ବିବାହ ପରେ ବ୍ରାଉନିଂ–ଏଲିଜା ଇଟାଲୀ ଚାଲିଗଲେ ।

 

ଜୀବନର ଅଧିକାଂଶ ସମୟ ଇଟାଲୀରେ କଟାଇଥିଲେ କବି ଦମ୍ପତ୍ତି ।

 

ଦୁଇ ଜଣ ଆପ୍ରାଣ ଚେଷ୍ଟାକରି ଇଂରେଜ ସାହିତ୍ୟକୁ ସମୃଦ୍ଧ କରି ଚାଲିଲେ ।

 

ହାୟ, ପ୍ରେମିକ ପ୍ରେମିକା କବି କବିପତ୍ନୀଙ୍କର ସୁଖର ସଂସାର ବେଶୀଦିନ ସ୍ଥାୟୀ ହେଲା ନାହିଁ ।

 

ବିବାହର ପନ୍ଦରବର୍ଷ ପରେ ବ୍ରୋଙ୍କାଇଟିସ୍ ରୋଗରେ ଏଲିଜାବେଥ୍ ମରିଗଲେ ।

 

ପତ୍ନୀଙ୍କ ବିୟୋଗ ପରେ ରବର୍ଟ ବ୍ରାଉନିଂ ଅଠରବର୍ଷ କାଳ ବଞ୍ଚିଥିଲେ ।

 

ନିଃସଙ୍ଗ ଜୀବନରେ ପତ୍ନୀଙ୍କୁ ହରାଇ ପତ୍ନୀଙ୍କର ଉପସ୍ଥିତ ଜୀବନର ଅବଶିଷ୍ଟ ସମୟ ଅନୁଭବ କରି ଉଚାଙ୍ଗ ସାହିତ୍ୟ ସୃଷ୍ଟି କରିବାରେ ସବୁ ସମୟ ଢାଳି ଦେଇଥିଲେ ।

 

ଅନ୍ୟ ତରୁଣୀର ଲୋଭ ନାହିଁ । ପ୍ରେମର ପିପାସା ନାହିଁ–ଏଲିଜାବେଥ୍ ମରିମଧ୍ୟ କବିଙ୍କ ଜୀବନରେ ପ୍ରେରଣାର ଉତ୍ସ ଢାଳି ଦେଉଥିଲେ ।

 

ଅନ୍ୟାନ୍ୟ ପ୍ରେମିକକବିଙ୍କଠାରୁ ରବର୍ଟ ବ୍ରାଉନିଂଙ୍କର ପ୍ରେମ ଏକ ବ୍ୟତିକ୍ରମ । ବହୁ ବଲ୍ଲଭା ତରୁଣୀ ତାଙ୍କର କାମ୍ୟ ନଥିଲା । ବିଗତ ଯୌବନା, ବର୍ଷିୟସୀ, ପଙ୍ଗୁ ଏଲିଜାବେଥ୍ ଯେତିକି ପ୍ରେମ ଦେବା କଥା ତାହା ତାଙ୍କର ଅମର ସୃଷ୍ଟିପାଇଁ ଯଥେଷ୍ଟ ଥିଲା ।

 

ଧନ୍ୟ କବି ବ୍ରାଉନିଂ । ପତ୍ନୀପ୍ରାଣା ! ବ୍ରାଉନିଂ ପଥଭ୍ରଷ୍ଟ ପ୍ରେମିକ କବିଙ୍କ ପାଇଁ କ’ଣ ଯଥେଷ୍ଟ ଆଦର୍ଶ ନୁହନ୍ତି ?

 

ରବର୍ଟ ବ୍ରାଉନିଂ ଏଲିଜାଙ୍କର ସାହିତ୍ୟିକ ଖ୍ୟାତିଠାରୁ ପାରିବାରିକ ଜୀବନ ସମସ୍ତଙ୍କର ଆଦରଣୀୟ ହେଉ ।

☆☆☆

 

Unknown

ହତଭାଗ୍ୟ ପ୍ରେମିକ କିଟ୍‍ସ

 

ଜୀବନ ଦୀପ ଲିଭି ଆସୁଛି । ଦେହସାରା କମ୍ପୁଛି । ସମସ୍ତ ଶକ୍ତି ଫରାଇ ଆଣି ଥରି ଥରି କିଟ୍‍ସ ନେପ୍‍ଲସ୍‍ର କବି ବ୍ରାଉନିଂକୁ ଚିଠି ଲେଖିବାକୁ ଚେଷ୍ଟା କରୁଛନ୍ତି । ସୁସ୍ଥ ଥିବାବେଳେ ଯଦି ଫ୍ୟାନିକୁ ପାଇଥାନ୍ତି ମୋର ଅବସ୍ଥା ଆଜି ଏତେ ଶୋଚନୀୟ ହେଇ ନଥାନ୍ତା । ମୃତ୍ୟୁ ସହିପାରୁଛି । କିନ୍ତୁ ତା’ର ବିଚ୍ଛେଦ ସହିପାରୁନି । ଭଗବାନ ! ଭଗବାନ !

 

ବାକ୍‍ସରେ ରଖାଯାଇଥିବା ଫ୍ୟାନିରେ ଉପହାରଗୁଡ଼ିକ ମୋତେ ଅସହ୍ୟ ଯନ୍ତ୍ରଣା ଦେଉଛି । ଫ୍ୟାନି ମୋ ଟୋପିରେ ଲାଇନ୍ ଲଗାଇ ଦେଇଥିଲା । ସେ ଟୋପି ମୁଣ୍ଡରେ ଦେଲେ…ଆହାଃ…

 

ତା’ କଥା ଭାବିପାରୁନି…

 

ନିର୍ଜନରେ ତା’ କଣ୍ଠସ୍ଵର ଯେମିତି ମୋତେ ଶୁଭିଯାଉଛି ।

 

ମୋ କବର ପାଖରେ ତା’ କବର ଯେବେ ହୁଏ X X X

 

ତାକୁ ଚିଠି ଲେଖିପାରୁନି ।

 

ସେ ଚିଠି ଦେଲେ ମୁଁ ପାଇପାରିବି ନାହିଁ ।

 

ତା’ ହାତ ଲେଖା ଅକ୍ଷର ମୋ ଚାରିଆଡ଼େ ଯେପରି ଘୂରି ବୁଲୁଛି । ପୃଥିବୀଠାରେ ତା’ ହସ୍ତଲିପି ଲାଖି ରହିଲା ପରି ମୋତେ ଜଣାଯାଉଛି ।

 

ତା’ର ନାମ ପକ୍ଷୀର ଗାନରେ, ପବନ ହିଲ୍ଲୋଳରେ ଭାସି ଭାସି ଆସୁଛି ।

 

ମୁଁ ଏସବୁ ଆଉ ସାହିପାରୁନି ।

 

ତାକୁ ଖବର ଦିଅ ବ୍ରାଉନିଂ । ସେ ଭଲ ଅଛି ଶୁଣିଲେ ମୁଁ ଶାନ୍ତିରେ ମରିପାରନ୍ତି ।

 

ମୋତେ ଯେମିତି ଭଲ ପାଇଥିଲ, ସଦୟ ହେଉଥିଲ, ଠିକ୍ ତାକୁ ତମେ ସେମିତି ଭଲ ପାଇବ, ସଦୟ ହେବ ।

 

ମୋ ଛାତିରେ ନିଆଁ ଜଳୁଛି । ତଥାପି ତା’ କଥା ନଶୁଣିଲା ପର୍ଯ୍ୟନ୍ତ ମୁଁ ମରିପାରୁନାହିଁ ।

 

ଈଶ୍ଵର ତମର ମଙ୍ଗଳ କରନ୍ତୁ । ତାକୁ ସୁଖରେ ରଖନ୍ତୁ ।

 

X X X

 

ଇଂରେଜୀ ସାହିତ୍ୟର ଅନ୍ୟତମ ପ୍ରଖ୍ୟାତନାମା କବି ଜନ୍ କିଟ୍‍ସ ଉତ୍ତର ଜୀବନରେ ମୃତ୍ୟୁଯନ୍ତ୍ରଣା ଉପସମ ପାଇଁ ପ୍ରେମିକାକୁ ଆଶୀର୍ବାଦ ଦେଉଥିଲେ ବନ୍ଧୁ ବ୍ରାଉନିଂଙ୍କ ଜରିଆରେ ।

 

ପାଶ୍ଚାତ୍ୟ ଦେଶର ସ୍ଵନାମଧନ୍ୟ ଔପନ୍ୟାସିକ, କବି, ଗାଳ୍ପିକଙ୍କ ପରି ବହୁ ପ୍ରେମିକାର ଭକ୍ତ ନଥିଲେ କବି କିଟ୍‍ସ । ସେ ଏକାଧିକ ନାରୀର ସଙ୍ଗଲାଭ କରି ନାହାନ୍ତି କିମ୍ବା ତାଙ୍କର ବହୁବଲ୍ଲଭା ହେବାର ସହଜାତ ପ୍ରକୃତି ନଥିଲା ।

 

ଭଲ ଲାଗିବା ଆଉ ଭଲ ପାଇବା ଏକ କଥା ନୁହେଁ । କବି କିଟ୍‍ସଙ୍କୁ ବହୁ ତରୁଣୀ ଯେ ଭଲ ଲାଗି ନଥିଲେ ତାହା ନୁହେଁ, ହେଲେ ସେ ଜଣକୁହିଁ ଭଲ ପାଇଥିଲେ ।

 

ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ଯାତାୟାତର ସୁବିଧା ନଥିଲା । ଘୋଡ଼ାଗାଡ଼ି ପ୍ରଧାନ ସମ୍ବଳ ଥିଲା ।

 

“ସୋୟାନ୍‍ବ୍ରାଣ୍ଡ୍‍ହୁପ୍” ଘୋଡ଼ା କମ୍ପାନୀ ଖୁବ୍ ପ୍ରସିଦ୍ଧ ଥିଲା । ସେ କମ୍ପାନୀର ସର୍ଭିସ୍ ଓ ବ୍ୟବହାର ଉଚ୍ଚକୋଟିର ହୋଇଥିବାରୁ ଅନ୍ୟ କମ୍ପାନୀ ପ୍ରତିଯୋଗିତାରେ ପାରି ଉଠୁ ନଥିଲେ ।

 

ଟମାସ୍ କିଟ୍‍ସ ଏହି କମ୍ପାନୀରେ ସର୍ବମୟ ପରିଚାଳକ ଥିଲେ ।

 

ବିରାଟ ଘୋଡ଼ାଶାଳାରେ ଅନେକ ଘୋଡ଼ା ଥିଲେ । ଗାଡ଼ି ସଂଖ୍ୟା ମଧ୍ୟ ଅସଂଖ୍ୟ । ହଜାର ପାଉଣ୍ଡ ଆଦାୟ ହେଉଥିଲା ।

 

ଟମାସ୍ ପରିଚାଳନା ସଂକ୍ରାନ୍ତ ସମସ୍ତ ବିଷୟ ବୁଝୁଥିଲେ । ପୁଣି ଆୟବ୍ୟୟ ହିସାବ ରଖୁଥିଲେ ।

 

ପ୍ରେମର ବିଚିତ୍ର ଗତି । କମ୍ପାନୀ ମାଲିକ ଝିଅ ତାଙ୍କ ପ୍ରେମରେ ପଡ଼ିଲେ ।

 

ବାପାଙ୍କର ଅଚଳାଚଳ ସମ୍ପତ୍ତି । କୋଟିପତିର କନ୍ୟା ଗୋଟିଏ ସାମାନ୍ୟ ଭୃତ୍ୟର ପ୍ରେମରେ ପଡ଼ିବା ଏକ ଅସ୍ଵାଭାବିକ ଘଟଣା ।

 

ପରିଚୟ । ପରିଚୟରୁ ଘନିଷ୍ଠତା । ଘନିଷ୍ଠତାରୁ ପ୍ରେମ । ପ୍ରେମରୁ ପ୍ରଣୟ ।

 

ଏହା ବେଶିଦିନ ଲୁଚି ରହିଲା ନାହିଁ । ଆବାଳବୃଦ୍ଧବନିତା ଏ ପ୍ରସ୍ତାବରେ ପ୍ରତିବାଦ କଲେ । ହେଲେ କିଛି ଫଳ ହେଲା ନାହିଁ ।

 

ଶେଷରେ ବିବାହ ହେଲା । ଟମାସ୍ ସ୍ତ୍ରୀଙ୍କୁ ଧରି ନିଜ ବାସସ୍ଥାନ ଅସ୍ତାବଳକୁ ଗଲେ ।

 

ସଂକୀର୍ଣ୍ଣ ଗୃହ । ଅସ୍ଵାସ୍ଥ୍ୟକର ପରିବେଶରେ ଧନୀଦୁଲାଳି ରହିବାରେ ଅବ୍ୟସ୍ତ ନଥିଲେ-। ହେଲେ ଯେ ଦୁଗ୍ଧଫେନନିଭଶଯ୍ୟାକୁ ତୁଚ୍ଛ କରି ଦାଣ୍ଡକୁ ବାହାରି ଆସିଛି ପ୍ରେମପାଇଁ, ତାକୁ ଘନ ଜଙ୍ଗଲର ତୃଣ ଶଯ୍ୟାବି ସ୍ଵର୍ଗୀୟ ଆହ୍ଲାଦ ଦେବ ।

 

ଦୁଇଟି ପ୍ରେମ–ବିଭୋର ଚକୋର ଚକୋରୀ ନିଜ ଘରକୁ ସଜାଡ଼ି ଶାନ୍ତିର ନୀଡ଼ ବାନ୍ଧିବସିଲେ ।

 

ଦିନ ପରେ ଦିନ, ବର୍ଷ ପରେ ବର୍ଷ ସୁଖରେ ଜୀବନ କଟିବାକୁ ଲାଗିଲା ।

 

୧୭୮୫ ମସିହା । ଅକ୍ଟୋବର ମାସ । ଶୀତ ସକାଳ । କୁହୁଡ଼ି ଘେରି ରହିଥିଲା ଚାରିଆଡ଼େ । ସତେ ଅବା ସୂର୍ଯ୍ୟଙ୍କ ସହିତ କୁହୁଡ଼ିର ସଂଗ୍ରାମ ଚାଲିଛି ।

 

ଅସ୍ତାବଳକୁ ଆଲୋକିତ କରି ଟମାସ୍‍ଙ୍କ ପତ୍ନୀଙ୍କ କୋଳକୁ ଆସିଲେ ଗୋଟିଏ ନବଜାତ ଶିଶୁ । ସେହି ଶିଶୁ କେବଳ ଅସ୍ତାବଳକୁ ଆଲୋକିତ କଲେ ନାହିଁ, ଇଂରେଜ ସାହିତ୍ୟକୁ, ବିଶ୍ଵ ସାହିତ୍ୟକୁ ଅଭିବୃଦ୍ଧି କରି କବି କିଟ୍‍ସଭାବେ ବିଶ୍ଵ ପରିଚିତ ହେଲେ ।

 

କବି କିଟ୍‍ସଙ୍କ ପୁରା ନାମ ହେଉଛି ଜନ୍ କିଟ୍‍ସ ।

 

ତୁଳସୀ ଦୁଇ ପତ୍ରରୁ ବାସି ନଥିଲା । ବାଲ୍ୟ ଓ କିଶୋର ଅବସ୍ଥାରେ କିଟ୍‍ସଙ୍କର କବି ପ୍ରତିଭା ଜଣା ପଡ଼ୁ ନଥିଲା ।

 

ଲଣ୍ଡନଠାରୁ ଦଶ ମାଇଲ ଦୂର ଗୋଟିଏ ଅନାମଧେୟ ସ୍କୁଲ୍‍ରେ ତାଙ୍କ ପଢ଼ା ଆରମ୍ଭ ହୋଇଥିଲା ।

 

ସେ ମେଧାବୀ ଛାତ୍ର ନଥିଲେ । ଭୟଙ୍କର ଦୁଷ୍ଟ । ସହପାଠୀମାନଙ୍କ ସାଙ୍ଗରେ ମାରଧର କରି ସମୟ କଟାଉଥିଲେ । କେବଳ ସହପାଠୀଙ୍କ ସଙ୍ଗରେ ନୁହେଁ, ସ୍କୁଲ୍‍ର ଅଧଃସ୍ତନ କର୍ମଚାରୀଙ୍କ ସଙ୍ଗରେ ମାରଧର କରୁଥିଲେ ।

 

ସେ ମଧ୍ୟ ସ୍ୱାସ୍ଥ୍ୟବାନ ନଥିଲେ ।

 

ଯୌବନରେ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଉନ୍ନତି ଘଟି ନଥିଲା । ବାଙ୍ଗର ମଣିଷ । ଉଚ୍ଚତା ୫ ଫୁଟ୍ । ସେଥିପାଇଁ ତାଙ୍କର ଇନ୍‍ଫିରିଆଟ୍ କମ୍‍ପ୍ଳେକ୍‍ସ ବେଶିଥିଲା ।

 

ହେଲେ ତାଙ୍କର ମୁଖଶ୍ରୀ ଅପୂର୍ବ ଥିଲା । ମୁଣ୍ଡରେ ଗୋଛା ଗୋଛା ସୁନେଲି ବାଳ । କହରା କହରା ଲମ୍ବା ଆଖିରେ ଉଛୁଳା ଭାବ ତରଙ୍ଗ ।

 

ତାଙ୍କୁ ଯେତେବେଳେ ଊଣେଇଶ ବରଷ ତାଙ୍କ ବାପା ଟେମ୍‍ସ ଘୋଡ଼ାରୁ ପଡ଼ି ମଲେ ।

 

ପିତୃଶୋକ ଭୁଲି ନ ଯାଉଣୁ ତାଙ୍କ ମାଆ ରଂଲିସ୍ ନାମକ ଜଣେ ଭଦ୍ରଲୋକଙ୍କୁ ବିବାହ କଲେ ।

 

କିଟ୍‍ସଙ୍କ ମନରେ ଆଘାତ କରି ତାଙ୍କ ମା’ ଯେଉଁ ବିବାହ କଲେ, ତାହା ବେଶି ଦିନ ସ୍ଥାୟୀ ହୋଇପାରିଲା ନାହିଁ । ଛାଡ଼ପତ୍ର ଦେଇ ତାଙ୍କ ମା’ କିଟ୍‍ସ ଓ ତାଙ୍କ ଭାଇ, ଭଉଣୀ ନେଇ ବାପଘରକୁ ଫେରିଗଲେ ।

 

ପିଲାଦିନୁ କିଟ୍‍ସ ମା’ଙ୍କୁ ଭାରି ଭଲ ପାଉଥିଲେ । ମା’ ତାଙ୍କର ଭୁଲ ବୁଝିପାରି ଫେରିଆସିବା ପରେ କିଟ୍‍ସଙ୍କର ଆନନ୍ଦର ସୀମା ରହିଲା ନାହିଁ । ମା’ଙ୍କୁ ଦେଖିଲେ ସେ ଆଶାତୀତ ଆନନ୍ଦରେ ନାଚି ଉଠୁଥିଲେ ।

 

ହେଲେ ପିତୃହରା କିଟ୍‍ସଙ୍କୁ ପନ୍ଦରବର୍ଷ ବୟସରେ ମାତୃହରା ହେବାକୁ ପଡ଼ିଲା ।

 

ପିତୃ ବିୟୋଗରେ କିଟ୍‍ସ ଯେତେ ଭାଙ୍ଗିପଡ଼ି ନଥିଲେ, ମା’ ମଲାପରେ ବେଶି ଭାଙ୍ଗିପଡ଼ିଲେ ।

 

ମାଉସୀଙ୍କ ତତ୍ତ୍ଵାବଧାନରେ ରହି ମାତୃଶୋକ ପାଶୋରି ପାରିଲେ ନାହିଁ ।

 

ପଢ଼ା ପ୍ରତି ଆଗ୍ରହ ନଥିଲା । ତେଣୁ ୧୮୧୧ ମସିହାରେ ସ୍କୁଲ୍‍ ଛାଡ଼ିଦେଲେ ।

 

ଅଭିଭାବକମାନେ ବ୍ୟବସାୟ ଶିଖିବାପାଇଁ ଥମେସ୍ ହ୍ୟାମଣ୍ଡ ନାମକ ଜଣେ କେମିଷ୍ଟଙ୍କ ପାଖକୁ ପଠାଇଲେ ।

 

ଆମେସ୍ ହ୍ୟାମଣ୍ଡ ପେଟେଣ୍ଟ୍ ମେଡ଼ିସିନ୍ ତିଆରି କରୁଥିଲେ ।

 

କିଟ୍‍ସ ଆପ୍ରେଣ୍ଟିସ୍ ହିସାବରେ କାମ କଲେ ।

 

ଏତିକିବେଳେ କବିତା ଲେଖିବାପାଇଁ ତାଙ୍କର ଆଗ୍ରହ ବଢ଼ିଲା । ହେଲେ ସ୍କୁଲ୍‍ରେ ପଢ଼ିବାବେଳେ ତାଙ୍କର ଜଣେ ତରୁଣ ଶିକ୍ଷକ ଚାର୍ଲସ କାଉଡ଼େନ୍ କ୍ଳର୍କ ତାଙ୍କୁ କବିତା ଲେଖିବାକୁ ଉତ୍ସାହିତ କରିଥିଲେ ।

 

ଏହି ତରୁଣ ଶିକ୍ଷକ ଉତ୍ତର ଜୀବନରେ କିଟ୍‍ସଙ୍କର ପରମବନ୍ଧୁ ହୋଇଥିଲେ ।

 

ଆପ୍ରେଣ୍ଟିସ୍ ପିରିଅଡ଼ ଗଲାପରେ ଥମାସ୍ ସାର୍ଟିଫିକେଟ୍ ଦେଇ ଗାଇଦା ହସ୍‍ପିଟାଲରେ ଶିକ୍ଷା ଲାଭପାଇଁ ତାଙ୍କୁ ପଠାଇଲେ ।

 

ବର୍ଷକ ପରେ ଶିକ୍ଷାଲାଭ କରିସାରି ଫେରିଆସିଲେ । ସ୍ଵାଧୀନ ଭାବରେ ଔଷଧ ତିଆରି କରିବାପାଇଁ ତାଙ୍କୁ ସାର୍ଟିଫିକେଟ୍ ମିଳିଯାଇଥିଲା ।

 

କିନ୍ତୁ ବ୍ୟବସାୟରେ ତାଙ୍କ ମନ ମାନିଲା ନାହିଁ । ଭାବାନ୍ତର ଜାତ ହେଲା । ଗତ ଜୀବନରେ ସମୀକ୍ଷା କରି ଦୁଃଖିତ ହେଲେ ।

 

ତାଙ୍କର ଅଭିଭାବକ ରିଚାର୍ଡ଼ଙ୍କୁ କିଟ୍‍ସ ବ୍ୟବସାୟ କରିବେ ନାହିଁ ବୋଲି ଜଣାଇଦେଲେ-। କବିତା ଲେଖି, ସେଥିରୁ ଉପାର୍ଜିତ ଅର୍ଥରୁ ଚଳିବେ ବୋଲି ନିଷ୍ପତ୍ତି କରଥିବା କଥା ଜାଣି ରିଚାର୍ଡ଼ ହତାଶ ହେଲେ ।

 

ସେ କିଟ୍‍ସଙ୍କୁ ନିଜ ନିଷ୍ପତ୍ତିରୁ ଓହରିଆସି ବ୍ୟବସାୟ କରିବାପାଇଁ ପ୍ରାଣପଣେ ଚେଷ୍ଟା କଲେ । ହେଲେ କିଟ୍‍ସ ନିଜ ନିଷ୍ପତ୍ତିରେ ଅଟଳ ହୋଇ ରହିଲେ ।

 

କବିତା ଲେଖିବାରେ କିଟ୍‍ସ ମନୋନିବେଶ କଲେ ।

 

“ଏଗ୍‍ଜାମିନର” ପତ୍ରିକାର ସମ୍ପାଦନ ଲଡ଼୍ ହ୍ୟାମେଲ ବଡ଼ ଲୋକପ୍ରିୟ ଥିଲେ ତରୁଣ ଲେଖକମାନଙ୍କ ପାଇଁ ।

 

ତରୁଣ ଲେଖକମାନେ ଯେକୌଣସି ସମୟରେ ତାଙ୍କୁ ଦେଖାକରି ଉପଦେଶ ମାଗୁଥିଲେ । ଆନନ୍ଦିତ ହୋଇ ସେ ସବୁ ପ୍ରକାରର ତରୁଣ ଲେଖକମାନଙ୍କୁ ସାହାଯ୍ୟ କରୁଥିଲେ ।

 

କ୍ଳର୍କ ହାଣ୍ଟେଲଙ୍କୁ କିଟ୍‍ସ ଦେଖା କଲେ । ପ୍ରଥମ ଦେଖାରେ କିଟ୍‍ସଙ୍କ ଉପରେ ତାଙ୍କର ଅଗାଧ ଅନୁକମ୍ପା ଜାତ ହେଲା ।

 

କିଟ୍‍ସଙ୍କ କବିତା ଆଗ୍ରହରେ ଛାପିଲେ । କବିତା ପ୍ରକାଶନର କେତେଦିନ ପରେ “ତରୁଣ କବିତା” ଆଖ୍ୟା ଦେଇ ପ୍ରବନ୍ଧ ପ୍ରକାଶ କଲେ ।

 

X X କିଟ୍‍ସ ଭବିଷ୍ୟତରେ ଜଣେ ପୃଥିବୀ ବିଖ୍ୟାତ କବି ହେବେ । ତାଙ୍କର ଲେଖା ପଢ଼ି ଅନେକ ଥଟ୍ଟା କଲେ ।

 

ତାଙ୍କ ଭବିଷ୍ୟତ ବାଣୀ ନିର୍ଭୁଲ । କିଟ୍‍ସଙ୍କ ସାହିତ୍ୟ ପ୍ରତିଭା ତାହା ପ୍ରତିଷ୍ଠା କଲା ।

 

ବୟସ ବ୍ୟବଧାନ କିଟ୍‍ସ ଓ ହ୍ୟାଣ୍ଟଙ୍କ ବନ୍ଧୁତାରେ ପ୍ରତିବନ୍ଧକ ହେଲା ନାହିଁ । ପରମ ବନ୍ଧୁ ହୋଇଉଠିଲେ ଦୁଇ ଜଣ ।

 

ଅନେକ କବିତା ଲେଖିଲେ କିଟ୍‍ସ । ବହି ପ୍ରକାଶ ପାଇବା ଉଚିତ ।

 

ପାଣ୍ଡୁଲିପି ଓ ଛାପା ଲେଖା ହ୍ୟାଣ୍ଟ ସାହେବ ପଢ଼ିଲେ । ଭବିଷ୍ୟତ ବଜାରରେ ପ୍ରଚୁର ଅର୍ଥ ଏହି ବହି ପ୍ରକାଶନରୁ ମିଳିବ ବୋଲି ଆଶାୟୀ ହୋଇଉଠିଲେ ।

 

ସେହି ଆଶା ନେଇ ପ୍ରକାଶନର ଯୋଗାଡ଼ କଲେ ହ୍ୟାଣ୍ଟ ସାହେବ ।

 

ବହି ପ୍ରକାଶ ପାଇଲା ।

 

ବହି ପ୍ରକାଶନର ମାସକ ପରେ ପ୍ରକାଶକ ଜଣାଇଲେ, “ଏହି ବହି ପ୍ରକାଶ କରି ଚରମ ଅବିବେକିତାର ପରିଚୟ ଦେଇଛନ୍ତି । ଦୁଇ ଚାରିଖଣ୍ଡ ବହି ବିକ୍ରି ହୋଇଥିଲା । ପରେ କ୍ରେତାମାନେ ଗାଳିଦେଇ ବହି ଫେରାଇ ଦେଇଛନ୍ତି ।”

 

ହାୟରେ ଦୁର୍ଭାଗ୍ୟ ।

 

କବିତା ଲେଖି ଜୀବନ ବଞ୍ଚାଇବାକୁ ଯିଏ ଜୀବନରେ ପଣ କରିଛି, ଏ ଖବରରେ ସେ କ’ଣ ମ୍ରିୟମାଣ ହେବନି !

 

ମ୍ରିୟମାଣ ହେଲେ, କିନ୍ତୁ କବିତା ଲେଖିବାର ନିଶା ଛାଡ଼ିଲା ନାହିଁ ।

 

ବୃହତ୍ କାବ୍ୟ “ଏନ୍ ଡାଇମିୟେନା” ବହି ପ୍ରକାଶ ପାଇଲା । ବହିର କାଟତି ହେଲା ନାହିଁ । କିଟ୍‍ସଙ୍କର ବିଶ୍ଵାସ ଥିଲା, ଏହି ବହି ଅଜସ୍ର ବିକ୍ରି ହେବ । ସେହି ରୟେଲଟିରେ ଇଉରୋପ ବୁଲିଆସିବା ପାଇଁ ଯଥେଷ୍ଟ ପଇସା ହେବ ।

 

‘ଏନ୍ ଡାଇମିୟେନା” ବହିର ରିଭ୍ୟୁ ହ୍ୟାଣ୍ଡ୍ ସାହେବ କରିପାରିଲେ ନାହିଁ ।

 

ହ୍ୟାଣ୍ଟ୍‍ ସାହେବ ତରୁଣ କବି ଓ ଲେଖକମାନଙ୍କୁ ବିନାକାରଣରେ ଭୁରି ଭୁରି ପ୍ରଶଂସା କରନ୍ତି ବୋଲି ଲୋକମାନଙ୍କର ଧାରଣା ହୋଇଥିଲା । ତେଣୁ ଏ ବହିର ରିଭ୍ୟୁ ନକରି ନୀରବ ରହିଲେ ।

 

ଅନ୍ୟ ପକ୍ଷରେ ରକ୍ଷଣଶୀଳ ଦଳ ଏ ବହିର ବଦନାମ କରି ବସିଲେ ।

 

‘ଏନ୍ ଡାଇମିୟେନା” ପ୍ରକାଶିତ ହେବାପରେ ରକ୍ଷଣଶୀଳ ଦଳର କ୍ଵାଟରଲି ରିଭ୍ୟୁ, କ୍ଵାକଭୀଲ ମାଗାଜିନ୍‍ରେ କୁତ୍ସିତ ସମାଲୋଚନା କରାଗଲା । ଏପରିକି ବ୍ୟକ୍ତିଗତ ଭାବରେ କିଟ୍‍ସଙ୍କୁ ଗାଳି ଦିଆଗଲା ।

 

କିଟ୍‍ସ ବ୍ୟଥିତ ହେଲେ । କିନ୍ତୁ ସମାଲୋଚନାର ଉତ୍ତର ଦେଲେ ନାହିଁ ।

 

ଏ ସବୁ ବୀଭତ୍ସ ପ୍ରଚାର ପରେ “ଏନ୍ ଡାଇମିୟେନା” ବହି ଆଦୌ ବିକ୍ରି ହେଲା ନାହିଁ ।

 

ବିକ୍ରି ନ ହେବାରୁ ପ୍ରକାଶିତ ବିବ୍ରତ ହୋଇ ଓଜନ ଦରରେ ଠୁଙ୍ଗାପାଇଁ ଏ ସବୁକୁ ବିକ୍ରି କଲେ ।

 

ହାୟରେ ଦୁର୍ଭାଗ୍ୟ !!! କିଏ ସେତେବେଳେ ଏହି ଅମୂଲ୍ୟ କାବ୍ୟର ପ୍ରତିଭାର ପରିଚୟ ପାଇଥିଲା ? ପରେ ଖଣ୍ଡିଏ ଖଣ୍ଡିଏ ବହିର ଦାମ୍ ଦୁଇ ହଜାର ଚାରିଶ ପାଉଣ୍ଡ ଦାମରେ ବିକ୍ରି ହୋଇଥିଲା ।

 

ସେତେବେଳେ ଆଉ କିଟ୍‍ସ ଇହଧାମରେ ନଥିଲେ ।

 

ଏହା ହେଉଛି ନିୟତିର ଚରମ ଉପହାସ ।

 

ଏହାପରେ ୧୮୧୮ ସାଲରେ କିଟ୍‍ସଙ୍କର ଛୋଟଭାଇ ବିବାହ କଲେ ଜର୍ଜିୟାନାକୁ ।

 

ଜର୍ଜିୟାନା ଅପୂର୍ବ ସୁନ୍ଦରୀ ନଥିଲେ । କିନ୍ତୁ ଭରା ଯୌବନର ମାଦକତାରେ ସେ ଉଛୁଳି ଉଠୁଥିଲେ ।

 

କିଟ୍‍ସ ନିଜର ଭାଇବୋହୂଙ୍କୁ ଭାରି ସ୍ନେହ କରୁଥିଲେ ।

 

ଏହି ସମୟରେ ସେ ମେରି ଫ୍ରେମଲେଙ୍କୁ ଭାରି ଭଲ ପାଉଥିଲେ । ମେରି ଥିଲେ ତାଙ୍କ ବନ୍ଧୁ ରିଚାର୍ଡ଼ ଉଡ଼୍ ହାଉସଙ୍କ ଭଉଣୀ । ସେ ଭାରି ସୁନ୍ଦରୀ ।

 

କିଟ୍‍ସ କେତେକ କବିତା ତାଙ୍କର ଉଦ୍ଦେଶ୍ୟରେ ଲେଖିଥିଲେ ।

 

ଜର୍ଜିୟାନାର ମେରି ପ୍ରତି ଭଲ ଧାରଣା ନଥିଲା । ତେଣୁ ମେରିଙ୍କ ପ୍ରଭାବରୁ ତାଙ୍କୁ ମୁକ୍ତି କଲେ । ଅଳ୍ପ ଦିନ ପରେ ଜର୍ଜ ଜର୍ଜିୟାନାଙ୍କୁ ନେଇ ଆମେରିକା ଚାଲିଗଲେ ।

 

କିଟ୍‍ସ ଦାମ୍ପତ୍ୟ ଜୀବନ ପ୍ରତି ବୀତସ୍ପୃହ ଥିଲେ । କିନ୍ତୁ ନିଜ ଭାଇ ବିବାହ କରିବା ପରେ ଦାମ୍ପତ୍ୟ ଜୀବନରେ ପ୍ରଭାବ ତାଙ୍କ ଉପରେ ପଡ଼ିଲା ।

 

ମିସେସ୍ ଜର୍ଜିୟାନା ।

 

ମିସେସ୍ ଇସାବେଲା ଓ ଜେନେକନ୍ନା ତାଙ୍କୁ ବିବାହ କରିବାପାଇଁ ପ୍ରଭାବ ପକାଇଥିଲେ-

 

ଇସାବେଲାଙ୍କୁ ନେଇ ସେ ଲେଖିଲେ “ଇଭ ଅଫ୍ ସେଣ୍ଟ ଆଗ୍‍ନିଲା” ।

 

ଏହାପରେ କବିଙ୍କ ଜୀବନରେ ପ୍ରଣୟିନୀ ଭୂମିକାରେ ଆସିଲେ ବ୍ରେନର୍ ତରୁଣୀ କନ୍ୟା ଫ୍ୟାନି । ଫ୍ୟାନି କବିଙ୍କୁ ପ୍ରେମରେ ଅନ୍ଧକରି ପକାଇଥିଲେ ।

 

ସେତେବେଳେ କିଟ୍‍ସଙ୍କ ମନର ଅବସ୍ଥା ଭଲ ନଥାଏ । ଚାରିଆଡ଼େ ତାଙ୍କ କବିତା ଓ ଲେଖା ନେଇ କୁତ୍ସିତ ସମାଲୋଚନା ଚାଲିଥାଏ । ସେ ବୁଲି ବୁଲି ସେ ସମାଲୋଚନାଗୁଡ଼ିକ ପଢ଼ନ୍ତି-। କବିତାକୁ ଛାଡ଼ି କିଟ୍‍ସଙ୍କ ବିଷୟରେ ଅନେକ ଖରାପ କଥା ବିଭିନ୍ନ ସାହିତ୍ୟିକ ପତ୍ରିକାରେ ପ୍ରତିକ୍ରିୟାଶୀଳ ଲୋକମାନେ ଲେଖୁଥାନ୍ତି ।

 

“ବ୍ଲାକ୍ ଉଡ଼” ମାଗାଜିନ୍‍ରେ ଲେଖାଥିଲା–

 

X X ବାଳକ କିଟ୍‍ସ ଥିଲେ ଔଷଧ ଦୋକାନର ବୟ । ଦିନେ ପରଗେଟିଭ୍ ଖାଇ ଦେଲେ । ଅନେକ ଲକ୍ଷଣ ତା’ପରେ ଦେଖାଗଲା । କବିତା ଲେଖିବା ସେ ଲକ୍ଷଣ ଭିତରୁ ଗୋଟିଏ-

 

ବାବୁ କବିତା ନ ଲେଖି ଔଷଧ ଦୋକାନକୁ ଫେରିଯାଅ ।

 

ଏ ସବୁ ପଢ଼ି ଭାଙ୍ଗିପଡ଼ିଲେ କିଟ୍‍ସ । କବିତା ଛାଡ଼ି ଦେବାପାଇଁ ସ୍ଥିର କଲେ ।

 

ତାଙ୍କ ଛୋଟଭାଇ ଟମ୍‍ର ଯକ୍ଷ୍ମା ରୋଗ ହେଲା । ସେ ସବୁବେଳେ ଭାଇର ସେବା କରନ୍ତି । ସେବା କରୁ କରୁ ଭାବନ୍ତି, ତାଙ୍କୁ ଟି.ବି. ହେବ । ଶେଷରେ ଏହି ରୋଗରେ ସେ ମରିବେ ।

 

ଡିସେମ୍ବର ପହିଲା । ଶୀତର ପ୍ରକୋପ ଭୟଙ୍କର । ତାଙ୍କ ଜୀବନରେ ଆଉ ଗୋଟିଏ କରୁଣତମ ଦିବସ । ମାତୃ ପିତୃ ହୀନ ସାନ ଭାଇଟି ସେହି ରୋଗରେ ମରିଗଲେ ।

 

ଗଭୀର ଦୁଃଖରେ କିଟ୍‍ସ ଭାଙ୍ଗିପଡ଼ିଲେ । ବଧୁ ବ୍ରାଉନିଂ ସାନ୍ତ୍ଵନା ଦେଉଥାନ୍ତି ।

 

ବ୍ରାଉନିଂ ତାଙ୍କୁ ଘରକୁ ନେଇଗଲେ । ଏକୁଟିଆ ଛାଡ଼ିଲେ ନାହିଁ । ଜୀବନପ୍ରତି ଆହୁରି ବୀତସ୍ପୃହ ହୋଇ ଉଠିଲେ କିଛି ଭଲ ଲାଗିଲା ନାହିଁ ।

 

ବନ୍ଧୁ ବ୍ରାଉନିଂ କିଟ୍‍ସଙ୍କୁ ପରାମର୍ଶ ଦେଲେ “ବିବାହ ହୋଇପଡ଼, ନିଃସଙ୍ଗ ଜୀବନ ଆଉ ଭଲ ଲାଗୁନି ।”

 

ତ୍ରୟୋବିଂଶ ଜନ୍ମତିଥିର ଆତ୍ମଲିପିରେ ଲେଖିଲେ । “ମୁଁ ବିବାହ କରିବି ନାହିଁ । ଉଦ୍ଦାମ ଗତିରେ ମୋ ଜୀବନରେ ଯେଉଁ ବତାସ ବହି ଚାଲିଛି ସେ ହେଉଛି ମୋ ସ୍ତ୍ରୀ । ଆକାଶର ଅସଂଖ୍ୟ ନକ୍ଷତ୍ର ମୋର ସନ୍ତାନ ।

 

ଯୁବକ–ମନ କିନ୍ତୁ ପରେ ଫ୍ୟାନିବ୍ରନ୍ ପ୍ରତି ଆକୃଷ୍ଟ ହୋଇଥିଲା । ଫ୍ୟାନି ମଧ୍ୟ କିଟ୍‍ସ ପ୍ରତି ଆକୃଷ୍ଟ ହୋଇଥିଲେ । କାରଣ ମିସେସ୍ ଡି କ୍ଳକ ନିକଟରୁ ସେ କିଟ୍‍ସ ବିଷୟରେ ଜାଣିଥିଲେ-

 

କିଟ୍‍ସ ଜଣେ କବି, ପ୍ରଶାନ୍ତ ମନା; ହୃଦୟବାନ ସୁପୁରୁଷ ।

 

ଅଷ୍ଟାଦଶ ବୟସୀ ଫ୍ୟାନି ଦେଖିବାକୁ ଅପୂର୍ବ ସୁନ୍ଦରୀ ନଥିଲେ । ହେଲେ ଅଙ୍ଗସୌଷ୍ଠବ, ମୁଖଶ୍ରୀ ଅନିନ୍ଦ୍ୟ ସୁନ୍ଦର । ଯୁବକ ମନରେ ମନମତାଣିଆ ଶିହରଣ ଜଗାଇ ଦେଉଥିଲା । ବେଶ ପରିପାଟୀ ପାଇଁ ସେ ବେଶି ଯତ୍ନ ନେଉଥିଲେ ।

 

କିଟ୍‍ସ ବାଙ୍ଗର ଥିଲେ । ତାଙ୍କର ଉଚ୍ଚତାପାଇଁ ତାଙ୍କର ମନରେ ଗ୍ଳାନି ଥିଲା । ନିଜକୁ ଅନ୍ୟମାନଙ୍କ ସାଙ୍ଗରେ ତୁଳନା କରି ଲଜ୍ଜିତ ହେଉଥିଲେ । ଫ୍ୟାନି ଉଚ୍ଚତାରେ ତାଙ୍କର ସମକକ୍ଷ ଥିବାରୁ, ସେ ଫ୍ୟାନିକି ବେଶି ଭଲ ପାଇବାକୁ ଲାଗିଲେ ।

 

“ଏହି ଝିଅଟି ତାଙ୍କୁ ଅସମ୍ମାନ କରିବ ନାହିଁ, ତା’ର ଉଚ୍ଚତାପାଇଁ ଅନ୍ୟମାନଙ୍କ ପରି ୟାର ଗର୍ବ ନାହିଁ ।

 

ଟମ୍ ଯେତେବେଳେ ଯକ୍ଷ୍ମା ରୋଗରେ ଯନ୍ତ୍ରଣା ଭୋଗୁଥିଲା, କିଟ୍‍ସଙ୍କର ସେବା ଶୁଶ୍ରୂଷା ଫ୍ୟାନି ଶୁଣିଥିଲା ।

 

ଛୋଟଭାଇର ମୃତ୍ୟୁ ପରେ ଯେତେବେଳେ କିଟ୍‍ସ ଅତିଷ୍ଠ ହୋଇ ପଡ଼ିଲେ, ସେତେବେଳେ ଫ୍ୟାନି ଆସି ସାନ୍ତ୍ଵନା ଦେବାକୁ ଲାଗିଲା । କବିଙ୍କର ଅର୍ଥାଭାବ ଓ ଭ୍ରାତୃ ବିୟୋଗ ଦୁଃଖରେ ଫ୍ୟାନି ସହାନୁଭୂତିଶୀଳ ହୋଇ ପଡ଼ିଲେ । ମମତାରେ ଫ୍ୟାନିଙ୍କ ଜୀବନ ପୂରି ଉଠିଲା ।

 

ଏହି ମମତା ପ୍ରେମ ରୂପରେ ରୂପାନ୍ତରିତ ହୋଇ ଉଠିଲା ।

 

ମିସେସ୍ ବ୍ରନ୍ ମଧ୍ୟ କିଟ୍‍ସଙ୍କ ପ୍ରତି ସଦୟ ହୋଇ ଉଠିଲେ । ଝିଅର କିଟ୍‍ସଙ୍କ ପ୍ରତି ମମତା ଜନ୍ମିଛି ବୋଲି ସେ ଜାଣିଥିଲେ ସେତେବେଳକୁ ।

 

ଖ୍ରୀଷ୍ଟମାସ ପାଇଁ କିଟ୍‍ସ ଫ୍ୟାନିଙ୍କ ଘରକୁ ଯିବାପାଇଁ ନିମନ୍ତ୍ରଣ ପାଇଲେ । ମିସେସ୍ ବ୍ରନ୍‍ଙ୍କ ନିମନ୍ତ୍ରଣ ପାଇଁ କିଟ୍‍ସ ଗଲେ । ନିଜର ମନର କଥା ଜଣାଇ ଦେବାପାଇଁ କୃତସଂକଳ୍ପ ହୋଇଥିଲେ ।

 

ନିର୍ଜନରେ ଫ୍ୟାନିକୁ ପାଇ ସେ ମନର କଥା ଜଣାଇଲେ । କିଟ୍‍ସ ବିବାହ କରିବେ ଫ୍ୟାନିକୁ । ଚିରକୌମାର୍ଯ୍ୟ ଯାହାର ପଣ ସେ ପ୍ରଣୟ ମାଗି ବସିଛି ।

 

ଫ୍ୟାନି ଚିରକୌମାର୍ଯ୍ୟବ୍ରତୀ କବିଙ୍କର ବିବାହ ପ୍ରସ୍ତାବରେ ଆଶ୍ଚର୍ଯ୍ୟ ହେଲେ । ଏତେ ଚଞ୍ଚଳ ସେ ନିଜର ମନକଥା ଜଣାଇବେ ବୋଲି ସେ ଭାବି ପାରି ନଥିଲେ । ପ୍ରେମରୁ ପ୍ରଣୟ ରୀତି ଏମିତି ଚଞ୍ଚଳ ଘଟିବ ବୋଲି ଫ୍ୟାନି କଳ୍ପନା କରିପାରିଲେ ନାହିଁ ।

 

କିନ୍ତୁ କବି କିଟ୍‍ସ ଫ୍ୟାନିଙ୍କର ନୀରବତା ସହି ପାରିଲେ ନାହିଁ । ତେଣୁ ଦ୍ଵିତୀୟ ଥର ତାଙ୍କର ମନର କଥା ଜଣାଇ ସ୍ଵୀକୃତି ମାଗି ବସିଲେ ।

 

“କୁହ ଫ୍ୟାନି ! ମୋତେ ବଞ୍ଚାଅ...”

 

“ବଞ୍ଚିବାପାଇଁ ଚାହାନ୍ତି, ପ୍ରେମ ନୁହେଁ...

 

“ତମ ପ୍ରେମହିଁ ମୋ ଜୀବନ...

 

ଅଳ୍ପ ହସି ଉଠିଲେ ଫ୍ୟାନି–

 

“ମୋର ସନମତ ଅଛି ।”

 

କିଟ୍‍ସଙ୍କର ଜୀବନ ରଙ୍ଗିନ ହୋଇ ଉଠିଲା । ବାଲୁକାରାଶି ଉପରେ ନୂତନ ସୌଧର ମୂଳଦୁଆ ପଡ଼ିଗଲା ।

 

ଆନନ୍ଦ ମନରେ ଫେରିଲେ କିଟ୍‍ସ ନିଜ ବସାକୁ ।

 

ଅନେକ ଦିନର ଉପେକ୍ଷିତ ଆନନ୍ଦ ତାଙ୍କୁ ଗ୍ରାସ କରିଛି ।

 

ଫ୍ୟାନି ନିଜର ଆତ୍ମଲିପି ନେଇ ଲେଖିଲେ “ଆଜିର ଏ ଦିନ ମୋ ଜୀବନର ଏକ ସ୍ମରଣୀୟ ଲଗ୍ନ…

 

ଉପେକ୍ଷିତ କବି କିଟ୍‍ସ ଓ ତରୁଣୀ ଫ୍ୟାନିଙ୍କର ବିବାହପାଇଁ ସନମତି କେହି ଜାଣିପାରିଲେ ନାହିଁ । ନିରାଡ଼ମ୍ବର ଭାବରେ ଦୁଇ ଆତ୍ମା ମିଶି ଏକ ହୋଇଯିବା ସଂକଳ୍ପ କେବଳ ଅତି ଆପଣାର କେହି ଜଣେ ବନ୍ଧୁ ଜାଣିଥିଲେ ।

 

ବିବାହ ଶେଷ କରିଦେବା ପାଇଁ ସିଦ୍ଧାନ୍ତ କରିଦେଲେ । ହେଲେ ହେବ କେମିତି ? ଫ୍ୟାନି ଏପର୍ଯ୍ୟନ୍ତ ନାବାଳିକା । ତେଣୁ ମିସେସ୍ ବ୍ରନ୍‍ଙ୍କର ଅନୁମତି ନ ମିଳିଲେ ଏ ବିବାହ ହୋଇ ପାରିବ ନାହିଁ ।

 

କଳ୍ପନା ବିଳାସୀ କବି, ପ୍ରେମଲିପ୍‍ସୁ ଫ୍ୟାନି ଚମକି ଉଠିଲେ ।

 

ଫ୍ୟାନି ଯାଇ ମା’ଙ୍କୁ ବିବାହ ବିଷୟ ପ୍ରସ୍ତାବ ଦେଲେ । ମିସେସ୍ ବ୍ରନ୍ ରାଜି ହେଲେ । କିନ୍ତୁ କିଟ୍‍ସଙ୍କର ଆର୍ଥିକ ସ୍ଵଚ୍ଛଳତା ଆସିବା ପର୍ଯ୍ୟନ୍ତ ଏ ପ୍ରସ୍ତାବ ସ୍ଥଗିତ ରଖିବାପାଇଁ କହିଲେ ।

 

“ନିଜର ଚଳିବାପାଇଁ ସମ୍ବଳ ନାହିଁ ।” ପର ଝିଅଟିଏ ନେଇ କାହିଁକି ଏବେ ବେକରେ ବାନ୍ଧିବ । ପଇସା କମାଉ, ବାହାଘର ହେବ । ଝିଅର କ’ଣ ବିବାହପାଇଁ ବୟସ ହେଲାଣି ?

 

କିଟ୍‍ସ ନିରାଶ ହେଲେ ।

 

ଫ୍ୟାନି ତଥାପି ନିୟମିତ ଆସୁଥିଲେ । ଆଳାପ କରୁଥିଲେ । ସାଙ୍ଗ ହୋଇ ବୁଲି ଯାଉଥିଲେ ।

 

କିଟ୍‍ସ ନିଜର କବିତା ଆବୃତ୍ତି କରି ପ୍ରେମିକାକୁ ଶୁଣାନ୍ତି ।

 

ଏହି ସମୟରେ ଯେଉଁ କବିତା ଲେଖିଥିଲେ, ଜୀବନରେ ନିର୍ଜାସ ଦେଇ ଲେଖିଥିଲେ ।

 

ବିଛଣାରେ ପଢ଼ି ପଢ଼ି ଚିଠି ଲେଖୁଥିଲେ ଫ୍ୟାନିକୁ । ଜୀବନର ବ୍ୟଥା ବୋଳିହୋଇ ଯାଇଥିଲା ସେ ଚିଠିରେ ।

 

ଇଂରେଜୀ ସାହିତ୍ୟରେ ଏ ଚିଠିଗୁଡ଼ିକ ଅମୂଲ୍ୟ ସମ୍ପଦ ।

 

ଏପରି ଭାବରେ ଛଅ ମାସ ବିତିଗଲା ପରେ, କିଟ୍‍ସଙ୍କ ଗଳାରେ ରୋଗ ହେଲା । ଆର୍ଥିକ ଅବସ୍ଥା ଅତିବ ଶୋଚନୀୟ ।

 

ଔଷଧ ଦୋକାନରେ ଚାକିରି ଖଣ୍ଡେ ପାଇବାକୁ ଧାଇଁଲେ । ଖାଇବାକୁ ପଥ୍ୟ ନାହିଁ କି ଚିକିତ୍ସାପାଇଁ ସମ୍ବଳ ନାହିଁ ।

 

ବ୍ରାଉନିଂ ଆପତ୍ତି କଲେ ।

 

“ଚାକିରି କରିବାକୁ ହେବ ନାହିଁ–ଆହୁରି ଆହୁରି ଲେଖିବାକୁ ହେବ ।”

 

“ବଞ୍ଚିବି କେମିତି ?”

 

“ଔଷଧ ଦୋକାନରେ ତମର ପ୍ରତିଭା ପ୍ରକାଶ ପାଇବ ନାହିଁ । କବିତାରେହିଁ ତୁମେ ଯୁଗଯୁଗକୁ ବଞ୍ଚି ରହିବ ।”

 

ଚାକିରି କରିବା କଥା ନୋହିଲା । ରୁଗ୍‍ଣ କିଟ୍‍ସ ଅଧୀର ହୋଇ ପଡ଼ୁଥିଲେ ଫ୍ୟାନିର ବିରହରେ । ବିଛଣାରେ ପଡ଼ି ରହି ଛଟପଟ ହେବା ବ୍ୟତୀତ ଆଉ ଗତି ନଥିଲା ।

 

ଫ୍ୟାନିକୁ ନେଇ ବୁଲି ଯିବାର ପିପାସା ବେଳେବେଳେ ଉଗ୍ର ହୋଇ ପଡ଼େ । କିନ୍ତୁ ସେ ନିୟମିତ ଭାବରେ ଆସିବା ବନ୍ଦକରି ଦେଇଥିଲେ ।

 

ତେଣେ ମିସେସ୍ ବ୍ରାଉନିଂ ଘରକୁ ସୁଦର୍ଶନ ଯୁବକମାନଙ୍କୁ ନିମନ୍ତ୍ରଣ କରି ଝିଅ ସାଙ୍ଗରେ ଆଳାପ ପରିଚୟ କରୁଥାନ୍ତି । ସେମାନଙ୍କ ସାଙ୍ଗରେ ବୁଲିବାକୁ ଫ୍ୟାନିକୁ ପଠାନ୍ତି । ସେ ଚାହୁଁଥିଲେ ଫ୍ୟାନି କିଟ୍‍ସଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରୁ ।

 

ରୋଗରେ ପଡ଼ି ପଡ଼ି କିଟ୍‍ସଙ୍କର ସ୍ୱାସ୍ଥ୍ୟହାନି ଘଟିଥିଲା । ଏଣେ ମିସେସ୍ ବ୍ରାଉନିଂଙ୍କର ଫ୍ୟାନିକୁ ଅନ୍ୟତ୍ର ବିବାହ କରାଇ ଦେବାର ଉଦ୍ୟମ କଥା ଶୁଣି ସେ ଆହୁରି ଅସୁସ୍ଥବୋଧ କଲେ ।

 

ଫ୍ୟାନି ଆଉ ଆସୁନି । ଅନ୍ୟ ପୁରୁଷ ସଙ୍ଗରେ ମଉଜ ମଜଲିସରେ ମଜି ଗଲାଣି । କିଟ୍‍ସଙ୍କର କଥା ଭାବିବ କାହିଁକି ? କାହିଁକି ଆଉ ଆସି ତାଙ୍କ ରୋଗ–ଶଯ୍ୟାରେ ହତାଶ ବାଣୀ ଶୁଣାଇବ ?

 

ପାର୍ଟି, ଥିଏଟର, ଆମୋଦ ପ୍ରମୋଦ ଛାଡ଼ି ତାଙ୍କ ରୋଗଶଯ୍ୟାରେ ଭାଗୀଦାର ଫ୍ୟାନି କାହିଁକି ହେବ ?

 

କିଛି ଭାବିପାରନ୍ତି ନାହିଁ କିଟ୍‍ସ ।

 

ଫ୍ୟାନି ତାଙ୍କର କିଏ ? ବଳପୂର୍ବକ କେହି କ’ଣ ନିଜର କରିପାରିବ ?

 

ହେଲେ ଏହି ଯୁକ୍ତି ତାଙ୍କୁ ସାନ୍ତ୍ଵନା ଦିଏନା ।

 

ଦେହରେ ଜୀବନ ନାହିଁ । ମନରେ ଝଡ଼ ।

 

ଏହି ଅବସ୍ଥାରେ କିଟ୍‍ସ ଲେଖିଲେ, “ଓଡ଼୍ ଅନ୍ ଏ ନାଇଟ୍‍ଙ୍ଗେଲ” ଓ “ଓଡ଼୍ ଅନ୍ ଏ ଗ୍ରୀସିୟାନ୍ ଆର୍ଣ୍ଣ ।”

 

ଘର ଛାଡ଼ି ଚାଲିଲେ ଅବଶ ମନ ନେଇ ।

 

ଗଲାବେଳେ ଫ୍ୟାନିକି କହିଗଲେ । “ଭାଗ୍ୟ ପରିବର୍ତ୍ତନ ନହେଲେ ଆଉ ଫେରିବି ନାହିଁ-।”

 

ଗୃହ ଛାଡ଼ି ଆସିବା ପରେ ସେ ଫ୍ୟାନିକୁ ଚିଠି ଲେଖୁଥିଲେ । ଉତ୍ତର ମଧ୍ୟ ପାଉଥିଲେ । ଫ୍ୟାନିର ଚିଠି ପାଇଲେ ଆତ୍ମବିସ୍ମୃତି ହୋଇ ଉଠୁଥିଲେ । ଭାବୁଥିଲେ ଫ୍ୟାନିର ପ୍ରେମକୁ ଅସ୍ଵୀକାର କରିବାପାଇଁ । ଫ୍ୟାନି ପ୍ରକୃତରେ ତାଙ୍କୁ ଭଲ ପାଏ ।

 

ଭାବପ୍ରବଣ ହୋଇ ଥରେ ଫ୍ୟାନିକୁ ଲେଖିଲେ...

 

XX ମୋର ଦୁଇଟି କାମନା ମୋତେ ବିବ୍ରତ କରୁଛି । ତମର ଭରା ଯୌବନ ଓ ମୋର ନିଶ୍ଚିତ ମୃତ୍ୟୁ । ମୃତ୍ୟୁ ମୁହୂର୍ତ୍ତରେ ତମକୁ ପାଇଲେ ମୋର ମରଣ ଅମୃତରେ ରସାୟିତ ହୁଅନ୍ତା XX

 

କେତେ ମାସ ପରେ କିଟ୍‍ସ ପୁଣି ଘରକୁ ଫେରି ଆସିଲେ । କିନ୍ତୁ ଆର୍ଥିକ ଅବସ୍ଥା ପୂର୍ବପରି ଥିଲା ।

 

ଥଣ୍ଡା ଲାଗି ଦେହ ଆହୁରି ଖରାପ ହେଲା ।

 

ବ୍ରାଉନିଂ ତାଙ୍କୁ ଦେଖି ଉଦ୍‍ବିଗ୍ନ ହୋଇପଡ଼ିଲେ ।

 

“ଜ୍ଵର ହୋଇଛି ନା ଆଉ କ’ଣ ?”

 

କିଟ୍‍ସ କିଛି ଉତ୍ତର ନ ଦେଇ ବ୍ରାଉନିଂଙ୍କ ସଂଲଗ୍ନ ଅନ୍ଧାରୁଆ କୋଠରୀକି ନେଇ କିଛି ନ କହି କାନ୍ଦି ଉଠିଲେ । ଭୟଙ୍କର କାଶ ହେଲା । କାଶ ଥମିଗଲାକ୍ଷଣି ଚିତ୍କାର କଲେ, “ବନ୍ଧୁ ! ଆଲୁଅ ନେଇଆସ, ହଁ, ଆଲୁଅ ଆଣ ।” ପୁଣି କାଶ ।

 

ଆଲୁଅ ଆଣି ବ୍ରାଉନିଂ ଦେଖି ଚମକି ପଡ଼ିଲେ–ଝଲକା ଝଲକା ରକ୍ତ କିଟ୍‍ସ ବାନ୍ତି କରିଛନ୍ତି ।

 

“ଆଲୁଅ ଦେଖାଅ–ମୁଁ ଭଲ ଭାବରେ ରକ୍ତଟା ଦେଖିବି–ଠିକ୍ ଠିକ୍ ବ୍ରାଉନିଂ ! ମୋତେ ଟି.ବି.” କହୁ କହୁ ପୁଣି କାଶି ଉଠିଲେ କିଟ୍‍ସ ।

 

କାଶ ବନ୍ଦ ହେବା ସଙ୍ଗେ ସଙ୍ଗେ ବ୍ରାଉନିଂ ତାଙ୍କୁ ବିଛଣା ଉପରକୁ ନେଇଗଲେ ।

 

“ମା’ ମଲା–ଟମ୍ ମଲା ଏଇ ରୋଗରେ । ମୁଁ ମଧ୍ୟ ମରିବି ବ୍ରାଉନିଂ ।”

 

“ଆଶ୍ଵସ୍ତ କଲେ ବ୍ରାଉନିଂ ।”

 

“ଏହି ରକ୍ତର ରଙ୍ଗ ମୋର ଅତି ପରିଚିତ । ଆର୍ଟିରିରୁ ରକ୍ତ ଆସିଛି, ଏ ହେଉଛି, ମୋର ମୃତ୍ୟୁର ପରୱାନା ।”

 

ୟେ ସମ୍ବାଦ ଶୁଣି ଫ୍ୟାନି ଯିବାଆସିବା କଲେ ।

 

ଫ୍ୟାନି କିଟ୍‍ସଙ୍କୁ ଜବାବ ଦେଲେ ସେ ଭଲ ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।

 

ସେ ତାଙ୍କୁ ଅନ୍ତରର ସହ ଭଲପାଏ ।

 

ଯକ୍ଷ୍ମା ରୋଗ ସଙ୍ଗେ ସଙ୍ଗେ ‘ଫ୍ୟାନି ରୋଗ’ କବିଙ୍କ ମନକୁ ବେଶି ଅସୁସ୍ଥ କରି ପକାଇଥିଲା ।

 

ଫ୍ୟାନି ଆସିଲେ କବି ଉତ୍ତେଜିତ ହୋଇ ପଡ଼ୁଛନ୍ତି ବୋଲି ବ୍ରାଉନିଂ ଉପଲବ୍ଧି କଲେ ।

 

ତେଣୁ ବ୍ରାଉନିଂ ଫ୍ୟାନିକୁ ସବୁ କଥା ବୁଝାଇ କିଟ୍‍ସଙ୍କ ପାଖକୁ ନ ଆସିବାପାଇଁ ଅନୁରୋଧ କଲେ ।

 

କିଟ୍‍ସ ଜାଣିପାରି ଫ୍ୟାନିକୁ ଲେଖିଲେ “ବ୍ରାଉନିଂ ନଥିବାବେଳେ ତମେ ଆସ, ମରିବି ଯଦି ତମକୁ ଦେଖି ତମରି ଆଗରେ ମରିବି X X ।

 

ଦିନ ଗଡ଼ି ଚାଲିଲା ।

 

କିଟ୍‍ସଙ୍କର ଅବସ୍ଥା ଶୋଚନୀୟ ହୋଇ ଉଠିଲା ।

 

ଫ୍ୟାନି ଅନେକ ସମୟରେ ଆସି ସେବା ଯତ୍ନ କରୁଥାନ୍ତି । କିନ୍ତୁ କିଟ୍‍ସଙ୍କ ମନରେ ରୋଗ । ଯେତେ ଆନ୍ତରିକତା ସହିତ ଫ୍ୟାନି ସେବା କଲେ ମଧ୍ୟ, ସେ ଅନ୍ୟକୁ ଭଲ ପାଉଛି ବୋଲି ତାଙ୍କର ଧାରଣା ଜନ୍ମିଛି ।

 

ଇଂଲଣ୍ଡର ପ୍ରଚଣ୍ଡ ଶୀତରେ ବଞ୍ଚିବା ସନ୍ଦେହଜନକ ହେଲା ।

 

୧୮୨୦ ମସିହା ସେପ୍‍ଟେମ୍ବର ୨ୟ ସପ୍ତାହରେ ତାଙ୍କୁ ଇଟାଲୀ ପଠାଇ ଦେବାପାଇଁ ବ୍ରାଉନିଂ ସବୁ ଠିକ୍‍ଠାକ୍‍ କରିଦେଲେ ।

 

କିଟ୍‍ସଙ୍କର ବାଲ୍ୟବନ୍ଧୁ ଶିଳ୍ପୀ ସେଭାର୍ଣ୍ଣ ସଙ୍ଗରେ ଯିବେ । ଶିଳ୍ପୀଙ୍କର ପରିବାର ବର୍ଗ ଟି.ବି. ପେସେଣ୍ଟ୍ ସାଙ୍ଗରେ ଯିବାକୁ ପସନ୍ଦ କରୁ ନଥିଲେ । କିନ୍ତୁ ବନ୍ଧୁ ଶିଳ୍ପୀ ସେଭାର୍ଣ୍ଣ ତାଙ୍କ ନିଷ୍ପତ୍ତିରେ ଅଟଳ ।

 

ଏସବୁ ଆୟୋଜନ ସତ୍ତ୍ୱେ କିଟ୍‍ସ ଫ୍ୟାନିକୁ ଛାଡ଼ି ଇଟାଲୀ ଯିବାକୁ ରାଜି ହେଲେ ନାହିଁ-। ଫ୍ୟାନିକୁ ଛାଡ଼ି ଯିବେ ନାହିଁ, ଏହି ଜିଦ୍ ।

 

ଶେଷରେ ସମସ୍ତେ ବାଧ୍ୟ କଲେ । ବନ୍ଧୁଙ୍କ ସଙ୍ଗେ ଇଟାଲୀ ଯାତ୍ରା କଲେ । ଅକ୍‍ଟୋବର ଶେଷ ଭାଗରେ ଇଟାଲୀ ବନ୍ଦରରେ ସେମାନେ ପହଞ୍ଚିଲେ ।

 

ଯାତ୍ରା କରିବା ପୂର୍ବରୁ କିଟ୍‍ସ ଫ୍ୟାନିକୁ ତାଙ୍କର କେତେଖଣ୍ଡ ବହି, ନିଜର ଖଣ୍ଡିଏ ଫଟୋ ଆଉ କେତେକ ଆବଶ୍ୟକୀୟ ପଦାର୍ଥ ଦେଇଥିଲେ ।

 

ଫ୍ୟାନି କିଟ୍‍ସଙ୍କୁ ଦେଇଥିଲେ ଗୋଟିଏ ପକେଟ୍ ବହି, କାଗଜକଟା ଛୁରି, ଆଉ ଡିମ୍ବାକୃତି ସାଧା କୋର୍ଣ୍ଣେଲିୟାନ ।

 

ସମସ୍ତ ବିପଦରୁ କୋର୍ଣ୍ଣେଲିଆନ୍ କିଟ୍‍ସଙ୍କୁ ରକ୍ଷା କରିବ ବୋଲି ଫ୍ୟାନିର ବିଶ୍ଵାସ ।

 

ଏହା ଛଡ଼ା କିଟ୍‍ସ ଫ୍ୟାନିର କେରାଏ କେଶଗୁଚ୍ଛ କାଟି ନେଇଥିଲେ ।

 

ନେପଲସରୁ ବ୍ରାଉନିଂଙ୍କୁ କିଟ୍‍ସ ଲେଖିଥିଲେ ।

 

X X ମରିବାକୁ ମୋର ଡର ନାହିଁ । ହେଲେ ତାକୁ ଛାଡ଼ିଯିବି ଭାବି ବସିଲେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ।

 

ତାକୁ ଚିଠି ଲେଖିବାକୁ ମୁଁ ଭୟ କଲେ । ତା’ଠାରୁ ଚିଠି ପାଇବାକୁ ମଧ୍ୟ ଭୟ କରେ । ତା’ ହାତ ଅକ୍ଷର ଲେଖା ମୋ ଆଖିରେ ପଡ଼ିଲେ ମୁଁ ଆହୁରି ଭାଙ୍ଗିପଡ଼ିବି ।

 

ମୋ ଛାତିରେ ନିଆଁ ଜଳୁଛି । ଆଶ୍ଚର୍ଯ୍ୟ !!! ମଣିଷ ଏତେ କଷ୍ଟ ସହିପାରେ, ବ୍ରାଉନିଂ ।

 

ମୁଁ ଏମିତି ଭାବରେ ଶେଷ ହୋଇଯିବି ବୋଲି କ’ଣ ଆସିଥିଲି ?

 

ରୋମରେ ଗୋଟିଏ ଘର ଭଡ଼ା ନେଇଥିଲେ ।

 

ଚିକିତ୍ସା କରିବାପାଇଁ ଡକ୍‍ଟର କ୍ଳର୍କ ଭାର ନେଲେ ।

 

କ୍ଳର୍କ ଡାଏଗୋନିସ୍ କଲେ, ଯକ୍ଷ୍ମା ନୁହେଁ ପାକସ୍ଥଳୀରେ ରୋଗ ହୋଇଛି ।

 

ପ୍ରକୃତରେ ଡକ୍‍ଟର କ୍ଳର୍କଙ୍କର ଡାଏଗୋନିସ୍ ଠିକ୍ ନଥିଲା । ଟି.ବି. ହୋଇଥିଲା ।

 

ଚିକିତ୍ସା ଡାଏଗୋନିସ୍ ଅଭାବରୁ ବିଭ୍ରାଟ ଘଟିଲା ।

 

ମୃତ୍ୟୁ ପାଖେଇ ଆସିଲା ।

 

ଫ୍ୟାନିଠାରୁ ଚିଠି ପାଇଲେ । ଲଫାଫା ଉପରେ ଲେଖାଲେଖି ହୋଇଥିବା ହସ୍ତାକ୍ଷର ଦେଖି ଅତ୍ୟନ୍ତ ଉତ୍ତେଜିତ ହୋଇଉଠିଲେ କିଟ୍‍ସ ।

 

ୟେ ଉତ୍ତେଜନା କମିଲା ସାତ ଦିନରେ । ଚିଠିଟି ଶିଳ୍ପୀ ବନ୍ଧୁ ଭାର୍ଣ୍ଣାଙ୍କୁ ବଢ଼େଇ ଦେଇ କହିଲେ “ଅସମ୍ଭବ, ଏ ଚିଠି ମୁଁ ପଢ଼ି ପାରିବି ନାହିଁ, ମୋ କବରରେ ଏ ଚିଠିକି ରଖିଦେବ ।”

 

ଚିଠିଟି ଲଫାଫାରେ ରହିଗଲା ।

 

କିଟ୍‍ସଙ୍କ ମୃତ୍ୟୁ ପରେ ତାଙ୍କ କବରରେ ଏ ଚିଠି ରଖାଗଲା ।

 

ଫ୍ୟାନି କବିଙ୍କୁ କ’ଣ ଲେଖିଥିଲେ ତାହା ଚିରଦିନ ପାଇଁ ଅଜଣା ରହିଗଲା ।

 

ନଭେମ୍ବର ୩୦ ତାରିଖରେ ବ୍ରାଉନିଂ ତାଙ୍କଠାରୁ ଶେଷ ଚିଠି ପାଇଥିଲେ ।

 

X X ମୋର ପ୍ରକୃତରେ ମରଣ ହୋଇଛି । X X

 

ଦଶ ସପ୍ତାହ ମୃତ୍ୟୁ ସଙ୍ଗେ ଯୁଦ୍ଧ କରି କରି କିଟ୍‍ସ ଫେବୃୟାରୀ ୧୩ ତାରିଖ ୧୮୨୧ ମସିହାରେ ଶେଷ ନିଃଶ୍ଵାସ ଛାଡ଼ିଲେ ।

 

କିଟ୍‍ସଙ୍କର ଶେଷ ସ୍ଵର ଅସ୍ପଷ୍ଟରୁ ସ୍ପଷ୍ଟ ହୋଇଉଠିଲା “ସେଭାର୍ଣ୍ଣ ! ମୋତେ ଉଠାଇ ଧର, ମରି ଯାଉଛି, ଭୟ କରନା, ଭଗବାନଙ୍କୁ ଧନ୍ୟବାଦ, ଏତେ ଦିନେ ମୁଁ ଜୟ କରିଛି, ମୃତ୍ୟୁ ଆସିଛି ।

 

ସେଭାର୍ଣ୍ଣ ଧୀରେ ବନ୍ଧୁକୁ ଛାତି ଉପରେ ଧରି ରଖିଲେ ସୁଦୀର୍ଘ ସାତ ଘଣ୍ଟା । ରାତ୍ରି ୧୧ଟାବେଳକୁ ସବୁ ଶେଷ ।

 

ଚବିଶବର୍ଷର ହତଭାଗ୍ୟ ପ୍ରେମିକ କବି ଜନ୍ କିଟ୍‍ସ ଶିଳ୍ପୀବନ୍ଧୁଙ୍କ କୋଳରେ ମହାନିଦ୍ରା ଗଲେ ।

 

ଅନ୍ତରରେ ଫ୍ୟାନି ।

 

ଦୂରରେ ବନ୍ଧୁ ବ୍ରାଉନିଂ ।

 

ବକ୍ଷରେ ଶିଳ୍ପୀ ବନ୍ଧୁ ସେଭାର୍ଣ୍ଣଙ୍କୁ ଅଜ୍ଞାତ ଭାବରେ ଆଧାର କରି, ଇଂରେଜ ସାହିତ୍ୟକୁ ରସାଣିତ କରି ସେ ଚାଲିଗଲେ ।

 

ପ୍ରୀତି–କମ୍ପିତା ଜାହାନ୍‍ଆରା

 

ରାତ୍ରିର ପ୍ରଥମ ପ୍ରହର ।

 

ଘଟଣା ବହୁଳ, ଅସହଣୀୟ; ଦୁଃଖଦାୟକ ଏଇ ଆଜିର ରାତ୍ରି । ବାହାରେ ବର୍ଷା ଓ ବତାସର ସୁସୁ ଶବ୍ଦ କାନରେ ଆସି ବାଜୁନି, ମନକୁ ଛୁଉଁନି ।

 

ସମ୍ରାଟ ଶାଜାହାନଙ୍କର ଅଲିଅଳି କନ୍ୟା ଜାହାନ୍‍ଆରାଙ୍କ ଆଖିରେ ନିଦ ନାହିଁ । ଅନ୍ତରରେ ଝଡ଼ । ତନ୍ଦ୍ରାନତ ହୋଇ ଯାଉଛି ମନ ।

 

ବାହାର ଝଡ଼ ସହିତ ମନର ଝଡ଼ ସମାନ୍ତର ଭାବରେ ଗତି କରୁଛି ।

 

ପ୍ରାସାଦର ପ୍ରକୋଷ୍ଠ ଭିତରେ ସେ ଅସ୍ଥିର ଭାବରେ ପଦଚାରଣ କରୁଛନ୍ତି ।

 

ଆଖି ଆଗରେ ତାଙ୍କର ଭାସି ଉଠୁଛି ମନର–ପୁରୁଷ ।

 

ବାହାର ଝଡ଼ ପରି ଦୁର୍ଜୟ ସେ । ମନର ମିଳନପାଇଁ ପୁରୁଷ ସେ ।

 

ଯୌବନ–କ୍ରାନ୍ତା ଜାହାନ୍‍ଆରା । ମର୍ମର ପ୍ରାଚୀରର ଜାଲି ମଧ୍ୟ ଦେଇ ‘ଦେୱାନୀ ଆମ୍’କୁ ଆସୁଥିବା ବହୁ ସୁଦର୍ଶନ ଯୁବକକୁ ଦେଖିଛନ୍ତି । କେତେକ ତାଙ୍କର ମନକୁ ଛୁଇଁଛନ୍ତି ମାତ୍ର କେହି ହେଲେ ତାଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରି ନାହାନ୍ତି । କଣ୍ଠାଗ୍ରତ ମିଳନ ପିପାସା ଜଗାଇ ନାହାନ୍ତି ।

 

ମଧ୍ୟାହ୍ନରେ ଶାହାଜାହାନଙ୍କଠାରୁ ଶୁଣିଥିଲେ ସନ୍ଧ୍ୟାରେ ଦରବାରକୁ ବୁଳେଲରାଜ ଆସୁଛନ୍ତି ।

 

ଚମ୍ପାକଢ଼ି ନିନ୍ଦି ଆଙ୍ଗୁଳିଗୁଡ଼ିକରେ ନିଜର ଚୂର୍ଣ୍ଣକୁନ୍ତଳଗୁଡ଼ିକୁ ସଜାଡ଼ି ନେଉ ନେଉ ଜାହାନ୍‍ଆରା ପଚାରିଲେ “ବାବା ! ସେ ଖୁବ୍ ବୀର ବୋଲି ଶୁଣିଛି ।”

 

ତରୁଣ ବୟସରେ ପୃଥିବୀ ଜୟ କରିବାପାଇଁ ତାଙ୍କର ସାହସ ଅଛି । ଜୀବନକୁ ପଣ କରି ନେତୃତ୍ଵ ଦେବାର ବଡ଼କୌଶଳ ଏହି ରାଜପୁତ୍ର । ବାସ୍ତବିକ ବୁନ୍ଦେଲ ରାଜ ଚୌହାନ ରାଜପୁତ ବଂଶର ରତ୍ନ ।

 

ସ୍ଵୟଂ ସାଜାହାନ ଯାହାର ପ୍ରଶଂସାରେ ପଞ୍ଚମୁଖ, ସେହି ବୀର ପୁରୁଷକୁ ଦେଖିବା ଲାଗି ଶାହାଜାଦୀ ଅଧୀର ହୋଇ ପଡ଼ିଥିଲେ ।

 

ସମ୍ରାଟ ଦରବାରକୁ ଚାଲିଯିବା ପରେ ପରେ ସେ ସ୍ପଟିକ ଜାଲିର ସାମ୍ନାରେ ଯାଇ ଛିଡ଼ା ହେଲେ । ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଲେ ବହୁସମର–ବିଜୟୀ ରୂପବାନ୍ ବୁନ୍ଦେଲ ରାଜା ରାଓ ଛତ୍ରଶାଳଙ୍କ ଆସିବା ବାଟକୁ ।

 

ଜାହାନରାଙ୍କ ହୃଦୟ ଦ୍ରବୀଭୂତ ହେଲା ।

 

ଦ୍ରୁତ–କମ୍ପିତ ପଦରେ ସେ ନିଜର ପ୍ରକୋଷ୍ଠକୁ ଫେରି ଆସିଲେ । ଆଖିକି ବିଶ୍ଵାସ କରି ହେଲା ନାହିଁ । ସାକ୍ଷାତ୍ ଦେବଦୂତ ଯେପରି ଦେୱାନୀଆମ୍‍କୁ ଓହ୍ଲାଇ ଆସି, ଆଲୋକିତ କରିଛନ୍ତି ।

 

ମୋଗଲ ରାଜକୁମାରୀ କ’ଣ ରାଜପୁତକୁ ଜୀବନ ସାଥୀ କରିପାରିବ ? ରାଜନୈତିକ କାରଣରୁ ରାଜପୁତ କୁମାରୀମାନେ ମୋଗଲ କୁମାରଙ୍କୁ ବରଣ କରିଛନ୍ତି ।

 

ଗଭୀର ଦୀର୍ଘଶ୍ଵାସ ଛାଡ଼ିଲେ ଜାହାନ୍‍ଆରା । ରାଜପୁତ ବାଳା ଓ ମୋଗଲ କୁମାରୀଙ୍କ କଥା ଏକତ୍ର ବିଚାର କରାଯାଇ ନପାରେ ।

 

ଆକାଶପାତାଳ ବ୍ୟବଧାନ ।

 

ପ୍ରାତଃସ୍ମରଣୀୟ ସମ୍ରାଟ ଆକ୍‍ବରଙ୍କର ଆଦେଶ, ତାଙ୍କ ବଂଶର କୌଣସି କନ୍ୟା ବିବାହ କରିପାରିବନି । ସେ ଆଦେଶ କଠୋର ଭାବରେ ପାଳିତ ହୋଇ ଆସୁଛି ।

 

ବେଳେବେଳେ ଜାହାନ୍‍ଆରାଙ୍କର ମନ ବିଦ୍ରୋହ କରି ଉଠେ । କି ଅବିଚାର !! ଗୋଲାପ ପାଖୁଡ଼ା ପରି ତାଙ୍କର ସେହି ଆଖିପତା ଦୁଇଟି ଲୁହରେ ଭିଜିଯାଏ । କାହିଁକି ଏ ଗୌରବଶାଳୀ ବଂଶରେ ତାଙ୍କର ଜନ୍ମ ହେଲା ? କାହିଁକି ସେ ଗୋଟିଏ ଭିକ୍ଷୁ ପରିବାରରେ ଜନ୍ମ ହେଲେନି !! ତେବେ ଏଇ କମନୀୟ ରୂପ ଆଉ ଯୌବନ କ’ଣ ଅବେଳରେ ନଷ୍ଟ ହୋଇଯିବ ?

 

ସାଜାହାନ୍ ସମୟେ ସମୟେ ବିଚଳିତ ହୋଇ ଉଠନ୍ତି । କନ୍ୟାକୁ ସ୍ନେହ ଆଦର କଲାବେଳେ, ତା’ର ନିଃସଙ୍ଗ ଜୀବନ ତାଙ୍କ ହୃଦୟକୁ ଆଘାତ ଦିଏ । ଆଦରଣୀୟା ଜାହାନ୍‍ଆରାର ବିବାହ କଥା ମନରେ ଉଠେ । ପୁଣି ପର ମୁହୂର୍ତ୍ତରେ ସମସ୍ତେ ଚିନ୍ତା କୁଆଡ଼େ ଉଭେଇ ଯାଏଁ । ବଂଶର ଐତିହକୁ ପାଳନ କରିବା ନିମିତ୍ତ ପିତୃ ହୃଦୟ ବିପ୍ଳବ କରି ଉଠେ ।

 

ସେ ଦିନର କଥା ମନେ ପଡ଼ୁଛି ଜାହାନ୍‍ଆରାର । କେବଳ ତା’ରି ପାଇଁ ଗୋଟିଏ ସୁନ୍ଦର ଜୀବନ ନଷ୍ଟ ହୋଇଗଲା । ନଓରୋଜ୍ ଉତ୍ସବ ପରେ ଶାୟେସ୍ତା ଖାଁ ଆସିଥିଲେ ଭାଣିଜୀ ସଙ୍ଗେ ସାକ୍ଷାତ୍ କରିବାକୁ । କୁଶଳ ପ୍ରଶ୍ନ ପଚାରିଲା ପରେ ସେ ଭାଣିଜୀ ବିବାହ ବିଷୟ ଚିନ୍ତା କରୁଥିବା କଥା ଜଣାଇଥିଲେ । ଲଜ୍ଜାରେ ଆଡ଼ ହୋଇଗଲେ ଜାହାନ୍‍ଆରା । ମଥା ନତ କରି ଛିଡ଼ା ହୋଇ ରହିଲେ ସେ ।

 

ଶାୟେସ୍ତା ଖାଁ କହିଲେ,–ଆଲାମ୍‍ପନାଙ୍କ ଆଗରେ ପ୍ରସ୍ତାବଟି ଉଠାଇବା ପୂର୍ବରୁ ତୋତେ ଜଣାଇବାର ଆବଶ୍ୟକତା ଅନୁଭବ କଲି । ପିଲାଟି ଭଲ, ଶିକ୍ଷିତ, ସୁପୁରୁଷ–ପାରସ୍ୟର ଏକ ଆଭିଜାତ୍ୟ ପରିବାରରେ ତା’ର ଜନ୍ମ । ଆଜି ତୋର ମା’ ଆର୍ଜମାନ୍ଦ–ବାନୁ ବଞ୍ଚି ନାହାନ୍ତି, ଏଣୁ ତୋର ଭଲମନ୍ଦ ଦେଖିବାର ଦାୟିତ୍ଵ ମୋର । ତୋର ଏଥିରେ ସ୍ଵୀକୃତି ଅଛି ତ ?

 

ଜାହାନ୍‍ଆରାର ହୃଦୟ ସ୍ପନ୍ଦିତ ହେଲା । ମନରେ ଦୁର୍ବାର ଆକାଂକ୍ଷା ଜାଗୁଛି, ପ୍ରଶ୍ନ ଉଠୁଛି, ବାଦ୍‍ଶାହାଜାଦୀର ପରିଣୟ ! ଏ କ’ଣ ସମ୍ଭବ ! ମାମୁ ଗୁରୁଜନ ଶ୍ରେଣୀୟ । ତେଣୁ କୌଣସି ପ୍ରଶ୍ନ ସେ ପଚାରି ପାରିଲେନି କି ଉତ୍ତର ଦେଇ ପାରିଲେନି ।

 

ନୀରବ ଭାବରେ ମୁଣ୍ଡ ପୋତି ଠିଆ ହୋଇ ରହିଲେ ଖାଲି । ମୌନ ସମ୍ମତିର ଲକ୍ଷଣ ଭାବି ଶାୟେସ୍ତା ଖାଁ ଆନନ୍ଦ ମନରେ ଚାଲିଗଲେ ।

 

ଜାହାନ୍‍ଆରାର ବିବାହ ପ୍ରସଙ୍ଗ ଉତ୍ଥାପନ କରିବାର ଆଗ୍ରହ ପଛରେ ଶାୟେସ୍ତାଖାଁଙ୍କର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ରହିଥିଲା । ଦରବାରରେ ନିଜର ପ୍ରତିଷ୍ଠାକୁ ଅଧିକ ସୁଦୃଢ଼ କରିବାକୁ ସେ ଚାହୁଁଥିଲେ । ସମ୍ରାଟଙ୍କର ନୟନପିତୁଳା, ଶାହାଜାଦୀର ବିବାହ ଯଦି ନିଜର ଏକ ଆତ୍ମୀୟ ସହିତ ଦେଇପାରନ୍ତି ତେବେ ତାଙ୍କର ପ୍ରଭାବ ଦରବାରରେ ପଢ଼ିଯିବ ।

 

ଯଥାସମୟରେ ସେ ପ୍ରସଙ୍ଗଟି ସମ୍ରାଟଙ୍କୁ ଜଣାଇଲେ । ପାରସ୍ୟ ଯୁବକ ନାଜାର ଖାଁର ପରିଚୟ ଦେଲେ । ସଙ୍କୋଚର ସହିତ ହେଲେବି ପୁରୁଣା ଅବାନ୍ତର ଐତିହକୁ ଧରି ରଖିବାର ଅସାରତା ସମ୍ପର୍କରେ ମଧ୍ୟ ସେ ମନ୍ତବ୍ୟ କଲେ ।

 

ପିତୃ ହୃଦୟର ବ୍ୟାକୁଳତା ଚିହିଁକି ଉଠିଲା । ସେ ପ୍ରଶ୍ନ କଲେ । ଜାହାନ୍‍ଆରାର ମତ ନିଆଯାଇଛି ତ ?”

 

–ସେ ରାଜି ଅଛି ଜାହାଁପନା ।

 

କିଛି ସମୟ ଚିନ୍ତା କଲାପରେ ଶାହାନ୍‍ସାହ କହିଲେ, “କାଲି ନାଜାର ଖାଁକୁ ଦରବାରକୁ ଡାକ, ମୁଁ କଥାବାର୍ତ୍ତା କରିବି ।

 

କଥାଟା ଲୁଚି ରହିଲାନି । ଚାରିଆଡ଼େ ବିଦ୍ୟୁତ୍ ବେଗରେ କଥାଟି ବିଛାଡ଼ି ହୋଇ ପଡ଼ିଲା । ବାଦ୍‍ଶାହାଜାଦୀର ବିବାହ !

 

ତା’ପରେ ଦିନ ଦରବାରରେ ତିଳଟିଏ ପକାଇବାକୁ ସ୍ଥାନ ରହିଲାନି । ଉଜିର, ନାଜୀର, ସିପାହ ସାଲାର, ଅମୀର, ଉମଗ୍ରହ, ମନ୍‍ସବ୍‍ଦା, ରୌଜିନ୍‍ଦାର, ତୌଜୀନ୍‍ବିସ୍‍ ପ୍ରଭୃତି ସମସ୍ତେ ନିଜ ନିଜର ଆସନ ଗ୍ରହଣ କଲେ । ବିଶ୍ଵ ବିଖ୍ୟାତ ମୟୂର ସିଂହାସନରେ ଉପବେଶନ କଲେ ଶାହାଜାହାନ୍ । ନାଜାର ଖାଁ କୁର୍ଣ୍ଣିସ କରି ଠିଆ ହେଲେ । ସମ୍ରାଟ ତାଙ୍କୁ ନିଜ ପାଖରେ ବସାଇଲେ । ଖୁସି ମନରେ ଅନେକ କଥା ଆଲୋଚନା କଲେ । ସମସ୍ତଙ୍କ ମନ ପ୍ରଫୁଲ୍ଲ–ଶାହାଜାଦୀଙ୍କର ଭବିଷ୍ୟତ ସମ୍ପର୍କରେ ସମସ୍ତେ ନିଶ୍ଚିନ୍ତ ।

 

ନାଜାର ଖାଁ ସଙ୍ଗେ କଥାବାର୍ତ୍ତା ଶେଷ କରି ସମ୍ରାଟ ଅନ୍ୟ କାର୍ଯ୍ୟରେ ମନ ଦେଲେ । ଦରବାର ଶେଷ ହେବା ପୂର୍ବରୁ ପୁଣି ଥରେ ନାଜାର ଖାଁକୁ ଡାକିଲେ । ମଣି–ମୁକ୍ତା ଖଚିତ ସୁନା ଥାଳିଆରୁ ପାନ ଉଠାଇ ଭାବୀ ଜାମାତାଙ୍କୁ ଖାଇବାକୁ ଦେଲେ । ସୌଭାଗ୍ୟର ପ୍ରତୀକ ଏଇ ପାନ ଖଣ୍ଡିଏ ନାଜାର ଅତି ଆଗ୍ରହର ସହ ଖାଇଲେ । ତା’ପରେ ସୁଖ ସ୍ଵପ୍ନରେ ବିଭୋର ହୋଇ ନିଜର ଗୃହକୁ ଫେରିଗଲେ । କିନ୍ତୁ ଫେରିବା ବାଟରେ ବିଷକ୍ରିୟା ଫଳରେ ତାଙ୍କର ମୃତ୍ୟୁ ହେଲା । ଯଥାସମୟରେ ଏହି ସମ୍ବାଦ ଜାହାନ୍‍ଆରାଙ୍କ ନିକଟରେ ପହଞ୍ଚିଲା । ହତଭାଗ୍ୟ ନାଜାର ଖାଁପାଇଁ ତାଙ୍କର ମନ ବାହୁନି ଉଠିଲା । ନିଜକୁ ଧିକ୍‍କାର କଲେ, ଏହି ଯୁବକର ମୃତ୍ୟୁପାଇଁ ସେ କ’ଣ ପରୋକ୍ଷରେ ଦାୟୀ ନୁହନ୍ତି ?

 

ରାତ୍ରି ଦ୍ଵିତୀୟ ପ୍ରହର ହେଲା ।

 

ବାନ୍ଦୀ ମରିୟମ୍ ଆସି ବିନୀତ କଣ୍ଠରେ କହିଲା–ରାତି ଅନେକ ହେଲାଣି, ଏଥର ବିଶ୍ରାମ କରନ୍ତୁ ।

 

ଜାହାନ୍‍ଆରା ମନ ସ୍ଥିର କରି ଫେରିଲେ । ମରିୟାମ୍‍ର କଥା ନମାନି ସେ ପତ୍ର ଲେଖି ବସିଲେ । ବିଦୁଷୀ ଶାହାଜାଦୀ ଶୀଘ୍ର ପତ୍ରଲେଖା ଶେଷ କରି କହିଲେ–ମରିୟାମ୍ ! ଖୋଜା ଫତେ ଖାଁକୁ ଡାକ ।

 

–ଏତେ ରାତ୍ରିରେ– ?

 

ମନେମନେ ହସିଲେ ଜାହାନ୍‍ଆରା । ମରିୟାମ୍ ହୁଏତ ଜାଣିନି ବର୍ତ୍ତମାନ ସେ କେତେ ବେପରୁଆ । ମନ ଆଉ କୌଣସି ନିୟମ କାନୁନ ମାନିବାକୁ ପ୍ରସ୍ତୁତ ନୁହେଁ ।

 

ସେ ମୃଦୁ ଗଳାରେ କହିଲେ–ମୋର ଆଦେଶ ପାଳନ କର ।

 

ମରିୟାମ୍ ଦ୍ରୁତପଦରେ କକ୍ଷ ତ୍ୟାଗ କଲା । ଫତେ ଖାଁ ଅନ୍ତଃପୁରର ପ୍ରଧାନ–ଖୋଜା । ଜାହାନ୍‍ଆରାର ଅତି ବିଶ୍ଵସ୍ତ । କିଛିକ୍ଷଣ ପରେ ଫତେ ଖାଁ ଉପସ୍ଥିତ ହେଲା ।

 

–ତୁମକୁ ଗୋଟିଏ କାମ କରିବାକୁ ହେବ ।

 

–ଆଦେଶ କରନ୍ତୁ ।

 

–ଏଇ ପତ୍ର ବୁନ୍ଦେଲ ରାଜଙ୍କୁ ଦେଇ ଆସିବ । ସେ କେଉଁଠାରେ ରହୁଛନ୍ତି ତା’ର ସନ୍ଧାନ ପାଇବା ତୁମ ପକ୍ଷରେ କଷ୍ଟକର ହେବ ନାହିଁ । କିନ୍ତୁ ମୋ କାମଟି ଗୋପନରେ କରିବାକୁ ହେବ ।

 

ବିସ୍ମିତ ହେଲେବି, ତା’ର ମୁହଁରେ ବିସ୍ମୟର ଚିହ୍ନ ପରିଲକ୍ଷିତ ହେଲା ନାହିଁ । ପତ୍ରଟି ଧରି କୁର୍ଣ୍ଣିସ୍ କରି ସେ ବିଦାୟ ନେଲା ।

 

ମରିୟାମ୍‍ର ବିସ୍ମିତ–ବିଜଡ଼ିତ ମୁଖମଣ୍ଡଳକୁ ଥରେ ଚାହିଁ ଦେଇ ଜାହାନ୍‍ଆରା ମୃଦୁ ହସିଲେ ।

 

ନିର୍ଦ୍ଦିଷ୍ଟ ଦିନ ଉଭୟଙ୍କର ସାକ୍ଷାତ ହେଲା ।

 

କମ୍ପିତ ହୃଦୟରେ ଜାହାନ୍‍ଆରା ଅଙ୍ଗୁରୀବଗ୍‍ରେ ଉପସ୍ଥିତ ହେଲେ । ଅପୂର୍ବ ବେଶରେ ସେ ନିଜକୁ ସଜାଇଛନ୍ତି । ମସଲିନ୍‍ରେ ମୁହଁର ଅଧା ଢାଙ୍କି ହୋଇ ରହିଛି । କଳା କଳା ଆଖି ଦୁଇଟିରେ ଅହେତୁକ ଆବେଗ । ସ୍ଫଟିକ ଜାଲିର ଅପର ପାର୍ଶ୍ଵରେ ଉନ୍ନତ–ଦେହ ଛତ୍ରଶାଳ ଠିଆହୋଇଛନ୍ତି । ଜାହାନ୍‍ଆରା ପ୍ରାଣଭରି ଦେଖୁଛନ୍ତି ନିଜ ମନର ମଣିଷକୁ । ରକ୍ତମାଂସରେ ଗଢ଼ା କି ଅପରୂପ ଦେହ ! ତା’ଠାରୁ ଅଧିକ କମନୀୟ କାନ୍ତିର କଳ୍ପନା କରାଯାଇପାରେନା ।

 

ମୃଦୁ ଅଥଚ କ୍ଷିପ୍ର କଣ୍ଠରେ ଛତ୍ରଶାଳ କହିଲେ ମୋତେ ଆହ୍ୱାନ କରିଛନ୍ତି ବାଦ୍‍ଶାହାଜାଦୀ ! ଲଜ୍ଜା ଜଡ଼ିତ କଣ୍ଠରେ ମୋଗଲ–କୁମାରୀ ଉତ୍ତର ଦେଲେ–ଶୌର୍ଯ୍ୟର ପ୍ରତୀକ ବୁନ୍ଦେଲ–ରାଜଙ୍କୁ ଏକାନ୍ତରେ ଦେଖିବାର ବାସନା ଥିଲା ।

 

–ମୁଁ ଅନୁଗୃହୀତ ।

 

–ଆଲ୍ଲା, ଆପଣଙ୍କୁ ଦୀର୍ଘଜୀବନ କରନ୍ତୁ ।

 

–ମୁଁ ମଧ୍ୟ ଆପଣଙ୍କ ଦୀର୍ଘଜୀବନ କାମନା କରୁଛି ।

 

ଦୀର୍ଘନିଃଶ୍ଵାସ ପକାଇ ଜାହାନ୍‍ଆରା କହିଲେ, “ବଞ୍ଚିବା ଲାଗି ମୋର ଆଉ ଅଭିଳାଷ ନାହିଁ । ବଞ୍ଚି ରହି କ’ଣ ବା ପାଇବି ?

 

ଛତ୍ରଶାଳ ବିସ୍ମିତ କଣ୍ଠରେ କହିଲେ, “ବାଦ୍‍ଶାହାଜାଦୀ ଜୀବନ ପ୍ରତି ଅଟେ ବୀତସ୍ପୃହ କାହିଁକି ?

 

–ଜାଣିଲେ କ’ଣ କରିବେ ?

 

ବୁନ୍ଦେଲ ରାଜ ନୀରବ ରହିଲେ ।

 

–ଆପଣଙ୍କୁ ସମ୍ଭବତଃ ବିବ୍ରତ କଲି ମହାରାଜ ?

 

–ନାରୀକୁ ସମ୍ମାନ ଦେବା ରାଜପୁତ ଜାତିର କର୍ତ୍ତବ୍ୟ । ମୁଁ ଆପଣଙ୍କର ଦାସ । ଆପଣଙ୍କର ଯେକୌଣସି ଆଦେଶକୁ ମାନିନେବା ମୋର ଗୌରବ ।

 

–ଯୁଦ୍ଧ ଓ କର୍ତ୍ତବ୍ୟ ପାଳନ ଛଡ଼ା ଆପଣଙ୍କ ଜୀବନରେ ଆଉ କିଛି ଅଛି ମହାରାଜ ?

 

–ସୈନିକ ମୁଁ, ବାଦ୍‍ଶାହାଜାଦୀ ।

 

ନକିବ୍‍ର କଣ୍ଠ ସ୍ଵର ଶୁଣାଗଲା । ଶାହାନସାହ ଉଦ୍ୟାନ ଭ୍ରମଣରେ ଆସୁଛନ୍ତି । କଥୋପକଥନ ସେତିକିରେ ବନ୍ଦ ରହିଲା । ସ୍ଫଟିକ ଜାଲିର ଦୁଇ କଡ଼କୁ ଦି’ ଜଣଯାକ ଚାଲିଗଲେ । ମନ ଭିତରେ ବହୁତ ପାଇବା କଥା କଳ୍ପନା କରି ସବୁ ହରାଇ ଜାହାନ୍‍ଆରା ନିଜର ପ୍ରକୋଷ୍ଠକୁ ଫେରିଲେ । ରାଓ ଛତ୍ରଶାଳ କ’ଣ ତାଙ୍କ ହୃଦୟର କଥା ବୁଝିପାରିଛନ୍ତି ? ହୁଏତ ପାରନ୍ତି । ଅନାୟାସରେ କେତେ ରାଜ୍ୟ ଜୟ କରିଛନ୍ତି ବୁନ୍ଦେଲରାଜ, ଗୋଟିଏ ପରାଜିତା ନାରୀର ଯୌବନର ସମସ୍ତ ନାଗଫାଶ ଛିନ୍ନକରି ତାଙ୍କୁ କ’ଣ ମୁକ୍ତ କରିପାରିବେନି ? ସ୍ପର୍ଦ୍ଧିତ ଯୁବକ ଛତ୍ରଶାଳଙ୍କର ବିଶାଳ ହୃଦୟର କେଉଁ ନିଭୃତ କୋଣରେ ବାଦ୍‍ଶାହାଜାଦୀର ପାଇଁ କ’ଣ ଟିକିଏ ସ୍ଥାନ ନାହିଁ ?

 

ସାକ୍ଷାତ୍ ହେବା ଦିନଠାରୁ ଗୋଟିଏ ସପ୍ତାହ କଟିଗଲାଣି । ଦିନଟିଏବି ଚେଷ୍ଟା କରି ନିଜ ହୃଦୟର ଆବେଗକୁ ଜାହାନ୍‍ଆରା ପ୍ରଶମିତ କରିପାରିଲେନି । ନିଜର ହୃଦୟର ସବୁ କିଛି ନିଗାଡ଼ି ପତ୍ର ଲେଖିଲେ ଯେ ବୁନ୍ଦେଲ–ରାଜଙ୍କ ପାଖକୁ । ଜୀବନରେ ପ୍ରଥମ ପ୍ରେମପତ୍ର ଲେଖିଲାବେଳେ ହାତ ଥରି ଉଠିଲା । ଠାଏଠାଏ ଭାଷାବି ମନର କଥା ଠିକ୍ ଭାବରେ ପ୍ରକାଶ କରିପାରିଲାନି । ଲେଖା ଶେଷ କରି ସେଥିରେ ମତାଣିଆ ଅତର ବୋଳି ପତ୍ରଟିକୁ ସିକ୍ତ କରିଦେଲେ । ତା’ପରେ ସମସ୍ତଙ୍କ ଅଗୋଚରରେ ସେ ପତ୍ରଟି ଫତେ ଖାଁର ହସ୍ତରେ ଯଥାସ୍ଥାନକୁ ପଠାଇ ଦେଲେ ।

 

ତା’ପରେ ଅପେକ୍ଷା କରିବାର ପାଳି । ଉତ୍ତର ଆସିବ ତ ?

 

ଆତ୍ମନିବେଦନ କ’ଣ ବ୍ୟର୍ଥ ହବ ?

 

ଉତ୍ତର ଆସିଲା ।

 

ତା’ର ପ୍ରେମପତ୍ରର ଦୀର୍ଘ ଉତ୍ତର ଦେଇଛନ୍ତି ରାଓ ଛତ୍ରଶାଳ ।

 

ପତ୍ରର ଛତ୍ରେ ଛତ୍ରେ ଆନ୍ତରିକତାର ସ୍ପର୍ଶ । ଯୋଦ୍ଧାର ହୃଦୟରେ ଯେ ଏତେ କାବ୍ୟ ସଞ୍ଚିତ ଅଛି, ତା’ ସେ କିପରି ଜାଣନ୍ତା ? ଆନନ୍ଦରେ ଆତ୍ମହରା ହୋଇ ଜାହାନ୍ଆରା ଉତ୍ତର ଲେଖି ବସିଲେ ।

 

ଅନେକ ଅଭିମାନ, ଅନେକ ସୋହାଗର କଥା ସେ ଲେଖିଲେ ।

 

ଯଥାସମୟରେ ଉତ୍ତରବି ଆସିଲା । ଛତ୍ରଶାଳ ଆବେଗଭରା ଭାଷାରେ ଉତ୍ତର ଦେଇଛନ୍ତି । ଏହାପରେ ନିୟମିତ ପତ୍ର ବିନିମୟ ଚାଲିଲା ।

 

ଏମିତି କେତେ ମାସ କଟିଗଲା ।

 

ଏଇ ସମୟ ଭିତରେ ଗୁରୁତର ରାଜନୈତିକ ଘୂର୍ଣ୍ଣିର ସୂତ୍ରପାତ ହୋଇଛି ।

 

ଏ ବ୍ୟାପାରରେ ପ୍ରେମିକ ଯୁଗଳଙ୍କର କୌଣସି ସମ୍ପର୍କ ନଥିଲା । ତଥାପି ଅନିବାର୍ଯ୍ୟ କାରଣବଶତଃ ଦୁଇଜଣ ଏଥିରେ ଜଡ଼ିତ ହୋଇ ପଡ଼ିଲେ । ଶାହାନସାହ ଜୀବିତ ଥାଉଁ ଥାଉଁ ସିଂହାସନ ପାଇଁ ଭ୍ରାତୃଦ୍ଵନ୍ଦ୍ୱ ଆରମ୍ଭ ହୋଇଗଲା ।

 

ଦାରା ବିଧର୍ମୀ । ଇସ୍‍ଲାମର ଧର୍ମୀୟ ଅନୁଶାସନ ସେ ମାନେ ନାହିଁ । ଅହଂକାରୀ ଅପଦାର୍ଥ ସେ । ତଥାପି ସମ୍ରାଟ ତାଙ୍କୁ ଅନ୍ଧଭାବରେ ସମର୍ଥନ କରୁଛନ୍ତି । ଏଇ ଅଭିଯୋଗ ପାଇଁ ସାମ୍ରାଜ୍ୟ ଏକ ଭୟଙ୍କର ଋଣ କ୍ଷେତ୍ରରେ ପରିଣତ ହେବ ।

 

ସମ୍ରାଟଙ୍କର ତୃତୀୟ ପୁତ୍ର ଆଓରଙ୍ଗଜେବ୍ ତୀକ୍ଷ୍ଣଦୃଷ୍ଟିରେ ଦାରା ଓ ସୁଜାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଛନ୍ତି । କହିବା ବାହୁଲ୍ୟ, ସେ ମୁରାଦର ସୈନ୍ୟବାହିନୀ ସହିତ ଯୋଗ ଦେଇଛନ୍ତି ଓ ତାକୁ ବୁଝାଇ ଦେଇଛନ୍ତି ଯେ, ସେ ରାଜଗାଦି ଚାହାନ୍ତି ନାହିଁ । ମୁରାଦକୁ ହିନ୍ଦୁସ୍ଥାନର ସମ୍ରାଟ ପଦରେ ଅଭିଷିକ୍ତ କରି ମକା ଚାଲିଯିବେ । କିନ୍ତୁ ଆଓରଙ୍ଗଜେବର ସିଂହାସନ ଲାଗି ଏ ଚକ୍ରାନ୍ତ, ଏ କଥା ମୁରାଦର ବୁଝିବାର ଚାରା ନଥିଲା ।

 

ମୋଗଲ ସାମ୍ରାଜ୍ୟର ଇତିହାସରେ ଏହା ଏକ ନୂତନ ଅଧ୍ୟାୟ । ପୁତ୍ରମାନଙ୍କର ଏ ପ୍ରକାର କାର୍ଯ୍ୟକଳାପ ସାହାଜାହାନଙ୍କର ହୃଦୟକୁ କ୍ଷତବିକ୍ଷତ କଲା । ସେ ନୀରବରେ ଘଟଣାର ଗତିକୁହିଁ ଲକ୍ଷ୍ୟ କରୁଥିଲେ । ଏହି ସମୟରେ ସମ୍ବାଦ ପହଞ୍ଚିଲା ମୁରାଦ ଓ ଆଓରଙ୍ଗଜେବଙ୍କର ମିଳିତ ବାହିନୀ ମଧ୍ୟପ୍ରଦେଶ ଦେଇ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଉଛନ୍ତି । ଆଉ ନୀରବ ରହି ହେବନି । ସମ୍ରାଟ ଦାରାଙ୍କୁ ଆଦେଶ ଦେଲେ ତା’ର ପ୍ରତିରୋଧ କରିବାକୁ ।

 

ଦାରାକୁ ବିଦ୍ରୋହ ଦମନଲାଗି ପଠାଇବା ପରେ ମଧ୍ୟ ସେ ଶାନ୍ତି ପାଇପାରିଲେନି । ଶେଷରେ ଶାରୀବୁଲାନ୍ଦର ସାହାଯ୍ୟ ଲାଗି ରହିବାକୁ ଛତ୍ରଶାଳାଙ୍କୁ ନିର୍ଦ୍ଦେଶ ଦେଲେ । ଏତେ ବଡ଼ ସୁଯୋଗର ଅପବ୍ୟବହାର କରିବାକୁ ଜାହାନ୍ଆରା ଚାହିଁଲେନି । ବୁନ୍ଦେଲରାଜଙ୍କୁ ସମ୍ବାଦ ପଠାଇଲେ । ଛନ୍ଦମୟ ଭାଷାରେ ସେ ପ୍ରିୟତମଙ୍କୁ ଲେଖିଲେ ଯେ, ଆକବରଙ୍କ ସ୍ଵପ୍ନ ଫତେପୁର ସିତ୍ରୀ ପ୍ରାସାଦରେ ସେ ଅପେକ୍ଷା କରିବେ । ମହାରାଜାଙ୍କୁ ଏଇ ପଥ ଦେଇ ଯିବାକୁ ହେବ । ତେଣୁ ସାକ୍ଷାତରେ ଏଇ ସୁଯୋଗ ସେ ଯେପରି ଉପେକ୍ଷା ନ କରନ୍ତି ।

 

ସ୍ୱଳ୍ପ ଅବକାଶ–ବିନୋଦନ ନିମନ୍ତେ ଅନୁମତି ନେଇ ସେ ଫତେପୁର ସିତ୍ରୀକୁ ପ୍ରସ୍ଥାନ କଲେ । ତାଙ୍କ ସଙ୍ଗେ ରହିଲେ ମରିୟାନ୍ ଓ ହାବସି ଖୋଜାରା । ଛତ୍ରଶାଳ ମଧ୍ୟ ଏହି ସୁଯୋଗ ହରେଇବାକୁ ଚାହିଁଲେନି । ନିଜର ବାହିନୀକୁ ଫତେପୁର ସିତ୍ରୀ ନିକଟରେ ବିଶ୍ରାମ ନେବାକୁ ଆଦେଶ ଦେଲେ । ଦୁଇଜଣ ପାର୍ଶ୍ଵଚରଙ୍କୁ ସଙ୍ଗରେ ନେଇ ସେ ଅଶ୍ଵାରୋହଣ କରି ପ୍ରସାଦକୁ ଆସିଲେ ।

 

ଦୁଇଜଣଙ୍କର ସାମନାସାମନି ସାକ୍ଷାତ ହେଲା ।

 

ଦି’ ଆଖି ପୂରାଇ ଜାହାନ୍ଆରା ପ୍ରିୟତମକୁ ଦେଖିଲେ । ତା’ପର ଲଜ୍ଜାର ବନ୍ଧଭାଙ୍ଗି ଚୁର୍‍ମାର୍ ହୋଇଗଲା । ସେ ନିଜକୁ ଲୋଟାଇ ଦେଲେ ଛତ୍ରଶାଳଙ୍କ ବକ୍ଷ ଉପରେ । କେତେ ଆବେଗମୟ କଥା, କେତେ ପରିକଳ୍ପନା, ଭବିଷ୍ୟତରେ କେତେ ଚିନ୍ତା ଭିତରେ ଦିନ ଯାଇ ରାତ୍ରି ଆସିଲା । ରାତି ସରି ଭୋର ହେଲା । ବର୍ତ୍ତମାନ ଛତ୍ରଶାଳ ବିଦାୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବା କଥା-। ଜାହାନ୍ଆରାଙ୍କ ଆଖିରେ ମୁକ୍ତା ବିନ୍ଦୁପରି ଲୁହ ଟଳଟଳ ହେଲା ।

 

ଛତ୍ରଶାଳ କହିଲେ–ଆମର ସ୍ଵପ୍ନ ନିଶ୍ଚୟ ସଫଳ ହେବ ।

 

–କିପରି ?

 

–ଶାହାଜାହାନଙ୍କର ଅଙ୍ଗୀକାର, ବିଦ୍ରୋହ ଦମନ କରିପାରିଲେ ସେ ମୋର ଯେକୌଣସି କାମନା ପୂରଣ କରିବେ ।

 

–ସେ ଯଦି ଅସ୍ଵୀକୃତ ହୁଅନ୍ତି ?

 

–ଇଚ୍ଛା ନଥିଲେବି ସେ ସ୍ଵୀକୃତି ଦେବେ । ରାଜପୁତ ରକ୍ତ ଦେଇ ସବୁ ସମୟରେ ମୋଗଲର ସମ୍ମାନ ରକ୍ଷା କରିଛି । ତା’ ଛଡ଼ା ମୋ ଶକ୍ତିର ପରିଚୟ ତାଙ୍କୁ ଅଜଣା ନୁହେଁ !

 

ଯେତେ ସମୟ ପର୍ଯ୍ୟନ୍ତ ଦେଖାଯାଉଥିଲେ, ଜାହାନ୍‍ଆରା ଅଳିନ୍ଦ ପଥ ଦେଇ ରାଜପୁତ ଯୋଦ୍ଧାଙ୍କୁ ଚାହିଁ ରହିଥିଲେ । ଦୃଷ୍ଟିରୁ ଅନ୍ତର୍ହିତ ହେଲାପରେ ଜାହାନ୍ଆରା ଦୀର୍ଘ ନିଃଶ୍ଵାସ ପକାଇ ଶିଥିଳ ପଦରେ ଲେଉଟି ଆସିଲେ । ଆଗ୍ରାକୁ ଫେରିଯିବା ନିମନ୍ତେ ବ୍ୟବସ୍ଥା କରିବାକୁ ସେ ମରିୟାନ୍‍କୁ ଆଦେଶ ଦେଲେ ।

 

ଦୁଇ ସପ୍ତାହ କଟିଯାଇଛି ।

 

ସମ୍ବାଦ ମିଳିଥିଲା, ଚମ୍ବଲକୂଳରେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ମୁରାଦ ଓ ଆଉରଙ୍ଗଜେବଙ୍କ ବାହିନୀ ଶାରୀ ବାହିନୀ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ଯୁଦ୍ଧ ନିଶ୍ଚିତଭାବେ ଆରମ୍ଭ ହୋଇ ଯାଇଥିବ । ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ପାଇବା ନିମନ୍ତେ ଶାହାଜାହାନ ଅତି ବ୍ୟସ୍ତ ଓ ଉଦ୍‍ବିଗ୍ନ ହୋଇ ପଡ଼ିଛନ୍ତି ।

 

ସନ୍ଧ୍ୟା ସମାଗତ ।

 

ଶାହାନ୍‍ସାହା ଆଗ୍ରା ଦୁର୍ଗରେ ତାଙ୍କ ପ୍ରିୟ ଅଳିନ୍ଦଟିରେ ବସି ଗଭୀର ଚିନ୍ତାରେ ବୁଡ଼ି ରହିଛନ୍ତି । ଏହି ଅଳିନ୍ଦ ଭିତରୁ ତାଜମହଲ ସ୍ପଷ୍ଟ ଦେଖାଯାଏ । କେତେ ଜ୍ୟୋତ୍ସ୍ନା ରାତିରେ ଏଇଠି ଠିଆ ହୋଇ ପ୍ରିୟତମା ପତ୍ନୀର ସ୍ମୃତି ସୌଧ ଆଡ଼େ ଚାହିଁ ରହି ପ୍ରଣୟ ମୁଖର ଦିନଗୁଡ଼ିକର କଥା ରୋମନ୍ଥନ କରିଛନ୍ତି ।

 

ଜାହାନ୍ଆରା ଆସି ଧୀର ଗଳାରେ କହିଲେ–ଆପଣ ମିଛରେ ଏତେ ବ୍ୟସ୍ତ ହୋଇ ପଡ଼ିଛନ୍ତି ବାବା ! ଦୁର୍ଦ୍ଦିନର ଏ ଘନଘଟା ଶୀଘ୍ର ଅପସରି ଯିବ ।

 

–କେବେ ଅପସରି ଯିବନି, ମୁଁ ଜାଣେ ଜାହାନ୍ଆରା; କେବେ ଯିବନି ।

 

ଠିକ୍ ଏହି ସମୟରେ ସମ୍ରାଟଙ୍କ ବାହିନୀର ସେନାଧ୍ୟକ୍ଷ କୁର୍ଣ୍ଣିସ୍ କରି ଠିଆ ହୋଇ ଜଣାଇଲେ, ରାଜା ଜୟସିଂହ ଆପଣଙ୍କର ଦର୍ଶନ ପ୍ରାର୍ଥୀ । ସାହାଜାହାନ ରାଜାଙ୍କୁ ଏଠାକୁ ଆଣିବାକୁ ନିର୍ଦ୍ଦେଶ ଦେଲେ ।

 

ବହୁ ସମର–ବିଜୟୀ ଅମ୍ବରାଧିପତି ଜୟସିଂହ ପ୍ରବେଶ କଲେ । କୁର୍ଣ୍ଣିସ କରି କହିଲେ ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ଆସିଛି ଜାହାଁପନା ।

 

ସାଜାହାନ୍ ଆଗ୍ରହର ସହିତ ପ୍ରକାଶ କଲେ–ଆପଣ ନିଶ୍ଚୟ କିଛି ସମ୍ବାଦ ଆଣିଛନ୍ତି ମହାରାଜ !

 

–ଆମର ଦୁର୍ଭାଗ୍ୟ......

 

–ଦୁର୍ଭାଗ୍ୟ !!

 

ରାଜପୁତ କୁଳର ଶିରୋମଣି ମଥା ନତ କରି କହିଲେ–ବିଶ୍ଵାସଘାତକମାନଙ୍କ ଷଡ଼ଯତ୍ର ଯୋଗୁଁ ଆମେ ଦୁର୍ଭାଗ୍ୟ କ୍ରମେ ପରାଜିତ ହୋଇଛେ ସମ୍ରାଟ ।

 

ଦାରା ନିଜର ସମସ୍ତ ବିପଦକୁ ଏଡ଼ି ନିଜକୁ ମୁକ୍ତ କରିପାରିଛନ୍ତି ତ ?

 

–ସେ ଅକ୍ଷତ ଶରୀରରେ ଋଣକ୍ଷେତ୍ର ତ୍ୟାଗ କରିଛନ୍ତି ଜାହାଁପନା, କିନ୍ତୁ.....ଶାହାନସାହା ସ୍ଵସ୍ତିର ନିଃଶ୍ଵାସ ମାରି କହିଲେ–ପୁଣି କିନ୍ତୁ କାହିଁକି ମହାରାଜ ?

 

–ରାଓ ଛତ୍ରଶାଳଙ୍କୁ ଆମେ ହରାଇଛେ ଜାହାଁପନା, ପ୍ରଭୁତ ବୀରତ୍ଵ ପ୍ରଦର୍ଶନ କରି ସେ ଆମକୁ ଛାଡ଼ି ଚାଲିଗଲେ... ।

 

–ଛତ୍ରଶାଳ ନାହିଁ !!!

 

ପରିବେଶକୁ ସମ୍ପୂର୍ଣ୍ଣ ଭୁଲିଯାଇ ଶାହାଜାଦୀ ହଠାତ୍ ଚିତ୍କାର କରି ଉଠି ଏକ ସ୍ଫଟିକ ସ୍ତମ୍ଭ ଉପରେ ଢଳି ପଡ଼ିଲେ । ଏହି ଅଚିନ୍ତନୀୟ ଘଟଣା ଲାଗି ସେ ଆଦୌ ପ୍ରସ୍ତୁତ ନଥିଲେ । ତା’ର ପ୍ରିୟତମ ନାହାନ୍ତି–ସେହି ବୃଷସ୍କନ୍ଧ, ବିଶାଳବାହୁ, ତେଜୋଦିପ୍ତ ଛତ୍ରଶାଳକୁ ସେ ଆଉ ଦେଖିବାକୁ ପାଇବେନି । ଜୀବନର ଯେଉଁ ଅଦମ୍ୟ କାମନାଟି ସଫଳତାର ଦିଗରେ ଅଗ୍ରସର ହେଉଥିଲା, ତାହା ଚିରକାଳ ପାଇଁ ଅପୂର୍ଣ୍ଣ ରହିଗଲା । ସ୍ଫଟିକ ସ୍ତମ୍ଭରୁ ଧୀରେ ଧୀରେ ଖସି ଆସି ଶଙ୍ଖ ମଲମଲର ଚତ୍ଵର ଉପରେ ପଡ଼ିଗଲେ ଜାହାନ୍ଆରା । ଯୌବନ ଲାଞ୍ଛିତା, ଅପରୂପ ଲାବଣ୍ୟା ଜାହାନ୍ଆରାଙ୍କ ଆକୁଳ କ୍ରନ୍ଦନ ଧ୍ୱନି ତଥାପି ମହାର୍ଘ ବାଦଶାହୀ ମହଲକୁ ପ୍ରତିଧ୍ଵନିତ କରି ପରିବେଶକୁ କାରୁଣ୍ୟ ସିକ୍ତ କରୁଥିଲା ।

☆☆☆

 

ଅତୃପ୍ତ ପ୍ରେମିକ ଦସ୍ତୟେଭସ୍କି

 

ରାଜନୈତିକ ବନ୍ଦୀମାନଙ୍କୁ ଗୁଳିକରି ମାରି ଦିଆଯିବ । ଅସଂଖ୍ୟ ସୈନ୍ୟ ଫଉଜ ବନ୍ଧୁକ ଧରି ବନ୍ଦୀମାନଙ୍କୁ ଘେରି ରହିଥିଲେ । ଲୋକାରଣ୍ୟରେ ସ୍ଥାନଟି ଫାଟି ପଡ଼ୁଥିଲା ।

 

ହିଂସ୍ର ଉଲ୍ଲାସରେ ସୈନ୍ୟମାନେ ରାଜକୀୟ ଘୋଷଣାକୁ ଅପେକ୍ଷା କରିଥିଲେ । ଘୋଷଣା ଶୁଣାଗଲା ପରେ X X X ଆହାଃ, କି ନୃଶଂସ ହତ୍ୟାକାଣ୍ଡ ଘଟି ନଯିବ !

 

ବନ୍ଦୀମାନଙ୍କୁ ଖୁଣ୍ଟରେ ବାନ୍ଧି ଦିଆଯାଇଛି । ଆଖିରେ ନୀବିଡ଼ ଭାବରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି ରାଜକର୍ମଚାରୀମାନେ ।

 

ଋଷିଆରେ ରାଜତନ୍ତ୍ରର ସରିଆସୁଥିବା ହୃଦୟବିଦାରକ ଦୃଶ୍ୟ ଦେଖି ଲୋକେ କ’ଣ ବ୍ୟାକୁଳ ହେଉ ନଥିଲେ ?

 

ଫିୟେଦୋର ଦସ୍ତୟେଭସ୍କି ଓ ତାଙ୍କ ପରି ଆଉ କେତେ ଯୁବକଙ୍କୁ ଏହିପରି ନୃଶଂସ ହତ୍ୟା କରାଯିବ ।

 

ସେମାନେ ଚୋର, ଡକାୟତ, ଖୁଣୀ ନୁହନ୍ତି । ରାଜନୈତିକ ଷଡ଼ଯତ୍ରରେ ଲିପ୍ତ ନୁହନ୍ତି । ସମ୍ରାଟଙ୍କ ବିରୁଦ୍ଧରେ ବା ରାଜପରିବାରର କୌଣସି ଲୋକଙ୍କୁ ହତ୍ୟା କରି ନାହାନ୍ତି ।

 

ତେବେ ଅଭିଯୋଗ କ’ଣ ? ଜନତା ଅଭିଯୋଗର କାରଣ କ’ଣ ଜାଣିବାପାଇଁ ଉଦ୍‍ଗ୍ରୀବ ହୋଇ ଉଠୁଥିଲେ ।

 

ଦସ୍ତୟେଭସ୍କି ଓ ତାଙ୍କ ପରି କେତେକ ତରୁଣ ନିଜର ମତାମତ ନେଇ କେତେକ ଲେଖା ଲେଖିଛନ୍ତି ।

 

ପ୍ରକାଶ କରିଛନ୍ତି । ପ୍ରଚାର କରିଛନ୍ତି ।

 

ସେଇଥିପାଇଁ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପୃଥିବୀର କୌଣସି ଶକ୍ତି ତାଙ୍କୁ ଏହି ଦଣ୍ଡରୁ ମୁକ୍ତି କରିପାରିବେ ନାହିଁ ।

 

ଋଷିଆର ଏହି ଶତାବ୍ଦୀରେ ସ୍ଵାଧୀନ ମତ ପ୍ରକାଶ କରିବାର ଅଧିକାର ନଥିଲା, ସେ ଅଧିକାର ଲୋଭୀ ଦସ୍ତୟେଭସ୍କି ମୃତ୍ୟୁଦଣ୍ଡ ସାଦରେ ମୁଣ୍ଡପାତି ସହିନେବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ । ମନରେ ଅଶାନ୍ତ ଝଡ଼ । ବାହାରେ ଜନତାର ବୁକୁଚାପା କ୍ରୋଧ । ଫଉଜମାନଙ୍କର ହିଂସା ଉଲ୍ଲାସ ।

 

କେହି କେହି ଆତ୍ମୀୟ ଅସଂଯତ ଭାବରେ ବିଳାପ କରୁଥିଲେ । କେହି ବା ଅକଥ୍ୟ ଭାଷାରେ ରାଜତନ୍ତ୍ରକୁ ଅଭିଶାପ ଦେଉଥିଲେ ।

 

ସମୟ ହୋଇ ଆସିଥିଲା । ଆଦେଶ ପାଇବାମାତ୍ରେ ସୈନ୍ୟମାନେ ଗୁଳି କରିବେ ।

 

ଉପରମହଲାରୁ ସମ୍ରାଟଙ୍କ ଆଦେଶ ଗୁରୁଗମ୍ଭୀର ଭାବରେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଘୋଷଣା କରି ଶୁଣାଇଲେ । ସମ୍ରାଟ ଦୟାପରବଶ ହୋଇ ଆସାମୀମାନଙ୍କର ମୃତ୍ୟୁଦଣ୍ଡାଦେଶ ରଦ୍ଦ କରି ଦେଇଛନ୍ତି । ମହାମାନ୍ୟ ସମ୍ରାଟ ଆସାମୀମାନଙ୍କୁ ଆଠବର୍ଷ ସାଇବେରିଆରେ ନିର୍ବାସିତ କରିବାପାଇଁ ଆଦେଶ ଦେଇଛନ୍ତି । ପ୍ରଥମ ୪ ବର୍ଷ ବନ୍ଦିଶାଳାରେ ସଶ୍ରମ ଜେଲଦଣ୍ଡ ଭୋଗିବେ । ପରବର୍ତ୍ତୀ ୪ ବର୍ଷ ସୈନ୍ୟ ଶିବିରରେ କାମ କରିବେ ।

 

ଜନତା ଆଶ୍ଵସ୍ତିରେ ଉତ୍‍ଫୁଲ୍ଲ ହୋଇ ଉଠିଲେ ।

 

ବନ୍ଦୀମାନେ ପ୍ରାଣ ଫେରିପାଇଛନ୍ତି ତାହାହିଁ ଯଥେଷ୍ଟ । କିନ୍ତୁ ବସ୍ତୟଭେସ୍କି ପ୍ରାଣ ଫେରିପାଇ ସାନ୍ତ୍ଵନା ପାଇଲେ ନାହିଁ । ସାଇବିରିଆରେ ତିଳତିଳ ହୋଇ ମରିବା ଅପେକ୍ଷା ଗୋଟିଏ ଗୁଳିମାଡ଼ରେ ଢଳି ପଡ଼ିବାକୁ ଶ୍ରେୟସ୍କର ମଣୁଥିଲେ ।

 

ମଣିଷ ଯାହା ଚାହେଁ, ତା’ ସବୁକ୍ଷେତ୍ରରେ ଘଟେ ନାହିଁ ।

 

ଯେଉଁମାନେ ସାଇବିରିଆ ଯାଆନ୍ତି, ଜୀବନ ନେଇ କ’ଣ ଫେରନ୍ତି ? ତେବେ ଅକଥନୀୟ ଯନ୍ତ୍ରଣା ଭୋଗିବାର ଅର୍ଥ କ’ଣ ?

 

ତାଙ୍କର ମନୋଭାବ ମନରେ ଗୁଞ୍ଜରୀ ଗୁଞ୍ଜରୀ ରହିଗଲା ।

 

ଅନ୍ୟାନ୍ୟ ବନ୍ଦୀମାନଙ୍କ ସହିତ ନିର୍ବାସନ ଦଣ୍ଡ ଭୋଗିବାପାଇଁ ସାଇବିରିଆ ଗଲେ ।

 

ରୁଷିଆ ସମ୍ରାଟ ପ୍ରାଣଦଣ୍ଡରୁ ମୁକ୍ତ କରି ସାଇବିରିଆରେ ତାଙ୍କୁ ନିର୍ବାସନ ଦଣ୍ଡ ନ ଦେଇଥିଲେ ଦସ୍ତୟେଭସ୍କିଙ୍କର ଅମର ସୃଷ୍ଟିରୁ ଆମେ ସମସ୍ତେ ବଞ୍ଚିତ ହୋଇଥାନ୍ତେ । ତେଣୁ ପୃଥିବୀର ସାହିତ୍ୟରସିକ ଋଣ, ଆଜି ସମ୍ରାଟଙ୍କର ରାଜତନ୍ତ୍ରର କୁତ୍ସାରଟନା କରିବାରେ ଶତମୁଖ ନ ହୋଇ ଦସ୍ତୟେଭସ୍କିଙ୍କୁ ପ୍ରାଣଦଣ୍ଡରୁ ରକ୍ଷା କରିଥିବାରୁ ଶତ ସହସ୍ର ଧନ୍ୟବାଦ ଜଣାଉଛନ୍ତି ।

 

ଦସ୍ତୟେଭସ୍କି ୧୮୨୧ ସାଲରେ ଜନ୍ମଗ୍ରହଣ କରିଥିଲେ ଗୋଟିଏ ସାଧାରଣ ପରିବାରରେ । ତାଙ୍କର ବାପା ଗୋଟିଏ ଦାତବ୍ୟ ଚିକିତ୍ସାଳୟରେ ଚିକିତ୍ସକ ଥିଲେ ।

 

କ୍ଷଣକୋପୀ ଓ କଡ଼ା ପ୍ରକୃତିର ଲୋକ ଥିଲେ ସେ । ରୁକ୍ଷ ବ୍ୟବହାର । ପ୍ରତିବେଶୀମାନଙ୍କ ସହିତ ଭଲ ପଡ଼ୁ ନଥିଲା । ଅଧୀନସ୍ତ କର୍ମଚାରୀମାନେ ମଧ୍ୟ ତାଙ୍କ ବ୍ୟବହାରରେ ସନ୍ତୁଷ୍ଟ ନଥିଲେ । ପାଞ୍ଚୋଟି ପୁଅ ଓ ଦୁଇଟି ଝିଅ ଓ ସ୍ତ୍ରୀ ପ୍ରତି ମଧ୍ୟ ତାଙ୍କର ବ୍ୟବହାର ଅନୁରୂପ ଥିଲା ।

 

ସମସ୍ତେ ଭୟଭୀତ ଭାବରେ ପରିବାରରେ ଚଳୁଥିଲେ ।

 

ପରିବାରରେ ଅଶାନ୍ତ ଝଡ଼ ସବୁବେଳେ ଲାଗି ରହିଥିଲା । ବାପା ସବୁବେଳେ ମା’ଙ୍କୁ ନିର୍ଯାତିତ କରୁଥିଲେ । ସେଥିପାଇଁ ଦସ୍ତୟେଭସ୍କିଙ୍କ ଜୀବନ ମା’ଙ୍କ ପାଇଁ ବେଦନାରେ ଭରି ଯାଇଥିଲା । କିନ୍ତୁ ବାପାଙ୍କ ସାମନାରେ କେହି ପ୍ରତିବାଦ କରି ପାରୁ ନଥିଲେ । ବା ସତ୍‍ସାହସ ନେଇ କେହି କିଛି ଭଲମନ୍ଦ ପରାମର୍ଶ ଦେଇ ପାରୁ ନଥିଲେ ।

 

ଦସ୍ତୟେଭସ୍କିଙ୍କର ଯେତେବେଳେ ୧୫ ବରଷ ତାଙ୍କର ମା’ ସେମାନଙ୍କୁ ଦୁଃଖରେ ଭସାଇ ଇହଧାମରୁ ଚାଲିଗଲେ ।

 

ପରେ ପରେ କୌଣସି କର୍ମଚାରୀ ତାଙ୍କ ବାପାଙ୍କୁ ଖୁଣ୍ କଲେ । ଖୁଣ୍ କରି ମୃତଦେହଟାକୁ ରାଜପଥରେ ପକାଇ ଦେଇ ଆତତାୟୀ ନିଖୋଜ ହୋଇ ଯାଇଥିଲା ।

 

ବାପା, ମା’ ମଲାବେଳକୁ ଦସ୍ତୟେଭସ୍କି ଓ ତାଙ୍କ ଭାଇ ମାଇକେଲ ଇଞ୍ଜିନିୟରିଙ୍ଗ ପଢ଼ୁଥିଲେ ।

 

ଇଞ୍ଜିନିୟରିଙ୍ଗ ପାସ୍ କଲାପରେ ଚାକିରି କଲେ । ଚାକିରିରେ ମନ ମାନିଲା ନାହିଁ ।

 

ସାହିତ୍ୟ ପ୍ରତି ତାଙ୍କର ମନ ବିଶେଷଭାବେ ଆକୃଷ୍ଟ ଥିଲା । ଗଳ୍ପ, ଉପନ୍ୟାସ, ସାହିତ୍ୟିକ ପତ୍ରିକା ପଢ଼ାପଢ଼ି କରିବାରେ ବେଶି ସମୟ କଟାଉଥିଲେ ।

 

ତା’ପରେ ଚାକିରି ଛାଡ଼ିଦେଇ ବଡ଼ ଅଭାବରେ ପଡ଼ିଲେ । ଦୁଃଖ କଷ୍ଟରେ ସମୟ କଟିବାକୁ ଲାଗିଲା ।

 

ମୂର୍ଚ୍ଛାରୋଗରେ ପୀଡ଼ିତ ହେଲେ । ସ୍ୱାସ୍ଥ୍ୟହାନୀ ଘଟିବାରୁ ରୁଗ୍‍ଣ ହୋଇ ପଡ଼ିଲେ ।

 

ରୁଗ୍‍ଣ ପୁଣି ଦୁଃସ୍ଥ ମାନସିକ ଅବସ୍ଥାରେ ମଧ୍ୟ ଅବିରତ ଭାବରେ ଲେଖି ଚାଲିଲେ ।

 

୧୯୪୯ ସାଲରେ “ଫୁଲର ପୋର ଫାକ୍ ପୋକ” ପ୍ରକାଶ ପାଇଲା ।

 

ଏହି ବହି ପ୍ରକାଶନ ପରେ ସାହିତ୍ୟିକ ସ୍ଵୀକୃତି ଦସ୍ତୟେଭସ୍କି ପାଇଥିଲେ । ଅନ୍ୟାନ୍ୟ ଲବ୍ଧପ୍ରତିଷ୍ଠିତ ଲେଖକ ଓ ସମ୍ଭ୍ରାନ୍ତ ସମାଜରେ ମିଳାମିଶା କରିବାର ସୁଯୋଗ ମିଳିଲା । ଅନେକ ସୁନ୍ଦରୀ ତରୁଣୀଙ୍କ ସାଙ୍ଗରେ ଆଳାପ ପରିଚୟ ମଧ୍ୟ ଘଟିଲା ।

 

ଆଭାଦ୍ୟୋତିୟା ନାମ୍ନୀ ଏକ ସୁନ୍ଦରୀ ତରୁଣୀ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ତାଙ୍କୁ ନିକଟରେ ପାଇବାପାଇଁ ଉଦ୍‍ବିଘ୍ନ ହୋଇ ଉଠିଲେ ।

 

କିନ୍ତୁ ଆଭାଦ୍ୟୋତିୟାଙ୍କର ଅନେକ ସୁନ୍ଦର ତରୁଣ ବାନ୍ଧବ ଥିଲେ । ସୁନ୍ଦରୀ ତରୁଣୀଙ୍କ ମନ ଜିଣିବାପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା ପ୍ରଖର ଭାବରେ ।

 

ଆଭାଦ୍ୟୋତିୟା ବିବାହ କରିଥିଲେ । ସେ ବିବାହିତା ତରୁଣୀ ଜାଣି ମଧ୍ୟ ତରୁଣ ବନ୍ଧୁମାନଙ୍କୁ ତାଙ୍କ ପାଖରେ ପ୍ରେମ ନିବେଦନ ବାଢ଼ିବାକୁ ଲଜ୍ଜିତ ହେଉ ନଥିଲେ ।

 

ପ୍ରେମିକମାନଙ୍କ ମଧ୍ୟରେ ତୁର୍ଗିନିଭ୍ ଅନ୍ୟତମ ।

 

ଆଭାଦ୍ୟୋତିୟା ପ୍ରେମପାଇଁ ତୁର୍ଗିନଭ ଆଉ ଦସ୍ତୟେଭସ୍କିଙ୍କ ମଧ୍ୟରେ ବିଦ୍ଵେଷଭାବ ଜାଗ୍ରତ ହୋଇଥିଲା ।

 

ଆଭାଦ୍ୟୋତିୟାର ପ୍ରେମ–ବହ୍ନିରେ ଦସ୍ତୟେଭସ୍କି ଜଳିବାକୁ ଲାଗିଲେ ।

 

ପ୍ରେମ ପାଗଳ ଦସ୍ତୟେଭସ୍କି ନିଜର ମନକଥା ତରୁଣୀକୁ କହିବାର କହିବାକୁ ଚେଷ୍ଟା କରି କହି ପାରୁ ନଥିଲେ ।

 

ଆତ୍ମପ୍ରତ୍ୟୟ ଓ ଆତ୍ମପ୍ରତିଷ୍ଠା ଅଭାବରୁ ନିଜର ମନକଥା କହିବାପାଇଁ ବାରବାର ଅକ୍ଷମ ହୋଇ ଉଠିଲେ ।

 

ମାନସିକ ଯନ୍ତ୍ରଣାରେ ଭାଙ୍ଗିପଡ଼ିଲେ । ଶେଷରେ ମନୋବଳ ନେଇ ଦ୍ୟୋତିୟାଙ୍କୁ ପ୍ରେମ ନିବେଦନ ଜଣାଇଲେ ।

 

ଦ୍ୟୋତିୟା କିଛି କହିଲେ ନାହିଁ । ଅଳ୍ପ ହସି ଚାଲିଗଲେ ।

 

ସେ ହସରେ ନିଆଁ ଅଛି ବୋଲି ଦସ୍ତୟେଭସ୍କି ପ୍ରଥମେ ଅନୁଭବ କରୁ ନଥିଲେ । ପରେ ପରେ ସବୁ ବୁଝିପାରି ନିଜକୁ ଧିକ୍‍କାର କଲେ ।

 

ବାମନ ହୋଇ ଚନ୍ଦ୍ର ଧରିବାପାଇଁ କାହିଁକି ସେ ପ୍ରୟାସୀ ହେଲେ ?

 

ତା’ର ହସରେ ଏତେ ବିଦ୍ରୂପ, ଏବେ ବ୍ୟଙ୍ଗ, ଏତେ ତାଚ୍ଛଲ୍ୟତାର ଲହରୀ ଉଠିଥିଲା, ତା’ ଅନୁଭବ କରି ତାଙ୍କର ହୃଦୟ ବିଦ୍ରୋହରେ ଭରିଗଲା ।

 

ଆଭିଜାତକୁଶଳୀ ସମ୍ଭ୍ରାନ୍ତ ସମାଜ ସାଙ୍ଗରେ ସବୁ ସମ୍ପର୍କ ତୁଟାଇ ଦେଲେ ।

 

ସବୁ ସମ୍ପର୍କ ତୁଟାଇ ମଧ୍ୟ ଏକତରଫା ପ୍ରେମପର୍ବ ପରେ ଜୀବନ ପ୍ରତି ବୀତସ୍ପୃହ ହୋଇ ଉଠିଲେ । ମାନସିକ ଅବସ୍ଥାରେ ଉନ୍ନତି ଘଟିଲା ନାହିଁ । ସ୍ଵାଦହୀନ, ବାସନାହୀନ ଜୀବନକୁ ବଞ୍ଚେଇ ରଖିବାପାଇଁ ଜୁଆଖେଳରେ ମଜ୍ଜିଯିବା ପାଇଁ ନିଜକୁ ଆହୁତି ଦେଲେ ।

 

ଜୁଆଖେଳ ଆଡ଼୍‍ଡ଼ାରୁ ସେ ଋଷିଆର ସମାଜବାଦୀ ଦଳ ସହିତ ପରିଚିତ ହେଲେ ।

 

ସେମାନଙ୍କ ଭାବଧାରରେ ଦସ୍ତୟେଭସ୍କି ପ୍ରଲୁବ୍‍ଧ ହେଲେ ।

 

ସମାଜବାଦର ବାର୍ତ୍ତା ଲୋକଙ୍କ ଭିତରେ ପ୍ରଚାର କରିବାପାଇଁ ସେ ନାନା ଲେଖା ପ୍ରକାଶ କଲେ । ବିଭିନ୍ନ ସଭାରେ ବକ୍ତୃତା ମଧ୍ୟ ଦେଲେ ।

 

ତାଙ୍କର ରାଜତନ୍ତ୍ର ବିରୋଧୀ ଲେଖା ଓ କାର୍ଯ୍ୟକଳାପ ସମ୍ରାଟଙ୍କ ପାଖରେ ଯାଇ ପହଞ୍ଚିଲା ।

 

ସେହି ଅପରାଧରେ ସମାଜବାଦୀ ଅନ୍ୟାନ୍ୟ ବିପ୍ଳବୀଙ୍କ ସାଙ୍ଗରେ ଗିରଫ୍ ହେଲେ । ଶେଷରେ ଫାଶୀ ପାଇବେ ବୋଲି ମହାମାନ୍ୟ ସମ୍ରାଟ ଆଦେଶ ଦେଲେ ।

 

ନାଟକୀୟ ଭାବରେ ବନ୍ଧୁକ ଗୁଳିରୁ ମୁକ୍ତି ପାଇ ଦସ୍ତୟେଭସ୍କି ସାଇବିରିଆର ଜେଲକୁ ସ୍ଥାନାନ୍ତରିତ ହେଲେ ନିଜ କଲା କର୍ମର ପ୍ରାୟଶ୍ଚିତ୍ତ କରିବାପାଇଁ ।

 

ସାଇବିରିଆର କନ୍‍ସେନ୍‍ଟ୍ରେସନ୍ କ୍ୟାମ୍ପ୍‍ରେ ଅକଥନୀୟ ଜୀବନଯାତ୍ରାର ଇତିହାସ, ମଣିଷମାତ୍ରେ ଶୁଣିଲେ ସ୍ତମ୍ଭିତ ହୋଇପଡ଼ିବ ।

 

ମାଂସ ଛିଣ୍ଡି ପଡ଼ିବା ପରି ଶୀତ, ରକ୍ତ ବରଫ ପାଲଟି ଯିବାପରି ହିମ ପ୍ରବାହ । ଶୀତ ଲୁଗା ଯଥେଷ୍ଟ ଯୋଗାଯାଏ ନାହିଁ । ମଣିଷ ପକ୍ଷେ ଯେତିକି ଶାରୀରିକ ପରିଶ୍ରମ କରିବା କଥା ତା’ଠାରୁ ଦୁଇଗୁଣ କାମ କରିବାକୁ ହୁଏ । କିନ୍ତୁ ପେଟ ଭରି ଖାଦ୍ୟ ଦିଆଯାଏ ନାହିଁ । କାମ କରି କରି ଦେହ ହାତ ସାମାନ୍ୟ ଶିଥିଳ ହୋଇ ପଡ଼ିଲେ ଓହୋ ! ଯେଉଁ ଅମାନୁଷିକ ପ୍ରହାର । ସେ କଥା ବର୍ଣ୍ଣନା କଲେ ମଧ୍ୟ ଦେହ ଶୀତେଇ ଉଠେ ।

 

ଚାବୁକ୍ ମାଡ଼ରେ ଚର୍ମ ଫାଟି ପଡ଼ି ରକ୍ତମାଂସ ପିଚିକି ପଡ଼େ । ନିର୍ମମ ଜଗୁଆଳିମାନଙ୍କର ମତୁଆଳୀ ମନରେ ଆନନ୍ଦ ଆସେନା । ମାଡ଼ ମାରି ମାରି ଅଚେତ କରି ବନ୍ଦୀମାନଙ୍କୁ ଭୂତଳଶାୟୀ କଲେ ସେମାନେ ଶାନ୍ତ ହୁଅନ୍ତି ।

 

ଦସ୍ତୟେଭସ୍କି ଭାବୁଥିଲେ ଏମିତି ନିର୍ମମ ଭାବରେ ମାଡ଼ ଖାଇ ଖାଇ ଅଧା ଭୋକିଲା ହୋଇ ସେ ମରିଯିବେ ।

 

ପ୍ରାଣଦଣ୍ଡରୁ ଯେପରି ଅଳ୍ପକେ ରକ୍ଷା ପାଇଥିଲେ ସେହିପରି ଭାବରେ ଅତ୍ୟାଚାରରେ ଚାରିବରଷ କାଳ ଜଳି ଜଳି ସେମିପାଳିତନସ୍କକୁ ଆଉ ଚାରିବର୍ଷ ସୈନ୍ୟ ଶିବିରରେ ଦଣ୍ଡ ଭୋଗିବାକୁ ଚାଲାଣ ହେଲେ ।

 

ଏହା ଗୋଟିଏ ଛୋଟ ସହର ।

 

ସୈନ୍ୟ ଶିବିରର ପରିବେଶ ପ୍ରଥମେ ପ୍ରଥମେ ତାଙ୍କୁ ଆରଉ ନଥିଲା, ହେଲେ ସାଇବିରିଆର ଯମଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ଭାବି ସ୍ୱସ୍ତିରେ ଦୀର୍ଘ ନିଃଶ୍ଵାସ ପକାଉଥିଲେ ।

 

ଭାଗ୍ୟବଶତଃ ସୈନ୍ୟ ଶିବିରରେ ବେଲିକଭ ସୈନ୍ୟାଧ୍ୟକ୍ଷ ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ପାଇଲେ ।

 

ଦୁହିଁଙ୍କର ଆତ୍ମୀୟତା ଓ ଘନିଷ୍ଠତା ଦିନକୁଦିନ ବଢ଼ିବାକୁ ଲାଗିଲା ।

 

ଏହି ସୈନ୍ୟ ଶିବିରରେ ଇସାୟେଭ ଓ ମେରିୟା ସହିତ ଦସ୍ତୟେଭସ୍କିଙ୍କର ପରିଚୟ ହେଲା ।

 

ମଝିରେ ମଝିରେ ସ୍ଵାମୀ–ସ୍ତ୍ରୀ ଇସାୟେଭ ମେରିୟା ଦସ୍ତୟେଭସ୍କିଙ୍କ ସହିତ ଗପ କରି ସମୟ କଟାଇବାକୁ ଆସିଲେ ।

 

ମେରିୟା ଶିକ୍ଷିତା, ସୁରୁଚି ସମ୍ପନ୍ନ ଓ ସୁନ୍ଦରୀ ତରୁଣୀ ।

 

ତା’ ଜୀବନ କାହାଣୀ ଶୁଣିଲେ ଦସ୍ତୟେଭସ୍କି ।

 

ଇସାୟେଭ ମଦ୍ୟପ । ମଦ ପିଇ ପିଇ ସ୍ୱାସ୍ଥ୍ୟ ହରାଇଛି । ଚାକିରି ଯାଇଛି । ଦୀନ, ଦୁଃଖୀ ଭାବରେ ଜୀବନ କଟାଉଛି ।

 

ସଂସାରର ସବୁ ଜଞ୍ଜାଳ ମେରିୟାକୁ ବହନ କରିବାକୁ ପଡ଼େ ।

 

ପୁଅଟିଏ ହୋଇଛି । ତା’ର ଭବିଷ୍ୟତ ପାଇଁ କ’ଣ କରାଯାଇପାରିବ, ସେଥିପାଇଁ ମେରିୟା ଚିନ୍ତିତ ।

 

ଇସାୟେଭ ଘରକୁ ଦସ୍ତୟେଭସ୍କି ନିୟମିତ ଯିବା ଆସିବା କଲେ, ତାଙ୍କର ଦୁର୍ଦ୍ଦଶା ଓ ନିଃସଙ୍ଗ ଜୀବନ କଥା ସେ ମଧ୍ୟ ମେରିୟାକୁ ଶୁଣାଇଲେ ।

 

ସହାନୁଭୂତି ମେରିୟା ପ୍ରତି ଦସ୍ତୟେଭସ୍କିଙ୍କର ଓ ଦସ୍ତୟେଭସ୍କି ପ୍ରତି ମେରିୟାର ଦିନକୁଦିନ ବଢ଼ି ଚାଲିଲା ।

 

ନିୟମିତ ଦେଖାସାକ୍ଷାତ୍ ହୁଏ । ହେଲେ କେହି କାହାକୁ ମନର କଥା କହନ୍ତି ନାହିଁ ।

 

ଇତିମଧ୍ୟରେ ଇସାଏଭ୍ ସହର ଛାଡ଼ି କେତେ ମାଇଲ ଦୂରରେ ଗୋଟିଏ ଚାକିରି ପାଇଲେ । ସ୍ତ୍ରୀ, ପୁଅକୁ ନେଇ କର୍ମସ୍ଥଳୀକୁ ଚାଲିଗଲେ ।

 

ଦସ୍ତୟେଭସ୍କିଙ୍କ ନିଃସଙ୍ଗ ଜୀବନରେ ଯେଉଁ ଟିକେ ସରସତା ଇସାୟେଭଙ୍କ ପରିବାର ଦେଉଥିଲା, ସେ ସୁଯୋଗରୁ ସେ ବଞ୍ଚିତ ହେଲେ ।

 

ମେରିୟା ବିଦାୟ ନେଲା ପୂର୍ବରୁ ଭଲ ପାଇବାର ସଂକେତ ଦେଇ ଯାଇଥିଲା ।

 

ଚିଠି ପତ୍ର ଆଦାନପ୍ରଦାନ ହେଲା ।

 

ମେରିୟାଠାରୁ ଚିଠି ପାଇଲେ ସେ ଆତ୍ମବିଭୋର ହୋଇ ପଡ଼ନ୍ତି । ଚିଠିର ଉତ୍ତର ଲେଖି ପକାଇ ଦିଅନ୍ତି ।

 

ଚାକିରି କରିବାର କିଛିଦିନ ପରେ ମାତଲ ଇସାଏଭ ମରିଗଲେ ।

 

ଦସ୍ତୟେଭସ୍କି ମେରିୟା ସ୍ଵାମୀର ମୃତ୍ୟୁ ଖବର ପାଇ ଦୁଃଖିତ ହେଲେ ନାହିଁ । ଭଗବାନଙ୍କୁ ଶତ ଶତ ଧନ୍ୟବାଦ ଦେଇ ଭାରି ଆଶାୟୀ ହୋଇ ଉଠିଲେ ।

 

ତାଙ୍କର ଆଉ ମେରିଆର ପ୍ରେମ ପଥର କଣ୍ଟକ ଥିଲା ତା’ର ସ୍ଵାମୀ ।

 

ଆଉ ବିଳମ୍ବ ନ କରି ମେରିୟାକୁ ସେ ବିବାହ କରିବେ ।

 

କିନ୍ତୁ ସୈନ୍ୟ ଶିବିରରେ ସେ ବନ୍ଦୀ ପରି କାମ କରୁଛନ୍ତି । ଆଇନ ଅନୁସାରେ ସହର ଛାଡ଼ି ଯାଇ ପାରିବେ ନାହିଁ । ଦେଖାକରି ବିବାହ ବିଷୟରେ ଚୂଡ଼ାନ୍ତ ମୀମାଂସା ହୋଇପାରୁନାହିଁ ।

 

ତେଣୁ ଚିଠି ଲେଖି ବିବାହ ପ୍ରସ୍ତାବ ଜଣାଇଲେ ।

 

ଚିଠି ପାଇ ଚିଠି ଦେଲା ମେରିୟା । ଅଭାବରେ ପଡ଼ିଛି । କିଛି ଟଙ୍କାପାଇଁ ଲେଖିଥିଲା, ହେଲେ ବିବାହ ବିଷୟରେ ତା’ ଚିଠିରେ କିଛି ଉଲ୍ଲେଖ ନାହିଁ ।

 

ଦସ୍ତୟେଭସ୍କି କିଛି ଟଙ୍କା ଧାର କରି ପଠାଇଲେ । ବିବାହ ବିଷୟରେ ସ୍ପଷ୍ଟ ମତ ଦେବାପାଇଁ ଅନୁରୋଧ କଲେ ।

 

ଚିଠି ଆସିଲା । ଏଥର ମଧ୍ୟ ଚିଠିରେ ବିବାହ ବିଷୟ କିଛି ଲେଖା ନାହିଁ ।

 

ଦସ୍ତୟେଭସ୍କିଙ୍କ ମନ ସନ୍ଦେହରେ ଛଟପଟ ହେବାକୁ ଲାଗିଲା ।

 

ତାହାହେଲେ ସେ ବିବାହ ପ୍ରସ୍ତାବରେ ରାଜି ନାହିଁ ?

 

ମନ ଅଥୟ ହେଲା । ନିଜେ ଯାଇ ମୁହାଁମୁହିଁ ପଚାରି ଆସିବାପାଇଁ ସ୍ଥିର କଲେ ।

 

ହେଲେ ଆଇନ ଅମାନ୍ୟ କରି ଯିବେ କିମିତି । ଭାଗ୍ୟକୁ ସରକାରୀ କାମର ଆଳ ଦେଖାଇ ସହର ବାହାରକୁ ଯିବାକୁ ଅନୁମତି ପାଇଲେ ।

 

ଏହି ଅବସରରେ ମେରିଆ ପାଖରେ ଯାଇ ହାଜର ହେଲେ ।

 

ମେରିଆ ତାଙ୍କୁ ଦେଖି ଭାଙ୍ଗିପଡ଼ିଲା ।

 

ଶେଷ ନିଷ୍ପତ୍ତି କରିଯିବା ପାଇଁ ଦସ୍ତୟେଭସ୍କି ଆସିଥିଲେ ।

 

ମେରିଆ କାହିଁକି ତାଙ୍କ ଚିଠିର ଠିକ୍ ଠିକ୍ ଉତ୍ତର ଦେଲାନାହିଁ ବାରମ୍ବାର ତା’ର କୈଫିୟତ ଚାହିଁଲେ ।

 

କମ୍ପିତ କଣ୍ଠରେ ମେରିଆ କହିଲା, “ଉପାୟ ନାହିଁ ।”

 

“ତମେ କ’ଣ କହିବାକୁ ଚାହୁଁଛ ?”

 

“ଇତିମଧ୍ୟରେ ବିବାହ କରିବାକୁ ଆଉ ଜଣକୁ କଥା ଦେଇ ସାରିଛି ।”

 

ମର୍ମନ୍ତୁଦ ଯନ୍ତ୍ରଣାରେ ଦସ୍ତୟେଭସ୍କି ଭାଙ୍ଗିପଡ଼ିଲେ ।

 

ଇସାୟେଭ ଯେଉଁଠି କାମ କରୁଥିଲା ସେଇଠି କାମ କରେ ।

 

ସୁଦର୍ଶନ, ସୁପୁରୁଷ ଯୁବକ ।

 

ଚବିଶବର୍ଷର ଯୁବକ ତିରିଶବର୍ଷର ମେରିୟାକୁ ଭଲ ପାଇଛି ।

 

ସେମାନଙ୍କର ବିବାହ ନିକଟରେ ହୋଇଯିବ ବୋଲି ବ୍ୟର୍ଥମନୋରଥ ହୋଇ ଫେରିଲେ ଦସ୍ତୟେଭସ୍କି ।

 

କୌଣସି ଅଭିଯୋଗ ଜଣାଇବାର ନଥିଲା । ଅଭିଶାପ ଦେଲେ ନାହିଁ । ଶୁଭକାମନା କରି କର୍ମସ୍ଥଳକୁ ଫେରି ଆସିଲେ ।

 

ବିଦାୟ ନେଲାବେଳେ ମେରିୟାକୁ କହି ଆସିଲେ “ଭଗବାନ ସହାୟ ହୁଅନ୍ତୁ । ତମ ଦାମ୍ପତ୍ୟ ଜୀବନ ସୁଖରେ କଟୁ ।”

 

ମନ ଭିତରେ ପ୍ରବଳ ଝଡ଼ । ମେରିୟାକୁ ଅଭିଶାପ ନ ଦେଇ ଈଶ୍ଵରଙ୍କ ପାଖରେ ବାରମ୍ବାର ଅଭିଯୋଗ ଜଣାଇଲେ ।

 

କାହିଁକି ସେ ରୂପବାନ୍ ହେଲେ ନାହିଁ, କାହିଁକି ସ୍ଵାସ୍ଥ୍ୟବାନ ହେଲେ ନାହିଁ ? କାହିଁକି ?? କାହିଁକି ??? ସେ ବାରବାର ଏମିତି ଭାବରେ ଆଘାତ ପାଉଛନ୍ତି ?

 

ଏସବୁ ପ୍ରଶ୍ନର ଉତ୍ତର ନାହିଁ ।

 

ଏ କରୁଣ ଆତ୍ମା ବିକ୍ଷୋଭରେ ଠାକୁର ତରଳି ଗଲେ ।

 

ଦସ୍ତୟେଭସ୍କି ଚାଲିଆସିବା ପରେ ମେରିୟା ଯେପରି ଆଧ୍ୟାତ୍ମିକ ଧକ୍କାରେ ଭାଙ୍ଗିପଡ଼ିଲେ ।

 

ପ୍ରାଣେ ପ୍ରାଣେ ଅନୁଭବ କଲେ ଦସ୍ତୟେଭସ୍କିର ଭଲ ପାଇବା କେଡ଼େ ପ୍ରଗାଢ଼ । କେଡ଼େ ନିର୍ମଳ ।

 

ତାଙ୍କ ତୁଳନାରେ ନବୀନ ପ୍ରେମିକର ପ୍ରେମ କେତେ ଅଗଭୀର, କିପରି କାମନା ଜଡ଼ିତ-। ସେ ତାଙ୍କୁ ଭଲ ପାଇନି, ରକ୍ତମାଂସରେ ସେ ଲୋଭିଲା ହୋଇ ଉଠିଛି ।

 

ଦସ୍ତୟେଭସ୍କିର ଯୋଗ୍ୟତା ବିଷୟରେ ପ୍ରଶ୍ନ ଉଠିପାରେନା ।

 

ଜେଲ ଯାଇଛନ୍ତି ! କିନ୍ତୁ ଚୋର, ଡକାୟତ, ହତ୍ୟାକାରୀ ତ ସେ ନୁହନ୍ତି ? ସମାଜରେ ଅନ୍ୟମାନେ ସୁଖରେ ରହନ୍ତୁ, ନିଜେ ଜଳି ସମାଜରେ ବିପ୍ଳବ ଆଣିବାକୁ ସେ ଜୀବନ ଉତ୍ସର୍ଗ କରୁଛି ସେ ମହାନ୍ ନୁହେଁ ?

 

ବନ୍ଦୀ ଜୀବନ ତାଙ୍କର ଶେଷ ହୋଇ ଆସୁଛି । ଫେରିଯିବେ କର୍ମମୟ ଜୀବନକୁ । ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ସାରିଲେଣି । ଜୀବନ ତାଙ୍କର ଉଜ୍ଜ୍ଵଳମୟ ହୋଇଉଠିଛି ।

 

ଶେଷ ନିଷ୍ପତ୍ତି ନେଇ ଚିଠି ଲେଖିଲେ ମେରିୟା ।

 

ମେରିୟାଙ୍କ ସନମତ ପାଇ ଆତ୍ମବିଭୋର ହୋଇଉଠିଲେ ଦସ୍ତୟେଭସ୍କି ।

 

ଜୀବନରେ ଏହି ଆନନ୍ଦ ତାଙ୍କ ଜୀବନରେ ପ୍ରଥମ ।

 

ସେ ଜୟୀ ହୋଇଛନ୍ତି ।

 

ଅତି ନିରାଡ଼ମ୍ବର ଭାବରେ ବିବାହ ଉତ୍ସବ ପାଳନ ହେଲା ।

 

ରାତି ବେଶି ହୋଇନି । ଅତିଥିମାନେ ବିଦାୟ ନେଇ ଯାଇଥିଲେ ।

 

ଦୁଇଟି ବିମୁଗ୍ଧ ପ୍ରେମିକ–ପ୍ରେମିକା ସ୍ଵାମୀ ସ୍ତ୍ରୀ ହିସାବରେ ହନିମୁନ୍ ରାତ୍ରି କଟାଇବେ ।

 

ପ୍ରାଣରେ ଖିଲି ଖିଲି ହସ । ଆଭାଦ୍ୟୋତିୟାର କୁଟିଳ ହସ ସେ ନୁହେଁ । ସତେ ଅବା ଅନ୍ତଃ–ସଲିଳା ଫଲ୍‍ଗୁର କଳକଳ ନିନାଦିନୀ ହସ ପ୍ରବାହ ସେ ।

 

ଜୀବନର ସବୁ ଆଶା ଆକାଂକ୍ଷା ପରିପୂରଣ ପାଇଁ ଦସ୍ତୟେଭସ୍କି ଅପେକ୍ଷା କରି ରହିଥିଲେ ।

 

କିନ୍ତୁ କୁଟିଳା ନିୟତିର ପରିହାସ ବିଚିତ୍ର ।

 

ସେ ମଧୁମିଳନ ପୂର୍ବରୁ ହତାଶ ପ୍ରେମିକ ଦସ୍ତୟେଭସ୍କି ପୁଣି ଏକ ବିୟୋଗାତ୍ମକ ପର୍ବର ଶିକାର ହେଲେ ।

 

ମେରିୟାର ଅଯୋଗ୍ୟ ବୋଲି ତାଙ୍କର ଧାରଣା ଥିଲା । ତା’ର ନିକଟରୁ ନିକଟତର ହେଲାବେଳେ ସ୍ନାୟବିକ ଉତ୍ତେଜନାରେ ତା’ରି ବାହୁ ବନ୍ଧନରେ ଟଳି ପଡ଼ିଲେ ଦସ୍ତୟେଭସ୍କି । ମେରିୟା ହତଜ୍ଞାନ ହୋଇଉଠିଲେ ।

 

ଡାକ୍ତର ଆସି କହିଗଲା ଦସ୍ତୟେଭସ୍କି ସ୍ନାୟବିକ ରୋଗରେ ପୀଡ଼ିତ ।

 

ସୁନ୍ଦରୀ ତରୁଣୀ ଯେଉଁ ଆଶା ଜାଳି ମଧୁଶଯ୍ୟା ଘରେ ସ୍ଵାମୀକୁ ଅପେକ୍ଷା କରି ରହିଥିଲା, ବାହୁ ପାଶରେ ଅମୃତର ସନ୍ଧାନପାଇଁ ଆତ୍ମବିଭୋର ହୋଇ ଉଠିଥିଲା, ୟେ ଘଟଣା କ’ଣ କମ୍ ଆଘାତ ଦେଇଥିବ ?

 

ପାଇ ନ ପାଇବାର ଜ୍ଵଳାରେ ସେ ଜଳି ଜଳି ଉଠିଲେ ।

 

ରୋଗୀଣା ମଣିଷକୁ ନେଇ ସେ ସଂସାର ଗଢ଼ିବ ବୋଲି ସବୁ କିଛି ପଛରେ ପକାଇ ଦୌଡ଼ି ଆସିଥିଲା ।

 

ମେରିୟା ମଧ୍ୟ ଭାବି ଭାବି ମାନସିକ ବିକାରରେ ଅସୁସ୍ଥ ହୋଇ ଉଠିଲେ ।

 

ପାରିବାରିକ ଜୀବନରେ ଦୁଇଟି ଅତୃପ୍ତ, ଅସୁସ୍ଥ ପ୍ରାଣର ଜୀବନଯାତ୍ରା ଏପରି ବିଡ଼ମ୍ବିତ ଭାବରେ ଆରମ୍ଭ ହେଲା ।

 

ସାମରିକ କ୍ୟାମ୍ପ୍‍ରୁ କିଛି ପଇସା ପାଆନ୍ତି । କିନ୍ତୁ ପାରିବାରିକ ଖର୍ଚ୍ଚ ତୁଲାଇବା ପାଇଁ ତାହା ଯଥେଷ୍ଟ ନୁହେଁ ।

 

ମାନସିକ ଅଶାନ୍ତି, ଆର୍ଥିକ ଅନାଟନର କଳ୍ପିତ ସୁଖୀ ପରିବାର ଦୁଃଖ ଭାରରେ ଭାଙ୍ଗିପଡ଼ିଲା ।

 

ସ୍ଵାମୀ ସ୍ତ୍ରୀଙ୍କର କଳହ ଲାଗି ରହିଲା ।

 

ଦୁଃଖ, ନିର୍ଯାତନା କବଳରୁ ଯେ ଜନ୍ମ ନେଇଛି ସେ ଦୁଃଖରେ ଭାଙ୍ଗିପଡ଼ିବ କାହିଁକି ?

 

ବିଷର୍ମ, ଦୁଃଖ, ଅଶାନ୍ତି ନେଇ ବୈବାହିକ ଜୀବନଯାତ୍ରା ଆରମ୍ଭ ହୋଇଛି ମାତ୍ର । ଥଳକୂଳ ନାହିଁ । କୂଳକିନାରା ନାହିଁ ।

 

ମନକୁ ଦୃଢ଼ କଲେ ।

 

ସେହି ଅଶାନ୍ତିରେ ଲେଖାଲେଖି ଆରମ୍ଭ କଲେ ।

 

ସୈନ୍ୟ ଶିବିରରେ ଚାରି ବରଷ ପୂରିଯାଇଛି ।

 

ମେରିୟାକୁ ନେଇ ସେ ଋଷିଆ ଫେରି ଆସିଲେ ।

 

ସହରର ବିଳାସ ବହୁଳ ଜୀବନ, ଅଭାବଗ୍ରସ୍ତ, ଅଶାନ୍ତ ହୃଦୟରେ ଯନ୍ତ୍ରଣା ବଢ଼ାଇ ଦେଲା । ଶାନ୍ତି କାହିଁ ?

 

ଇତିମଧ୍ୟରେ ମେରିୟା ଟି.ବି. ରୋଗରେ ଭୟଙ୍କର ଭାବରେ ପୀଡ଼ିତ ହୋଇପଡ଼ିଲେ ।

 

ଚିକିତ୍ସା କରିବାପାଇଁ ଯଥେଷ୍ଟ ଅର୍ଥ ଲୋଡ଼ା ।

 

ଆବଶ୍ୟକ ଚିକିତ୍ସା ଅଭାବରୁ ମେରିଆର ସ୍ୱାସ୍ଥ୍ୟ ଦିନକୁଦିନ ଖରାପ ଦିଗରେ ଗତି କରୁଛି ।

 

ଦସ୍ତୟେଭସ୍କି ନିଜ ଚେଷ୍ଟାରେ ଅବହେଳା କରୁ ନଥିଲେ ।

 

ମନର ଅବସ୍ଥା ଶୋଚନୀୟ । ତଥାପି ମତୁଆଳ ମନରେ ସାହିତ୍ୟ ସୃଷ୍ଟି କରିବାପାଇଁ ଉଦ୍ଦୀପନା ଜାଗି ଉଠିଛି । ଅର୍ଥ ପ୍ରୟୋଜନତା ପାଇଁ, ସ୍ତ୍ରୀର ସେବା, ଶୁଶ୍ରୂଷା ପାଇଁ ଅନବରତ ଲେଖାଲେଖି କରି ଚାଲିଛନ୍ତି ଦସ୍ତୟେଭସ୍କି ।

 

ବଡ଼ ଭାଇ ମାଇକେଲ ଭାଇର ପ୍ରତିଭାରେ ମୁଗ୍ଧ ହେଲେ । ଗୋଟିଏ ସାହିତ୍ୟ ପତ୍ରିକା ପ୍ରକାଶ କରିବାପାଇଁ ଆର୍ଥିକ ସାହାଯ୍ୟ ଯୋଗାଡ଼ କରି ଦେଲେ ।

 

“ନୋଟ୍ ଫ୍ରମ୍ ଦି ହାଉସ୍” ଧାରାବାହିକ ଭାବରେ ପ୍ରକାଶ ପାଇଲା ।

 

ବାସ୍ତବରେ ଏ ସବୁ ଲେଖା ପ୍ରକାଶ ପାଇଲା ପରେ ସାହିତ୍ୟିକ ମହଲରେ ସେ ଭୂରି ଭୂରି ପ୍ରଶଂସା ପାଇଲେ ।

 

ଏହାର କଥାବସ୍ତୁ ଥିଲା ସାଇବିରିଆର ବନ୍ଦୀ ଜୀବନର ମର୍ମନ୍ତୁଦ କାହାଣୀ ।

 

ଛାତ୍ର ମହଲରେ ତାଙ୍କର ସାହିତ୍ୟ ବଡ଼ ଲୋକପ୍ରିୟ ହୋଇ ଉଠିଲା ।

 

ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଅନୁଭୂତି ବିଷୟରେ ବୁଲି ବୁଲି ଭାଷଣ ଦେଲେ-

 

ଥରେ ଜଣେ ଭଦ୍ରମହିଳାଙ୍କ ଘରେ ଆପୋଲି ନାରିୟାଙ୍କ ସାଙ୍ଗରେ ତାଙ୍କର ପରିଚୟ ହେଲା ।

 

ତ୍ରୟୋବିଂଶ ବୟସ୍କା ସୁନ୍ଦରୀ ତରୁଣୀ ସେ ।

 

ତାଙ୍କୁ ଦେଖିବାମାତ୍ରେ ଦସ୍ତୟେଭସ୍କି ପ୍ରେମ–ପାଗଳ ହୋଇଗଲେ । ତାଙ୍କର ମନେ ହେଲା ଜୀବନରେ ଏପରି ଝିଅ ସେ କେବେ ଦେଖି ନାହାନ୍ତି ।

 

ପୁରାନାମ ତରୁଣୀର ଥିଲା ଆପୋଲି ନାରିୟା ସୁଶ୍ଳଭା ।

 

ତରୁଣୀ ତାଙ୍କର ଅନେକ ଲେଖା ସେତେବେଳକୁ ପଢ଼ିସାରିଥିଲେ । ତାଙ୍କ ପ୍ରତି ସଶ୍ରଦ୍ଧ ଭକ୍ତି ଥିଲା । କଥା ହେଉ ହେଉ ନାରିୟା ଅନୁରୋଧ କଲା । ସେ କେତୋଟି ଗଳ୍ପ ଲେଖିଛି, ତା’ ସଂଶୋଧନ କରି ଦେବାକୁ ।

 

ସେ ଆନନ୍ଦରେ ସନମତି ଜଣାଇଲେ ।

 

ଦସ୍ତୟେଭସ୍କି ଜୀବନରେ ପ୍ରଥମ ପ୍ରେମରେ ପଡ଼ି ପ୍ରେମିକାଙ୍କ ପ୍ରେମ ନିବେଦନ କରନ୍ତି-

 

ଗଳ୍ପଗୁଡ଼ିକ ସଂଶୋଧନ କଲେ । ସାହିତ୍ୟ ଆଲୋଚନାରେ ଦୁହେଁ ନିବିଡ଼ ଭାବରେ ପରସ୍ପରର ନିକଟବର୍ତ୍ତୀ ହୋଇ ଉଠିଲେ ।

 

ନାରିୟାଙ୍କର କେତୋଟି ଗଳ୍ପ ପ୍ରକାଶ କରାଇଦେଲେ ।

 

ଗଳ୍ପ ପ୍ରକାଶନ ପରେ ଦସ୍ତୟେଭସ୍କିଙ୍କ ପ୍ରତି ମମତା ଆହୁରି ନିବିଡ଼ ହେଲା ।

 

ନାରିୟା ଜୀବନରେ ଏପର୍ଯ୍ୟନ୍ତ କାହାରି ପ୍ରେମରେ ପଡ଼ି ନଥିଲେ । ତେଣୁ ପ୍ରେମ ସମ୍ବନ୍ଧରେ କୌଣସି ଅଭିଜ୍ଞତା ନଥିଲା ତା’ର ।

 

ସାହିତ୍ୟ ଆଲୋଚନାରେ କି ଜଡ଼ିବୁଟି କଲେ ଦସ୍ତୟେଭସ୍କି ନାରିୟା ପାଗଳ ହୋଇ ତାଙ୍କୁ ଦେହ ମନ ପ୍ରାଣ ସବୁ ସମର୍ପି ଦେଲା ।

 

ମେରିୟା ତେଣେ ଅବହେଳିତ ଭାବରେ ରୋଗ ଶଯ୍ୟାରେ ପଡ଼ି ପଡ଼ି ଭାବୁଥାଏ । ଦିନ ତା’ର ସରି ଆସୁଛି ।

 

ନାରିୟା ଆଉ ଦସ୍ତୟେଭସ୍କିଙ୍କର ଅବାଧ ମିଳାମିଶା ଅଛପା ନଥାଏ ।

 

ୟେ ସମ୍ପର୍କରେ ପରିଚିତ ମହଲରେ ଘମାଘୋଟ ଆଲୋଚନା ଚାଲିଥାଏ ।

 

ଯେତେବେଳେ ପ୍ରେମିକ ଯୁଗଳ ତାଙ୍କର ପ୍ରେମ କାହାଣୀ ଚାରିଆଡ଼େ ଆଲୋଚିତ ହେଉଛି ବୋଲି ଜାଣିଲେ, ପ୍ରତିବାଦ ନ ଜଣାଇ କିଛିଦିନ ଫ୍ରାନ୍‍ସ କିମ୍ବା ଇଟାଲୀରେ ବୁଲି ଆସିବାପାଇଁ ମନସ୍ଥ କଲେ ।

 

ଯିବାର ସବୁ ବ୍ୟବସ୍ଥା ହୋଇଗଲା । ନିର୍ଦ୍ଦିଷ୍ଟ ଦିନରେ ନାରିୟା ସୁଶ୍ଳଭା ଫ୍ରାନ୍‍ସ ଅଭିମୁଖରେ ଯାତ୍ରା କଲେ । କିନ୍ତୁ ଦସ୍ତୟେଭସ୍କି ଯାଇ ପାରିଲେ ନାହିଁ । କାରଣ ଖବରକାଗଜରେ କେତେକ ଲେଖା ପ୍ରକାଶ ପାଇଥିଲା । ସେଗୁଡ଼ିକ ସମ୍ରାଟଙ୍କୁ ଆକ୍ଷେପ କରି ଲେଖା ହୋଇଛି ବୋଲି ରାଜକୀୟ ଅଭିଯୋଗ । କୈଫିୟତ ଦେଇ ତାହା ଖଣ୍ଡନ କଲାପରେ ସେ ଫ୍ରାନ୍‍ସ ଯିବାପାଇଁ ଅନୁମତି ପାଇବେ । ତେଣୁ ସୁଶ୍ଳଭା ଫ୍ରାନ୍‍ସରେ ପହଞ୍ଚିବାର କେତେଦିନ ପରେ ଦସ୍ତୟେଭସ୍କି ଯାତ୍ରା ଆରମ୍ଭ କଲେ ।

 

ତାଙ୍କ ପାଖରେ ବିଶେଷ ଟଙ୍କା ନଥିଲା । ଫ୍ରାନସରେ ସୁଶ୍ଳଭା ସାଙ୍ଗରେ ଦିନଗୁଡ଼ିକ ଆରାମରେ କଟାଇବା ପାଇଁ ମୋଟା ଟଙ୍କାର ଆବଶ୍ୟକ । ତେଣୁ ସିଧାସଳଖ ସେ ଫ୍ରାନ୍‍ସ ଯାଇ ଓୟାସ୍‍ବ୍ୟାଡ଼େନ୍‍କୁ ଜୁଆ ଖେଳି କିଛି ଲାଭ କରିବାପାଇଁ ଗଲେ ।

 

ଭାଗ୍ୟଲକ୍ଷ୍ମୀ ପ୍ରସନ୍ନା ହେଲେ ।

 

ଖେଳରେ ବେଶ୍ ଟଙ୍କା କମାଇଲେ । ତା’ପରେ ଆନନ୍ଦ ମନରେ ପ୍ୟାରିସ୍‍ରେ ପହଞ୍ଚି ସୁଶ୍ଳଭାକୁ ଯାଇ ଭେଟିଲେ ।

 

ସୁଶ୍ଳଭା ତାଙ୍କୁ ଦେଖି ଆନନ୍ଦିତ ହେଲା ନାହିଁ । ମାମୁଲି ଭାବରେ ଦି’ଚାରି କଥା ହୋଇ, ସେ ଚାଲି ଯାଆନ୍ତୁ ବୋଲି ଚାହିଁଲା ।

 

ବିସ୍ମିତ ହେଲେ ଦସ୍ତୟେଭସ୍କି ।

 

ଅନୁକମ୍ପା ସ୍ଵରରେ ଦସ୍ତୟେଭସ୍କି ଡାକିଲେ, “ନାରିୟା !”

 

“ଉପାୟ ନଥିଲା । ତମେ ଡେରି କଲ । ମୋତେ ନିଃସଙ୍ଗ ଜୀବନ ଭଲ ଲାଗିଲା ନାହିଁ-। ତେଣୁ ମୁଁ ମୋର ଅନ୍ୟ ଜଣେ ସାଥୀ ବାଛି ନେଇଛି ।”

 

ତାଙ୍କ ଭାଗ୍ୟରେ ଥରକୁଥର ଏମିତି ଘଟିଛି । ତେଣୁ ଅସହାୟ ଭାବରେ ତାଙ୍କ ପାଟିରୁ ବାହାରି ପଡ଼ିଲା । “ସେ ଭାଗ୍ୟବାନ କିଏ ?”

 

“ସାଲ୍‍ଭାଦୋର, ଜଣେ ସ୍ପେନୀୟ ଯୁବକ ।’’ ଡାକ୍ତରୀ ପଢ଼ିବାପାଇଁ ଫ୍ରାନ୍‍ସ ଆସିଛନ୍ତି । ସୁଶ୍ରୀ ତରୁଣ । ସ୍ଵାସ୍ଥ୍ୟବାନ୍ । ପ୍ରଥମ ଦର୍ଶନରୁ ତାଙ୍କୁ ଭଲ ପାଇ ସାରିଛି ସୁଶ୍ଳଭା ।

 

ସବୁ ଶୁଣିଲା ପରେ, ଦସ୍ତୟେଭସ୍କି ଆଉ ଅପେକ୍ଷା କରିପାରିଲେ ନାହିଁ । ହୋଟେଲକୁ ଫେରି ଆସିଲେ ।

 

ସୁଶ୍ଳଭାକୁ ଦୋଷ ନ ଦେଇ ନିଜକୁ ଅଭିସମ୍ପାଦ ଦେଲେ ।

 

ତାଙ୍କର ସ୍ୱାସ୍ଥ୍ୟ ନାହିଁ, ସେ ସୁଶ୍ରୀ ନୁହନ୍ତି । କମନୀୟତାର ଅଭାବ ତାଙ୍କଠାରେ । ସାଲ୍‍ଭାଦୋରଙ୍କର ସବୁ ଅଛି । ତାଙ୍କୁ ଭଲ ନପାଇ ଦସ୍ତୟେଭସ୍କିଙ୍କୁ କାହିଁକି ଭଲ ପାଇବେ-??

 

ଏଥର କ’ଣ ସେ ଦେଶକୁ ଫେରିଯିବେ ?

 

ସୁଶ୍ଳଭା ଯେପରି ଭାବରେ ଦସ୍ତୟେଭସ୍କିଙ୍କୁ ପ୍ରତାରିତ କରିଥିଲା ଠିକ୍ ସେହିପରି ଭାବରେ ସ୍ପେନୀୟ ଡାକ୍ତର ସୁଶ୍ଳଭାଙ୍କୁ ପ୍ରତାରିତ କଲା ।

 

ସେ ମନଭରି ସୁଶ୍ଳଭାର ଦେହଟା ଚାହିଁଥିଲା । ଆପ୍ରାଣ ଉପଭୋଗ କରି, ମଦ ପିଇସାରିବା ପରେ ପାତ୍ରଟିକୁ ଯେପରି ଉପେକ୍ଷା କରାଯାଏ, ଠିକ୍ ସେହିପରି ଭାବରେ ସୁଶ୍ଳଭାକୁ ଉପେକ୍ଷା କରି ଚାଲିଯାଇଛି ।

 

ବିଛଣାରେ ପଡ଼ି ରହି ସୁଶ୍ଳଭା ହତାଶରେ ଫୁଲି ଫୁଲି କାନ୍ଦୁଥିଲା ।

 

ଅନୁତାପାଶ୍ରୁ ବହିଯାଇ ଗଣ୍ଡ ମଣ୍ଡଳ ସିକ୍ତ କରୁଥିଲା ।

 

ଦସ୍ତୟେଭସ୍କି ଖବର ପାଇ ତା’ ପାଖକୁ ଧାଇଁ ଯାଇଥିଲେ । ଯାଇ ସାନ୍ତ୍ଵନା ଦେଲେ ।

 

ସାଙ୍ଗରେ ନେଇ ପ୍ୟାରିସ୍‍ ସହର ଛାଡ଼ିଲେ । ପହଞ୍ଚିଲେ ଯାଇ ଜୁଆଖେଳ ପ୍ରସିଦ୍ଧ ବ୍ୟାଡ଼େନ୍ ସହରରେ ।

 

ଭାଗ୍ୟଲକ୍ଷ୍ମୀ ବିମୁଖ ଥିବାରୁ ପାଖରେ ଥିବା ସବୁ ପଇସା ଜୁଆଖେଳରେ ହରାଇଲେ । ଏପରିକି ପିନ୍ଧିଥିବା ସାର୍ଟ୍ ଖଣ୍ଡି ଜୁଆଖେଳରେ ବାଜି ରଖି ହରାଇଲେ ।

 

କପର୍‍ଦଜ ନାସ୍ତି ଗିରିଧାରୀ । ପୁଣି ସାଙ୍ଗରେ ସୁଶ୍ଳଭା । କରିବେ କ’ଣ ? ବିଦେଶରେ ଅର୍ଥ ନଥିଲେ ମଣିଷ ଏକବାରେ ବେକାମୀ ହୋଇପଡ଼େ ।

 

ଭାଗ୍ୟବଶତଃ ତୁର୍ଗିନଭ ସେହି ସହରରେ ଥାଆନ୍ତି । ପୁରୁଣା ଶତ୍ରୁତା ଭୁଲି, ତା’ ପାଖକୁ ଯାଇ ଟଙ୍କା ଧାର ଆଣିଲେ ।

 

ଟଙ୍କା ଧାର ଆଣିବା ପରେ ସୁଶ୍ଳଭାକୁ ନେଇ ୟୁରୋପର ବିଭିନ୍ନ ରମଣୀୟ ସ୍ଥାନ ବୁଲି ବୁଲି ଦେଖିଲେ ।

 

ଏତେ ପାଖାପାଖି ରହି ମଧ୍ୟ ପୂର୍ବ ସମ୍ପର୍କ ଆଉ ଫେରିଲା ନାହିଁ ।

 

ମାମୁଲି ଭାବରେ ଜୀବନ କଟାଉଥିଲେ ଦୁହେଁ ।

 

ବୀତସ୍ପୃହ ହୋଇ ଉଠିଲେ ଦସ୍ତୟେଭସ୍କି । ଭିକ୍ଷୁ ନୁହନ୍ତି ସେ । ଭିକ୍ଷୁକକୁ ଭିକ୍ଷା ଦେବାପରି ପ୍ରେମ–ଭିକ୍ଷା ମାଗି ମାଗି ଅନୁଗୃହୀତ ହୋଇ ତା’ ସାଙ୍ଗରେ ରହିବାକୁ ମନ ଚାହିଁଲା ନାହିଁ ।

 

ଶେଷରେ ଏକାଏକା ରୁଷିଆ ଫେରି ଆସିଲେ ଦସ୍ତୟେଭସ୍କି ।

 

ଘରେ ଫେରି ଆସି ଦେଖିଲେ ମେରିୟା ରୋଗ ଶଯ୍ୟାରେ ।

 

ତାଙ୍କୁ ଦେଖି ଘୃଣାରେ ମୁହଁ ଫେରାଇ ନେଲେ ମେରିୟା ।

 

ମୁଣ୍ଡ ପାତି ନିଜର ଦୋଷ ସ୍ଵୀକାର କଲେ ଦସ୍ତୟେଭସ୍କି ।

 

ସ୍ତ୍ରୀର ଅନ୍ତିମ–ଶଯ୍ୟାରେ ସଦୟ ହୋଇ ପଡ଼ିଥିଲେ ଦସ୍ତୟେଭସ୍କି ।

 

ଶେଷ ଜୀବନରେ ଟିକିଏ ଆଶ୍ଵାସନା ଦେବାପାଇଁ ପୂର୍ଣ୍ଣ ପ୍ରାଣରେ ସେବାରେ ମନ ଦେଲେ । ବାହାରକୁ ଯିବା ବନ୍ଦ କରି ଦେଇଥାନ୍ତି ।

 

ଏହି ସମୟରେ ଖଣ୍ଡିଏ ଉପନ୍ୟାସ ଲେଖା ଆରମ୍ଭ କଲେ ।

 

୧୮୬୪ ସାଲରେ ମେରିୟା ସ୍ଵାମୀଙ୍କୁ ମୁକ୍ତ କରି ଇହଧାମ ଛାଡ଼ିଲେ ।

 

ମେରିୟା ମରିଯିବା ପରେ ଆଉ ଏକ ଦାରୁଣ ବିଚ୍ଛେଦରେ ମ୍ରିୟମାଣ ହୋଇ ପଡ଼ିଲେ । ବଡ଼ ଭାଇ ମାଇକେଲ ମରିଗଲେ ।

 

ତାଙ୍କ ସାହିତ୍ୟିକ ଜୀବନରେ ଭାଇଙ୍କର ଅବଦାନ ଥିଲା ଅନେକ ।

 

କିଛିଦିନ ମୂକ ପରି ବସି ରହିଲେ ସେ ।

 

ମେରିୟା ମରିଯାଇଛି । ନୂଆ ହୋଇ ସୁଶ୍ଳଭା କଥା ଚିନ୍ତା କଲେ । ବିବାହ ପ୍ରସ୍ତାବ ନେଇ ତା’ ପାଖକୁ ଧାଇଁଗଲେ ।

 

କିନ୍ତୁ ସୁଶ୍ଳଭା ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ।

 

ଦୁଇଟି ବର୍ଷ ଏମିତି ଭାବରେ ବିତିଗଲା ।

 

ଲବ୍‍ଧି ପ୍ରତିଷ୍ଠିତ ଲେଖକ ଦସ୍ତୟେଭସ୍କିଙ୍କୁ ଚାରିଆଡ଼ୁ ଅଭିନନ୍ଦନ ବାର୍ତ୍ତା ଆସୁଛି । ସଭା ସମିତି, ଖବରକାଗଜରେ ତାଙ୍କର ସାହିତ୍ୟ ପ୍ରତିଭାର ଭୂୟସୀ ଯଶଗାନ କରାଯାଉଛି ।

 

ହେଲେ ଅମିତବ୍ୟୟିତା ପାଇଁ ବେଳେବେଳେ ଭୟଙ୍କର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ ।

 

ଏହି ପ୍ରସଙ୍ଗରେ କୁହାଯାଇପାରେ ଗୋଟିଏ ପ୍ରକାଶକଙ୍କଠାରୁ ଅଗ୍ରିମ ତିନିହଜାର ରୁବେଲ ନେଇ ସମ୍ପୂର୍ଣ୍ଣ ପାଣ୍ଡୁଲିପିଟିଏ ୧୮୬୬ ସାଲ, ନଭେମ୍ବର ପହିଲା ଦିନ ଦେବାପାଇଁ ଚୁକ୍ତିବଦ୍ଧ ହୋଇଥିଲେ ।

 

ଟଙ୍କା ନେଲା ପରେ ସେଥିପ୍ରତି ଧ୍ୟାନ ଦେଇ ପାରି ନଥିଲେ । ଅକ୍ଟୋବର ମାସ ଆସିଗଲା ।

 

ଚିନ୍ତା ପଶିଲା ମୁଣ୍ଡରେ । ମାସକ ଭିତରେ କୌଣସିମତେ ଉପନ୍ୟାସର ପାଣ୍ଡୁଲିପିଟି ପ୍ରସ୍ତୁତ କରିଦେବାକୁ ହେବ ।

 

ବନ୍ଧୁମାନେ ପରାମର୍ଶ ଦେଲେ । ଗୋଟିଏ ଷ୍ଟେନୋ ରଖ । ଡିକ୍ଟେସନ୍ ନେଇଯିବ । ଷ୍ଟେନୋ ଡିକେ‍ସନ ନେଲାପରେ, ସଂଶୋଧନ କରିନେଲେ, ନିରୂପିତ ସମୟ ଭିତରେ ଉପନ୍ୟାସଟି ଶେଷ ହୋଇ ପାରିବ ।

 

ପ୍ରସ୍ତାବଟି ବେଶ୍ ମନକୁ ପାଇଲା ।

 

ୟାନି ନାମ୍ନୀ ଗୋଟିଏ ମଧ୍ୟବିତ୍ତ ପରିବାରର ତରୁଣୀକି ଷ୍ଟେନୋରୂପେ ନିଯୁକ୍ତି ଦେଲେ ।

 

ତରୁଣୀ ଲୋଲୁପୀ, ଔପନ୍ୟାସିକ ଡିକ୍ଟେସନ୍ ଦେଲାବେଳେ ନିରୀକ୍ଷଣ କରି ୟାନ୍‍କୁ ଚାହାଁନ୍ତି ।

 

ଭାରି ଲୋଭିଲାତ ! ଅତି ସୁନ୍ଦରୀ ନହେଲେବି ଦେହରେ ଲାବଣ୍ୟ ହୋଇ ରହିଛି । ଆଖିରେ କିମିଆ ।

 

ମନରେ ତରଙ୍ଗ ସୃଷ୍ଟିକଲା ୟାନି !

 

ତାଙ୍କ ପାଖରେ ଷ୍ଟେନୋ ହୋଇ ଆତ୍ମତୃପ୍ତି ପାଉଥିଲା ୟାନି । ଲେଖକଙ୍କର ପ୍ରତିଭାର ପରିଚୟ ତାଙ୍କ ଲେଖାରୁ ପାଇଥିଲା । ହେଲେ ନିଜେ ଡିକ୍ଟେସନ୍ ନେଲା ପରେ ତା’ର ଅନ୍ତର ଭକ୍ତିରେ ପୂରି ଉଠିଲା ।

 

ଡିକ୍ଟେସନ୍ ନେବା ସମୟ ଖୁବ୍ ଆଗରୁ ସେ ଯାଇ ହାଜର ହୋଇ ଯାଉଥିଲା ।

 

ୟାନିର ଶାନ୍ତ ସ୍ଵଭାବ, ମାର୍ଜ୍ଜିତ ବ୍ୟବହାରରେ ପ୍ରୀତ ହୋଇଥିଲେ ଦସ୍ତୟେଭସ୍କି ।

 

ବିଦଗ୍ଧ ପ୍ରତିଭାର ପରିଚୟ ପାଇ ୟାନି ୧୮୬୬ ସାଲ ଅକ୍ଟୋବର ୪ ତାରିଖରେ ପ୍ରଥମେ ସେ କାମରେ ଯୋଗ ଦେଲା ।

 

ଅକ୍ଟୋବର ୨୯ ତାରିଖରେ ଉପନ୍ୟାସଟି ଶେଷ ହେଲା । ଧନ୍ୟବାଦ ଦେଲେ ସେ । ୟାନି କୃତଜ୍ଞତା ଜଣାଇଲା ବିନିମୟରେ ।

 

“ଦି ଗ୍ୟାମ୍ବଲର” ମାତ୍ର ଛବିଶଟି ଦିନରେ ଶେଷ ହୋଇଛି ।

 

ଆଶ୍ଵସ୍ତିରେ ନିଃଶ୍ଵାସ ମାରି ପ୍ରକାଶକଙ୍କ ପାଖରୁ ଋଣ ମୁକ୍ତ ହେଲେ ।

 

ୟାନିର ଚାକିରି ସରି ଆସିଛି । ହେଲେ, ଔପନ୍ୟାସିକଙ୍କ ପାଖରୁ ବିଦାୟ ନେବାପାଇଁ ଆତ୍ମା ଚାହୁଁନି ।

 

ଏଇ କେତେ ଦିନ ଭିତରେ ତାଙ୍କର ଅଭାବ, ଅନାଟନ ବିଷଣ୍ଣତା ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲା ୟାନି ।

 

ଟଙ୍କାପଇସା କରଜ ଶୁଝିବାରେ ସରିଯାଇଛି । ଖାଦ୍ୟପେୟ ସାମାନ୍ୟ ଯୋଗାଡ଼ କରିବାପାଇଁ ଘରର ଆସବାବ ପତ୍ର ବିକ୍ରି କରିବାରେ ୟାନି ନିଜେ ଦେଖିଛି । ଅଥଚ ଅର୍ଥାଗମର ଉପାୟ ଅନେକ ଥିଲା, ପ୍ରଚୁର ଅର୍ଥ ପାଇଥିଲେ ମଧ୍ୟ ।

 

ସବୁ ପଇସା ବିନିମୟ ହୋଇଯାଏ ଅଥବା ଜୁଆଖେଳରେ ସବୁ ହାରି ଦେଇ ଆସନ୍ତି ।

 

ତାଙ୍କର ଅସହାୟ ଅବସ୍ଥା ମନେମନେ ଭାବୁଥିଲା ୟାନି । ତାଙ୍କପାଇଁ ଅନୁକମ୍ପାରେ ମନ ଭରି ଯାଇଥିଲା ।

ଥରେ କଥାପ୍ରସଙ୍ଗରେ ଦସ୍ତୟେଭସ୍କି ଦୀର୍ଘ ନିଃଶ୍ଵାସ ପକାଇ କହିଲେ, “ଭାବିଥିଲି ଉତ୍ତର ଜୀବନ ଟିକିଏ ଶାନ୍ତିରେ କଟିବ, ହେଲେ ଦେଖୁଛି ଶୈଶବ, କୈଶୋର, ଜୀବନରେ ଯେଉଁ ଅଭିଶାପ ଲାଗି ରହିଥିଲା ଶେଷରେ...”

 

“ଆଉଥରେ ବିବାହ କରୁ ନାହାନ୍ତି ?” ୟାନି ବିନମ୍ର ଭାବରେ ପ୍ରଶ୍ନ କଲା ।

 

‘ବୁଢ଼ାଦିନେ କିଏ ମୋତେ ବିବାହ କରିବ କହିଲ ?’ ଉତ୍ତର ଦେଲେ ସେ ।

 

“ତମେ ମତେ ବିବାହ କରିପାରିବ ୟାନି !” ପ୍ରସ୍ତାବ ଦେଲେ ଦସ୍ତୟେଭସ୍କି ।

 

ପ୍ରସ୍ତାବ ଦେଇ ଅନୁତପ୍ତ ହେଲେ । କାହିଁକି ମନର କଥା ଏପରି ଭାବରେ ବାଢ଼ି ବସିଲେ-? ବାରବାର ତାଙ୍କର କୁତ୍ସିତ ଚେହେରା, ସ୍ନାୟୁ ରୋଗ ଦୀନତାର ଭିକ୍ଷାଥଳି ଧରି ପ୍ରେମ ଭିକ୍ଷା ମାଗି ଅପମାନିତ ହେବେ ?

 

ତାଙ୍କ ପ୍ରେମ–ବୁଭୁକ୍ଷୁ ଆତ୍ମାରେ ପ୍ରଲେପ ଦେବାପାଇଁ କାହିଁକି କେଉଁ ତରୁଣୀ ଆଗ୍ରହୀ ହେବ ? ଏକତରଫା ପ୍ରେମ ବାଢ଼ି ବାଢ଼ି ସେ କ୍ଳାନ୍ତି ଅନୁଭବ କରିଥିଲେ । ତଥାପି...କାହିଁକି...କାହିଁକି ସେ ୟାନିକୁ ଏମିତି ଭାବରେ ପ୍ରସ୍ତାବ ଦେଲେ ?

 

ୟାନି ଧୀର ଅଥଚ ସ୍ପଷ୍ଟତର ଉତ୍ତର ଦେଲେ, “ଏତେ ସୌଭାଗ୍ୟବତୀ ମୁଁ କ’ଣ ହୋଇପାରେ ?”

 

ବିସ୍ମୟରେ ଦସ୍ତୟେଭସ୍କିଙ୍କ ହୃଦୟ ପୂରି ଉଠିଲା ।

 

କିନ୍ତୁ ମୋର ଅବସ୍ଥା ଦେଖିପାରୁଛ ? ମୋ ବୟସ କଳନା କରିପାରୁଛ ?” ଦସ୍ତୟେଭସ୍କି ପୁଣି ପ୍ରଶ୍ନ କଲେ ।

 

“ପ୍ରେମପାଇଁ ବୟସ କୌଣସି ଯୁଗରେ ପ୍ରତିବନ୍ଧକ ହୋଇ ପାରେନା, ମୁଁ ଶେଷ ଦିନ ପର୍ଯ୍ୟନ୍ତ ତୁମକୁ ଭଲ ପାଇବି ।” ୟାନି ତା’ର ଶେଷ ପ୍ରତିଶ୍ରୁତି ଜଣାଇଲା ।

 

ଅନେକ ଦିନ ପରେ ନୂଆ ଆଶାରେ ବିଭୋର ହୋଇପଡ଼ିଲେ ଦସ୍ତୟେଭସ୍କି ।

 

କିନ୍ତୁ ବନ୍ଧୁବାନ୍ଧବ ଆତ୍ମୀୟମାନେ ଏଇ ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ ।

 

ପ୍ରତିକୂଳ ମତ ସତ୍ତ୍ୱେ ୪୫ ବର୍ଷ ବୟସରେ ଦସ୍ତୟେଭସ୍କି ଅଳ୍ପ ବୟସୀ ତରୁଣୀ ୟାନିଙ୍କୁ ମହାଆନନ୍ଦରେ ବିବାହ କଲେ ।

 

କିନ୍ତୁ ବିବାହର ପ୍ରଥମ କେତେ ମାସ ତାଙ୍କର ଇନିଫିରିଲ୍‍ଟି କମ୍ପ୍ଳେସନ୍ ପାଇଁ ଅନ୍ତର ଦ୍ଵନ୍ଦ୍ୱରେ ଦୁଃଖୀ ହୋଇ ଉଠିଲେ ।

 

ସାହିତ୍ୟିକ ସଭାରେ, ଡିନର ପାର୍ଟିରେ ବା ବନ୍ଧୁମାନଙ୍କ ମେଳରେ ୟାନି ବନ୍ଧୁମାନଙ୍କ ସାଙ୍ଗରେ ସାମାନ୍ୟ କଥାବାର୍ତ୍ତା ହେଲେ ମଧ୍ୟ ଦସ୍ତୟେଭସ୍କି ସହି ପାରୁ ନଥିଲେ ।

 

ସନ୍ଦେହ ଜ୍ଵାଳାରେ ସେ ସବୁବେଳେ ଜର୍ଜରିତ ହୋଇ ପଡ଼ୁଥିଲେ । ସବୁବେଳେ ଭୟ ହେଉଥାଏ, ଅନ୍ୟମାନଙ୍କ ପ୍ରେମରେ ପଡ଼ି ଦିନେ କାଳେ ୟାନି ତାଙ୍କୁ ହତାଶ କରି ଚାଲିଯିବେ ।

 

ୟାନି ବୁଦ୍ଧିମତୀ । ସ୍ଵାମୀର ମନୋଭାବ ବୁଝିବାକୁ ଆଉ ବାକି ରହିଲା ନାହିଁ ।

 

ସ୍ଵାମୀଙ୍କୁ ସୁଖୀ କରିବାପାଇଁ, ତାଙ୍କର ମାନସିକ ଦୁଶ୍ଚିନ୍ତା ଦୂର କରିବାପାଇଁ ନିଜର ସ୍ଵାଧୀନ ମତ, ସ୍ଵଚ୍ଛନ୍ଦ ବିହାର, ବନ୍ଧୁତା ପରିସର ସଂକୋଚିତ କରିଦେଲେ ।

 

ସାହିତ୍ୟିକ ଜୀବନରେ ସ୍ଵାମୀ ଉତ୍ତରୋତ୍ତର ଉନ୍ନତି କରନ୍ତୁ, ଏହି ନିଷ୍ପତ୍ତି ନେଇ ଜୀବନର ସବୁ କିଛି ତୁଚ୍ଛ କରି ସ୍ଵାମୀଙ୍କୁ ସୁଖୀ କରିବାପାଇଁ ଜୀବନ ଢାଳି ଦେଲେ ।

 

ୟାନିର ସ୍ଵର୍ଗୀୟ ମମତାରେ ସବୁ ଭ୍ରାନ୍ତି ଦୂର ହୋଇଗଲା ।

 

ହେଲେ ଦୁଃଖାନଳରୁ ନିଜକୁ ମୁକ୍ତି କରିପାରିଲେ ନାହିଁ ।

 

ଜୁଆଖେଳ ନିଶାରେ ସବୁ କିଛି ହରାଇ ଧାଇଁ ଆସନ୍ତି ୟାନି ପାଖକୁ । ତା’ ଉପରେ ଅତ୍ୟାଚାର କରନ୍ତି । ୟାନି ପ୍ରତିବାଦ କରେ ନାହିଁ । ନିଜର ଗହଣା ଜୁଆଖେଳ ପାଇଁ ସ୍ଵାମୀଙ୍କ ହାତରେ ସମର୍ପି ଦିଏ ।

 

କ୍ରମେ କ୍ରମେ ଜୁଆଖେଳ ନିଶା କମି କମି ଆସିଲା ।

 

ସେଥିପାଇଁ ଅନୁତପ୍ତ ହେଲେ ଦସ୍ତୟେଭସ୍କି ।

ୟାନିର ତପସ୍ୟା ସଫଳ ହୋଇଛି । ତା’ ପରି ପତିବ୍ରତା ନାରୀକି ପ୍ରଥମ ଜୀବନରେ ସେ ଯେବେ ପାଇଥାନ୍ତେ !! ଆଃ...

ଦେହ, ମନ, ସୌଭାଗ୍ୟ ସବୁ କିଛି ସମର୍ପି ଦେଇଛି । କ’ଣ ପାଇଛି, କ’ଣ ପାଇନି ସେ ବିଷୟରେ ସ୍ଵାମୀ କେବେ ସମୀକ୍ଷା କରି ନାହାନ୍ତି । ସେଥିପାଇଁ କ୍ଷୋଭ ନାହିଁ । ଅନୁଶୋଚନା ନାହିଁ-। ଏତେ ସ୍ଵର୍ଗୀୟ ଏହି ବନ୍ଧନ !

ଜୀବନରେ ବାରକୁ ବାର ହାରି ହାରି ଶେଷରେ ଭାଗ୍ୟବାନ ହୋଇ ପଡ଼ିଛନ୍ତି !

ଏତେ ପ୍ରେମ, ଏତେ ତ୍ୟାଗ ସତ୍ତ୍ୱେ ୟାନିକୁ ଅପମାନିତ କରିବାରେ ସେ ପଶ୍ଚାତ୍‍ପଦ ହୋଇ ନାହାନ୍ତି ।

“ନୋଟ୍‍ସ ଫ୍ରମ ଦି ଅଣ୍ଡର ୱାର୍ଲଡ଼”ରେ ଲେଖିଛନ୍ତି ଭଲ ପାଇବା ଅତ୍ୟାଚାରର ଅଧିକାର ଦେଇଥାଏ ।

ଉପନ୍ୟାସରେ ଏକଥା ଲେଖି ସେ ସନ୍ତୁଷ୍ଟ ନଥିଲେ । ୟାନିଙ୍କ ପ୍ରତି ଅକ୍ଷରେ ଅକ୍ଷରେ ସେ ପ୍ରୟୋଗ କରିଥିଲେ ।

ୟାନି ଯେଉଁପରି ଭାବରେ ତାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ, ମେରିୟା କିମ୍ବା ସୁଶ୍ଳଭା ସେପରି ଆତ୍ମସମର୍ପଣ କରି ନଥିଲେ ବୋଲି ଅନ୍ତଜ୍ଵାଳାରେ ଜ୍ଞାନ ଶୂନ୍ୟ ହୋଇ, ପ୍ରତିଶୋଧ ନେଇଥିଲେ ଗୋଟିଏ ନିରିହା ବାଳିକା ଉପରେ ???

 

ଶେଷ ଜୀବନରେ ସେ ଅବଶ୍ୟ ଅନୁତାପ କରିବାକୁ ଲାଗିଲେ । ଯେତେବେଳେ ୟାନି ସନ୍ତାନର ମା’ ହୋଇଗଲେ ।

 

ବହୁ ତରୁଣୀ ତାଙ୍କ ପାଖକୁ ଆସିଥିଲେ, ହେଲେ ପିତୃତ୍ଵର ଗୌରବ କେହି ତାଙ୍କୁ ଦେଇ ନଥିଲେ ।

 

ଦୀର୍ଘଜୀବନରେ ନିର୍ଯାତିତ, ଅପମାନିତ, ଅବହେଳିତ, ପ୍ରତ୍ୟାଖିତ ହୋଇ ଶେଷ ଜୀବନରେ ଜୁଆଖେଳ ଛାଡ଼ି ଏକାନ୍ତ ଭାବରେ ପତ୍ନୀପ୍ରାଣା ହୋଇ ଉଠିଥିଲେ ଦସ୍ତୟେଭସ୍କି ।

 

ଜୀବନର ଶେଷ ଅଭିଳାଷ ପୂରଣ କରିବାପାଇଁ ଟଲଷ୍ଟୟଙ୍କର “ୱାର ଆଣ୍ଡ୍ ପିସ୍” ଭଳି ଏକ ପ୍ରଖ୍ୟାତ ଉପନ୍ୟାସ ଲେଖିବେ ।

 

ଲେଖିଲେ “ଲାଇଫ୍‍ ଅଫ୍‍ ଗ୍ରେଟ୍‍ ସିନର”–ଲେଖା ଆରମ୍ଭ କଲେ ।

 

ଦୃଢ଼ ମନୋବଳ ନେଇ ଲେଖା ଆରମ୍ଭ କଲେ । କିନ୍ତୁ ବହିର ଆକାର ଛୋଟ କରିବାକୁ ହେଲା । ଶେଷ ଦୁଇଖଣ୍ଡ ଉପନ୍ୟାସ ଲେଖିବାର ଯେଉଁ ମନସ୍ଥ କରିଥିଲେ, ପ୍ରଥମ ଖଣ୍ଡ ହେଲା “ବ୍ରଦର୍ସ କାର୍‍ମା ଜୋଭ” ।

 

ବିଶ୍ଵ–ସାହିତ୍ୟର ଏହି ଅନନ୍ୟ ଉପନ୍ୟାସର ୨ୟ ଖଣ୍ଡ ଲେଖି ଯାଇପାରିଲେ ନାହିଁ !

 

ଶେଷ ନିଃଶ୍ଵାସ ଛାଡ଼ିଲେ ୧୮୮୦ ସାଲ ଜାନୁୟାରୀ ୨୮ ତାରିଖରେ ।

 

ପତ୍ନୀ ପୁତ୍ରଙ୍କ ପାଖରେ ଥାଇ ଶେଷ ନିଃଶ୍ଵାସ ଶାନ୍ତିରେ ଛାଡ଼ିଲେ ।

 

ଜୀବନରେ ଜଳି ଜଳି ଶେଷରେ ଶାନ୍ତିରେ ନିଃଶ୍ଵାସ ମାରିଛନ୍ତି ।

 

ପତିବ୍ରତା ୟାନି ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛି ।

 

ତାଙ୍କର ଅତ୍ୟାଚାରକୁ ପ୍ରେମର ଶୁଭଟୀକା ବୋଲି ୟାନି ସାଦରେ ଗ୍ରହଣ କରିଥିଲା ।

 

ଧନ୍ୟ ୟାନି ! ଅତୃପ୍ତ ପ୍ରେମିକକୁ ତୃପ୍ତି ଦେଇ ତମେ ବିଶ୍ଵ–ମାନବ ଜାତିର ନମସ୍ୟ ହୋଇଛ ।

 

ତମ ପ୍ରେମର ପଟାନ୍ତର ନାହିଁ !

 

ତମେ ଆର୍ଯ୍ୟଭୂମୀ ଭାରତରେ ଜନ୍ମ ହୋଇଥିଲେ ପଞ୍ଚ ସତୀଙ୍କ ନାମ ଉଚ୍ଚାରଣ ନକରି, ତମେହିଁ ପ୍ରାତଃସ୍ମରଣୀୟ ହୋଇ ଥାଆନ୍ତ ।

☆☆☆

 

ରସିକ ପ୍ରେମିକ ‘ଶ’

 

X X ମୋ ଜୀବନରେ କୌଣସି ପ୍ରେମଲୀଳା ନାହିଁ X X । ‘ଶ’

 

୧୯୩୦ ସାଲ, ଜୁନ୍ ୨୦ ତାରିଖରେ, ଖଣ୍ଡେ ଚିଠିରେ ଲେଖିଲେ ଜର୍ଜ ବର୍ଣ୍ଣଡ଼ ଶ ।

 

ଆହୁରି ମଧ୍ୟ ସ୍ଵଭାବସୁଲଭ ଭଙ୍ଗିରେ ଲେଖିଥିଲେ, “ମଝିରେ ମଝିରେ ଅନେକ ତରୁଣୀ ଯେ ମୋ ପ୍ରତି ଆକୃଷ୍ଟ ହୋଇ ନାହାନ୍ତି କହିଲେ ଭୁଲ ହେବ । ସେମାନେ ଆକୃଷ୍ଟ ହୋଇଛନ୍ତି । ମୁଁ ମଧ୍ୟ ଆଇରିସ୍‍ ଭଙ୍ଗିରେ ସେମାନଙ୍କ ପ୍ରତି ଅନୁରାଗ ଦେଖାଇଛି । X X

 

ସେ ଅନୁରାଗ କ’ଣ ପ୍ରେମ ନୁହେଁ ?

 

ପ୍ରଣୟ ନୁହେଁ ?

 

“ସେମାନଙ୍କ ମଧ୍ୟରୁ ମା’ଙ୍କର ଜଣେ ବିଧବା ଛାତ୍ରୀ ମୋ ମନରେ ବିଶେଷ କୌତୂହଳ ଉଦ୍ରେକ କରିଥିଲା ।”

 

“ମୋ ଜୀବନରେ କୌଣସି ପ୍ରେମଲୀଳା ନାହିଁ ।” ଏକଥା ଲେଖି ଶ ହାସ୍ୟରସର ଅବତାରଣା କରିଛନ୍ତି ମାତ୍ର ।

 

ଅସଂଖ୍ୟ ବାନ୍ଧବୀ, ପ୍ରେମିକା ଉଦ୍ଦାମ ପ୍ରେମ ରସର ଆସ୍ଵାଦନ ପିପାସା ତାଙ୍କ ପ୍ରାଣରେ ଜଗାଇଥିଲେ । ଶ ଅବାରିତ ଅବଗାହନ ପାଇଁ ଆତ୍ମହରା ହୋଇ ପଡ଼ିଛନ୍ତି ।

 

ମା’ଙ୍କର ସଙ୍ଗୀତ ଛାତ୍ରୀ ଜେନି ଟାଟରସନ୍‍ଙ୍କ ପ୍ରେମବିଭବ ପ୍ରହସନ ନୁହେଁ । ସେ ପ୍ରେମ ଶ’ଙ୍କ ପ୍ରାଣରେ ପ୍ରେମର ଉଦ୍ଦାମ ହିଲ୍ଲୋଳ ସୃଷ୍ଟି କରିଛି କି ନା, ଦେଖା ହେଲେ ଶ’ଙ୍କୁ ପଚରାଯାଇପାରନ୍ତା ।

 

ଜେନି ଟାଟରସନ୍ ଅବଶ୍ୟ ପ୍ରଥମ ପ୍ରେମିକା ନୁହନ୍ତି । ୧୮୮୨ ମସିହାରେ ପ୍ରଥମ ପ୍ରେମରେ ପଡ଼ିଲେ ସେବିକା ଏଲିସ୍ ଲକେଟ୍‍ର ।

 

ହସପିଟାଲରେ ସେବିକା ଚାକିରି କରିବା ସଙ୍ଗେ ସଙ୍ଗେ ସେ ଶ’ଙ୍କର ମା’ଙ୍କ ପାଖରେ ଗୀତ ଶିଖୁଥିଲେ ।

 

ପ୍ରଥମ ଦେଖାରୁ ଶ କେମିତି କେମିତି ଅନୁଭବ କଲେ । ମନର କଥା କବିତାରେ ପ୍ରକାଶ କଲେ । ପ୍ରେମର ମୃଦୁ ଗୁଞ୍ଜନ ଦୁହିଁଙ୍କ ମନରେ ଶିହରଣ ସୃଷ୍ଟି କରିଥିଲେହେଁ, ୧୮୮୭ ମସିହା ସେପେଟେମ୍ବର ୯ ତାରିଖ ତାହା ସ୍ପଷ୍ଟ ରୂପରେଖ ନେଲା ।

 

ଶ’ଙ୍କ ମା’ଙ୍କଠାରୁ ବିଦାୟ ନେଇ ଲକେଟ୍ ଯାଉଥିଲେ । ଶ ତାଙ୍କୁ ଲିଭରପୁଲ ଷ୍ଟ୍ରିଟ୍‍ ଷ୍ଟେସନ୍‍ରେ ପହଞ୍ଚାଇ ଦେବାପାଇଁ ସାଙ୍ଗରେ ଗଲେ ।

 

ନିର୍ଜନରେ ତରୁଣ ତରୁଣୀ ମନରେ ଈପ୍ସିତ କାମନା !

 

ମନର ଅନୁଭୂତି, କବିତାର ଝଙ୍କାର ନେଇ ପିପାସିତ ଦୁଇଟି ଚକୋର ଚକୋରୀ ନିର୍ବୋଧଙ୍କ ପରି କ’ଣ ବିଦାୟ ନେଇଥିବେ ? ସତେ କ’ଣ ଜୀବନରେ କୌଣସି ପ୍ରେମଲୀଳା ନଥିଲା ???

 

ତେବେ କାହିଁକି ଶ ତା’ ପରଦିନ ଲେଖିଲେ–

 

X X X ଲକେଟ୍,

 

କ୍ଷମା କରିବ ନାହିଁ, ସତେ ? କାଲି ରାତିରେ ତମକୁ କ’ଣ ମୁଁ ଆଘାତ ଦେଇଛି ?

 

ଏହି ପ୍ରଶ୍ନର ଉତ୍ତର ମୁଁ ନିଜେ ପାଇପାରୁନି ! ଟ୍ରେନ୍ ଫେଲ୍ ହେବାରେ X X X

 

ତମକୁ ଚିଠି ନ ଲେଖି ରହିପାରୁନାହିଁ । ମୋତେ ବିଶ୍ଵାସ କର । ମୋର ରସନା ସଂଯତ କରିପାରିନି । ତମେ ଜାଣ, ମୋ କଲମବି ମାରାତ୍ମକ–ହେଲେ ମୋ ହୃଦୟ !

 

ମୋ ହୃଦୟ ଶୀତଳ–ତମେ ଅନୁଭବ କର । ଦେଖ–

 

ଚିଠି ପଢ଼ିସାରି ପୋଡ଼ି ପକାଇବ । ନା, ନା ଚିଠି ପୋଡ଼ି ପକାଅ ନାହିଁ,–ମୋର ଏତିକି ଅନୁରୋଧ ।

 

ଏହି ଚିଠି ‘ଶ’ଙ୍କ ପ୍ରଣୟର ଆଭାସ ଦିଏ ।

ତା’ପରେ ପ୍ରଣୟୀ ଯୁଗଳଙ୍କ ମଧ୍ୟରେ ନିୟମିତ ଚିଠି ଦେବାନେବା ଚାଲିଥିଲା । ଦେଖାସାକ୍ଷାତ୍ ହେଉଥିଲା । ପ୍ରେମ ଜମିଯାଇଥିଲା ।

ହେଲେ ସେ ପ୍ରେମ ସାଂସାରିକ କ୍ଷେତ୍ରରେ ରୂପାୟିତ ହୋଇ ପାରିଲା ନାହିଁ ।

ଶ’ଙ୍କର ଲେଖା ବଜାରରେ ଆଦୃତ ହୋଇ ନଥିଲା । ପ୍ରକାଶକ ତାଙ୍କ ଉପନ୍ୟାସ, କବିତା ଛାପିବାପାଇଁ ଆଗ୍ରହୀ ହୋଇ ନଥିଲେ । ଅର୍ଥାଭାବ । ଅନାଟନ । ତେଣୁ ପ୍ରେମକୁ ପ୍ରଣୟ ପରିଣିତି ପାଇଁ ସମ୍ବଳ ଲୋଡ଼ା । ସେଥିପ୍ରତି ସଜାଗ ହୋଇ ଉଠିଲେ ଶ ।

ଯେଉଁ ରୀତିରେ ପ୍ରେମବତୀ ଜଳି ଜଳି ଆସିଥିଲା, ଅର୍ଥାଭାବ ଯୋଗୁଁ ଧୀରେ ଧୀରେ ତାହା ଲିଭି ଲିଭି ଆସିଲା ।

ଲକେଟ୍ ପରବର୍ତ୍ତୀ ଜୀବନରେ ଡକ୍ଟର ଶାର୍ପଙ୍କୁ ବିବାହ କରି ସୁଖୀ ହୋଇଥିଲେ ।

ପାଇବାର ଆନନ୍ଦ ନ ହରାଇ ପ୍ରେମିକା ହିସାବରେ ଲକେଟ୍ ଶ’ଙ୍କ ପ୍ରତି ଅନୁରାଗ ପ୍ରୀତିରେ ବାନ୍ଧି ରଖିବାପାଇଁ ଭୁଲି ନଥିଲେ ।

ତା’ପରେ ଜେନି ପ୍ୟାଟରସନଙ୍କ ପ୍ରେମ କଥା ବିଚାରରେ ଆସୁ ।

ଏହି ବିଧବା ଧନାଢ଼୍ୟ ପ୍ରୌଢ଼ା ରମଣୀ ଶ’ଙ୍କଠାରୁ ବୟସରେ ପନ୍ଦରବର୍ଷ ବଡ଼ । ତଥାପି ତାଙ୍କର ସ୍ୱାସ୍ଥ୍ୟ–ବିଭବ, ଅଫୁରନ୍ତ ଯୌନ ସମ୍ଭାରର କମନୀୟ ଆଭା ଶ’ଙ୍କ ମନକୁ ଅସ୍ଥିର କରିଥିଲା-

 

ଶ’ଙ୍କର ତାଙ୍କ ସାଙ୍ଗରେ ପରିଚୟ ହେଲା ତାଙ୍କ ମା’ଙ୍କର ସଙ୍ଗୀତ ବିଦ୍ୟାଳୟରେ ।

 

ପରିଚୟ । ପରିଚୟରୁ ଆତ୍ମୀୟତା । ଆତ୍ମୀୟତାରୁ ପ୍ରେମ । କିନ୍ତୁ ପ୍ରେମରୁ ପ୍ରଣୟର ମହାଦ୍ରୁମ ଅଙ୍କୁରିତ ହେବାରେ ବିଳମ୍ବ ଘଟିଲା ।

 

୧୮୮୫, ଜୁଲାଇ ମାସ ମଧ୍ୟଭାଗରେ ଶ’ଙ୍କ ଡାଇରିରୁ ଜଣାପଡ଼େ X X ଆମ ଦୁହିଁଙ୍କର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହୋଇ ଉଠିଲା । ବହୁ ସମୟ ଧରି ପ୍ରଜାପତି ପରି ଘୂରି ବୁଲିବା, ରେସ୍ତୋରାଁରେ ଡିନର, ଘରେ ଭୋଜି ଖାଇ ସମୟ ଆଗେଇ ଯାଉଥିଲା ।

 

ରାତି ୩ଟା ବାଜିବା ପରେ ବହୁ ସମୟରେ ବିଦାୟ ନେଇ ଆସିଛି । ତେବେବି କୌମାର୍ଯ୍ୟ ଜୀବନରେ ବିଶୃଙ୍ଖଳିତ ଢେଉ ଅତୁଟ ହୋଇ ଯୌନ ପ୍ରବାହରେ ଦୂରରେ ମଥା ପିଟି ପିଟି ଫେରି ଆସୁଥିଲା ।

 

ଏ ତ କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କାହାଣୀ ।

 

ବର୍ଷିୟସୀ ମିସେସ୍ ଜେନି ପ୍ୟାଟରସେନ୍–

 

ତରୁଣ କବି ଶ–

 

ଦୁଇଟି ପିପାସିତ ଆତ୍ମା ଅମାପ ସୁଯୋଗ ପାଇ କୌମାର୍ଯ୍ୟର ଆଜି ପର୍ବ ଉଦ୍‍ଯାପନ ପାଇଁ ସମସ୍ତ ଆୟୋଜନ କରି ଶ ଫେରି ଆସୁଥିଲେ କାହିଁକି ? କାହିଁକି ?

 

ଶେଷ ପର୍ଯ୍ୟନ୍ତ ଶ ଅତୁଟ ହୋଇ ରହିପାରିଲେ ନାହିଁ ।

 

ଡାଇରିରେ ଲେଖିଛନ୍ତି, ଜୁଲାଇ ୨୬ ତାରିଖ.......

 

“ରାତି ୩ଟା ପର୍ଯ୍ୟନ୍ତ ତାଙ୍କ ସାହଚର୍ଯ୍ୟରେ କଟାଇଲି । ଅଭିନବ ଅଭିଜ୍ଞତାରେ ଅଣତିରିଶ ତମ ଜନ୍ମଦିନ ମୋର ପାଳିତ ହେଲା ।

 

ଘରକୁ ଫେରିବାବେଳେ, ସେ ମୋତେ ବଳାଇ ଦେବାପାଇଁ ଫାଟକ ପର୍ଯ୍ୟନ୍ତ ଆସିଥିଲେ ।

 

ପ୍ରତିବେଶିନୀ ଏ ସବୁ ପ୍ରାୟ ଲକ୍ଷ୍ୟ କରୁଥିଲେ ।

 

ନିର୍ଜନ, ଗଭୀର ରାତିରେ ଆମର ଅଭିସାର ବାସର ମହୋତ୍ସବରେ ମନ ମଶାଲ ଜାଳି ମିଛ, ସତ ସନ୍ଦେହ ଜାଲରେ ବୃଦ୍ଧା ପ୍ରତିବେଶିନୀ ମଧ୍ୟ ଛଟପଟ ହେଉଥିଲେ ।

 

ଜେନି ବିପୁଳ ଐଶ୍ଵର୍ଯ୍ୟର ଅଧିକାରିଣୀ ଥିଲେ ବୋଲି ଶ’ଙ୍କର ମା’ ଓ ଭଉଣୀ ତାଙ୍କ ସହିତ ଶ’ଙ୍କର ଅବାଧ ମିଳାମିଶାକୁ ସ୍ଵାଗତ କରୁଥିଲେ ।

 

ତାଙ୍କ ସହିତ ଯେବେ ବିବାହ ହୋଇଯାଏ ଶ’ଙ୍କର ଜୀବନଯାତ୍ରା ପଥ ପୁଷ୍ପିଳ ହୋଇଯିବ ।

 

ହେଲେ ଅଳ୍ପ ଦିନ ଜେନିଙ୍କ ସହିତ ମିଳାମିଶା ହେବାପରେ ଶ’ଙ୍କ ମନର ପରିବର୍ତ୍ତନ ଆସିଲା ।

 

ଜେନିଙ୍କ ପରି ମଧ୍ୟବୟସୀ ଯୁବତୀ ତାଙ୍କୁ ଆଉ ବିମୁଗ୍ଧ କରି ରଖିପାରିଲା ନାହିଁ ।

 

ହେଲେ ଜେନି ସହଜରେ ତାଙ୍କୁ ମୁକ୍ତି ଦେଉଛନ୍ତି କେତେକେ ?

 

ମାନସିକ ଅଶାନ୍ତିରେ ଶ’ଙ୍କର ଲେଖାଲେଖି ଭଲ ହେଲା ନାହିଁ । କିପରି ଜେନିଙ୍କ ହାତରୁ ଖସିଯିବେ ସେଥିପାଇଁ ଯୁବପ୍ରାଣ ଶ ବ୍ୟତିବ୍ୟସ୍ତ ହୋଇ ଉଠିଲେ ।

 

ଏତିକିବେଳେ ତାଙ୍କର ପରିଚୟ ହେଲା ଫେବିୟାନ୍ ସୋସାଇଟିରେ ପ୍ରସ୍ ପ୍ରିସ୍ କ୍ରାଇଷ୍ଟ ଓ ଜେରେଲଡ଼ାଇନ୍‍ଙ୍କ ସାଙ୍ଗରେ ।

 

ତରୁଣ କବିର ପ୍ରାଣରେ ରେଖାପାତ ଏହି ଦୁଇ ତରୁଣୀ ସୃଷ୍ଟି କରିବା ପୂର୍ବରୁ ଶ ସେମାନଙ୍କଠାରୁ ବିଦାୟ ନେଲେ ।

 

ଜେନିଙ୍କ କବଳରୁ ମୁକ୍ତି କାହିଁ । ମନ ବିଦ୍ରୋହ କରି ଉଠେ । ଚାରିଆଡ଼େ ଶୁଣି ପାରନ୍ତି–ମୁକ୍ତି ନାହିଁ ! ମୁକ୍ତି ନାହିଁ !!

 

ଏହି ମାନସିକ ଅବସ୍ଥାରେ ଥିଲାବେଳେ ଶ’ଙ୍କର ଦୈବାତ୍ ଦେଖାହେଲା ଆନିବେଶାନ୍ତଙ୍କ ସାଙ୍ଗରେ ।

 

ଆନିବେଶାନ୍ତଙ୍କର ବାପା ଉଇଲିୟମ ବାର୍ଟନ ପାର୍ଶୀଭତ ଆର୍ୟଲାଣ୍ଡର ଲୋକ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ । ଅମାୟିକ ପ୍ରକୃତି ।

 

ଲଣ୍ଡନରେ ଘର କରି ରହୁଥାଆନ୍ତି ।

 

ଆନିକୁ ଯେତେବେଳେ ୫ ବରଷ ସେ ମରିଗଲେ । ବହୁ ପ୍ରତିକୂଳ ଅବସ୍ଥା ଦେଇ ଆନି ପ୍ରାପ୍ତ ବୟସ୍କା ତରୁଣୀ ହୋଇ ଉଭା ହେଲେ ।

 

ଶାନ୍ତ । ଧୀର । ବୁଦ୍ଧିମତୀ ! ଅପରୂପ ସୁନ୍ଦରୀ ଆନି ।

 

ବିଂଶ ବୟସୀ ରୂପସୀ ଆନିଙ୍କର ପାଦ୍ରୀ ଫ୍ରାଙ୍କ୍ ବେଶାନ୍ତଙ୍କ ସାଙ୍ଗରେ ବିବାହ ନିରାଡ଼ମ୍ବର ଭାବରେ ସଂପାଦିତ ହେଲା ।

 

ଫ୍ରାଙ୍କ୍ ବେଶାନ୍ତ ସାଧାସିଧା ଲୋକ । ରୋମାଣ୍ଟିକ୍ ନୁହନ୍ତି । ଧର୍ମ ଧାରଣା ନେଇ ସେ ବ୍ୟସ୍ତ ।

 

ଅନ୍ୟ ପକ୍ଷରେ ରୂପସୀ ଆନି ରୋମାଣ୍ଟିକ୍ ମହିଳା ! ଯୌବନର ଚପଳତାରେ ଅଙ୍ଗ ଅବୟବରେ ଅବାରିତ ତଡ଼ିତ୍‍ ସୃଷ୍ଟି ହେଉଥିଲା ପ୍ରତି ମୁହୂର୍ତ୍ତରେ ।

 

ଅବଶ୍ୟ ବିବାହ ହେବାର ୨।୩ ବରଷରେ ଆନିଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ହେଲା ।

 

ସଂସାର ଓ ସ୍ଵାମୀ ସୁଖ ଲାଳସାରେ ସେ ବ୍ୟଥିତ ହୋଇ ଜୀବନ ପ୍ରବାହର ଗତି ବଦଳାଇବା ପାଇଁ ପ୍ରୟାସୀ ହେଲେ ।

 

କିଛିଦିନ ପାଇଁ ପାଦ୍ରୀଙ୍କଠାରୁ ବିଦାୟ ନେଇ ମା’ଙ୍କ ପାଖକୁ ଚାଲିଆସିଲେ ।

 

ଆନିବେଶାନ୍ତ ଓଜସ୍ଵିନୀ ଭାଷାରେ ଭାଷଣ ଦେବାରେ ସେତେବେଳକୁ ନାମ ଅର୍ଜନ କରି ସାରିଥିଲେ ।

 

ପାଦ୍ରୀଙ୍କର ଖ୍ରୀଷ୍ଟଧର୍ମ ଓ ଦେବତ୍ଵରେ ଅସୀମ ବିଶ୍ଵାସ ଥିଲାବେଳେ ଆନିଙ୍କର ମତାମତ ସମ୍ପୂର୍ଣ୍ଣ ପୃଥକ୍ ।

 

ଖ୍ରୀଷ୍ଟ ଧର୍ମ ଓ ଈଶ୍ଵରଙ୍କ ଉପରେ ଆନିଙ୍କର ସମ୍ପୂର୍ଣ୍ଣ ଅନାସ୍ଥାଭାବ । ସ୍ଵାମୀ ଧର୍ମପ୍ରଚାରରେ ନିଜକୁ ନିୟୋଜିତ କଲାବେଳେ ଆନି ଧର୍ମ–ଅନ୍ଧ ଧାରଣା ଓ ଈଶ୍ଵରଙ୍କ ଅସ୍ତିତ୍ୱ ବିଷୟରେ ସର୍ବସାଧାରଣରେ ଭିନ୍ନଧର୍ମୀ ବକୃତା ଦେବାକୁ ଲାଗିଲେ ।

 

ଭଗବାନଙ୍କ ଉଦ୍ଦେଶ୍ୟ ଭିନ୍ନ । ତାଙ୍କର ଏହି ସମୟରେ ଚାର୍ଲସ ବ୍ରାଡ଼େଲଙ୍କ ସାଙ୍ଗରେ ପରିଚୟ ହେଲା ।

 

ଚାର୍ଲସ ବ୍ରାଡ଼େଲ ପ୍ରଚଳିତ ଧର୍ମ ବିରୁଦ୍ଧରେ ବୁଲି ବୁଲି ଲୋକମତ ସୃଷ୍ଟି କରୁଥିଲେ ।

 

ଆନି ଚାର୍ଲସଙ୍କ ସହିତ ମିଶି ନାନା ସ୍ଥାନରେ ଧର୍ମବିରୋଧୀ ବକୃତା ଦେବାକୁ ଲାଗିଲେ-

 

ମିଷ୍ଟର୍ ବେଶାନ୍ତ ଆନିଙ୍କର ଧର୍ମ ବିରୋଧୀ ପ୍ରଚାର କଥା ଶୁଣି ରାଗରେ ଜଳିବାକୁ ଲାଗିଲେ । ଧାଇଁ ଆସି ଆନିଙ୍କ ସାଙ୍ଗରେ କଳିଗୋଳ କଲେ । ଏପରିକି ଆନିଙ୍କୁ ଆଘାତ କରିବାପାଇଁ ପାଦ୍ରୀ ପଛେଇଲେ ନାହିଁ ।

 

ଶେଷରେ ପାଦ୍ରୀ ଓ ଆନିଙ୍କର ଚିର ବିଚ୍ଛେଦ ଘଟିଲା ।

 

ତା’ପରେ ଆନିବେଶାନ୍ତଙ୍କର ଶ’ଙ୍କ ସାଙ୍ଗରେ ପ୍ରେମ ପର୍ବ ଜମି ଉଠିଲା । କୋରିୟାନ୍ ସୋସାଇଟିରେ ଦେଖାସାକ୍ଷାତ୍ ହେବାପରେ ।

 

ରୂପୟସୀ ଆନିଙ୍କର ସୌନ୍ଦର୍ଯ୍ୟରେ ଶ’ ଆତ୍ମହରା ହୋଇଉଠିଲେ । ଚିଠି ପତ୍ର ଆଦାନପ୍ରଦାନ ଚାଲିଲା ।

 

ପରସ୍ପର ଦେଖାସାକ୍ଷାତ୍ ନ ଘଟିଲେ ଦୁହିଁଙ୍କର ଜୀବନ ଦୁର୍ବିସହ ହୋଇଉଠିଲା ।

 

ଆନିଙ୍କୁ ବିବାହ କରିବାପାଇଁ ସେ ପ୍ରସ୍ତାବ ଦେଲେ ।

 

ଏହି ପ୍ରସ୍ତାବରେ ଆନିବେଶାନ୍ତ ଉତ୍‍ଫୁଲ୍ଲ ହୋଇ ନାଚି ଉଠିଲେ ।

 

ହେଲେ ପାଦ୍ରୀ ବେଶାନ୍ତ ଏବେବି ଜୀବିତ ଥିଲେ । ଡାଇଭର୍ସ୍ ଆଇନ ଅନୁସାରେ ହୋଇ ନଥିଲା । ତେଣୁ ଶ’ ଡାଇଭର୍ସ୍ ଦେଇ ଦେବାପାଇଁ ଆନିଙ୍କୁ ବାଧ୍ୟ କଲେ ।

 

ପାଦ୍ରୀଙ୍କ ପାଖରେ ଡାଇଭର୍ସ୍ ପ୍ରଶ୍ନ ଉଠାଇ ନିଜକୁ ଆଉ ବିପନ୍ନ କରିବାପାଇଁ ଆନିଙ୍କର ସାହସ ହେଲା ନାହିଁ ।

 

ଆନି ଚୁକ୍ତିପତ୍ର ତିଆରି କରି ଶ’ଙ୍କ ପାଖରେ ପହଞ୍ଚିଲେ ।

 

“ଆମର ଫ୍ରି ମ୍ୟାରେଜ ହେବ । ସ୍ଵାମୀ ସ୍ତ୍ରୀ ପରି ଆମେ ବସବାସ କରିବା । କୌଣସି ଚର୍ଚ୍ଚରେ ଧର୍ମର ଆଶ୍ରୟ ବା କୋର୍ଟ କଚେରିରେ ଆଇନର ଆଶ୍ରୟ ନେବା ନାହିଁ ।”

 

“ଚୁକ୍ତିପତ୍ର ଦସ୍ତଖତ, କରିଦିଅ, ଦିଅ ।”

 

ଶ’ ଅବାକ୍ ହୋଇ ଆନିଙ୍କ ମୁହଁକୁ ଚାହିଁ ରହିଲେ । କିଛି ସମୟ ଭାବି କହିଲେ–

 

“ସର୍ବନାଶର ବାକି ରହିବ କ’ଣ ? ଏମିତି ଭାବରେ ରହିବା ଚର୍ଚ୍ଚ ଓ କଚେରିର ଧର୍ମ ଓ ଆଇନଠାରୁ ଆହୁରି ଘୃଣ୍ୟ ।

 

“ଲୋକେ କ’ଣ କହିବେ ?”

 

ଆନିବେଶାନ୍ତ ହତାଶ ହୋଇଗଲେ । ଶ’ଙ୍କ ଉପରେ ତାଙ୍କର ଅସୀମ ପ୍ରଭାବ ଅଛି ବୋଲି ସେ ଯେପରି ଭାବୁଥିଲେ ସେ ଭାବନା ଚୁରମାର ହୋଇଗଲା ।

 

ସେ ଚିତ୍କାର କରି କହିଲେ, ଆଉ ଉପାୟ ନାହିଁ । ଉପାୟ ନାହିଁ....ମୋ ଚିଠି ପତ୍ରଗୁଡ଼ିକ ଫେରାଇଦିଅ ଶ’ । ତମ ଚିଠିଗୁଡ଼ିକ ଏଇ ନିଅ–ଆମ ସମ୍ପର୍କ ଏତିକିରେ ଶେଷ ହେଉ ।” ଶ’ଙ୍କର ଚିଠିଗୁଡ଼ିକ ଫେରାଇ ଦେଇ ଆନିବେଶାନ୍ତ ସ୍ଵହସ୍ତ ପ୍ରେମ ଲିପିଗୁଡ଼ିକ ଧରି ଫେରି ଆସିଲେ-

 

ଏହି ପର୍ବ ଏତିକିରେ ଶେଷ ହେଲା ।

 

ଏହାପରେ ଶ’ଙ୍କର ପ୍ରେମ ଜୀବନରେ ଦେଖା ଦେଲେ ଅଭିନେତ୍ରୀ ରୂପୟସୀ ଫ୍ଲୋରେନ୍‍ସ ଏ ମେରି ।

 

ଅଭିନେତ୍ରୀ ଫ୍ଲୋରେନ୍‍ସଙ୍କର ସାହିତ୍ୟ ଅନୁରାଗ ଥିଲା ଖୁବ୍ ବେଶୀ ।

 

ସାମାନ୍ୟ ଆଳାପନାରୁ ଶ’ ସ୍ଵଭାବସୁଲଭ ରୀତିରେ ତାଙ୍କ ସହିତ ପ୍ରେମ ଆରମ୍ଭ କରିଦେଲେ ।

 

ଏକାନ୍ତରେ ତାଙ୍କ ସହିତ ବୁଲିଯାନ୍ତି । ଡିନର, ପାର୍ଟି, ପିକ୍‍ନିକ୍‍ରେ ଅଭିନେତ୍ରୀଙ୍କ ସଙ୍ଗରେ ପ୍ରାଣଭରି ଉପଭୋଗ କରନ୍ତି ।

 

ଏବେବି ଜେନିଙ୍କ କବଳରୁ ଶ’ ପୂର୍ଣ୍ଣ ଭାବରେ ଉଦ୍ଧାର ପାଇ ନଥିଲେ ।

 

ଲୁଚେଇ ଛପେଇ ଶ’ଙ୍କର ପ୍ରେମ କାହାଣୀ ଶୁଣି ଜେନି ପ୍ରଳୟଙ୍କରୀ ରୂପ ଧରି ଆସି ପହଞ୍ଚିଲେ ।

 

ଶ’ ତାଙ୍କ ଡାଇରିରେ ଲେଖିଛନ୍ତି–X X ସନ୍ଧ୍ୟା । ଫ୍ଲୋରେନ୍‍ସ ପାଖରେ ମୁଁ ଥିଲି । ଅଚାନକ ଭାବରେ ଜେନି ସେଠି ଆସି ପହଞ୍ଚିଯାଇ ନାନା ଅକଥ୍ୟ ଭାଷାରେ ମୋତେ ଗାଳି ଦେବାକୁ ଲାଗିଲେ । ରାଗରେ ଥରିଥରି ଫ୍ଲୋରେନ୍‍ସକୁ ମାରିବାକୁ ଧାଇଁଗଲେ । ଅତି କଷ୍ଟରେ ତାଙ୍କୁ ଉଦ୍ଧାର କରି ଘରେ ପହଞ୍ଚାଇ ଦେଇ ଆସିଲି ।

 

ଯାହାହେଉ, ଭଗବାନଙ୍କ କୃପାରୁ ଏହି ଘଟଣା ପରେ ଜେନିଙ୍କ ସହିତ ଶ’ଙ୍କର ସମସ୍ତ ସମ୍ପର୍କ ତୁଟିଗଲା ।

 

ଯେଉଁ ମୁକ୍ତି ଅପେକ୍ଷାରେ ଶ’ ଅପେକ୍ଷା କରି କରି ଅତିଷ୍ଠ ହୋଇ ପଡ଼ିଥିଲେ, ଆପେଆପେ ଜେନି ତାଙ୍କୁ ମୁକ୍ତି ଦେଇ ଦେଲେ ।

 

ଫ୍ଲୋରେନ୍‍ସ ମଧ୍ୟ ଶ’ଙ୍କ ପ୍ରେମରୁ ମୁକ୍ତି ପାଇ କବି ଇୟେଟ୍‍ସଙ୍କର ପ୍ରଣୟିନୀରୂପେ ନିଜର ପ୍ରେମ ପିପାସା ମେଣ୍ଟାଇବାକୁ ଲାଗିଲେ ।

 

୧୮୬୫ ସାଲରେ ଶ’ଙ୍କର ଜନ୍ମ ।

 

ଜର୍ଜ ବର୍ଣ୍ଣାଡ଼୍‍ ଶ’ଙ୍କ ଶୈଶବ ଅଭାବ ଅନାଟନରେ କଟିଥିଲା ।

 

ବାବା ତାଙ୍କର ମାତାଲ ହୋଇ ମା’ଙ୍କୁ ସବୁବେଳେ ଅକଥନୀୟ ଯନ୍ତ୍ରଣା ଦେଉଥିଲେ । ଏଇଥିପାଇଁ ଶ’ଙ୍କର ପଢ଼ାପଢ଼ି ବେଶି ହୋଇ ପାରି ନଥିଲା ।

 

ମାତ୍ର ତେର ବରଷ ବୟସରେ ସେ ଯୁଦ୍ଧ ବିଭାଗରେ ଭର୍ତ୍ତି ହେଲେ ।

 

ମେସର୍ସ ସ୍କଟ, ଷ୍ପେନ୍ ଆଣ୍ଡ୍‍ ର୍ଚାନି କମ୍ପାନୀରେ ଚାକିରି କଲେ । ୧୮୭୧ ମସିହା ୟୁନିୟନ୍ ଟାଉନ୍ ସେଣ୍ଟ କମ୍ପାନୀରେ ଯୋଗ ଦେଲେ ।

 

ଏଇଠି ତାଙ୍କର ଲେଖାଲେଖି ଆରମ୍ଭ ହେଲା ।

 

ପାଞ୍ଚ ବରଷ ଚାକିରି କଲା ପରେ ଶ’ ଲଣ୍ଡନ ଯିବାକୁ ସ୍ଥିର କଲେ ।

 

୧୮୭୫ ମସିହା–ସେ ଚାକିରି ଛାଡ଼ି ଦେବାକୁ ନୋଟିସ୍ ଦେଲେ । ନୋଟିସ୍ ପାଇ କମ୍ପାନୀ ତାଙ୍କ ଦରମା ବଢ଼ାଇ ଦେଲେ । କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ନ ହୋଇ, ତାଙ୍କ ନିଷ୍ପତ୍ତିରେ ଅଟଳ ରହି, ଇଂଲଣ୍ଡ ଚାଲିଗଲେ ।

 

ଲଣ୍ଡନରେ କପର୍ଦ୍ଦକ ଶୂନ୍ୟ ଭାବରେ କେତେ ବର୍ଷ ଅତିବାହିତ କଲେ ।

 

କୌଣସି ପ୍ରକାଶକ ତାଙ୍କ ଲେଖା ଛାପିବାପାଇଁ ଆଗଭର ହେଲେ ନାହିଁ । ବିଜ୍ଞାପନ ଲେଖି ପେଟ ପୋଷିବାକୁ ଲାଗିଲେ । ଏତିକିବେଳେ କୌଣସି ସ୍କୁଲ୍‍ରେ ପ୍ରାଇଜ୍ ପାଇଁ କେତୋଟି ଏକାଙ୍କିକା ଦରକାର ହେଲା ।

 

ସାଟାଆର୍ ଏକାଙ୍କିକା ଲେଖି ପଠାଇଲେ । ପାଞ୍ଚ ଶିଲିଂ ପାରିଶ୍ରମିକ ମିଳିଲା ।

 

ସେଥିରେ ଶ’ ବିଶେଷ ଆନନ୍ଦିତ ହେଲେ ।

 

୧୮୭୯ ମସିହା ଭିତରେ ୪।୫ ଖଣ୍ଡ ଉପନ୍ୟାସ ଲେଖିଲେ ।

 

ପ୍ରକାଶକମାନେ ଏହି ପାଣ୍ଡୁଲିପି ପ୍ରତି ଶ୍ରଦ୍ଧା ଦେଖାଇଲେ ନାହିଁ ।

 

କିଂକର୍ତ୍ତବ୍ୟବିମୂଢ଼ ହୋଇ ଏଡ଼ିସନ୍ ଟେଲିଫୋନ୍ କମ୍ପାନୀରେ ପୁଣି ଚାକିରି କଲେ ।

 

ଅନ୍ନ ଚିନ୍ତା ଚମତ୍କାର । ଦୀର୍ଘ ନଅବର୍ଷରେ ଅତି କଷ୍ଟରେ ଛଅ ପାଉଣ୍ଡ ଅର୍ଜନ କରି ପ୍ରକାଶକଙ୍କ ପାଖରେ ପାଣ୍ଡୁଲିପି ଧରି ଦିନ ଦିନ ବ୍ୟର୍ଥମନୋରଥ ହୋଇ ଫେରୁଥିଲେ । ସେହି ବର୍ଣ୍ଣାଡ଼ ଶ’ ଉତ୍ତର ଜୀବନରେ ପୃଥିବୀର ପ୍ରଖ୍ୟାତ ନାଟିକାର, ସାହିତ୍ୟିକ ହୋଇ ଐଶ୍ଵର୍ଯ୍ୟର ଆଧିକ୍ୟତାରେ ଅଣନିଃଶ୍ଵାସୀ ହୋଇ ଉଠିଥିଲେ ।

 

ପ୍ରଖ୍ୟାତଯଶା ଶ’, ଐଶ୍ଵର୍ଯ୍ୟ–ଶାଳିନୀ ଶ’ଙ୍କର ମରିସସ୍‍ଙ୍କ ସଙ୍ଗରେ ବନ୍ଧୁତା ଜମି ଉଠିଲା-

 

ଶ’ ମରିସସ୍‍ଙ୍କ ଠାରୁ ବାଇଶି ବରଷ ସାନଥିଲେ ।

 

ସେଦିନ ରବିବାର । ଉଇଲ୍‍ୟମ ମରିସସ୍‍ଙ୍କର ହ୍ୟାମର ସ୍ମିଥ୍ ସୋସାଇଟିରେ ଯୋଗ ଦେବାକୁ ଶ’ ଯାଇଥିଲେ । ସଭା କାମ ଶେଷ କରି ଫେରିବାବେଳେ, ଡ୍ରଇଂରୁମ୍‍ରୁ ଅଳ୍ପ ହସି ମରିସସ୍‍ଙ୍କୁ ଶ’ଙ୍କୁ ସମ୍ଭାଷଣ ଜଣାଇଲେ ।

 

ସ୍ମିତ ହସ, ନିରାଡ଼ମ୍ବର ଆତିଥ୍ୟ, ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ପୋଷାକ ମରିସସ୍‍ଙ୍କୁ ଖୁବ୍ ସୁନ୍ଦର କରି ତୋଳିଥିଲା ।

 

ଶ’ ଆତ୍ମବିସ୍ମୃତ ହୋଇ ତାଙ୍କ ପ୍ରେମରେ ଲାଖିଗଲେ । ଆଖି ଫେରିଲା ନାହିଁ ।

 

ଦୁହେଁ ଦୁହିଁଙ୍କର ମନକଥା ବୁଝିପାରିଲେ ।

 

ଶ’ ଅନୁଭବ କଲେ ପୂର୍ବ ଜୀବନରେ ଆସିଥିବା ପ୍ରେମିକାମାନେ ଅଳୀକ ସେ ପ୍ରେମଲୀଳା ବିଶ୍ଵେକା । କିନ୍ତୁ ୟେ...କାୟ ଆକର୍ଷଣ ତୁଟାଇଥିବାରୁ ଆନି କାଞ୍ଚନତ ନୁହେଁ ମୁକ୍ତାର ସନ୍ଧାନ ପାଇଛନ୍ତି ।

 

ଘଣ୍ଟା ଘଣ୍ଟା ବିତି ଯାଇଛି ।

 

ପ୍ରେମାନ୍ଧ ହୋଇ ଉଠିଲେ ଶ’ ।

 

ତାଙ୍କର ଧାରଣା ହେଲା ଯେ ମରିସ୍ ତାଙ୍କରି ଭଳି ଏକାନ୍ତ ଭାବରେ ତାଙ୍କୁ ଭଲ ପାଆନ୍ତି । ଆଃ.....ଭଗବାନ୍....

 

ସେ ଦିନ ଜୀବନରେ ଗୋଟାଏ ବିରାଟ ଧକ୍କା ଖାଇଲେ ଶ’ । ମରିସ୍‍ର ଏନ୍‍ଗେଜ୍‍ମେଣ୍ଟ୍ ଆଗରୁ ସ୍ଥିର ହୋଇସାରିଛି ।

 

ହ୍ୟାଲିଡ଼େଙ୍କୁ ବିବାହ କରିବାପାଇଁ ଅନେକ ଦିନୁ ନିଷ୍ପତ୍ତି ସରିଛି !

 

ବ୍ୟଥିତ ଭାବରେ ଶ’ ତାଙ୍କର ଡାଇରିରେ ଲେଖିଛନ୍ତି, X X ଏଇତ ସ୍ଵାଭାବିକ ପରିଣତି-। କୌଣସି ରୋମ୍‍ମାୟ ଇତିହାସରେ ଏହାକୁ ବିଶ୍ଵାସଭଙ୍ଗ ବ୍ୟତୀତ ଆଉ କ’ଣ କୁହାଯାଇପାରେ-? ମୋ ଅପେକ୍ଷା କମ୍‍ରେଡ଼୍ ନିଶ୍ଚୟ ଅଯୋଗ୍ୟ । ତା’ର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ-। ତାକୁ ନେଇ କ’ଣ ଆଶା କରାଯାଇପାରେ X X

 

ବିବାହ ପରେ ଲଣ୍ଡନର ଦୂରକୁ ସେ ନବଦମ୍ପତି ଚାଲି ଯାଇଥିଲେ ।

 

ଶ’ଙ୍କୁ ନିମନ୍ତ୍ରଣ କରିଗଲେ ।

 

ଏତେ ଘଟଣା ପରେ ଶ’ କିପରି ନିମନ୍ତ୍ରଣ ଗ୍ରହଣ କରିଥିଲେ ସେ ବିଷୟ ଭାବିଲେ ବିସ୍ମିତ ହେବାକୁ ପଡ଼େ ।

 

ଏଇ ପ୍ରସଙ୍ଗରେ ଶ’ ଅନେକ କଥା ଲେଖି ଯାଇଛନ୍ତି ।

 

X X X ମୋତେ ଅତିଥିରୂପେ ପାଇ ସେମାନେ ଭାରି ଆନନ୍ଦିତ ।

 

ହ୍ୟାଲିଡ଼େ ମୋତେ ଦେଖି ଖୁସି ହେଲେ, ଆହୁରି ଖୁସି ହେଲେ ତାଙ୍କ ସ୍ତ୍ରୀଙ୍କୁ ସେ ଖୁସିରେ ରଖିଛନ୍ତି ବୋଲି ।

 

ମୋ ପ୍ରତି ମରିସ୍‍ର ଆନ୍ତରିକତା ଅଛି ବୋଲି ମନେ ହେଉଥିଲା ।

 

ଶ’ ମଧ୍ୟ ଶଙ୍କିତ ହୋଇ ପଡ଼ିଥିବେ !

 

ସ୍ତ୍ରୀର ମନୋଭାବ ଯେବେ ସ୍ଵାମୀ ଜାଣନ୍ତି !!!

 

ଶ’ ଲେଖିଛନ୍ତି “ତମର ସ୍ଵାମୀ ମୋର ବନ୍ଧୁ । ବନ୍ଧୁଙ୍କର ଆତିଥ୍ୟ ନେଇ ତାଙ୍କ ପତ୍ନୀଙ୍କୁ ନେଇ ପଳାଇଯିବା ଭଦ୍ରଲୋକଙ୍କର କାମ ନୁହେଁ । ସାମାଜିକ ନିୟମ କାନୁନର ବହିର୍ଭୂତ ୟେ କାଣ୍ଡ-

 

ମୋର ଅବଶ୍ୟ ଏ ବିଷୟରେ ମତ ବିଭିନ୍ନ । ଯୌନ ଓ ଧର୍ମ ବିଷୟରେ ମୁଁ ପୃଥକ୍ ମତ ପୋଷଣ କରେ ।

 

ବିଚାର କରି ଦେଖିଲେ ଘଟନାର ଅନ୍ଧକାର ଦିଗଟି ମୋ ନିକଟରେ ବଡ଼ ହୋଇ ଦେଖାଦିଏ । X X

 

ଫେରି ଆସିଲେ ଶ’ ।

 

୧୮୯୫ ମସିହା ।

 

ଗ୍ରାମାଞ୍ଚଳରେ ଗ୍ରୀଷ୍ମକାଳ କଟାଇବା ପାଇଁ ମୋବାୟାର ସୋସାଇଟିର ସଦସ୍ୟମାନେ ଆସିଥିଲେ ।

 

ଶ’, ଟ୍ରେଭେଳିୟାନ୍ ଗ୍ରାହାମ, ଶାର୍ଲୋଟ ପାର୍‍କିନ୍‍ସ, ଶାର୍ଲୋ ଟାଟାଚେସେଣ୍ଟ ପ୍ରଭୃତି ।

 

ଅସମ୍ଭବ ପ୍ରାକୃତିକ ଦୃଶ୍ୟ । ଶ’ ଶାର୍ଲୋଟଟାସେନ୍ ସେଣ୍ଡରଙ୍କ ପ୍ରେମରେ ପଡ଼ିଲେ ।

 

ମିସ୍ ସାର୍ଲୋଟ ସମୃଦ୍ଧିଶାଳୀ ସମ୍ଭ୍ରାନ୍ତ ବଂଶର ଝିଅ । ତାଙ୍କର ବାବା ହୋରେସ୍ ଖ୍ୟାତନାମା ବାରିଷ୍ଟର ।

 

ଅପୂର୍ବ ସୁନ୍ଦରୀ ନହେଲେବି ସାର୍ଲୋଟ ବଡ଼ ସେକ୍‍ସି ।

 

ଧୀର, ସ୍ଥିର, ରୁଚି ସମ୍ପନ୍ନା ତରୁଣୀ । ଅଳ୍ପ କେତେକ ବନ୍ଧୁଙ୍କୁ ଛାଡ଼ିଦେଲେ ଶାର୍ଲୋଟଙ୍କର ପାଣିଗ୍ରହଣ କରିବାକୁ କ୍ଵଚିତ୍ କୌଣସି ବନ୍ଧୁ ଆଗଭର ହୋଇଥିଲେ ।

 

ସାମ୍ରାଜ୍ୟବାଦ କୋଳରେ ଶାର୍ଲୋଟ୍ ସୋସାଲିଜିମ୍ ପ୍ରତି ବିଭୋର ହୋଇ ଉଠିଥିଲେ ।

 

ଶ’ ନିଜର ସମାଜବାଦ ଲେଖାରେ ତାଙ୍କଆଡ଼କୁ ଟାଣି ଆଣିଥିଲେ ।

 

ଗ୍ରେହାମ ଓ ଓୟାଲେସ ଦମ୍ପତିଙ୍କର ଅଭିଳାଷ ଥିଲା ଏ ଦୁହିଁଙ୍କର ପ୍ରେମ ଜମୁ ।

 

ସେମାନେ ବିସ୍ମିତ ଭାବରେ ସେ ଦୁହିଁଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ।

 

ପ୍ରଣୟୀ ଯୁଗଳ ଶ’ ଓ ଶାର୍ଲୋଟ ସାଇକେଲରେ ଦୂରକୁ ଚାଲି ଯାଆନ୍ତି ।

 

ଶ’ ସ୍ଵରଚିତ ନାଟକର ପାଣ୍ଡୁଲିପି ପଢ଼ି ଶୁଣାନ୍ତି ।

 

ଏହାର କିଛିକାଳ ପୂର୍ବରୁ ଶ’ଙ୍କର ବ୍ରିଟିଶ ରଙ୍ଗମଞ୍ଚରେ ସୁପରିଚିତା ରାଣୀ ଏଲେନ୍ ଟେରୀଙ୍କ ସଙ୍ଗରେ ଐତିହାସିକ ପତ୍ରାଳାପ ଆରମ୍ଭ ହୋଇଯାଇଥିଲା ।

 

ଏହି ଗୁପ୍ତ ପତ୍ରାଳାପ ଚବିଶ ବରଷ କାଳ ନିରବଚ୍ଛିନ୍ନ ଭାବରେ ଚାଲିଥିଲା ।

 

ଶ’ ଏଲେନ୍ ଟେରୀଙ୍କୁ ଲେଖିଥିଲେ–

 

X X ଯାହାହେଉ ଜେନ ଧନବତୀ ଆଇରିସ୍ ତରୁଣୀ ଏଠିକି ଆସିଛନ୍ତି ।

 

ତରୁଣୀଟି ଚତୁରା । ଚରିତ୍ରବତୀ ।

 

“ତାଙ୍କ ପ୍ରେମରେ ମୁଁ ପଡ଼ିଯାଇଛି । ହେଲେ ତାଙ୍କ ଧନଦୌଲତ୍‍କୁ ନୁହେଁ ।

 

ପ୍ରେମ ମୋର କାମ୍ୟ ସମ୍ପଦ ନୁହେଁ....

 

ଆଉଥରେ ଲେଖିଥିଲେ X X ମୁଁ ଏହି ଆଇରିସ୍ ତରୁଣୀଙ୍କୁ ବିବାହ କରିବାକୁ ଚାହେଁ । ସେ ବଡ଼ ମିତବ୍ୟୟୀ, ନିରାଡ଼ମ୍ବର ଜୀବନକୁ ଭଲ ପାଏ । ମୋର ଧାରଣା ତାଙ୍କୁ ମୁଁ ସୁଖୀ କରିପାରିବି ।

 

ପରେ ଦେଖାଗଲା–ଦୁହେଁଯାକ ବିପରୀତ ଚାରିତ୍ରିକ ଲୋକ ।

 

ଶାର୍ଲୋଟଙ୍କର ରାଜନୀତି ପାଇଁ ଶ୍ରଦ୍ଧା ନଥିଲା । ସମାଜ ଗଠନ କାମରେ ନିଜକୁ ନିୟୋଜିତ କରିବାପାଇଁ ସେ ବ୍ରତୀ ହୋଇ ଉଠିଥିଲେ ।

 

୧୮୯୮ ମସିହାବେଳକୁ ସାର୍ଲୋଟ ଶ’ଙ୍କର ସେକ୍ରେଟାରିରୂପେ କାମ କରୁଥିଲେ ।

 

ଶ’ ତାଙ୍କର ବିଖ୍ୟାତ ନାଟକ “ପ୍ଳିଜେଣ୍ଟ ଆଣ୍ଡ ଅନ୍ ପ୍ଳିଜେଣ୍ଟ” ପାଣ୍ଡୁଲିପି ପ୍ରସ୍ତୁତ କରୁଥାନ୍ତି ।

 

ପାଣ୍ଡୁଲିପି କାମସାରି ତାଙ୍କୁ ଧରି ବୁଲି ବାହାରି ପଡ଼ୁଥିଲେ ।

 

ଏତିକିବେଳେ ସେ ଅସୁସ୍ଥ ହୋଇ ପଡ଼ିଲେ । ଜୋତା ଟାଣି କରି ପିନ୍ଧିବା ଯୋଗୁଁ ଗୋଡ଼ରେ ଘା’ ହେଲା ।

 

ଅସ୍ତ୍ରୋପଚାର ପରେ ଦେଖାଗଲା । ‘ନେତ୍ରେସିସ୍ ଅଫ୍ ବୋନ୍’ ବେମାର ହୋଇଛି ।

 

ଶ’ ଚିନ୍ତିତ । ଶାର୍ଲୋଟ ବିବ୍ରତ ହୋଇ ପଡ଼ିଲେ ।

 

ପ୍ରାଇଭେଟ୍ ସେକ୍ରେଟାରି ସେବିକା ହିସାବରେ ମନପ୍ରାଣ ଢାଳି ଶ’ଙ୍କର ସେବା ଶୁଶ୍ରୂଷା କରିବାକୁ ଲାଗିଲେ ।

 

ଶ’ଙ୍କର ବଦଭ୍ୟାସ ଯୋଗୁଁ ତାଙ୍କ ବାସଘର ବଡ଼ କଦର୍ଯ୍ୟ ଓ ଅସ୍ଵାସ୍ଥ୍ୟକର ପରିବେଶରେ ବୁଡ଼ି ରହିଥିଲା ।

 

ସେ ଶ’ଙ୍କୁ ନିଜ ଘରକୁ ନେଇଯାଇ, ସେଠି ତାଙ୍କର ସେବା ଶୁଶ୍ରୂଷାର ବ୍ୟବସ୍ଥା କରିବେ ବୋଲି ପ୍ରସ୍ତାବ ଦେଲେ ।

 

ଶ’ଙ୍କର ଯିବାର ପ୍ରୟାସ ଥିଲା, କିନ୍ତୁ କେତୋଟି କାରଣ ବାଧା ସୃଷ୍ଟି କଲା ।

 

ଦୁହେଁ ଅବିବାହିତ । ଏକାଠି ରହିବାଟା ଲୋକେ ଭଲ ଦୃଷ୍ଟିରେ ଦେଖିବେ ନାହିଁ ।

 

ଅନେକ ଚିନ୍ତା ପରେ ଶ’ ଶାର୍ଲୋଟଙ୍କୁ ପାଖକୁ ଡାକିଲେ ।

 

“ମୋତେ ଯେବେ ତମ ଘରକୁ ନେଇଯିବାକୁ ଚାହୁଁଛ, ଆଗେ ଯାଇ ଆମ ମ୍ୟାରେଜ ନୋଟିସ୍ ଦାଖଲ କରି ଆସ....”

 

ବିବାହ ପ୍ରସ୍ତାବ ନାଟକୀୟ ଭାବରେ ଶ’ ଜଣାଇଲେ ।

 

୧୮୯୮ ମସିହା, ଜୁନ୍ ପହିଲା ଦିନ ଯଥାରୀତିରେ ଲଣ୍ଡନର ମ୍ୟାରେଜ୍ ରେଜିଷ୍ଟ୍ରେସନ ଅଫିସ୍‍ରେ ବିବାହ ସମ୍ପନ୍ନ ହେଲା ।

 

ଗ୍ରାହାମ ଓ ୟାଲେସ, ହେନେରୀ ସଲ୍‍ଟ ଓ ସେମାନଙ୍କର ଅନ୍ୟାନ୍ୟ ବନ୍ଧୁମାନେ ଉପସ୍ଥିତ ଥିଲେ ।

 

ଜୀବନର ଶେଷ ପର୍ଯ୍ୟନ୍ତ ଶାର୍ଲୋଟ ସ୍ଵାମୀ ସୁହାଗିନୀ ହେବାକୁ ଯତ୍‍ପରୋନାସ୍ତି ଚେଷ୍ଟା କରିଥିଲେ ।

 

୧୯୪୩ ମସିହା ସେପ୍‍ଟେମ୍ବର ମାସରେ ଶାର୍ଲୋଟଙ୍କର ବିୟୋଗ ଘଟିଲା । ଏହାପରେ ଶ’ ନିଃସଙ୍ଗ ଭାବରେ ସାତ ବରଷ ବଞ୍ଚି ରହି ଇହଲୀଳା ଶେଷ କଲେ ।

 

ଅସଂଖ୍ୟ ନାରୀର ପ୍ରେମ ପିପାସୁ ରସିକରାଜ ଜର୍ଜ ବର୍ଣ୍ଣାଡ଼ ଶ ପ୍ରେମୀ ବେଶରେ ମାତିଉଠି କହିଗଲେ “ମୋ ଜୀବନରେ କୌଣସି ପ୍ରେମଲୀଳା ନାହିଁ ।’’

 

ହେଲେ ତାଙ୍କର ପ୍ରେମ ଆତ୍ମଲିପି ଶ୍ରୋତା, ପାଠକମାନଙ୍କୁ ଆତ୍ମବିସ୍ମୃତ କରୁଛି ।

☆☆☆

 

Unknown

ସଂଗ୍ରାମୀ ପ୍ରେମିକ ଗର୍କୀ

 

ଭଲ୍‍ଗାର ଉତ୍ତାଳ ତରଙ୍ଗ ଥମି ଥମି ଆସିଥିଲା ।

ଭୟଙ୍କର ତୁଷାର ଝଞ୍ଜା ଆରମ୍ଭ ହୋଇଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସୂଚନା ।

ଋଷିଆର ଉବରିକା ରାଜ୍ୟର ପୁରପଲ୍ଲୀରେ ଥଣ୍ଡା ମାତ୍ରା ଖୁବ୍ ବେଶି । ଥଣ୍ଡାରୁ ନିଜକୁ ରକ୍ଷା କରିବାପାଇଁ ଚୁଲିଜାଳି ସମସ୍ତେ ଘରେ ବସି ରହିଛନ୍ତି ।

ହେଲେ ତରୁଣ ଆଲୋକେଶୀର ଉପାୟ ନାହିଁ । ରାତିସାରା ମାଲଗୋଦାମ ପହରା ଦେଇ କଟାଇବାକୁ ହେବ ।

ବହୁ କଷ୍ଟରେ ଚାକିରି ଖଣ୍ଡକ ଜୁଟିଛି । କର୍ତ୍ତବ୍ୟରେ ହେଳା କଲେ, ଚାକିରି ଖଣ୍ଡିକ ଚାଲିଯିବ ।

ପେଟପାଇଁ ଜନ୍ମମାଟି ଛାଡ଼ି ପଳେଇ ଆସି ସେ ଭୁଲ କରିଛି କି ଠିକ୍ କରିଛି କିଛି ଭାବିପାରେ ନାହିଁ ।

ଜନ୍ମ ମାଟିର ମାଦକତା ବେଳେବେଳେ ମନରେ ଉଙ୍କିମାରେ । ହେଲେ ବେକାରି ଜୀବନର ଅନ୍ନଚିନ୍ତାରେ ସେ ଯେ କି କଲବଲ ହେଉ ନଥିଲା ? ବେଳେବେଳେ କ୍ଷେତ ଖମାରରେ କାମ ମିଳୁଥିଲା । ଭୟଙ୍କର ଖଟଣି ! ମଜୁରୀ ଅଳ୍ପ । ମାଲିକକୁ ଖୁସି କରିବାପାଇଁ ଯେ କି କଷ୍ଟକର-! ରକ୍ତ ପାଣିକରି ଖାଟିଲେ ମଧ୍ୟ ପ୍ରଶଂସା ମିଳେ ନାହିଁ । ନା, ଆଉ ହେବ ନାହିଁ ।

 

ବାରିନଭ ତା’ର ସାଥୀ ! ତା’ରି ସାଙ୍ଗରେ ଏଷ୍ଟାଖାନ ଯାତ୍ରୀ ଷ୍ଟିମର୍‍ରେ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ବାହାରି ପଡ଼ିଲେ ।

 

ବାରିନଭର ପ୍ରକୃତି ସହିତ ତାଙ୍କ ପ୍ରକୃତିର ମେଳ ଖାଇଲା ନାହିଁ ।

 

ଏକାଏକା ବୁଲି ବୁଲି ଭଲ୍‍ଗା ବ୍ରାଞ୍ଚ ରେଳଷ୍ଟେସନ୍ ଉବରିକଠାରେ ଷ୍ଟେସନ୍‍ମାଷ୍ଟରଙ୍କୁ ଦେଖା କଲା ।

 

ତରୁଣ, ବିଶାଳ ବପୁ ଆଲୋକେଶୀଙ୍କୁ ଦେଖି ଷ୍ଟେସନ୍ ମାଷ୍ଟର ଅତିଶୟ ପ୍ରୀତ ହେଲେ-। ତାକୁ ରେଳଗୋଦାମ ଚୌକିଦାରରୂପେ ନିଯୁକ୍ତି ଦେଲେ ।

 

ତାକୁ ନିଯୁକ୍ତି ଦେବାର ଆଉ ଗୋଟିଏ କାରଣ ଥିଲା । ଏଲୋକେଶୀ ଚମତ୍କାର ଗୀତ ଗାଇ ପାରୁଥିଲା ।

 

ଷ୍ଟେସନ୍‍ଟି ଖୁବ୍ ଛୋଟ । ହେଲେ ଗୋଦାମ ଘରଟି ଖୁବ୍ ବଡ଼ । ପ୍ରଚୁର ଖାଦ୍ୟ ସମ୍ଭାର ଗଚ୍ଛିତ ହୋଇ ରହୁଥିଲା ।

 

ଗହମ, ମଇଦାରେ ଗୋଦାମ ଭରପୂର ହୋଇ ରହିଥିଲା ।

 

ସ୍ଥାନିୟ ଲୋକ ଗୋଦାମ ଘରୁ ମଇଦା ଚୋରୀ କରିବାରେ ଓସ୍ତାଦ । ତେଣୁ କଢ଼ାକଢ଼ି ପହରାର ବନ୍ଦୋବସ୍ତ କରାଯାଇଥିଲା ।

 

ଗୋଦାମ ଘରୁ ମଇଦା ଚୋରୀ କରିବାପାଇଁ ସେମାନେ ନିଜେ ନଆସି ସୁନ୍ଦରୀ ତରୁଣୀ ଲିସ୍କୋକୁ ପଠାଉଥିଲେ ।

 

ପୂର୍ଣ୍ଣ ଯୌବନା ଲିସ୍କୋ ଆସେ ! ଦେହରୁ ଯୌବନର ନିର୍ଯ୍ୟାସ ଢାଳି ଦେବାର ଅଭିନୟ କରି ପହରାବାଲାଙ୍କୁ ଉଦ୍ଭ୍ରାନ୍ତ କରେ । ଅନାବୃତ ଦେହର ସୌନ୍ଦର୍ଯ୍ୟ ବିନିମୟରେ, ସେ ପହରାବାଲାଙ୍କୁ କାମନା ସ୍ରୋତରେ ଭସାଇ ନିଏ । ପ୍ରଲୁବ୍‍ଧ ପ୍ରହରୀ ମତୁଆଲ ହୋଇ ଲିସ୍କୋକୁ ଗୋଦାମ ଘର ଲୁଣ୍ଠନ କରିନେବା ପାଇଁ ଛାଡ଼ି ଦିଅନ୍ତି ।

 

ଲିସ୍କୋ ମଇଦା ବସ୍ତା ନେଇ ଅଧିବାସୀମାନଙ୍କୁ ବାଣ୍ଟି ଦିଏ ।

 

ଆଲୋକେଶୀ ଏଇ ଝିଅଟି କଥା ଖୁବ୍ ଭାବେ । ତାକୁ ପଚାରିବ ପଚାରିବ ବୋଲି ସୁଯୋଗ ଖୋଜେ । ତାକୁ ଏକୁଟିଆ ପାଏ ନାହିଁ ।

 

ରାତିରେ ସେ ଆସେ । ହେଲେ ଆଲୋକେଶୀର ରାତିରେ କମ୍ ଡିଉଟି ପଡ଼େ ।

 

ଭାବେ, କେଡ଼େ ଜଘନ୍ୟ ଝିଅଟାର ଜୀବନ । ନା, ନା, ତାକୁ ଦୋଷ ଦେଇ ଲାଭ କ’ଣ-? ଏଠାକାର ସାମାଜିକ ପରିବେଶ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ।

 

ସେଦିନ ସନ୍ଧ୍ୟାରେ ଷ୍ଟେସନ୍ ମାଷ୍ଟର ତାକୁ ଡକାଇ ପଠାଇଥିଲେ । ତାଙ୍କ ଘରେ ଗୋଟିଏ ପାର୍ଟିର ଆୟୋଜନ ହୋଇଥିଲା । ପୁଲିସ ସବ୍‍ଇନିସ୍‍ପେକ୍‍ଟର ପାଦ୍ରୀ, ଆଉ ଆଉ ଭଦ୍ରଲୋକମାନେ ନିମନ୍ତ୍ରିତ ହୋଇ ଆସିଥିଲେ । କେତେ ଜଣ ସୁଶ୍ରୀ ଯୁବତୀ ମଧ୍ୟ ଉପସ୍ଥିତ ଥିଲେ-

 

ଆଲୋକେଶୀକୁ ଗୀତ ଗାଇବାକୁ ହେବ ।

 

ମୁନିବକୁ ଖୁସି କରିବାପାଇଁ ସେ ଗୀତ ଗାଇଲା । ସଙ୍ଗେ ସଙ୍ଗେ ନାଚଗୀତ, କନ୍‍ସର୍ଟରେ ବୈଠକଟି ଉଛୁଳି ଉଠିଲା ।

 

ହଠାତ୍ ଷ୍ଟେସନ୍ ମାଷ୍ଟରଙ୍କ ଆଦେଶ କ୍ରମେ, ଜଣେ ଯୁବକ ଉପସ୍ଥିତ ଯୁବତୀମାନଙ୍କୁ ବିବସନା କରି ପକାଇଲା । କି ବୀଭତ୍ସ ସେ ପରିବେଶ ! ଆଲୋକେଶୀ ଏପରି ଦୃଶ୍ୟ ଦେଖିବାକୁ ଅଭ୍ୟସ୍ତ ନଥିଲା ।

 

ସତେ ଯେମିତି ମନେହେଲା ବିବସନା ତରୁଣୀମାନଙ୍କର ଉଲଗ୍ନ ରକ୍ତମାଂସର ଶରୀରକୁ ମତୁଆଳିର ଖିଆଲରେ ଏମାନେ ଯେମିତି ସବୁ ନିଃଶେଷ କରି ଦେବେ । ସମବେତ ଆଦିମ ପୁରୁଷମାନେ ଖିଲି ଖିଲି ହସି ହସି ସେମାନଙ୍କ ରକ୍ତମାଂସର ଭାଗ ବଣ୍ଟୁଆର କରିବାପାଇଁ ସତେ ଯେମିତି ସଂଗ୍ରାମ କରି ବସିଲେ !!!

 

ଉନ୍ମୁକ୍ତ ଯୌବନା ତରୁଣୀମାନଙ୍କ କଥା ଭାବି ସେ ନିସ୍ତେଜ ହୋଇ ପଡ଼ିଲା ! କେଡ଼େ ନିଲଜ୍ଜ, ବୀଭତ୍ସ, ନିର୍ଲିପ୍ତ ଭାବରେ ଏମାନେ ଯୁବକମାନଙ୍କ ଚିବୁକରେ ଚିବୁକ ଜଡ଼ାଇ ଦେଇ ତୃପ୍ତି ପାଉଛନ୍ତି !!!

 

ଏହି ବୀଭତ୍ସ ପରିବେଶ । ଶୀତ ସନ୍ଧ୍ୟାରେ ସେ ଭାବି ଭାବି ଡିଉଟିକୁ ଆସୁଥିଲା । ବେଳେବେଳେ ଗୀତ ଗାଉଥିଲା । ମନେମନେ ମଧ୍ୟ ଭାବୁଥିଲା । ଆଜି ଯଦି ଲିସ୍କୋ ଆସନ୍ତା.... ।

 

ତାକୁ ଘୃଣା କରୁଛି । ଘୃଣା କରିବା ସଙ୍ଗେ ସଙ୍ଗେ ତା’ପାଇଁ ଦୁର୍ବଳତା ମଧ୍ୟ ଜମି ଉଠିଛି । ନା, ନା, ସେ ସୁନ୍ଦରୀ । ଚରିତ୍ରବତୀ । ତା’ର ଚପଳତା ପାଇଁ ସେ ଦାୟୀ ନୁହେଁ । ତା’ର ପତ୍ତନପାଇଁ ଅନ୍ୟକୁ କହିବା ନିଷ୍ପ୍ରୟୋଜନ । ସେହି ପତନରୁ ତାକୁ ଉଦ୍ଧାର କରିବାପାଇଁ ତା’ର ପୁରୁଷତ୍ଵ ଚିହିଁକି ଉଠିନି ତ !

 

ଆଦ୍ୟ ଜୀବନରୁ ଏମିତି ଅନେକ ତରୁଣୀଙ୍କି ଦେଖିଛି । ନାରୀ ଦେହ–ଲାଳସା ଥିଲେ ମଧ୍ୟ ଅନ୍ନ ଚିନ୍ତାରେ, ନିଜକୁ ସେ ସବୁ ବିଷୟରେ ସଂପୃକ୍ତ କରିପାରିନାହିଁ । ଆଜି ମନ ଭିତରେ ନୂଆ କଥା ଚେଇଁ ଉଠିଛି । ସେହି ବୀଭତ୍ସ ଯୌବନରେ ସେ ସରଗର ସୁଷମା ଉପଲବ୍ଧି କରିପାରିଛି ।

 

କି ମହୀୟାନ୍ ନାରୀ–ସୁଖ–ସମ୍ଭୋଗ !

 

ଜୀବନରେ ଯେତିକି ଯୁବତୀଙ୍କ ପାଖକୁ ପାଖ ଆସିଛି, ସମସ୍ତେ ଏଡ଼େଇ ଦେଇ ନିଜ ବାଟରେ ଚାଲି ଯାଇଛନ୍ତି ।

 

ସତେ ଯେ ଲିସ୍କୋ ! “.....ସେ ଯେବେ ଅତୀତକୁ ଛାଡ଼ି ଭବିଷ୍ୟତରେ ତା’ ସଙ୍ଗରେ ଆଗେଇ ଆସନ୍ତା ନା, ତାକୁ ବେଶ୍ ସୁଖୀ କରିପାରନ୍ତି ମୁଁ । ଆଃ...କି ଚମତ୍କାର ହୁଅନ୍ତା ।”

 

ରାତି ବେଶି ହୋଇଗଲାଣି ।

 

ଭାବନାର ସୂତା ନଟୀ ଅଡ଼ୁଆ ହୋଇ ଉଠୁଥିଲା । ଅନେକ ରାତି ହୋଇଗଲାଣି । ଆଜି ସେ ଆସିନି । ଆସିବ ନାହିଁ ?

 

ଫାଟକ ପାଖରେ ଆସି ଠିଆ ହୋଇଛି ଲିସ୍କୋ । ମୁହଁରେ ଖିଲିଖିଲି ହସ । ସତେ ଯେପରି ସବୁ ଜୟ କରି ଆସିଛି ସେ ।

 

ଖିଲିଖିଲି ହସ ଯେମିତି ତା’ ଅଙ୍ଗ ଅବୟବରେ ଲାଖି ରହିଛି । ଲିସ୍କୋ ତା’ ପାଖକୁ ଆସୁଆସୁ ଥମିଗଲା ।

 

ଆଲୋକେଶୀ ଅଥୟ ହୋଇ ଉଠୁଥିଲା । ଥରିଲା ଥରିଲା ଗଳାରେ କହିଲା “ତମ କଥା ମୁଁ ଅନେକ ଶୁଣିଛି–ସତ କହୁଛି ତମରି କଥା ଭାବି ଭାବି ମୁଁ ଅସ୍ଥିର ହୋଇ ପଡ଼ିଛି । ତମରି ଅପେକ୍ଷାରେ ମୁଁ ଅଧୀର ହୋଇ ପଡ଼ିଛି, ଲିସ୍କୋ ।”

 

ଲିସ୍କୋ ତା’ର ଦୁର୍ବଳତାର ଇଙ୍ଗିତ ପାଇଛି । ସ୍ମିତ ହସି କହିଲା, “ଥଣ୍ଡା ଲାଗୁନି ।”

 

“ସତେ । ଏତେ ଅଳ୍ପ ବୟସ । ମୋତେ ଅପେକ୍ଷା କରି କେତେ କଷ୍ଟ ପାଇଲ ! ଆସ, ମଇଦା ବସ୍ତା କାଢ଼ି ଦିଅ ।

 

“ଏଇ କଦର୍ଯ୍ୟ ଜୀବନ ତମକୁ କ’ଣ ଭଲ ଲାଗୁଛି ।”

 

“ବେଳ ଗଡ଼ି ଯାଉଛି । ଯାହା କରିବାର କଥା ଶୀଘ୍ର କର । ମୋ ବିଷୟରେ ବହୁତ ଭାବିଛ ନା ?”

 

“ଭାବି ଦେଖ ନିଜ ଜୀବନକୁ ନଷ୍ଟ କରିନି ଲିସ୍କୋ ! ପ୍ରାଚୁର୍ଯ୍ୟତାର ସମ୍ଭାର ପାଉଛି ଭାବି ନିଜକୁ ନିଃସ୍ଵ କରି ଦିଅନି । ମୋ ପରି ତରୁଣକୁ ବିବାହ କରି ତମେ ସୁଖୀ ହେବ ନାହିଁ କାହିଁକି ?”

 

“ମୋତେ ବିବାହ କରିବାକୁ ଚାହଁ ? ତମ ପରି ମୁଁ ନିର୍ବୋଧ ନୁହେଁ । ଜଣଙ୍କ ପାଖରେ ସମର୍ପି ଦେଇ, ମୁଁ ମୋ ସ୍ଵାଧୀନ ଜୀବନକୁ ଝାସ ଦେବି ? ଅସମ୍ଭବ–’’ ପୁଣି ପ୍ରଶ୍ନକଲା ।

 

“ପୁରୁଣା ପହରାବାଲା ଗଲା କୁଆଡ଼େ ?”

 

ଆଲୋକେଶୀର ସବୁ କଳ୍ପନା ଚୂରମାର ହୋଇଗଲା । ନଷ୍ଟସ୍ୟ କାନ୍ୟ ଗତି ?

 

ସେ ନିଜର କରି ତାକୁ ଛାତି ଉପରକୁ ଟାଣି ଆଣିବାକୁ ଚାହିଁଥିଲା ।

 

ମନ ପୋଡ଼ିଗଲା ।

 

ପୋଡ଼ା ତିଅଣରେ ଆଉ ସୁଆଦ ନଥାଏ ।

 

ତା’ ପାଖରୁ ଖୁବ୍ ଦୂରରେ ରହିବାକୁ ଚାହେଁ । ଷ୍ଟେସନ୍ ମାଷ୍ଟରଙ୍କ ହଳାହଳମୟ ମଜଲିସ୍ ବୈଠକକୁ ନିମନ୍ତ୍ରିତ ହୋଇ ଯିବାକୁ ତା’ର ମନ ମାନିଲା ନାହିଁ । ଚାକିରିରୁ ଇସ୍ତଫା ଦେଇ ଚାଲିଗଲା ।

 

ଏହିପରି ଭାବରେ ମାକ୍‍ସିମ୍ ଗର୍କୀଙ୍କର ପ୍ରଥମ ପ୍ରେମର ଅବସାନ ଘଟିଲା ।

 

ମାକ୍‍ସିମ୍ ପିୟେଗଭ ଭାର୍ଭରାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କରି ପୁଅ ମାକ୍‍ସିମ୍‍ ଗର୍କୀ । ଜନ୍ମଗ୍ରହଣ କଲେ ୧୮୬୮ ମସିହା, ମାର୍ଚ୍ଚ ୧୮ ତାରିଖରେ....

 

ଆଲୋକେଶୀ ତାଙ୍କର ପ୍ରକୃତ ନାମ ।

 

ଗର୍କୀ ତାଙ୍କର ଲେଖକ ଜୀବନର ଛଦ୍ମନାମ ।

 

ଅଳ୍ପ ବୟସରେ ତାଙ୍କର ବାବା ମାକ୍ତିମ ପିୟେଗଭ ମଲେ ।

 

ଭାର୍ଭରା ସ୍ଵାମୀଙ୍କ ବିୟୋଗ ପରେ ଘରେ ବନ୍ଦିନୀ ହୋଇ ରହିବାକୁ ଚାହିଁଲେ ନାହିଁ । ଭଉଣୀ ପାଖରେ ଛୁଆମାନଙ୍କୁ ଛାଡ଼ିଦେଇ, ଦେହ ବ୍ୟବସାୟରେ ନିଜକୁ ମଜାଇ ଦେଇ, ଅଳ୍ପ ଦିନରେ ବହୁ ବଲ୍ଲଭା ହୋଇ ପଡ଼ିଲେ ।

 

ଗର୍ଜାଙ୍କର ଜୀବନ ଦୁଃଖମୟ ହୋଇ ଉଠିଲା । ମାମୁ, ମାମୁ ପୁଅ ଭାଇଙ୍କ ଅତ୍ୟାଚାରରେ ସେ ଜର୍ଜରିତ ହୋଇ ଉଠିଲେ । ପାଠ ପଢ଼ାଉଛି କିଏ ?

 

ଆଠବର୍ଷ ବୟସରୁ ସେ ଜୀବନ ସଂଗ୍ରାମପାଇଁ ସଂସାର କ୍ଷେତ୍ରକୁ ଝାସ ଦେଲେ ।

 

କ୍ଷତବିକ୍ଷତ କିଶୋର ଗର୍ଜୀଙ୍କ ବାଲ୍ୟଜୀବନ ଅତୀବ ଦୁର୍ବିସହ । ମାମୁଙ୍କ ଘରେ ଆଶ୍ରା ପାଇବାର ଆଉ ସମ୍ଭାବନା ନାହିଁ ।

 

ଏତିକିବେଳେ ପାପମୟ ଜୀବନର ଅବସାନ ଘଟାଇ ଗାର୍ହସ୍ଥ୍ୟ ଜୀବନ ପୁଣି ଗଢ଼ିବାପାଇଁ ମା’ ଭାର୍ଭରା ଫେରି ଆସିଲେ ।

 

ମାକ୍‍ସିମଭଙ୍କ ସହିତ ତାଙ୍କର ବିବାହ ହୋଇଗଲା । ଗର୍କୀ ମା’ଙ୍କ ସାଙ୍ଗରେ ମା’ଙ୍କ ନୂଆ ଘରକୁ ନୂଆ ଜୀବନ ନେଇ ପଢ଼ାପଢ଼ି କରିବା ଆଶାରେ ଚାଲିଆସିଲେ ।

 

ଆଶା ବୈତରଣୀ ନଦୀରେ ଗର୍କୀ ବେଶୀ ସମୟ ସନ୍ତରଣ କରି ଜୀବନ ଯୁଦ୍ଧରେ ନୂଆ ଯଶ ପାଇପାରିଲେ ନାହିଁ ।

 

ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦିନକୁଦିନ ବଢ଼ିବାକୁ ଚାଲିଲା । ବାରବାର ମକ୍‍ସିମଭ ସ୍ତ୍ରୀଙ୍କୁ ଭୟଙ୍କର ଭାବରେ ମାଡ଼ଦେଲେ ।

 

ମା’ଙ୍କ ପ୍ରତି ବାରମ୍ବାର ଏପରି ଅମାନୁଷିକ ଅତ୍ୟାଚାର ଗର୍କୀ ସହି ପାରିଲେ ନାହିଁ । ମା’ଙ୍କୁ ଦିନେ ନିର୍ଦ୍ଦୟ ଭାବରେ ମାଡ଼ ମାରୁଥିବାବେଳେ ଗର୍କୀ ଛୁରା ନେଇ ମାକ୍‍ସିଭଙ୍କୁ ଆକ୍ରମଣ କଲାବେଳେ, ମା’ ତାଙ୍କୁ ଧରିନେଲେ ।

 

ମା’ ବାଧା ଦେଇ ନଥିଲେ କ’ଣ ଯେ ଘଟିଥାନ୍ତା !!!

 

ପାରିବାରିକ ଅଶାନ୍ତିରେ ଜଳି ଜଳି କିଛିଦିନ ପରେ ମା’ ମରିଗଲେ । ଗର୍କୀଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ ।

 

ମା’ଙ୍କର ବିୟୋଗ ପରେ ଆକାଶର ମୁକ୍ତ ବିହଙ୍ଗ ପରି ସେ ଘୂରି ବୁଲିଲେ ।

 

ଖେତ ଖମାରରେ ମଜୁରିଆ ହିସାବରେ କାମ କରନ୍ତି । କାମ ନ ମିଳିଲେ ଜଙ୍ଗଲରେ ଶିକାର କରି ବେଳେ ଜୀବିକା ଉପାର୍ଜନ କରନ୍ତି ।

 

ଜୀବନ ସଂଗ୍ରାମ କି କଠିନ, ଏହି ଅଳ୍ପ ବୟସରୁ ଗର୍କୀ ପ୍ରାଣେ ପ୍ରାଣେ ଅନୁଭବ କରିଥିଲେ । ପ୍ରଥମ ଜୀବନର ଅନୁଭୂତି, ତାଙ୍କ ଲେଖକ ଜୀବନରେ ବାସ୍ତବତାର ନିର୍ଯ୍ୟାସ ଓତପ୍ରୋତଭାବେ ରସାୟିତ କରି ଦେଇଥିଲା ।

 

ରେଳ ଷ୍ଟେସନ୍ ପହରା ଚାକିରି ଛାଡ଼ିଦେଇ ଏଣେତେଣେ ବହୁତ ବୁଲିଲେ ।

 

ଜୀବନରେ ପ୍ରଥମ ସୌଭାଗ୍ୟ ଆସିଲା–ଏଟର୍ଣ୍ଣି ଲେନିନ୍‍ଙ୍କର କିରାଣି ଭାବରେ ନିଯୁକ୍ତି ପାଇଲେ ।

 

ଲେନିନ୍‍ଙ୍କ ସରଳ ପ୍ରାଣରେ ଗର୍କୀଙ୍କ ପାଇଁ ସହାନୁଭୂତିରେ ଭରପୂର ହୋଇଗଲା । ଗର୍କୀ ମଧ୍ୟ ମନ ପ୍ରାଣ ଦେଇ କାମ କଲେ । ନିଜର କର୍ତ୍ତବ୍ୟ ସାଧନପାଇଁ ବିଶେଷ କର୍ମଠ ହୋଇ ଉଠିଲେ ।

 

କେତେ ମାସ କଟି ଯାଇଛି । ଦିନେ ଲେନିନ୍‍ ଖଣ୍ଡେ କାଗଜ ହାତରେ ଧରି ଗର୍କୀଙ୍କୁ ପଚାରିଲେ “ତମେ, ଏସବୁ କ’ଣ ଲେଖିଛ ?”

 

ଅଦାଲତ କାଗଜ ଉପରେ ଗର୍କୀ କବିତା ଲେଖିଛନ୍ତି ।

 

ଗର୍କୀ ଲଜ୍ଜିତ ବୋଧ କଲେ । ଭାବପ୍ରବଣବଶତଃ ଲେଖୁ ଲେଖୁ ଅଦାଲତ ନଥି ଉପରେ ସେ କବିତା ଲେଖିଛନ୍ତି । ମୁନିବ ସେହି କାଗଜ ହାତରେ ଧରି ତାଙ୍କୁ କୈଫିୟତ ମାଗୁଛନ୍ତି ।

 

“ଭୁଲ ହୋଇ ଯାଇଛି ସାର୍‍”

 

“ତମର ଆଜି କାଲି କ’ଣ ହୋଇଛି, ଗର୍କୀ ?

 

ଅନେକ ସମୟରେ ଅନ୍ୟମନସ୍କ ରହୁଛ । କେଉଁ ଝିଅର ପ୍ରେମରେ ପଡ଼ିଯାଇ ନା ତ-?”

 

ପ୍ରେମ ! ଗର୍କୀ ଚମକି ଉଠିଲେ । ଝିଅକୁ ପ୍ରେମ କରିବାକୁ ଚାହୁଁଛନ୍ତି ନିଶ୍ଚୟ । କାହିଁ ? କାହିଁ ସେ ସୁନ୍ଦରୀ !

 

ଅର୍ଥ ନାହିଁ । ବିନା ଅର୍ଥରେ କୌଣସି ଝିଅ କ’ଣ ତାଙ୍କୁ ଭଲ ପାଇ ସୁଖୀ ହୋଇପାରିବ-?

 

ଦେହ, ମନ ଭାବି ଭାବି ଅସ୍ଥିର ହୋଇ ପଡ଼ିଥିଲା–ରାତିରେ ନିଦ ନାହିଁ ।

 

ଗର୍କୀଙ୍କୁ ନିଃସଙ୍ଗ ଜୀବନ ଆଉ ଭଲ ଲାଗିଲା ନାହିଁ ।

 

ଗୋଟିଏ ନୂଆ ସଂଘରେ ସେ ଯୋଗ ଦେଲେ । ସେଠାରେ ଅନେକଙ୍କ ସାଙ୍ଗରେ ଚିହ୍ନା ପରିଚୟ ଘଟିଲା । ବନ୍ଧୁତା ଜମି ଉଠିଲା ।

 

ଦିନେ ନିଷ୍ପତ୍ତି ହେଲା କମ୍ରେଡ଼୍‍ମାନେ ଓକା ନଦୀରେ ବୋଟିଂ କରିଯିବେ ।

 

ଏହି ବୋଟିଂ ପାର୍ଟିକୁ, ରାଜନୈତିକ କାରଣରୁ ଫ୍ରାନସରୁ ନିର୍ବାସିତ ପୋଲାଣ୍ଡ ନିବାସୀ ବୋଲେଶ୍ଳୋଭାକୁ ସସ୍ତ୍ରୀକ ନିମନ୍ତ୍ରଣ କରାଯିବ ।

 

ସେମାନଙ୍କୁ ଆମନ୍ତ୍ରଣ କରି ଆଣିବା ଭାର ଗର୍କୀଙ୍କ ଉପରେ ଦିଆଗଲା ।

 

ଗର୍କୀ ନିରୂପିତ ସମୟରେ ସେମାନଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ତାଙ୍କ ଘରକୁ ଗଲେ ।

 

ଦ୍ଵାରଦେଶରେ ବାରବାର ଆଘାତ କଲେ । ଘର ଭିତରେ ପ୍ରବେଶ କରିବାମାତ୍ରେ, ଜଣେ ମଧ୍ୟ ବୟସୀ ଭଦ୍ରଲୋକ ରୁକ୍ଷ ସ୍ଵରରେ ପ୍ରଶ୍ନ କଲେ–“କ’ଣ ଦରକାର ଆପଣଙ୍କର ?”

 

ଗର୍କୀ ନିଜର ପରିଚୟ ଦେଲେ । ତାଙ୍କର ଆସିବାର କାରଣ ଜଣାଇଲେ ।

 

ଏତିକିବେଳେ ଭଦ୍ରଲୋକଙ୍କ ପଛପଟୁ ଜଣେ ତରୁଣୀ ଖିଲି ଖିଲି ହସି ଉଠି ପଚାରିଲେ, “ଆପଣଙ୍କର ଏପରି ବିଚିତ୍ର ବେଶ କାହିଁକି ?”

 

ଗର୍କୀ ଚମକି ପଡ଼ି ନିଜ ପୋଷାକ ପ୍ରତି ଦୃଷ୍ଟିଦେଇ ଦେଖିଲେ ।

 

ବିଚିତ୍ରତା କାହିଁ ? ନୀଳ ରଙ୍ଗର ଟ୍ରାଉଜର । ଦେହରେ ହୋଟେଲ ବୟଙ୍କ ପୋଷାକ । ମୁଣ୍ଡରେ ଇଟାଲିୟାନ ଟୋପି–ଆଉ ଶିକାରୀ ବୁଟ୍ ।

 

“ମୋ ପୋଷାକରେ କ’ଣ ବୈଚିତ୍ରତା ଲକ୍ଷ୍ୟ କରୁଛନ୍ତି ଗର୍କୀ କହିଲେ ।

 

ଆହୁରି ହସି ଉଠିଲେ ତରୁଣୀ ।

 

ଗୃହକର୍ତ୍ତାଙ୍କ ଶ୍ମଶ୍ରୁଳ ଦାଢ଼ି ପ୍ରତି ବାରବାର ଲକ୍ଷ୍ୟ କରି ଗର୍କୀ ତରୁଣୀଙ୍କୁ ପଚାରିଲେ “ୟେ ଆପଣଙ୍କର ବାବା ନା ବଡ଼ଭାଇ ।’’

 

ଗମ୍ଭୀର ଭାବରେ ତରୁଣୀ ଉତ୍ତର ଦେଲେ–

 

“ମୋର ସ୍ଵାମୀ !”

 

“ମାଫ୍ କରିବେ...”

 

ଗର୍କୀ ଲଜ୍ଜିତ ହଲେ । ନିମନ୍ତ୍ରଣ ଜଣାଇ ତରବରରେ ଫେରି ଆସିଲେ ।

 

ଫେରି ଆସିଲେ ସତ ! କିନ୍ତୁ ମନଲାଖି ରହିଲା । ତରୁଣୀଟି ପାଇଁ ପ୍ରାଣ ହରାଇ ବସିଲେ । ତରୁଣୀଙ୍କର ତାରୁଣ୍ୟର ମାଦକତା ପ୍ରତି ତନ୍ତ୍ରୀରେ ଅନୁଭବ କଲେ ।

 

ପରମା ସୁନ୍ଦରୀ ଜଣେ ନିରସ, ରୁକ୍ଷ ପ୍ରୌଢ଼ଙ୍କ ବକ୍ଷମଣ୍ଡନ କରି କ’ଣ ସୁଖୀ ହୋଇ ପାରିଛନ୍ତି ! ଗର୍କୀଙ୍କର ମନ ସମବେଦନାରେ ଗୁଞ୍ଜରିତ ହୋଇ ଉଠିଲା । ଅଶାନ୍ତ ମନରେ ପୁଣି ଝଞ୍ଜା ସୃଷ୍ଟି ହୋଇଛି ।

 

ନିରୂପିତ ପିକ୍‍ନିକ୍ ଡେ । କେତେଗୁଡ଼ିଏ ନୌକା ଠିକ୍ କରାଗଲା । ବୋଲେଶ୍ଳୋଭ କେତେ ଜଣଙ୍କ ସାଙ୍ଗରେ ନୌକା ଆରୋହଣ କଲେ । ଓଲଗାର ସହିତ ଆଉ ଗୋଟିଏ ନୌକାରେ ଗର୍କୀ ଯାତ୍ରା ଆରମ୍ଭ କଲେ ।

 

ଅନନ୍ତ ବିସ୍ତାରିତ ଜଳରାଶି ଦେଇ ନୌକା ଗତି କଲା । ଗର୍କୀଙ୍କ ପ୍ରାଣରେ ଅଫୁରନ୍ତ କୌତୂହଳ । ଆଖିରେ ମତୁଆଳି ନିଶା ।

 

ଜଣେ ତରୁଣ ପାଖରେ ବସିଥିବା ତରୁଣୀଙ୍କର ତାରୁଣ୍ୟରେ ବିଭୋର । ଜୀବନରେ ଏମିତି ସୁଖ ସେ ଯେମିତି କେବେ କଳ୍ପନା କରି ନାହାନ୍ତି ।

 

ମନର ତଡ଼ିତ୍ ଦେହସାରା କମ୍ପନ ସୃଷ୍ଟି କରି ଆସିଛି । ହେଲେ, ନୌକାଟି ଆରପାରିରେ ପହଞ୍ଚି ଯାଇଛି ।

 

ଯେଉଁଠି ନୌକାରୁ ଓହ୍ଲାଇବେ, ତାହା ଏତେ କର୍ଦମମୟ ଯେ ଓଲଗା ଅବତରଣ କରିବାପାଇଁ ଶଙ୍କିତ ହୋଇ ପଡ଼ିଲେ । ଗର୍କୀ ନୌକାରୁ ଓହ୍ଲାଇ ପଡ଼ି କହିଲେ “ବସି ରହିଲେ ହେବ ନାହିଁ । ମୋ ହାତ ଧରି ଓହ୍ଲାଇ ଆସ.....”

 

ଦୁଇ ହାତ ବଢ଼ାଇ ଦେଲେ ଗର୍କୀ ।

 

ଓଲଗା ଦୁଇ ହାତ ବଢ଼ାଇ ଦେଇ ଗର୍କୀଙ୍କ ହାତକୁ ଧରି ନେଲେ ।

 

ଟିକିଏ ଇତସ୍ତତଃ ହୋଇ ଗର୍କୀ କୋମଳ ଦେହଟିକୁ ଚାପି ଧରି ଶୂନ୍ୟେ ଶୂନ୍ୟେ ନିରାପଦ ଜାଗାକୁ ନେଇଗଲେ ।

 

କିମିତି ଗୋଟାଏ ଶିହରଣରେ ଗର୍କୀ ପୁଲକିତ ହୋଇ ଉଠିଲେ ।

 

ଓଲଗା କହିଲେ, “ତମଠି ଶତ ଶତ ପୁରୁଷଙ୍କର ଶକ୍ତି ଠୁଳ ହୋଇ ରହିଛି ଗର୍କୀ !”

 

“ସାତ ମାଇଲ ବାଟ ଅନାୟାସରେ ନେଇ ଯାଇ ପାରିବ ଶ୍ରେୟସୀ ।”

 

ଗର୍କୀ ସେହି ମାଦକତାରେ ଦିନଯାକ ବିଭୋର ।

 

ଓଲଗା ମଧ୍ୟ ଅଙ୍ଗେ ଅଙ୍ଗେ ଶିହରଣ ପାଇଛି ।

 

ଗର୍କୀଙ୍କର ଦେହର ତଡ଼ିତ୍ କ’ଣ ଓଲଗା ଅନୁଭବ କରିପାରିବ ନାହିଁ ?

 

ମନକଥା ମନେମନେ ମାରି, ତରୁଣ ତରୁଣୀ ପିକ୍‍ନିକ୍ ପରେ ସ୍ଵ ସ୍ଵ ଗୃହକୁ ଫେରିଗଲେ-

 

ତା’ପରେ ଦୁହିଁଙ୍କର ନିୟମିତ ଦେଖାସାକ୍ଷାତ୍ ହେଉଥାଏ ।

 

ଓଲଗା ଶିକ୍ଷିତା ଝିଅ । ପ୍ୟାରିସ୍‍ରେ ଆର୍ଟରେ ଡିପ୍ଲୋମା ପାଇସାରି ଧାତ୍ରୀ ବିଦ୍ୟା ଅଧ୍ୟୟନ କରି ସାରିଛି । ବୟସରେ ସେ ଗର୍କୀଙ୍କଠାରୁ ବଡ଼ ।

 

ଗର୍କୀ ସମ୍ପୂର୍ଣ୍ଣ ପରିଚୟ ପାଇ, ସଂକୁଚିତ ହୋଇ ପଡ଼ିଲେ । ବୟସର ବ୍ୟବଧାନ ପୁଣି ସେ ଶିକ୍ଷିତା । ଗର୍କୀଙ୍କର ଶିକ୍ଷାଗତ ଯୋଗ୍ୟତା କଥା ଭାବି ସେ ନିଜେ ନିଜକୁ ଅସହାୟ ମନେକଲେ ।

 

ସତେ ଓଲଗା ତାକୁ ଭଲ ପାଏ ! ନା, ନା, ନା...

 

ଏମିତି ଭାବରେ ମାନସିକ ଅସ୍ଥିରତା ନେଇ ସେ ଦ୍ଵନ୍ଦ୍ୱରେ ପଡ଼ିଲେ ।

 

ନଈକୁ ଗାଧୋଇବାକୁ ଗର୍କୀ ଯାଇଥିଲେ । ନଦୀ ଜଳରେ ଲମ୍ଫ ଦେଲାବେଳେ ଛାତିରେ ଭୟଙ୍କର ଆଘାତ ପାଇଲେ । ହସ୍‍ପିଟାଲକୁ ଚିକିତ୍ସାପାଇଁ ଗଲେ ।

 

ଗର୍କୀ ଓଲଗାର ବ୍ୟବହାରରେ ବିସ୍ମିତ ହୋଇ ପଡ଼ିଲେ । ନିୟମିତ ସେ ଗର୍କୀଙ୍କୁ ଦେଖିବାକୁ ଆସେ ।

 

ବିଛଣାରେ ପଡ଼ି ରହି ବୁଭୁକ୍ଷୁଙ୍କ ପରି ତା’ ଆଡ଼କୁ ଅନାଇ ରହିଲେ ।

 

ମନର ଭାବ ଆଖିର ଭାଷାରେ ଯେମିତି ପ୍ରକାଶ ପାଇଲା ଓଲଗା କ’ଣ ତାହା ବୁଝିପାରିଲା ନାହିଁ !

 

ଦିନେ ଏମିତି ଭାବରେ ଗର୍କୀ ତାଙ୍କ ଆଡ଼କୁ ଅନେଇ ରହିଥିଲେ ।

 

“କ’ଣ ଏତେ ଦେଖୁଛ, ଗର୍କୀ !”

 

“ଗୋଟିଏ ଅନୁରୋଧ ରଖିବ....?”

 

“କୁହ....”

 

‘ସୁସ୍ଥଥିଲେ, କହି ପାରନ୍ତିକି ନା ସନ୍ଦେହ....

 

“ହଉ, କୁହ....

 

“ଅନେକ ଥର ଚେଷ୍ଟା କରି ମଧ୍ୟ ପାରି ନାହିଁ । କ୍ଷମା କରିବ ଶ୍ରେୟସୀ !...ମୁଁ ତୁମକୁ ଭଲ ପାଇ ବସିଛି ।

 

ଓଲଗାର ମୁଖଲାବଣ୍ୟ ଲଜ୍ଜାରେ ରକ୍ତିମ ହୋଇ ଉଠିଲା । ସେ ମୁଣ୍ଡ ନୁଆଁଇ ନେଲେ ।

 

ଗର୍କୀ ପୁଣି କହିଲେ “ତମକୁ ଅପମାନିତ କଲି ଓଲଗା ! ମୋତେ କ୍ଷମା ଦିଅ ।”

 

“ନା...ଏଥିରେ ଅପମାନ କେଉଁଠି ଅଛି ।”

 

“ମୋ ପ୍ରତି ତମର କ’ଣ କୌଣସି ଦୁର୍ବଳତା ନାହିଁ; ଓଲଗା ।”

 

ଓଲଗା ମୁଣ୍ଡ ହଲାଇ ସମର୍ଥନ ଜଣାଇଲା । ରୁଗ୍‍ଣ ପାଣ୍ଡୁର ମୁହଁଟି ଗର୍କୀଙ୍କର ଉତ୍‍ଫୁଲ୍ଲିତ ହୋଇ ଉଠିଲା ।

 

ଦୁର୍ଗଜୟ କରିଛି ଗର୍କୀ । ଉତ୍ସାହିତ ହୋଇ ଗର୍କୀ ପଚାରିଲେ “ମୋତେ ବିବାହ କରିବ ଓଲଗା ?”

 

ଗର୍କୀ ଏମିତି ପ୍ରଶ୍ନ ପଚାରିବ ବୋଲି ଓଲଗା କଳ୍ପନାରେ ମଧ୍ୟ ଆଣି ନଥିଲା । ଚମକି ଉଠିଲା ସେ ।

 

“ତମେ ଏ କ’ଣ କହୁଛ ଆଲ୍‍କେସୀ । ମୁଁ ତମଠାରୁ ବୟସରେ କେତେ ବଡ଼ । ତା’ ଛଡ଼ା ମୋର ଦୁଇଟା ଛୁଆ । ତମେ ଏ ସବୁ ଦାୟିତ୍ଵ ନେବାକୁ ଚାହୁଁଛ କାହିଁକି ?

 

“ତମପାଇଁ ଯେକୌଣସି ଦାୟିତ୍ଵ ନେବାକୁ ମୁଁ କୁଣ୍ଠିତ ହେବି ନାହିଁ–ହଁ, ତମେ ହଁ ଭର...

 

ଗର୍କୀଙ୍କର ସ୍ଵରରୁ ତାଙ୍କର ଉତ୍କଣ୍ଠା ବେଶ୍ ଅନୁଭବ କରିପାରୁଥିଲା ଓଲଗା । ତା’ର ଆଖିରୁ ଦୁଇଧାର ଲୁହ ଗଡ଼ିଗଲା ।

 

“ମୋର ସ୍ଵାମୀ ଅଛନ୍ତି ଆଲେକ୍‍ସୀ । ସେ ମଧ୍ୟ ଜୀବନରେ ମୋତେ ଭଲ ପାଆନ୍ତି । ତାଙ୍କ ପ୍ରତି ମୋର କର୍ତ୍ତବ୍ୟ ଅଛି...”

 

“ତମେ କ’ଣ ତାଙ୍କ ସାଙ୍ଗରେ ସୁଖରେ ଅଛ ?” ଗର୍କୀ ପ୍ରଶ୍ନ କଲେ ।

 

“ବଡ଼ ମାନସିକ ଦ୍ଵନ୍ଦ୍ୱରେ ପକାଇଲେ ଆଲେକ୍‍ସୀ । ମୋତେ ଭାବିବାକୁ ଦିଅ–ମୁଁ ସବୁକଥା ସ୍ଵାମୀଙ୍କୁ କହି ଦେଖେଁ ।

 

ତା’ ପରଦିନ, ଓଲଗା ସ୍ଵାମୀଙ୍କୁ ସବୁକଥା ଜଣାଇଲା । ସେ ମର୍ମାହତ ହେଲେ । ସ୍ତ୍ରୀକୁ କ’ଣ କରିବା ଉଚିତ ଅନୁଚିତ ସେ ବିଷୟରେ କିଛି କହିଲେ ନାହିଁ । ରୁଷିଆ ଛାଡ଼ି ଫ୍ରାନସ ଚାଲିଯିବା ପାଇଁ ନିଷ୍ପତ୍ତି କରିଦେଲେ ।

 

ଗର୍କୀଙ୍କ ସହିତ ଦେଖା କରି ଓଲଗା ସବୁକଥା କହିଲା ।

 

ବ୍ୟଥିତ ଭାବରେ ଗର୍କୀ ପୁଣି କହିଲେ–

 

“ମୋ ଅନୁରୋଧ ରକ୍ଷା କରିବ ନାହିଁ ?”

 

“ମୁଁ ନିରୁପାୟ ।” ସ୍ଵାମୀଙ୍କୁ ବ୍ୟଥା ଦେଇ ପାରିବି ନାହିଁ ।”

 

“ମୁଁ ତ ବ୍ୟଥା ପାଉଛି, ଓଲଗା......”

 

“ତମେ ଯୁବକ । ୟେ ବ୍ୟଥା ତମେ ସହିପାରିବ, ହେଲେ ତାଙ୍କର ଶକ୍ତି ନାହିଁ–ଶକ୍ତି ନାହିଁ...”

 

ସତକୁସତ ଓଲଗା ରୁଷିଆ ଛାଡ଼ି ଚାଲିଗଲେ । ଗର୍କୀଙ୍କର ବୁଭୁକ୍ଷୁ ଜୀବନର ଅଫୁରନ୍ତ ପିପାସା ଜଳି ଜଳି ମଉଳି ଆସିଲା । ଉଦ୍ଭ୍ରାନ୍ତ ପରି ଏଣେତେଣେ ବୁଲିବାକୁ ଲାଗିଲେ ।

 

ଭଲଚା କୂଳେ କୂଳେ ଯାଉ ଯାଉ ଜାରିଟାସନ୍‍ରେ ପହଞ୍ଚି କୌଣସି ପ୍ରକାରେ ମାସେ ଦୁଇମାସ କଟାଇ ଦେଲେ । ସେଠି ବେଶି ଦିନ ରହିପାରିଲେ ନାହିଁ । ଡନ୍ ନଦୀ ଉପତ୍ୟକାରେ କିଛିଦିନ କଟାଇବା ପାଇଁ ମନ ବଳାଇଲେ ।

 

ନିଜକୁ ପରିସ୍ଥିତି ସାଙ୍ଗରେ ଖାପ ଖୁଆଇ ଚଳି ପାରିଲେ ନାହିଁ । ହେଲେ ପେଟ ଚିନ୍ତା ଏଡ଼ି ନ ପାରି ବିଭିନ୍ନ ଧନ୍ଦାରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେଲେ ।

 

ଏତିକିବେଳେ ସେ ବିପ୍ଳବୀମାନଙ୍କ ସାଙ୍ଗରେ ସମ୍ପର୍କ ପ୍ରତିଷ୍ଠା କଲେ ।

 

୧୮୯୨ ମସିହା । ଗର୍କୀଙ୍କ ଜୀବନରେ ଚିରସ୍ମରଣୀୟ ହୋଇଗଲା ।

 

ବିପ୍ଳବୀ ଆଲେକ୍‍ଜାଣ୍ଡର କାଲୟ ଜୁନିଅର ଘରେ ସେ ଥାନ୍ତି, ବିପ୍ଳବୀ ଆଲେକ୍‍ଜାଣ୍ଡର ଛଅବର୍ଷ ସଶ୍ରମ କାରାଦଣ୍ଡ ପରେ ମୁକ୍ତି ପାଇ ତଫସିଲ ସହରରେ ନିର୍ବାସିତ ହୋଇଥା’ନ୍ତି ।

 

ସେ ତାଙ୍କୁ ଗପ ଲେଖିବାପାଇଁ ପ୍ରଭାବିତ କଲେ । ଗର୍କୀ ମୁହେଁ ମୁହେଁ ଗୋଟିଏ ଗପ କହିଲେ । ତାଙ୍କୁ ସେ ଗପଟି ଭାରି ଭଲ ଲାଗିଲା । ଗପଟିକୁ ଲେଖାଇ ସ୍ଥାନୀୟ ପତ୍ରିକାରେ ପ୍ରକାଶ କରିବାପାଇଁ ଆଲେକ୍‍ଜାଣ୍ଡର ପଠାଇ ଦେଲେ । ଗଳ୍ପଟି ପ୍ରକାଶ ପାଇଲା ଛଦ୍ମନାମ ଗର୍କୀଙ୍କ ନାମରେ ।

 

ଗର୍କୀ ଶବ୍ଦର ଅର୍ଥ ହତଭାଗା ।

 

ସେହିଦିନୁ ଆଲେକ୍‍ସୀ ବିଶ୍ଵ ଦରକାରରେ ଗର୍କୀ ନାମରେ ପରିଚିତ ।

 

ଏଇ ହେଲା ଗର୍କୀଙ୍କ ଲେଖକ ଜୀବନର ଅୟମାରମ୍ଭ ।

 

ବିଶ୍ଵବାସୀ ଆଲେକ୍‍ଜାଣ୍ଡରଙ୍କ ପାଖରେ କୃତଜ୍ଞ ।

 

ଗର୍କୀଙ୍କୁ ବାଧ୍ୟ କରାଇ ଗଳ୍ପ ଲେଖାଇ ନଥିଲେ, ଗଳ୍ପଟି ପ୍ରକାଶନ ପାଇଁ ଯତ୍ନ ନକରିଥିଲେ, ଗର୍କୀ ବିଶ୍ଵ ଦରବାରରେ ଲେଖକର ଆସନରେ ବସି ପାରି ନଥାନ୍ତେ କି ବିଶ୍ଵବାସୀ ସେ ଅମର ସାହିତ୍ୟର ସ୍ଵାଦଚାଖି ପାରି ନଥାନ୍ତେ ।

 

ପରବର୍ତ୍ତୀ ଜୀବନରେ ଗର୍କୀ ଆଲେକ୍‍ଜାଣ୍ଡରଙ୍କୁ ପରମବନ୍ଧୁ ଓ ଗୁରୁ ବୋଲି ସମ୍ବୋଧନ କରିଯାଇଛନ୍ତି ।

 

ଲେଖିଛନ୍ତି, “ଆପଣ ମୋତେ ନିଜ ବିଷୟରେ ସଚେତନ କରିଛନ୍ତି । X X ୩୦ ବରଷ ହେଲା ଯେଉଁ ସାହିତ୍ୟିକ ଜୀବନ ମୁଁ କଟାଉଛି, ତା’ର ଭିତ୍ତି ଆପଣ ନିଜ ହାତରେହିଁ ସ୍ଥାପନ କରିଛନ୍ତି ।

 

ଆପଣ ଯେଉଁ ପ୍ରେରଣା ଦେଇଛନ୍ତି ତ ନିକଟରେ ମୁଁ ଚିରଋଣୀ ହୋଇ ରହିଗଲି ।

 

ସୃଷ୍ଟିର ଲୀଳା ବିଚିତ୍ର । ଗର୍କୀ ଖବର ପାଇଲେ ଓଲଗା ସେଠାରେ ଆସି ରହିଛି । ଏ କଥା ଜାଣି ସେ ଆତ୍ମହରା ହୋଇ ପଡ଼ିଲେ ।

 

ଓଲଗା ତା’ ଝିଅ ସହିତ ଏଠାରେ ଅଛି । ତା’ର ସ୍ଵାମୀ ରହିଛନ୍ତି ଫ୍ରାନ୍‍ସରେ । ତାକୁ ଭେଟିବାପାଇଁ ଅଧିର ହୋଇ ପଡ଼ିଲେ । ପ୍ରବଳ ବର୍ଷା ହେଉଥାଏ । ବାଟଘାଟ ବାରି ହେଉ ନଥାଏ-। ଗର୍କୀ ଯାଇ ଓଲଗା ପାଖରେ ପହଞ୍ଚିଗଲେ ।

 

ଓଲଗା ତାଙ୍କୁ ଦେଖି ବିସ୍ମିତ ହେଲା । ଆତ୍ମହରା ହୋଇ ପାଛୋଟି ନେଲା ।

 

ଗର୍କୀଙ୍କ ବୟସ ତେଇଶ । ଓଲଗାର ବୟସ ତେତ୍ରିଶ ।

 

ବର୍ଷିୟସୀ ଓଲଗାର ରୂପଲାବଣ୍ୟ ଠିକ୍ ସେମିତି ରହିଯାଇଛି । ଥରିଲା ଥରିଲା ରକ୍ତିମ ଚିବୁକରେ ସ୍ମିତହାସ୍ୟ ଲାଖି ରହିଛି ।

 

ଗର୍କୀ ପ୍ରାଣେ ପ୍ରାଣେ ଉପଭୋଗ କଲେ ତା’ର ରୂପଲାବଣ୍ୟ ।

 

“ମୋତେ ଏତେ କ’ଣ ଦେଖୁଛ, ଗର୍କୀ ।”

 

ଥରିଲା ଗଳାରେ ଗର୍କୀ କହିଲେ,

 

“ମୋତେ ଏବେବି ଭଲ ପାଉନା, ଓଲଗା ?”

 

“କାହିଁକି ନୁହେଁ ?” ଓଲଗା କହିଲା ।

 

“ତମର ବହୁତ ପରିବର୍ତ୍ତନ ଘଟିଛି, ଗର୍କୀ ? ଏଠି ତମର ଖ୍ୟାତି ବଢ଼ିଛି ଶୁଣିଲି । ତମେ ଏଠି ବହୁତ କଷ୍ଟ ପାଇଛ, ନୁହେଁ ?”

 

“ତମେ ଆସି ଗଲଣି । ମୋର ଦୁଃଖ କ’ଣ ? କଷ୍ଟ କ’ଣ ? ସତ କୁହ, ତୁମେ ମୋର ହୋଇ ରହିବ ?”

 

ଆଗ୍ରହ ସହିତ ଉତ୍ତର ଅପେକ୍ଷାରେ ରହିଲେ ଗର୍କୀ ।

 

ଓଲଗା ଅନନ୍ୟମନା ହୋଇ କ’ଣ ଯେମିତି ଭାବୁଥିଲା । ନୀରବତା ଭଙ୍ଗ କରି ସେ କହିଲା, “ମୋତେ ଆଉ କିଛି ସମୟ ଦିଅ ।’’ ‘‘ଅପେକ୍ଷା କରି କରି ଅନେକ ପ୍ରାଣ–ପୀଡ଼ା ପାଇଲିଣି, ଓଲଗା । ତମେ କହୁଛ, ଅପେକ୍ଷା ନ କରି ଆଉ କ’ଣ କରିବି ?”

 

“ତମେ ନିଜନୀକୁ ଫେରିଯାଅ । ତମକୁ ଚିଠି ଲେଖି ଜଣାଇଛି ।”

 

ସୌଭାଗ୍ୟର କଥା ଗର୍କୀ ଲେଲିନ୍‍ଙ୍କଠାରୁ ଏକ ଟେଲିଗ୍ରାମ୍ ପାଇଲେ । ନିଜନୀକୁ ଫେରିଯାଇ ସେଠାରେ ଲେଲିନ୍‍ଙ୍କର ପ୍ରାଇଭେଟ୍ ସେକ୍ରେଟାରିରୂପେ କାମ କରିବାକୁ ହେବ ।

 

ନିଜନୀକୁ ଫେରିଯାଇ କାମରେ ଯୋଗ ଦେଲେ । କିଛିଦିନପରେ ଓଲଗାଠାରୁ ଚିଠି ପାଇଲେ ।

 

ଶୀତ ଋତୁର ପ୍ରାରମ୍ଭରୁ ଓଲଗା ଗର୍କୀଙ୍କ ପାଖକୁ ଚାଲି ଆସିଲେ । ଗର୍କୀଙ୍କର ଏତେ ଦିଇର ସ୍ଵପ୍ନ ସଫଳ ହେଲା ।

 

କିଛିଦିନ ପରେ ଗର୍କୀ ଅନୁଭବ କଲେ ଓଲଗା ଓ ତାଙ୍କର ଜୀବନଦର୍ଶନ ଭିନ୍ନ ।

 

ଓଲଗା ଶିକ୍ଷିତା ! ସୁନ୍ଦରୀ ! ସ୍ମାରସିକା ! ତା’ର ଗୁଣ ଅନେକ । ଦୁର୍ଗୁଣ ମଧ୍ୟ କମ୍ ନୁହେଁ-

 

ସ୍ଵାର୍ଥପର । ସୁଖ ସମ୍ଭୋଗ ଆତ୍ମକୈନ୍ଦ୍ରିକ । କିନ୍ତୁ ଗର୍କୀ ! ପର ଦୁଃଖରେ ସମଦୁଃଖୀ ! ପାଞ୍ଚଜଣଙ୍କର ଦୁଃଖରେ ସମଭାଗୀ ହେବାର ବିଳାସକୁ ଓଲଗା ପସନ୍ଦ କଲା ନାହିଁ ।

 

ଗର୍କୀଙ୍କର କାମର ଚାପ ବଢ଼ିଛି । “ଭଲ୍‍ଗା ବାର୍ତ୍ତାବହ” ପତ୍ରିକାରେ ନିୟମିତ ଲେଖିବାକୁ ହେଉଛି । ଆୟମଧ୍ୟ ମନ୍ଦ ନୁହେଁ । ଭଲଭାବେ ଚଳିଯାଉଛି ସଂସାର ।

 

କିନ୍ତୁ ଓଲଗା ! ତା’ର ଅତୀତ ବିଚିତ୍ର । ସ୍ଵାର୍ଥକେନ୍ଦ୍ରୀଙ୍କ ବିଳାସରେ ସେ ନିଜକୁ ମଜାଇ ମଜାଇ ଆସିଛି । ଫରାସୀ ଲଳନା ଓଲଗା ଉପରେ ସତୀତ୍ଵର ବାଖ୍ୟା ଅନ୍ୟରୂପେ କରି ଆସିଛି । ଉପଭୋଗ କଲେ ମଣିଷ ଅମଣିଷ ହୋଇଯିବ; ୟେ କେମିତି କଥା ! ସତୀତ୍ଵ ମାନେ କ’ଣ ? ଦେହର କ୍ଷୁଧା ମେଣ୍ଟାଇଲେ, ମଣିଷ କ’ଣ ଅସତୀ ହୋଇଯାଏ ?

 

ନିଜ ମତକୁ ଦୃଢ଼ ଭାବରେ ଗର୍କୀଙ୍କୁ ଜଣାଏ । ଅତୀତ ଜୀବନର କାହାଣୀ ଓଲଗାର ଶୁଣି ଗର୍କୀ ଅତିଷ୍ଠ ହୋଇ ପଡ଼ନ୍ତି ।

 

“ପ୍ରେମର ଆଦର୍ଶ କ’ଣ ତମେ ବୁଝିବାକୁ ଚେଷ୍ଟାକର ଓଲଗା !”

 

ଓଲଗା ପାଖରେ ଏ ସବୁ ବାଜେ ଆଦର୍ଶ ଅର୍ଥହୀନ । ଗର୍କୀଙ୍କ ପ୍ରାଣ ଅଭିମାନରେ ଭରି ଉଠେ ।

 

ବେଳେବେଳେ ସ୍ଵାମୀଙ୍କର ଅଭିମାନ କଥା ବୁଝି, ସ୍ଵାମୀଙ୍କ ନିକଟରୁ ନିକଟ ନିବିଡ଼ ହୋଇ ଆସି ଓଲଗା କହେ, “ସମବୟସୀ କୌଣସି ସୁନ୍ଦରୀଙ୍କୁ ତମର ବିବାହ କରିବା ଉଚିତ ଥିଲା-। ମୁଁ କିଶୋରୀ ନୁହେଁ, ମୁଁ ତମକୁ ପାଇ କେଡ଼େ ଭାଗ୍ୟବାନ୍ ଦେଖତ...ହେଲେ ତମେ.....”

 

ଗର୍କୀଙ୍କ ଅଭିମାନ ତୁଟିଯାଏ । ସମସ୍ତ ଶକ୍ତି ଦେଇ ଓ ଲଗାକୁ ନିଜ ଛାତିରେ ଜଡ଼ାଇ ନିଅନ୍ତି ।

 

“ତମେ କେଡ଼େ ସୁନ୍ଦର–ତମେ ମୋର କିଶୋରୀ–ଆଃ...”

ଗର୍କୀ ବନ୍ଧୁ ପ୍ରିୟ । ଅନେକ ଅତିଥି ଆସନ୍ତି । ଅତିଥି ଚର୍ଚ୍ଚାରେ ସମସ୍ତ ଅର୍ଜିତ ଧନ ବ୍ୟୟିତ ହୋଇଯାଏ ।

ନିଜର ସଞ୍ଚିତ ଧନ କିଛି ନାହିଁ । ସେଥିପାଇଁ ଗର୍କୀଙ୍କର ଶୋଚନା ନାହିଁ । ସବୁବେଳେ ସେ ଅବୃଷ୍ଟବାଦୀ ।

ଅତିଥି ଚର୍ଚ୍ଚା ସଙ୍ଗେ ସଙ୍ଗେ ଓଲଗା ଅତିଥିମାନଙ୍କ ରଙ୍ଗରସରେ ମଜ୍ଜିଯାଏ । ତା’ର ଭାବଭଙ୍ଗୀରେ ଅତିଥିମାନେ ଲାଳାୟିତ ହୋଇ ଉଠନ୍ତି । ଗୋପନ ପ୍ରେମପତ୍ର ଦିଅନ୍ତି । ପୁରୁଷମନକୁ ନଚାଇବାରେ ଓଲଗା ଅବାରିତ ଆନନ୍ଦ ପାଏ । ଗର୍କୀଙ୍କୁ ପ୍ରେମ ଚିଠି ଦେଖାଇ କହେ, “ତମର ହିଂସା ହେଉଛି କି ?”

ଓଲଗାକୁ ଅନେକ ପୁରୁଷ ଘେରି ଯାଆନ୍ତି । ବେଳେବେଳେ ଗର୍କୀ ଓଲଗା ପାଇପାରନ୍ତି ନାହିଁ ।

ଚାରିଆଡ଼େ ଗର୍କୀଙ୍କର ପାରିବାରିକ ଜୀବନ ବିଷୟରେ ଲୋକେ ନାନା ରକମ ସମାଲୋଚନା କଲେ । ଶୁଭାକାଂକ୍ଷୀମାନେ ଗର୍କୀଙ୍କୁ ଓଲଗା ବିଷୟରେ ସତର୍କ କରାଇଦେଲେ । ହେଲେ ଗର୍କୀଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା । ପାରିବାରିକ ଜୀବନ ବିଷମୟ ହୋଇଉଠିଲା ।

ଗର୍କୀଙ୍କର ରାଗିବା ସ୍ଵଭାବ ବିରୁଦ୍ଧ । ତେଣୁ ରାଗି ଓଲଗାକୁ କିଛି କହି ପାରନ୍ତି ନାହିଁ । ବେଳେବେଳେ ସଂଯତ ହୋଇ ପାରିବାରିକ ସୁଖଶାନ୍ତି ଫେରାଇ ଆଣିବାପାଇଁ ଓଲଗାକୁ ଅନୁରୋଧ କରନ୍ତି ସେ ।

 

ଓଲଗା ସଂଯତ ହେବାପାଇଁ ସନମତି ଜଣାଏ । ହେଲେ, ତା’ର ବିଶୃଙ୍ଖଳିତ ଜୀବନରେ ଶୃଙ୍ଖଳା ଫେରିଆସେନା ।

 

ବାସ୍ତବରେ ଗର୍କୀଙ୍କର ସ୍ଵପ୍ନ ସଫଳ ହୋଇନି ବୋଲି ସେ ପ୍ରାଣେ ପ୍ରାଣେ ଅନୁଭବ କଲେ । ଦୁଇଟି ବରଷ କଟିଯାଇଛି । ଓଲଗାକୁ ପାଇ ଶାନ୍ତି ପରିବାରରେ ଲେଖାଲେଖି କରି ଜଣେ ବିଖ୍ୟାତ ଲେଖକ ହେବାର ସମ୍ଭାବନା କ’ଣ ଲୋପ ପାଇଯିବ ? ଆଉ ତ କାହିଁ ବେଶି କିଛି ଲେଖିପାରୁ ନାହାନ୍ତି ଗର୍କୀ ।

 

ତାଙ୍କର ଆଦର୍ଶ, ଲେଖକ ହେବାର ଅଦମ୍ୟ ଅଭିଳାଷ ଓଲଗା ନେଇ ହୋଇ ପାରିବ ନାହିଁ ।

 

ନା, ଆଉ ଓଲଗାକୁ ନେଇ ଘରସଂସାର କରି ହେବ ନାହିଁ । ଦୁହିଁଙ୍କ ସ୍ଵାର୍ଥ ଦୃଷ୍ଟିରୁ ଦୁହେଁ ଅଲଗା ହୋଇଯିବା ଉଚିତ ।

 

ତାଙ୍କର ଗୋଟିଏ ବିଶିଷ୍ଟ ଗଳ୍ପ “ଚେଲକାଶ” “ରୁଷ ସମ୍ପଦ”ରେ ବାହାରି ଥାଏ ।

 

ତାଙ୍କର ସାହିତ୍ୟିକ କୃତିର ଏହା ଏକ ଅଭିନବ ସଫଳ କାହାଣୀ । ଏଇ ଗଳ୍ପ ପରେ, ଏହି ଧରଣ କେତୋଟି ଗଳ୍ପପାଇଁ, ସେ ପତ୍ରିକାରେ ଅନ୍ୟତମ ସଂପାଦକ କାରୋଲେଙ୍କ ତାଙ୍କୁ ଅନୁରୋଧ ଜଣାଇଲେ ।

 

ତାଙ୍କର ପାରିବାରିକ ଅଶାନ୍ତି ଯୋଗୁଁ ଆଉ ସେ ଗଳ୍ପ ଲେଖିପାରିବେ ନାହିଁ ବୋଲି ସଂପାଦକଙ୍କୁ ଜଣାଇଲେ ।

 

କାରୋଲେଙ୍କ ଏ ସବୁ ଶୁଣି ବ୍ୟଥିତ ହୋଇ ପଡ଼ିଲେ । କହିଲେ, ନା, ନା, ତମେ ଏଠାରୁ ଚାଲିଯାଅ । ଜୀବନର ଧାରା ତମକୁ ବଦଳାଇ ଆହୁରି ଆହୁରି ତମକୁ ଲେଖିବାକୁ ପଡ଼ିବ । ପାଠକ ତମଠୁ ଅନେକ ଚାହାନ୍ତି “ପ୍ରିୟାସ୍ଵଭା”

 

କାରୋଲେଙ୍କ କଥା ତାଙ୍କୁ ଅସ୍ଥିର କରିପକାଇଲା । ସେ ଉଦ୍ୟମ କରିବେ । ଚେଷ୍ଟା କରିବେ । ଲେଖାଲେଖି କରିବାପାଇଁ ଶାନ୍ତିମୟ ବାତାବରଣ ତାଙ୍କର କାମ୍ୟ ହୋଇଉଠିଲା । ତେଣୁ ଓଲଗା ତାଙ୍କ ବନ୍ଧୁ ମେଳରୁ ଉଦ୍ଧାର କରି ନିଜ ଘରକୁ ନେଇ ଆସିଲେ । ଓଲଗା ଚାରିତ୍ରିକ ପରିବର୍ତ୍ତନ ପାଇଁ କାକୁତିମିଶା ଗଳାରେ କହିଲେ “ତମେ ଲକ୍ଷ୍ୟ କରୁଛ ଓଲଗା ! ଆମ ଜୀବନ ଲକ୍ଷ୍ୟରୁ ଆମେ କେମିତି ଦୂରେଇ ଯାଇଛେ ।

 

ଓଲଗା କିଛି ଉତ୍ତର ଦେଲା ନାହିଁ । ଗର୍କୀ ଶୁଣି ଆରମ୍ଭ କଲେ “ଯେଉଁ ଆଶା ନେଇ ଆମେ ନୀଡ଼ ବାନ୍ଧିଥିଲେ, ତା’ ସଫଳ ହୋଇନାହିଁ । ଆମ ପରିବେଶ କ୍ଳାନ୍ତିକର ହୋଇ ପଡ଼ିଛି । ଭବିଷ୍ୟତରେ କୌଣସି ଆଶାନାହିଁ । ତେଣୁ ଚାଲ ଆମେ ଅଲଗା ହୋଇ ଯେ ଯାହା ବାଟରେ ଚାଲିଯିବା... ।

 

ଓଲଗା ବେଶ୍ ବୁଝିପାରୁଥିଲା, ଗର୍କୀଙ୍କୁ ନେଇ ସେ ମଧ୍ୟ ଆଗେଇ ପାରିବ ନାହିଁ । ଆଶ୍ଵସ୍ତି ସ୍ଵରରେ ସେ କହିଲା “ତମ ସହିତ ମୁଁ ଏକମତ ଗର୍କୀ ।

 

“ତମକୁ ପାଇ ମୁଁ ସୁଖୀ ନୁହେଁ–ତମେ କେମିତି ମୋତେ ପାଇ ସୁଖୀ ହୋଇ ପାରିବ ?” ଓଲଗା କହିଲା ।

 

ଦୁଇ ଜଣଙ୍କର ସ୍ଵୀକୃତିରେ ମ୍ଳାନ ହସହସି ଓଲଗା ତା’ ବାଟରେ ଚାଲିଗଲା ।

 

ଆଉ ଗର୍କୀ ! ଫେବୃୟାରୀର ପ୍ରଚଣ୍ଡ ଶୀତ ପଡ଼ୁଥାଏ, ସେ ସାମରା ଯାତ୍ରା କଲେ । ସେଠାରେ କରଲେଙ୍କ ତାଙ୍କ ରହଣୀର ସମସ୍ତ ସୁବିଧା କରି ଦେଇଥିଲେ ।

 

ଓଲଟା ଥିଏଟର୍ସରେ ଯୋଗ ଦେଲା ।

 

ଗର୍କୀ “ସାମରା ଗେଜେଟ୍”ରେ ଚାକିରି କଲେ । ଓଲଗାଠାରୁ ମୁକ୍ତିପାଇ ସେ ଆଶ୍ୱସ୍ତି ଲାଭ କରିଥିଲେ ।

 

ନୂଆ ପରିବେଶ ଲେଖାଲେଖି କରିବାପାଇଁ ତାଙ୍କୁ ବେଶ୍ ଉତ୍ସାହିତ କଲା, ଅନେକ ଗଳ୍ପ ପତ୍ରପତ୍ରିକାରେ ପ୍ରକାଶ ପାଇଲା । ଗଳ୍ପକାର ଭାବରେ ସେ ବେଶ୍ ପ୍ରଶଂସିତ ହେଲେ । ପାଠକମାନଙ୍କର ସେ ଖୁବ୍ ପ୍ରିୟ ହୋଇଉଠିଲେ । ସାମାଜିକ ମର୍ଯ୍ୟାଦା ବଢ଼ିଲା । ତାଙ୍କ ରଚନାବଳୀର ସମୀକ୍ଷା କରିବାପାଇଁ ଆଲୋଚନା ଚକ୍ର ସବୁ ସଂଗଠିତ ହେଲା ।

 

ଏହି ସଫଳତାରେ ସେ ଅମପା ଆନନ୍ଦ ପାଇଲେ ।

 

ସେହି ସହରର ଇହୁଦୀ ଜର୍ଜିୟାଙ୍କଭ ଟାଇଟେଲରଙ୍କ ଘରେ ଦାର୍ଶନିକ, ଲେଖକ, ଭାବୁକଙ୍କର ବୈଠକ ବସେ । ଗର୍କୀ ସେ ବୈଠକରେ ନିୟମିତ ଯୋଗ ଦିଅନ୍ତି । ବୁଦ୍ଧିଜୀବୀଙ୍କର ଆଲୋଚନାରେ ଭାଗ ନେଇ ଆନନ୍ଦ ପାଆନ୍ତି ।

 

ସାମରାକୁ ଆସି ଗର୍କୀ ଯେମିତି ବଞ୍ଚି ଯାଇଛନ୍ତି ।

 

ଦିନେ ନାଟକୀୟ ଭଙ୍ଗୀରେ ସାକ୍ଷାତ ହେଲା ପରମା ସୁନ୍ଦରୀ କାଟେରିନା ପାଭଲୋଭନା ଭାଲଜିନା ସହିତ ।

 

ସୁନ୍ଦରୀ ଭାଲଜିନା ଭଦ୍ରବଂଶୀୟା । ଶିକ୍ଷିତା । ତାଙ୍କ ସହିତ ଆଳପନା ପରେ ପରସ୍ପର ପରସ୍ପର ପ୍ରତି ଅନୁରକ୍ତି ଜଣାଇଲେ ।

 

ଓଲଗା ସହିତ ପ୍ରଥମ ଦେଖାରେ ଯେପରି ମାଦକତାରେ ତାଙ୍କ ପ୍ରାଣ ଅସ୍ଥିର ହୋଇଥିଲା–ସେହି ପାଗଳାମି ପୁଣି ତାଙ୍କୁ ଘାରିଦେଲା ।

 

ସବୁ ଭୂମିକା ବାଦ ଦେଇ ଗର୍କୀ କାଟେରିନାଙ୍କୁ ବିବାହ ପ୍ରସ୍ତାବ ଦେଲେ ।

 

“ଦେଖିବାମାତ୍ରେ, ନିଜର ଯାହା କିଛି ଥିଲା ସମର୍ପି ଦେଇଛି । ତେଣୁ ବିବାହ କରିବାରେ ବାଧା କେଉଁଠି ।’’ କାଟେରିନା ତା’ ମନକଥା ଜଣାଇଦେଲା ।

 

୧୮୯୬ ମସିହାରେ ଆନୁଷ୍ଠାନିକ ଭାବରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଗଲା ।

 

ଉଦ୍ଦାମ ପ୍ରେମରେ ଦୁଇଜଣ ମଜି ରହିଲେ । ଉତ୍ସାହିତ ହୋଇ ଗର୍କୀ ପ୍ରଚୁର ଲେଖାଲେଖି କଲେ । ରୁଷ ସାହିତ୍ୟର ପ୍ରତିଷ୍ଠା ଲାଭ କରି ବସିଲେ ।

 

କିନ୍ତୁ ତାଙ୍କର ଅଭିଶପ୍ତମୟ ଜୀବନ !!! ପାରିବାରିକ ଜୀବନରେ ଶାନ୍ତି ପାଇବା ତାଙ୍କ ଜୀବନରେ ନଥିଲା ।

 

ଭାଲଜିନା ମଧ୍ୟ ଓଲଗାର ପଥ ଅନୁସରଣ କରି ଜୀବନରେ ସମ୍ଭୋଗପାଇଁ ଧାଇଁ ବୁଲିଲା ।

 

ଗର୍କୀ ଆଉ ସହିପାରିଲେ ନାହିଁ । ସଦାସର୍ବଦା ଅଶାନ୍ତି ନିଆଁରେ ଜଳିବାକୁ ଲାଗିଲେ ।

 

ଓଲଗାକୁ ଭଲ ପାଇଥିଲେ । ଭାଲଜିନାକୁ ଭଲ ପାଇଥିଲେ । ସମସ୍ତେ ସମସ୍ତେ ତାଙ୍କୁ ପ୍ରତାରିତ କରି, ଅମୃତ ପରିବର୍ତ୍ତେ ବିଷ ଢାଳି ଦେଇ ତାଙ୍କ ଜୀବନକୁ ବିଷମୟ କରି ପକାଇଛନ୍ତି । ନା–ନା....

 

ଗର୍କୀ ସାମରାରୁ ବିଦାୟ ନେଇ ଚାଲିଗଲେ । ଭାଲଜିନା ସେଠି ରହିଗଲା ।

 

ପରବର୍ତ୍ତୀ ଜୀବନରେ ଗର୍କୀ ଆଉ ବିବାହ କଲେ ନାହିଁ ।

 

ହେଲେ, ମସ୍କୋରେ ଅଭିନେତ୍ରୀ ମେରିୟା ଆନ୍ଦ୍ରେ ୟେ ଭେନାଙ୍କ ସହିତ ପରିଚୟ ହେଲା ।

 

ଆନୁଷ୍ଠାନିକ ଭାବରେ ସେମାନଙ୍କର ବିବାହ ହୋଇ ନାହିଁ । ପରସ୍ପର ପ୍ରତି ଆକୃଷ୍ଟ ହୋଇ ସେମାନେ ସ୍ତ୍ରୀ ପୁରୁଷ ଭାବରେ ଜୀବନର ଶେଷ ପର୍ଯ୍ୟନ୍ତ ରହିଗଲେ ।

 

ସ୍ତ୍ରୀ ମର୍ଯ୍ୟାଦା ଗର୍କୀ ଦେଇଥିଲେ । ହେଲେ, ସାମାଜିକ ସ୍ଵୀକୃତି ପାଇ ନଥିଲା ମେରିୟା-

☆☆☆

 

ହିଟ୍‍ଲର୍‍ର ପ୍ରଣୟ ଲୀଳା

 

ଏହି ଶତାବ୍ଦୀର ବୀରତ୍ଵର କାହାଣୀ କହିଲେ ସମସ୍ତ ଆଖି ଖଣ୍ଡ ବିଖଣ୍ଡିତ ଜର୍‍ମାନ୍‍ ମାନଚିତ୍ର ଆଡ଼କୁ ଆପେଆପେ ଆସିଯାଏ ।

 

ସେ ବୀରତ୍ଵ କାହାଣୀରେ ପୃଥିବୀ ଅଣନିଃଶ୍ଵାସ ମାରିଥିଲେ । ଘୃଣାରେ ମାନବ ସମାଜ ଭୟ, ଶଙ୍କିତ ହୋଇ ଯୁଗପତ୍ ଉଚ୍ଚାରିତ କରୁଥିଲା, ଭଗବାନ ! ହିଟ୍‍ଲର୍‍ଠାରୁ ଜଗତକୁ ବଞ୍ଚାଅ, ମାନବ ସମାଜକୁ ଉଦ୍ଧାର କର ।

 

ବିଶ୍ଵ–ଘୃଣିତ–ପୁରୁଷ–ଆଡ଼ଲାଫ ହିଟ୍‍ଲର୍ ବିଶ୍ୱକୁ ଧ୍ଵଂସ ବିଧ୍ଵଂସ କରିବ ବୋଲି ହୁଙ୍କାର ଦେଇ ଶେଷରେ ପରାଜିତ ହୋଇ ୧୯୪୫ ମସିହାରେ ଯେତେବେଳେ ମର୍ମନ୍ତୁଦ ମୃତ୍ୟୁ ବରଣ କଲା । କୋଟି କୋଟି ମଣିଷ ସ୍ଵସ୍ତିରେ ନିଃଶ୍ଵାସ ମାରି ଭଗବାନଙ୍କ ସତ୍ତା ପୁଣି ଅନୁଭବ କଲେ ।

 

ଭଗବାନ କୁହନ୍ତୁ, ତାଙ୍କ ସୃଷ୍ଟିରେ ଏମିତି ବୀରପୁଙ୍ଗବ କ’ଣ ଜନ୍ମଗ୍ରହଣ କରିଛନ୍ତି କି ? ଜର୍ମାନ ଜାତିକୁ ମୃତ୍ୟୁମୁଖରୁ ଉଦ୍ଧାର କରି ଉଜ୍ଜ୍ୱଳ ସ୍ୱାକ୍ଷରରେ ଜର୍ମାନୀ ଜାତିର ଇତିହାସ ଲେଖିବାକୁ ଯେପରି ସେ ପ୍ରୟାସୀ ହୋଇ ଉଠିଥିଲେ, ତା’ର ପଟାନ୍ତର କ’ଣ ବିଶ୍ଵ ଇତିହାସରେ ଅଛି ?

 

କାହିଁକି ? କାହିଁକି ସେ ବାଘ, ସିଂହଙ୍କ ପରି ହିଂସ୍ର ହୋଇ ମଣିଷ ରକ୍ତ ପିପାସୁ ହୋଇ ଉଠିଲେ ?

 

ପ୍ରଥମ ମହାଯୁଦ୍ଧ ପରେ ସାମ୍ରାଜ୍ୟ ଲୋଭୀ, ପୁଞ୍ଜିପତି ବିଜୟୀ ଦେଶ ଜର୍ମାନ୍ ଜାତିକୁ କ’ଣ ରଖିଥିଲେ ? ବିଜେତା ଅହଂକାରରେ ଜର୍ମାନୀ ଜାତିକୁ ଯେପରି ଭାବରେ ପରାଭୂତ କରାଯାଇଥିଲା, ତା’ର ପ୍ରତିହିଂସା ନେବାର ପ୍ରୟାସ କରିଥିଲା, ପ୍ରଥମ ମହାଯୁଦ୍ଧର ଜଣେ ସାମାନ୍ୟ ସୈନିକ, ସେ ହେଲେ ଆଡ଼୍‍ଲଫ୍‍ ହିଟ୍‍ଲର୍ ।

 

ଛବି ଆଙ୍କିବା ବା ବୁଲାବୁଲି କରିବା ତାଙ୍କ ଜୀବନର ବଡ଼ ହବି ଥିଲା । ଛବି ଆଙ୍କି ଆଙ୍କି, ଧ୍ଵସ୍ତବିଧ୍ଵସ୍ତ ଜର୍ମାନମାନଙ୍କର ଦୁଃଖ ଦୈନ୍ୟ ନିଜ ଅଙ୍ଗେ ଅଙ୍ଗେ ଅନୁଭବ କରି, ଜାତିର ପୁନର୍ଜାଗୃତି ପାଇଁ, ସେ ନାଜି ପାର୍ଟି ସଂଗଠନ ଆରମ୍ଭ କଲେ ।

 

ରାଜତନ୍ତ୍ର ଆଉ କୌଣସି କାମରେ ଆସିବ ନାହିଁ ବୋଲି ତାଙ୍କର ଦୃଢ଼ବିଶ୍ଵାସ ହେଲା । ଡିକ୍ଟୋର ସିପ୍, ଜର୍ମାନ ଜାତିକୁ କେବଳ ବଞ୍ଚାଇ ପାରିବ ।

 

ନୂଆ ସ୍ଵପ୍ନରେ ସେ ବିଭୋର । ନିଜର ନିଷ୍ଠା ଓ ନିଜର କଳ୍ପନାରେ ସେ ଜର୍ମାନ ଜାତିକୁ ନିଜ ଆଡ଼କୁ ଟାଣି ଆଣିଲେ । ହତ୍ୟା ବିଭୀଷିକା ନେଇ ପୁଞ୍ଜିପତି ଇହୁଦୀମାନଙ୍କୁ ଶେଷକରି, ନୂଆ ଜର୍ମାନ ଜାତି ଠିଆ କରାଇ, ପୃଥିବୀରେ ଜର୍ମାନ ଏକକ ଜାତି ବୋଲି ହୁଙ୍କାର ଦେଲେ ।

 

ବିଜୟଲକ୍ଷ୍ମୀ ବରଦା ହେଲେ । ଗୋଟାକ ପରେ ଗୋଟାଏ ଇହୁଦୀ ଶକ୍ତିର ବିଲୋପ ଘଟିଲା । କିନ୍ତୁ ହାୟ ପୃଥିବୀ ସାମ୍ରାଜ୍ୟ ପ୍ରତିଷ୍ଠା ପ୍ରୟାସୀ ହିଟ୍‍ଲରୀ ଅଭିଯାନର ୧୯୪୪ ମସିହା, ଜୁଲାଇ ୨୦ ତାରିଖ ଏକ ବିଡ଼ମ୍ବିତ ଦିବସ ।

 

ଫୁୟେରାରଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ଧରା ପଡ଼ିଗଲା । ତାଙ୍କରି କେତେକ ବିଶ୍ଵାସୀ ଅନୁଚର ଟାଇମ୍ ବୋମା ହାତରୁ ରକ୍ଷା ପାଇଗଲେ । ଜର୍ମାନ ଲୋକ ଏହି ଷଡ଼ଯନ୍ତ୍ର କରିଛନ୍ତି । ଆଉ ରକ୍ଷା ନାହିଁ । ଜର୍ମାନର ପତ୍ତନ ଅନିବାର୍ଯ୍ୟ ।

 

ଭଗ୍ନହୃଦୟ ଦେଇ ଦେଶବାସୀଙ୍କୁ ନିଜର କର୍ମଫଳ ଭୋଗିବାପାଇଁ ସେ ଆତ୍ମଗୋପନ କରିବାପାଇଁ ଚାଲିଗଲେ । ପ୍ରଚାର ହେଲା, ହିଟ୍‍ଲର୍ ମରିଗଲେ ।

 

କ୍ଷତବିକ୍ଷତ, ଦୁଃଶ୍ଚିନ୍ତାଗ୍ରସ୍ତ ହିଟ୍‍ଲର୍ ନିର୍ଜନରେ ଶେଷ ଦିନଗୁଡ଼ିକ କଟାଇଲେ । ଶେଷ ପର୍ଯ୍ୟନ୍ତ ବିଶ୍ଵସ୍ତ ରହିଥିଲା ଏଭା ବ୍ରାଉନ୍ ।

 

ପାଗଳାମୀରେ ଏଭାକୁ କୋଳାଗ୍ରତ କରୁ କରୁ ହିଟ୍‍ଲର୍ କୁହନ୍ତି, ମୋ ଜୀବନରେ ସବୁ ଅସତ୍ୟ, ତମେହିଁ ଧ୍ରୁବ ସତ୍ୟ ହୋଇ ରହିଲ ଏଭା !

 

ହିଟ୍‍ଲର୍‍ଙ୍କ ପରି ଦୁର୍ଦ୍ଧର୍ଷ ସେନାପତିଙ୍କର ପ୍ରଣୟନୀ ଏଭା !

 

ସୁନ୍ଦରୀ, ଗମ୍ଭୀର, ସଂଯତ ମନା ଏଭା !

 

ଏଭାର ସୌନ୍ଦର୍ଯ୍ୟରେ ହିଟ୍‍ଲର୍ ଯେ ଆତ୍ମହରା ହୋଇଥିଲେ ତାହା ନୁହେଁ ।

 

ଏଭା ସହିତ ତାଙ୍କର ଯେତେବେଳେ ଦେଖା ହୁଏ, ସେତେବେଳେ ଏଭାପାଇଁ ଉନ୍ମତ୍ତ ହେବା ଭଳି ମନର ଅବସ୍ଥା ବା ପାରିପାର୍ଶ୍ଵିକ ଅବସ୍ଥା ନଥିଲା ।

 

ହେଲେ ହିଟ୍‍ଲର୍‍ଙ୍କର ପ୍ରେମ ଓ ପ୍ରଣୟ କଥା ବିଚାର କଲାବେଳେ ଏଭା ସର୍ବଶ୍ରେଷ୍ଠ କହିଲେ ଭୁଲ ହେବ ନାହିଁ ।

ଏହି ଶେଷ ପ୍ରେମିକାଙ୍କ ପୂର୍ବରୁ ଏକାଧିକ ପ୍ରଣୟିନୀ ହିଟ୍‍ଲର୍‍ଙ୍କ ଜୀବନକୁ ରସାୟିତ କରିଛନ୍ତି ।

ପ୍ରଥମ କେତେ ଜଣ ପ୍ରଣୟିନୀ ବହୁ ଅର୍ଥବ୍ୟୟ କରି ତାଙ୍କୁ ନାତ୍‍ସୀ ପାର୍ଟି ସଂଗଠନ କରିବା ଆଉ ଜର୍ମାନୀର ସର୍ବମୟ କର୍ତ୍ତାରୂପେ ପ୍ରତିଷ୍ଠା କରିବାର ଦାନକୁ ଅସ୍ଵୀକାର କରି ହେବ ନାହିଁ ।

ପ୍ରଥମ ପୃଥିବୀର ମହାଯୁଦ୍ଧର ପର କଥା । ଶେଷ ରକ୍ତ ବିନ୍ଦୁ ଦେଇ ରାଷ୍ଟ୍ରବିପ୍ଳବ ଘଟାଇ ଜର୍ମାନ ଜାତିକୁ ପୃଥିବୀର ପ୍ରଥମ ଶକ୍ତିମାନ ରାଷ୍ଟ୍ର କରିବାପାଇଁ ହିଟ୍‍ଲରୀ ହୁଙ୍କାର ଶୁଣାଗଲା । ଜର୍ମାନର ସର୍ବମୟ କର୍ତ୍ତା ହୋଇ ଉଠିଲେ ଆଡ଼ଲଫ୍‍ ହିଟ୍‍ଲର୍ ।

ନାତ୍‍ସୀ ବାହିନୀ ପୃଥିବୀ ଜୟ କରିବାପାଇଁ କୃତସଂକଳ୍ପ ।

ଏହି ସମୟରେ ପ୍ୟାରିସ୍‍ର ଏକ ସମ୍ବାଦପତ୍ରରେ ବିଜ୍ଞାପନ ବାହାରିଲା ନାତ୍‍ସୀ ନେତା ହିଟ୍‍ଲର୍‍ଙ୍କର ଏକ ପ୍ରଣୟ କାହାଣୀ ଆଗାମୀ କାଲି ପ୍ରକାଶ ପାଇବ ।

ଏହି ଖବରରେ ଜର୍ମାନ ଦୂତାବାସରେ ଆଲୋଡ଼ନ ସୃଷ୍ଟି କଲା । ରାଷ୍ଟ୍ରଦୂତ ଫରାସୀ ସରକାରଙ୍କୁ ଏଥିପାଇଁ ପ୍ରତିବାଦ ଜଣାଇଲେ । ସତର୍କ କରାଇ କହିଲେ, କଳ୍ପିତ କାହାଣୀଟି ପ୍ରକାଶ ପାଇଲେ ଜର୍ମାନ ଜାତି ହିଂସ୍ର ହୋଇ ଉଠିବ ।

 

ଫରାସୀ ଗୋଇନ୍ଦା ପୁଲିସ ଉକ୍ତ ପତ୍ରିକା ଅଫିସ୍‍କୁ ଧାଁ ଧପଡ଼ କଲେ । ପ୍ରକାଶିତ ସଂଖ୍ୟାଟି ବାଜ୍ୟାପ୍ତୀ କରାଗଲା ।

 

ଏହି ଘଟଣାରେ ସଂପାଦକ ବ୍ୟଥିତ ହୋଇ ଲେଖିଲେ । ଏଥିରେ ଆମର ଦୋଷ କେଉଁଠି ? ଆମେ ଯାହା କରୁଥିଲୁ, ସେଥିରେ ହିଟ୍‍ଲର୍‍ଙ୍କୁ ବିଶ୍ଵ ଦରବାରରେ ପରିଚିତ କରିବାପାଇଁ ପ୍ରଚେଷ୍ଟା କରାଯାଉଥିଲା ମାତ୍ର । ତାଙ୍କ ହୃଦୟରେ ପ୍ରେମ ଭରପୂର–ହେଲେ–ସେ ପ୍ରେମ ବାସନା ପରିତୃପ୍ତ ନହେବାରୁ ସେ ନିଜକୁ ଏକାକୀ ମନେ କରୁଛନ୍ତି । ଏହାର ପରିଣାମ କ’ଣ ଯେ ହେବ X X X

 

କାହାଣୀଟି ଇଂଲଣ୍ଡରେ ଯାଇ ପ୍ରକାଶ ପାଇଲା ।

 

ଏହି କାହାଣୀରୁ ଜଣାପଡ଼େ ହିଟ୍‍ଲର୍‍ଙ୍କର ପ୍ରଥମ ପ୍ରେମିକା ହେଲେ ଏକ ଇହୁଦୀ ତରୁଣୀ ।

 

ହିଟ୍‍ଲର୍ ଭିଏନାରେ ଜଣେ ସାଧାରଣ ନାଗରିକରୂପେ ଅବସ୍ଥାନ କରୁଥିଲେ । ସାଧାରଣରେ ପରିଚିତ ହେବାର ଯଥେଷ୍ଟ ଯୋଗ୍ୟତା ସେ ଅର୍ଜନ କରି ନଥିଲେ ।

 

ଦୈବାତ୍ ଏହି ତରୁଣୀଙ୍କ ସହିତ ପରିଚୟ ହେଲା । ତାଙ୍କ ତରୁଣ ମନରେ ଇହୁଦୀ ତରୁଣୀ ସ୍ଵପ୍ନାଭ କରି ପକାଇଲେ ।

 

ତରୁଣ ହିଟ୍‍ଲର୍ ଯେପରି ଏମିତି ଗୋଟିଏ ତରୁଣୀର ଅପେକ୍ଷାରେ ଥିଲେ । ତରୁଣୀଟି ମଧ୍ୟ ହିଟ୍‍ଲର୍‍ଙ୍କୁ ପାଇବାପାଇଁ ବ୍ୟଗ୍ର ହୋଇ ପଡ଼ିଲେ ।

 

ପ୍ରଣୟ ନିବିଡ଼ରୁ ନିବିଡ଼ତର ହୋଇ ଉଠିଲା । ଦୁହେଁ ବିବାହ କରିବାପାଇଁ ସ୍ଥିର କରି ବସିଲେ । କିନ୍ତୁ ତରୁଣୀଙ୍କର ବାବା ଏ ବିବାହପାଇଁ ସ୍ଵୀକୃତି ଦେଲେ ନାହିଁ । ଧନୀ, ମାନୀ ଇହୁଦୀଙ୍କର ଦୁଲାଳୀ ଜଣେ ସର୍ବହରାକୁ ବିବାହ କରି ସୁଖୀ ହୋଇପାରେନା–ନା–ନା–ତାଙ୍କ ଝିଅ ହିଟ୍‍ଲର୍‍ଙ୍କୁ ବିବାହ କରିପାରେନା..... ।

 

ହିଟ୍‍ଲର୍ ଏହି ସମ୍ବାଦରେ ହତାଶ ହୋଇ ପଡ଼ିଲେ । ପ୍ରେମିକାକୁ ନେଇ ପଳାଇ ଯିବେ-? କେଉଁଠିକି ? ଉପାୟ ନାହିଁ ? ଚିତ୍କାର କରି ଉଠିଲେ ଉପାୟ ନାହିଁ ।

 

ପ୍ରଣୟର କଳିକା ମଉଳି ଗଲା । ଆଉ ସେ ପ୍ରେମିକାକୁ ଦେଖା କରିବାକୁ ମଧ୍ୟ ଚାହିଁଲେ ନାହିଁ ।

 

କ୍ଷମତାରେ ଥିଲେ ହୁଏତ ବ୍ୟବସାୟୀ, ଧନୀ, ଗର୍ବୀ ଇହୁଦୀର ନିସ୍ତାର ନଥିଲା !!!

 

ତାଙ୍କ ଜୀବନରେ ଇହୁଦୀ ବିଦ୍ଵେଷର କାରଣଗୁଡ଼ିକ ମଧ୍ୟରେ ଏହି ଘଟଣା ଅନ୍ୟତମ ବୋଲି ନିଃସନ୍ଦେହରେ କୁହାଯାଇପାରେ ।

 

୧୯୨୨ ମସିହା । ମିଉନିଖ ରାଷ୍ଟ୍ରବିପ୍ଳବର ସଂକେତ । ଏହି ସୁଯୋଗ ନେଇ ତାଙ୍କର ରାଜନୈତିକ ସ୍ଫୀତିର ଉନ୍ନତିପାଇଁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରୁଥାନ୍ତି ।

 

ଏହି ସମୟରେ ଅପୂର୍ବ ସୁନ୍ଦରୀ ଜେନି ହଗେର ସହିତ ପରିଚୟ ହେଲା ।

 

ତ୍ରୟବିଂଶ ବୟସୀ ଜେନି ତାଙ୍କ ଡ୍ରାଇଭରର ଭଉଣୀ ।

 

ହିଟ୍‍ଲର୍ ପ୍ରଥମ ଦେଖାରୁ ଜେନିର ପ୍ରେମରେ ପଡ଼ିଗଲେ ।

 

ପ୍ରେମିକର ଚେହେରା, ଭାଷା, ପ୍ରେମିକାକୁ ନିଜର କଲାଭଳି ଅନ୍ୟାନ୍ୟଙ୍କ ପରି ହିଟ୍‍ଲର୍‍ଙ୍କର ନଥିଲା । କିନ୍ତୁ ତାଙ୍କ ବ୍ୟକ୍ତିତ୍ଵର ଆକର୍ଷଣରେ ବହୁ ତରୁଣୀ ପଥହରା ହୋଇ, ପ୍ରେମିକାର ସବୁକିଛି ଦେଇ ତାଙ୍କୁ ପ୍ରେମସୁରା ଆକଣ୍ଠ ପାନ କରିବାକୁ ସୁଯୋଗ ଦେଇଥିଲେ ।

 

ହିଟ୍‍ଲର୍ ଆଉ ଜେନି ! ନବ ଉଦ୍ଦାମରେ ପ୍ରାଣଭରି ପ୍ରେମତୃଷ୍ଣା ମେଣ୍ଟାଇଲେ । ପ୍ରେମିକ ଯୁଗଳ ଦିନ ଦିନ ରାତି ରାତି ଘୂରି ବୁଲିଲେ । ଜର୍ମାନର ଚାରିଆଡ଼େ ଏହି ପ୍ରଣୟ କାହାଣୀ ଆଲୋଚନାର ବିଷୟ ବସ୍ତୁ ହୋଇଉଠିଲା । କିନ୍ତୁ ଏହି ପ୍ରେମ ପ୍ରେମରେହିଁ ରହିଗଲା । ପ୍ରଣୟ ପିପାସୁ ଜେନି ହତାଶ ହେଲେ । ବିବାହ ହୋଇ ପାରିଲା ନାହିଁ ।

 

ଏହି ବିବାହ ସମ୍ପନ୍ନ ନହେବାର ଦୁଇଟି କାରଣ ଥାଇପାରେ ।

 

ସାମାନ୍ୟ ଜଣେ ଡ୍ରାଇଭରର ଭଉଣୀକୁ ବିବାହ କଲେ ସମାଜରେ ତାଙ୍କର ସମ୍ମାନ ବଜାୟ ରହିବ ନାହିଁ । ଦ୍ଵିତୀୟରେ ୧୯୨୯ ମସିହାରେ ସେ ବନ୍ଦୀ ଜେଲକୁ ଚାଲିଯିବାରେ ବିବାହ ହୋଇ ପାରିଲା ନାହିଁ ।

 

ହିଟ୍‍ଲର୍ ଜେଲରୁ ଫେରିଆସି ଜର୍ମାନ ସୁନ୍ଦରୀ ଉଇନ୍ ଗ୍ରୋଡ଼୍ ଓୟାଗନାର ପ୍ରେମରେ ପଡ଼ିଲେ ।

 

ଏହି ତରୁଣୀ ବାସ୍ତବରେ ତାଙ୍କ ରାଜନୈତିକ ଜୀବନରେ ପ୍ରତିଷ୍ଠା ପାଇବାପାଇଁ ସବୁ କିଛି ଆୟୋଜନ କରାଇ ଦେଇଥିଲେ ।

 

ରାଜତନ୍ତ୍ର ପ୍ରତିଷ୍ଠିତ ହେଲେ ଦେଶର ମଙ୍ଗଳ ହେବ । ରାଜତନ୍ତ୍ରର ଦୃଢ଼ଭିତ୍ତି କେବଳ ନାତ୍‍ସୀ ଦଳ ହିଟ୍‍ଲର୍‍ଙ୍କର ସେନାନାୟକତ୍ୱରେ ପକାଇପାରିବେ ।

 

ସେ କଳ୍ପନା କରି ନଥିଲେ, ହିଟ୍‍ଲର୍ ରାଜତନ୍ତ୍ର ବିରୋଧୀ ହୋଇ ଡିକେଟରସିପ୍ ପ୍ରତିଷ୍ଠା କରି ସବୁ କିଛି କ୍ଷମତା ନିଜେ ଅଧିକାର କରି ବସିବେ । ଏପରିକି ହିଟ୍‍ଲର୍‍ଙ୍କର ନାତ୍‍ସୀ ଅନୁଚରମାନେ ହିଟ୍‍ଲର୍‍ଙ୍କର ଅଭିଳାଷ ବୁଝିପାରି ନଥିଲେ ।

 

ମଧ୍ୟମ ବୟସୀ ଫ୍ରାଭ ଭାଉନ୍ ଫ୍ରଏଡ଼ । ଅନିନ୍ଦ୍ୟ ସୁନ୍ଦରୀ । ସୁଗଠିତ ଅଙ୍ଗ ଅବୟବରେ ଯୌବନର ଆଭା ଲାଖି ରହିଛି । ସତେ ଯେମିତି ଷୋଡ଼ଶୀ । ଅଳ୍ପ ବୟସୀ ଚତୁରୀ ସରଗପୁରୀର ଅନନ୍ତ ଯୌବନା ମେନକା କି ଉର୍ବଶୀ ।

 

ତା’ର ପ୍ରେମ–ସୁରାପାନ କରିବାପାଇଁ ଅସ୍ଥିରତା ନଥିଲେ ମଧ୍ୟ ଅଭିନୟ କରି ତା’ର ସାହଚର୍ଯ୍ୟ ମାଗି ବସିଲେ ।

 

ହିଟ୍‍ଲର୍‍ଙ୍କର ଶୋଚନୀୟ ଆର୍ଥିକ ଅବସ୍ଥା । ଦଳର ସାଙ୍ଗଠନିକ ଖର୍ଚ୍ଚପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ।

ହାୟ, ଭଲପାଇବାର ଅଭିନୟ କରି ହିଟ୍‍ଲର୍ ଫ୍ରାଭ୍ ଭାଉନ୍ ଫ୍ରଏଡ଼୍‍ର ଚିତ୍ତ ଜୟ କଲେ-। ସର୍ବସ୍ଵ ନେଇ ନାତ୍‍ସୀ ଦଳକୁ ପ୍ରତିଷ୍ଠା କରିବାପାଇଁ ଅବଶ୍ୟ ସାହସର ସହିତ ଆଗେଇ ଆସିଲେ-

ପାର୍ଟିପାଇଁ ଅର୍ଥ ଆବଶ୍ୟକ । ଅର୍ଥ ସଂଗ୍ରହର ଅନ୍ୟ ଏକ ଉପାୟ ପାଞ୍ଚି, ସେ ହିଟ୍‍ଲର୍‍ଙ୍କୁ ରାଜକୁମାରୀ ମେରି ଏଡ଼ଲରଙ୍କ ସହିତ ପରିଚୟ କରାଇଦେଲେ ।

ପ୍ରେମାତୁରା ମଧ୍ୟମ ବୟସ୍କା ମେରି ! ଥରଥର କରି ତିନି ଥର ଡାଇଭର୍ସ୍ ପ୍ରବୀଣା ପୁରୁଷ ଲୋଭୀ ରମଣୀ ମେରି ଅଜସ୍ର ଅର୍ଥ ବିନିମୟରେ ହିଟ୍‍ଲର୍‍ଙ୍କ ପ୍ରେମ ପାଇଲେ ।

ଉଦ୍ଦାମ ପ୍ରେମଲୀଳା । ସଙ୍ଗେ ସଙ୍ଗେ ମେରି ପ୍ରଚୁର ଅର୍ଥ ବିନିଯୋଗ କରି ନାତ୍‍ସୀ ଦଳ ସଙ୍ଗଠନରେ ମନ ବଳାଇଲେ ।

ହେଲେ, ଏହି ପ୍ରେମ ବେଶିଦିନ ସ୍ଥାୟୀ ହେଲା ନାହିଁ । ପରେ ପରେ ରାଜକୁମାରୀ ସିସିଲା ରାଷ୍ଟ୍ରବିପ୍ଳବ ପରେ ଏକୁଟିଆ ଜୀବନ କଟାଉଥିଲେ ।

ଫ୍ରାଭ୍ ଭାଉନ ଫ୍ରଏଡ଼୍‍ ପରି ତାଙ୍କର ମଧ୍ୟ ଧାରଣା ରାଜତନ୍ତ୍ର ସୁପ୍ରତିଷ୍ଠିତ ହେଲେ, ଜର୍ମାନ ଜାତିର ମଙ୍ଗଳ ହେବ । ହିଟ୍‍ଲର୍‍ଙ୍କ ନାତ୍‍ସୀ ପାର୍ଟି ରାଜତନ୍ତ୍ରକୁ ପ୍ରତିଷ୍ଠିତ କରିବାକୁ କେବଳ ସକ୍ଷମ ।

 

ଭୁଲ କରିବସିଲେ ରାଜକୁମାରୀ । ହିଟ୍‍ଲର୍‍ଙ୍କ ପ୍ରେମରେ ପଡ଼ିଗଲେ । ସେ ହିଟ୍‍ଲର୍‍ଙ୍କ ଏତେ ବିଶ୍ଵସ୍ତ ହୋଇ ପଡ଼ିଲେ ଯେ ନାତ୍‍ସୀ ପାର୍ଟିର ସଂଗଠନ ପାଇଁ ନିଜର ଯଥା ଆର୍ଥିକ ଶକ୍ତି ଦେବାକୁ କୁଣ୍ଠିତ ହେଲେ ନାହିଁ । କ୍ଳାଙ୍କ ବ୍ୟାଙ୍କ୍ ଚେକ୍ ହିଟ୍‍ଲର୍‍ଙ୍କ ହାତରେ ଦେବାକୁ ଲାଗିଲେ ।

 

ଦୁଇ ରାଜକୁମାରୀଙ୍କ ଆର୍ଥିକ ସାହାଯ୍ୟ ବଳରେ ବିଭିନ୍ନ ସହରରେ ନାତ୍‍ସୀ ଦଳ ସଂଗଠିତ ହେବାକୁ ଲାଗିଲା । ସେମାନଙ୍କର ଆର୍ଥିକ ସାହାଯ୍ୟ ମିଳି ନଥିଲେ ହୁଏତ ହିଟ୍‍ଲର୍ ଜର୍ମାନର ଚାନ୍‍ସେଲର ହୋଇ ପାରି ନଥାନ୍ତେ, ପୃଥିବୀ ଜୟ କରିବାର ହୁଙ୍କାର ଦେବା ଦୂରର କଥା-

 

କିନ୍ତୁ ପ୍ରତାରକ ହିଟ୍‍ଲର୍‍ଙ୍କର ଏହି ପରମା ସୁନ୍ଦରୀ ରାଜକୁମାରୀ ଦୁହିଁଙ୍କ ପ୍ରତି ପ୍ରେମ ନିଷ୍ଠା ନଥିଲା । ସେ ଚାହିଁଥିଲେ ତାଙ୍କର ରକ୍ତମାଂସର ଯୌବନକୁ ଛିନ୍ନଭିନ୍ନ କରି ଉପଭୋଗ କରିବେ ଓ ତାଙ୍କୁ ଲୁଣ୍ଠନ କରି ତାଙ୍କର ସମସ୍ତ ଅର୍ଥ ନାତ୍‍ସୀ ପାର୍ଟି ସଂଗଠନରେ ବିନିଯୋଗ କରିବେ ।

 

ଏହି ସମୟରେ ହିଟ୍‍ଲର୍‍ଙ୍କର ଆଉ ଦୁଇ ଜଣ ପ୍ରଣୟିନୀ ଜୁଟିଲେ । ମାଗାରେଟ୍ ଶ୍ଳେଜକ, ଖ୍ୟାତନାମା ଚିତ୍ରତାରକା ଲେନି ରିପ୍ଳେନ୍‍ସଟଲ ।

 

ମାର୍ଗାରେଟ୍‍ଙ୍କ ସହିତ ଭିଏନାରେ ସାକ୍ଷାତ ହେଲା । ତାଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ, ସଙ୍ଗେ ସଙ୍ଗେ ପ୍ରେମାଳାପ ତାଙ୍କ ସଙ୍ଗରେ ଜମି ଉଠିଲା । ହିଟ୍‍ଲର୍ ତାଙ୍କୁ ବିବାହ ହେବାପାଇଁ ପ୍ରଲୁବ୍‍ଧ ହୋଇ ଉଠିଲେ । ବୁଦ୍ଧିମତୀ ବହୁଦିନ ହିଟ୍‍ଲର୍‍ଙ୍କ ପ୍ରେମରେ ମଜିରହି, ବିବାହ କରିବାପାଇଁ ଆଳ ନେଇ ମନା କଲେ । ବିବାହ କଲେ ତାଙ୍କ ରାଜନୈତିକ ଜୀବନରେ ଅସୁବିଧା ଘଟିବ, ଏହି ଥିଲା ତାଙ୍କର ଯୁକ୍ତି ।

 

ଦୂରେଇ ଗଲା ମାର୍ଗାରେଟ୍ ।

 

ଆଉ ଅଭିନେତ୍ରୀ ରିଫ୍ଲେନ୍‍ସଟଲ–ବୟସ ମାତ୍ର ତେଇଶ ।

 

ନାଟକୀୟ ଭାବରେ ତା’ ସଙ୍ଗେ ହିଟ୍‍ଲର୍‍ଙ୍କର ପରିଚୟ ହେଲା ।

 

ଅଭିନେତ୍ରୀ ରିଫ୍ଲେନ୍‍ସଟଲ ୧୯୨୭ ସାଲରେ ମିଉନିକର ଗୋଟିଏ ବ୍ୟାଲେ ଟ୍ରୁପ୍‍ରେ ନିଜର ଅଭିନେତ୍ରୀ ଜୀବନର ଆରମ୍ଭ କରିଥିଲେ । ୧୯୩୦ ବେଳକୁ ସେ ଜଣେ ପ୍ରଖ୍ୟାତ ଅଭିନେତ୍ରୀ ହୋଇ ଉଠିଲେ । ହିଟ୍‍ଲର୍‍ଙ୍କର ତାଙ୍କ ସହିତ ଘନିଷ୍ଠତା ଜମିବା ସଙ୍ଗେ ସଙ୍ଗେ ତାଙ୍କୁ ଜର୍ମାନର ଫିଲ୍ମି ସିଣ୍ଡିକେଟର ପ୍ରଧାନ ଡିରେକ୍ଟର୍‍ରୂପେ ନିଯୁକ୍ତି କଲେ । ନାସ୍‍ନାଲ୍ ସୋସାଲିଷ୍ଟ କଂଗ୍ରେସ ଉପରେ ଯେଉଁ ଚିତ୍ର ପ୍ରସ୍ତୁତ ହେଲା, ତା’ର ପରିଚାଳନା ଭାର ଦେଲେ ।

 

ଅଭିନେତ୍ରୀଙ୍କ ଚିବୁକରେ ଚିବୁକ ମିଶାଇ ପରମ ତୃପ୍ତିର ଆସ୍ପାଦନ ପାଇଛନ୍ତି ବୋଲି ଅଭିନୟ କରି, କିଛିଦିନ ପରେ ନିଜର ସ୍ଵଭାବସୁଲଭ ଭଙ୍ଗିରେ ଦୂରେଇ ଗଲେ । କେତେକ କୁହନ୍ତି ଏଭା ବ୍ରାଉନ୍‍ଙ୍କ ପରିଚୟ ଓ ପ୍ରଣୟ ହେବା ଯୋଗୁଁ ହିଟ୍‍ଲର୍ ଅଭିନେତ୍ରୀଙ୍କ ପାଖରୁ ଦୂରେଇ ଗଲେ-

 

ହିଟ୍‍ଲର୍‍ଙ୍କ ପାରିବାରିକ ଜୀବନ, ଜନ୍ମ ବୃତ୍ତାନ୍ତ ବିସ୍ମୟକର । ୧୮୮୯ ମସିହାରେ ତାଙ୍କର ଜନ୍ମ । ପ୍ରବଳ ଇହୁଦୀ ବିଦ୍ଵେଷୀ ହିଟ୍‍ଲର୍‍ଙ୍କ ଜନ୍ମ ଇହୁଦୀ ପରିବାରରେ । ତାଙ୍କ ଜୀବଦ୍ଦଶା ମଧ୍ୟରେ ଏକଥା ପ୍ରକାଶ ପାଇ ନଥିଲା । ତାଙ୍କ ଜୀବନକାଳ ଭିତରେ ତାଙ୍କର ଜନ୍ମ ବୃତ୍ତାନ୍ତ ଇତ୍ୟାଦି ଲେଖିବା ବିଷୟରେ କାହାର ସାହସ ନଥିଲା । ଯେତେଜଣ ତାଙ୍କ ଜୀବନ ଲେଖିଛନ୍ତି କେବଳ ଶତ ମୁଖରେ ତାଙ୍କ ନିର୍ଦ୍ଦେଶରେ ତାଙ୍କର ସ୍ତୁତିଗାନ କରିଛନ୍ତି ।

 

୧୯୩୦ ମସିହା ପର୍ଯ୍ୟନ୍ତ ତାଙ୍କର ବଂଶ ପରିଚୟ ସମ୍ପର୍କରେ କିଛି ଜଣା ନଥିଲା । ଯେଉଁଦିନ ସେ ଜାଣିଲେ ତାଙ୍କର ପ୍ରତି ରକ୍ତ ଶିରାରେ ଇହୁଦୀ ରକ୍ତ ପ୍ରବାହିତ, କ୍ଷଣକାଳ ପାଇଁ ସ୍ତମ୍ଭୀଭୂତ ହୋଇଗଲେ ।

 

ହ୍ୟାନ୍‍ସ ପ୍ରାଙ୍କ୍‍ଙ୍କ ବହି ‘ଆଟ୍ ଦି ପ୍ୟାଲେସ ପୁଟ ଅନ ଇଣ୍ଟର ପିଟେସନ ଅଫ୍ ହିଟ୍‍ଲର୍ ଆଣ୍ଡ ହିଜ୍ ଏଜ୍”ରୁ ତାଙ୍କ ଜୀବନର କେତେକ ଦିଗ ପ୍ରତିପାଦିତ ହୋଇଛି ।

 

ହ୍ୟାନ୍‍ସ ଫ୍ରାଙ୍କ୍ ଥିଲେ ହିଟ୍‍ଲର୍‍ଙ୍କର ବିଚାର ବିଭାଗୀୟ ମନ୍ତ୍ରୀ । ଯୁଦ୍ଧ ଶେଷରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଜେଲରେ ବସି ବସି ଏହି ବହି ଖଣ୍ଡିକ ଲେଖିଥିଲେ । ହିଟ୍‍ଲର୍ ଜୀବନର ଅନେକ ଅଜଣା କଥା ଏଥିରୁ ଜଣାଯାଏ ।

 

୧୯୩୦ ସାଲରେ ହିଟ୍‍ଲର୍ ଗୋଟିଏ ବେନାମୀ ଚିଠି ପାଇଲେ । ସେଥିରେ ଲେଖାଥିଲା “ହିଟ୍‍ଲର୍, ତମ ରକ୍ତରେ ଇହୁଦୀ ରକ୍ତ ପ୍ରବାହିତ । ତମେ ତମର ଆତ୍ମୀୟ ଇହୁଦୀମାନଙ୍କର ସର୍ବନାଶ କରୁଛ କାହିଁକି ?”

 

ହିଟ୍‍ଲର୍ ଆଚମ୍ବିତ ହେଲେ । ନା ନା, ଇହୁଦୀମାନଙ୍କର ଏହା ହେଉଛି କୂଟ ଚକ୍ରାନ୍ତ । ପର ମୁହୂର୍ତ୍ତରେ ନିଜ ବିଷୟରେ ତାଙ୍କ ମନରେ କୌତୂହଳ ଜାତ ହେଲା । ହିଟ୍‍ଲର୍ ହ୍ୟାଲଫ୍ରିଙ୍କ୍‍ଙ୍କୁ ଡକାଇ ପଠାଇ, ଚିଠିଟି ଧରାଇ ଦେଇ ତାଙ୍କ ଆଡ଼କୁ ଅନାଇ କହିଲେ, ଆପଣ ଅନୁସନ୍ଧାନ କରି ଦେଖନ୍ତୁ ।”

 

ହ୍ୟାନ୍‍ସ ଅନୁସନ୍ଧାନ କାମରେ ଲାଗିପଡ଼ିଲେ । ଅନେକ ତଥ୍ୟ ସଂଗୃହୀତ ହେଲା । ଚିଠିରେ ଲେଖିଥିବା ବିଷୟଟି ସମ୍ପୂର୍ଣ୍ଣ ସତ୍ୟ ।

 

ହିଟ୍‍ଲର୍‍ଙ୍କର ଜେଜେମା ଆନ୍ନାମାରିୟା ଭିୟେନାର ଇହୁଦୀ ଫ୍ରାଙ୍କିନ୍ ଜେରାଜାର ପରିବାରରେ ପରିଚାରିକା କାମ କରୁଥିଲେ । ମାରିୟା ପୂର୍ଣ୍ଣ ଯୌବନା । ଗର୍ଭବତୀ ହୋଇ ସେ ନିଜ ଘରକୁ ଫେରିଗଲେ । ଗାଁର ଲୋକନିନ୍ଦାକଲେ । ଘରେ ରହିବାପାଇଁ ଅନୁମତି ନପାଇ, ଗୋଟିଏ ଆଶ୍ରମରେ ରହିଲେ, ପୁଅଟିଏ ଜନ୍ମ ହେଲା ।

 

ଏଇ ଅବୈଧ ସନ୍ତାନର ଜନକ ହେଲେ ଇହୁଦୀ ପରିବାରର ଜଣେ ତରୁଣ । ଛୁଆ ଜନ୍ମ ହେବାପରେ କ୍ରମାଗତ ଚଉଦ ବରଷ ପର୍ଯ୍ୟନ୍ତ ମେରିୟା ଏହି ଇହୁଦୀ ପରିବାରରୁ ଆର୍ଥିକ ସାହାଯ୍ୟ ପାଇ ଆସୁଥିଲେ ।

 

ଯଥାସମୟରେ ହ୍ୟାନ୍‍ସ ଏହି ରିପୋର୍ଟ ହିଟ୍‍ଲର୍‍ଙ୍କ ପାଖରେ ଦାଖଲ କଲେ । ହିଟ୍‍ଲର୍ ରିପୋର୍ଟକୁ ଆମୂଳଚୂଳ ପଢ଼ିସାରି କହିଲେ, “ନା ନା, ସମ୍ପୂର୍ଣ୍ଣ ଭୁଲ, ମୋର ବାପା ଗ୍ରାସେର ଇହୁଦୀ ବଂଶ ସମ୍ଭବା ନୁହନ୍ତି, ଏ କଥା ମୋ ଜେଜେମା, ବାବା ବହୁବାର କହିଛନ୍ତି । କୁମାରୀ ଅବସ୍ଥାରେ ମୋ ଜେଜେମାର ଯାହା ସାଙ୍ଗରେ ପ୍ରେମ ଥିଲା, ପର ଜୀବନରେ ସେ ତାଙ୍କୁ ବିବାହ କରିଛନ୍ତି ।

 

ହିଟ୍‍ଲର୍ ଏହି ପରିବାର ବଂଶର ପରିଚୟ ଲୁଚାଇ କି ଆତ୍ମସନ୍ତୋଷ ଲାଭ କଲେ କେଜାଣି । ସତକୁ ମିଛ କହି ତାଙ୍କ ଜୀବନକାଳ ମଧ୍ୟରେ ସେ ଗୌରବ ପାଇଥିବେ, ହେଲେ, ସତଟା ମରେନା, ମରିପାରେନା । ତାଙ୍କ ଜନ୍ମର ୪୦ ଦିନ ପୂର୍ବରୁ ମେରିୟା ମରିଯାଇଥିଲେ । ହିଟ୍‍ଲର୍‍ଙ୍କ ବୟସ ୧୪ ବର୍ଷ ହେବାବେଳକୁ ତାଙ୍କ ବାପା ମରିଗଲେ । କୌଣସି ବାପ ତା’ର ଗର୍ଭ ଧାରିଣୀର ଚରିତ୍ର ନେଇ ଶିଶୁ ପୁଅକୁ ତା’ର ଜନ୍ମବୃତ୍ତାନ୍ତ କହିବା ଶୋଭନୀୟ କି ସମ୍ଭବ ମଧ୍ୟ ନୁହେଁ-

 

ମରିବା ପର୍ଯ୍ୟନ୍ତ ସେ ପ୍ରତିପାଦିତ କରିବାକୁ ଚାହିଁଥିଲେ, ସେ ଇହୁଦୀ ନୁହନ୍ତି । ଇହୁଦୀମାନଙ୍କୁ ଶେଷ କରିଦେବା ପାଇଁ ସେ ଅକ୍ଳାନ୍ତ ଚେଷ୍ଟା କରିଥିଲେ ।

 

ଏଭା ବ୍ରାଉନ୍ ।

 

ହିଟ୍‍ଲର୍‍ଙ୍କ ଜୀବନରେ ଏକ ସହଜାତ ପ୍ରେମପୁଷ୍ପ ।

 

ଏଭାର ଚରିତ୍ର କଥା ବିଶ୍ଳେଷଣ କଲେ ହତବାକ୍ ହେବାକୁ ପଡ଼େ । ମନେ ପଡ଼ିଯାଏ ହିଟ୍‍ଲର୍ ଜୀବନର ଶେଷ ଦଶଦିନ କଥା ।

 

ଲାଲ ଫୌଜର ଅବିଶ୍ରାନ୍ତ ଗୋଳାବର୍ଷଣ ବର୍ଲିନ୍ ସହରକୁ ଧୁଧୁ ଜାଳୁଥିଲା । ଶତ ସହସ୍ର ଜର୍ମାନ ସୈନିକ ପୋକ ମଶାପରି ଟଳି ପଡ଼ୁଥିଲେ, ହିମାଲାର, ଗୋଏରିଂ ପ୍ରଭୃତି ହିଟ୍‍ଲର୍‍ଙ୍କ ବିଶ୍ଵସ୍ତ ଅନୁଚରମାନେ ତାଙ୍କୁ ଏକାକୀ ଛାଡ଼ିଦେଇଥାନ୍ତି, ହେଲେ ଏଭା ବ୍ରାଉନ୍ !!!

 

ହିଟ୍‍ଲର୍‍ଙ୍କର ଶେଷ ଜୀବନର ପର୍ଯ୍ୟାୟର ବାରବରଷ କାଳ ଏକାନ୍ତ ଭାବରେ ଏଭାକୁ ଭଲପାଇଥିଲେ । ଅନ୍ୟାନ୍ୟ ତରୁଣୀ ନୁହେଁ ଏଭା ।

 

ଅନୁଗତା, ପ୍ରେମିକ ପ୍ରାଣା, ବିଶ୍ଵସ୍ତ ଏଭା ।

 

ତାଙ୍କ ଜୀବନରେ ବହୁ ତରୁଣୀ ଆସିଛନ୍ତି, ହେଲେ ଏଭା ପରି କେହି ତାଙ୍କୁ ଭଲ ପାଇ ନାହାନ୍ତି, ବା ସେ କାହାକୁ ଭଲ ପାଇନାହାନ୍ତି ।

 

ଏଭା କୌଣସି ଉଦ୍ଦେଶ୍ୟ ନେଇ ହିଟ୍‍ଲର୍‍ଙ୍କୁ ଭଲ ପାଇ ନଥିଲା । ପ୍ରଣୟ ଦେଇଥିଲା । ଭଲ ପାଇବାପାଇଁ ସେ ହିଟ୍‍ଲର୍‍ଙ୍କୁ ଭଲ ପାଇଥିଲା । ଏହି ପ୍ରେମର ହିଟ୍‍ଲର୍‍ଙ୍କ ଜୀବନରେ ପଟାନ୍ତର ନାହିଁ ।

 

ଏଭାର ପାରିବାରିକ ଇତିହାସ ସମ୍ବନ୍ଧରେ ବିଶେଷ କିଛି ଉଲ୍ଲେଖଯୋଗ୍ୟ ଖବର ମିଳେନା ।

 

ତା’ର ବାବା ମା’ଙ୍କ ସମ୍ବନ୍ଧରେ କିଛି ଖବର ନାହିଁ । ଗ୍ରେଟେଲ ତା’ର ଭଉଣୀ ।

 

ଗ୍ରେଟେଲର ସ୍ଵାମୀ ହାରମ୍ୟାନ୍ ଜର୍ମାନ ସରକାରଙ୍କ ଅଧୀନରେ କାମ କରୁଥିଲେ । ପରବର୍ତ୍ତୀ ଜୀବନରେ ଏଭାର ଅନୁରୋଧରେ ହାରମ୍ୟାନ୍ ଉଚ୍ଚ ସାମରିକ ପଦରେ ନିଯୁକ୍ତି ପାଇଲେ-

 

ଏଭା ସହିତ ହିଟ୍‍ଲର୍‍ଙ୍କର ପ୍ରଣୟ । ଦୁଇଜଣଙ୍କର ପ୍ରେମ କିପରି ଆରମ୍ଭ ହେଲା, ତାହା ମଧ୍ୟ ଜଣାନାହିଁ । ହିଟ୍‍ଲର୍‍ଙ୍କର ଜଣେ ବନ୍ଧୁ ଏଭା ସହିତ ପରିଚିତ କରାଇ ଦେଇଥିଲେ । ଦୁଇଜଣ ସ୍ଵାମୀ ସ୍ତ୍ରୀ ହିସାବରେ ରହୁଥିଲେ । ହେଲେ, ହିଟ୍‍ଲର୍‍ଙ୍କର ମୃତ୍ୟୁର ଠିକ୍ ପୂର୍ବ ଦିବସରେ ବିବାହ କଲେ ।

 

ହିଟ୍‍ଲର୍‍ଙ୍କ ପ୍ରଣୟ ଲୀଳା ଜର୍ମାନରେ ଗୋପନ ଥିଲା । ଅତି ସତର୍କରେ ଏଭା ସହିତ ବାରବରଷ କାଳ ସେ ସମ୍ପର୍କ ରଖିଥିଲେ ।

 

କେବଳ ତାଙ୍କ ଅତି ଆତ୍ମୀୟ ପରିଜନ ଓ ଭୃତ୍ୟମାନଙ୍କୁ ଏଭା ସହିତ ତାଙ୍କର ସମ୍ପର୍କ ବିଷୟ ଜଣାଥିଲା । ହେଲେ, ହିଟ୍‍ଲର୍ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ । ଏଭା ସହିତ ତାଙ୍କ ସମ୍ପର୍କ ବାହାରେ ଯେପରି ପ୍ରକାଶ ନ ପାଏ ।

 

ଏଭା ବ୍ରାଉନ୍ ସୁଚତୁରୀ । ରାଜନୈତିକ ବ୍ୟାପାରରେ କେବେହେଲେ ମନ ଦେଉ ନଥିଲେ । ବିଭିନ୍ନ ବହି ପଢ଼ି ସମୟ କଟାଉଥିଲେ । ବହୁ ପେଟିଂ ଆୟୋଜନ କରି ହିଟ୍‍ଲର୍‍ଙ୍କ ସହିତ ସେ ସମ୍ବନ୍ଧରେ ଆଲୋଚନା କରି ସମୟ କଟାଉଥିଲେ ।

 

ହିଟ୍‍ଲର୍ ଏକାନ୍ତ ଭାବରେ ଏହାକୁ ଭଲ ପାଉଥିଲେ । ସେଥିପାଇଁ ପ୍ଲେନ୍‍ରେ ଏଭାକୁ ବସି ଯାତ୍ରା କରିବାପାଇଁ ବାରଣ କରୁଥିଲେ । ୪୦ ମାଇଲ ସ୍ପିଡ଼୍‍ରେ ମଟର ଗାଡ଼ି ଚଳାଇବା ପାଇଁ ତାଙ୍କୁ ବାରଣ କରନ୍ତି ।

 

ଏମାନଙ୍କର ଘନିଷ୍ଠତା ସମ୍ପର୍କରେ ଆଲୋଚନା କଲେ ଜଣାଯିବ ଯେ ହିଟ୍‍ଲର୍ ପ୍ରାଣ ଦେଇ ଏଭାକୁ ଭଲ ପାଉଥିଲେ । ହେଲେ ଦୀର୍ଘ ବାର ବରଷ ବିତାଇ ଦେଲେ, ଅଥଚ ତାକୁ ବିବାହ କରିବାରେ ଏତେ ବିଳମ୍ବ କଲେ କାହିଁକି ?

 

ବିଜୟ ପକ୍ଷର ରଣତାଣ୍ଡବ ଯେତେବେଳେ ବର୍ଲିନକୁ ରକ୍ତରଞ୍ଜିତ କରି ପକାଇଲା । ୫୦ ଫୁଟ୍ ମାଟିତଳେ ହିଟ୍‍ଲର୍ ନିଜର ପ୍ରଣୟିନୀକୁ ନେଇ ଆତ୍ମତୃପ୍ତ ହୋଇ ଉଠିଥିଲେ । ନାତ୍‍ସୀ ବାହିନୀ ଛିନ୍ନଭିନ୍ନ ହୋଇ ଶେଷ ହୋଇ ଗଲେଣି, ୟେ ଖବର ଜାଣି ସୁଦ୍ଧା ହିଟ୍‍ଲର୍ ନିର୍ଲିପ୍ତ ଭାବରେ ନୀରବ ରହୁଥିଲେ ।

 

୧୯୪୫ ସାଲ, ୨୯ ଅପ୍ରେଲ ।

 

ନିୟତିର ପରିହାସ । ଜୀବନ ଦୀପ ଲିଭିଯିବାକୁ ଗୋଟିଏ ଦିନ ବାକି । ଗତ କେତେଦିନ ପରାଜୟ ଗ୍ଳାନିରେ ଜର୍ଜରିତ ।

 

ହିଟ୍‍ଲର୍ ତାଙ୍କ ସହିତ ବିଶ୍ଵାସଘାତକତା କରିଛନ୍ତି । ମିତ୍ରପକ୍ଷ ଜରିଆରେ ଆତ୍ମସମର୍ପଣ କରିବାପାଇଁ ପ୍ରସ୍ତାବ । ଏଭାର ଭଗ୍ନୀପତି ଫେଡ଼ୋଲାଇନ୍ ମଧ୍ୟ ବିପକ୍ଷ ପକ୍ଷ ସାଙ୍ଗରେ ହାତ ମିଳାଇଛି ।

 

ହିଟ୍‍ଲର୍ ହତଜ୍ଞାନ ହୋଇ ଉଠିଲେ । ବ୍ୟକ୍ତିଗତ କାଗଜପତ୍ର ସବୁ ଚିରି ନଷ୍ଟ କରି ଦେଉ ଦେଉ ଏଭାକୁ ଡାକି କହିଲେ, “ଏଭା ! ଏଠାରୁ ପଳେଇ ଯିବାପାଇଁ ପ୍ରସ୍ତୁତ ହୋଇଯାଅ । ଦୁଇ ଘଣ୍ଟା ଭିତରେ ପ୍ଲେନ୍ ଛାଡ଼ିବ । ବିଳମ୍ବ କଲେ ଏଠାରୁ ଉଦ୍ଧାର ପାଇପାରିବ ନାହିଁ । ମୁଁ ଏଇଠାରେ ମରିବାପାଇଁ ପ୍ରସ୍ତୁତ ହୋଇ ଯାଇଛି ।”

 

ଏ କଥାର ପ୍ରତିବାଦ କଲା ଏଭା–“ନା ନା, ମୁଁ ତୁମକୁ ଛାଡ଼ି କେଉଁଠିକି ଯାଇ ପାରିବି ନାହିଁ ।”

 

ଏହି ପ୍ରଥମ ଥରପାଇଁ ପ୍ରିୟତମର କଥାର ପ୍ରତିବାଦ କରିଛି ଏଭା ।

 

ହିଟ୍‍ଲର୍ ପ୍ରଣୟିନୀକୁ ଛାତି ଉପରେ ଜାକିନେଇ ବୁଝାଇବାକୁ ବହୁତ ଚେଷ୍ଟା କଲେ । କିନ୍ତୁ ଏଭା ତାଙ୍କୁ ଛାଡ଼ି ଯିବାପାଇଁ ଆଦୌ ରାଜି ହେଲେ ନାହିଁ ।

 

ଏପ୍ରିଲ ୨୯ ତାରିଖରେ ହିଟ୍‍ଲର୍ ଟେଲିଗ୍ରାମ୍ ପାଇଲେ, ସେ ନିଜେ ନିଜେ ଚାନ୍‍ସଲର ପଦରୁ ହଟି ନଗଲେ–ଗୋରିଙ୍ଗ୍ ତାଙ୍କୁ ତଡ଼ି ଦେଇ ଚାନ୍‍ସଲର ହେବେ ।

 

ଚିତ୍କାର କରି ଉଠିଲେ ହିଟ୍‍ଲର୍ “ବେଇମାନ–ନିମକହାରାମ ।’’

 

ଯେଉଁମାନଙ୍କୁ ନିଜ ହାତରେ ଗଢ଼ି ମଣିଷ କରିଛନ୍ତି, ସେହି ଗୋରିଙ୍ଗ୍–ନା ନା, ଆଉ ଭାବିପାରିଲେ ନାହିଁ କିଛି ହିଟ୍‍ଲର୍ ।

 

ଭାଗ୍ୟଚକ୍ର ଘୂରି ଯାଇଛି ।

 

ଲାଲ ଫଉଜର କମାଣ ଧ୍ୱନି ତାଙ୍କ କାନରେ ବାରବାର ସ୍ମରଣ କରାଇ ଦେଲା–ତମ ପ୍ରିୟ ବର୍ଲିନ ଜଳୁଛି । ଆଶା ନାହିଁ...ଆଉ ଆଶା ନାହିଁ ।

 

ଅସୀମ ଧୈର୍ଯ୍ୟ ସହିତ ସେ କିଛି ସମୟ ଭାବିଲେ । ବିଶ୍ଵାସଘାତକମାନଙ୍କ ମଧ୍ୟରୁ ବନ୍ଦୀ ପେଗଲାଇନ୍ ଅନ୍ୟତମ ।

 

ଗୁଳିକରି ପେଗଲାଇନ୍‍କୁ ମାରିଦେବାକୁ ସେ ଆଦେଶ ଦେଲେ ।

 

ତା’ପରେ ଏଭା ପାଖକୁ ଧାଇଁ ଯାଇ ଜୀବନର ଶେଷ ମୁହୂର୍ତ୍ତରେ ବିବାହ ପ୍ରସ୍ତାବ ଦେଲେ ହିଟ୍‍ଲର୍ ।

 

ଏଭା ସାମାଜିକ ପ୍ରତିଷ୍ଠା ନଥାଇ ମରିବାକୁ ଚାହୁଁ ନଥିଲା । ସନମତ ହେଲା ।

 

ଜୀବନର ଚରମ ବିପର୍ଯ୍ୟୟରେ ବିବାହ । ଓୟାଲଟାର ଭଣଜାଇ ଏହି ବିବାହର ପୌରହିତ୍ୟ କଲେ ।

 

ପ୍ରଚଳିତ ପ୍ରଥା ଉପେକ୍ଷା କରି କଳାପୋଷାକ ପିନ୍ଧି ସଂକ୍ଷିପ୍ତ ବିଧିରେ ବିବାହ ଶେଷ ହେଲା । ବିବାହ ଖାତାରେ ଏଭା ଦସ୍ତଖତ କରି ଦେଲେ । “ଏଭା, ବି ।” ପରେ ପରେ ନିଜର ଭୁଲ ବୁଝିପାରି ଦସ୍ତଖତ କାଟି ପୁଣି ସନ୍ତକ କଲେ X X ଏଭା ହିଟ୍‍ଲର୍, ଲୀ ବ୍ରାଉନ X X

 

ବିବାହ କାମ ଶେଷ ହେବାପରେ ଏଭା ପରିଚାରକଙ୍କ ଉଦ୍ଦେଶ୍ୟରେ କହିଲେ “ମୋତେ ଏଥର ଫ୍ରଭ ହିଟ୍‍ଲର୍ ବୋଲି ଡାକିପାର ।”

 

ବିବାହ ପରେ କନ୍‍ଫେରେନ୍‍ସ ଗାଲେରୀରେ ପୋୟେବଲସ୍, ବୋରମ୍ୟାନ ଓ ଅନ୍ୟାନ୍ୟ ଅନୁଚରଙ୍କ ସଙ୍ଗେ ଶ୍ୟାମ୍ପେନ୍ ପାନକଲେ ହିଟ୍‍ଲର୍ । ତା’ପରେ ନିଜର ସେକ୍ରେଟାରିକୁ ନେଇ ପାଖ ଘରକୁ ଚାଲିଗଲେ । ନିଜର ଦୁଇଟି ଉଇଲ୍ ଡିକ୍‍ଟେକ୍‍ସନ ଦେଲେ । ପ୍ରଥମଟି ରାଜନୈତିକ । ଦ୍ଵିତୀୟଟି ବ୍ୟକ୍ତିଗତ । ଜର୍ମାନର ପତ୍ତନ ହେଲେ ଇହୁଦୀମାନେ ଦାୟୀ ହେବେ । ବ୍ୟକ୍ତିଗତ ଉଇଲ୍‍ରେ ଏଭାକୁ ବହୁ ପ୍ରଶଂସା କରି ସମସ୍ତ ବ୍ୟକ୍ତିଗତ ସମ୍ପତି ପାର୍ଟିକୁ ଦାନକଲେ ।

 

ପୂର୍ବାହ୍ନରେ ଅନୁଚରମାନଙ୍କୁ ଡାକି କହିଲେ ‘‘ଶତ୍ରୁପକ୍ଷ ଆମ ମୃତ ଦେହକୁ ମଧ୍ୟ ଯେପରି ଅସମ୍ମାନ ନ କରେ । ମୋର ଆଉ ଏଭାର ଶରୀରକୁ ଏପରି ଭାବରେ ପୋଡ଼ିଦେବ, ଯେପରି କେହିହେଲେ ଚିହ୍ନି ପାରିବେ ନାହିଁ ।”

 

ସମସ୍ତେ ତଟସ୍ଥ ।

 

ଏପ୍ରିଲ ୩୦ ତାରିଖ । ଚତୁର୍ଦ୍ଦିଗରେ ଲୋମହର୍ଷଣକାରୀ ବୋମା ବର୍ଷଣ । ମଧ୍ୟାହ୍ନ ଭୋଜନ ପରେ ଅନୁଚରମାନଙ୍କଠାରୁ ବିଦାୟ ନେଲେ ହିଟ୍‍ଲର୍ ।

 

ଏଭାକୁ ନେଇ ଶୟନ କକ୍ଷରେ ପ୍ରବେଶ କଲେ । କବାଟ, ଝରକା ସବୁ ବନ୍ଦ ।

 

ହଠାତ୍ ଗୁଳିର ଆବାଜ ।

 

ଗୋୟେ ବଲ୍‍ସ ଓ ଅନ୍ୟାନ୍ୟ ଅନୁଗତ କର୍ମଚାରୀ ଓ ଅନୁଚରମାନେ ଦ୍ରୁତଗତିରେ କବାଟଭାଙ୍ଗି ଘରେ ପ୍ରବେଶ କରି ଦେଖିଲେ, ରକ୍ତ ମୁହଁରୁ ନିଗିଡ଼ି ପଡ଼ିଛି । ଫୟେରାର ସ୍ପନ୍ଦନହୀନ ଭାବରେ ଭୂମିରେ ପଡ଼ିଛନ୍ତି । ମୁହଁ ଭିତରେ ରିଭଲ୍‍ଭର୍ ନଳଦେଇ ଗୁଳି କରିଛନ୍ତି ନିଜେ ନିଜେ ।

 

ପ୍ରିୟତମା ଏଭା ବିଷଖାଇ ଅନ୍ୟ ସୋଫାରେ ଗଡ଼ିପଡ଼ିଛନ୍ତି ।

 

ବିଶ୍ଵ ବିସ୍ମୟ ହିଟ୍‍ଲର୍ ନାଟକୀୟ ଭଙ୍ଗିରେ ନିଜର ପ୍ରିୟତମା ସାଙ୍ଗରେ ଚିରବିଦାୟ ନେଇ ଯାଇଛନ୍ତି ।

 

ଜୀବନରେ ଅସଂଖ୍ୟ ପ୍ରହେଳିକା ମଧ୍ୟରେ ଜୀବନ ଯବନିକା ନିଜେ ନିଜେ ଟାଣିନେଇ ଯେଉଁ ବୀରତ୍ଵର ଅହମିକା ଦେଖାଇ ଯାଇଛନ୍ତି, ବିଶ୍ଵ ଇତିହାସରେ ଏ ଘଟଣାବି ବିରଳ ।

 

ଏଭାର ପ୍ରଣୟ ।

 

ଅଶ୍ରୁଳ ହୋଇ ଅନୁଚରମାନେ ସ୍ତବ୍ଧ ହୋଇ ଛିଡ଼ା ହୋଇ ରହିଲେ । ଭିତରେ ଅନ୍ତର୍ଦାହ, ବାହାରେ ଗୁଡ଼ୁମ୍ ଗୁଡ଼ୁମ୍ ଲାଲ ସେନାର ତୋପଧ୍ଵନି ।

 

ହିଟ୍‍ଲର୍ ନିଜେ ନିଜେ ନିଃଶେଷ ହୋଇ ଯାଇଛନ୍ତି । ବୃଥା ଏଇ କମାଣ ବୃଷ୍ଟି ।

 

ଅନୁଚରମାନଙ୍କ ମନରେ ପ୍ରିୟ ନେତାଙ୍କର ଶେଷ ଆଦେଶ ବାରବାର ଉଚ୍ଚାରିତ ହୋଇ ଉଠିଲା । କ୍ଷିପ୍ର ହୋଇ ଉଠିଲା ସେମାନଙ୍କର ହାତ ।

 

ମୋଟା କମ୍ବଳରେ ପ୍ରଣୟଯୁଗଳଙ୍କର ମୃତ ଶରୀରକୁ ଗୁଡ଼ାଇ ଚାଲନ୍ ସେଲର ବଗିଚାକୁ ବୋହିନେଲେ ।

 

ପେଟ୍ରୋଲ ପକାଇ ମୁଖାଗ୍ନି ସଂଯୋଗ କଲେ ।

 

ଲାଲ ଅଗ୍ନୀ ଜଳି ଜଳି, ଲାଳସେନା କମାଣର ତୁହାଇ ତୁହାଇ ଆହ୍ୱାନକୁ ଯେମିତି ଉପହାସ କରି ଉଠୁଥିଲା ।

 

ଗୋୟେ ବଲ୍‍ସ, ବୋରମାନ ପ୍ରମୁଖ ସେନାପତି ତାଙ୍କ ପ୍ରିୟନେତା ଓ ପ୍ରିୟତମାକୁ ସମ୍ମାନ ଦେବାପାଇଁ କମାଣର ଶବ୍ଦରେ ଯେମିତି ଲାଲ ଫଉଜର ପଦଧ୍ଵନି ଶୁଣିପାରୁଥିଲେ ।

 

ପ୍ରଣୟୀ ଯୁଗଳ ! ତମର ପ୍ରଣୟ ସାର୍ଥକ ହୋଇଛି ।

☆☆☆

 

Unknown

ବହୁ ବଲ୍ଲଭା ଫ୍ରାଙ୍କ୍ ହ୍ୟାରିସ୍

 

ଦୋତାଲା ଡେକ୍‍ରୁ ଓହ୍ଲାଇ ଆସୁଥିଲେ ଷୋଡ଼ଶୀ ଜେସି ।

 

କିଶୋର ହ୍ୟାରିସ୍ ଗୋଟିଏ ନିଭୃତ କୋଣରେ ଜେସିଙ୍କୁ ଅପେକ୍ଷା କରି ଅଧିର ହୋଇ ଉଠୁଥିଲେ ।

 

ଚଉଦବର୍ଷର ହ୍ୟାରିସ୍, ଷୋଡ଼ଶୀ, ରୂପସୀ ଜେସିର ପ୍ରେମ ପାଗଳ ।

 

ଜେସିର ବାବା ଜାହାଜର ଚିଫ୍ ଇଞ୍ଜିନିୟର୍ । ଲଣ୍ଡନରୁ ଜାହାଜ ଆମେରିକା ଅଭିମୁଖେ ଯାତ୍ରା କରୁଥିଲା ।

 

ଏହି ନିଭୃତ କୋଠରୀରେ ଖୁବ୍ ପାଖକୁ ଆଉଜି ଆସିଲେ ହ୍ୟାରିସ୍ । ସ୍ଵଭାବସୁଲଭ ଲୋଭନୀୟ ହସର ଢେଉ ଉପରେ ଢେଉ ଖେଳି ଯାଉଥିଲା ହ୍ୟାରିସ୍‍ଙ୍କ ମୁଖମଣ୍ଡଳରେ ।

 

ହ୍ୟାରିସ୍‍ଙ୍କର ଏହି କମନୀୟ ହସ ବହୁ ଯୁବତୀଙ୍କୁ ବାଟବଣା କରି ତାଙ୍କ ପାଖକୁ ଟାଣି ଆଣିଲା ଜୀବନରେ ।

 

ହ୍ୟାରିସ୍ ଜେସିର କୋମଳ ବାହୁ ପଲ୍ଲବରେ ବାରବାର ହାତ ଚଳାଇ ଆଣୁଥିଲେ । ବେଳେବେଳେ ନିବିଡ଼ ଭାବରେ ଜେସିର ତନୁରେ ନିଜର ତନୁ ମିଶାଇ ଦେଉଥିଲେ ।

 

ଜେସି ମୃଦୁ ଆଘାତ ଦେଇ ନିଜକୁ ସାମାନ୍ୟ ଅଲଗା କରୁକରୁ କହିଲେ–

 

“ତମେ ମୋତେ ଭଲ ପାଅ.....ଭଲ ପାଅ ଯେବେ, ଆଉ ବିଳମ୍ବ କରନି....”

 

“ତରବରିଆ କରି କିଛି କରି ପକାଇବା ବୁଦ୍ଧିମାନର କାମ ନୁହେଁ । ମୋତେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଦିଅ ।

 

ଏହି ଉତ୍ତରରେ ଜେସି କିଛି ସମୟ ନୀରବ ହୋଇ ରହିଲେ ।

 

“ଯାଉଛି । ବହୁ କଷ୍ଟରେ ବାବାଙ୍କ ଆଖିରେ ଧୂଳି ଦେଇ ଏଠିକି ପଳେଇ ଆସିଛି । ମୁଁ ମୋ କ୍ୟାବିନ୍‍ରେ ନାହିଁ ବୋଲି ଯେବେ ଜାଣନ୍ତି, ଆଉ କିଛି ବାକି ରଖିବେ ନାହିଁ ।

 

ଜେସିର ବାବା ଜାହାଜର ଚିଫ୍ ଇଞ୍ଜିନିୟର୍‍ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ନିଜର କର୍ତ୍ତବ୍ୟ ବ୍ୟତୀତ ଜୀବନରେ ତାଙ୍କର ଆଉ କିଛି ଆକର୍ଷଣ ନଥିଲା ।

 

ଝିଅର ବୟସ ବଢ଼ିବା ସଙ୍ଗେ ସଙ୍ଗେ କଡ଼ା ନଜରରେ ତାକୁ ରଖିବାକୁ ଚାହାନ୍ତି ।

 

ବାବାଙ୍କର କଡ଼ା ତାଗିଦ୍ ସତ୍ତ୍ୱେ ଜେସି ଲୁଚି ଲୁଚି ପଳେଇ ଆସି ହ୍ୟାରିସ୍‍ଙ୍କ ସାଙ୍ଗରେ ଏହି ନିଭୃତ, ଅନ୍ଧାରୁଆ କୋଠରୀରେ ମିଳାମିଶା କରନ୍ତି ।

 

ପରବର୍ତ୍ତୀ ମିଳନର ସମୟ ଧାର୍ଯ୍ୟ କରି ଜେସି ଉଠି ଛିଡ଼ାହେଲେ ।

 

ଠିକ୍ ଏତିକିବେଳେ ଜେସିର ବାପା ଆସି ସେଠି ପହଞ୍ଚିଗଲେ ।

 

ଜେସି ଓ ହ୍ୟାରିସ୍‍ଙ୍କର ମିଳାମିଶା ଜାହାଜର ଅଧସ୍ତନ କର୍ମଚାରୀଙ୍କ ଅଜଣା ନଥିଲା । ସେମାନଙ୍କଠାରୁ ଖବର ନେଇ ସେ ରାଗରେ ହତଜ୍ଞାନ ହୋଇ ଝିଅର ଅଭିସାର କୁଞ୍ଜରେ ଆସି ପହଞ୍ଚିବେ, କିଏ ଜାଣିଥିଲା ? ଧରା ପଡ଼ିଯାଇଥିବାରୁ ଜେସି ଠକ୍ ଠକ୍ ହୋଇ ଥରିଉଠିଲେ ।

 

ଚିତ୍କାର କରି ପଚାରିଲେ ତୁ ଏଠିକି ଆସିଛୁ କାହିଁକି ?

 

ଜେସି ନିରୁତ୍ତରା । କି ଉତ୍ତର ସେ ତା’ର ବଦରାଗୀ ବାବାଙ୍କୁ ଦେବ ?

 

ପୁଣି ଗର୍ଜିଉଠିଲେ ଇଞ୍ଜିନିୟର୍ “ଲାଜ ସରମ ତୋର କିଛି ନାହିଁ । ମୋ ନାଁ ପକେଇବୁ । ଚାଲିଯା କହୁଛି । ଆଉ ଯେବେ ଏଠିକି ଆସୁନା....” ଆଉ କିଛି କହିପାରିଲେ ନାହିଁ । ଝିଅକୁ ଟାଣିଟାଣି ନେଇଗଲେ ସେଠୁ ।

 

ହ୍ୟାରିସ୍ ନିର୍ବାକ୍ । କିଛି ସମୟ ପରେ ସେ ତାଙ୍କ କ୍ୟାବିନ୍‍କୁ ଯାଇ ହତାଶ ହୋଇ ପଡ଼ିଲେ ।

 

ଦୀର୍ଘନିଃଶ୍ଵାସ ପକାଇ କହିଲେ, “ଭଗବାନ ! ଜେସିର କ’ଣ ଆଉ ଦେଖା ମିଳିବ ନାହିଁ-?”

 

ଭଗବାନ ପ୍ରେମିକ ପ୍ରେମିକାଙ୍କ ପ୍ରତି ସବୁବେଳେ ସଦୟ ।

 

କଡ଼ା ପହରା, ବାବାଙ୍କର ତୀକ୍ଷ୍ଣଦୃଷ୍ଟିକି ଏଡ଼େଇ ପୁଣି ଜେସି ଆସି ହ୍ୟାରିସ୍‍ର କ୍ୟାବିନ୍‍ର ପହଞ୍ଚିଲା ।

 

“ଜେସି ତମେ ସତେ ଆସିଛ । ବିଶ୍ଵାସ କରିପାରୁନି । କହୁ କହୁ ପ୍ରେମ ପାଗଳ ହ୍ୟାରିସ୍ ଯାଇ ନିବିଡ଼ ଭାବରେ ଆଲିଙ୍ଗନ କଲା ।

 

ଜେସି ଥରି ଥରି କହିଲା–

 

“ଜାହାଜ ନିଉୟର୍କରେ ପହଞ୍ଚିବାକୁ ଆଉ ଡେରିନାହିଁ । ପଳେଇ ଆସିଛି । ତମକୁ କେତେଟା କଥା କହିବାର ଅଛି...”

 

“କୁହ...”

 

“ମୁଁ ଅସୀମ ସାହସର ସହିତ ବାବାଙ୍କୁ ସବୁକଥା କହିଛି । ମୋ କଥା ଶୁଣି ସେ ଅଗ୍ନୀଶର୍ମା ହୋଇ ଉଠିଲେ । ମୋର ପ୍ରାପ୍ତ ବୟସ ହୋଇନି । ତେଣୁ ମୋ କଥା ଶୁଣିବେ ନାହିଁ ବୋଲି ନାସ୍ତି କରିଦେଲେ, ହ୍ୟାରିସ୍ । ତମେ ମୋତେ ବଞ୍ଚାଅ....”

 

“ତମେ ଛୋଟପିଲା ହୋଇଛ ?”

 

“ସେ କହିଲେ ମୋ ବୟସରେ, ମୋତେ ସ୍ଵାଧୀନ ଭାବରେ ପ୍ରେମ କରିବାପାଇଁ ଅନୁମତି ଦେବେ ନାହିଁ ।”

 

ହ୍ୟାରିସ୍ କିଛି ଉତ୍ତର ବା ପ୍ରଶ୍ନ ନ ପଚାରି ଜେସିଙ୍କୁ ପୁଣି ଘନଘନ ଆଲିଙ୍ଗନ କଲେ ।

 

ମୋତେ ବର୍ତ୍ତମାନ ପାଇଁ ମୁକ୍ତିଦିଅ ହ୍ୟାରିସ୍ । ବାବା ଏଠି ପହଞ୍ଚିଯାଇ ପାରନ୍ତି । ଏଥିରେ କିଛି ବିଚିତ୍ରତା ନାହିଁ । ନିଉୟର୍କର ମୋ ଠିକଣା ଦେଉଛି । ମୋତେ ସେଠି ଦେଖା କରିବ-।”

 

କହୁ କହୁ ଜେସି କ୍ଷତ–ବଣ–ହରିଣୀ ପରି ପଳାଇ ଆସିଲା ।

 

ବୁଭୁକ୍ଷୁର ଜ୍ଵାଳା ନେଇ ହ୍ୟାରିସ୍ ଜେସିର ଯିବା ବାଟକୁ ଅନାଇ ରହିଲେ ।

 

ନିଉୟର୍କ ବନ୍ଦରରେ ଯାତ୍ରୀମାନେ ଯେ ଯାହା ବାଟରେ ଗଲେ ।

 

ହ୍ୟାରିସ୍ ଜାହାଜରୁ ଓହ୍ଲାଇ ରାଜମାର୍ଗରେ ଆସି ଛିଡ଼ା ହେଲେ ।

 

ଜନଗହଳି ରାଜପଥରେ ହ୍ୟାରିସ୍ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ଅପରିଚିତ ଜାଗା । ଚଉଦ ବରଷ ହ୍ୟାରିସ୍, କିଶୋର ହ୍ୟାରିସ୍ ଦଣ୍ଡେ ଠିଆ ହୋଇଗଲେ ରାଜପଥରେ ।

 

ହଠାତ୍ ଜଣେ ଦୟାଶୀଳା ରମଣୀ ହ୍ୟାରିସ୍‍ଙ୍କ ପ୍ରତି ସଦୟ ହୋଇ ଉଠିଲେ । ନିଜ ଘରକୁ ନେଇଗଲେ, କିଛିଦିନ ପରେ ଭଦ୍ରମହିଳାଙ୍କ ସ୍ଵାମୀ ହ୍ୟାରିସ୍‍ପାଇଁ ଚାକିରି ଠିକ୍ କରିଦେଲେ-

 

ହ୍ୟାରିସ୍ ପ୍ରତିଦିନ ୫ ଡଲାର ମଜୁରୀ ପାଇଲେ ।

 

ଦୈନିକ ଏତେଗୁଡ଼ାଏ ପଇସା ପାଇ ହ୍ୟାରିସ୍ ମହାଆନନ୍ଦରେ ଜେସିକୁ ଭେଟିବାକୁ ଗଲେ ।

 

ଜେସି ଠିକଣା ଦେଇଥିଲା । ଘର ପାଇବାକୁ ଅସୁବିଧା ହେଲା ନାହିଁ ।

 

ଜେସି ତା’ ଭଉଣୀ ପାଖରେ ଥାଏ । ବାବା ପୁଣି ଜାହାଜରେ ଅନ୍ୟତ୍ର ଚାଲି ଯାଇଛନ୍ତି ।

 

ଜେସିର ଭଉଣୀ ମିସେସ୍ ପ୍ଲାମାର ଆବାକ୍ । ଚଉଦ ବରଷର କିଶୋରର ପ୍ରେମରେ ପଡ଼ିଛି ତା’ ଭଉଣୀ ।

 

ଜେସି ତା’ ଭଉଣୀକୁ ସବୁ କଥା କହିଲା । କାକୁତିଭରା ସ୍ଵରରେ ସାହାଯ୍ୟ ଭିକ୍ଷା କଲା ।

 

ଅତିଥ୍ୟ ହ୍ୟାରିସ୍ ପାଇଲେ । ତିନି ଜଣଯାକ ଅନେକ ସମୟ ଧରି କଥା ହେଲେ ।

 

ନିୟମିତ ଭାବରେ ହ୍ୟାରିସ୍ ତାଙ୍କ ଘରକୁ ଆସିବାକୁ ଲାଗିଲେ ।

 

ମିସେସ୍ ପ୍ଲାମାର ଘରେ ନଥିବାବେଳେ ହ୍ୟାରିସ୍ ଓରଉଣ୍ଡି ପହଞ୍ଚି ଯାଉଥିଲେ ।

 

ଦୁହିଁଙ୍କର ଅଭିଳଷିତ ଦୈହିକ ବାସନା ଦିନକୁଦିନ ପରିପୂର୍ଣ୍ଣ ହୋଇଉଠିଲା ।

 

କିଶୋର ହ୍ୟାରିସ୍ ପ୍ରାପ୍ତ ବୟସ୍କ ଯୁବକଙ୍କ ପରି ଜେସିର ପ୍ରେମ ପିପାସା ଚରିତାର୍ଥ କରିବାକୁ ଲାଗିଲେ ।

 

ଜେସି ଅଧଚେତନ ଅବସ୍ଥାରେ ହ୍ୟାରିସ୍‍ର ଅଙ୍ଗ ଅବୟବରେ ନିଜ ଅଙ୍ଗ ଅବୟବ ଜଡ଼ାଇ କହିଲେ “କେଡ଼େ ସୁନ୍ଦର ତମେ !”

 

“କିନ୍ତୁ ସରଗର ରୂପସୀଠାରୁ ତମେ ମୋତେ ଆହୁରି ସୁନ୍ଦର ଦିଶୁଛ ଜେସି ।”

 

“ହ୍ୟାରିସ୍.....”

 

ଏହି ପ୍ରେମ ଲୀଳାରେ ମଜ୍ଜି ରହି ହ୍ୟାରିସ୍‍ଙ୍କୁ ଆଉ କାରଖାନା ଚାକିରି ଭଲ ଲାଗିଲା ନାହିଁ ।

 

ହେଲେ, ହ୍ୟାରିସ୍ ବେକାର ହୋଇ ବସି ରହିବା ପିଲା ନୁହେଁ ।

 

ନିଉୟର୍କ ରାଜପଥରେ ଗୀତ ଗାଇ ଗାଇ ସେ ଜୋତା ସଫା କରିବା ବ୍ୟବସାୟ ଆରମ୍ଭ କଲା ।

 

ଏଥିରେ ତା’ର ରୋଜଗାର ପୂର୍ବ ମଜୁରୀ ଅପେକ୍ଷା ଯଥେଷ୍ଟ ବେଶିହେଲା । ଧନୀ, ଦରିଦ୍ର, ବାଛବିଚାର ନାହିଁ, ମନ ଆନନ୍ଦରେ ଗୀତ ଗାଇ ଗାଇ ଜୋତା ପଲିସ୍ କରି ଅର୍ଥ ଉପାର୍ଜନ କରୁଥାଏ ।

 

ଦିନେ ଗୀତ ଗାଇ ଜୋତା ପଲିସ୍ କରୁଛି, ହ୍ୟାରିସ୍ ମୁହଁରୁ ଗୀତ ଶୁଣି ଭଦ୍ରଲୋକ ଜଣକ ଅତିଶୟ ପ୍ରୀତ ହେଲେ । ତା’ର ପରିଚୟ, ଘରଦ୍ଵାର ଇତ୍ୟାଦି ବହୁ କଥା ପଚାରିଲେ ।

 

ଚିକାଗୋ ସହରରେ ତାଙ୍କର ଗୋଟିଏ ଉଚ୍ଚ ଧରଣର ହୋଟେଲ ଅଛି । ହୋଟେଲରେ ଚାକିରି କରିବାକୁ ତାକୁ କହିଲେ ।

 

ଚିକାଗୋ ଚାଲିଗଲେ ଜେସିକୁ ଛାଡ଼ି ଯିବାକୁ ହେବ । ସେ କଥା ଭାବି ବସିଲେ । ହେଲେ, ଚିକାଗୋ ଯିବାକୁ ପ୍ରସ୍ତୁତ ହୋଇଗଲେ ହ୍ୟାରିସ୍ ।

 

ଚିକାଗୋ ଯିବା ସଙ୍ଗେ ସଙ୍ଗେ ଜେସିର ପ୍ରେମ ତୁଟିଗଲା ।

 

ହ୍ୟାରିସ୍‍ଙ୍କ ଜୀବନର ପ୍ରଥମ ପ୍ରେମ ଏତିକିରେ ଶେଷ ହେଲା ।

 

କିଶୋର ହ୍ୟାରିସ୍‍ର ପୁରାନାମ ଥିଲା ଜେମ୍‍ସ ଟାମସ୍ ହ୍ୟାରିସ୍ ।

 

୧୮୬୦ ମସିହାରେ ଇଂଲଣ୍ଡର ଗ୍ୟାଲୱେରେ ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ଜୀବନରେ ନିଜକୁ ଫ୍ରାଙ୍କ୍ ନାମରେ ପରିଚିତ କରାଇଥିଲେ ।

 

ସାହିତ୍ୟ କ୍ଷେତ୍ରରେ ଫ୍ରାଙ୍କ୍ ପରି ଏତେ ଖୋଲାଖୋଲି ଭାବରେ ନିଜକୁ ପରିଚିତ କରାଇବାରେ କୌଣସି ସାହିତ୍ୟ ରସିକ ସମକକ୍ଷ ହେବେ ନାହିଁ ।

 

ଚରିତ୍ରର ନୂତନ ସଂଜ୍ଞା ସେ କରିଯାଇଛନ୍ତି । ଶୋଚନୀୟ ନୈତିକ ଅଧୋଗତିର ସେ ପ୍ରତିକ–ସାମ୍ବାଦିକ, ସମ୍ପାଦକ, ଲେଖକ ହିସାବରେ ତାଙ୍କର ସମସାମୟିକଠାରୁ ସେ ସ୍ଵତନ୍ତ୍ର, ଏକଥା ସମସ୍ତେ ସ୍ଵୀକାର କରିବେ ।

 

ସେମାନଙ୍କର ସାମସମୟିକମାନଙ୍କ ମଧ୍ୟରୁ ଅନେକ କହିଛନ୍ତି “ଲୋକଟିର ଚରିତ୍ର ବୀଭତ୍ସ ହେଲେ ମଧ୍ୟ ତାଙ୍କ ପ୍ରତିଭା ନିକଟରେ ସେ କଳଙ୍କ ଉଭେଇ ଯାଏଁ ।”

 

ତାଙ୍କ କାମ ପଛରେ ଯେତେଗୁଡ଼ିଏ ବିଶେଷଣ ଯୋଗ କରାଯାଇଛି ଏପର୍ଯ୍ୟନ୍ତ ଏତେ ବିଶେଷଣ କୌଣସି ଲେଖକ ପଛରେ ଯୋଡ଼ାଯିବା ସମ୍ଭବ ଓ ସମୀଚୀନ ନୁହେଁ ।

 

ସମସାମୟିକ ଜଣେ ସମାଲୋଚକ ଲେଖିଛନ୍ତି “He is a poet, Franagraphor Cow boy, Con man, Bio grapher, Black mailery Championtiar, Genious Shakespearian, Critics, Servant, girl seducer, short story writer.

 

ଏଠି ପ୍ରେମିକ ଜୀବନରେ ବହୁ ନାୟିକାଙ୍କର କୁତ୍ସିତ ପ୍ରେମ କାହାଣୀର ହୀରୋ ।

 

ତାଙ୍କର ଚେହେରା ଥିଲା ବିଚିତ୍ର, ସେ ଡେଙ୍ଗା ନଥିଲେ । ବାଙ୍ଗର କହିଲେ ମଧ୍ୟ ଠିକ୍ ହେବ ନାହିଁ । ହିଲ୍‍ଥିବା ଜୋତା ପିନ୍ଧି ସେ ବାଙ୍ଗର ନୁହନ୍ତି ବୋଲି ପ୍ରମାଣିତ କରନ୍ତି । ବପୁ ବହୁଳ, ବିରାଟକାୟ ହ୍ୟାରିସ୍‍ ।

 

ଝିଅମାନଙ୍କର ଚିତ୍ତ ଜୟ କରିବାର ଚେହେରା ତାଙ୍କର ନଥିଲେ ମଧ୍ୟ, ତାଙ୍କର ହସ, କୌତୂହଳୀ ପ୍ରେମ କୌଶଳ ବହୁ ରୂପବତୀ ଯୁବତୀଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲା ।

 

ଆମେରିକାରେ ବିଭିନ୍ନ କାମ କରିବା ସଙ୍ଗେ ସଙ୍ଗେ କିଛି ପଢ଼ାଶୁଣା କରିବାକୁ ଚେଷ୍ଟା କରିଥିଲେ ।

 

୧୮୮୧ ମସିହାରେ ସେ ୟୁରୋପକୁ ଫେରି ଆସିଲେ ।

 

ପ୍ୟାରିସ୍‍ରେ କେତେକାଳ ଅତିବାହିତ କଲେ । ପ୍ୟାରିସରେ ରହିବା ସମୟରେ ବ୍ରାଇଟନ କଲେଜରେ କିଛିଦିନ ପଢ଼ିଲେ ।

 

ତା’ପରେ ଲଣ୍ଡନ ଫେରିଯାଇ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କଲେ ।

 

“ଏସ୍ ପେକ୍ଟର,” ପତ୍ରିକାରେ ପ୍ରଥମେ ସେ ଚାକିରି କଲେ ତା’ପରେ ‘ଇଭିନିଙ୍ଗ୍ ନିଉଜ୍‍ର’ ସମ୍ପାଦକ ହେଲେ ।

 

ଶେଷରେ ଷ୍ଟାଣ୍ଡାର୍ଡ଼ ରିଭ୍ୟୁ ପତ୍ରିକାର ମାଲିକାନା ସ୍ଵତ୍ୱ କିଣି ପକାଇଲେ ।

 

ମାଲିକ ହେଲେ ସତ, କିନ୍ତୁ ପରିଚାଳନା ତ୍ରୁଟିପାଇଁ ସେ କାଗଜ ଚଳାଇ ପାରିଲେ ନାହିଁ-। ଚାଳିଶ ହଜାର ମୂଲ୍ୟରେ ସିସିଲି ରୋଡ଼େସ୍‍କୁ ହସ୍ତାନ୍ତର କରିଦେଲେ ।

 

ତା’ପରେ ଜଣେ ଆଇରିସ୍‍ ତରୁଣୀଙ୍କ ପ୍ରେମରେ ପଡ଼ିଲେ ।

 

ଫ୍ରାଙ୍କ୍ ହ୍ୟାରିସ୍‍ଙ୍କର ଉପନ୍ୟାସ ବିଶ୍ଵ ସାହିତ୍ୟରେ ଏକ ଉଚ୍ଚକୋଟିର ଉପନ୍ୟାସ । “ମାଇଁ ଲାଇଫ ଏଣ୍ଡ ଲଭ୍” ତାଙ୍କର ଆତ୍ମଲିପି ପଢ଼ିଲେ ବିସ୍ମିତ ହେବାକୁ ପଡ଼େ ।

 

ଅନ୍ୟମାନଙ୍କର ପରି ଛଳନା କରି ପାଠକମାନଙ୍କୁ ପ୍ରତାରିତ କରିବା ତାଙ୍କର ଧର୍ମ ନୁହେଁ-। ନିଜର ଅଶ୍ଳୀଳ କାହାଣୀକୁ ଗୋଟିକ ପରେ ଗୋଟିଏ ବିଷାଦ ଭାବରେ ବର୍ଣ୍ଣନା କରି ଦୁଇ ଖଣ୍ଡି ବହିରେ ସେ ଶେଷ କରିଛନ୍ତି ।

 

ହ୍ୟାରିସ୍ ଜୋତା ପଲିସ୍ କରିବା କାମରୁ ବିଦାୟ ନେଇ “କେଣ୍ଡା ପିକସ୍”ରେ ଚାକିରି କରିବାପାଇଁ ନିଉୟର୍କରୁ ଚିକାଗୋ ଗଲେ ।

 

ହୋଟେଲରେ ମିଲିଓନିୟାରଙ୍କ ସାଙ୍ଗରେ ଦେଖା ହେଲା । ସେ ଜଣେ ବ୍ୟବସାୟୀ । ଗୋରୁ, ଗାଈ, ଛେଳି, ମେଣ୍ଢା କିଣି ମାଂସ ବ୍ୟବସାୟ ପାଇଁ ଚାଲାଣ କରୁଥିଲେ ।

 

ତାଙ୍କ ସାଙ୍ଗରେ ବନ୍ଧୁତା ହେବାପରେ ହୋଟେଲ ଚାକିରି ଛାଡ଼ି ତାଙ୍କ ସାଙ୍ଗରେ ଟେକ୍‍ସାସ୍‍କୁ ଚାଲିଗଲେ । ସେଠାରୁ କାନ୍‍ସେସ୍‍ ଯାଇ ଜଣେ ସମ୍ଭ୍ରାନ୍ତ ବଂଶୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ତ୍ରୀର ପ୍ରେମରେ ପଡ଼ିଲେ ।

 

କାନ୍‍ସେସ୍‍ ବିଶ୍ଵବିଦ୍ୟାଳୟରେ ଓକିଲାତି ପଢ଼ିବା, ଚାକିରି କରିବା ଓ ପ୍ରୌଢ଼ାଙ୍କର ସାଙ୍ଗରେ ପ୍ରେମ କରିବା ସବୁ କାମ ଏକାସାଙ୍ଗରେ ଚାଲୁଥାଏ ।

 

ଓକିଲାତି ପାସ୍ କଲେ । ଏତେବେଳକୁ କିଛି ଅର୍ଥ ସଂଗ୍ରହ କରିଥିଲେ ମଧ୍ୟ କିଛିଦିନ ସେଠି ରହିବାପାଇଁ ସ୍ଥିର କଲେ । ପେଇଙ୍ଗ୍ ଗେଷ୍ଟ୍ ହିସାବରେ ବାପ୍‍ଟିଷ୍ଟ ଧର୍ମଯାଜକ ଗ୍ରେଗାରିଙ୍କ ଘରେ ଉଠିଲେ ।

ରହିବା ଓ ଖାଇବାପାଇଁ ସପ୍ତାହକୁ ୪ ଡଲାର ଦେବାକୁ ହେଲା । ମିଃ ଗ୍ରେଗରୀ ଚର୍ଚ୍ଚ କାମରେ ସବୁବେଳେ ବ୍ୟସ୍ତ ଥାନ୍ତି । ତାଙ୍କ ସହିତ ହ୍ୟାରିସ୍‍ଙ୍କର କ୍ଵଚିତ୍ ଦେଖାହୁଏ । ତାଙ୍କ ଘରେ ତାଙ୍କ ସ୍ତ୍ରୀ ଓ ତରୁଣୀ କନ୍ୟା ହ୍ୟାରିସ୍‍ଙ୍କର ସମସ୍ତ ଖବର ବୁଝୁଥାନ୍ତି ।

ଗ୍ରେଗାରୀଙ୍କ ଝିଅ କେଟ୍‍ ପରମ ରୂପବତୀ ନଥିଲେ । ହେଲେ ସେ ସ୍ଵାସ୍ଥ୍ୟବତୀ, ଶରୀର ଗଠନରେ ଲାଳିତ୍ୟ ଥିଲା । ଯୁବତୀ କେଟ୍ ସବୁବେଳେ ଗାମ୍ଭୀର୍ଯ୍ୟଶୀଳା ବୋଲି ମନେ ହେଉଥିଲା ।

ହ୍ୟାରିସ୍ ଯେଉଁ ପ୍ରକୃତିର ଲୋକ ସେ କ’ଣ ଥୟ ଧରି ରହିପାରିବେ ? ହେଲେ କେଟ୍ ଖୁବ୍ ଗମ୍ଭୀର ପ୍ରକୃତିର ହୋଇଥିବାରୁ ହ୍ୟାରିସ୍ ବଡ଼ ଅଡ଼ୁଆରେ ପଡ଼ିଲେ ।

ହ୍ୟାରିସ୍ ପଢ଼ାଶୁଣା କରିବା ସଙ୍ଗେ ସଙ୍ଗେ ରାଜନୀତି ବିଷୟରେ ଆଲୋଚନା କରୁଥିଲେ ।

ହେଲେ ହ୍ୟାରିସ୍ ପଛେଇବା ରସିକ ନୁହନ୍ତି । ନାଟକୀୟ ଭାବରେ କେଟ୍‍କୁ ନିଜର କରିବାପାଇଁ ଆଗେଇ ଗଲେ ।

କେଟ୍ ଘର ସଜାସଜି କରୁଥିଲେ ।

ହ୍ୟାରିସ୍ ଯାଇ ସ୍ମିତ ହସି କହିଲେ, କେଟ୍ ! ତୁମେ ମୋତେ ସବୁବେଳେ ଏଡ଼େଇ ଦେଇ ଯିବାକୁ ଚାହୁଁଛ କାହିଁକି ?

ଏ ପ୍ରଶ୍ନରେ ବିବ୍ରତ ହୋଇ କେଟ୍ କହିଲେ, “ନାଇଁ ତ....”

ହ୍ୟାରିସ୍ ଚଞ୍ଚଳ ହୋଇ ଉଠିଲେ । ଆହୁରି ପାଖକୁ ଲାଗିଆସି ଥରିଲା ଗଳାରେ କହିଲେ, “ମୁଁ ଭଲ ଭାବରେ ବୁଝିସାରିଛି କେଟ୍ । ମୁଁ ତମକୁ ଭଲ ପାଏ ବୋଲି ତମେ କ’ଣ ଅନୁଭବ କରିପାରୁନା ?’’

ଏମିତି ସିଧାସଳଖ ଭାବରେ ହ୍ୟାରିସ୍ ପ୍ରେମ ମାଗି ବସିବେ ବୋଲି କେଟ୍ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ । ମନ ଭିତରେ କଥାଟାକୁ ଏପାଖ ସେପାଖ କରି କେଟ୍ ଥରିଲା ଗଳାରେ କହିଲେ–

“ଅନୁଭବ କଲେ କ’ଣ ହେବ ? କେବେ ତ ତମେ ମୁହଁ ଖୋଲି ପ୍ରକାଶ କରିନ ?”

“ମନ ଖୋଲି କହିବା ପରେ ତମର ଭଲ ପାଇବାର ପ୍ରତିଦାନ ଦେବାକୁ ଯେବେ କୁଣ୍ଠିତ ହୁଅନ୍ତ.....” ଥମିଗଲା କଥାର ଗତି ।

“କୁଣ୍ଠିତ କି ନୁହେଁ, କ’ଣ ଭାବୁଛନ୍ତି ?”

ହ୍ୟାରିସ୍ ଆଉ ନିଜକୁ ସମ୍ଭାଳି ରଖିପାରିଲେ ନାହିଁ । ସାହସୀ ପ୍ରେମିକ ହ୍ୟାରିସ୍ ସବୁ ଶକ୍ତି ଠୁଳ କରି କେଟ୍‍କୁ ତୋଳି ଧରିଲେ । କେଟ୍‍ର ଅଙ୍ଗ ବିଭବରେ ନିଜକୁ ଜଡ଼ାଇ ଦେଲେ ।

 

ଉଦ୍ଦାମ ଗତିରେ ଦୁହେଁ ଦୁହିଁକୁ ପ୍ରେମରେ ମଜାଇ ନେଲେ ।

 

ଆଉ ଦିନେ ଘରର ଗୋଟିଏ ନିର୍ଜନ କୋଣରେ ଦୁହିଁଙ୍କର ଦେଖା ହେଲା । ହ୍ୟାରିସ୍ କେଟ୍‍ର କରପଲ୍ଲବ ନିଜ ହାତମୁଠାରେ ଚାପି ଧରି କହିଲେ ।

 

“ତମକୁ ଆହୁରି ନିକଟରେ ପାଇବାକୁ ଚାହେଁ କେଟ୍ ! ତମେ ମୋତେ ବଞ୍ଚାଅ ।”

 

ଲଜ୍ଜାବନତ ଚାହାଣିରେ ହ୍ୟାରିସ୍‍କୁ ଚାହୁଁଚାହୁଁ କେଟ୍ ଥରିଲା ଗଳାରେ କହିଲେ “ହ୍ୟାରିସ୍ ତମେ କୁହ ! କୁହ ! ସତେ ମୋତେ ତୁମେ ଭଲ ପାଅ ? ହଁ ହଁ, ତମ ପାଖକୁ ମୁଁ ଦୌଡ଼ି ଯିବାକୁ ଚାହେଁ ।”

 

X X ଆଜି ରାତିରେ ତମ ଦରଜା ଖୋଲି ରଖିବ ହ୍ୟାରିସ୍ !”

 

“ପ୍ରେମରେ ପଡ଼ିଲେ କେହି ଭୟ କରେନା, କେଟ୍ !”

 

କେଟ୍ ମୃଦୁ ହସିଲେ ।

 

ନିମନ୍ତ୍ରଣ ରକ୍ଷା କରି ପ୍ରେମର ତୃପ୍ତି ଆସ୍ଵାଦନରେ ଜଡ଼ିତ କରି ନେବାପାଇଁ ସେହି ଅର୍ଦ୍ଧରାତ୍ରରେ ଲଜ୍ଜା, ମାନ, ଅପମାନ, ସମାଜକୁ ସବୁ କିଛି ପଛରେ ପକାଇଦେଇ କେଟ୍ ଆସି ହ୍ୟାରିସ୍‍ର ଶଯ୍ୟାସଙ୍ଗିନୀ ହୋଇ ପ୍ରେମ–ସୁରା ପାନକରି ବିଭୋର ହୋଇ ଉଠିଲେ ।

 

ଆକଣ୍ଠ ଭରି ପ୍ରେମ–ମଦିରା ପାନରେ ଦୁହେଁ ମଜି ରହିଲେ ।

 

ସମସ୍ତେ ଜାଣିଲେ । କେଟ୍ ଆଉ ହ୍ୟାରିସ୍ ସମସ୍ତେ ଜାଣନ୍ତୁ ବୋଲି ଚାହୁଁଥିଲେ ।

 

ଅର୍ଥ ଉପାର୍ଜନର କୌଣସି ଉପାୟ ନ ଖୋଜି କେଟ୍‍ଙ୍କ ପ୍ରେମରେ ମଜି ରହିବାରେ ଜମା ରଖିଥିବା ସମସ୍ତ ଅର୍ଥ ବ୍ୟୟିତ ହୋଇ ଯାଇଥିଲା ।

 

ଜର୍ମାନ ଯୁଦ୍ଧରେ ଦେଶର ଆର୍ଥିକ ଅବସ୍ଥା ଖୁବ୍ ଖରାପ ହୋଇ ଯାଇଥିଲା । ଅର୍ଥନୈତିକ କ୍ଷେତ୍ରରେ ଅନାଟନ ପରିସ୍ଥିତି ବେକାର ସମସ୍ୟାକୁ ଜଟିଳ କରି ଦେଇଥିଲା । ତେଣୁ ହ୍ୟାରିସ୍‍ଙ୍କୁ ଭଲ ଚାକିରି ମିଳିଲା ନାହିଁ । ସେ ୱେଟର୍ କାମ କଲେ ।

 

କେଟ୍‍ଙ୍କର ମା’ ସେ ୱେଟର୍ କାମ କଲେ ବୋଲି ରାଗରେ ଜଳିଗଲେ । ସାମାନ୍ୟ ଜଣେ ୱେଟର୍‍ର ପ୍ରେମରେ ନିଜର ଝିଅ ପଡ଼ିବ ସେ ସହ୍ୟକରି ପାରିଲେ ନାହିଁ । ଅବାଧ ମିଳାମିଶା କରିବାପାଇଁ କେଟ୍‍ଙ୍କୁ ସେ ବାରଣ କଲେ ।

 

ହେଲେ କେଟ୍ ହ୍ୟାରିସ୍‍ଙ୍କ ସାଙ୍ଗରେ ମିଳାମିଶା କରିବାପାଇଁ ପାଗଳ ହୋଇ ଉଠୁଥିଲେ-। ତେଣୁ ଦୁହେଁ ଲୁଚିଛପି ମିଳାମିଶା କଲେ ।

 

ମିସେସ୍ ଗ୍ରେଗାରୀ ଆଉ କ’ଣ କରିବେ ? କହିଲେ କୁଳକୁଟୁମ୍ବକୁ ଲାଜ ନକହିଲେ ଚଳୁନି । ଏହି ଅବସ୍ଥାରେ କେଟ୍‍ଙ୍କୁ ବାଧ୍ୟକରି ଅନ୍ୟତ୍ର ପଠାଇ ଦେଲେ । ହ୍ୟାରିସ୍‍ଙ୍କ ସହିତ କେଟ୍‍ଙ୍କର ପ୍ରେମ ଜମିବା ପୂର୍ବରୁ ସ୍ମିଥ୍ ହ୍ୟାରିସ୍ କେଟ୍‍ର ପ୍ରେମିକ ଥିଲେ । ହ୍ୟାରିସ୍‍ଙ୍କର ସ୍ମିଥ୍ ହ୍ୟାରିସ୍‍ଙ୍କ ସମ୍ପର୍କ ବନ୍ଧୁତ୍ଵପୂର୍ଣ୍ଣ ଥିଲା । ସେ ମଧ୍ୟ ହ୍ୟାରିସ୍‍ଙ୍କର ୱେଟର୍ କାମ କରିବାକୁ ପସନ୍ଦ କଲେ ନାହିଁ । ଫିଲାଡ଼େଲଫିଆ ହ୍ୟାରିସ୍‍ଙ୍କୁ ନେଇଗଲେ । କେଟ୍ ଯିବାପରେ ସେଠି ଆଉ ରହିବାପାଇଁ ହ୍ୟାରିସ୍ ଚାହୁଁ ନଥିଲେ । ତେଣୁ ଫିଲାଡ଼େଲଫିଆ ଗଲେ ।

 

ସେଠି ତାଙ୍କର ନୂଆ ଜୀବନର ଆରମ୍ଭ ହେଲା । ଆଇନ ବ୍ୟବସାୟୀରୂପେ କଚେରିରେ କାମ କଲେ । ଲେଖାଲେଖି ମଧ୍ୟ ଆରମ୍ଭ ହେଲା ।

 

ଅବସର ସମୟରେ ଲିବାର୍ଟି ହଲକୁ ଯିବାକୁ ଲାଗିଲେ । ସେଠି ପରିଚୟ ହେଲା ରୂପସୀ ରୋଜେର ସାଙ୍ଗରେ ।

 

ରୋଜେରଙ୍କ କଥା ସ୍ମିଥ୍ ହ୍ୟାରିସ୍‍ଙ୍କୁ ଆଗରୁ କହିଥିଲେ । ଆଳାପ ପରିଚୟ । ବନ୍ଧୁତା, ବନ୍ଧୁତାରୁ ଘନିଷ୍ଠତା ହେଲା ରୋଜେର ସାଙ୍ଗରେ ।

 

ସବୁ ପ୍ରେମିକାଙ୍କୁ କହିବା ଭଳି ରୋଜେରଙ୍କୁ ପ୍ରେମ ନିବେଦନ ଜଣାଇଲେ ।

 

ବହୁ ପ୍ରେମିକାର ପ୍ରେମିକ ହ୍ୟାରିସ୍ କେଟ୍‍କୁ ଆଲିଙ୍ଗନ କରି କହିଥିଲେ ।

 

“କେଟ୍ ! ତମ ପରି ସୁନ୍ଦରୀ ଆଉ କେବେ ମୁଁ ଦେଖିନି–ତୁମକୁ ଛାଡ଼ି ଦଣ୍ଡେ ମୁଁ ବଞ୍ଚି ପାରିବି ନାହିଁ ।”

 

ଏମିତି ପ୍ରେମିକ ବଡ଼ ସୁବିଧାବାଦୀ । ଅତୀତ ତାଙ୍କ ପାଖରେ ଗଲା କଥା–ବର୍ତ୍ତମାନ ସବୁ କିଛି !

 

ହେଲେ, ରୋଜେର ଅଭିଜ୍ଞ ପ୍ରେମିକା–ତାଙ୍କୁ ଆହ୍ଵାନ ଦେଇ କହିଥିଲେ । “ହ୍ୟାରିସ୍, ସବୁ ପ୍ରେମିକ ସମାନ–ତମେ ବ୍ୟତିକ୍ରମ ହେବ କିମିତି ? ବହୁ ପ୍ରେମିକର ଫାଙ୍କା ଆବାଜ୍ ମୁଁ ଶୁଣି ଶୁଣି ଆସିଛି...”

 

“ମୋ ପ୍ରେମକୁ ତମେ ଅବିଶ୍ଵାସ କରୁଛ ?”

 

“ପରିବେଷ୍ଟନୀରେ, ମୁଁ ଅଣନିଃଶ୍ଵାସୀ ହୋଇ ଯାଇଛି ପ୍ରେମିକ–ଚାରିଆଡ଼କୁ ଅନାଅ । ତମ ପ୍ରଶ୍ନର ଉତ୍ତର ତମେ ପାଇପାରିବ । X X”

 

“ତମେ କହିଛ ସୁନ୍ଦରୀ ! ସବୁଥିର ବ୍ୟତିକ୍ରମ ଅଛି । ସବୁ ପୁରୁଷ ସମାନ ନୁହନ୍ତି । ତମକୁ ଯେବେ କିଏ ପ୍ରତାରିତ କରିଛି, ସେଥିପାଇଁ ମୁଁ କାହିଁକି ଦଣ୍ଡିତ ହେବି ?”

 

ଚିତ୍ତ ଜୟ କରିବାର ଚତୁରତା ପାଖରେ ରୋଜେର ଶେଷରେ ହାରିଗଲେ । ହେଲେ ହ୍ୟାରିସ୍ ବେଶ୍ ଅନୁଭବ କଲେ ଜେସି ବା କେଟ୍‍ପରି ରୋଜେର ସାଧାରଣ ପ୍ରେମିକା ନୁହେଁ । ତା’ ସହିତ ଏ ଖେଳ ବେଶିଦିନ ନୁହେଁ । ତା’ର ପ୍ରେମର ପ୍ରତିଦାନ ସେ କଡ଼ାଗଣ୍ଡାରେ ଆଦାୟ ନକରି ଛାଡ଼ିବ ନାହିଁ ।

 

ରୋଜେର ଭଳି ଝିଅକୁ ବିବାହ କରି ସେ ନିଶ୍ଚୟ ସୁଖୀ ହୋଇଥାନ୍ତେ । ବିଡ଼ମ୍ବିତ ଜୀବନରେ ହ୍ୟାରିସ୍ କ’ଣ ତା’ କରାଇଦେଲେ ? ସ୍ଵଭାବସୁଲଭ ପ୍ରତାରଣାରେ ରୋଜେରକୁ ପ୍ରତାରିତ କରି ସେ ଇଉରୋପ ଚାଲିଗଲେ ।

 

ହାୟରେ ରୋଜେର....ସମସ୍ତ ପୁରୁଷଙ୍କ ପରି ହ୍ୟାରିସ୍ ପ୍ରତାରକ । ସେ ବ୍ୟତିକ୍ରମ ହେବେ କେମିତି ??

 

ଲଣ୍ଡନରେ ପହଞ୍ଚି ଫର୍ଟନାଇଟିଂ ପତ୍ରିକାରେ କାମ କରିବାପାଇଁ ଚୁକ୍ତିକଲେ ।

 

ପତ୍ରିକା ନେଇ ଜଣେ ଲେଖିକାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ଯାଇଥିଲେ । ପରିଚାରିକା ତାଙ୍କୁ ଡ୍ରଇଂରୁମ୍‍ରେ ବସାଇ ଦେଇଗଲେ ।

 

ଡ୍ରଇଂରୁମ୍‍ରେ ଆଉ ଜଣେ ତରୁଣୀ ମଧ୍ୟ ଅପେକ୍ଷା କରି ବସିଥିଲେ ।

 

ନିରବତା ଭଙ୍ଗ କରି ଫୁରନ୍ତ ଯୌବନରେ ଫାଟିପଡ଼ୁଥିବା ପ୍ରତିକ୍ଷାଶୀଳା ତରୁଣୀଙ୍କ ପ୍ରତି ଲୋଳୁପ ଦୃଷ୍ଟି ପକାଉ ପକାଉ ହ୍ୟାରିସ୍ ତାଙ୍କ ସହିତ କଥାବାର୍ତ୍ତା କରିବାପାଇଁ ଲୋଭିଲା ହୋଇ ଉଠିଲେ ।

 

ତରୁଣୀଟି ହ୍ୟାରିସ୍‍ଙ୍କୁ ଦେଖି କିମିତି ବିବ୍ରତ ହୋଇ ପଡ଼ିଲାପରି ତାଙ୍କ ମୁଖମଣ୍ଡଳରୁ ଜଣାପଡ଼ୁଥିଲା ।

 

ହ୍ୟାରିସ୍ କହିଲେ, ‘‘ଏମିତି ଭାବରେ ଅପେକ୍ଷା କରିବାକୁ ଭାରି କଷ୍ଟ ହୁଏ ! ନୁହେଁ ?”

 

ତରୁଣୀଟି କିଛି ଉତ୍ତର ଦେବେ କି ନାହିଁ; କିଛି ସମୟ ଭାବି କହିଲେ–“ଅପେକ୍ଷା କରିବା ପାତ୍ର ଓ ପାତ୍ରୀଙ୍କ ଉପରେ ସେଇଟା ପୁରା ମାତ୍ରାରେ ନିର୍ଭର କରେ ।”

 

‘ନିଶ୍ଚୟ ! ଆପଣ ଇଂରେଜ ନା ?”

 

“ଅଧେ ଇଂରେଜ ଅଧେ ଆଇରିସ୍ । ଆପଣ ?”

 

‘ମୋତେ ଅଧେ ଆଇରିସ୍ ବୋଲି କହି ପାରନ୍ତି, ମୋ ନାମ ଫ୍ରାଙ୍କ୍ ହ୍ୟାରିସ୍.....”

 

“ମୋ ନାମ ଲରା...”

 

“ଲରା–ବାସ୍, ଭଲ ନାମଟିତ...”

 

ତରୁଣୀଟି ଲଜ୍ଜା ଅବନତ ଭାବରେ ମଥା ପୋତି ଦେଲେ ।

 

ଲରାର ବାବା ଜଣେ ବ୍ରୋକର । ଗାୟୋ ଷ୍ଟ୍ରିଟ୍‍ରେ ସେମାନେ ରହୁଥାନ୍ତି ।

 

ଲରା ଅଭିନେତ୍ରୀ ହୋଇ ରଙ୍ଗମଞ୍ଚରେ କାମ କରିବାପାଇଁ ଇଚ୍ଛା କରିଥିଲେ । ବାପ ମା’ ସେମାନଙ୍କର ରକ୍ଷଣ–ଶୀଳତା ପାଇଁ ତାଙ୍କୁ ଅନୁମତି ଦେଲେ ନାହିଁ । ଅବସୋସ ରହିଯାଇଛି ଲରାର ।

 

ଶୁଣୁଥିଲେ ହ୍ୟାରିସ୍ ।

 

ଲରା ହ୍ୟାରିସ୍‍ଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆସିଲା ।

 

ହ୍ୟାରିସ୍ ଲରା ଘରକୁ ଯଥାସମୟରେ ଯାଇ ଉପସ୍ଥିତ ହେଲେ । ଲରାର ବାପ, ମା’, ଆତ୍ମୀୟଙ୍କ ସାଙ୍ଗରେ ପରିଚୟ ହେଲା ।

 

ହ୍ୟାରିସ୍ ନିୟମିତ ଲରା ଓ ତା’ର ପରିବାର ବର୍ଗଙ୍କୁ ସଂଖୁଳିବାକୁ ଲାଗିଲେ । ଲରା ସହିତ ଥିଏଟର ଦେଖିବାକୁ ଗଲେ ।

 

ଲରା ବାବାଙ୍କ ପ୍ରସ୍ତାବ କ୍ରମେ ଖ୍ରୀଷ୍ଟମାସ କଟାଇବା ପାଇଁ ବ୍ରାଇଟନ୍ ଗଲେ ।

 

ବ୍ରାଇଟନ୍‍ର ଚମତ୍କାର ପରିବେଶ ଅମାପ ଆନନ୍ଦ ଦେଲା ।

 

“ତମେ କେତେ ସୁନ୍ଦର ଲରା...”

 

ଲରାର ରକ୍ତିମ ଓଷ୍ଠ ଯୁଗଳ ଆହୁରି ଲାଲ ହୋଇ ଉଠିଲା ।

 

ବକ୍ର ଆଖିରେ ଲରା କହିଲା “ସତେ ମୁଁ ତମକୁ ସୁନ୍ଦର ଦିଶୁଛି ?”

 

“ମୋତେ ତମେ ଆଉ ପାଗଳ କରି ଦିଅନା !”

 

ଲରା ହ୍ୟାରିସ୍ କ’ଣ କହିବାକୁ ଚାହୁଁଛନ୍ତି ଆଉ ବୁଝିବାକୁ ବାକି ରହିଲା ନାହିଁ । କଥାର ଗତିଟି ବଦଳାଇ ନେଲେ ।

 

“ତମେ ଆଉ ମୋତେ ଭଣ୍ଡାଇ ଦେବାକୁ ଚେଷ୍ଟା କରନା । ତମକୁ ଗୋଟାକ ପଣେ ମୋର କରି ନେବାକୁ ଚାହେଁ ।”

 

କହୁ କହୁ ଲରାକୁ ଆଲିଙ୍ଗନ କରି ତାଙ୍କର ଉତ୍ତପ୍ତ ଓଷ୍ଠରେ ଲରାର ରକ୍ତିମ ଚିବୁକକୁ ବାରବାର ଚୁମ୍ବନ ଦେଲେ ।

 

ଲରା ଘୁଞ୍ଚି ଯିବାକୁ ଉଦ୍ୟମ କଲା ।

 

“ନା, ନା.......”

 

ହ୍ୟାରିସ୍ ଦବିଗଲେ, ଲରା ଘୁଞ୍ଚିଗଲା ।

 

“ତମେ ଯାହା ଚାହୁଁଚ ମୁଁ ବୁଝିପାରୁଛି । ଧନ ଆଉ ସମ୍ମାନ ପ୍ରତିଷ୍ଠା କରିବାପାଇଁ ଏକ ବରଷ ସମୟ ଦିଅ ।

 

“ତମକୁ ମୁଁ ଭଲପାଏ । ଅନନ୍ତ କାଳ ତୁମକୁ ମୁଁ ପ୍ରତିକ୍ଷାରେ ରହିଲି...” ଲରା କହିଲା ।

 

ଲରାକୁ ହ୍ୟାରିସ୍ ବିବାହ କରିବା ସ୍ଵପ୍ନରେ ବିଭୋର ହୋଇ ଉଠିଲେ । ଅର୍ଥ ଉପାର୍ଜନ କରିବାକୁ ହେବ ।

 

ସମସ୍ତେ ଏକମାସ ପାଳନ କରି ଲଣ୍ଡନ ଫେରି ଆସିଲେ ।

 

ଲରାର ବାପା ହ୍ୟାରିସ୍‍ଙ୍କ ଉଦାରତା ପାଇଁ ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ନିଜର ଅଭାବ ଦର୍ଶାଇ ପ୍ରଚୁର ଅର୍ଥ ସାହାଯ୍ୟ ମାଗିଲେ ।

 

ଲରାର ବାବାଙ୍କର ଅସହାୟ ଆର୍ଥିକ ପରିସ୍ଥିତିରେ ସାହାଯ୍ୟ କରିବା ଉଚିତ ଭାବି ହ୍ୟାରିସ୍‍ଙ୍କର ଯାହା କିଛି ଅର୍ଥଥିଲା, ଦେଇଦେଲେ ।

 

ସମସ୍ତ ଅର୍ଥ ଦେଇ ଦେଇ ଭୟଙ୍କର ଆର୍ଥିକ ସଙ୍କଟରେ ପଡ଼ିଲେ ହ୍ୟାରିସ୍ ।

 

ପୁଣି ପ୍ରଚୁର ଅର୍ଥ ସଂଗ୍ରହ କଲାପରେ ଲରାକୁ ବିବାହ କରିବେ ।

 

ନିଜ କାମରେ ଲାଗି ପଡ଼ିଲେ ହ୍ୟାରିସ୍ ।

 

ଲିସିଆ ଥିଏଟରରେ ଗୋଟିଏ ନୂଆ ନାଟକ ଅଭିନୀତ ହେଉଥାଏ । ଭୟଙ୍କର ଲୋକ ଭିଡ଼ ।

 

ହ୍ୟାରିସ୍ ଏକାକୀ ଅଭିନୟ ଦେଖିବାକୁ ଯାଇଥିଲେ । ହଠାତ୍ ଗୋଟିଏ କାର୍ ଅଟକି ଗଲା । ସେଥିରୁ ଲରା ଓହ୍ଲାଉଛି । ତା’ ସାଙ୍ଗରେ ଜଣେ ସୁଶ୍ରୀ ସମ୍ଭ୍ରାନ୍ତ ବଂଶୀୟ ଯୁବକ । ଦୁହେଁ ହାତ ଧରାଧରି ହୋଇ ହସି ହସି ହଲ ଭିତରକୁ ପଶିଗଲେ ।

 

ନିର୍ଜୀବ ଭାବରେ ଛିଡ଼ା ହୋଇ ରହିଲେ ହ୍ୟାରିସ୍ ।

 

ଏମିତି ପ୍ରତାରିତ କଲା ଲରା ! ହେ ଭଗବାନ ! ତମେ ଅଛତ...

 

ଆଉ ଲରା କଥା ସେ ଭାବିବେ ନାହିଁ ।

 

ଦିନ ଗଡ଼ି ଚାଲିଲା ।

 

ହଠାତ୍ ଦିନେ ପୁଣି ଦେଖା ହେଲା ଲରା ସାଙ୍ଗରେ ସେହି ଥିଏଟର ପ୍ରାଙ୍ଗଣରେ । ସେ ଯୁବକ ଆଉ ତା’ ସାଙ୍ଗରେ ନାହିଁ । ହ୍ୟାରିସ୍ ଦେଖି ମୁହଁ ବୁଲାଇ ଦେଇ ଚାଲିଯିବାକୁ ଚେଷ୍ଟା କଲେ-

 

ଲରା ତାଙ୍କୁ ଅଟକାଇ ନେଲେ ।

 

“ଆଉ ତ ତମର ଦେଖା ନାହିଁ ? ମୋତେ ଦେଖିବାକୁ ଆଉ କ’ଣ ମନ ବଳୁନାହିଁ ।” ଲରା କହିଲେ ।

 

ଲରାର ଏହି ଅନାବଶ୍ୟକ ଅଭିଯୋଗର କୌଣସି ଉତ୍ତର ଦେବାକୁ ସେ ଇଚ୍ଛା କରୁ ନଥିଲେ । ଲରାର କୃତ୍ରିମତା ତାଙ୍କୁ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ଅନେକ କହିବେ କହିବେ ବୋଲି ଭାବୁଥିଲେ ହେଲେ କିଛି ନ କହି ନୀରବ ରହିଲେ ।

 

ହ୍ୟାରିସ୍‍ଙ୍କ ନୀରବତାରେ ଲରା ବ୍ୟସ୍ତ ହୋଇଉଠିଲେ ।

 

ଶେଷରେ “କ୍ରାଇଟେରୀୟାନ୍” କାଫେରେ ଡିନରପାଇଁ ତାଙ୍କୁ ନିମନ୍ତ୍ରଣ କଲେ ।

 

କିନ୍ତୁ ତା’ ପରଦିନ ଲଞ୍ଚ୍‍ରେ ଦୁହେଁ ସେ ହୋଟେଲରେ ମିଶିଲେ ।

 

ଖାଇ ସାରିବା ପରେ ଦୁହେଁ, ସେ ହୋଟେଲରେ ଗୋଟିଏ ନିଭୃତ କୋଠରୀକୁ ଚାଲିଗଲେ ।

 

ହ୍ୟାରିସ୍, କୋଠରୀର ଦରଜା, ଝରକା ବନ୍ଦ କରିଦେଲେ ।

 

ଦୁଇଟି ମିଳନ ପିପାସୁ ଆତ୍ମାର ମିଳନ ଘଟିଲାକି ନାହିଁ କହିହେବ ନାହିଁ । ହେଲେ କୁତ୍ସିତ ପ୍ରେମଭିଳାଷୀ ହ୍ୟାରିସ୍ ତାଙ୍କର ବହୁଦିନର କାମ ପିପାସା ମେଣ୍ଟାଇବା ପାଇଁ ସବୁ ମାନ ଅଭିମାନ ଭୁଲିଯାଇ ଲରାକୁ ବାହୁପଲ୍ଲବରେ ବାନ୍ଧି ରଖିଲେ ।

 

ଲରା ପୂର୍ବା ଭଳି ଆଉ ନିଜକୁ ଅଲଗା କରି ରଖିଲେ ନାହିଁ । ନିଜକୁ ଅସହାୟ ଭାବରେ ସମର୍ପଣ କରିଦେଲେ ।

 

ହ୍ୟାରିସ୍ ପ୍ରାଣଭରି ନିଃଶେଷ କରି ଦେଲେ ଲରାଙ୍କୁ । ବିବାହ କଥା ଆଉ ଉଠେ ନାହିଁ ।

 

ଲରାର ଆଗ ପରି ଆଉ ଉତ୍ତାପ ନାହିଁ । ଅନେକ ପୁରୁଷ ପାଖରେ ସେ ଏମିତି ଭାବରେ ଆତ୍ମସମର୍ପଣ କରି କରି ଆସିଛି ।

 

ସେ ଦିନ ଲରାର ସମାଧି ହୋଇଛି–ଏଇ, ଲରା ବହୁ ପ୍ରେମିକର ଲରା ।

 

ୟାକୁ ବିବାହ କରି ଆଉ ଲାଭ ନାହିଁ । ଲରାକୁ ହ୍ୟାରିସ୍‍ଙ୍କର ମନକଥା ବୁଝିବାକୁ ଆଉ ବିଳମ୍ବ ହେଲା ନାହିଁ ।

 

ଦିନେ ବିରକ୍ତରେ ଲରା କହିଲା, “ତମେ ମୋତେ ଆଉ ଚାହୁଁନା ! ସେଥିପାଇଁ ମୋର ଦୁଃଖ ନାହିଁ । ମୋତେ ଅନେକ ଲୋକ ଚାହିଁ ବସିଛନ୍ତି । ମିଷ୍ଟର୍ ହଜ୍ ମୋ ଯିବା ବାଟକୁ ଚାହିଁ ବସିଛନ୍ତି । ତାଙ୍କର ପ୍ରଚୁର ଅର୍ଥ ଅଛି ।

 

ଲରାଙ୍କ ସହିତ ତାଙ୍କ ସମ୍ପର୍କ ତୁଟିଗଲା । ଏହାପରେ ତାଙ୍କ ଜୀବନରେ ଆସିଲେ ହନ୍ ଏଡ଼ିଥ୍ ।

 

ଏହି ତରୁଣୀ ବିଧବା ଓ ଧନବତୀ । ଏଡ଼ିଥ୍‍ଙ୍କୁ ଧୋକା ଦେଇ ପାରିଲେ ନାହିଁ । ବନ୍ଧା ପଡ଼ିଗଲେ । ତାଙ୍କୁ ବିବାହ କରିବାକୁ ବାଧ୍ୟ ହେଲେ ।

 

ବୈବାହିକ ଜୀବନରେ କେତୋଟି ଦିନ ଶୃଙ୍ଖଳିତ ହୋଇଥିଲେ ମାତ୍ର । ପରେ ଏତେ ବିଶୃଙ୍ଖଳ ହୋଇ ପଡ଼ିଲେ ଯେ ଲଣ୍ଡନର ବିଦଗ୍ଧ ସମାଜ ତାଙ୍କପାଇଁ ହଇଚଇ ପଡ଼ିଗଲେ ।

 

ଋଷିଆର ନର୍ତ୍ତକୀ ସମ୍ବନ୍ଧରେ ଅଶ୍ଳୀଳ ମନ୍ତବ୍ୟପାଇଁ ତାଙ୍କୁ ଏକମାସ ଜେଲ ଭୋଗିବାକୁ ପଡ଼ିଲା ।

 

ଜେଲରୁ ଆସି ଲୀଳିଲାରୁ କିଛି ଗୋପନୀୟ କାଗଜପତ୍ର ନେଇ ଆମେରିକା ଚାଲିଗଲେ-

 

୧୯୨୭ ମସିହାରେ ହ୍ୟାରିସ୍ ଲିଳାକୁ ଫେରିଆସି, “ମାଇ ଲାଇଫ୍ ଏଣ୍ଡ ଲଭ୍” ଅଶ୍ଳୀଳ ଆତ୍ମଲିପି ସମାପ୍ତ କଲେ ।

 

ଶେଷରେ ସେ ବର୍ଣ୍ଣାଡ଼ ଶ’ଙ୍କ ଜୀବନୀ ଲେଖିବା ଆରମ୍ଭ କଲେ । କିନ୍ତୁ ଶେଷ କରିପାରିଲେ ନାହିଁ । ବର୍ଣ୍ଣାଡ଼ ଶ’ ନିଜେ ଶେଷ କଲେ ।

 

ଇଂରେଜୀ ସାହିତ୍ୟର ଏହି ସ୍ଵନାମଧନ୍ୟ ଲେଖକ ଆଜୀବନ ବହୁ ତରୁଣୀଙ୍କର ତାରୁଣ୍ୟରେ ଆତ୍ମବିଭୋର ହୋଇ ୧୯୩୧ ମସିହାରେ ଶେଷ ନିଃଶ୍ଵାସ ଛାଡ଼ିଲେ ।

☆☆☆

 

ପ୍ରେମିକ ସମ୍ରାଟ ଏଡ଼୍‍ୱାର୍ଡ଼

 

ଅଳକାପୁରୀ ନିନ୍ଦି ପ୍ୟାରିସ୍‍ର ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ । ଅନ୍ୟ ଦିନ ପରି ଆଜି ଦର୍ଶକର ଭିଡ଼ ନାହିଁ । ହେଲେ କର୍ମକର୍ତ୍ତାମାନଙ୍କର ତତ୍ପରତାରେ ପ୍ରେକ୍ଷାଳୟଟି ମୁଖରିତ ହୋଇଉଠିଛି ।

 

ନୂଆ ଚିତ୍ର କାହାଣୀର ଶୁଭାରମ୍ଭ ହେବ ।

 

ଏକ ସମ୍ରାଟଙ୍କର ସାମ୍ରାଜ୍ୟ ତ୍ୟାଗ କାହାଣୀ ।

 

ଦଶର୍କ ହିସାବରେ ନିମନ୍ତ୍ରିତ ହୋଇଛନ୍ତି ଅଷ୍ଟମ ଏଡ଼୍‍ୱାର୍ଡ଼, ଡିଉକ୍ ଅଫ୍ ଉଇଣ୍ଡସର୍ । ଆଉ ତାଙ୍କ ପ୍ରଣୟୀ ବିଗତ ଯୌବନା ରୂପସୀ ସିମ୍ପସନ୍ ।

 

ରୁପେଲି ପରଦା ଉପରେ ଗୋଟିଏ ପରେ ଗୋଟିଏ ଘଟଣା ପ୍ରାଣବନ୍ତ ହୋଇଉଠିଲା । ସବୁ ଘଟଣା ବାସ୍ତବ ଓ ଐତିହାସିକ ।

 

ଭଲ ପାଇବାର ଶେଷ କେଉଁଠି ତା’ର ଉପସଂହାର ନାହିଁ । ସେହି ଚିରସ୍ମରଣୀୟ ସଂକଳ୍ପ । ସମ୍ରାଟତ୍ଵ ଅମ୍ଳାନ ବଦନରେ ପ୍ରତ୍ୟାଖ୍ୟାନ ।

 

ଅନ୍ଧକାର ମଧ୍ୟରେ ଡିଉକ୍ ଆତ୍ମବିମୁଗ୍‍ଧ । ବାରବାର ପ୍ରଣୟୀ ଚିବୁକରେ ଚିବୁକ ମିଶାଇ ଘନଘନ ଚୁମ୍ବନ ।

 

ଆଲୁଅ ଜଳି ଉଠିବା ପରେ ଡିଉକ୍‍ଙ୍କ ବାହୁବନ୍ଧନରେ ରୂପସୀ ଆତ୍ମସମର୍ପଣ କରି ଘନଘନ ଚୁମ୍ବନର ପରଶ ଅନୁଭବ କଲେ ।

 

ବୃଦ୍ଧ ଡିଉକ୍, ଜୀବନର ଶେଷ ପ୍ରାନ୍ତରରେ ପ୍ରିୟାକୁ ଅତୀତ ଜୀବନରେ ଘଟନାବଳି ପାଇଁ ଦୃଷ୍ଟି ଫେରାଇବା ପାଇଁ ଯେଉଁ ଉଦ୍ୟମ କରିଥିଲେ, ସେଥିପାଇଁ କ୍ଷମା ମାଗୁ ମାଗୁ ଆଖିରେ ଝରି ଆସିଥିବା ଅଶ୍ରୁ ବିନ୍ଦୁକୁ ନିଜ ରୁମାଲରେ ସଂଚିତ କରୁଥିଲେ ସତେ ।

 

ବିଗତ ଜୀବନର ସ୍ମରଣୀୟ ଦିନଗୁଡ଼ିକ ଆଖି ଆଗରେ ଭାସି ଭାସି ଚାଲିଛି । ସେଥିରେ ଆତ୍ମବିସ୍ମୃତି ଭିତରେ ବାସ୍ତବତା ଉଙ୍କି ମାରି ଉଠିଛି ।

 

ଏଡ୍‍ୱାର୍ଡ଼ଙ୍କ ସିଂହାସନ ଛାଡ଼ିବା ସଂକଳ୍ପ ବିଶ୍ଵବାସୀଙ୍କୁ ସ୍ତମ୍ଭିତ କରିପକାଇଥିଲା ।

 

ଇଂରେଜ ରାଜପରିବାର, ବ୍ରିଟେନବାସୀ, ସାମ୍ରାଜ୍ୟର ପ୍ରଜାମଣ୍ଡଳୀ ସମସ୍ତେ ତାଙ୍କପାଇଁ ସମବେଦନାଶୀଳ ହୋଇ ଉଠିଲେ ।

 

ସାମାନ୍ୟ ଜଣେ ନାରୀପାଇଁ ବ୍ରିଟିଶ ସାମ୍ରାଜ୍ୟର ଲୋଭ ଏଡ଼ି ପାରିଲେ ଏଡ଼୍‍ୱାର୍ଡ଼ !

 

ଅସ୍ଥାୟୀ ସମ୍ରାଟ ଗୁରୁଗମ୍ଭୀର ଭାବରେ ଜଣାଇଲେ, ନିଜ ଇଚ୍ଛା ଅନୁସାରେ ବିବାହ କରିବାର ସ୍ଵତନ୍ତ୍ରତା ଯେବେ ନାହିଁ, ସମ୍ରାଟ ହେବା ହାସ୍ୟାସ୍ପଦ ନୁହେଁ ଆଉ କ’ଣ ?

 

ତିକ୍ତ ସମାଲୋଚନା ଚାରିଆଡ଼େ ଗୁଞ୍ଜରିତ ହୋଇଉଠେ । ଯେଉଁ ନାରୀ ଥରଥର କରି ଦୁଇଥର ବିବାହ କରି ଡାଇଭର୍ସ୍ କରିଆସିଛି, ଭବିଷ୍ୟତରେ ପୁଣି ଏଡ଼୍‍ୱାର୍ଡ଼ଙ୍କୁ ଯେ ତ୍ୟାଗ ନ କରିବେ, ତା’ର ଗ୍ୟାରେଣ୍ଟି କେଉଁଠି ?

 

ସେତେବେଳେ ଏଡ଼୍‍ୱାର୍ଡ଼ ଜୀବନରେ ଥଳକୂଳ ପାଇବେ ନାହିଁ । ସିଂହାସନ ଯାଉଛି ଆଉ ପ୍ରଣୟୀ ମଧ୍ୟ ହତାଶ କରିବ ।

 

“କାହିଁକି ଏତେ ସହାନୁଭୂତି, ତାଙ୍କପାଇଁ ଏତେ ଚିନ୍ତା କରି କି ଲାଭ ?” ଏଡ଼୍‍ୱାର୍ଡ଼ ଏତିକି ମାତ୍ର ସମାଲୋଚକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ଜଣାଇ ଦିଅନ୍ତି ।

 

ହେଲେ, ଇଂଲଣ୍ଡର ସମ୍ବାଦପତ୍ର ତାଙ୍କୁ ବିରକ୍ତ କରୁ ନଥିଲା । ତିଳକୁ ତାଳ କରିବା, ସମ୍ବାଦପତ୍ରର ବେଉସା । ହେଲେ ସେହି ସମ୍ବାଦପତ୍ର ବରଂ ସହାନୁଭୂତିଶୀଳ) ଭାବରେ ତାଙ୍କୁ ଲକ୍ଷ୍ୟ କରୁଛନ୍ତି ।

 

ଏଡ଼୍‍ୱାର୍ଡ଼ଙ୍କର ପରମ ବନ୍ଧୁ ଲର୍ଡ଼ ବିଭାର ବ୍ରୁନ୍, ଇଂଲଣ୍ଡ ସମ୍ବାଦପତ୍ରର ଏକଛତ୍ର ସମ୍ରାଟ କହିଲେ ଭୁଲ ହେବ ନାହିଁ । ତାଙ୍କର ନିର୍ଦ୍ଦେଶ ଏଡ଼ୱାର୍ଡ଼ଙ୍କର ପ୍ରେମ ସଂକ୍ରାନ୍ତିୟ ବ୍ୟାପାରରେ ଶେଷ ପର୍ଯ୍ୟନ୍ତ ଖବରକାଗଜ ମାଲିକମାନେ ସଂଯତ ଅଭିମତ ପୋଷଣ କରନ୍ତୁ ।

 

ଆମେରିକାନ୍ ପ୍ରେସ୍ ନିରବ ନଥିଲେ । ଅତିରଞ୍ଜିତ ଭାବରେ ସମ୍ୱାଦ ପରିବେଷଣ କରନ୍ତି ।

 

ରେଡ଼୍ ବୁକ୍ ମାଗାଜିନ୍‍ର ଲେଖା ପ୍ରକାଶ ପାଇଲା “ଏଡ଼୍‍ୱାର୍ଡ଼ଙ୍କୁ ପ୍ୟାଲେସ୍‍ରେ ନଜରବନ୍ଦୀ ପରି ରଖାଯାଇଛି । ରାଜକୀୟ କର୍ମଚାରୀ କ୍ୟାବିନେଟ ମନ୍ତ୍ରୀମାନଙ୍କ ବ୍ୟତୀତ ଅନ୍ୟ କାହାରି ସାଙ୍ଗରେ ମିଳାମିଶାର ସୁଯୋଗ ଦିଆଯାଉ ନାହିଁ । ସ୍ଵଚ୍ଛନ୍ଦରେ ମିଳାମିଶା ଓ ଖେଳାବୁଲା କରିବାରୁ ବଞ୍ଚିତ ହୋଇ, ଯୌବନରେ ଖୁବ୍ କମ୍ ଘନିଷ୍ଠ ବନ୍ଧୁ ପାଇପାରିଛନ୍ତି ।

 

ଏହିପରି ଭାବରେ ନିୟନ୍ତ୍ରିତ ଜୀବନରେ ଯେବେ ସୁଯୋଗ ଆସେ ମିସ୍ ସିମ୍ପସନ୍ ପରି ପରମା ସୁନ୍ଦରୀ ଯୁବତୀ ସଙ୍ଗରେ ଅଳ୍ପ ପରିଚୟ ଘଟେ । ତେବେ ହୃଦୟ ହରାଇବାରେ କୌଣସି ବିଚିତ୍ରତା ନାହିଁ ।

 

ସୁପ୍ରସିଦ୍ଧ ମାର୍କିନ୍ ସାମ୍ବାଦିକ ଆର୍ଥର୍ ବ୍ରିସ୍ ବ୍ରେନ୍ ଲେଖିଲେ “ଏଡ଼୍‍ୱାର୍ଡ଼ ଯଦି ସଲୋମାନର ବଂଶ ସମ୍ଭୂତା କୌଣସି ଆବିସିନିୟାନ ରାଜକୁମାରୀଙ୍କୁ ବିବାହ କରନ୍ତି, ତେବେ ଇଂରେଜମାନଙ୍କର କୌଣସି ଆପତ୍ତି ରହିବ ନାହିଁ । ରକ୍ଷଣଶୀଳ ଇଂରେଜ ଚାହାନ୍ତି ତାଙ୍କ ସମ୍ରାଟ କୌଣସି ରାଜକନ୍ୟାକୁ ବିବାହ କରନ୍ତୁ । ସାଧାରଣ ଜଣେ ଆମେରିକାନ୍ ରମଣୀ ! ପୁଣି ବିବାହିତା-। ଥରେ ନୁହେଁ ଦୁଇଥର ସ୍ଵାମୀ ପରିତ୍ୟକ୍ତା ।

 

ଅଶ୍ରୁଳ ଆଖିରେ ସେ ସବୁ ଡିଉକ୍ ଆଜି ଦେଖି ଯାଉଛନ୍ତି । ମନେ ପଡ଼ି ଯାଉଛି ପ୍ରିୟତମା ସହିତ ତାଙ୍କର ପ୍ରଥମ ଦେଖା ।

 

ଶୀତ ସନ୍ଧ୍ୟା । ଲିଷ୍ଠର ସାୟାରର ଜଣେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ ଡିଉକ୍ ।

 

ବନ୍ଧୁଙ୍କ ଗୃହରେ ମାର୍କିନ୍ ଦମ୍ପତି ଆଗରୁ ଆସି ଆତିଥ୍ୟ ଗ୍ରହଣ କରିଥିଲେ । ସେମାନେ ହେଲେ, ମିଷ୍ଟର୍ ସିମ୍ପସନ୍ ଓ ମିସେସ୍ ସିମ୍ପସନ୍ ।

 

ମିଷ୍ଟର୍ ସିମ୍ପସନ୍ ମିଷ୍ଟଭାଷୀ । ଭଦ୍ର ଓ ସରଳ ।

 

ମିସେସ୍ ସିମ୍ପସନ୍ ସୁନ୍ଦରୀ, ଶାନ୍ତ ଓ ସୁରସିକା ।

 

ରକ୍ଷଣଶୀଳ ସ୍ଵଭାବ ପ୍ରସିଦ୍ଧ ଇଂରେଜମାନଙ୍କର ଦାୟାଦରୂପେ ଯୁବରାଜ ଆଳାପନା ଆରମ୍ଭ କଲେ ।

 

ଜଳବାୟୁ, ଟାଇର ରଙ୍ଗ ନେଇ ଆଲୋଚନା ଆରମ୍ଭ ହେଲା । “ଶୀତ ଦିନେ ଏଠାକାର ଜଳବାୟୁ ନିଷ୍ଠୁର ହୋଇ ଉଠେ । ବିଦେଶୀ ଭ୍ରମଣକାରୀଙ୍କ ପାଇଁ ଏକବାର ଅସହ୍ୟ । ଆପଣ ଉପଭୋଗ କରିପାରୁନାହାନ୍ତି, ମିସେସ୍ ସିମ୍ପସନ୍ !” ଏଡ଼୍‍ୱାର୍ଡ଼ କହିଲେ ।

 

ବୁଦ୍ଧିମତୀ, ମାର୍କିନ୍ ତରୁଣୀ ହସିଲେ । କି ମୁକ୍ତାନନ୍ଦି ସେ ହସ । କି କମ୍ପନ ସେ ଚିବୁକରେ । ଏଡ଼୍‍ୱାର୍ଡ଼ଙ୍କର ପ୍ରାଣରେ ସେ ହସ ଲାଖି ରହିଲା । ଅବିସ୍ମରଣୀୟ ସେ ହସ ।

 

କେତେକ ଅତିଥି ଉପସ୍ଥିତ ଥିଲେ । ବେଶି ସମୟ ଜମି ପାରିଲାନି ସେହି ମଧୁ ଆଳାପନା । ଖୁବ୍ ସଂକ୍ଷିପ୍ତ ମନେହେଲା ସେହି ଅବସର ବିନୋଦନ । ହେଲେ, ମିସେସ୍ ସିମ୍ପସନ୍‍ଙ୍କର ସେ ସଲ୍ଲଜ ନୟନ, ସଦ୍ୟପ୍ରସ୍ଫୁଟିତ ଗୋଲାପ ନିନ୍ଦି ହସରସ, ମାଧୁରୀବୋଳା ରୂପଲାବଣ୍ୟ, ତାଙ୍କୁ ଆତ୍ମବିଭୂତ କରି ପକାଇଲା ।

 

ପୁଅର ବିବାହ ବୟସ ହୋଇଛି, ସାମ୍ରାଜ୍ଞୀ ମେରି ଚିନ୍ତିତ ହୋଇ ଉଠିଲେ । ସମ୍ରାଟ ପଞ୍ଚମ ଜର୍ଜ ଯୁବରାଜଙ୍କ ବିବାହପାଇଁ ବ୍ୟଗ୍ର ହୋଇ ଉଠିଲେ । ଯୁବରାଜଙ୍କ ଲାଖି ରାଜକନ୍ୟାଟିଏ ବାଛି ବାହାର କରିବାକୁ ହେବ । ହେଲେ, ଯୁବରାଜ ଆପାତତଃ ବର୍ତ୍ତମାନ ପାଇଁ ବିବାହ କରିବେ ନାହିଁ ବୋଲି ଜଣାଇ ଦେଲେ । ପରେ ଭାବିଚିନ୍ତି ସ୍ଥିର କରିବେ ବୋଲି ଇଙ୍ଗିତ ଦେଲେ ।

 

ତାଙ୍କର ବିବାହ ନହେଲେ, ଭାଇ ଷଷ୍ଠ ଜର୍ଜଙ୍କର ବିବାହରେ ଯେପରି ଅସୁବିଧା ନ ଘଟେ, ସେଥିପାଇଁ ମା’ଙ୍କୁ ଷଷ୍ଠ ଜର୍ଜଙ୍କର ବିବାହ କରାଇ ଦେବାପାଇଁ ଅନୁରୋଧ କଲେ । ଷଷ୍ଠ ଜର୍ଜଙ୍କର ବିବାହ ହୋଇଗଲା । ଭାଗ୍ୟକୁ ନିଜର ମନକଥା କାହାକୁ ନ ଜଣାଇ ଏଡ଼୍‍ୱାର୍ଡ଼ ଗୋପନ କରି ରଖିଲେ ।

 

ଭାବୀ–ସମ୍ରାଟ ଏଡ଼୍‍ୱାର୍ଡ଼ ବିବାହ କରିବାପାଇଁ ଅନିଚ୍ଛା ପ୍ରକାଶ କରିବା ଜାଣି ଇଂଲଣ୍ଡର ଲର୍ଡ଼ମାନେ ୟୁରୋପର ରାଜାମାନେ ବହୁ ଭାବରେ ଆଲୋଚନା କରିବସିଲେ ।

 

ଭାବୀ–ସମ୍ରାଟଙ୍କର ଚିତ୍ତ ଜୟ କରିଛି କିଏ ?

 

ପ୍ରଥମ ଦେଖାରେ ଓୟାଲିସ୍ କ’ଣ.... ।

 

ହେଲେ ସେ ବିବାହିତା । ତାଙ୍କର ସ୍ଵାମୀ ଅଛନ୍ତି–ସ୍ଵାମୀ ସୁହାଗିନୀ ।

 

ଓୟାଲିସ୍ ସିମ୍ପସନ୍‍ଙ୍କର ଜନ୍ମ ୧୮୯୬ ସାଲ ଜୁନ୍ ୧୯ ତାରିଖରେ । କିଶୋରୀ ତରୁଣୀ ଯୌବନରେ ଅପୂର୍ବ ଯୌବନ ସମ୍ଭାର ନେଇ ୧୯୧୬ ସାଲରେ ଲେଫ୍‍ଟନାଣ୍ଟ ସ୍ପେନ୍‍ସାରଙ୍କୁ ବିବାହ କଲେ ।

 

ବୈବାହିକ ଜୀବନର ୧୦ ବରଷ ପରେ ଆଇନସିଦ୍ଧ ଭାବରେ ଦୁଇଜଣ ଅଲଗା ହୋଇଗଲେ । ବିଚ୍ଛେଦ ପରେ ଓୟାଲିସ୍‍ଙ୍କ ସହିତ ମିଷ୍ଟର୍ ସିମ୍ପସନ୍‍ଙ୍କର ପରିଚୟ ଘଟିଲା । ୧୯୨୯ ସାଲ ଜୁଲାଇ ୨୧ ତାରିଖରେ ସିମ୍ପସନ୍‍ଙ୍କ ସହିତ ନୂଆକରି ସଂସାର ଗଢ଼ିଲେ ।

 

ତା’ପରେ ଏଡ଼୍‍ୱାର୍ଡ଼ଙ୍କ ସହିତ ଆଳାପନ ଓ ପରିଚୟ । ପରିଚୟ କ୍ରମଶଃ ଘନିଷ୍ଠ ହୋଇ ଉଠିଲା । ଦୁଇଥର ବିବାହ କରି ଓୟାଲିସ୍ ସୁଖୀ ନୁହନ୍ତି । ତାହା ଏଡ଼୍‍ୱାର୍ଡ଼ ଜାଣିପାରିଲେ ।

 

ଏଡ଼୍‍ୱାର୍ଡ଼ ନିଜକୁ ଭାଗ୍ୟବାନ ମନେକଲେ । ମନର ତରୁଣୀକୁ ସତେ ପାଇବେ ।

 

ସେମାନଙ୍କର ଘନିଷ୍ଠତା ଓ ପ୍ରେମ–ପିପାସୁ ଦୁଇଟି ହୃଦୟର ଆକାଂକ୍ଷା ଜଣାପଡ଼ିଲା ।

 

ମିଷ୍ଟର୍ ସିମ୍ପସନ୍‍ଙ୍କୁ ମଧ୍ୟ ଏହା ଆଉ ଅଜଣା ହୋଇ ରହିଲା ନାହିଁ । ନିଜକୁ ଅଲଗା କରିନେବାପାଇଁ ମିଷ୍ଟର୍ ସିମ୍ପସନ୍ ମନେମନେ ନିଷ୍ପତ୍ତି କରିନେଲେ ।

 

ଅନ୍ୟ ପକ୍ଷରେ ଏଡ଼୍‍ୱାର୍ଡ଼ ସ୍ଥିର କରି ନେଲେ, ଆଇନ ସଙ୍ଗତ ଭାବରେ ଓୟାଲିସ୍‍କୁ ବିବାହ କରିବେ । ତାଙ୍କୁ ସମ୍ମାନିତ କରିବେ ବ୍ରିଟିଶ ସାମ୍ରାଜ୍ୟର ସାମ୍ରାଜ୍ଞୀ ଭାବରେ ।

 

ବାବାଙ୍କୁ ସେକଥା ଜଣାଇବା ପାଇଁ ଗଲେ । ସମ୍ରାଟ ପଞ୍ଚମ ଜର୍ଜ ସ୍ୟାନ୍‍ଡ୍ରିଂ ହୋମ୍‍ରେ ପିଡ଼ିତ ଥିଲେ । ମନକଥା ଜଣାଇ ପାରିଲେ ନାହିଁ, ଯୁବରାଜ ।

 

ରୋଗ ସାଙ୍ଗରେ ଯୁଝି ଯୁଝି ସମ୍ରାଟ ଇହ ସଂସାରରୁ ବିଦାୟ ନେଲେ ।

 

କୌଳିକ ପ୍ରଥାରେ ପଞ୍ଚମ ଜର୍ଜଙ୍କର ଶୁଦ୍ଧି ଶ୍ରାଦ୍ଧ ଶେଷ ହେଲା । ଏହାପରେ ଏଡ଼୍‍ୱାର୍ଡ଼ ପୋର୍ଟ ବେଲିଭିୟା ଚାଲିଗଲେ ।

 

ପୋର୍ଟବେଲିଭିୟା ଲଣ୍ଡନଠାରୁ ବେଶି ଦୂର ନୁହେଁ । ତାଙ୍କର ଗୋଟିଏ ବ୍ୟକ୍ତିଗତ ପ୍ରାସାଦ ସେଠାରେ ଥିଲା ।

 

ରାଜପରିବାର ପ୍ରଚଳିତ ପ୍ରଥା ଅନୁସାରେ ଛଅ ମାସ ଶୋକପାଳନ ପାଇଁ ଏଠି ସେ ରହିବେ ।

 

ଓୟାଲିସ୍ ସହିତ ନିୟମିତ ସାକ୍ଷାତ୍ ହୁଏ । ଅଙ୍କୁରିତ ପ୍ରେମ କଳିକା ଦିନକୁଦିନ ପ୍ରସ୍ଫୁଟିତ ହେବାକୁ ଲାଗିଲା ।

 

୧୯୩୫ ସାଲ, ଜାନୁୟାରୀ ୨୨ ତାରିଖରେ ପାର୍ଲିଆମେଣ୍ଟ୍‍ରେ ବ୍ରିଟିଶ ସାମ୍ରାଜ୍ୟର ସମ୍ରାଟ ହିସାବରେ ଏଡ଼୍‍ୱାର୍ଡ଼ଙ୍କ ନାମ ଘୋଷିତ ହେଲା ।

 

ଏହି ଉତ୍ସବରେ ଏଡ଼୍‍ୱାର୍ଡ଼ଙ୍କ ପାଖରେ ଓୟାଲିସ୍ ଠିଆ ହୋଇଥିଲେ । ପ୍ରେସ୍ ଫଟୋଗ୍ରାଫର ସେମାନଙ୍କ ଫଟୋ ଉଠାଇଲା, ହେଲେ ଇଂଲଣ୍ଡର କୌଣସି ପତ୍ରପତ୍ରିକାରେ ଏହି ଛବି ପ୍ରକାଶିତ ହେଲାନାହିଁ ।

 

ଏଡ଼୍‍ୱାର୍ଡ଼ ସିଂହାସନ ତ୍ୟାଗ କରିବା ପରେ ଐତିହାସିକ ରେକର୍ଡ଼ରୂପେ ଏହି ଫଟୋ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।

 

ଅଭିଷେକ ଦିନ ସ୍ଥିର ହେବାର ନିଷ୍ପତ୍ତି ନେବାର ବାକିଥିଲା । ଅଗଷ୍ଟ ମାସରେ ସାଥୀମାନଙ୍କୁ ନେଇ ଚିତ୍ତବିନୋଦନ ପାଇଁ ସମୁଦ୍ରଯାତ୍ରା ପାଇଁ ବାହାରିଲେ ଏଡ଼୍‍ୱାର୍ଡ଼ । ତାଙ୍କ ସାଙ୍ଗରେ ଓୟାଲିସ୍ ମଧ୍ୟ ଯାଇଥିଲେ ।

 

ଏଡ଼୍‍ୱାର୍ଡ଼ ଓ ଓୟାଲିସ୍‍ଙ୍କର ଗୁପ୍ତ ପ୍ରେମ କାହାରିକି ଆଉ ଅବଦିତ ରହିଲା ନାହିଁ ।

 

ଆମେରିକାର ସମ୍ବାଦପତ୍ର ବହୁ ମୁଖରେ ବ୍ରିଟିଶ ସମ୍ରାଟ ଓ ତାଙ୍କ ପ୍ରଣୟିନୀଙ୍କ ଅବୈଧ ମିଳାମିଶାକୁ ନେଇ ନାନା ସମ୍ବାଦ ପ୍ରକାଶ କରିବାକୁ ଲାଗିଲେ । ମିଷ୍ଟର୍ ସିମ୍ପସନ୍‍ଙ୍କ ସହିତ ଡାଇଭର୍ସ୍ ପରେ, ସେ ଯେ ଏଡ଼୍‍ୱାର୍ଡ଼ଙ୍କୁ ୩ୟ ଥରପାଇଁ ବିବାହ କରିବେ, ସେ ସମ୍ବାଦ ବଡ଼ବଡ଼ ଅକ୍ଷରରେ ପତ୍ରପତ୍ରିକାରେ ଚିତ୍ର ସହିତ ପ୍ରକାଶିତ ହେଲା ।

 

ଏହି ସମ୍ବାଦ ରକ୍ଷଣଶୀଳ ଇଂରେଜଙ୍କ ମନରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟିକଲା । ପାର୍ଲିଆମେଣ୍ଟ୍‍ରେ ନାନା ପ୍ରକାର ହଟଗୋଳ ସୃଷ୍ଟିହେବ । ରାଜପରିବାରର ସମସ୍ତେ ମ୍ରିୟମାଣ ହୋଇ ପଡ଼ିବେ । ଏଡ଼୍‍ୱାର୍ଡ଼ ଚିନ୍ତିତ ହୋଇ ଉଠିଲେ ।

 

ଓୟାଲିସ୍ ପରିସ୍ଥିତିକୁ ଭଲ ଭାବରେ ହୃଦୟଙ୍ଗମ କରିପାରିଲେ । ଏଡ଼୍‍ୱାର୍ଡ଼ଙ୍କୁ ଜଣାଇଲେ “ମୋପାଇଁ ଆପଣ ଆଉ ନିନ୍ଦା ଅପବାଦ ଶୁଣିବା ଶ୍ରେୟସ୍କର ନୁହେଁ ।”

 

“ଆଉ ଉପାୟ ନାହିଁ । ତମକୁ ଛାଡ଼ି ମୁଁ ଯେ ଆଉ ରହିପାରିବି ନାହିଁ ।”

 

“ଆମେରିକାର ସମ୍ବାଦପତ୍ର ସହ ଇଂଲଣ୍ଡର ପତ୍ରପତ୍ରିକା ଯେବେ ସ୍ଵର ମିଶାନ୍ତି ?”

 

“ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ, ମୋର ବନ୍ଧୁମାନେ ଇଂରାଜୀ କାଗଜରେ ଯେପରି ପ୍ରତିକ୍ରିୟାଶୀଳ ଲେଖା ନ ବାହାରେ, ସେଥିପାଇଁ ସଚେତ ଅଛନ୍ତି....”

 

ସମୁଦ୍ରଯାତ୍ରା ପରେ ଇଂଲଣ୍ଡକୁ ଉଗ୍ନ–ହୃଦୟ ନେଇ ଫେରି ଆସିଲେ । ଅକ୍‍ଟୋବର ୨୦ ତାରିଖରେ ଓୟାଲିସ୍‍ର ଡାଇଭର୍ସ୍ କେସ୍ ଶୁଣାଣି ଅଛି ।”

 

ମିଷ୍ଟର୍ ସିମ୍ପସନ୍ ରାଜକୀୟ ପ୍ରେମ ଭିତରେ ନିଜକୁ ଲାଞ୍ଛିତ କରିବାପାଇଁ ଆଉ ମନ ବଳାଇଲେ ନାହିଁ ।

 

ମିସେସ୍ ସିମ୍ପସନ୍‍ଙ୍କ ପ୍ରେମ ମରୀଚିକା ପଛରେ ନିଜକୁ ଲୁଟାଇ ଦେବାର ଫଳ କ’ଣ ? ଆମେରିକାର ବ୍ରେ ସହରରେ ଗୋଟିଏ ଅପରିଚିତା କିଶୋରୀକୁ ବଳପୂର୍ବକ ହୋଟେଲର ଗୋଟିଏ କୋଠରୀରେ ଆବଦ୍ଧ କରି ରାତ୍ରିଯାପନ କଲେ । ଜାଣିଶୁଣି କଳଙ୍କର ବୋଝ ମୁଣ୍ଡରେ ନେଇ ଡାଇଭର୍ସ୍ କେସ୍‍କୁ ଖୋରାକ ଯୋଗାଇ, ମିସେସ୍ ସିମ୍ପସନ୍‍ଙ୍କ ଠାରୁ ବିଦାୟ ନେଲେ ।

 

କ୍ୟାବିନେଟ୍‍ର ସଦସ୍ୟମାନଙ୍କ ନିକଟରେ ଏହି ସମ୍ବାଦ ଆଉ ଅଛପା ରହିଲା ନାହିଁ । ରକ୍ଷଣଶୀଳ ପ୍ରଧାନମନ୍ତ୍ରୀ ବଲଡ଼ୁଇନ୍ ବ୍ୟଥିତ ହେଲେ ।

 

ବ୍ରିଟିଶ ସାମ୍ରାଜ୍ୟର ଅବମାନନା କରାଯାଇଛି । ଇଂରେଜ ଜାତିର ମୁଣ୍ଡ ତଳକୁ ନଇଁ ଯାଇଛି । ଇଂରେଜ ରାଜବଂଶର ସମ୍ମାନ ନଷ୍ଟ କରିବାର ଅଧିକାର ଏଡ଼୍‍ୱାର୍ଡ଼ଙ୍କର ନାହିଁ ।

 

ପରମ୍ପରାକୁ ଭାଙ୍ଗି ଏଡ଼୍‍ୱାର୍ଡ଼ ନିଜ ଇଚ୍ଛାନୁସାରେ ଯାହା ଇଚ୍ଛା ତା’ କରିବାକୁ ପାର୍ଲିଆମେଣ୍ଟ୍ ବିଶେଷକରି ଇଂରେଜମାନେ ସହଜରେ ଛାଡ଼ି ଦେବେ ନାହିଁ । ଗିର୍ଜା ଉପରେ ଏଡ଼୍‍ୱାର୍ଡ଼ଙ୍କର ବିଶ୍ଵାସ ନାହିଁ ।

 

ଏହି ସବୁ କାରଣରୁ କେବଳ ମନ୍ତ୍ରୀ ସଭାର ସଦସ୍ୟ ନୁହନ୍ତି, ପାର୍ଲିଆମେଣ୍ଟ୍‍ର ଅଧିକାଂଶ ସଦସ୍ୟ କ୍ଷୁବ୍ଧ ହୋଇଉଠିଲେ ।

 

ତାଙ୍କ ବିରୁଦ୍ଧରେ ତିନୋଟି ଅଭିଯୋଗ । ପ୍ରଥମ ଅଭିଯୋଗ, ସେ ଜଣେ ଆମେରିକାନ୍ ତରୁଣୀକୁ ଇଂରେଜ ଜାତି ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ଚାହାନ୍ତି । ୨ୟରେ ମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ କାମରେ ଅବାଞ୍ଛିତ ଭାବରେ ହସ୍ତକ୍ଷେପ କରନ୍ତି । ସାଧାରଣ ଲୋକଙ୍କ ସାଙ୍ଗରେ ଅବାଧ ମିଳାମିଶା କରିବାଦ୍ଵାରା ରାଜକୀୟ ସମ୍ମାନରେ ଆଞ୍ଚ ଆସୁଛି । ୩ୟ ଅଭିଯୋଗ ହେଲା, ଯେଉଁ ଆମେରିକାନ୍ ତରୁଣୀକୁ ବିବାହ କରିବାକୁ ମନସ୍ଥ କରିଛନ୍ତି ସେ ଦୁଇଥର ବିବାହ କରିଛନ୍ତି । ଆଉ ସେହି ଦୁଇଜଣଯାକ ସ୍ଵାମୀ ଜୀବିତ ।

 

ବଲଡ଼ୁଇନ୍ ଏଡ଼୍‍ୱାଡ଼ଙ୍କୁ ସାକ୍ଷାତ ପ୍ରାର୍ଥନା କଲେ । ସମ୍ରାଟ ବେଶ୍ ବୁଝିପାରିଲେ ସଙ୍କଟ ଘନେଇ ଆସିଛି ।

 

ସମମ୍ମାନେ ଏଡ଼୍‍ୱାର୍ଡ଼ଙ୍କୁ ଅଭିବାଦନ ଜଣାଇଲେ ବଲଡ଼ୁଇନ୍ । ଏଡ଼୍‍ୱାର୍ଡ଼ ଯଥାରୀତି ଅଭ୍ୟର୍ଥନା ଜଣାଇଲେ ।

 

ବଲଡ଼ୁଇନ୍ ଜଣାଇଲେ, “ଆସନ୍ତା ମେ ୧୨ ତାରିଖରେ ଅଭିଷେକ ଉତ୍ସବ ପାଳିତ ହେବ ।’’

 

ସମ୍ରାଟ ସ୍ମିତ ହସି ସମ୍ମାନ ଜଣାଇଲେ ।

 

ବଲଡ଼ୁଇନ୍ ପୁଣି ଆରମ୍ଭ କଲେ । “ବ୍ୟକ୍ତିଗତ ବନ୍ଧୁ ହିସାବରେ ମୁଁ କିଛି କହିବାକୁ ଚାହେଁ-।”

 

“କୁହନ୍ତୁ”

 

“ଦେଶ ବାହାରେ ନାନାପ୍ରକାର ସମ୍ବାଦ ପତ୍ରପତ୍ରିକାରେ ପ୍ରକାଶ ପାଉଛି । ସେଥିପାଇଁ କ୍ୟାବିନେଟ୍ ଇଂରେଜମାନେ ବିବ୍ରତ । ଇଂରେଜ ରାଜପରିବାର......

 

ଏଡ଼୍‍ୱାର୍ଡ଼ ଗମ୍ଭୀର ହୋଇ ଉଠିଲେ ।

 

ପୁଣି ବଲଡ଼ୁଇନ୍ ଆରମ୍ଭ କଲେ, ‘‘ମିସେସ୍ ସିମ୍ପସନ୍ ଡାଇଭର୍ସ୍ କେସ୍ କୋର୍ଟରୁ ଉଠାଇ ନେଲେ, ଏସବୁ ଜନରବର ଅବସାନ ଘଟନ୍ତା । ହିଜ୍ ମାଜେଷ୍ଟି ସାମ୍ରାଜ୍ୟର ହିତ ଦୃଷ୍ଟିରୁ, ଏକଥା ବିଚାର କରନ୍ତୁ ।”

 

ଏଡ଼୍‍ୱାର୍ଡ଼ କହିଲେ, ‘‘ବିଚାର କରିବାର ମୋର କିଛି ନାହିଁ । ମିସେସ୍ ସିମ୍ପସନ୍ କେସ୍ ଉଠାଇ ନେବା, ନ ନେବା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ସେଥିରେ ଆମର ମୁଣ୍ଡ ଘୂରାଇବା ଆବଶ୍ୟକ ନୁହେଁ ।”

 

ବଲଡ଼ୁଇନ୍ ନୀରବ । ଆଉ ତାଙ୍କର କିଛି କହିବାର ନାହିଁ । ବିଦାୟ ନେଇ ଚାଲିଗଲେ ।

 

ଏଡ଼୍‍ୱାର୍ଡ଼ ଭାବିବାକୁ ଲାଗିଲେ, ଏଥର ପାର୍ଲିଆମେଣ୍ଟ୍‍ ସାଙ୍ଗରେ ଟଣାଓଟରା ଆରମ୍ଭ ହୋଇଯିବ ।

 

ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ପାର୍ଲିଆମେଣ୍ଟ୍ ମୁଣ୍ଡ ଘୂରାଇବାର କି ଅଧିକାର ଅଛି ? ସେ ତ ପାର୍ଲିଆମେଣ୍ଟ୍ ଉପରେ କୌଣସି ବିଶେଷ କ୍ଷମତା ଜାହିର କରିବାକୁ ଚାହୁଁ ନାହାନ୍ତି । ଯାହାକି ଜୀବନ ଦେଇ ଭଲ ପାଇଛନ୍ତି, ତାକୁ ବିବାହ କରିବାର ବ୍ୟକ୍ତିଗତ ସ୍ଵତନ୍ତ୍ରତା ତାଙ୍କର ନାହିଁ-? ସାମ୍ରାଜ୍ୟର ସୁଆଦ ତାଙ୍କୁ ତିକ୍ତ ଲାଗିଲା ସତେ !

 

ମିସେସ୍ ସିମ୍ପସନ୍‍ଙ୍କର ଡାଇଭର୍ସ୍ କେସ୍ ଚୂଡ଼ାନ୍ତ ହୋଇଗଲା । ରାୟ ଓୟାଲିସ୍‍ଙ୍କର ଅନୁକୂଳ ।

 

ରାୟ ବାହାରିବା ଦିନ ଏଡ଼୍‍ୱାର୍ଡ଼ ବଲେଭିୟାରେ ଥାଆନ୍ତି । ଓୟାଲିସ୍ ମଧ୍ୟ ତାଙ୍କ ସହିତ ଅବସ୍ଥାନ କରୁଥାଆନ୍ତି ।

 

ଏଡ଼୍‍ୱାର୍ଡ଼ ତାଙ୍କ ପ୍ରାଇଭେଟ ସେକ୍ରାଟାରିଙ୍କଠାରୁ ଏକ ଜରୁରୀ ଚିଠି ପାଇଲେ ।

 

ଚିଠି ପଢ଼ି ଏଡ଼୍‍ୱାର୍ଡ଼ ଆବକ୍ ହୋଇଗଲେ । ଏତେ ସ୍ପର୍ଦ୍ଧା ! ଏତେ ସାହସ ! ସାମାନ୍ୟ କର୍ମଚାରୀ ହୋଇ ହିଜ୍ ମାଜେଷ୍ଟିଙ୍କୁ ଏମିତି ଚିଠି ଲେଖିପାରେ ???

 

ମେଜର ହାଡ଼ିଞ୍ଜି ସମ୍ରାଟଙ୍କର ଚରିତ୍ର ନେଇ ଚାରିଆଡ଼େ ଯେଉଁ ଆଲୋଚନା, ସମାଲୋଚନା କରୁଛନ୍ତି, ସେଥିପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ସଂକ୍ଷିପ୍ତ ବିବରଣୀ ମଧ୍ୟ ଦେବାକୁ ଭୁଲି ନାହାନ୍ତି ।

 

କ୍ୟାବିନେଟ୍ ସମ୍ରାଟଙ୍କର ଆଚରଣରେ କ୍ଷୁବ୍ଧ ।

 

ଏହି ସଙ୍କଟରୁ ମୁକ୍ତ ହେବାକୁ ହେଲେ ସିମ୍ପସନ୍‍ଙ୍କ ସଙ୍ଗରେ ସମ୍ରାଟ ସମସ୍ତ ସମ୍ପର୍କ ତୁଟାଇ ଦେଇ, ବ୍ରିଟେନ ଛାଡ଼ିଯିବା ପାଇଁ ତାଙ୍କୁ ବାଧ୍ୟ କରିବା ।

 

ଏଡ଼୍‍ୱାର୍ଡ଼ ବିବ୍ରତ ହୋଇ ପଡ଼ିଲେ । ତାଙ୍କର ପ୍ରାଇଭେଟ୍ ସେକ୍ରାଟାରି ତାଙ୍କୁ ପନ୍ଥା ନିର୍ଦ୍ଦେଶ କରାଇଛି ।

 

ଓୟାଲିସ୍ ଚିଠିଟି ପଢ଼ିଲେ । ମ୍ରିୟମାଣ ହୋଇ ପଡ଼ିଲେ ପ୍ରେମିକା ।

 

“ନା, ନା, ମୋତେ ମୁକ୍ତି ଦିଅ–ସମ୍ରାଟ । ମୋପାଇଁ ଏସବୁ କାହିଁକି...”

 

“ଅସମ୍ଭବ–ପାର୍ଲିଆମେଣ୍ଟ୍ ଯେବେ ମୋ ମତକୁ ସମର୍ଥନ ନକରେ ମୁଁ ରାଜସିଂହାସନ ଚାହେଁନା.....”

 

ଆର୍ତ୍ତ ସ୍ଵରରେ ଓୟାଲିସ୍ ଚିତ୍କାର କରି ଉଠିଲେ “ଆପଣ ଇଏ କ’ଣ କରୁଛନ୍ତି ସମ୍ରାଟ !”

 

“ତମେ ଯେବେ ସାମ୍ରାଜ୍ଞୀ ହୋଇ ପାରିବ ନାହିଁ, ତେବେ ମୋର ସେ ସାମ୍ରାଜ୍ୟର ଆବଶ୍ୟକତା କ’ଣ ?”

 

“ନା ନା, ମୁଁ ଆପଣଙ୍କର ସର୍ବନାଶ କରିପାରିବି ନାହିଁ । ମୋତେ ଅନୁମତି ଦିଅ । ବିଦାୟ ଦିଅ ।”

 

“ଅସମ୍ଭବ । ବାରବାର ଏକଥା ଉଠାଇ ମୋତେ ଆଉ ବିଭ୍ରାନ୍ତ କରନା ଓୟାଲିସ୍” ଏଡ଼୍‍ୱାର୍ଡ଼ କହିଲେ ।

 

ବଲଡ଼ୁଇନ୍‍ଙ୍କ ସାଙ୍ଗରେ ୨ୟ ବାର ଦେଖା ହେଲା ଏଡ଼୍‍ୱାର୍ଡ଼ଙ୍କର ।

 

“ପ୍ରଧାନମନ୍ତ୍ରୀ ! ପାର୍ଲିଆମେଣ୍ଟ୍ ଅନୁମୋଦନ ନକଲେ ମଧ୍ୟ ମୁଁ ଓୟାଲିସ୍‍ଙ୍କୁ ବିବାହ କରିବି । ଏଥିପାଇଁ ସିଂହାସନ ତ୍ୟାଗ କରିବାକୁ ଯେବେ ପଡ଼େ ସେଥିରେ ମୁଁ ନିରୁପାୟ ।”

 

ବଲଡ଼ୁଇନ୍ ଅତ୍ୟନ୍ତ ବ୍ୟଥିତ ହେଲେ । ବିଦାୟ ନେଇ ଆସିଲେ ସେଦିନ ।

 

ଏହାପରେ ଏଡ଼୍‍ୱାର୍ଡ଼ ରାଣୀ ମେରିଙ୍କୁ ଯାଇଁ ସାକ୍ଷାତ କଲେ । ମନକଥା ଜଣାଇଲେ ।

 

ରାଜମାତା ମେରି ମର୍ମଦୁନ୍ତ ଯନ୍ତ୍ରଣା ଅନୁଭବ କଲେ । ଓୟାଲିସ୍ ସହିତ କଥାବାର୍ତ୍ତାତ ଦୂରର କଥା ତାଙ୍କୁ ସାକ୍ଷାତ ଦେବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କଲେ ।

 

ଏଡ଼୍‍ୱାର୍ଡ଼ଙ୍କର ମନେ ହେଲା ସଂସାରଠାରୁ ଯେପରି ସେ ଛିନ୍ନ ହୋଇ ଏକାକୀ ଛିଡ଼ା ହୋଇଛନ୍ତି ଓୟାଲିସ୍ ସାଙ୍ଗରେ । ମା’, ପରିବାର ଦେଶବାସୀ ସମସ୍ତେ ତାଙ୍କୁ ପରିତ୍ୟାଗ କରି ଚାଲିଯିବେ । ନା, ନା, ଚାଲି ଯାଇଛନ୍ତି ।

 

ଏଡ଼୍‍ମଣ୍ଡ ହାମ୍‍ସଓୟାର୍ଥ ପ୍ରସ୍ତାବ ଦେଲେ । ମାର୍ମ୍ୟାନାଟିକ୍ ପଦ୍ଧତିରେ ଓୟାଲିସ୍‍କୁ ବିବାହ କରନ୍ତୁ । ଏହି ପଦ୍ଧତିରେ ବିବାହ ସିଦ୍ଧି ହେବ । ହେଲେ ସାମ୍ରାଜ୍ଞୀ ହୋଇପାରିବେ ନାହିଁ ।

 

ଏଡ଼୍‍ୱାର୍ଡ଼ ଓୟାଲିସ୍ ଆଡ଼େ କିଛି ସମୟ ଅନାଇ ରହି ପଚାରିଲେ “ତମେ କ’ଣ କହୁଛ, ଓୟାଲିସ୍”

 

“ମୋର ଆଉ କ’ଣ କହିବାର ଅଛି ? ଆପଣ ଯାହା ନିଷ୍ପତ୍ତି କରିବେ....” ଓୟାଲିସ୍ କାକୁତିମିଶା ସ୍ଵରରେ କହିଲେ ।

 

ଶେଷ ଥରପାଇଁ ବଲଡ଼ୁଇନ୍ ଆସି ସମ୍ରାଟଙ୍କୁ ଦେଖା କଲେ ।

 

ଏଡ଼୍‍ୱାର୍ଡ଼ ମାର୍ମ୍ୟାନାଟିକ୍ ପଦ୍ଧତିରେ ଓୟାଲିସ୍‍ଙ୍କୁ ବିବାହ କରିବା ପ୍ରସ୍ତାବ ଦେଲେ ।

 

“ହିଜ୍, ଏକ୍‍ସଲେନ୍‍ସି, ମନ୍ତ୍ରୀ ପରିଷଦ ସହିତ ପରାମର୍ଶ ନ କରି ମୁଁ କିଛି କରିପାରିବି ନାହିଁ ।”

 

ଏଡ଼୍‍ୱାର୍ଡ଼ ପଚାରିଲେ, “ଏ ବିଷୟ ନେଇ ଆଇନ ପ୍ରଣୟନ ହେବାର କ’ଣ ଆବଶ୍ୟକତା ଅଛି ?”

 

“ଆଇନ ପାସ୍ ହୋଇ ପାରିଲେ ଆଉ କୌଣସି ଅସୁବିଧା ରୁହନ୍ତା ନାହିଁ । ହେଲେ ମୁଁ ସନ୍ଦିହାନ । ଏପରି ଆଇନ ପ୍ରଣୟନ ପାଇଁ ପାର୍ଲିଆମେଣ୍ଟ୍ ରାଜି ହେବ ନାହିଁ ।”

 

ବଲଡ଼ୁଇନ୍ ଫେରି ଆସି ପାର୍ଲିଆମେଣ୍ଟ୍ ଅଧିବେଶନ ଡକାଇଲେ ।

 

ଏହି ଅଧିବେଶନରେ ସମ୍ରାଟଙ୍କର ପ୍ରଣୟ ବିଷୟରେ ଆଲୋଚନା ହେବ । ସମଗ୍ର ଦେଶବାସୀ, ସାମ୍ରାଜ୍ୟବାସୀ ଚକିତ ଭାବରେ ଅନାଇ ରହିଲେ ।

 

ପାର୍ଲିଆମେଣ୍ଟ୍‍ରେ ତର୍କବିତର୍କର ଝଡ଼ ଉଠିଲା । ସମ୍ରାଟଙ୍କ ସପକ୍ଷରେ ଉଇନ୍‍ଷ୍ଟାନ ଚର୍ଚ୍ଚିଲ କହିବାକୁ ଠିଆ ହେଲେ । ଚିତ୍କାର କଲେ ସଦସ୍ୟମାନେ । ତାଙ୍କୁ ବାରମ୍ବାର କହିବାରେ ବାଧା ଦିଆଗଲା ।

 

ଅଟଲିଙ୍କ ପ୍ରଶ୍ନର ଜବାବ୍‍ରେ ବଲଡ଼ୁଇନ୍ କହିଲେ ଅନ୍ୟାୟକୁ ଯେଉଁମାନେ ସମର୍ଥନ କରିବେ, ସେମାନଙ୍କୁ ପ୍ରତ୍ୟେକ ଉପାୟରେ ବାଧା ଦିଆଯିବ ନିଶ୍ଚୟ ।

 

ଲଣ୍ଡନରୁ ଓୟାଲିସ୍‍ଙ୍କୁ ଫ୍ରାନ୍‍ସ ଅପସାରିତ କରାଗଲା ।

ଫ୍ରାନ୍‍ସରୁ ସେ ଟେଲିଫୋନ୍ କରି ସମ୍ରାଟଙ୍କୁ ଜଣାଇଲେ “ନିଜର ଭବିଷ୍ୟତ ପ୍ରତି ସଚେତନ ହୁଅନ୍ତୁ । ଆପଣ ମତେ ଛାଡ଼ି ଦେବାକୁ ରାଜି ହେଉ ନାହାନ୍ତି, ହେଲେ, ମୁଁ ଆପଣଙ୍କୁ ଛାଡ଼ି ଆମେରିକା ଚାଲିଯିବାକୁ ଚାହେଁ ।”

ସମ୍ରାଟ ଥରିଲା କଣ୍ଠରେ ସାନୁନୟ ନିବେଦନ କରି ଜଣାଇଲେ “ନା ନା, ପ୍ରିୟତମା, ମୋର ଯେ କେହି ଥିଲେ ସମସ୍ତେ ଛାଡ଼ି ଚାଲିଗଲେଣି । ନା, ନା, ତମେ ମୋତେ ଏକାକୀ କରି ଛାଡ଼ି ଚାଲି ଯାଅନା.... ।”

ଓୟାଲିସ୍‍ଙ୍କ ବାକ୍‍ରୁଦ୍ଧ ହୋଇଗଲା, ଆଖିରେ ଲୁହ ।

୧୯୩୫ ସାଲ ଡିସେମ୍ବର ୧୦ ତାରିଖରେ ଶେଷ ନିଷ୍ପତ୍ତି ହୋଇଗଲା ।

ଭାଇମାନଙ୍କ ଉପସ୍ଥିତିରେ ସିଂହାସନ ତ୍ୟାଗ କରିବା ଦଲିଲ୍‍ରେ ଏଡ଼୍‍ୱାର୍ଡ଼ ସ୍ଵାକ୍ଷର କଲେ ।

ଅଶ୍ରୁଳ ନୟନରେ ଭାଇମାନେ ଦଲିଲ୍‍ରେ ସ୍ଵାକ୍ଷର କଲେ ।

ଏହି ବ୍ୟାପାରରେ ଡିଉକ୍ ଅଫ୍ ୟାର୍କସାୟାର ମର୍ମନ୍ତୁଦ ବେଦନାରେ ମ୍ରିୟମାଣ ହୋଇ ପଡ଼ିଲେ । ବଡ଼ ଭାଇଙ୍କ ଠାରୁ ରାଜ୍ୟ ସିଂହାସନ ତାଙ୍କୁ ଏପରି ଭାବରେ ହସ୍ତାନ୍ତରିତ ହେବ ସେ ଚାହୁଁ ନଥିଲେ ।

 

ପାର୍ଲିଆମେଣ୍ଟ୍ ଉଦ୍ଦେଶ୍ୟରେ ଏଡ଼ୱାର୍ଡ଼ ତାଙ୍କର ଶେଷବାର୍ତ୍ତା ପଠାଇଲେ “A message such as no king has ever before sent to Parliament in the Annals of our long History”

 

ସେ ଦିନ ମଧ୍ୟ ଜାତିର ଉଦ୍ଦେଶ୍ୟରେ ବେତାର ବାର୍ତ୍ତା ଦେଇଥିଲେ । ରାଜସିଂହାସନ ତ୍ୟାଗ କରିବାର ପ୍ରକୃତ ତଥ୍ୟ ଦେଶବାସୀଙ୍କୁ ଜଣାଇ ଦେବା ତାଙ୍କର କର୍ତ୍ତବ୍ୟ ବୋଲି ମଧ୍ୟ ସେ ବେତାର ବାର୍ତ୍ତାରେ ସୂଚାଇ ଦେଇଥିଲେ । ତାଙ୍କ ଭାଇ ଷଷ୍ଠ ଜର୍ଜଙ୍କୁ ମଧ୍ୟ ଏହି ବାର୍ତ୍ତାରେ ଭୂୟସୀ ପ୍ରଶଂସା କରିଥିଲେ ।

 

ସୁବିଖ୍ୟାତ ପତ୍ରିକା ଲେଖିଲା “They had a sense of prosperity in great places and in great affairs and would not tolerate head ling slits in to obyss of shamefulness ।

 

ଇଂଲଣ୍ଡରୁ ବିଦାୟ ନେବା ପୂର୍ବରୁ ଚର୍ଚ୍ଚିଲଙ୍କୁ ନିମନ୍ତ୍ରଣ କରୁଥିଲେ ଏଡ଼୍‍ୱାର୍ଡ଼ । ନିଜର ଗୋଟିଏ ଛବି ବାହାର କଲେ । ସେଥିରେ ସ୍ଵାକ୍ଷର କଲେ । ବହୁଦିନ ବନ୍ଧୁତାର ସ୍ମାରକରୂପେ ଛବିଟିକୁ ଚର୍ଚ୍ଚିଲଙ୍କୁ ଉପହାର ଦେଲେ ।

 

ବିଦାୟ ବେଳର ଦୃଶ୍ୟ ଅତୀବ ପ୍ରାଣସ୍ପର୍ଶୀ । ଦୁଃଖଦାୟକ । ସମସ୍ତ ଇଂଲଣ୍ଡ ଯେମିତି ଶୋକାଭିଭୂତ ।

 

ଚର୍ଚ୍ଚିଲ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ । ବିଦାୟ ନେଇ କାର୍‍ରେ ଯାଇ ବସିଲେ ଚର୍ଚ୍ଚିଲ ।

 

ଛବିଟିକୁ ହାତରେ ଧରି ଦଉଡ଼ି ଯାଇ ଏଡ଼୍‍ୱାର୍ଡ଼ ଚର୍ଚ୍ଚିଲଙ୍କ କାର୍ ଆଗରେ ଛିଡ଼ା ହେଲେ-

 

“Hi ! winston ! You have forgotten something.”

 

ଭାଗ୍ୟର ଚରମ ବିପର୍ଯ୍ୟୟବେଳେ ମଧ୍ୟ ଏଡ଼୍‍ୱାର୍ଡ଼ ତାଙ୍କର ଚିରାଚରିତ ପଦ୍ଧତିରେ ବନ୍ଧୁଙ୍କ ସାଙ୍ଗରେ କଥା ହେଲେ, ଏହା ମଧ୍ୟ ବିସ୍ମୟକର ।

 

ଇଂଲଣ୍ଡରେ ସମସ୍ତ କାର୍ଯ୍ୟ ତୁଟାଇ ଦେଲେ ।

 

ଏଇଚ୍.ଏମ୍, ଏସ୍, ଫିଉରି ପୋର୍ଟ୍‍ସ ମାଉଥ୍ ବନ୍ଦରରେ ଅପେକ୍ଷା କରିଥିଲେ ।

 

ଜାହାଜ ତାଙ୍କୁ ନେଇ ଫ୍ରାନସ ଅଭିମୁଖେ ଯାତ୍ରା କଲା । ନିରାଡ଼ମ୍ବର ଯାତ୍ରା । ରାଜକୀୟତା ନାହିଁ । ବିଦାୟ ସମ୍ବର୍ଦ୍ଧନା ନାହିଁ ।

 

ଫ୍ରାନସ ଟୁର୍‍ରେ ପ୍ରେମିକା ଅପେକ୍ଷା କରି ରହିଥିଲେ ।

 

ନୂଆ ଜୀବନ ।

 

ସାମ୍ରାଜ୍ୟର ବନ୍ଧନ ନାହିଁ । ଗୁରୁଦାୟିତ୍ଵ ନାହିଁ । କିଛି ନାହିଁ ।

 

ଅଛି ଚିର ଈପ୍ସିତ ପ୍ରେମସୁରା ପାନ କରିବାପାଇଁ ଅନନ୍ତ ବାସନା ।

 

କିଛିଦିନ ପରେ ସମସ୍ତ ସମୟ ଦୂରତାକୁ ଜୟକରି ରୟଟର ପରିବେଶିତ ଏକ ସଂକ୍ଷିପ୍ତ ଖବର ପୃଥିବୀର ସମସ୍ତ ପତ୍ରପତ୍ରିକାରେ ପ୍ରକାଶ ପାଇଲା ।

 

ଜୁନ୍ ୧୯୩୭, ୩ ତାରିଖ ।

 

“ହିଜ୍ ହାଇନେସ୍ ଦି ଡିଉକ୍ ଅଫ୍ ଉଇଣ୍ଡସର୍‍ଙ୍କ ସହିତ ଶ୍ରୀମତୀ ଓୟାଲିସ୍ ଓୟାର ଫଲାଡ଼େର ପରିଣୟ ଯଥାବିଧିରେ ସମାପ୍ତ ହୋଇଛି ।’’

 

ସବୁ ମନେ ଅଛି । ପ୍ରେକ୍ଷାଳୟର ପରଦା ଉପରେ ବାରବାର ଆଖି ଫେରାଇ ଆଣି ପ୍ରୌଢ଼ ଡିଉକ୍, ପ୍ରୌଢ଼ା ଓୟାଲିସ୍‍ଙ୍କ ହାତଧରି ପ୍ରେକ୍ଷାଳୟର ବାହାରକୁ ଆସିଗଲେ ।

 

ଧନ୍ୟ ତମେ ଡିଉକ୍ !

 

ପୃଥିବୀ ଇତିହାସରେ ଏହି ପ୍ରେମ କେବଳ ବିରଳ ନୁହେଁ, ଚିରସ୍ମରଣୀୟ ।

 

ପ୍ରେମିକ ଯୁଗଳଙ୍କର ଜୟ ହେଉ ।

☆☆☆

 

ସାହାସୀ ପ୍ରେମିକ ରାହାସ ବିହାରୀ ବସୁ

 

ଜାପାନ ମାଲବାହୀ ଜାହାଜ ।

 

ଗଙ୍ଗାର ମୁହାଣ ଦେଇ ଜାହାଜ ନୀଳ ସମୁଦ୍ରରେ ଯାତ୍ରା ଆରମ୍ଭ କରି ଦେଇଛି ।

 

ଆକାଶର ନିଳିମା ଜଳରାଶିର ତରଙ୍ଗ ଉପରେ ନିଜର ଅଙ୍ଗ ଜଡ଼ାଇ ଦେଇଛି । ବାୟୁର ଗତି ସମୁଦ୍ରଯାତ୍ରା ପାଇଁ ଖୁବ୍ ଅନୁକୂଳ ।

 

ଯାତ୍ରୀ ସଂଖ୍ୟା ବେଶୀ ନୁହେଁ । ଅଧିକାଂଶ ଜାପାନ ଅଭିମୁଖରେ ଯାତ୍ରା କରୁଛନ୍ତି । ସାଧାରଣ ଯାତ୍ରୀଙ୍କ ଭିତରେ ରବିନ୍ଦ୍ରନାଥ ଠାକୁରଙ୍କ ବ୍ୟକ୍ତିଗତ ପ୍ରତିନିଧି ପି.ଏନ୍. ଠାକୁର ।

 

ଅତର୍କିତ ଭାବରେ ଦିନେ ପୋଲିସ୍ ଆସି ଜାହାଜରେ ଅନୁସନ୍ଧାନ କାମ ଆରମ୍ଭ କରିଦେଲେ । ଜାହାଜରେ ଚହଳ ପଡ଼ିଗଲା । ଗୁଜବରେ ଡେକ୍ ମୁଖରିତ ହୋଇ ଉଠିଲା । କିଏ କହିଲା ଚୋରା ସୁନା ବ୍ୟବସାୟୀଙ୍କୁ ଆରେଷ୍ଟ କରିବାପାଇଁ ପୋଲିସ୍ ଆସିଛି ।

 

କ୍ୟାପ୍‍ଟେନ୍‍ଙ୍କୁ ପୋଲିସ୍ କର୍ମଚାରୀମାନେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବାରେ ବ୍ୟସ୍ତ । ଇଂରେଜ ସରକାରଙ୍କର ଆଖିରେ ଧୂଳିଦେଇ, ବିପ୍ଳବୀ ରାହାସ ବିହାରୀ ବସୁ ଏଇ ଜାହାଜରେ ଜାପାନ ଯାଉଛନ୍ତି ।

 

ପୁଲିସ୍ ତନ୍ନତନ୍ନ କରି ପ୍ରତ୍ୟେକ ଯାତ୍ରୀଙ୍କୁ ଅନୁସନ୍ଧାନ କଲେ ।

 

ବିପ୍ଳବୀ ରାହାସ ବିହାରୀ ବସୁଙ୍କର କୌଣସି ପତ୍ତା ମିଳିଲା ନାହିଁ । କ୍ୟାପ୍‍ଟେନ୍ ଚିନ୍ତିତ ଓ ବିସ୍ମିତ ହୋଇ ପି.ଏନ୍. ଠାକୁରଙ୍କୁ ମନକଥା ଜଣାଇଲେ । ଯାତ୍ରୀମାନଙ୍କୁ ତନ୍ନତନ୍ନ କରି ପରୀକ୍ଷା ନ କରିଥିବାରୁ ଅନୁତପ୍ତ ।

 

ଶେଷ ପର୍ଯ୍ୟନ୍ତ ପୁଲିସ୍ ବହୁ ଚେଷ୍ଟାକରି ମଧ୍ୟ ରାହାସ ବିହାରୀଙ୍କୁ ଖୋଜି ପାଇଲେ ନାହିଁ-। ଅଥଚ ସଠିକ ଖବର ପାଇ ସେମାନେ ଜାହାଜ ତନଖି କରିବାକୁ ଆସିଥିଲେ ।

 

ବହୁବାର ପୋଲିସ୍ ଆଖିରେ ଧୂଳି ଦେଇ ରାହାସ ବିହାରୀ ପବନରେ ଉଭେଇ ଯାଉଥିଲେ । ଏଥର ମଧ୍ୟ ସେ କୃତକାର୍ଯ୍ୟ ହେଲେ ।

 

କେଉଁଆଡ଼େ ଗଲେ ରାହାସ ବିହାରୀ !

 

ଜାପାନ ବନ୍ଦରରେ ଜାହାଜ ଲାଗିଲା । ରବୀନ୍ଦ୍ର ନାଥଙ୍କର ପ୍ରତିନିଧି ପି.ଏନ୍. ଠାକୁରଙ୍କୁ ଅଭ୍ୟର୍ଥନା କରିନେବା ପାଇଁ ଜାପାନର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ରୁଣ୍ଡ ହୋଇଥିଲେ ।

 

ପି.ଏନ୍. ଠାକୁର ସହାସ୍ୟ ବଦନରେ ହୋଷ୍ଟମାନଙ୍କର ଅଭ୍ୟର୍ଥନା ଗ୍ରହଣ କରି ଜାହାଜରୁ ଅବତରଣ କରିଗଲେ ।

 

ସେ ନାକା ସୁରାଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ ।

 

ନାକା ସୁରା ଜାପାନ ସରକାରଙ୍କର ଜଣେ ବିଖ୍ୟାତ ମନ୍ତ୍ରୀ ।

 

ଗମ୍ଭୀର ପ୍ରକୃତିର ଲୋକ । ତାଙ୍କ ବ୍ୟକ୍ତିତ୍ଵରେ ସମସ୍ତେ ଭୟ କରନ୍ତି ।

 

ବଡ଼ ସରଳ, ଅତିଥିପରାୟଣ, ସେ ।

 

କିଛିଦିନ ରହିଲା ପରେ ପି.ଏନ୍. ଠାକୁର ନାକା ସୁରା ପରିବାରରେ ଅତି ଆତ୍ମୀୟ ହୋଇ ଉଠିଲେ ।

 

ଘନିଷ୍ଠତା ବଢ଼ି ଉଠିଲା ।

 

ହଠାତ୍ ସମସ୍ତଙ୍କ ମନରେ ବିସ୍ମୟ ସୃଷ୍ଟି କରି ପି.ଏନ୍. ଠାକୁରଙ୍କ ପରିଚୟ ମିଳିଲା ।

 

ପି.ଏନ୍. ଠାକୁର ନୁହନ୍ତି । ସେ ହେଉଛନ୍ତି ବିପ୍ଳବୀ ରାହାସ ବିହାରୀ ବସୁ ।

 

ନିଜର ଆତ୍ମପରିଚୟ ଦେଲାପରେ ଅନ୍ୟ କେହି ହୋଇଥିଲେ ନିଜର ନିରାପଦତା ପାଇଁ ପୋଲିସ୍‍ରେ ଖବର ଦେଇଥାନ୍ତା ।

 

ନାକାସୁରା ସାଧାରଣ ମଣିଷ ନଥିଲେ । ଅତିଥି ହିସାବରେ ଯାହାକୁ ଗ୍ରହଣ କରିଛନ୍ତି, ତାଙ୍କର ଅମଙ୍ଗଳ କରିବେ ?

 

ରାହାସ ବିହାରୀ ହୋଷ୍ଟଙ୍କ ଅନୁରୋଧରେ ତାଙ୍କ ବିପ୍ଳବର କାହାଣୀ ଶୁଣାଇଲେ ।

 

ଏହି କାହାଣୀ ଶୁଣି ନାକାସୁରା କେବଳ ନୁହନ୍ତି, ତାଙ୍କର ପରମା ସୁନ୍ଦରୀ କନ୍ୟା ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଡ଼ିଲେ ।

 

୧୮୮୦ ସାଲରେ ରାହାସ ବିହାରୀଙ୍କ ଜନ୍ମ । ତାଙ୍କର ବାବା ନିନୋଦବିହାରୀ, ବର୍ଦ୍ଧମାନ ଜିଲ୍ଲାରୁ ଚାଲିଆସି ଚନ୍ଦନ ନଗରରେ ଘର ଖଣ୍ଡିଏ କରି ରହିଥାନ୍ତି । ଶିଶୁ ରାହାସ ବିହାରୀଙ୍କ ମା’ ମରିଗଲେ । ବିନୋଦବିହାରୀ ସରକାରୀ ଆଦେଶରେ ଗଭର୍ଣ୍ଣମେଣ୍ଟ ପ୍ରେସ୍‍ର ହେଡ଼୍ ଆସିଷ୍ଟାଣ୍ଟ୍ ଭାବରେ ସିମଳା ବଦଳି ହେଲେ । ଶିଶୁ ପୁଅକୁ ରଖିଗଲେ ଶାଶୁଙ୍କ ପାଖରେ ।

 

ଚନ୍ଦନ ନଗର ବିପ୍ଳବୀମାନଙ୍କର କେନ୍ଦ୍ରସ୍ଥଳ ହୋଇ ଉଠିଥିଲା । ତରୁଣମାନେ ଅନେକ ଗୁପ୍ତ ସଂଗଠନ ଗଢ଼ି ଦେଶ–ମାତୃକାର ସମ୍ମାନ ଫେରାଇ ଆଣିବାପାଇଁ ଜୀବନ ପଣ କରିଥିଲେ ।

 

ଡୁପ୍ଳେ କଲେଜିଏଟ୍‍ସ୍କୁଲ୍‍ରେ ପଢ଼ିବା ସମୟରେ ରାହାସ ବିହାରୀ ଏକ ବିପ୍ଳବୀ ସଂଗଠନରେ ଯୋଗ ଦେଲେ ।

 

ବିପ୍ଳବୀ ଦଳ ସହିତ ମିଶାମିଶି କରିବାଦ୍ଵାରା ତାଙ୍କ ପାଠ ପଢ଼ାରେ ବାଧା ଘଟିଲା ।

 

ତାଙ୍କ ବାବା ପୁଅର ସ୍ଵଭାବ ଓ ଗତିବିଧିରେ ବ୍ୟଥିତ ହୋଇ ତାକୁ ସିମଳା ନେଇଗଲେ-

 

ନିଆଁକୁ ପାଉଁଶ ଘୋଡ଼ାଇ କେତେକାଳ ଲୁଚେଇ ରଖିହେବ ?

 

ରାହାସ ବିହାରୀଙ୍କୁ ଶୃଙ୍ଖଳିତ ଭାବରେ ଘର କୋଣରେ ଅଟକାଇ ରଖି ହେଲା ନାହିଁ । ଦେଶର ଆହ୍ଵାନରେ ତାଙ୍କ ଜୀବନରେ ଉନ୍ମାଦନା ସୃଷ୍ଟି ହୋଇ ସରିଛି । ଜୀବନର ମୋହ ତୁଟି ତୁଟି ଆସିଛି ।

 

କିଶୋର ରାହାସ ବିହାରୀ ସମସ୍ତଙ୍କର ଅଜାଣତରେ ବିପ୍ଳବରେ ନିଜକୁ ଝାସ ଦେଲେ ।

 

ବୟସ୍କ ରାହାସ ବିହାରୀ ଫରେଷ୍ଟ ଅଫିସ୍‍ରେ କାମ କରୁଥାନ୍ତି ।

 

୧୯୧୨ ସାଲ ଡିସେମ୍ବର ୨୭ ତାରିଖ । ବଙ୍ଗଭଙ୍ଗ ଆନ୍ଦୋଳନ ପର୍ବ । କଲିକତାରୁ ରାଜଧାନୀ ଦିଲ୍ଲୀ ଉଠାଇ ନିଆଗଲା ।

 

ଶୀତଦିନ । ଦିଲ୍ଲୀରେ ଏହି ଉତ୍ସବପାଇଁ ବିରାଟ ଆୟୋଜନ ।

 

ଗଭର୍ଣ୍ଣର ଜେନେରାଲଙ୍କୁ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ନେତୃତ୍ଵରେ ଭାରତର ବିଭିନ୍ନ ରାଜ୍ୟର ରାଜା ମହାରାଜାମାନେ ଏକତ୍ରିତ ହୋଇଥାଆନ୍ତି । ବ୍ରିଟିଶ ଶାସନର ଆନୁଗତ୍ୟ ପ୍ରସିଦ୍ଧ ଚାଟୁକାରମାନେ ଦିଲ୍ଲୀ ଦରବାରରେ ଠୁଳ ହେବାପାଇଁ ରୁଣ୍ଡ ହୋଇ ଥାଆନ୍ତି ।

 

ଗଭର୍ଣ୍ଣର ଜେନେରାଲଙ୍କୁ ବିରାଟ ପ୍ରୋସେସନ୍‍ରେ ଦିଲ୍ଲୀ ରାଜପଥରେ ନିଆଗଲା ।

 

ପ୍ରଥମେ ପଦାତିକ ସୈନ୍ୟ । ତା’ପରେ ଗୋଟିଏ ବିରାଟକାୟ ହାତୀ ସୁସଜ୍ଜିତ । ତା’ ଉପରେ ମହାମାନ୍ୟ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ଯାତ୍ରା ।

 

ଧୀର ଗତିରେ ଆଗେଇ ଚାଲିଛି ପ୍ରୋସେସନ୍ ।

 

ହଠାତ୍ ଗୋଟିଏ ବୋମା ଫୁଟିଲା । ହାତୀର ମାହୁନ୍ତ ରକ୍ତାକ୍ତ ହୋଇ ଛିଟିକି ପଡ଼ିଲା । ଲର୍ଡ଼ ହାର୍ଡ଼ିଞ୍ଜ ଆହତ ହୋଇ ଗଡ଼ି ପଡ଼ିଲେ ହାଉଦା ଭିତରେ ।

 

ଜନତା ଚିତ୍କାର କରି ଉଠିଲେ । ବୋମା–ବୋମା–

 

ପ୍ରାଣବିକଳରେ ଜନତା ପୃଷ୍ଟଭଙ୍ଗ ଦେବାକୁ ଲାଗିଲେ । ପୁଲିସ ଯଥାଶକ୍ତି ଦେଇ ଦୋଷୀକୁ ଧରିବାପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କଲେ । କିନ୍ତୁ ଯେ ବୋମା ପକାଇଥିଲା, ତା’ର ଚିହ୍ନବର୍ଣ୍ଣ କିଛି ମିଳିଲା ନାହିଁ । ପବନ ଗତିରେ ସେ ଉଭେଇ ଗଲେ ।

 

ଘଟଣା ବେଶି ଦିନ ଲୁଚି ରହିଲା ନାହିଁ । ପୁଲିସ ବିଶେଷ ସୂତ୍ରରୁ ଖବର ପାଇଲେ, ଏହି ବିପ୍ଳବୀ ହେଉଛନ୍ତି ରାହାସ ବିହାରୀ ବସୁ । ଫରେଷ୍ଟ ଅଫିସ୍‍ର କିରାଣି !

 

ରାହାସ ବିହାରୀ ଆତ୍ମଗୋପନ କରି ୧୮୫୬ ମସିହାରେ ସିପାହୀ ବିଦ୍ରୋହ ପରି ବିପ୍ଳବ ସଂଗଠିତ କଲେ ଦେଶରେ । ହେଲେ, ସମୟର ସ୍ରୋତ ବିପରୀତଗାମୀ ହୋଇ ଉଠିଲା । ଜଣେ ବିପ୍ଳବୀ ବନ୍ଧୁଙ୍କର ବିଶ୍ଵାସଘାତକତା ପାଇଁ ତାଙ୍କର ସମସ୍ତ ଚେଷ୍ଟା ପଣ୍ଡ ହେଲା ।

 

ଆଉ ଗୋପନ କରି ଜାପାନ ପଳାଇ ଯିବାପାଇଁ ବନ୍ଧୁମାନେ ପରାମର୍ଶ ଦେଲେ ।

 

ଆଜିର ପଦ୍ଧତି ପରି ସେ କାଳରେ ପାସ୍‍ପୋଟ୍‍ ପାଇଁ କଡ଼ାକଡ଼ି ବ୍ୟବସ୍ଥା ନଥିଲା । ତେଣୁ ଅତି ସହଜରେ ପି.ଏନ୍. ଠାକୁରଙ୍କ ଛଦ୍ମନାମରେ ଜାପାନ ପଳାଇ ଆସିବାପାଇଁ ସେ ସକ୍ଷମ ହେଲେ ।

 

ପ୍ରୌଢ଼ ମନ୍ତ୍ରୀ ଓ ତାଙ୍କର ସର୍ବଗୁଣ ମଣ୍ଡିତା କନ୍ୟା ଅବାକ୍, ନିସ୍ପନ୍ଦ ଭାବରେ ରାହାସ ବିହାରୀଙ୍କ ବୀରତ୍ଵ କାହାଣୀ ଶୁଣିଲେ ।

 

“ମାତୃଭୂମୀ ପାଇଁ ନିଜ ଜୀବନକୁ ବଳି ଦେବାପାଇଁ କେତେ କେତେ ଯୁବକ ଏଇ ପୃଥିବୀରେ ଆଗେଇ ଆସିଛନ୍ତି ?” ନାକା ସୁରା ବାରବାର ନିଜ କନ୍ୟାଙ୍କ ଆଡ଼େ ଦୃଷ୍ଟି ପକାଇ ରାହାସ ବିହାରୀଙ୍କ ପ୍ରଶଂସା କରିବାକୁ ଲାଗିଲେ ।

 

ତାଙ୍କର କନ୍ୟା କେବଳ ଏହି ବୀରତ୍ଵ କାହାଣୀରେ ଆତ୍ମ ମୁଗ୍ଧ ହେଲେ ନାହିଁ, ତାଙ୍କ ଅନ୍ତରକୁ ବିପ୍ଳବ ଅଗ୍ନି ସ୍ଫୁଲିଙ୍ଗ ଛିଟାରେ ପ୍ରେମାକୁଳ କରି ପକାଇଲା ।

 

ପ୍ରେମାଗ୍ନୀ ମନ୍ତ୍ରୀ କନ୍ୟାଙ୍କ ଜୀବନରେ ପ୍ରେମିକଙ୍କ ପାଇଁ ହା–ହୁତାଶର ବହ୍ନି ଜାଳିଦେଲା-। ନିଜକୁ ସମ୍ଭାଳି ନପାରି ବିପ୍ଳବୀଙ୍କ କଣ୍ଠରେ ନିଜର ବାହୁ ବେଷ୍ଟନୀରେ ଜଡ଼ାଇ ଧରିଲେ-

 

ନାରୀ ସଙ୍ଗସୁଖ ବିପ୍ଳବୀଙ୍କର ଏଇ ହେଲା ପ୍ରଥମ ।

 

କେତେ ଦିନ କଟିଗଲା ।

 

ବେକାର ଜୀବନ ଆଉ ଭଲ ଲାଗିଲା ନାହିଁ । ଗୋଟିଏ ରୋଟି କାରଖାନାରେ ମାନେଜରରୂପେ କାମ କଲେ ।

 

ରୋଟି କାରଖାନାରୁ ଛୁଟି ହେବା ସମୟରେ ମନ୍ତ୍ରୀ କନ୍ୟା ଯାଇ ହାଜର ।

 

ଘୁମନ୍ତ ସନ୍ଧ୍ୟାରେ ଆଲୋଡ଼ନରେ ପ୍ରେମିକ ଯୁଗଳ ପ୍ରଣୟାଭିସାରରେ ମଜି ଯାଆନ୍ତି ।

 

ଇଂରେଜ ସରକାର ନୀରବ ହୋଇ ରହି ନଥିଲେ । ନିର୍ଦ୍ଦିଷ୍ଟ ଖବର । ରାହାସ ବିହାରୀ ଜାପାନରେ ଆତ୍ମଗୋପନ କରିଛନ୍ତି ନିଶ୍ଚୟ ।

 

ଖୋଜି ରାହାସ ବିହାରୀଙ୍କୁ ଇଂରେଜ ସରକାରଙ୍କ ହାତରେ ସମର୍ପି ଦେବା ଜାପାନ ସରକାରଙ୍କର ଦାୟିତ୍ଵ ।

 

ଆନ୍ତର୍ଜାତିକ ନିୟମାନୁସାରେ ରାହାସ ବିହାରୀଙ୍କ ନାମରେ ୱାରଣ୍ଟ ।

 

ଜାପାନ ସରକାର ଧମାଧମ୍ ଅନୁସନ୍ଧାନ ଚଳାଇଥାନ୍ତି । ଶେଷରେ ସମ୍ମାନାସ୍ପଦ ମନ୍ତ୍ରୀ ନାକ୍‍ସରାଙ୍କ ଘର ଖାନ୍‍ତଲାସ୍ ହେଲା । କିନ୍ତୁ ରାହାସ ବିହାରୀଙ୍କର କୌଣସି ସନ୍ଧାନ ମିଳିଲା ନାହିଁ-

 

ଇଂରେଜ ସରକାର ଦୃଢ଼ଭାବରେ ଜଣାଇଥିଲେ, ପି.ଏନ୍. ଠାକୁରଙ୍କର ଛଦ୍ମବେଶରେ ରାହାସ ବିହାରୀ ଜାପାନରେ ଆତ୍ମଗୋପନ କରିଛନ୍ତି ।

 

ପରବର୍ତ୍ତୀ ଅନୁସନ୍ଧାନ ଫଳରେ ମନ୍ତ୍ରୀକନ୍ୟାଙ୍କ ସାଙ୍ଗରେ ରାହାସ ବିହାରୀ ପ୍ରଣୟ କରିଛନ୍ତି । ଏ କଥା ମଧ୍ୟ ଜଣାପଡ଼ିଲା ।

 

ହେଲେ ଇଂରେଜ ପୋଲିସ୍ ଓ ଜାପାନ ପୋଲିସ୍‍ଙ୍କ ଆଖିରେ ଧୂଳି ଦେଇ ସେ ଅନ୍ତର୍ଦ୍ଧାନ ହୋଇଗଲେ !!!

 

ଅଜ୍ଞାତ ସ୍ଥାନରେ ଥାଆନ୍ତି ରାହାସ ବିହାରୀ ! ତାଙ୍କର ଅବସ୍ଥାନ କେବଳ ତାଙ୍କରି ପ୍ରେୟସୀ ଜାଣିଥାନ୍ତି । ଗୋପନରେ ଆସି ସେ ବିପ୍ଳବୀଙ୍କୁ ଦେଖା କରନ୍ତି । ଖାଦ୍ୟପେୟର ଆୟୋଜନ କରିଯାଆନ୍ତି !

 

ଭାରତରେ ପୁଲିସ ଆଖିରେ ଧୂଳିଦେଇ ଘୂରିବୁଲୁଥିଲେ । କିନ୍ତୁ ବିଦେଶରେ ଏକପ୍ରକାର ବନ୍ଦୀ ହୋଇ ରହିବାପାଇଁ ରାହାସ ବିହାରୀଙ୍କୁ ଆଉ ଭଲ ଲାଗିଲା ନାହିଁ ।

 

ଜାପାନୀମାନଙ୍କ ସହିତ ତାଙ୍କର ଚେହେରାର ମେଳ ଖାଉନାହିଁ । ତାଙ୍କର ବର୍ଣ୍ଣ, ଭାଷା, ଚେହେରା ସବୁ କିଛି ପୋଲିସ୍‍କୁ ଚିହ୍ନଟ କରାଇ ଦେବ । ସେଥିପାଇଁ ସେ ବିବ୍ରତ । ଚିନ୍ତିତ ।

 

ପ୍ରିୟତମା ସବୁ ବୁଝିପାରିଲେ !

 

“ଆପଣ କାହିଁକି ସବୁବେଳେ ବିଷଣ୍ଣ ହୋଇପଡ଼ୁଛନ୍ତି ?”

 

“ବନ୍ଦୀଟି ପରି ଆଉ କେତେଦିନ ଏମିତି ଜୀବନ କଟାଇବି ?”

 

“ମୁଁ ଗୋଟିଏ ପ୍ରସ୍ତାବ ଦେବି, ରଖିବ !”

 

“କୁହ....”

 

“ଜାପାନର ନାଗରିକ ହେବାପାଇଁ ଦରଖାସ୍ତ କର । ନାଗରିକ ହୋଇଗଲେ ଆଉ ଭୟର କାରଣ ରହିବ ନାହିଁ ।’’

 

“ଜାପାନର ନାଗରିକ ହେବା ଅସମ୍ଭବ ।”

 

“ଚେଷ୍ଟା କଲେ କିଛି ଅସାଧ୍ୟ ନୁହେଁ । ଆପଣ ଦରଖାସ୍ତ କରନ୍ତୁ ଆମେ ଚେଷ୍ଟା କରିବା-।”

 

“ଚେଷ୍ଟା କରିବ ନିଶ୍ଚୟ । ହେଲେ ମୋତେ ଜାପାନୀ ନାଗରିକ ଅଧିକାର ମିଳିବାପାଇଁ ଯେ କେତେ ସମୟ ଲାଗିବ, ତମେ ଅନୁମାନ କରିପାରୁଛ ? ଏତେଦିନ ଧରି ପୋଲିସ୍ ଆଖିରେ ଧୂଳିଦେଇ ରହିପାରିବି ?”

 

“ମୁଁ ଜାଣେ ।”

 

“ତେବେ ଉପାୟ ।”

 

“ନାରୀ ବେଶରେ ତମକୁ ପୁଲିସ୍‍କୁ କାବୁ କରିବାକୁ ହେବ ।”

 

“ନାରୀ ବେଶରେ....”

 

“ସାଧାରଣ ନାରୀ ଭାବରେ ନୁହେଁ । ବାରାଙ୍ଗନା ଅପରୂପ ରୂପସୀ ବେଶରେ ମୁଁ ସଜାଇଦେବି ।”

 

ଜାପାନର ହୋଟେଲ, ବିଶ୍ରାମ ଗୃହରେ ବାରାଙ୍ଗନାମାନେ ଗୀତ ଗାଇ ନାଚି ରସିକମାନଙ୍କର ମନୋହରଣ କରନ୍ତି । ସେହି ବେଶରେ ପ୍ରେମିକ ତାଙ୍କୁ ସଜାଇ ଆତ୍ମଗୋପନ କରାଇବାର ପ୍ରସ୍ତାବ ଗ୍ରହଣ କରିବାପାଇଁ ପ୍ରଭାବିତ କଲେ ।

 

“ତମେ ମୋ ସାଙ୍ଗରେ ପରିହାସ କରୁଛ ?” ରାସବିହାରୀ କହିଲେ ।

 

“ପରିହାସ ନୁହେଁ, ଏଇ ଏକମାତ୍ର ଉପାୟ ।”

 

“ମୋତେ ପ୍ରଥମେ ନାରୀ ବେଶ ସାଜିବ ତ ! ସାଜିଲେ ମଧ୍ୟ ନାରୀଲୋଭୀ ପୁରୁଷଙ୍କ ହାତରୁ ମୋତେ କିମିତି ରକ୍ଷା ମିଳିବ, କୁହ ତ ।”

 

ମନ୍ତ୍ରୀକନ୍ୟା ପ୍ରାଣଭରି ହସିଉଠିଲେ ।

 

“ସେ ବ୍ୟବସ୍ଥା ମୁଁ କରିବି । ହେଲେ, ଆପଣଙ୍କୁ ଶୀଘ୍ର ଜାପାନୀ ଭାଷା ଶିଖିବାକୁ ପଡ଼ିବ-।”

 

ଶେଷରେ ଜାପାନୀ ନାଗରିକ ହେବାପାଇଁ ରାହାସ ବିହାରୀ ଦରଖାସ୍ତ କରିଦେଲେ ।

 

ବାରାଙ୍ଗନାର ବେଶରେ ଆତ୍ମଗୋପନ ପାଇଁ ଅନ୍ୟତ୍ର ଆଶ୍ରୟ ନେବାପାଇଁ ଚାଲିଗଲେ-। ରାହାସ ବିହାରୀ ନାକାସୁରାଙ୍କର ଜଣେ ଅତି ବିଶ୍ଵସ୍ତ ଭୃତ୍ୟ ପରିଚାରକରୂପେ ତାଙ୍କ ସାଙ୍ଗରେ ରହିଲେ ।

 

କୁମାରୀ ପ୍ରତ୍ୟହ ଆସନ୍ତି । ବିପ୍ଳବୀଙ୍କୁ ଜାପାନୀ ଭାଷା ପଢ଼ାନ୍ତି । ସେ ଜାପାନୀ ଭାଷା ଅଳ୍ପଦିନରେ ଲେଖିପଢ଼ି ଶିଖିଗଲେ ।

 

ଦିନେ ମନ୍ତ୍ରୀକନ୍ୟା ଆସି କହିଲେ “ବ୍ଲାକ୍ ଡ୍ରାଗନ୍”ର କେତେକ ସଦସ୍ୟ ଆପଣଙ୍କୁ ଦେଖା କରିବାକୁ ଆସିବେ ।

 

ରାହାସ ବିହାରୀ ବିସ୍ମିତ ହୋଇ ପ୍ରଶ୍ନକଲେ “ସେମାନେ କିଏ ?”

 

“ରାଜାଙ୍କର ଗୁପ୍ତ କର୍ମଚାରୀ । ସେମାନଙ୍କ ନିଷ୍ପତ୍ତି ଉପରେ ସବୁ ନିର୍ଭର କରେ । ସେମାନେ ସନ୍ତୁଷ୍ଟ ନହେଲେ, ପ୍ରାଣଦଣ୍ଡ ହୋଇପାରେ ।’’

 

ପ୍ରାଣଦଣ୍ଡ ! ଦୁହିଁଙ୍କର ପ୍ରାଣ ଶିହରୀ ଉଠିଲା ।

 

ରାହାସ ବିହାରୀ ମନ୍ତ୍ରୀ କନ୍ୟା ଆଡ଼େ ଆଖି ଫେରାଇ ନେଲେ ।

 

ଦୁଇଧାର ଲୁହ ଗଡ଼ି ପଡ଼ିଛି ।

 

ନୀରବତା କିଛିକ୍ଷଣ ଲାଗିରହିଲା । ମନ୍ତ୍ରୀକନ୍ୟା ନୀରବତା ଭାଙ୍ଗି କହିଲେ, “ଏପରି ଯେବେ ଘଟେ ମୁଁ ଆତ୍ମହତ୍ୟା କରିବି ।’’

 

ଦୁହେଁ ନୀରବ । ଆଉ ଉପାୟ ନାହିଁ ! ଉପାୟ ନାହିଁ !

 

ନିରୂପିତ ଦିବସରେ ବ୍ଲାକ୍ ଡ୍ରାଗନ୍‍ର କେତେ ଜଣ କର୍ମଚାରୀ ଆସିଲେ ।

 

ରାହାସ ବିହାରୀଙ୍କୁ ତୀକ୍ଷ୍ଣଦୃଷ୍ଟିରେ ସେମାନେ ଅନୁଶୀଳନ କରିବାକୁ ଲାଗିଲେ । ପ୍ରଶ୍ନ ଉପରେ ପ୍ରଶ୍ନ କଲେ । ରାହାସ ବିହାରୀ ବିଚକ୍ଷଣତା ସହିତ ସେମାନଙ୍କର ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଲେ ।

 

ହେଲେ, ସେମାନଙ୍କ ଭାବଭଙ୍ଗୀରୁ କିଛି ଅନୁମାନ କରି ହେଲା ନାହିଁ ।

 

ଅନେକ ଦିନ ବିତିଗଲା । କିଛି ଖବର ମିଳିଲା ନାହିଁ । ପ୍ରିୟତମା ମନ୍ତ୍ରୀକନ୍ୟା ମଧ୍ୟ ଏହି କେତେଦିନ ହେଲା ଦେଖା ନାହିଁ ।

 

ଭବିଷ୍ୟତ ଚିନ୍ତାରେ ଏକାବେଳକେ ବିପ୍ଳବୀ ରାହାସ ବିହାରୀ ଦିଗହରା ହୋଇପଡ଼ିଲେ-

 

ଆତ୍ମହତ୍ୟା ବ୍ୟତିରେକ ଅନ୍ୟଗତି ନାହିଁ । ଶେଷରେ ଆତ୍ମହତ୍ୟା...... !

 

ଦିନେ ହଠାତ୍ ଅଧୀର ଭାବରେ ପ୍ରେୟସୀ ହସହସ ମୁଖରେ ଆସି କହିଲେ, ଆମେ ଜୟୀ ହୋଇଛେ ବନ୍ଧୁ । ସେମାନେ ଅତ୍ୟନ୍ତ ଖୁସିହୋଇ ଯାଇଛନ୍ତି ।’’

 

“ଜାପାନର ନାଗରିକ ହୋଇପାରିବ ନିଶ୍ଚୟ ।’’

 

“ନିଶ୍ଚୟ ! ନିଶ୍ଚୟ !”

 

ସେଦିନ ପ୍ରେମିକ ପ୍ରେମିକାର ଆନନ୍ଦର ସୀମା ରହିଲା ନାହିଁ । ପୃଥିବୀ ଜୟ କରିଛନ୍ତି ସେମାନେ ।

 

ନାକାସୁରା ଆସି ରାହାସ ବିହାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ । ଜାପାନ ପୋଷାକ ପିନ୍ଧାଇ ଦେଇ, ଜାମାତା ହିସାବରେ ତାଙ୍କୁ ଅଭିଷେକ କରିବାର ଯଥାଯଥ ବ୍ୟବସ୍ଥା କରିଦେଲେ ।

 

ସେମାନଙ୍କ ବୈବାହିକ ଜୀବନ ଅତୀବ ଆନନ୍ଦଦାୟକ ହୋଇଥିଲା । କିନ୍ତୁ ହାୟ, ଏତେ ସୁଖ ପ୍ରାୟ ନିଷ୍ଠୁର ନିୟତି ସହିପାରିଲା ନାହିଁ ।

 

ବିହାହର କିଛିଦିନ ପରେ ପ୍ରିୟତମା ପତ୍ନୀ ତାଙ୍କୁ ଏକାକୀ ଛାଡ଼ି ଚାଲିଗଲେ ।

 

ହା–ହୁତାଶରେ ଦଗ୍ଧୀଭୂତ ହୋଇପଡ଼ିଲେ ବିପ୍ଳବୀ ! ପତ୍ନୀର ବିୟୋଗ ପରେ ଏକମାତ୍ର କନ୍ୟା ତାଙ୍କ ଜୀବନରେ ଅବଲମ୍ବନ ହୋଇ ଉଠିଲା ।

 

“ଏତେ ସୁଖ ସହି ପାରିଲେନି ଭଗବାନ ।”

 

ଅନାଗତ, ଅଦୃଶ୍ୟ ଶକ୍ତିକୁ ଅଭିଶାପ ଦେଇ, ରାହାସ ବିହାରୀ ଜୀବନର ଶେଷ ପର୍ଯ୍ୟନ୍ତ ଏକପତ୍ନୀନିଷ୍ଠ ହୋଇ ଶେଷ ନିଃଶ୍ଵାସ ଛାଡ଼ିଲେ ।

 

ହେଲେ, ଜୀବନର ଶେଷ ପର୍ଯ୍ୟନ୍ତ ରାହାସ ବିହାରୀ ସ୍ଵର୍ଗାଦପୀ ଗରୀୟସୀ ମାତୃଭୂମିକି ଭୁଲି ପାରି ନଥିଲେ ।

 

ଯାହାର ମୁକ୍ତିପାଇଁ ଜୀବନବଳି ଦେବାକୁ ଆଗେଇ ଆସିଥିଲେ, ତାକୁ ଭୁଲି ପାରିବେ ବିପ୍ଳବୀ ?

 

୧୯୨୦ ମସିହାରେ “ଭାରତୀୟ ସ୍ଵାଧୀନତା ସଂଘ” ଗଠନ କଲେ । ୨ୟ ମହାଯୁଦ୍ଧ ବେଳକୁ ଏହି ସଂଘ “ଆଜାଦ୍ ହିନ୍ଦ୍ ଫୌଜ” ନାମରେ ନାମିତ ହୋଇଥିଲା ।

 

୧୯୪୩ ମସିହା, ଜୁଲାଇ ୪ ତାରିଖରେ ତାଙ୍କ ଭାଷଣରେ କହିଥିଲେ X X ମୋର ଦିନ ଶେଷ ହୋଇ ଆସୁଛି । ଉପରୁ ଡାକ ଆସିଲାଣି । ଦେବତାର ଆଶୀର୍ବାଦ, ଏହି ସମୟରେ ଭାଇ ସୁଭାଷ ମୋ ପାଖରେ । ମାତୃଭୂମିକୁ ସ୍ଵାଧୀନ କରିବାର ଦାୟିତ୍ଵ ସେ ନେଇ ସାରିଛନ୍ତି । ମୁଁ ମୁକ୍ତ । ମୋ ମାତୃଭୂମି ଅଚିରେ ଦାସତ୍ଵ ବନ୍ଧନରୁ ମୁକ୍ତ ହେବ । ହଁ, ମୁକ୍ତ ହେବ X X

 

ଏକନିଷ୍ଠ ପ୍ରେମିକ ରାହାସ ବିହାରୀ, ସାହସୀ ପ୍ରେମିକ ରାହାସ ବିହାରୀ ଭାରତ ସ୍ଵାଧୀନତା ସଂଗ୍ରାମର ବିପ୍ଳବୀ ନେତା ଭାରତ ସ୍ଵାଧୀନତାର ସ୍ଵପ୍ନ ଦେଖୁଦେଖୁ ୧୯୪୫ ସାଲ, ଜାନୁୟାରୀ ୨୧ ତାରିଖରେ ପ୍ରେମିକାର ପଥ ଅନୁସରଣ କଲେ ।

 

କୋଟି କୋଟି ଭାରତବାସୀଙ୍କର ଅଭିନନ୍ଦନ ଜଣାଉଛୁ ପ୍ରଣୟୀ ଯୁଗଳ ।

 

ରାଜନୈତିକ ବିପ୍ଳବପାଇଁ ପ୍ରାଣ ଦେଇଛି । ଅର୍ଥନୈତିକ ସ୍ଵାଧୀନତା ପାଇଁ ଆଶୀର୍ବାଦ ଦିଅ ।

☆☆☆

 

Unknown

ପ୍ରେମର ରାଜା ଡିକେନ୍‍ସ

 

୧୮୧୨ ସାଲର ଫେବୃୟାରୀ ମାସ ଛଅ ତାରିଖ ।

 

ଇଂଲଣ୍ଡ ସହରର ପୋର୍ଟସୀରେ ସନ୍ଧ୍ୟାର ଅନ୍ଧକାର ଘନ ହୋଇ ଆସୁଥିଲା । ବାହାରେ ଭୟଙ୍କର ଶୀତ । ସେ ଶୀତରେ ଦେହ ଥରି ଉଠୁଥିଲା ।

 

ଏମିତି ଶୀତ ସନ୍ଧ୍ୟାରେ ଜନ୍‍ଙ୍କର ବାହାରକୁ ବାହାରିଯିବା ପାଇଁ ଆଦୌ ଇଚ୍ଛା ନଥିଲା । ହେଲେ, ଆସନ୍ନପ୍ରସବା ସ୍ତ୍ରୀ ଏଲିଜାବେଥ୍‍ଙ୍କର ଏକାନ୍ତ ଇଚ୍ଛା ନୃତ୍ୟଶାଳାକୁ ଯାଇ ଟିକେ ଆମୋଦ ପ୍ରମୋଦରେ କିଛି ସମୟ କଟାଇ ଆସିବା ।

 

ପତ୍ନୀ ସୁହାଗିନୀ ଜନ୍ ଅଗତ୍ୟା ଏଲିଜାବେଥ୍‍ଙ୍କୁ ନେଇ ନୃତ୍ୟଶାଳାକୁ ଗଲେ ।

 

ଜନ୍‍ଙ୍କର ଆଶଙ୍କା, ଯେବେ ନୃତ୍ୟଶାଳାରେ କିମ୍ୱା ବାଟରେ ଏଲିଜାବେଥ୍‍ ଅସୁସ୍ଥ ହୋଇ ପଡ଼ନ୍ତି, ସେ କ’ଣ କରିବେ !!

 

ଆଶଙ୍କା ବାସ୍ତବରେ ପରିଣତ ହେଲା ।

 

ନୃତ୍ୟଶାଳାରେ ଏଲିଜାବେଥ୍‍ ପୀଡ଼ିତ ହୋଇ ପଡ଼ିଲେ । ଧରାଧରି କରି ତାଙ୍କୁ ଘେନି ଆସିଲେ ଜନ୍ ।

 

ଜନ୍‍ଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ତେଣୁ ଭଲ ଡାକ୍ତର ଡକାଇ ତାଙ୍କ ପତ୍ନୀଙ୍କର ଚିକିତ୍ସାର ବ୍ୟବସ୍ଥା କରିପାରିଲେ ନାହିଁ ।

 

ନିରାଶ୍ରୟ ମା’ ଜଗଦୀଶ ଭରସା !

 

ତା’ପରଦିନ ଏଲିଜାବେଥ୍‍ ଗୋଟିଏ ପୁତ୍ରସନ୍ତାନର ମା’ ହେଲେ ।

 

ଆର୍ଥିକ ଦୁରବସ୍ଥା ହେତୁ ଜନ୍–ଏଲିଜା କେହି ସୁଖୀ ହୋଇ ପାରିଲେ ନାହିଁ ।

 

ଅଭାବ ଅନାଟନରେ ଆଉ ଗୋଟିଏ ନବାଗତ ଅତିଥିର ଖାଦ୍ୟପେୟ, ବସନ ଭୂଷଣପାଇଁ ସମ୍ବଳ କାହିଁ ?

 

ସମ୍ବଳହୀନ ପିତା ମାତା ଜାଣି ନଥିଲେ ଯେ ନବାଗତ ଅତିଥି ଯାହାଙ୍କର ଜନ୍ମ ଏକ ବିଡ଼ମ୍ବନା ବୋଲି ସେମାନେ ଭାବୁଥିଲେ, ସେ ଦିନେ ନା ଦିନେ ଇଂରେଜୀ ସାହିତ୍ୟର ଜଣେ ବିଶିଷ୍ଟ ଶିଳ୍ପୀ ହେବେ ।

 

ଜନ୍ମ ତାରିଖ, ସାଲ, ସେ ନୃତ୍ୟଶାଳା ସବୁକିଛି ଇଂରେଜୀ ସାହିତ୍ୟ ଇତିହାସର ଚୀରସ୍ମରଣୀୟ ଘଟଣା ହୋଇ ରହିଗଲା ।

 

ଜନ୍ମ ପୂର୍ବରୁ ତାଙ୍କ ମା’ ନୃତ୍ୟଶାଳାରେ ଅସୁସ୍ଥ ହୋଇ ପଡ଼ିଥିଲେ ।

 

ସେ ନୃତ୍ୟଶାଳାର ଉଦ୍ଦାମତା, ଉଚ୍ଛ୍ଵାସ ଚାର୍ଲସ୍ ଡିକେନ୍‍ସ ଜୀବନରେ ଲାଖି ରହିଗଲା-

 

ଜନ୍ ଡିକେନ୍‍ସ ଅଫିସ୍‍ରେ ସ୍ୱଳ୍ପ ବେତନଭୋଗୀ ଜଣେ କିରାଣି ।

 

ମନ୍ଦ ଅଭ୍ୟାସ । ଆୟକୁ ଚାହିଁ ଖରଚ କରିବା ତାଙ୍କ ନିତି ବିରୁଦ୍ଧ । ତେଣୁ ଦେଣାରେ ସବୁବେଳେ ବୁଡ଼ି ରହିଥିଲେ ।

 

ଦେଣାପାଇଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା ।

 

ଜନ୍‍ଙ୍କର ଗୋଟିଏ ଝିଅ ଓ ଚାର୍ଲସ୍ ୨ୟ ସନ୍ତାନ ।

 

ଅଭାବ, ଅସୁବିଧା ଦେଇ ଚାର୍ଲସ୍ ବଡ଼ ହେଲେ ।

 

ବାପାଙ୍କର ସ୍ୱଳ୍ପ ଆୟରେ ତାଙ୍କର ଭଲ ପଢ଼ାଶୁଣା ହୋଇ ପାରିଲା ନାହିଁ । ସେଥିପାଇଁ ସାରା ଜୀବନରେ ତାଙ୍କର ଅବସୋସ ରହିଯାଇଥିଲା ।

 

ଜୀବନସଂଗ୍ରାମରେ ଶୀଘ୍ର ପ୍ରବେଶ କରି ପରିବାରକୁ ସାହାଯ୍ୟ କରିବାପାଇଁ ସେ ଠିକା ମଜୁରୀରେ ଚାକିରି ଆରମ୍ଭ କଲେ ।

 

ସପ୍ତାହରେ ମଜୁରୀ ମାତ୍ର ଛଅ ଶିଲିଙ୍ଗ୍ । କାମ ହେଲା ଶିଶି ଧୋଇବା । ଶିଶି ଧୋଇସାରି କନାରେ ପୋଛି, ସେଥିରେ ଲେବ୍‍ଲ ମାରିବା ।

 

ପନ୍ଦର ବରଷ ହେଲା ବେଳକୁ ଅଯାଚିତ ଭାବରେ ଗୋଟିଏ ଏଟର୍ଣ୍ଣିଂ ଅଫିସ୍‍ରେ ସମ୍ବାଦବାହକରୂପେ ଚାକିରି ପାଇଲେ ।

 

ତା’ପରେ ଆଉ ଗୋଟିଏ ଅଫିସ୍‍ରେ ଗୋଟିଏ କିରାଣି ଚାକିରି ମିଳିଗଲା ।

 

କିରାଣି ଚାକିରି କଲାବେଳେ ସେ ସର୍ଟହ୍ୟାଣ୍ଡ ଓ ଟାଇପ୍ ରାଇଟିଂ ଶିଖିଥିଲେ–

 

ତା’ପରେ ଭାଗ୍ୟବଶତଃ ଗୋଟିଏ ରିପୋର୍ଟର ଚାକିରି ମିଳିଗଲା ।

 

ଅଫିସ୍‍ରେ କିରାଣି ଚାକିରି ଭଲ ଲାଗୁ ନଥିଲା । କିନ୍ତୁ ରିପୋର୍ଟର କାମ ତାଙ୍କୁ ଖୁବ୍ ଭଲ ଲାଗିଲା ।

 

ସାମ୍ବାଦିକ କାମ ସମ୍ମାନଜନକ ବୋଲି ସେ ଆତ୍ମପ୍ରସାଦ ପାଇଲେ ।

 

ନିୟମିତ ସେ ଫିଚର ଆର୍ଟିକଲ୍ ଲେଖିବାକୁ ଲାଗିଲେ ।

 

“ଦି ମର୍ଣ୍ଣିଂ କ୍ରନିକାଲ“ “ଦି ମନ୍ଥ୍‍ଲି ମାଗାଜିନ୍”ରେ ପ୍ରକାଶିତ ଲେଖାଗୁଡ଼ିକରୁ ତାଙ୍କର ବିରାଟ ପ୍ରତିଭାର ସ୍ପଷ୍ଟ ପରିଚୟ ମିଳିଲା ।

 

ତାଙ୍କର ଧାରାବାହିକ ଲେଖାଗୁଡ଼ିକୁ ସଙ୍କଳନ କରି ପ୍ରକାଶ କରିବାପାଇଁ ପ୍ରକାଶକମାନେ ଆଗ୍ରହ ପ୍ରକାଶ କଲେ ।

 

କମ୍‍ପାଇଲେସନ୍ ପ୍ରକାଶ କରି ପ୍ରକାଶକ ଆହୁରି ଆହୁରି ଲେଖା ତାଙ୍କଠାରୁ ପାଇବାପାଇଁ ବାରବାର ଅନୁରୋଧ କଲେ ।

 

ଅନ୍ୟ ଜଣେ ପ୍ରକାଶକ ଛୁଆଙ୍କପାଇଁ ରମ୍ୟରଚନା ତାଙ୍କୁ ବରାଦ ଦେଲେ ।

 

ଚାର୍ଲସ ଡିକେନ୍‍ସଙ୍କର ଏ ବିଷୟରେ ବିଶେଷ ଜ୍ଞାନ ନଥିଲା ।

 

ଯେଉଁ ବୟସରେ କିଶୋର କିଶୋରୀ ଖେଳିବୁଲି ଆମୋଦ ପ୍ରମୋଦ କରନ୍ତି ସେହି ବୟସରେ ତାଙ୍କର ଅନ୍ନଚିନ୍ତା ଚମତ୍କାର–ଅନୁଭୂତି ନାହିଁ, ଜ୍ଞାନ ନାହିଁ । ସେ ବିଷୟରେ ଅଧ୍ୟୟନ ମଧ୍ୟ ନାହିଁ ।

 

ଲେଖିବେ କ’ଣ ?

 

ହେଲେ, ସେ ନିଜକୁ ଅସହାୟବୋଧ କଲେ ନାହିଁ । ପ୍ରକାଶକଙ୍କୁ ଏ ବିଷୟରେ ରମ୍ୟରଚନା ଦେବାପାଇଁ ପ୍ରତିଶ୍ରୁତି ଦେଇସାରିଥିଲେ ।

 

ସେ ବିଷୟରେ ଅଧ୍ୟୟନ କଲେ । ଅନୁସନ୍ଧାନ କେଲ । ଆଲୋଚନା କଲେ ମଧ୍ୟ ।

 

ବହୁ ଶ୍ରମ କରି ଲେଖିଲେ “ଦି ପିକ୍‍ଉବାକ୍ ପେପର୍‍ସ” ।

 

ଏ ବହି ପ୍ରକାଶିତ ହେଲାପରେ ସେ ସାମାନ୍ୟ ଆତ୍ମସନ୍ତୋଷ ଲାଭ କଲେ । କିନ୍ତୁ ସମାଲୋଚକମାନେ ତାଙ୍କୁ ସ୍ଵୀକାର କଲେ ନାହିଁ ।

 

“ଦି କ୍ଵାଟର୍‍ଲି ରିଭ୍ୟୁ”ରେ ସମାଲୋଚନା ପ୍ରକାଶ ପାଇଲା ।

 

ୟେ ଲେଖାରୁ ଲେଖକଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତର ପରିଚୟ ମିଳୁନାହିଁ ।

 

ଏ ସବୁ ସମାଲୋଚନାରେ ଅନ୍ୟାନ୍ୟ ନବୀନ ଲେଖକଙ୍କ ପରି ସେ ବିବ୍ରତ ହୋଇ ପଡ଼ି ନଥିଲେ ।

 

ତା’ପରେ ପ୍ରକାଶ ପାଇଲା “ଅଲିଭର ଟୁଇଷ୍ଟ”, “ନିକୋଲସନି କଲବି” ଇତ୍ୟାଦି ।

 

ଏ ସବୁ ବହି ପ୍ରକାଶ ପରେ ପରେ ଅବାନ୍ତର ସମାଲୋଚକମାନେ ଏକ ସ୍ଵରରେ ତାଙ୍କର ଉଚ୍ଛ୍ଵସିତ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଲେ ।

 

ଚାରିଆଡ଼େ ଡିକେନ୍‍ସଙ୍କର ଭୂୟସୀ ପ୍ରଶଂସା ଶୁଣାଗଲା ।

 

ସେ ଦେଖିବାକୁ ଖୁବ୍ ସୁନ୍ଦର । ଅତ୍ୟନ୍ତ ଭଦ୍ର ଓ ବିନୟୀ । ଆଖି ଦିଓଟି ସୁନ୍ଦର ଓ ଭାରି ଲୋଭିଲା ।

 

ଭେଲ୍‍ଭେଟର କୋଟ୍, ରଙ୍ଗିନ୍ ଟାଇ ଓ ସାଧା ଟୋପି ପିନ୍ଧିବାକୁ ସେ ଭଲ ପାଉଥିଲେ ।

 

କଳ୍ପନାବିଳାସୀ ଡିକେନ୍‍ସଙ୍କର ଚାହାଣି ଅନେକ ସୁଶ୍ରୀ ତରୁଣୀଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଇଥିଲା ।

 

ସମସାମୟିକ ଲେଖକମାନଙ୍କଠାରୁ ସେ ଦେଖିବାକୁ ଥିଲେ ଖୁବ୍ ସୁନ୍ଦର । ଲୋଭନୀୟ-। ତରୁଣୀ ମନ ମୋହିବାରେ ସ୍ଵନାମଧନ୍ୟ ।

 

କୋଡ଼ିଏବର୍ଷରେ ପଦାର୍ପଣ କରିବା ପୂର୍ବରୁ ପ୍ରେମରେ ପଡ଼ିଥିଲେ ।

 

ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଗୋଟିଏ କିରାଣି ଚାକିରି କରୁଥିଲେ । ଇଂଲଣ୍ଡର ସାଧାରଣ ପଲ୍ଲୀରେ ।

 

ସେତେବେଳକୁ “ଦି ପିକ୍‍ଉଇକ୍ ପେପରସ୍” ପ୍ରକାଶ ସରିଲାଣି ।

 

ଡିକେନ୍‍ସ ବଡ଼ ଲାଜକୁଳା ପ୍ରକୃତିର କିଶୋର, ବନ୍ଧୁ ପରିସର ଖୁବ୍ ସୀମାବଦ୍ଧ । ପୁଣି ମିଳାମିଶା କରିବାର ଅଭିଳାଷ ଓ ଅଭ୍ୟାସ ଥିଲା ଖୁବ୍ କମ୍ ।

 

ସେ ଦିନ ଛୁଟିଦିନ ଥିଲା । ଘରେ ବସି ବସି ଲେଖାଲେଖି କରୁଥିଲେ ।

 

ବାଲ୍ୟବନ୍ଧୁ ହେନେରୀ କୋଲେସ୍ ଦେଖା କରିବାକୁ ଆସିଥିଲେ ।

 

ଏକାନ୍ତରେ ତରୁଣ ତରୁଣୀ ବହୁ କଥା ହେଲେ ।

 

ହେନେରୀ କହିଲେ “ଲଣ୍ଡନରେ କୌଣସି ତରୁଣୀ ଛୁଟି ଦିନଟା ଘରେ କବାଟ କିଳି କଟାଇବା ଭାରି ଅନ୍ୟାୟ ।’’

 

ଡିକେନ୍‍ସ ଅଳ୍ପ ହସି ଉତ୍ତର ଦେଲେ “ସମସ୍ତଙ୍କ ସ୍ଵଭାବ ସମାନ ନୁହେଁ–ମୁଁ ଯେବେ ଏହାର ବ୍ୟତିକ୍ରମ ହୋଇଥାଏ, ମନ୍ଦ କ’ଣ ? ପୁଣି ଅନେକ ଲେଖାଲେଖି ହାତରେ ଅଛି....”

 

“ସମାଜରେ ରହିବାକୁ ହେଲେ ସାମାଜିକ ହେବାକୁ ହେବ । ସ୍ଵଭାବ ବଦଳାଇବାକୁହିଁ ପଡ଼ିବ...”

 

ବାଧ୍ୟ କଲେ ତରୁଣୀ ତାଙ୍କୁ ସାଙ୍ଗରେ ନେଇ ବୁଲିଯିବା ପାଇଁ ।

 

“କେଉଁଠିକି ?” ଡିକେନ୍‍ସ ପ୍ରଶ୍ନ କଲେ ।

 

“ମିଷ୍ଟର୍ ବ୍ୟାଡ଼୍‍ନାଲର ଘରେ ଆମର ଗୋଟିଏ ପାର୍ଟି ଅଛି । ସମୟ ଭଲରେ କଟିବ । ଚାଲ...”

 

ଡିକେନ୍‍ସଙ୍କର ବୁଲିଯିବା ପାଇଁ ବଳବତ୍ତର ଇଚ୍ଛା ନଥିଲା । ହେନେରୀଙ୍କର ଅନୁରୋଧ ଏଡ଼ିଦେଇ ପାରିଲେ ନାହିଁ ।

 

ଶେଷରେ ଦୁଇବନ୍ଧୁ ପାର୍ଟିରେ ଯୋଗ ଦେବାପାଇଁ ଗଲେ ।

 

ମିଃ ବ୍ୟାଡ଼୍‍ନାଲ ଅବସ୍ଥା ସମ୍ପନ୍ନ ବ୍ୟାଙ୍କ୍‍ର । ସମାଜରେ ଖୁବ୍ ପ୍ରତିଷ୍ଠା ତାଙ୍କର ଥିଲା ।

 

ତାଙ୍କର ତିନୋଟି ଝିଅ । ଝିଅମାନେ ବାପାଙ୍କର ଅତିପ୍ରିୟ । ବ୍ୟାଡ଼୍‍ନାଲଙ୍କର ସ୍ଵନାମ ଝିଅମାନେ ସମାଜରେ ଠିକ୍‍ ଭାବରେ ରକ୍ଷା କରିପାରିଥିଲେ ।

 

ମିସେସ୍ ବ୍ୟାଡ଼ନାଲ ଝିଅମାନଙ୍କର ଭବିଷ୍ୟତ ପାଇଁ ଖୁବ୍ ସଜାଗ ଥିଲେ ।

 

ଝିଅମାନଙ୍କୁ ସମାଜରେ ପ୍ରତିଷ୍ଠା କରିଦେବା ପାଇଁ, ବ୍ୟାଡ଼ନାଲ ଦମ୍ପତି ଘରେ ବାରବାର ପାର୍ଟିର ଆୟୋଜନ କରିଥାଆନ୍ତି ।

 

ସମ୍ଭ୍ରାନ୍ତ ବଂଶୀୟ କିଶୋରମାନେ ନିମନ୍ତ୍ରିତ ହୋଇ ଆସନ୍ତି । ସେମାନଙ୍କ ବିଷୟରେ ଜଣାଶୁଣା ହେଲେ ଯୋଗ୍ୟ ଜ୍ଵାଇଁ ଯେପରି ମିଳିବ, ସେଥିପାଇଁ ରୀତିମତ ଚେଷ୍ଟା କରୁଥିଲେ ବ୍ୟାଙ୍କ୍‍ର ବ୍ୟାଡ଼୍‍ନାଲ ।

 

ସାନ ଓ ମଝିଆଁ ଝିଅପାଇଁ କଥା ଠିକ୍ ହୋଇ ଯାଇଥିଲା । ସେମାନେ ନିଜ ନିଜର ଲାଇଫ୍ ପାର୍ଟ୍‍ନର ଠିକ୍ କରିସାରିଥିଲେ । କେବେଳ ବଡ଼ ଝିଅପାଇଁ ବର ଖୋଜାଚାଲିଥିଲା ।

 

ବଡ଼ ଝିଅ ମେରିଆ ଖୁବ୍ ସୁନ୍ଦରୀ ! ତାଙ୍କୁ ଦେଖିଲେ ମନେହେବ ଯେପରି ସରଗରୁ ଗୋଟିଏ ଅଭିଶପ୍ତ ପରି ମର୍ତ୍ତ୍ୟକୁ ଉହ୍ଲାଇ ଆସିଛି ।

 

ଗୀତ ନାଚରେ ସେ ଥିଲା ଏକ ଅପୂର୍ବ ଆର୍ଟିଷ୍ଟ୍ ।

 

ହେନେରୀ ଡିକେନ୍‍ସଙ୍କୁ ସେମାନଙ୍କ ବୟସରେ ଟିକିନିଖି ସବୁ କହିଥିଲେ ।

 

ସନ୍ଧ୍ୟାରେ ପାର୍ଟି ଜମି ଉଠିଲା । ଡିକେନ୍‍ସଙ୍କ ଜୀବନରେ ବଡ଼ଲୋକ ଘରେ ପାର୍ଟିରେ ଯୋଗ ଦେବା ସେଇଟା ଥିଲା ପ୍ରଥମ ।

 

ପାର୍ଟିରେ ସେ ଅପ୍ରତିଭ ହୋଇ ଉଠିଲେ । ଅନ୍ୟାନ୍ୟଙ୍କ ବେଶପୋଷାକ ସାଙ୍ଗରେ ନିଜର ବେଶପୋଷାକ ତୁଳନା କରି ନେଇ ନିଜକୁ ଅସହାୟବୋଧ କଲେ ସେ ।

 

ଜାକଜମକ ପ୍ରାସାଦ । ସତେଅବା ଇନ୍ଦ୍ରପୁରୀ ! ଆଲୋକର ମହାମହୋତ୍ସବ । ମୂଲ୍ୟବାନ ସାଜସଜ୍ଜାରେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ହେନେରୀ ଆଉ ଡିକେନ୍‍ସ ପହଞ୍ଚିବାମାତ୍ରେ ପରିଚାରକ ପାଛୋଟି ନେଇଗଲେ ତାଙ୍କୁ ଡ୍ରଇଂରୁମ୍‍କୁ ।

 

ଡ୍ରଇଂରୁମ୍‍ରେ ପଶି ସେ ଆହୁରି ଆଶ୍ଚର୍ଯ୍ୟ ହୋଇ ଉଠିଲେ ।

 

କି ଚମତ୍କାର ଡ୍ରଇଂରୁମ୍ ! ଜୀବନରେ ଏମିତି ଡ୍ରଇଂରୁମ୍ ସେ କେବେ ଦେଖି ନାହାନ୍ତି ।

 

ଭ୍ରମର ପରି ପରାଗ ବୋଳି ହୋଇ ଅନେକ ସୁଦର୍ଶନଯୁବକ ଆସି ରୁଣ୍ଡ ହେଲେ ।

 

ଘରର ଗୋଟିଏ କୋଣରେ ଦାମୀ ପୋଷାକ ପିନ୍ଧି, ଅନିନ୍ଦ୍ୟ ସୁନ୍ଦରୀ ମେରିୟା ବୀଣାସ୍ଵର ସହ ନିଜରସ୍ଵର ମିଶାଉଥିଲେ ।

 

ଡିକେନ୍‍ସ ଅନତିଦୂରରେ ବସିଲେ ।

 

ସଙ୍ଗୀତର ମଧୁ ଆଳାପନ ଭିତରେ ମେରିୟାର ଆଖି ଲାଖିଗଲା ଡିକେନ୍‍ସ ସୁନ୍ଦର ମନୋହର ଚେହେରାରେ ।

 

ପରିଚୟ ନାହିଁ । ତଥାପି ମେରିୟା ଉଠି ଆସିଲେ ଡିକେନ୍‍ସଙ୍କ ପାଖକୁ ।

 

“ଆପଣ ! କୁହନ୍ତୁତ, ଆପଣଙ୍କ ସାଙ୍ଗରେ କେଉଁଠି ଦେଖା ହୋଇଥିଲା ? ବକ୍ର ଚାହାଣିରେ ମେରିୟା ପ୍ରଶ୍ନ କରି ନିବିଡ଼ ଭାବରେ ଅନାଇ ରହିଲେ ।

 

ଡିକେନ୍‍ସ ଅପ୍ରତିଭ ହେଇ ପଡ଼ିଲେ । କେଉଁଠି କେବେତ ତାଙ୍କ ସାଙ୍ଗରେ ସାକ୍ଷାତ ହୋଇନି ! ଏପରି ପ୍ରଶ୍ନ କାହିଁକି ?

 

ବଡ଼ଲୋକୀ ସମାଜରେ ଅପରିଚିତ ତରୁଣ ତରୁଣୀ କଥା ହେବାର ରୀତି ତାକୁ ଜଣା ନଥିଲା ।

 

କଥାବାର୍ତ୍ତାର ଉପକ୍ରମ ଯେପରି ହେବାର କଥା ମେରିୟା ଠିକ୍ ଭାବରେ କରିଛନ୍ତି ।

 

ତରୁଣୀମାନଙ୍କ ସାଙ୍ଗରେ ଆଳାପ ପରିଚୟ ହେବାକୁ ଭୟ କରୁଥିଲେ । ତେଣୁ ସବୁ କ୍ଷେତ୍ରରେ ନିଜକୁ ଏସବୁ ସମ୍ପର୍କରେ ଅଲଗା କରି ନେବାକୁ ଯତ୍ନ କରୁଥିଲେ ।

 

କିନ୍ତୁ, ହାୟ, ନିୟତିର ଗତି ବିଚିତ୍ର ! ଲାଜକୁଳା ଡିକେନ୍‍ସ କୋଟିନିଧି ପାଇଲା ପରି ମେରିୟାଙ୍କ ସାନ୍ନିଧ୍ୟ ତାଙ୍କୁ ବିଧର୍ମୀ କରି ପକାଇଲା ।

 

“ମୁଁ, ହେନେରୀଙ୍କର ବନ୍ଧୁ । ତାଙ୍କରି ଅନୁରୋଧରେ ଆପଣଙ୍କ ପାର୍ଟିରେ ଯୋଗ ଦେବାକୁ ଆସିଛି ।’’ ଡିକେନ୍‍ସ ନିଜର କଥା ଜଣାଇଲେ ।

 

‘‘ଆପଣଙ୍କ ନାମ କ’ଣ ? କି ଚାକିରି କରନ୍ତି ?” ମେରିୟା ପ୍ରଶ୍ନ କଲେ ।

 

“ମୁଁ– ମୁଁ–” ନିଜର ବ୍ୟବସାୟ, ନାମ ସିଧାସଳଖ କହି ଦେବାପାଇଁ । ବଡ଼ଲୋକପଣିଆ ମେରିୟାଙ୍କର ତାଙ୍କ ପ୍ରତି ଦୟା କରୁଣା ଜାଗ୍ରତ ନ କରି, ଘୃଣାଭାବ ଯେବେ...

 

“ପତ୍ରପତ୍ରିକାରେ ଲେଖାଲେଖି କରେ, ମୋର ନାମ ଚାର୍ଲସ ଡିକେନ୍‍ସ ।’’

 

ପରିଚୟ ଜାଣିବାକ୍ଷଣି ସେ ବିଶେଷ ଖୁସି ହେଲେ ।

 

“ଆପଣ ଚାର୍ଲସ ଡିକେନ୍‍ସ ।” ମଦ ପାତ୍ରଟି ଡିକେନ୍‍ସଙ୍କ ଆଡ଼କୁ ବଢ଼ାଇ ଦଉ ଦଉ କହିଲେ “ଆଜି ଆମର ବଡ଼ ସୌଭାଗ୍ୟ !”

 

ମେରିୟାର ଅଜାଚିତ ସ୍ନେହରେ ଆତ୍ମବିଭୋର ହୋଇ ଉଠିଲେ ଡିକେନ୍‍ସ । ତାଙ୍କର ମନେ ହେଲା, ଦୌଡ଼ି ଯାଇ ହେନେରୀଙ୍କୁ କୃତଜ୍ଞତା ଜଣାଇ ଆସିବେ ।

 

“ଲଭ୍ ଆର୍ଟ ଦି ଫାଷ୍ଟ ସାଇଟ୍” ମର୍ମେ ମର୍ମେ ଡିକେନ୍‍ସ ଅନୁଭବ କଲେ । ପାନୀୟ ପାତ୍ରଟି ଟିକେ ନେଇ ଓଠରେ ଲଗାଉ ଲଗାଉ ସ୍ମିତ ହସିଲେ ।

 

ହସିଲେ ମଧ୍ୟ ମେରିୟା ।

 

ତରୁଣ ମନରେ ତଡ଼ିତ୍ ତରୁଣୀ ହୃଦୟରେ ଆଲୋଡ଼ନ କ’ଣ ସୃଷ୍ଟି କରିଛି ?

 

ଡ୍ରଇଂରୁମ୍‍ରେ ବସିଥିବା ସମବୟସୀ ଅତିଥିମାନେ ଈର୍ଷାରେ ଜଳିଗଲେ । କିନ୍ତୁ ଆଜି ଯେମିତି ମେରିୟା ଏକାନ୍ତ ଭାବରେ ଡିକେନ୍‍ସଙ୍କୁ ଅତିଥିରୂପେ ଗ୍ରହଣ କରିଛନ୍ତି ।

 

ପାର୍ଟି ଶେଷ ହୋଇଛି ।

 

ଅନେକ ରାତି ହୋଇଯାଇଛି । ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ଭଗ୍ନମନରେ ଡିକେନ୍‍ସ ଫେରି ଆସିଛନ୍ତି । ଫେରି ଆସିବା ସଙ୍ଗେସଙ୍ଗେ ମେରିୟାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି....ସେ ଆସିବେ, ନିଶ୍ଚୟ ଆସିବେ.... ।

 

ହେନେରୀ, ଡିକେନ୍‍ସ ଫେରୁଥିଲେ । ହେଲେ ହେନେରୀ ଅବାକ୍ ।

 

ଡିକେନ୍‍ସ ଭାରି ଅନ୍ୟମନସ୍କ ପରି ଚାଲୁଥାନ୍ତି ।

 

“କ’ଣ ହେଲା ଡିକେନ୍‍ସ !” ହେନେରୀ ପ୍ରଶ୍ନ କଲେ ।

 

“ନା, ଏମିତି ପାର୍ଟିରେ ଯୋଗ ଦେବା ମୋର ପ୍ରଥମ ନା !” ଡିକେନ୍‍ସ ଉତ୍ତର ଦେଲେ ।

 

ଡିକେନ୍‍ସ ନିଜ ମନକୁ ପ୍ରଶ୍ନ ପଚାରୁଥିଲେ ! ମେରିୟା କ’ଣ ପ୍ରଥମ ଦେଖାରୁ ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି ?

 

କୌଣସି ଉତ୍ତର ନମିଳିବା ପୂର୍ବରୁ ପୁଣି ପ୍ରଶ୍ନ ଅଜାଣତରେ ଜାଗି ଉଠେ ଓ ନିଜେ ନିଜେ ତା’ର ଉତ୍ତର ଠିକ୍ କରନ୍ତି ।

 

“ନା, ନା, ତରୁଣ ବନ୍ଧୁମାନଙ୍କୁ ଦେଖି ଦେଖି, ସେ ବୀତସ୍ପୃହ ହୋଇ ପଡ଼ିଛନ୍ତି । ତେଣୁ ତାଙ୍କ ସାଙ୍ଗରେ ପାର୍ଟିରେ, କିଛି ସମୟ କଟାଇଲେ ବୋଲି ଅନ୍ୟକିଛି ଭାବିବା ଠିକ୍ ନୁହେଁ....

 

ହୋଇପାରେ, ଛୋଟ ଦୁଇ ଭଉଣୀ ନିଜ ନିଜର ସାଥୀ ବାଛି ସାରିଛନ୍ତି, ତେଣୁ ନୂଆ ହୋଇ ଯାଇଥିଲେ ବୋଲି ଡିକନ୍‍ସ....

 

ହେନେରୀ ଡିକେନ୍‍ସଙ୍କୁ ଏପରି ଅନ୍ୟମନସ୍କ ଲକ୍ଷ୍ୟ କରି କହିଲେ, “କହ, ପ୍ରକୃତରେ କ’ଣ ହୋଇଛି ?”

 

“ନା, କିଛି ହୋଇନି ।’’

 

“ଟାନ୍‍ଟାଲସ୍‍ର ପିପସା ନେଇ ମେରିୟା ପଛରେ ତମ ମନ ଧାଇଁଛି.....ନୁହେଁ ?”

 

“ତା’ ବିଷୟରେ ତମର ଭୁଲ ଧାରଣା । ମେରିୟା ମୋତେ ଯେବେ ପ୍ରକୃତରେ ଭଲ ପାଇଥାଏ....

“ଦୁନିଆର ତରୁଣୀମାନଙ୍କୁ ଏତେ ସହଜରେ ଚିହ୍ନିବାକୁ ଚେଷ୍ଟା କର ନାହିଁ–ଠକିବ–ପସ୍ତେଇ ହେବ ପଛରେ–’’

‘ଠକିଲେ ମଣିଷ ଶିଖେ–’ ହସିଲେ ଡିକେନ୍‍ସ....

କିଛିଦିନ ପରେ ଡିକେନ୍‍ସ ମେରିୟାକୁ ଦେଖା କରିବାକୁ ଗଲେ ।

ମେରିୟା ଅତି ଆଦରରେ ତାଙ୍କୁ ଅଭ୍ୟର୍ଥନା କଲେ ।

ଡିକେନ୍‍ସ ଘନିଷ୍ଠ ହେବାପାଇଁ ପ୍ରାଣପଣେ ଚେଷ୍ଟା କଲେ ।

ଛଳନାମୟୀ ମେରିୟାଙ୍କର ବାସ୍ତବ ପରିଚୟ ପାଇବା ତାଙ୍କପକ୍ଷରେ କଷ୍ଟକର ।

ଅବସର ବିନୋଦନ ପାଇଁ ସାଥୀରୂପେ ଡିକେନ୍‍ସଙ୍କୁ ଚାହୁଁଥିଲା ମେରିୟା ।

କିନ୍ତୁ ଡିକେନ୍‍ସ ଭାବି ନେଇଥିଲେ ମେରିୟା ତାଙ୍କୁ ଖୁବ୍ ଭଲ ପାଏ ।

ମିସେସ୍ ବ୍ୟାଡ଼୍‍ନାଲ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଥିଲେ ଭାରି ମାମୁଲି ଭାବରେ-। ସେ ଚାହୁଁଥିଲେ ତାଙ୍କ କନ୍ୟାର ଏମିତି ଅନେକ ତରୁଣ ବନ୍ଧୁ ରୁହନ୍ତୁ । ତରୁଣ ବନ୍ଧୁମାନଙ୍କ ମଧ୍ୟରୁ ଡିକେନ୍‍ସ ଅନ୍ୟତମ ହୋଇପାରନ୍ତି । ହେଲେ, ବିବାହ ପ୍ରଶ୍ନ ଉଠି ପାରେନା ।

ଅନ୍ୟ ପକ୍ଷରେ ଡିକେନ୍‍ସ ଚଞ୍ଚଳ ହୋଇ ଉଠିଥିଲେ ।

ମା’ ଏଲିଜାବେଥ୍‍ଙ୍କୁ ମନର କଥା ଜଣାଇଥିଲେ । ମେରିୟାଙ୍କୁ ଘରର ବୋହୂ କରିବାପାଇଁ ପ୍ରସ୍ତାବ ଦେଲେ ।

ନିଜର ଆର୍ଥିକ ଅବସ୍ଥା ଚିନ୍ତାକରି ବ୍ୟଥିତ ହୋଇଉଠିଥିଲେ ଏଲିଜା । ମେରିୟା ପରି ବଡ଼ଲୋକ ଘରର ଝିଅକୁ ବୋହୂ କରି ଆଣିବାର ସାହସ ନାହିଁ ବୋଲି ପୁଅକୁ ଜଣାଇଲେ ।

“ମେରିୟାର ବଡ଼ଲୋକି ପ୍ରକୃତି ନାହିଁ ମା’ ! ଯେକୌଣସି ପରିସ୍ଥିତିରେ ସେ ନିଜକୁ ଚଳାଇ ନେଇ ପାରିବେ ।

ଡିକେନ୍‍ସ ସ୍ଥିର କଲେ ମେରିୟା ଆଉ ତା’ ମା’ଙ୍କୁ ନିମନ୍ତ୍ରଣ କରି ଆଣିବା ପ୍ରସ୍ତାବ ଦେବେ ।

ସେମାନଙ୍କୁ ନିମନ୍ତ୍ରଣ କରି ଆଣିବା ପୂର୍ବରୁ ଆଉ ଗୋଟିଏ ଘରଭଡ଼ା ନେଲେ ବେଣ୍ଟିକ୍ ଷ୍ଟୀଟ୍‍ର ୧୮ ନମ୍ବର ଘରଟିକୁ ।

ବାପ ମା’ଙ୍କୁ ସେଠିକି ନେଇଗଲେ ।

୧୮୩୩ ମସିହାର ସେହି ୧୮ ନମ୍ବର ରୁମ୍‍ରେ ଯାହା ଘଟିଗଲା, ଡିକେନ୍‍ସ ଜୀବନରେ ଏପରି ଅପ୍ରତିଭ ସନ୍ଧ୍ୟା ଆସିନାହିଁ ।

 

ନିଜତ ଯଥାଶକ୍ତି ଅର୍ଥ ଖର୍ଚ୍ଚ କରି ଘରଟି ସଜାଇ ନେଇଥିଲେ ଡିକେନ୍‍ସ । ଦରୁଆନ ଭଡ଼ାରେ ଆଣି ମୁତୟନ କରିଥିଲେ । ବଡ଼ଲୋକି ମେନ୍ୟୁ ବରାଦ କରାଯାଇଥିଲା । ଚମକପ୍ରଦ ନହେଲେବି ମୂଲ୍ୟବାନ ଆସବାବ ପତ୍ର ଭଡ଼ାରେ ଆଣି କୋଠରୀଟିକୁ ରୁଚି ସମ୍ପନ୍ନ କରିବାପାଇଁ ଅଦମ୍ୟ ଚେଷ୍ଟା କରିଥିଲେ ଡିକେନ୍‍ସ ।

 

ମେରିୟା ଓ ତାଙ୍କ ମା’ ଯଥାସମୟରେ ଆସିଲେ ।

 

ଅଭ୍ୟର୍ଥନା କରିନେଲେ ଡିକେନ୍‍ସ ତାଙ୍କ ବାପ, ମା’ଙ୍କୁ ।

 

ଡିକେନ୍‍ସ ମନ୍ତ୍ରମୁଗ୍ଧ ପରି ମେରିଆ ଆଡ଼େ ଚାହିଁଥିଲେ ।

 

“କ’ଣ ଦେଖୁଛ ?” ପଚାରିଲେ ମେରିୟା ।

 

“ତମେ କେଡ଼େ ସୁନ୍ଦର ! ସେଇୟାହିଁ ଦେଖୁଛି ମେରି ।”

 

ମିସେସ୍ ବ୍ୟାଡ଼୍‍ନାଲ ଘରର ଆସବାବ ପତ୍ର ଆଡ଼େ ଆଖି ବୁଲେଇ ଆଣୁଥିଲେ ।

 

ଡିକେନ୍‍ସଙ୍କ ବାପ, ମା’ଙ୍କୁ ଦେଖି ଭ୍ରୂକୁଞ୍ଚନ କରିଉଠିଲେ ମିସେସ୍ ।

 

କେଉଁ ମରହଟ୍ଟା କାଳର ଲୋକ ଏମାନେ !! କି କଦର୍ଯ୍ୟ ପରିବେଶ !

 

ଅତିଥି ସତ୍କାରପାଇଁ ଘରଟି ଦିନକପାଇଁ ଭଡ଼ା ନିଆଯାଇଛି, ଆସବାବ ପତ୍ର ମଧ୍ୟ ।

 

ଅସଲ ରୂପଟା ନକଲି ଆଭରଣ ଦେଇ ରଙ୍ଗିନ କରିବାପାଇଁ ଡିକେନ୍‍ସ ଚେଷ୍ଟା କରିଥିବା କଥା ମିସେସ୍ ବେଶ୍ ଭାବରେ ଜାଣିପାରିଲେ ।

 

ଇତିମଧ୍ୟରେ ମେରିୟା ଆଉ ଡିକେନ୍‍ସଙ୍କର ଅନେକ କଥାବାର୍ତ୍ତା ସରିଛି ।

 

ଧରା ଦେଇ ଧରା ନ ଦେବାର ଅଭିନୟ ଡିକେନ୍‍ସଙ୍କୁ ଭଲ ଲାଗୁ ନଥାଏ । କଥାଟା ସିଧାସଳଖ ପଚାରିଲେ ସେ ।

 

“ମେରି !”

 

“କୁହ ?”

 

“ମୁଁ ତୁମକୁ ପ୍ରାଣ ଦେଇ ଭଲ ପାଏ ।”

 

“ବିନିମୟରେ କ’ଣ ଚାହଁ ?

 

“ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ।”

 

ମେରିୟା କୌଣସି ଉତ୍ତର ନ ଦେଇ ଚାଲିଯାଉଥିଲେ ମା’ଙ୍କ ପାଖକୁ ।

 

ଡିକେନ୍‍ସ ଆଗଭର ହୋଇ ତାଙ୍କ ପଥ ଅବରୋଧ କରି ପଚାରିଲେ “ନୀରବ ହୋଇ ଚାଲିଯାଉଛ କ’ଣ, କୁହ ?’’

 

“ତମ ସଙ୍ଗରେ ବିବାହ ହୋଇପାରେନା–ଅସମ୍ଭବ ।”

 

ଡିକେନ୍‍ସଙ୍କର ରଙ୍ଗିନ ସ୍ଵପ୍ନ ହଠାତ୍ ଭାଙ୍ଗିଗଲା । ବାସ୍ତବତାକୁ ଫେରି ଆସିଲେ ।

 

“ବନ୍ଧୁ ବୋଲି ଯାହାକୁ ଗ୍ରହଣ କରାଯାଏ, ତାକୁ ସ୍ଵାମୀ ବୋଲି ଗ୍ରହଣ କରି ଘର–ସଂସାର କରି ହୁଏ ନାହିଁ ।” ମେରିୟା କ’ଣ ଭାବି ଅଯାଚିତ ଭାବରେ କୈଫିୟତ ଦେବାକୁ ଲାଗିଲେ ।

 

ଆଶାୟୀ ହୋଇ ପୁଣି ଡିକେନ୍‍ସ ସାନୁନୟ ସ୍ଵରରେ ଜଣାଇଲେ “ତମକୁ ନ ପାଇଲେ ମୋ ଜୀବନ ହା–ହୁତାଶ ଜ୍ଵାଳାରେ ଦଗ୍ଧୀଭୂତ ହୋଇଯିବ ।”

 

“ଅନେକ ତରୁଣ ବନ୍ଧୁ ତାଙ୍କ ବାନ୍ଧବୀମାନଙ୍କୁ ଏମିତି କହିଥାନ୍ତି । ଭାବପ୍ରବଣତାକୁ ନେଇ ଘରସଂସାର କରି ହୁଏନା, ହେଲେ ସୁଖରେ କେହି ରହିପାରନ୍ତି ନାହିଁ ।” ମେରିୟା କହିଲେ ।

 

“ତମେ କେବଳ ବନ୍ଧୁତା ଯେବେ ଚାହୁଁଥିଲ ମୋତେ ପ୍ରଲୁବ୍‍ଧ କରି ଜାଳିପୋଡ଼ି ମାରୁଛ କାହିଁକି ?” ଡିକେନ୍‍ସ ପ୍ରତିବାଦ ଜଣାଇଲେ ।

 

“ପ୍ରଲୁବ୍‍ଧ ହୋଇ ତମେ ଭୁଲ କଲ, ମୁଁ ସେଥିପାଇଁ ଦାୟୀ ହେବି କିମିତି ଡିକେନ୍‍ସ ! ହଉ, ମୋର ମତାମତ ବୁଝି ଜଣାଇବି...” କହୁ କହୁ ମେରିୟା ମା’ଙ୍କ ପାଖକୁ ଚାଲିଗଲେ ।

 

ହତାଶ ହୋଇ ଛିଡ଼ାହୋଇ ରହିଲେ ଡିକେନ୍‍ସ ।

 

“ମା’ ! ଚାର୍ଲସ ମୋତେ ବିବାହ କରିବାପାଇଁ ପାଗଳ ହୋଇ ଉଠିଛି, ତମର ମତାମତ ଜାଣିଲେ ତାଙ୍କୁ କହିବି” ମେରିୟା ଶ୍ଳେଷ ମିଶା ସ୍ଵରରେ କହିଲେ ।

 

ଝିଅର ମନକଥା ତା’ର ମୁଖଭଙ୍ଗୀରୁ ସ୍ପଷ୍ଟ ହୋଇ ଉଠିଥିଲା । ନକଲି ଠିକାଦିଆ ଘରକରଣା ଓ ଡିକେନ୍‍ସଙ୍କ ମରହଟ୍ଟୀ ବାପ, ମା’ଙ୍କ ପ୍ରତି ଅସହିଷ୍ଣୁ ହୋଇ ପଡ଼ିଥିଲେ ମିସେସ୍ । ତେଣୁ ଗର୍ଜିଉଠି କହିଲେ, “ନା, ନା, ତୁ ଏ ଘରର ବୋହୂ ହେବାପାଇଁ ଜନ୍ମ ହୋଇନୁ । ଖାଇବାକୁ ଆଉ ରହିବାକୁ ଯାହାର ସମ୍ବଳ ନାହିଁ, ସେ ତୋତେ ବିବାହ କରିବାକୁ କହିବା ଆସ୍ପର୍ଦ୍ଧା ନୁହେଁ । ସାମାନ୍ୟ ବନ୍ଧୁତା ଖାତିରିରେ ତୋତେ ବିବାହ କରିବାପାଇଁ ଯେ ପ୍ରସ୍ତାବ ଦେଇପାରେ, ସେ କମ୍ ଭଣ୍ଡ ପ୍ରତାରକ ନୁହେଁ । ଆମେ ନିମନ୍ତ୍ରଣ ରକ୍ଷା କରି ଭୁଲ କରିଛେ । ଚାଲ ଏଠି ଆଉ ମୁହୂର୍ତ୍ତେ ରହିବା ଆମ ପକ୍ଷରେ ଅସହ୍ୟ ହୋଇ ଉଠିବ । ଦେଖ, ମୁଁ କହୁଛି, ଡିକେନ୍‍ସ ସାଙ୍ଗରେ ତୋର ଯେପରି ଆଉ ଦେଖା ନହୁଏ ।”

 

ଡିକେନ୍‍ସ ଆସି ଅନୁରୋଧ କଲେ । ଭୁଲ ସକାଶେ କ୍ଷମା ମାଗିଲେ । ହେଲେ, ମିସେସ୍ ବ୍ୟାଡ଼୍‍ନାଲ ଅଭଦ୍ର ଭାଷାରେ ଗାଳି ଦେଇ ଝିଅ ମେରିୟାକୁ ନେଇ ପଳାଇଗଲେ ।

 

ଡିକେନ୍‍ସ ବକ୍ ବକ୍ ହୋଇ ସେମାନଙ୍କ ଯିବା ବାଟକୁ ଅନାଇ ରହିଲେ ।

ତା’ପରେ ମେରିୟା ଡିକେନ୍‍ସ ଲେଖିଥିବା ସମସ୍ତ ଚିଠିଗୁଡ଼ିକ ଫେରାଇ ଦେଲେ । ଡିକେନ୍‍ସ ମଧ୍ୟ ମେରିୟା ଲେଖିଥିବା ସମସ୍ତ ଚିଠିଗୁଡ଼ିକୁ ତାଙ୍କୁ ଫେରାଇ ଦେଲେ ।

ପ୍ରେମର ପ୍ରଥମ ପର୍ବ ଡିକେନ୍‍ସଙ୍କର ଏହିପରି ଭାବରେ ବ୍ୟର୍ଥ ହେଲା ।

ଜୀବନ ସ୍ରୋତର ବିପରୀତ ଦିଗରେ ଗତିକଲେ ମେରିୟା ଆଉ ଡିକେନ୍‍ସ ।

ବହୁ ବର୍ଷ ପରେ ଦୁହିଁଙ୍କର ଅନେକ ଥର ଦେଖାସାକ୍ଷାତ୍ ଘଟିଛି ।

ଡିକେନ୍‍ସ ଲବ୍‍ଧ ପ୍ରତିଷ୍ଠିତ ସାହିତ୍ୟିକ । ସମାଜରେ ସମ୍ମାନସ୍ପଦ ନାଗରିକ । ପ୍ରଚୁର ଅର୍ଥ ମାଲିକ ସେ ଦିନର ଦରିଦ୍ର ଡିକେନ୍‍ସ ।

ମେରିୟାର ଲୁବ୍‍ଧ ସୌନ୍ଦର୍ଯ୍ୟ ମଉଳି ମଉଳି ଆସିଥିଲା । ନାନା କାରଣରୁ ତା’ର ସ୍ଵାମୀଙ୍କର ଅଜସ୍ର ସମ୍ପତ୍ତି ନଷ୍ଟ ହୋଇ ଆସିଥିଲା ।

ମିସେସ୍ ବ୍ୟାଡ଼୍‍ନାଲ ବଞ୍ଚି ରହିଥିଲେ ଦେଖିଥାନ୍ତେ ନିୟତିର ପରିହାସ କିପରି କୁଟିଳ । ଝିଅକୁ ସୁଖରେ, ସମ୍ଭୋଗରେ ପୋତି ରଖିବାର ଯେଉଁ ନିଷ୍ପତ୍ତି ନେଇ ୧୮ ନମ୍ବର ରୁମ୍‍ରୁ ଡିକେନ୍‍ସଙ୍କୁ ଅପମାନ ଦେଇ ଆସିଥିଲେ, ତା’ର ପରିମାଣ କ’ଣ ହେଲା ?

୧୮୩୬ ସାଲ ବେଳକୁ ଡିକେନ୍‍ସଙ୍କ ବୟସ ଛବିଶ । ଗ୍ରେଟ୍ ବ୍ରିଟେନରେ ସେ ହୋଇ ଉଠିଥିଲେ ପ୍ରଖ୍ୟାତନାମା ଲେଖକ । ଲେଖାରୁ ଅଜସ୍ର ଅର୍ଥ ସମାଗମ ହେଉଥିଲା । ଭଡ଼ାଘର ନେଇ ଆସବାବ ପତ୍ର ଭଡ଼ାରେ ଆଣି ତରୁଣୀ ମନ କଷିବାକୁ ଆଉ ପଡ଼ୁ ନଥିଲା ।

 

ଅନେକ ରୂପସୀ ତରୁଣୀ ବନ୍ଧୁତାର ଅର୍ଘ୍ୟ ନେଇ ବନ୍ଦାପନା କରି ପ୍ରେମ ମାଗି ବସିଥିଲେ ଡିକେନ୍‍ସଙ୍କ ପାଖରେ ।

 

ସ୍ମୃତିପଟରୁ ସେ ଅପ୍ରତିଭ ସନ୍ଧ୍ୟାର ସ୍ମୃତି ଆସ୍ତେ ଆସ୍ତେ ଭୁଲି ଯାଇଥିଲେ ଡିକେନ୍‍ସ । ନିଜ ଉପରେ ଆତ୍ମବିଶ୍ଵାସ ଜନ୍ମିଛି ଡିକେନ୍‍ସଙ୍କର ।

 

ସେହି ବର୍ଷ ବିବାହ କରିବାପାଇଁ ଡିକେନ୍‍ସ ନିଷ୍ପତ୍ତି ନେଲେ ।

 

ତାଙ୍କର ସହକର୍ମୀ ଜର୍ଜ ହଗାର୍ଥଙ୍କର ଆଠଟି ଝିଅ । ବଡ଼ ଆର୍ଥିକ ସଙ୍କଟରେ ପରିବାର ପୋଷଣ କରିଥିଲେ ଜର୍ଜ ।

 

ସହକର୍ମୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କର ବଡ଼ ଝିଅ କେଟ୍‍ଙ୍କୁ ଡିକେନ୍‍ସ ବିବାହ କଲେ ।

 

କେଟ୍ ଦେଖିବାକୁ ଅସୁନ୍ଦରୀ ନଥିଲେ । ଘରକରଣା ବୁଦ୍ଧି ତାଙ୍କର ବେଶ୍ ଥିଲା ।

 

କିନ୍ତୁ ତାଙ୍କର କେତେକ ବେଖାପି ସ୍ଵଭାବପାଇଁ ସ୍ଵାମୀଙ୍କୁ ସମ୍ପୂର୍ଣ୍ଣ ସୁଖୀ କରିପାରିଲେ ନାହିଁ । ପ୍ରତିଭାପନ୍ନ ସ୍ଵାମୀଙ୍କ ମନ ନେଇ ଘରସଂସାର ଚଳାଇବାରେ ସେ ସକ୍ଷମ ହୋଇପାରିଲେ ନାହିଁ ।

 

ପରବର୍ତ୍ତୀ ଜୀବନରେ ଏହି ଅଭିଯୋଗ ନେଇ ଡିକେନ୍‍ସ ସଂସାର ଜଞ୍ଜାଳରେ କାଳତିପାତ କରିବାକୁ ଲାଗିଲେ ।

 

କେଟ୍ ମଧ୍ୟବିତ୍ତ ପରିବାରର ଝିଅ । ତାଙ୍କର ଆଠଟି ଭାଇ ଭଉଣୀ ଅଭାବ ଅନାଟନ ଭିତରେ ସେ ଜୀବନ ଗଢ଼ିଥିଲେ । ନୂଆ ପରିବେଶରେ ସେ ଆତ୍ମବିଭୋର ହୋଇ ପଡ଼ିଲେ ।

 

ପୁଅ, ଝିଅ ହେଲା । ସଂସାର ଜଞ୍ଜାଳ କହିଲେ କେଟ୍ ବୁଝିଲେ ଟଙ୍କାପଇସା, ପୁଅ, ଝିଅ-। ସ୍ଵାମୀଙ୍କ ପ୍ରତି କର୍ତ୍ତବ୍ୟ ଠିକ୍ ଭାବରେ କରୁ ନାହାନ୍ତି ବୋଲି ଡିକେନ୍‍ସ ଅନୁଭବ କଲେ ।

 

ତେଣୁ ନିରାଶ ହୋଇ ଡିକେନ୍‍ସ ନିମନ୍ତ୍ରଣ ଜଣାଇଲେ ମେରିଙ୍କୁ । ମେରି କେଟ୍‍ଙ୍କର ସାନ ଭଉଣୀ । ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ ।

 

ଘରର ଜଞ୍ଜାଳରେ ଭଉଣୀଙ୍କୁ ସାହାଯ୍ୟ କରିବା, ଆଉ ଡିକେନ୍‍ସଙ୍କ ଲେଖାଲେଖିରେ ସାହାଯ୍ୟ କରିବାପାଇଁ ଆତ୍ମହରା ହୋଇ ସେ ନିମନ୍ତ୍ରଣ ଗ୍ରହଣ କରି ଆସିଲେ ।

 

ଡିକେନ୍‍ସ ମେରିଙ୍କୁ ଭଲ ପାଇଲେ, ହେଲେ ପ୍ରେମରେ ପଡ଼ି ନଥିଲେ ସେତେବେଳେ ।

 

ମେରିକୁ ପାଖରେ ପାଇ ଡିକେନ୍‍ସ ଆତ୍ମହରା ହୋଇଉଠିଲେ ।

 

ଛାୟା କାୟା ପରି ଡିକେନ୍‍ସ ଆଉ ମେରି ସମୟ ଅତିବାହିତ କଲେ ।

 

ସାହିତ୍ୟିକ ଜୀବନରେ ମେରି ଅନିବାର୍ଯ୍ୟ ଅଂଶ ହୋଇଉଠିଲେ ।

 

ମେରିଙ୍କର ସାମାନ୍ୟ ଅନୁପସ୍ଥିତିରେ ବ୍ୟସ୍ତ ହୋଇ ଉଠୁଥିଲେ ଡିକେନ୍‍ସ ।

 

ଏକାଗ୍ର ମନରେ ସେ ଲେଖନ୍ତି । ମେରି ନିକଟରେ ବିଭୋର ହୋଇ ଶୁଣନ୍ତି ।

 

ପ୍ରାଣର ସବୁ ଉଚ୍ଛ୍ୱାସ ଦେଇ ପରସ୍ପର ପରସ୍ପରକୁ ଭଲ ପାଇଥିଲେ ।

 

ହେଲେ, ଭଗବାନ ଡିକେନ୍‍ସଙ୍କର ଏତେ ସୁଖ ସହିପାରିଲେ ନାହିଁ ।

 

ହଠାତ୍ ମେରି ଅସୁସ୍ଥ ହୋଇ ପଡ଼ିଲେ । ଅସୁସ୍ଥ ହେବାର କେତେ ଘଣ୍ଟା ଭିତରେ ଡିକେନ୍‍ସଙ୍କୁ ଦୁଃଖରେ ଭସାଇ ସବୁଦିନ ପାଇଁ ଚାଲିଗଲେ ।

 

ଦୁଃଖରେ ଭାଙ୍ଗିପଡ଼ିଲେ ଡିକେନ୍‍ସ । ଲେଖାଲେଖି ପ୍ରାୟ କିଛିଦିନ ପାଇଁ ଛାଡ଼ିଦେଲେ ।

 

ଡିକେନ୍‍ସ ତାଙ୍କ ଡାଇରିରେ ଲେଖିଛନ୍ତି, “ମୋତେ ଛାଡ଼ିଚାଲିଗଲ, ଈଶ୍ଵରଙ୍କ ପାଖରେ ମୋର ପ୍ରାର୍ଥନା ଆହୁରି ଯେପରି ତମ ସହିତ ମୋର ଦେଖାହୁଏ ମେରି X X X”

 

ମେରିର ମୃତ୍ୟୁ ପରେ କେତେ ବରଷ ବିତିଯାଇଛି । ଲେଖକ ହିସାବରେ ଦେଶ ବିଦେଶରେ ତାଙ୍କର ଖ୍ୟାତି ଖୁବ୍ ବଢ଼ିଚାଲିଛି ।

 

ଆମେରିକାରୁ ନିମନ୍ତ୍ରଣ ପାଇଲେ । ତାଙ୍କର ପାଠକମାନେ ତାଙ୍କୁ ଦେଖିବାକୁ ଚାହାନ୍ତି ।

 

ନିମନ୍ତ୍ରଣ ଗ୍ରହଣ କରି ସସ୍ତ୍ରୀକ ଆମେରିକା ଯିବାପାଇଁ ଡିକେନ୍‍ସ ସ୍ଥିର କଲେ । କିନ୍ତୁ ପିଲାମାନଙ୍କୁ ତାଙ୍କର ସାନ ଶାଳୀ ଜର୍ଜିଙ୍କ ପାଖରେ ଛାଡ଼ିଗଲେ ।

 

ଜର୍ଜି ମିଷ୍ଟଭାଷୀ, ସୁନ୍ଦରୀ, ସ୍ୱାସ୍ଥ୍ୟବତୀ ତରୁଣୀ । ବାପ ମା’ଙ୍କର ଅନୁପସ୍ଥିତିରେ ଛୁଆମାନେ ମାଉସୀକୁ ଖୁବ୍ ଭଲ ପାଇଲେ । ନିଜର ଛୁଆ ଭାବି ଜର୍ଜି ଛୁଆମାନଙ୍କର ସେବା, ଶୁଶ୍ରୂଷା କରି ସେମାନଙ୍କର ଅତି ଆପଣାର ହୋଇ ଉଠିଲେ ।

 

କେଟ୍ ସ୍ଵାମୀଙ୍କ ସାଙ୍ଗରେ ଆମେରିକାରୁ ଫେରି ଆସିବା ପରେ ଭଉଣୀ ଜର୍ଜିକୁ ପାଖରୁ ଛାଡ଼ିଲେ ନାହିଁ ।

 

ସ୍ଥାୟୀ ଭାବରେ ଜର୍ଜି ଡିକେନ୍‍ସ ପରିବାରରେ ରହିଗଲେ ।

 

ପ୍ରଥମେ ଡିକେନ୍‍ସ ଜର୍ଜି ପ୍ରତି ଆକୃଷ୍ଟ ନଥିଲେ । ଲେଖାଲେଖିରେ ମନ ପ୍ରାଣ ଢାଳି ଦେଇଥିଲେ ।

 

ଦୂରରୁ ଜର୍ଜିକୁ ନିରୀକ୍ଷଣ କରୁଥିଲେ । ସତେଅବା ମେରିର ରୂପ ନେଇଛି ଜର୍ଜି ।

 

ସେହିଦିନୁ ମନେମନେ ମେରି ଆଉ ଜର୍ଜିକୁ ନେଇ ଚିନ୍ତାକଲେ ।

 

ସତେଅବା ମେରିର ପ୍ରତିନିଧିତ୍ଵ କରିବାକୁ ଆସିଛି ଜର୍ଜି । ତା’ରି ପ୍ରତିନିଧିତ୍ଵ କରିବାକୁ ଭଗବାନ ପଠେଇଛନ୍ତି ।

 

ଡିକେନ୍‍ସ ଜର୍ଜି ପ୍ରତି ଆକୃଷ୍ଟ ହୋଇ ଉଠିଲେ । ଜର୍ଜି ଆତ୍ମସମର୍ପଣ କଲେ ।

 

କେଟ୍ ଯେଉଁ ଭଉଣୀକି ଏତେ ଭଲ ପାଇ ନିଜ ପାଖରେ ରଖିଥିଲେ, ସହିପାରିଲେ ନାହିଁ । ଈର୍ଷାରେ ଜଳିବାକୁ ଲାଗିଲେ ।

 

ପାରିବାରିକ ଜଞ୍ଜାଳରେ ଅଶାନ୍ତବୋଧ କଲେ ଡିକେନ୍‍ସ ।

 

୪୫ ବର୍ଷରେ ପୁଣି ଆଉ ଜଣେ ନାୟିକାଙ୍କର ପ୍ରେମରେ ପଡ଼ିଲେ ଡିକେନ୍‍ସ ।

 

ଅଷ୍ଟାଦଶ ବୟସୀ ତରୁଣୀ ଏଲିନ୍ ରୂପ, ରାଗ, ପ୍ରେମର ଶିହରଣରେ ଡିକେନ୍‍ସଙ୍କ ଜୀବନକୁ ପ୍ରେମର ନବ ପଲ୍ଲବରେ ପଲ୍ଲବିତ କଲା ।

 

ଜର୍ଜି, ତା’ପରେ ଏଲେନ୍ ଦୁଇ ନାୟିକାଙ୍କର ଘଟଣାରେ ଅତିଷ୍ଟ ହୋଇ ପଡ଼ିଲେ ଡିକେନ୍‍ସ–ପତ୍ନୀ ।

 

ପାରିବାରିକ ଅଶାନ୍ତି ତୀବ୍ର ଭାବରେ ଜଳି ଉଠିଲା ।

 

ଶେଷରେ କେଟ୍ ପୁଅ ଝିଅ ଓ ଜର୍ଜିଙ୍କୁ ନେଇ ସହରରେ ଅନ୍ୟ ଘରେ ରହିବାପାଇଁ ଚାଲିଗଲେ ।

 

ଅନ୍ୟ ପକ୍ଷରେ ଛଦ୍ମବେଶରେ ଡିକେନ୍‍ସ ସହରରେ ଆଉ ଗୋଟିଏ ଘରଭଡ଼ା ନେଲେ-। ଏଲିନ୍ ସଙ୍ଗରେ ନବଉଦ୍ଦାମରେ ସଂସାର ଗଢ଼ିବାପାଇଁ ପ୍ରୟାସୀ ହୋଇ ଉଠିଲେ ।

 

କିନ୍ତୁ ବେଶି ଦିନ ଡିକେନ୍‍ସଙ୍କ ପ୍ରେମ ଲୋକଙ୍କୁ ଅଜଣା ରହିଲା ନାହିଁ ।

 

ଡିକେନ୍‍ସ ସିନା ପ୍ରାଣ ଭରି ଏଲିନ୍‍ଙ୍କୁ ଭଲ ପାଉଥିଲେ କିନ୍ତୁ ଏଲିନ୍ ପ୍ରାଣ ଭରି ତାଙ୍କୁ ଭଲ ପାଇ ପାରୁ ନଥିଲେ ।

 

ବୟସରେ ବ୍ୟବଧାନ ! ପୁଣି ଘରେ ପତ୍ନୀ ଓ ପତ୍ନୀ–ଭଗ୍ନୀ ପ୍ରେମିକା ଜର୍ଜି !!!

 

କଡ଼ା, ଗଣ୍ଡା, କ୍ରାନ୍ତିରେ ନାୟିକା ନାୟକକୁ ଏକାନ୍ତ ଭାବରେ ନପାଇଲେ ଅନ୍ୟମନା ହେବା ସ୍ଵାଭାବିକ ।

 

କିନ୍ତୁ ପ୍ରଖ୍ୟାତ ଯଶା ଡିକେନ୍‍ସଙ୍କର ପ୍ରେମିକା ହେବାର ଗୌରବ ସମ୍ବରଣ ନକରି ଅଭିନୟ କରିଥିଲେ ଏଲେନ୍–ପ୍ରେମିକା ଏଲେନ୍ ।

 

ଡିକେନ୍‍ସଙ୍କର ପ୍ରେମରୂପୀ ଅନ୍ଧପୁଟୁଳି ଖୋଲି ଯାଇଥିଲା ।

 

ଏଲେନ୍ ପ୍ରତାରିତ କରିଛି । ଦେହ ଦେଇ ମନରେ ଅଶାନ୍ତ ଆଣିଛି ଏଲେନ୍ ।

 

ଦେହ ପାଇ ଡିକେନ୍‍ସଙ୍କ ପରି ରସିକ ପ୍ରେମର ରାଜା ରାଜ୍ୟ ବିସ୍ତାର କରିବାରେ ହାରି ଯାଇଛନ୍ତି ।

 

ସମୟର ଗତି ପଛକୁ ଫେରି ଆସି ପାରେନା ! ଭୁଲ କରିଛନ୍ତି ଭାବିବା ଯେତିକି କଷ୍ଟଦାୟକ, ସଂଶୋଧନ କରିନେବା ସେହିପରି ଅସମ୍ଭବ ।

 

ପତ୍ନୀ, ଜର୍ଜି ତାଙ୍କଠାରୁ ଅଲଗା ହୋଇ ଯାଇଛନ୍ତି ।

 

ଜୀବନ ତୀବ୍ର ହାହାକାରରେ ଭରି ଯାଇଛି ।

 

ପ୍ରଖ୍ୟାତଯଶା ଡିକେନ୍‍ସ ଏମିତି ଭାବରେ ହାରିଯାଇ ନିଜକୁ ଶେଷ ଜୀବନରେ ନିଃସଙ୍ଗବୋଧ କଲେ ।

 

ଚାର୍ଲସ ଡିକେନ୍‍ସଙ୍କର ଅଠାବନବର୍ଷରେ ଜୁନ୍ ଆଠ ତାରିଖ ୧୮୭୦ ମସିହାରେ ମୃତ୍ୟୁ ଘଟିଲା ।

 

ମାତ୍ର ଅଳ୍ପ ଦିନ ରୋଗ ଶଯ୍ୟାରେ ପଡ଼ି ରହି ନିଜ ଜୀବନରେ ପ୍ରେମରେ ସମୀକ୍ଷା କରୁଥିଲେ ।

 

ଅନେକ ନାୟିକାର ପ୍ରେମିକ ଚାର୍ଲସ ଡିକେନ୍‍ସଙ୍କ ଆଖି ଆଗରେ ଭାସି ଚାଲିଥିଲା କିଶୋରୀ ସାଥୀ ହେନେରୀ, ବ୍ୟାଙ୍କ୍‍ରଙ୍କ ଝିଅ ମେରିୟା, ପତ୍ନୀ କେଟ୍, ପ୍ରେମିକା ମେରି, ଜର୍ଜି ଆଉ ପ୍ରତାରିତ–ଧର୍ମୀ ଷୋଡ଼ଶୀ ଏଲେନ୍–

 

ଶେଷ ଜୀବନରେ ପୀୟୂଷ ଢାଳିବ ବୋଳି ସଂସାର ଛାଡ଼ି ତା’ର ବାହୁବନ୍ଧନରେ ସୁଧା ସନ୍ଧାନରେ ବାହାରି ଆସିଥିଲେ !

 

ଅସୁସ୍ଥ ମନ, ଅସୁସ୍ଥ ଦେହ ନେଇ ସେ ସଂସାର ଛାଡ଼ିଗଲେ ।

 

ତାଙ୍କ ମୃତ୍ୟୁ ପରେ ଷୋଳ ବରଷ ପର୍ଯ୍ୟନ୍ତ ମେରିୟା ବ୍ୟାଡ଼୍‍ନାଲ ବଞ୍ଚି ରହିଥିଲେ ।

 

ଚାର୍ଲସ ଡିକେନ୍‍ସଙ୍କର ପ୍ରେମିକା ବୋଲି ରାସ୍ତାରେ ଡିଣ୍ଡିମ ପିଟି ଆତ୍ମପ୍ରସାଦ ପାଉଥିଲେ । ଅଠର ନମ୍ବର ରୁମ୍‍ରେ ଡିକେନ୍‍ସଙ୍କୁ ନିରାଶ କରି ସେହି ନାୟିକା ତାଙ୍କର ପ୍ରେମର ଜୟଯାତ୍ରାକୁ ବହୁଦିନ ନିର୍ଲଜ୍ଜ ଭାବରେ ଘୋଷଣା କରୁଥିଲେ ।

☆☆☆

 

ପ୍ରେମ ପିପାସୁ ବାଲଜାକ୍

 

ମ୍ୟାଡ଼ାମ ଦ୍ୟବାର୍ଣ୍ଣି କୁଳୀନ ବଂଶର ବୋହୂ । ନଅଟି ସନ୍ତାନର ଜନନୀ ।

 

ପ୍ୟାରିସ୍ ନଗରୀର ଆଭିଜାତ୍ୟ ସମ୍ପନ ପରିବାରମାନଙ୍କରେ ତାଙ୍କ ମର୍ଯ୍ୟାଦା ଥିଲା ଖୁବ୍ ବେଶି ।

 

ବୟସ ପଇଁଞ୍ଚାଳିଶ ।

 

ତାଙ୍କରି ପଡ଼ୋଶୀ ଥିଲେ ଅନର । ମ୍ୟାଡ଼ାମ୍‍ଙ୍କ ପରିବାର ସଙ୍ଗରେ ପ୍ରଥମେ ତାଙ୍କର ପରିଚୟ ହେଲା । ପରିଚୟ ପରେ ଘନିଷ୍ଠତା, ପରେ ଆତ୍ମୀୟ ହୋଇ ଉଠିଲେ ଅନର ।

 

ତରୁଣ ଅନର ସମ୍ଭ୍ରାନ୍ତ ପରିବାର ସମ୍ପର୍କରେ ଆସନ୍ତୁ, ତାଙ୍କ ମା’ଙ୍କର ଏକାନ୍ତ ଅଭିଳାଷ ଥିଲା ।

 

କିନ୍ତୁ ମା’ର ହୃଦୟରେ ଆବିଳତାର ଟିକିଏ ମାତ୍ର ସନ୍ଦେହ ନଥିଲା ।

 

ମା’ ଚାହୁଁଥିଲେ ରହିଲେ ଅନର ଯେବେ ମ୍ୟାଡ଼ାମ ଦ୍ୟବର୍ଣ୍ଣିଙ୍କ ଝିଅ ସାଙ୍ଗରେ ପଡ଼ି, ତାଙ୍କୁ ବିବାହ କରନ୍ତି, ଅନରଙ୍କ ସାମାଜିକ ଜୀବନରେ ଉନ୍ନତି ଘଟିବ । ଆରିଷ୍ଟ୍ରକ୍ରେଟ୍ ସମାଜରେ ଅକ୍ଳେଶରେ ପ୍ରବେଶ କରି, ପ୍ରତିଷ୍ଠିତ ହୋଇଯିବ ।

 

ହାୟରେ ମନ୍ଦ ଭାଗ୍ୟ !

 

ଅନର ମ୍ୟାଡ଼ାମଙ୍କ ଝିଅଙ୍କ ପ୍ରେମରେ ନ ପଡ଼ି ତାଙ୍କରି ପ୍ରେମରେ ନିଜକୁ ହଜାଇ ଦେଇଥିଲେ ।

 

ମ୍ୟାଡ଼ାମ ଦ୍ୟବର୍ଣ୍ଣିଙ୍କ ବୟସ ଅନରଙ୍କଠାରୁ ଦୁଇଗୁଣ ।

 

ଅନରଙ୍କ ମା’ ଏ ଘଟଣା ଜାଣିଲେ ! ମର୍ମନ୍ତୁଦ ଯନ୍ତ୍ରଣାରେ ଦଗ୍ଧୀଭୂତ ହେଲେ ।

 

ମ୍ୟାଡ଼ାମ ମଧ୍ୟ ପ୍ରଥମେ ଏ ସମ୍ପର୍କରେ ବିଶ୍ଵାସ କରି ପାରି ନଥିଲେ । ଆତ୍ମ ସମୀକ୍ଷା କରି ନିଜେ ବୁଝିପାରିଲେ ତାଙ୍କର ଆଉ ଅନରଙ୍କ ବୟସର ବ୍ୟବଧାନ, ମାଆ ପୁଅର ବୟସର ବ୍ୟବଧାନ, ତଥାପି ଅନର ତାଙ୍କରି ପ୍ରେମପାଇଁ ପାଗଳ !

 

ପୃଥିବୀରେ ଏମିତି ଘଟଣା ଅନେକ କ୍ଷେତ୍ରରେ ଘଟିଥାଇପାରେ । କିନ୍ତୁ ନିଜ ଜୀବନରେ ଏମିତି ଗୋଟାଏ ଅପ୍ରତ୍ୟାଶିତ ଘଟନା ଘଟିବ ବୋଲି ତାଙ୍କର ବିଶ୍ଵାସ ନଥିଲା ।

 

ସେଦିନ ମ୍ୟାଡ଼ାମ ଅନରଙ୍କୁ ଦେଖି ରାଗରେ ଚିତ୍କାର କରି ଉଠିଲେ ।

 

“ନା, ନା, ଅସମ୍ଭବ । ଏହା ହୋଇପାରେନା, ତୁମେ ନିର୍ଲଜ୍ଜ ଅଭଦ୍ର, ଫେରିଯାଅ ମୁଁ କହୁଛି, ଫେରିଯାଅ ।”

 

ଏହି ତିରସ୍କାରରେ ସେ ପ୍ରଥମେ ଦବିଗଲେ ।

 

ଭାବିଲେ କାଲି ସନ୍ଧ୍ୟା ଘଟଣାରେ ଅପମାନିତବୋଧ କରିଛନ୍ତି ମ୍ୟାଡ଼ାମ... ।

 

ମ୍ୟାଡ଼ାମଙ୍କ ପାଖରେ ସେ ମା’ର ମାତୃତ୍ଵ ଓ ପ୍ରେମିକର ପ୍ରେମର ସନ୍ଧାନପାଇଁ ବ୍ୟାକୁଳ ହୋଇ ଧାଇଁ ଆସିଛନ୍ତି ।

 

ସେଠି ବୟସର ବ୍ୟବଧାନ, ସମାଜର ଶୃଙ୍ଖଳାର ମାନେ ସେ କିଛି ବୁଝନ୍ତି ନାହିଁ । ସେ ଦୃଢ଼ତାର ସହିତ ପ୍ରତିବାଦ ଜଣାଇଲେ ।

 

“ବାସ୍ତବତାକୁ ଉପେକ୍ଷା କରି ତୁମେ ଆତ୍ମପ୍ରବଞ୍ଚକ ହୁଅନା କହୁଛି ।”

 

“ଆତ୍ମପ୍ରବଞ୍ଚନା...!”

 

“ନୁହେଁ ? ସଚରାଚର ପ୍ରେମ ପାଖରେ ବୟସର ବ୍ୟବଧାନ, ଉଚ୍ଚ, ନୀଚ, ସମାଜ, ସଂସ୍କୃତି ସବୁର ସଂସ୍କାର ଆଣି, ପ୍ରେମ ଓ ପ୍ରେମିକ ବହୁ ଊର୍ଦ୍ଧ୍ୱକୁ ଚାଲି ଯାଇଛନ୍ତି । ଅମୃତ ପାନର ଲାଳସା ମୋର ଅଛି । ତେଣୁ ଗରଳ ପିଇବାକୁ ମୁଁ ପ୍ରସ୍ତୁତ ।” ଅନର ଦୃଢ଼ ଭାବରେ ନିଜର ଦାବି ବାଢ଼ିବସିଲେ ।

 

ଶେଷରେ ଅନର ଜିତିଗଲେ । ନଅଟି ସନ୍ତାନର ମା’ ପ୍ରୌଢ଼ା ଜନନୀ ଆଦିମ ରସ ପାନ କରିବାପାଇଁ ଅନରର ପ୍ରସ୍ତାବରେ ତଳକୁ ଖସି ଆସିଲେ ।

 

ମାତୃତ୍ଵ ଜ୍ଵାଳା ଲିଭି ଲିଭି ଗଲା । ପ୍ରେମ ଜ୍ଵାଳାରେ ସେ ଆତ୍ମବିସ୍ମୃତି ଲାଭ କଲେ ଅନରଙ୍କ ବାହୁବନ୍ଧନରେ ।

 

ଏଥର ଅନରଙ୍କୁ ପ୍ରେମପାଇଁ ପାଗଳ ହେବାକୁ ପଡ଼ିଲା ନାହିଁ । ପାଗଳ ହେଲେ ପ୍ରୌଢ଼ା ମ୍ୟାଡ଼ାମ । ନଅଟି ସନ୍ତାନର ଜନନୀ ମ୍ୟାଡ଼ାମ ଦ୍ୟବାର୍ଣ୍ଣି । ପାଇବାର ଲୋଭ, ପାଇସାରିବା ପରେ ଅନରଙ୍କର ତୁଟି ତୁଟି ଆସିଲା । କ୍ଳାନ୍ତିବୋଧ କଲେ ମ୍ୟାଡ଼ାମଙ୍କର ପ୍ରେମରେ ।

 

ପ୍ରଥମ ପ୍ରେମିକା ପାଖରେ ଜୟକରି ପରାଜୟର ଗ୍ଳାନି ନେଇ ଅନନ୍ୟ ମନା ହୋଇ ଉଠିଲେ ଅନର ।

 

କିନ୍ତୁ ପ୍ରେମ ଶିକ୍ଷୟିତ୍ରୀ ମ୍ୟାଡ଼ାମ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କର ଶୁଭକାମନା କରିଥିଲେ ।

 

ବିଶ୍ଵ ସାହିତ୍ୟିକ ଫରାସୀ ସାହିତ୍ୟର ଅନ୍ୟତମ ପ୍ରତିଷ୍ଠାଦାତା ଅନର ବାଲଜାକ୍ ସାହିତ୍ୟର ପ୍ରବେଶଦ୍ଵାର, ଆମ ବିଚାରରେ ବ୍ୟଭିଚାରିଣୀ ମ୍ୟାଡ଼ାମଙ୍କ ଅବୈଧ ପ୍ରେମ ଦେଇ ଲୋକଲୋଚନକୁ ଆସିଛି । ତାଙ୍କର “ଲୋକ କମେଜିୟୁମ୍ୟାନେ”ର କଥା ଭାବିଲେ ବିସ୍ମିତ ହେବାକୁ ହୁଏ । ଏହା ଏକ ସୂତ୍ରରେ ଗୁନ୍ଥା ଉପନ୍ୟାସର ଗୁଚ୍ଛ । ଅଢ଼େଇ ହଜାର ଚରିତ୍ରକୁ ସେ ଜୀବନ୍ୟାସ ଦେଇଛନ୍ତି । ଏହା ବ୍ୟତୀତ ଆଉ ବହୁ ଉପନ୍ୟାସ ସେ ଲେଖିରଖିଛନ୍ତି ।

 

ପ୍ରାଲରତୁର ସହରରେ ତାଙ୍କର ଜନ୍ମ ।

 

ସେଣ୍ଟ ଅନରର ବର୍ଣ୍ଣାଭ ଉତ୍ସବ ଲାଗି ରହିଥିଲା ।

 

ସେଦିନ ୧୭୯୯ ସାଲ । ମେ ମାସ ୧୬ ତାରିଖ ।

 

ଅନର ତିଥିରେ ଜନ୍ମ ବୋଲି ତାଙ୍କ ନାମ ଅନର ଦିଆଗଲା । ସେ ମେଧାବୀ ଛାତ୍ର ନଥିଲେ । କୌଣସିମତେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯାଇଥିଲେ ।

 

ତୁର୍ଗିନିଭର ମା’ ଭାର୍ଭରା ଚାହୁଁଥିଲେ ତାଙ୍କ ପୁଅ ଅଫିସର ହେଉ । କିନ୍ତୁ ମା’ଙ୍କର ଆଶା ଫଳବତୀ ହେଲା ନାହିଁ । ମା’ଙ୍କର ପ୍ରତିକୂଳ ମତରେ ଉଜାଣି ଭାସି ଭାସି ସେ ଲେଖକ ହେଲେ । ଅଭିଭାବକମାନେ ଚାହୁଁଥିଲେ ସେ ଆଇନ ପାଠ ଶେଷ କରି ଆଇନଜୀବୀ ହୁଅନ୍ତୁ । କିନ୍ତୁ ସର୍ବଶେଷରେ ସେ ଲେଖକ ହେବେ ବୋଲି ଠିକ୍ କରିନେଲେ । ଆତ୍ମୀୟସ୍ଵଜନମାନେ ତାଙ୍କର ସଂକଳ୍ପ ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

 

ସମସ୍ତଙ୍କର ଧାରଣା ଲେଖକ ହେବାକୁ ଚାହିଁଲେ କେହି ଲେଖକ ହୋଇପାରେ ନାହିଁ ।

 

ପ୍ରତିଭା ନଥାଇ କେହି ଲେଖକ ହୋଇ ପାରନ୍ତି ନାହିଁ । ଖ୍ୟାତି ଲାଭ କଲେ ବହି ଲେଖି ଜୀବିକା ନିର୍ବାହ କରି ହୁଏ ନାହିଁ ।

 

ମାସିକ ଦରମା ନାହିଁ । ଆୟର ପନ୍ଥା ଅନିଶ୍ଚିନ୍ତ । ପୁଣି ପ୍ରକାଶକଙ୍କ ମର୍ଦି ଆଉ ପାଠକଙ୍କର ଆଗ୍ରହ ଲେଖାଠାରୁ ଲେଖକଙ୍କ ପ୍ରତି ଆଗ୍ରହ ହେବା ଉଚିତ ।

 

ଶେଷରେ ତାଙ୍କ ବାବା ଦୁଇବର୍ଷ ସମୟ ଦେଲେ । ଏଇ ସମୟ ମଧ୍ୟରେ ବାଲଜାକ୍‍ଙ୍କୁ ଲେଖକ ହିସାବରେ ଖ୍ୟାତି ଅର୍ଜନ କରିବାକୁ ହେବ । ନ ପାରିଲେ ଆଇନ ପଢ଼ିବାକୁ ଯିବାକୁ ହେବ କଲେଜକୁ ।

 

ବାଲଜାକ୍ ରାଜି ହେଲେ ।

 

ପ୍ୟାରିସ୍ ଗଲେ ।

 

ସେଠାରେ ସେ ଗୋଟିଏ ପଲ୍ଲୀ କୋଠାରେ ଆଶ୍ରୟ ନେଲେ ।

 

ପୃଥିବୀର କୌଣସି ବିଖ୍ୟାତ ଲେଖକ ଲେଖା ଆରମ୍ଭ କରିବାପାଇଁ ଏପରି କଦର୍ଯ୍ୟ ପରିବେଶରେ ରହି ନାହାନ୍ତି ।

 

ପ୍ରଥମେ ନାଟକ ଲେଖିଲେ ।

 

ଲେଖା ଶେଷ ହେଲା ।

 

ପରିଚିତମାନଙ୍କୁ ପଢ଼ି ଶୁଣାଇଲେ ।

 

ଶୁଣିବା ଲୋକେ ନାକ ଟେକିଲେ । କଟୁ ସମାଲୋଚନା କଲେ ।

 

ଜଣେ ପ୍ରଖ୍ୟାତ ଅଧ୍ୟାପକ ପରାମର୍ଶ ଦେଲେ ଏଇ ପାଣ୍ଡୁଲିପି ପୋଡ଼ିଦିଅ । ନୂଆ କରି ଅନ୍ୟ ବହି ଲେଖିବାକୁ ଚେଷ୍ଟା କର ।

 

ବାଲଜାକ୍ ନିରାଶ ହେଲେ କିନ୍ତୁ ଆଗ୍ରହ ହରାଇଲେନି । ସୌଭାଗ୍ୟ କ୍ରମେ ଏଇ ସମୟରେ ଜଣେ ପ୍ରକାଶକଙ୍କ ସଙ୍ଗେ ପରିଚୟ ହେଲା । ସେ ନୂତନ ଲେଖକମାନଙ୍କର ରୋମାଣ୍ଟିକ୍ ଉପନ୍ୟାସ ଛାପୁଛନ୍ତି ।

 

ତାଙ୍କରି ପ୍ରରୋଚନାରେ ସେ ପ୍ରଥମ ଉପନ୍ୟାସ ଲେଖିଲେ । ଉପନ୍ୟାସ ପ୍ରକାଶ ପାଇଲା । କିନ୍ତୁ ଛଦ୍ମନାମରେ–

 

ଏହାପରେ ଛଦ୍ମନାମରେ କେତେଗୁଡ଼ିଏ ଉପନ୍ୟାସ ଲେଖିଲେ ବାଲଜାକ୍ ।

 

ଏଗୁଡ଼ିକ ଥିଲା ରୋମାଣ୍ଟିକ୍ ଧର୍ମୀ । ନିଜ ନାମ ଦେଇ ପ୍ରଥମ ବହି ପ୍ରକାଶିତ ହେଲା ୧୮୨୧ ସାଲରେ । ନିଜ ନାମରେ କିଛି ପରିବର୍ତ୍ତନ କଲେ । ଅନର ବାଲଜାକ୍‍ରୁ ହେଲେ ଅନର ଦ୍ୟ ବାଲଜାକ୍ । ଆଭିଜାତ୍ୟର କାଙ୍ଗାଳ ଥିଲେ ସେ । ଯେକୌଣସି ପ୍ରକାରେ ନିଜକୁ ସମ୍ଭ୍ରାନ୍ତ ଲୋକଙ୍କ ଶ୍ରେଣୀଭୁକ୍ତ ହେବାପାଇଁ ଆପ୍ରାଣ ଚେଷ୍ଟା ସାରା ଜୀବନ ସେ କରିଯାଇଛନ୍ତି ।

 

ନାମ ମଧ୍ୟରେ ‘ଦ୍ୟ’ ଯୋଡ଼ିଦେଇ ସେ ଉଚ୍ଚ ବଂଶ ଜାତ ଏଇ କଥା ସମସ୍ତଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ ।

 

ବାସ୍ତବରେ ୧୮୩୦ ଠାରୁ ତାଙ୍କର ଜୟଯାତ୍ରା ଆରମ୍ଭ ହେଲା ।

 

ମ୍ୟାଡ଼ାମ ଦ୍ୟ ବାର୍ଣ୍ଣିର ସଙ୍ଗେ ବାଲଜାକ୍‍ର ଅବୈଧ ପ୍ରଣୟଲୀଳା ସମାଜ ଚକ୍ଷୁରେ ଯେତେ ହେୟ ହେଉନା କାହିଁକି ତାଙ୍କ ଜୀବନରେ ତାହା ଆଶୀର୍ବାଦ ହୋଇଥିଲା । ମ୍ୟାଡ଼ାମକୁ ଜୟକରି ନ ପାରିଥିଲେ, ତାଙ୍କୁ ଭଲ ନ ପାଇଥିଲେ ସାହିତ୍ୟରେ ବାଲଜାକ୍ ପ୍ରତିଷ୍ଠା ପାଇପାରିଥାନ୍ତେ କି ନା ସନ୍ଦେହ ।

 

ମ୍ୟାଡ଼ାମକୁ ଜୟକରି ସେ ଦୂରନ୍ତ ଆତ୍ମବିଶ୍ଵାସ ଲାଭ କରିଥିଲେ । ଏଇ ଆତ୍ମବିଶ୍ଵାସ ସାହିତ୍ୟରେ ତାଙ୍କୁ ପ୍ରେରଣା ଯୋଗାଇଥିଲା ।

 

ମ୍ୟାଡ଼ାମ ଦ୍ୟ ବାର୍ଣ୍ଣିଭଳି ବର୍ଷିୟସୀ ମହିଳାକୁ ପ୍ରଥମେ ଭଲ ପାଇଥିଲେ ବୋଲି ବୋଧହୁଏ ଅଳ୍ପବୟସ୍କା ଝିଅଙ୍କ ପ୍ରତି ତାଙ୍କର ବିଶେଷ ଆଗ୍ରହ ନଥିଲା । ବାଲଜାକ୍ ପରବର୍ତ୍ତୀ ଜୀବନରେ ଲେଖିଛନ୍ତି “ନାରୀର ଶେଷ ଭଲ ପାଇବା ଯଦି ପୁରୁଷର ପ୍ରଥମ ଭଲପାଇବାକୁ ଜାଗ୍ରତ କରିପାରେ ତା’ଠାରୁ ମଧୁର ଆଉ କିଛି ନାହିଁ ।’’ ସେ ଦୃଢ଼ଭାବରେ ବିଶ୍ଵାସ କରନ୍ତି ପଇଁତ୍ରିଶବର୍ଷ ପୂର୍ବରୁ କୌଣସି ନାରୀ ପୂର୍ଣ୍ଣତା ଲାଭ କରି ନଥାଏ ।

 

ବାଲଜାକ୍ ଦେଖିବାକୁ ଅସୁନ୍ଦର । ଦୀର୍ଘକାୟ, କୁତ୍ସିତ ଚେହେରା । ବିଶେଷଭାବେ ଉଚ୍ଛୃଙ୍ଖଳ ସେ ।

 

ଏସବୁ ସତ୍ତ୍ୱେ ତାଙ୍କର ବାନ୍ଧବୀଙ୍କ ସଂଖ୍ୟା କମ୍ ନଥିଲା ।

 

ତାଙ୍କର ଅମର ଲେଖନୀ ନିଃସୃତ ସାହିତ୍ୟ ଅନେକ ପରମା ସୁନ୍ଦରୀଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଇଥିଲେ । ତାଙ୍କୁ ବନ୍ଧୁ ଭାବରେ ପାଇବାପାଇଁ ସେମାନେ ବ୍ୟାକୁଳ ହୋଇ ଆସି ତାଙ୍କ ପାଖରେ ପହଞ୍ଚିଥିଲେ ।

 

କିନ୍ତୁ କେହି ପ୍ରେମରେ ପଡ଼ିବାପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁ ନଥିଲେ ।

 

କୁତ୍ସିତ ରୂପକୁ ସେ ନେଇ ପ୍ରେମର ବଣିକ କେମିତି ହେବେ ? ? ଉପେକ୍ଷିତ ହେଲେ ମଧ୍ୟ ପରାଜୟ ଗ୍ଳାନିରେ ପଛଘୁଞ୍ଚା ଦେବା ତାଙ୍କର ଧର୍ମ ନୁହେଁ ।

 

ନିଷ୍ଠୁର ଭାବରେ ଉପେକ୍ଷା କରି ମଧ୍ୟ ବିପଦବେଳେ ସେମାନେ ସହାନୁଭୂତିଶୀଳ ଭାବରେ ବାଲଜାକ୍‍ଙ୍କଠାରୁ ବହୁବିଧ ସାହାଯ୍ୟ ପାଇଛନ୍ତି ।

 

ବାଲଜାକ୍ ସବୁ ବୁଝନ୍ତି । କିନ୍ତୁ ନିଜର ଅସୁନ୍ଦର ଚେହେରାକୁ କିପରି ପାଲଟାଇବେ । ତେବେ ତାଙ୍କର ଝିଅମାନଙ୍କ ପ୍ରତି ଅଶେଷ ମମତା ଥିଲା । ଯେ ତାଙ୍କୁ ନିଷ୍ଠୁର ଭାବରେ ଫେରାଇ ଦେଇଛି ସେ ତାକୁ ବିପଦ ସମୟରେ ସାଧ୍ୟାନୁସାରେ ସାହାଯ୍ୟ କରିଛନ୍ତି । ଥରେ ତ ବେଶ୍ ବେକାଇଦାରେ ପଡ଼ିଗଲେ । ସମ୍ଭ୍ରାନ୍ତ ବଂଶୀୟା ଜଣେ ବିବାହିତା ମହିଳା, ମହାଜନର ଅତ୍ୟାଚାରରେ ଅସ୍ଥିର ହୋଇଉଠିଥିଲେ । ପ୍ରାର୍ଥୀ ହୋଇ ତାଙ୍କୁ ମହାଜନ ହାତରୁ ରକ୍ଷା କରିଥିଲେ ବାଲଜାକ୍ । ଏପରିକି ମହିଳାଟିକୁ ନିଜ ଘରେ ସ୍ଥାନ ଦେବାକୁ ପଡ଼ିଲା । ସେ ଦିନ ତାଙ୍କର ଉଦାରତା କେହି ଦେଖିନି । ପ୍ରଚୁର ଅପବାଦ ସହିବାକୁ ହୋଇଥିଲା ବାଲଜାକ୍‍ଙ୍କୁ ।

 

ମ୍ୟାଡ଼ାମ ଦ୍ୟ ବର୍ଣ୍ଣିଙ୍କ ପରେ ସେ ମାର୍କୁଇସ୍ ଦ୍ୟ କାସ୍ତିୟଙ୍କ ପ୍ରେମରେ ପଡ଼ିଲେ ।

 

କାସ୍ତିୟ ଖୁବ୍ ସୁନ୍ଦରୀ ଥିଲେ । ବହୁ ସମୟ ଉପନ୍ୟାସ ପଢ଼ିବା ସାହିତ୍ୟ, କଳା, ସଂସ୍କୃତି ଆଲୋଚନାରେ ସମୟ କଟାଇବା ତାଙ୍କର ଅଭ୍ୟାସଗତ ପ୍ରକୃତି ହୋଇ ଉଠିଥିଲା ।

 

ବାଲଜାକ୍‍ଙ୍କ ଉପନ୍ୟାସ ଜରିଆରେ ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ।

 

ତାଙ୍କ ସହିତ ଆଳାପ ପରିଚୟ କରିବାପାଇଁ ଆଗ୍ରହୀ ହୋଇ ଉଠିଲେ ।

 

ଦେଖାସାକ୍ଷାତ୍ ପରିଚୟ ହେବା ପୂର୍ବରୁ ବାଲଜାକ୍‍ଙ୍କ ପାଖକୁ ଚିଠି ଲେଖିଲେ । ଉତ୍ତର ମଧ୍ୟ ପାଇଲେ ।

 

ଘନଘନ ପତ୍ର ବିନିମୟ ପରେ ଆନ୍ତରିକତା ବଢ଼ିଉଠିଲା । ଶେଷରେ ଦେଖାସାକ୍ଷାତ୍ ହେଲା ।

 

ପ୍ରଥମ ଦେଖାରେ ପ୍ରେମ ପିପାସୁ ତରୁଣ ଔପନ୍ୟାସିକ କାସ୍ତିୟଙ୍କୁ ପାଇବାପାଇଁ ବ୍ୟାକୁଳ ହୋଇଉଠିଲେ ।

 

ମନ ଚଞ୍ଚଳ ହୋଇ ଉଠିଲା । ଭାବଭଙ୍ଗୀରେ ଅସ୍ଥିରତା ଶିହରି ଉଠିଲା । ବାରବାର ସେ ଯାଇ ମାରକୁୟସି କାସ୍ତିୟଙ୍କ ଦେଖାକଲେ ।

 

କାସ୍ତିୟ ତାଙ୍କ ମନ ଭାବ ବେଶ ଭାବରେ ଜାଣିପାରିଥିଲେ । କିନ୍ତୁ କ୍ରୀଡ଼ାବତୀ ପ୍ରେମିକା ମାରକ୍ୟୁୟସ ପ୍ରଥମେ ଧରା ଦେଇ ଧରା ନ ଦେବାର ଅଭିନୟ କଲେ ।

 

ବାଲଜାକ୍ ଭାବିଲେ ମ୍ୟାଡ଼ାମ ଦ୍ୟ କାସ୍ତିୟଙ୍କ ପରି ପରମା ସୁନ୍ଦରୀ ସମ୍ବ୍ରାନ୍ତବଂଶୀୟା ମହିଳା ତାଙ୍କ ପରି ଜଣେ କୁତ୍ସିତ ଯୁବକକୁ ଭଲ ପାଇବ କାହିଁକି ???

 

ଜୀବନ ହା–ହୁତାଶ ପ୍ରେମାଗ୍ନିରେ ଜଳିବାକୁ ଲାଗିଲା ।

 

କିନ୍ତୁ ଅନ୍ୟ ପକ୍ଷରେ ବୁଦ୍ଧିମତୀ ମାରକ୍ୟୁୟସ୍ କାସ୍ତିୟ ଧରା ନ ଦେବାର ଉପକ୍ରମ କରି, ସବୁଦିନ ପାଇଁ ତରୁଣ ଔପନ୍ୟାସିକଙ୍କୁ ନିଜେ ଆଜ୍ଞାବହ ପ୍ରେମିକ କରି ରଖିବାପାଇଁ, ଅଙ୍ଗଭଙ୍ଗୀରେ, କଥାରେ, କାମରେ ଛଳନା କରିବାରେ ବ୍ୟସ୍ତ ଥିଲେ ।

 

ଛଳନାମୟୀ ପ୍ରେମିକାର ପ୍ରେମ ଜାଲରେ ଧରା ଦେଇ ତାଙ୍କ ଜୀବନ ଦୁର୍ବିସହ ହୋଇ ଉଠିଲା ।

 

ହାତରେ ପାଇ ନ ପାଇବାର ଯେ ଯନ୍ତ୍ରଣା ପ୍ରେମିକ ବ୍ୟତିରେକ କେହି ଅନୁଭବରେ ଆଣି ପାରିବେ ନାହିଁ ।

 

ପ୍ରଥମ ପ୍ରେମରେ ଯାହା ଘଟିଥିଲା ତା’ ପୁଣି ଐତିହାସିକ ପୁନରାବୃତ୍ତି ଘଟିବ ବୋଲି ସେ ଭାବି ନଥିଲେ ।

 

ମ୍ୟାଡ଼ାମ ଦ୍ୟ କାସ୍ତିୟ ତାଙ୍କୁ ଜାଣି ଜାଣି ବହୁବାର ଅପମାନିତ କରିଥିଲେ ।

 

ବିୟୋଗାନ୍ତ ନାଟକରେ ଶେଷ ଦୃଶ୍ୟ ଅଭିନୀତ ହେଲା ଜେନିଭାରେ ।

 

ଜଳବାୟୁ ପରିବର୍ତ୍ତନ କରିବାପାଇଁ ଦାଦାଙ୍କ ଘରକୁ ମାର୍‍କୁୟସ୍ ଜେନିଭା ଯାଇଥିଲେ ।

 

ବାଲଜାକ୍ ଇଟାଲୀ ଯାଉଥିଲେ । ଇଟାଲୀ ଯିବା ବାଟରେ ନିର୍ଜନରେ ତାଙ୍କୁ ଥରେ ପାଇବାପାଇଁ ଆଉ ନିଜର ମନକଥା ଶେଷଥର ପାଇଁ ଜଣାଇ ଦେବାପାଇଁ ଜେନେଭାରେ ଓହ୍ଲାଇଗଲେ ।

 

ବାଲଜାକ୍‍ଙ୍କୁ ଦେଖି ମ୍ୟାଡ଼ାମ୍ ସୁଖୀ ହେଲେ କି ନା ସେ ପ୍ରଥମେ ବୁଝିପାରିଲେ ନାହିଁ । ଅବଶ୍ୟ ଲୋକଦେଖାଣିଆ ଆଦର ଅଭ୍ୟର୍ଥନାରେ କୌଣସି ତ୍ରୁଟି ଦେଖା ଯାଉ ନଥିଲା ।

 

ସେଦିନ ଦୁଇଜଣ ବୁଲି ବାହାରିଲେ । ନିର୍ଜନରେ ବାଲଜାକ୍ । ମ୍ୟାଡ଼ାମ ଦ୍ୟ କାସ୍ତିୟଙ୍କ ପାଇ ଅତି ବିହ୍ୱଳ ହୋଇ ଉଠିଲେ ।

 

ଅଶାନ୍ତ ହୃଦୟର ଶାନ୍ତି ଫେରି ପାଇବାପାଇଁ ନିଜର କଥା କହିଲେ । ମୃଦୁ ପ୍ରତିବାଦ ଜଣାଇଲେ କାସ୍ତିୟା ।

 

ଏହି ପ୍ରତିବାଦର ମର୍ମ ଠିକ୍ ବୁଝିପାରିଲେ ନାହିଁ । ବାଲଜାକ୍ ବାରବାର ଅନୁରୋଧ କଲେ । ବିରକ୍ତ ହୋଇ ଉଠିଲେ କାସ୍ତିୟ । ଭୟଙ୍କର ଭାବରେ ଅପମାନିତ କରି, ତାଙ୍କ ସାଙ୍ଗରେ ଜୀବନରେ ଆଉ କୌଣସି ସମ୍ପର୍କ ନାହିଁ ବୋଲି ଜଣାଇ, ସେଠୁ ପଳେଇଗଲେ ।

 

ଦାରୁଣ ମର୍ମାହତ ହେଲେ ବାଲଜାକ୍ ।

 

ଇଟାଲୀ ଯିବା ବନ୍ଦ କରି, ଫେରି ଆସିଲେ ପ୍ୟାରିସ୍ ।

 

ଏହି ଆଘାତରେ ସେ ନିଜକୁ ସାମାଜିକ ଜୀବନରୁ ସମ୍ପୂର୍ଣ୍ଣ ଅଲଗା କରି ରଖିଲେ ।

 

ଏକ ପ୍ରାଣ, ଏକମନରେ ଅନବରତ ଲେଖନୀ ଚଳାଇଲେ ।

 

ପ୍ୟାରିସ୍ ନଗରୀ ଯେତେବେଳେ ନିଦ୍ରାଭିଭୂତ, ରାସ୍ତାରେ ଆଲୋକ ଜଳି ଜଳି ନିଷ୍ପ୍ରଭ ହୋଇ ଉଠୁଥିଲା, ରାସ୍ତାରେ କାଉର ପୁଅ ଦେଖାନାହିଁ, ଚାରିଆଡ଼େ ନିର୍ଜନତା, ସେ ନିର୍ଜନତାରେ ବ୍ୟଥିତ ବାଲଜାକ୍‍ଙ୍କର ଆଖିରେ ନିଦ ନାହିଁ, ସାରା ରାତ୍ରି ଲେଖି ଲେଖି ବିତାଇ ଦେଇଛନ୍ତି ।

 

ଅମାବାସ୍ୟାର ଅନ୍ଧକାର, ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ସବୁ ସମାନ...

 

ବେଳେବେଳେ ଗରମ କଫି କପେ କପେ ପିଇ ନିଜକୁ ଦୁନିଆଠାରୁ ଅଲଗା କରି, ମଜି ଯାଇଥିଲେ ତାଙ୍କ ସୃଷ୍ଟି ଆଭିମୁଖ୍ୟ ଚରିତ୍ରମାନଙ୍କରେ... !

 

ରାତି ପାହିଯାଏ । ସକାଳ ଆସେ । ସୁପ୍ତ ପ୍ୟାରିସ୍ ସହର କାର୍ଯ୍ୟ ମୁଖର ହୋଇ ଉଠିଲେ, ଆଠଟା ବେଳକୁ କଲମ ଛାଡ଼ନ୍ତି ।

 

ସେତେବେଳକୁ ଗଦା ଗଦା ପ୍ରୁଫ୍ ଆସି ପହଁଚେ । ସେଗୁଡ଼ିକ ସଂଶୋଧନ ନିଜ ହାତରେ କରନ୍ତି । ତା’ପରେ ଜୀବନର କେତେକ ରୁଟିନ୍ କାମ ସାରି ସାମାନ୍ୟ କେତେ ଘଣ୍ଟା ବିଛଣାରେ ପଡ଼ିରହି ଛଟପଟ ହୁଅନ୍ତି ।

 

ଚିନ୍ତା ନିଦ୍ରାର ପରମ ଶତ୍ରୁ । ଶତ୍ରୁ ମିତ୍ରଙ୍କ ସନ୍ଧି ଘଟେ ନାହିଁ । ନିଦ ହୁଏ ନାହିଁ । ତଥାପି ଚେଷ୍ଟା କରନ୍ତି ଟିକେ ନିଦ ହେଇଯାଉ ।

 

ନିଦ ହେଉ ନ ହେଉ ବିଶ୍ରାମ ନେବାକୁ ହେବ । ନିଦ୍ରା ହେଉଥିଲା କି ନା କହି ହେବ ନାହିଁ, ମାତ୍ର କେତେ ଅଳ୍ପ ସମୟପାଇଁ ବିଶ୍ରାମ ନେଉଥିଲେ ।

 

ବାଲଜାକ୍ ଅଦ୍ଵିତୀୟ ଲେଖକ ହୋଇ ଉଠିଥିଲେ । ପ୍ରକାଶକଙ୍କ ମଧ୍ୟରେ ତାଙ୍କ ଲେଖା ପାଇବାପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖା ଯାଇଥିଲା ।

 

ଅଗ୍ରିମ ପ୍ରଚୁର ଅର୍ଥ ଆଣି ପ୍ରକାଶକମାନେ ଅପେକ୍ଷା କରି ରହୁଥିଲେ ।

 

ଏତେଅର୍ଥ ଉପାର୍ଜନ କଲେ ମଧ୍ୟ ତାଙ୍କର ଲକ୍ଷାଧିକ ଟଙ୍କା ଋଣ ରହୁଥିଲା ।

 

ଅମିତବ୍ୟୟିତା, ବେଖାପି ଖର୍ଚ୍ଚ କରି ନିଜକୁ ଅମିର ବୋଲି ପ୍ରତିଷ୍ଠା କରିବାପାଇଁ ସେ ଭଲ ପାଉଥିଲେ ।

 

ପରେ ପରେ ଝିଅମାନଙ୍କୁ ନେଇ ଆମୋଦ କରିବାପାଇଁ ନିଜର ସବୁ କିଛି ବ୍ୟୟିତ କରି ଦେଉଥିଲେ । ସୁନ୍ଦରୀମାନଙ୍କ ଆଖିରେ ଭେଳିକି ଲଗାଇଲା ପରି ଆସବାବ, ଡୋକୋରେଟିଭ୍ ମୂଲ୍ୟବାନ ଜିନିଷ କିଣିବା ତାଙ୍କର ବଡ଼ ଖିଆଲ ଥିଲା । ଘର କାନ୍ଥରେ ଖୁଦ ପକାଇବା ପାଇଁ ସ୍ଥାନ ନାହିଁ । ତେବେ ମଧ୍ୟ ସହସ୍ରାଧିକ ଟଙ୍କା ଖର୍ଚ୍ଚ କରି ଜିନିଷ କିଣିବାରେ ବ୍ୟସ୍ତଥିଲେ ।

 

ସଞ୍ଚୟର ଆବଶ୍ୟକତା କ’ଣ ଜୀବନରେ ସେ କମ୍ ଉପଲବ୍ଧି କରୁଥିଲେ । ଜେନେଭାର ବିୟୋଗାତ୍ମକ ପ୍ରେମ ନାଟକର ସୂତ୍ର ଛିନ୍ନ କରି ଯେଉଁ ସାହିତ୍ୟିକ କର୍ମମୟ ଜୀବନରେ ଝାସ ଦେଇଥିଲେ ସେ ଜୀବନ ପୁଣି ପ୍ରେମ ଉନ୍ମେଷପାଇଁ ପରିବ୍ୟାପ୍ତ ହୋଇଉଠିଲା ।

 

ହାନସକା ଜମିଦାରମାନେ ଇଉକ୍ରେନ୍‍ର ପ୍ରତିଭାଶାଳୀ, ଖ୍ୟାତନାମା ଫିଉଡ଼ାଲସ ।

 

ଏହି ବଂଶର ବୃଦ୍ଧ ଜମିଦାରଙ୍କ ମସିୟା ହାନସରକାରଙ୍କର ତରୁଣୀ ସୁନ୍ଦରୀ ସ୍ତ୍ରୀ ଇଉଲିନ୍ ଏକ ବିଦୁଷୀ ମୃଦୁହାସିନୀ ମହିଳା ।

 

ବାଲଜାକ୍‍ଙ୍କର ଗୋଟିଏ ଉପନ୍ୟାସ ପଢ଼ୁଥିଲେ । ପଢ଼ା ଶେଷ କରି ସେ ବଡ଼ ଚିନ୍ତିତ ହୋଇପଡ଼ିଲେ । ତାଙ୍କ ମନେହେଲା ଲେଖକ ନାୟିକା ପ୍ରତି ଅନ୍ୟାୟ କରିଛନ୍ତି ।

 

ତାଙ୍କ ପରି ସୁପରିଚିତ, ବିଚାରବନ୍ତ ଲେଖକ ଗୋଟିଏ ନାୟିକା ପ୍ରତି ଅବିଚାର କରିବା କେବଳ ଅନ୍ୟାୟ ନୁହେଁ ପାପ ମଧ୍ୟ । ୟେ ସମ୍ପର୍କରେ ବାନ୍ଧବୀମାନଙ୍କ ଗହଣରେ ଆଲୋଚନା କଲେ ବହୁବାର ।

 

ମ୍ୟାଡ଼ାମ ହାନ୍‍ସକା ଚିଠି ଲେଖିଲେ ।

 

୧୮୩୨ ସାଲ, ଫେବୃୟାରୀ ୧୮ ତାରିଖ ବାଲଜାକ୍ ଜୀବନରେ ଏକ ସ୍ମରଣୀୟ ଦିନ-

 

ଚିଠିଟି ପାଇଲେ । ଚିଠି ଖୋଲୁ ଖୋଲୁ ତୀବ୍ର ଗନ୍ଧରେ ସେ ବିସ୍ମିତ ହୋଇଉଠିଲେ ।

 

ଚିଠିଟି ପଢ଼ି ସେ ଆତ୍ମବିଭୋର ହୋଇ ଉଠିଲେ ।

 

ଭାଷା ଆବେଗ ପୂର୍ଣ୍ଣ । କଥାବସ୍ତୁ ମର୍ମସ୍ପର୍ଶୀ ।

 

ବାଲଜାକ୍‍ଙ୍କର ଆଖି ଆଗରେ ଭାସିଉଠିଲା, ସତେଅବା ତାଙ୍କର ମନରେ ତରୁଣୀ ରୂପ, ରଙ୍ଗ, ଭାଷାର ଅଫୁରନ୍ତ ରୂପ ସମ୍ଭାର ନେଇ ତାଙ୍କ ଚିତ୍ତ ଜୟ କରିବାପାଇଁ ସତେଅବା ଉଭା ହୋଇଛି ।

 

କିନ୍ତୁ ହାୟ, ଲେଖିକା ତାଙ୍କର ଠିକଣା ଦେଇନି !

 

ଚିଠି ଶେଷରେ ନାମ ନାହିଁ । ଲେଖାଅଛି, ଇତି, ଆପଣଙ୍କର ଅପରିଚିତା !

 

ନାୟିକା ପ୍ରତି ଅବିଚାର କରିଛନ୍ତି, ତା’ର କୈଫିୟତ୍ କାହାକୁ କିପରି ଭାବେ ଲେଖିବେ କିଛି ବୁଝିପାରିଲେ ନାହିଁ ।

 

କ’ଣ କରିବେ ଭାବୁ ଭାବୁ କିଛି ସମୟ ବିତିଗଲା ।

 

ଶେଷରେ ଚିଠି ପାଇବାର ପ୍ରାପ୍ତିସ୍ଵୀକାର କରି ଗୋଟିଏ ଦୈନିକ ପତ୍ରିକାର ବିଜ୍ଞାପନ ଆକାରରେ ଗୋଟିଏ ଲେଖାଦେଲେ ।

 

ଅନ୍ୟ ପକ୍ଷରେ ପ୍ରଖ୍ୟାତ ଧନୀ ମସିୟା ହାନ୍‍ସକା ବୃଦ୍ଧ, ରୁଗ୍‍ଣ ରୋଗ ଶଯ୍ୟାରେ ଛଟପଟ ହେଉଥିଲେ ।

 

ବିବାହ ପରେ ଗୋଟିଏ ଝିଅ ହୋଇଛି । ବାସ୍, ଦାମ୍ପତ୍ୟ ଜୀବନରେ ସେ ଆଉ କିଛି ଚାହିଁ ନାହାନ୍ତି କି ପାଇନାହାନ୍ତି ତରୁଣୀ ରୂପସୀ ପତ୍ନୀଙ୍କଠାରୁ ।

 

ଇଉଲିନ୍ ସ୍ଵାମୀଙ୍କର ଔଶ୍ଵର୍ଯ୍ୟରେ ଅଣନିଃଶ୍ଵାସୀ ହୋଇଛନ୍ତି ସତ, ହେଲେ...

 

ଦେହର ଜ୍ଵାଳା ମନର ବାସନା ଅନ୍ୟ ଆଡ଼େ ଧାବମାନ ଛାୟା ପରି ଦଉଡ଼ି ଚାଲିଛି ତା’ର ଶେଷ ନାହିଁ ।

 

ସ୍ଵାମୀ ଅଥର୍ବ । ପଙ୍ଗୁ । ରୁଗ୍‍ଣ । ପୁଣି ବୀତସ୍ପୃହ ।

 

ଯୌବନ ଭାରରେ ରୂପସୀ ସ୍ତ୍ରୀ ଭାରାକ୍ରାନ୍ତା । ପ୍ରଚୁର ଧନ ସମ୍ପତ୍ତି ଅହମିକା ନିରର୍ଥକ । ଦେହ ଓ ମନର ବାସନା ତୁଟାଇ ପାରେନା ଧନ ଓ ସ୍ଵାମୀଙ୍କର ପ୍ରତିପତ୍ତି ଓ ବଂଶମର୍ଯ୍ୟାଦା–

 

ନର୍ସିଂମଦର ଅଲିଅଳ ଜମିଦାର କନ୍ୟାଙ୍କର ଦାୟିତ୍ଵ ନେଇଥାନ୍ତି । ତେଣୁ ଇଉଲିନ୍‍ଙ୍କର ଉପନ୍ୟାସ ପଢ଼ିବାପାଇଁ ବିସ୍ତୃତ ସମୟ ଥାଏ । ତିନି ଚାରିଟା ଭାଷା ସେ ଜାଣିଥିଲେ । ହେଲେ, ବାଲଜାକ୍‍ଙ୍କ ଉପନ୍ୟାସ ପଢ଼ିବା ପରେ ତାଙ୍କ ପ୍ରତିଭାର ପୂଜା କରିବାପାଇଁ ବିଭୋର ହୋଇ ଉଠିଲେ ।

 

ଚିଠି ଲେଖିଲେ ।

 

ଦୈନିକ କାଗଜରେ ବାଲଜାକ୍‍ଙ୍କର ସ୍ଵୀକାର ପତ୍ରପାଇଁ ମନେମନେ ଖୁବ୍ ଖିଲିଖିଲି ହସିଲେ ।

 

ସତେ କେଡ଼େ ବଡ଼ ରସିକ ଔପନ୍ୟାସିକ ଇଏ !!!

 

ତା’ପରେ ଚିଠି ଲେଖିଲେ, ଉତ୍ତର ପାଇଲେ ରୂପସୀ ତରୁଣୀ ।

 

ପରସ୍ପରକୁ ଦେଖିବା ପୂର୍ବରୁ ପ୍ରେମ ନିଶାରେ ମତୁଆଳ ହୋଇ ଉଠିଲେ ଦୁହେଁ ।

 

ଦେହର ମିଳନ ପୂର୍ବରୁ ମନର ମିଳନ ଘଟି ଯାଇଥିଲା ।

 

୧୮୩୩ ସାଲରେ ପ୍ରଥମ ଦେଖା ! ଚିଠିପତ୍ର ଆଦାନପ୍ରଦାନର ଏକବର୍ଷ ପରେ... ।

 

ଏହି ସମୟରେ ଯେଉଁ ଚିଠିପତ୍ର ଲେଖା ଯାଇଥିଲା, ସେ ସବୁ ଫରାସୀ ଭାଷାରେ ବର୍ତ୍ତମାନ ଅମୂଲ୍ୟ ସମ୍ପଦ ।

 

ସପରିବାରରେ ଇଉଲିକ୍ ସୁଇଜରଲାଣ୍ଡ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଯାଇଥିଲେ ।

 

ଜେନେଭାରେ ଦେଖା କରିବାପାଇଁ ବାଲଜାକ୍‍ଙ୍କୁ ଅନୁରୋଧ କଲେ ।

 

ଏହି ଶୁଭଦିନକୁ ଉଦ୍‍ଗ୍ରୀବ ହୋଇ ଚାହିଁ ରହିଥିଲେ ବାଲଜାକ୍ ।

 

ପ୍ରଥମ ଦେଖାରେ ଇଉଲିନ୍ ହତାଶ ହେଲେ ।

 

ୟେତ ତାଙ୍କର କଳ୍ପନାର ପୁରୁଷ ନୁହନ୍ତି । ମନ ଯାହା ଚାହୁଁଥିଲା ସେତ ଇଏ ନୁହନ୍ତି । ରୁଗ୍‍ଣ ସ୍ଵାମୀଙ୍କର ଜୀବନ ଜଳିଛି ।

 

ଚିତ୍ତ ଆନନ୍ଦପାଇଁ ମନର ସବୁ କଳ୍ପନା କରି ଯେଉଁ ପ୍ରେମର ପୁରୁଷକୁ କଳ୍ପନା କରିଥିଲେ, ଏମିତି କଦର୍ଯ୍ୟ, ଅସୁନ୍ଦର ରୂପ ନେଇ ତାଙ୍କ ଆଗରେ ଉଭା ହୋଉଛନ୍ତି ।

 

ଏଡ଼େ କୁତ୍ସିତ ଚେହେରା ନେଇ ବିଶ୍ଵମୋହନ ଚରିତ୍ର, ସାର୍ଥକ ସୃଷ୍ଟି କିମିତି ସମ୍ଭବ ହୋଇପାରେ !! ହେ ଭଗବାନ ! ଦୀର୍ଘନିଃଶ୍ଵାସ ଛାଡ଼ିଲେ ନାୟିକା ।

 

କିନ୍ତୁ ବାଲଜାକ୍‍ଙ୍କ ମନର ତରୁଣୀ ତାଙ୍କ ଆଗରେ ।

 

ସ୍ଵପ୍ନ ସଫଳ ହୋଇଛି । କଳ୍ପନା ବାସ୍ତବରେ ପରିଣତ ହୋଇଛି ।

 

ଇଉଲିନ୍ ସୁନ୍ଦରୀ । ଠିକ୍ ଯେପରି ସେ ଚାହୁଁଥିଲେ, ତା’ଠାରୁ ଯଥେଷ୍ଟ ସୁନ୍ଦରୀ ।

 

ବୟସ ମାତ୍ର ତିରିଶ ।

 

ଏଇ ବୟସରେ ତରୁଣୀ, ସୌନ୍ଦର୍ଯ୍ୟର ଆଧାର ନେଇ ପ୍ରେମ ରାଜ୍ୟର ତାଙ୍କୁ ସମ୍ରାଟ କରିଦେବା ପାଇଁ ସାମ୍ରାଜ୍ୟ ଆଣି ତାଙ୍କ ପାଦତଳେ ଅର୍ପଣ କରୁଛି ବୋଲି ଭାବି ଭାବି ବିଭୋର ହୋଇ ଉଠିଲେ ବାଲଜାକ୍ ।

 

ହେଲେ, ଆତ୍ମଚେତନ ଅବସ୍ଥାକୁ ଫେରିଆସି ନିଜର କୁତ୍ସିତ ଚେହେରା ବିଷୟରେ ନିଜେ ସଜାଗ ହୋଇ ପଡ଼ିଲେ ।

 

ଜେନେଭାରେ ବିୟୋଗାତ୍ମକ ନାଟକର କ’ଣ ପୁନରୁଦ୍ଧାର ହେବ ନା ପୁନରାବୃତ୍ତି ଘଟିବ-?

 

ବାଲଜାକ୍ ସାନୁନୟ ନିବେଦନ କଲେ । ଭିକ୍ଷୁକ ପରି ପ୍ରେମଭିକ୍ଷା ମାଗି ବସିଲେ ।

 

ଏକମାସ ଅତିବାହିତ ହୋଇଗଲା ।

 

ଶେଷରେ ବାଲଜାକ୍ ଜୟୀ ହେଲେ । ଇଉଲିନ୍‍ର ନାରୀ ହୃଦୟ ଚହଲି ଉଠିଲା ।

 

କୁତ୍ସିତ ଚେହେରାପାଇଁ ବାଲଜାକ୍ ନିଜେ କ’ଣ ଦାୟୀ !

 

ତାଙ୍କ ପରି ବିଶ୍ଵବିଖ୍ୟାତ ଔପନ୍ୟାସିକଙ୍କ ସାନ୍ନିଧ୍ୟ ଲାଭପାଇ କେଉଁ ନାରୀ ଭାଗ୍ୟବତୀ ନ ହେବ ???

 

ସୁତରାଂ ଆଉ କୌଣସି ବାଧା ରହିଲାନି ।

 

ବାଲଜାକ୍‍ଙ୍କର ଦେହର କ୍ଷୁଧା ମେଣ୍ଟାଇବାପାଇଁ ଇଉଲିନ୍ ହାନସକା ନିଜର ଦେହ ଢାଳିଦେଲେ ।

ବାଲଜାକ୍ ଜୀବନରେ ବହୁ ଅତୃପ୍ତ ପ୍ରେମର ସର୍ବଶେଷ ପରିତୃପ୍ତି ପାଇଁ ପ୍ରଶସ୍ତ ପ୍ରେମ ସମୁଦ୍ରରେ ଅବଗାହନ କଲେ ।

 

ଆଃ, କି ତୃପ୍ତି ! କି ସ୍ଵାଦ.... ।

 

“ଆଉ ଇଉଲିନ୍ !

 

ସେ ମଧ୍ୟ କ୍ଷୁଧାର୍ତ୍ତ ଥିଲେ ।

 

ତାଙ୍କର ଦେହ, ମନ ପରିପୂର୍ଣ୍ଣତା ଲାଭ କଲା ।

 

ପରସ୍ପରଠାରୁ ବିଦାୟ ନେବା ସମୟ ଆସିଲା ।

 

ବାଲଜାକ୍ ବ୍ୟାକୁଳ ହୋଇ ପଚାରିଲେ, ଏହାପରେ ?

 

ତମେ କୁହ ?

 

–ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ । ତୁମେ ମୋ ସଙ୍ଗେ ପ୍ୟାରିସ୍ ଚାଲ ।

 

–ବର୍ତ୍ତମାନ ସମ୍ଭବ ନୁହେଁ ।

 

–ସମ୍ଭବ ନୁହେଁ–ଅଟକିଗଲେ ବାଲଜାକ୍ ।

 

ବାଲଜାକ୍‍ଙ୍କ ଠାରୁ ଇଉଲିନ୍‍ର ବିଚକ୍ଷଣ ବୁଦ୍ଧି ।

 

ନାରୀସୁଲଭତା ଲଜ୍ଜା, ସଂକୋଚ ନେଇ କହିଲେ–ତରବରରେ କିଛି କରି ବସିଲେ ସ୍ଵାମୀଙ୍କର ବିରାଟ ସମ୍ପତ୍ତିରୁ ବଞ୍ଚିତ ହେବି । ଲୋକେ ଆମ ନାମରେ ଅନେକ କୁତ୍ସିତ, ଅବାଞ୍ଛିତ, ଅବାନ୍ତର ଜନରବ ସୃଷ୍ଟି କରିବେ ।

 

ଇଉଲିନ୍ କଥାରେ ଗୂଢ଼ ରହସ୍ୟ ବାଲଜାକ୍ ଠିକ୍ ବୁଝିପାରିଲେ ।

 

ବିପୁଳ ସମ୍ପତ୍ତି ହାତଛଡ଼ା କରିବା ଉଚିତ ନୁହେଁ ।

 

ରୁଗ୍‍ଣ, ଜରାଶ୍ରୟ ଜରାଗ୍ରସ୍ତ ହାନ୍‍ସକା କେତେଦିନ ଆଉ ବଞ୍ଚିବେ ?

 

ସେ ମରିଯିବାପରେ ଅଚଳାଚଳ ସମ୍ପତ୍ତି ଓ ଇଉଲିନ୍‍ଙ୍କର ଅସମାପ୍ତ ପ୍ରେମ, ଦୁଇଟି ଅତୁଳନୀୟ ଐଶ୍ଵର୍ଯ୍ୟର ଅଧିକାରୀ ହେବେ ବାଲଜାକ୍ ।

 

ଆଗାମୀ ଶୀତ ଋତୁରେ ପୁଣି ଆସିବେ ମିଳନ ପିପାସୁ ଦୁଇଟି ଚକୋର ଚକୋରୀ–।

 

ଇତିମଧ୍ୟରେ ହାନ୍‍ସକା ଯେବେ ଦେହତ୍ୟାଗ କରନ୍ତି ଏମାନଙ୍କ ମିଳନ ଆହୁରି ଚଞ୍ଚଳ ଘଟିପାରେ ।

 

ଅନ୍ୟର ଆବଶ୍ୟକତା ଅନୁସାରେ କାହାରି ମୃତ୍ୟୁ ଘଟେ ନାହିଁ । ତାହାହିଁ ହେଲା । ତାଙ୍କର ସ୍ୱାସ୍ଥ୍ୟର ଅବନତି ଦିନକୁଦିନ ବଢ଼ିଚାଲିଲା । ହେଲେ ମୃତ୍ୟୁ ଘଟିଲା ନାହିଁ ।

 

ଦୁଇ ଜଣଙ୍କ ଅତୃପ୍ତ ଆତ୍ମା ଅଭିଶପ୍ତର ବୋଝରେ ଯେପରି ଭାରାକ୍ରାନ୍ତ ହୋଇ ଉଠିଲା ।

 

ମନର କ୍ଳାନ୍ତି ଓ ବିଚ୍ଛେଦର ତାଡ଼ନାରେ ବାଲଜାକ୍ ପ୍ୟାରିସ୍‍ର କେତେକ ସୁନ୍ଦରୀ ନାରୀଙ୍କର ସଙ୍ଗ ଲାଳସାରେ ଲୋଭିଲା ହୋଇ ଉଠିଲେ ।

 

ଏହି ଖବର ଇଉଲିନ୍‍ଙ୍କ ପାଖରେ ଯାଇ ପହଞ୍ଚିଲା ।

 

ସେ ରାଗରେ ଫୁଲି ଫୁଲି ଉଠିଲେ । କ୍ରୋଧ ଓ ଈର୍ଷାରେ ଜର୍ଜରିତ ହୋଇ ଦୀର୍ଘ ଚିଠିରେ ବାଲଜାକ୍‍ଙ୍କ ସହିତ କିଛି ସମ୍ପର୍କ ନାହିଁ ବୋଲି ଲେଖିଦେଲେ ।

 

ସ୍ଵାମୀ ମୋର ରୁଗ୍‍ଣ । କ୍ଷୀଣାୟୁ !–ଏତେବେଳେ ଛାଡ଼ି ଆସିବା ଆମ ପକ୍ଷରେ ମଙ୍ଗଳକର ହେବନାହିଁ ।

 

ଅପ୍ରତ୍ୟାଶିତ ଭାବରେ ଅଭିଯୋଗ ପୂର୍ଣ୍ଣ ଚିଠିଟି ପାଇ ବାଲଜାକ୍ ମନେମନେ ଦବିଗଲେ । ନିଜର ଦୁର୍ବଳତା ପାଇଁ ନିଜକୁ ଦୋଷୀ ବୋଲି ଭାବିଲେ ।

 

ସେ କାଳବିଳମ୍ବ ନ କରି ଇଉଲିନ୍‍ଙ୍କୁ ଦେଖା କରିବାପାଇଁ ଭିୟେନା ଚାଲିଗଲେ ।

 

ମାନ, ଅଭିମାନର ପାରମ୍ପାରିକ ଗତିରେ ପ୍ରେମିକ ଯୁଗଳ ଅତିଷ୍ଠ ହେଲେ ମଧ୍ୟ, ଶେଷରେ ବାଲଜାକ୍‍ଙ୍କୁ ଇଉଲିନ୍ କ୍ଷମା ଦେଲେ ।

 

ଦୁର୍ବାର ଆନନ୍ଦରେ କେତେଦିନ କଟିଗଲା ।

 

ଇତିମଧ୍ୟରେ ସ୍ଵାମୀଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇ ଆସିଲା । ଯେକୌଣସି ମୁହୂର୍ତ୍ତରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଯାଇପାରନ୍ତି !

 

ଏହି ଆଶାରେ ଆଶାୟୀ ପ୍ରେମିକ–ପ୍ରେମିକା ଯୁଗଳ କାଳତିପାତ କରିବାକୁ ଲାଗିଲେ ।

 

ଦୀର୍ଘ ଆଠବରଷ ପରେ ହାନ୍‍ସକା ମସିୟାରଙ୍କ ମୃତ୍ୟୁସମ୍ବାଦ ପାଇ ବାଲଜାକ୍ ଲେଖିଲେ–

 

X X X

 

ଏତେଦିନ ପରେ ଭଗବାନ ଆମ ପ୍ରତି ସଦୟ ହୋଇଛନ୍ତି ।

 

X X X

 

ବାଲଜାକ୍‍ଙ୍କ ଜୀବନ ଆନନ୍ଦରେ ଉଛୁଳି ଉଠିଲା । ସେ ବିବାହ କରିବେ ।

 

ଋଣମୁକ୍ତ ହେବେ ।

 

କିନ୍ତୁ ଇଉଲିନ୍‍ଙ୍କର ଚିଠି ପାଇ ସେ ହତାଶ ହେଲେ ।

 

ମ୍ୟାଡ଼ାମ୍ ଲେଖିଲେ “ତମର କାର୍ଯ୍ୟକଳାପରେ ମୁଁ ବିଶେଷ ମର୍ମାହତ । ଜୀବନରେ ଯାହା ସଂକଳ୍ପ କରାଯାଇଥିଲା, ସେ ସଂକଳ୍ପ କେବଳ ସଂକଳ୍ପହିଁ ରହିଯାଉ...”

 

ବାଲଜାକ୍ ଅନେକ ଭାବିଚିନ୍ତି କାର୍ଯ୍ୟପନ୍ଥା ସ୍ଥିର କରି ନ ପାରି ସେଣ୍ଟ ପିଟର୍ସ ବର୍ଗ ପ୍ରେମିକାଙ୍କୁ ଦେଖା କରିବାପାଇଁ ପଳାଇଗଲେ ।

 

ମାନ ଅଭିମାନ ତୁଟିଲା ନାହିଁ ପୂର୍ଣ୍ଣମାତ୍ରାରେ ।

 

ହେଲେ ବାଲଜାକ୍‍ଙ୍କର ପ୍ରେମିକା ମନ ଜୟ କରିବା ସହଜାତ ପ୍ରକୃତିରେ ଇଉଲାନ୍‍ଙ୍କ ମନ ନରମି ଗଲା ।

 

୧୮୪୧ ସାଲ । ଦିନକୁଦିନ ଗଡ଼ି ଚାଲିଛି । ବାର୍ଦ୍ଧକ୍ୟ ନହେଲେ ମଧ୍ୟ ଯୌବନ ପାଦ ଚିପି ଚିପି ଆଗେଇ ଚାଲିଛି ।

 

ଦେହର ସୌନ୍ଦର୍ଯ୍ୟ ମନର କ୍ଳାନ୍ତି ସମାନ୍ତର ଭାବରେ ଆଗେଇ ଚାଲିଛି ।

 

ବାଲଜାକ୍ କାକୁତିମିଶା ସ୍ଵରରେ ବିବାହ ପ୍ରସ୍ତାବ ଦେଲେ ।

 

“ଆହୁରି ଅପେକ୍ଷା କରିବାକୁ ହେବ”

 

“ଅପେକ୍ଷା କରିବାକୁ ହେବ ।’’ ଚମକି ପଡ଼ିଲେ ବାଲଜାକ୍ ।

 

“ଝିଅର ବାହାଘର ସରିଯାଉ.......”

 

ଯଥାସମୟରେ ଯଥାରୀତିରେ ଝିଅର ବାହାଘର ସରିଗଲା । ହେଲେ ବାଲଜାକ୍ କ୍ରମେ କ୍ରମେ ଅସୁସ୍ଥ ହୋଇ ପଡ଼ିଲେ । ପ୍ରତୀକ୍ଷାର ବିଷମ ଜ୍ଵାଳାରେ ସେ ଆଉଟି ହେବାକୁ ଲାଗିଲେ । ପ୍ରେମିକା ନିଷ୍ଠୁର....

 

ବାରବାର ବିବାହ ପ୍ରସ୍ତାବ ଏଡ଼ି ଦେଇଥିଲେ ପ୍ରେମିକା । ଅନ୍ୟ ପକ୍ଷରେ ବାଲଜାକ୍ ବିବାହ କରିପାରୁ ନଥାନ୍ତି ବୋଲି ଚିନ୍ତିତ ।

 

ମନର ଜ୍ଵାଳା ନେଇ ହତାଶ ପ୍ରେମିକ ବାଲଜାକ୍ ଦିନକୁଦିନ ଭାଙ୍ଗି ଭାଙ୍ଗି ପଡ଼ିଲେ ।

 

ଏପରିଭାବେ ପୁଣି ସାତବରଷ ଅତିବାହିତ ହୋଇ ଯାଇଛି ।

 

ପ୍ରେମିକ ପ୍ରେମିକାଙ୍କର ବହୁବାର ମିଳନ ଘଟିଛି । ହେଲେ ପ୍ରେମିକା ଚତୁରତା ସହକାରେ ବିବାହ ଏଡ଼ାଇ ଏଡ଼ାଇ ଚାଲିଛନ୍ତି ।

 

୧୮୪୮ ସାଲରେ ବାଲଜାକ୍ ଆସିଥିଲେ ମ୍ୟାଡ଼ାମ ଇଉଲିନ୍‍ଙ୍କ ଘରକୁ ଏକ ସ୍ଵତନ୍ତ୍ର ନିମନ୍ତ୍ରଣ ରକ୍ଷାକରି ।

 

ଏଥର କଠିନ ରୋଗରେ ପଡ଼ି ବାଲଜାକ୍ ଶଯ୍ୟାଶାୟୀ ହେଲେ ।

 

ବାଲଜାକ୍‍ଙ୍କ ରୋଗ ଶଯ୍ୟାରେ ପ୍ରେମିକା ଅନବରତ ବସିରହି ସେବା ଶୁଶ୍ରୂଷାରେ ପ୍ରାଣ ଢାଳିଦେଲେ ।

 

ରାଜକୀୟ ଚିକିତ୍ସାରେ ବାଲଜାକ୍ ବିଛଣାରେ ପଡ଼ିରହି ନିର୍ନିମେଷ ଆଖିରେ ମ୍ୟାଡ଼ାମଙ୍କ ମୁଖମଣ୍ଡଳ ଆଡ଼େ ଅନାଇ ରହିଥାନ୍ତି ।

 

ମ୍ୟାଡ଼ାମ ଧୀରେ ଧୀରେ ବାଲଜାକ୍‍ଙ୍କ ହାତକୁ ଧରିନେଇ ପଚାରିଲେ “କ’ଣ ଭାବୁଛ-?”

 

“ଭାବୁନି କିଛି...”

 

“ତେବେ...”

 

“ଖାଲି ଦେଖୁଛି...”

 

“ଦେଖିବାରେ ଆନନ୍ଦ ମିଳେ, ପାଇବାରେ ନୁହେଁ...”

 

ବାଲଜାକ୍ ନିବିଡ଼ ଭାବରେ ଇଉଲିନ୍‍ଙ୍କ କରଯୁଗଳ ନିଜ ପାପୁଲିରେ ମୁଠେଇ ଧରି ନିଜ ଛାତି ଉପରେ ଚାପି ଦେଲେ ।

 

ଏହି ଘଟଣାର କିଛିଦିନ ପରେ ସେମାନଙ୍କର ବିବାହ ହୋଇଗଲା ।

 

ଯେଉଁଥିପାଇଁ ସ୍ୱାସ୍ଥ୍ୟ, ମନ ହରାଇଥିଲେ ବାଲଜାକ୍ ତାକୁ ପାଇ କ’ଣ ସେ ଦୀର୍ଘଦିନ ବଞ୍ଚି ପାରିଲେ ?

 

ବହୁ ତରୁଣୀଙ୍କର ପ୍ରେମରେ ପଣ୍ୟ ହୋଇଥିଲେ ବାଲଜାକ୍ । ହେଲେ, ମ୍ୟାଡ଼ାମ ଦ୍ୟ ବାର୍ଣ୍ଣିଙ୍କର ପ୍ରେମ ତାଙ୍କ ଜୀବନରେ ଅଦ୍ଵିତୀୟ ହୋଇ ରହିଲା ।

 

ହେଲେ ଇଉଲିନ୍ ମନରେ ଦୁର୍ଜୟ ବାସନା ଥିଲା । ବାଲଜାକ୍ ଭଳି ବିଖ୍ୟାତ ଔପନ୍ୟାସିକ ଶେଷରେ ମୃତ୍ୟୁ ପଥ ଯାତ୍ରୀ ସଙ୍ଗେ ବିବାହ କରିବାକୁ ସମ୍ମତ ଥିଲେ । ୧୮୬୦ ସାଲ ମାର୍ଚ୍ଚ ୧୪ ତାରିଖରେ ବିବାହ ହୋଇଗଲା ଦୁଇ ଜଣଙ୍କର । ଦୀର୍ଘ ୧୮ ବରଷ ଅପେକ୍ଷା କଲାପରେ ବାଲଜାକ୍‍ଙ୍କ ମନସ୍କାମ ପୂର୍ଣ୍ଣହେଲା ।

 

ଇଉଲିନ୍ ବାଲଜାକ୍‍ଙ୍କର ରୁଗ୍‍ଣ, ପାଣ୍ଡୁର ନୁହେଁ, ଅସ୍ଥିକଙ୍କାଳସାର ଦେହପାଇଁ ଆଉ ଲୋଭିଲା ନଥିଲେ । ବିବାହଦ୍ଵାରା ତାଙ୍କ ଜୀବନରେ ଗୋଟିଏ ତୀବ୍ରତର ବାସନା ପରିପୂର୍ଣ୍ଣତା ପାଇବା ଆଶାରେ ସେ ବିବାହ କରିବାପାଇଁ ରାଜି ହୋଇଥିଲେ ।

 

ଫରାସୀ ସାହିତ୍ୟର ଅଦ୍ଵିତୀୟ ରସିକ ବାଲଜାକ୍‍ଙ୍କର ସହଧର୍ମିଣୀ ହେବା କମ୍ ଗୌରବର କଥା ନୁହେଁ । ସେହି ସମ୍ମାନପାଇଁ ସେ ଲୋଭିଲା ହୋଇଥିଲେ ।

 

ସେହି ଗୌରବ ପାଇଲେ, ବାଲଜାକ୍ ଜୀବନର ସନ୍ଧାନରେ ତାଙ୍କୁ ସ୍ଵାମୀ ରୂପରେ ଗ୍ରହଣ କରିବାରେ.... ।

 

ସୁଦୀର୍ଘ ୧୮ ବରଷ ଅପେକ୍ଷା ପରେ ନିଜକୁ ତିଳତିଳ ଜାଳି ମାର୍ଚ୍ଚ ୧୪ ତାରିଖରେ ବିବାହ ଶେଷ କଲେ । ବିବାହର ୫ ମାସ ପରେ ସେ ସଂସାରରୁ ଚିରବିଦାୟ ନେଇଗଲେ ।

 

ରାତ୍ରି ସାଢ଼େ ଦଶ ।

 

ଅକସ୍ମାତ୍ ଫରାସୀ ସାହିତ୍ୟ ଆକାଶରେ ଗୋଟିଏ ଦୀପ୍ତମୟ ତାରାକା କ୍ରମେ କ୍ରମେ ନିଷ୍ପ୍ରଭ ହୋଇ ଉଠିଲା ।

 

ମ୍ୟାଡ଼ାମ ଇଉଲିନ୍‍ଙ୍କର ମନସ୍କାମ ପୂର୍ଣ୍ଣ ହୋଇଛି ।

 

ସେ ମିସେସ୍ ବାଲଜାକ୍ ହୋଇଛନ୍ତି ହେଲେ ବାଲଜାକ୍ କାହାନ୍ତି ???

 

ହୁଏତ ସେ ନିର୍ଦ୍ଦୟ ହୋଇ ଏତେ ଦୀର୍ଘକାଳ ବିବାହ ସ୍ଥଗିତ ରଖି ନଥିଲେ ବାଲଜାକ୍ ଆହୁରି କିଛିଦିନ ବଞ୍ଚିଥାନ୍ତେ ।

 

ବିୟୋଗାତ୍ମକ ଜୀବନର ମିଳନର ଛନ୍ଦ ମଥା ପିଟି ପିଟି ତାଙ୍କ ଜୀବନର ସବୁ କିଛି ଲୁଣ୍ଠନ କରି ଦେଇଥିଲା ।

 

କାହାନ୍ତି ସେ ରସିକ ସମ୍ରାଟ ବାଲଜାକ୍–ପ୍ରେମ ପିପାସୁ ବାଲଜାକ୍–ଔପନ୍ୟାସିକ ସମ୍ରାଟ ବାଲଜାକ୍ ???

☆☆☆

 

Unknown

ଦୁର୍ଜୟ ପ୍ରେମ ବିଳାସିନୀ କ୍ଳିଓପେଟ୍ରା

 

ପ୍ରେମର ବିଳାସିନୀ କ୍ଳିଓପେଟ୍ରା ! ଶତଶତ ଶତାବ୍ଦୀର କବରତଳୁ ତମର ପ୍ରେମସ୍ମୃତି ମାନବ ସମାଜକୁ ବିସ୍ମିତ କରିଛି ।

 

ମିଶର ଯେତେବେଳେ ସବୁଜିମାର ବିଭବରେ ଆତ୍ମହରା ହୋଇ ଉଠୁଥିଲା, ମିଶରକୁ ଧନ୍ୟା କରିବାପାଇଁ ଖ୍ରୀଷ୍ଟପୂର୍ବ ୫୦୦ ସାଲରେ କ୍ଳିଓପେଟ୍ରାଙ୍କ ଜନ୍ମ ।

 

ପୂରା ନାମଟି ହେଲା କ୍ଳିଓପେଟ୍ରା ଥିୟା ଫିଲୋ ପେଟରା ।

 

ମିଶରର ଚରମ ବିପର୍ଯ୍ୟୟ ମୁହୂର୍ତ୍ତରେ ଅଷ୍ଟାଦଶୀ ବର୍ଷିୟା ରୂପସୀ କ୍ଳିଓପେଟ୍ରା ସିଂହାସନ ଆରୋହଣ କଲେ । ସିଂହାସନ ଆରୋହଣବେଳେ ମା’ ପେଟର ଭାଇ ଦଶବର୍ଷର ଦ୍ଵାଦଶ ଟଲେମି ମଧ୍ୟ ସ୍ଵାମୀ ହିସାବରେ ଭାଗ ନେଇଥିଲେ ।

 

ଦେଶର କାନୁନ, ଶିଶୁଭାଇ ହେଲେ ରୂପସୀର ସ୍ଵାମୀ ।

 

ଅଷ୍ଟାଦଶ ବର୍ଷିୟସୀ ରୂପସୀ ମିଶର ଶାସନ କରିବ, ସନ୍ଦେହ ଥିଲା ।

 

ସେନାପତି ୟାକ୍‍ଲିସ୍, ଅର୍ଥମନ୍ତ୍ରୀ ପଥିନାସ୍ ଓ ତଥାକଥିତ ସ୍ଵାମୀଙ୍କର ଶିକ୍ଷକ ଥିୟେପେଟାସଙ୍କର କ୍ଷମତା ଲୋଭପାଇଁ କୂଟ ଚକ୍ରାନ୍ତ ରାଣୀ କ୍ଳିଓପେଟାଙ୍କୁ ବିବ୍ରତ କରିଥିଲା ।

 

ଟଲେମିଙ୍କୁ ଆଳକରି ରାଣୀଙ୍କ ବିରୁଦ୍ଧରେ ଚକ୍ରାନ୍ତ ଆରମ୍ଭ କଲେ ।

 

ତିନୋଟି ବର୍ଷ ବିତିଗଲା । କ୍ଳିଓପେଟ୍ରା ଦେଖିଲେ ମିଶର ସିଂହାସନ ତାଙ୍କପାଇଁ ନିରାପଦ ନୁହେଁ । ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ହତ୍ୟା କରାଯାଇପାରେ । ତେଣୁ କାଳବିଳମ୍ବ ନକରି ସୈନ୍ୟମାନଙ୍କୁ ନିଜଆଡ଼କୁ ନେଇଆସି ସିରିୟା ପଳାଇଗଲେ ।

 

ଏହି ଅବସରରେ ମିଶରର ରାଜନୈତିକ ଦିଗ୍‍ବଳୟରେ ଦେଖାଦେଲେ ଜୁଲିଆସ୍ ସିଜର ।

 

ଦିଗ୍‍ବିଜୟୀ ସିଜର ଦେଶ ପରେ ଦେଶ ଜୟ କରି ରୋମ୍‍ରୁ ବିଜୟ ଯାତ୍ରା ଆରମ୍ଭ କରିଥିଲେ ।

 

ବିଜୟ ଉଚ୍ଛ୍ୱାସରେ ନଦନଦୀ ରକ୍ତାକ୍ତ କରି ମିଶରରେ ପହଞ୍ଚିଲେ ସିଜର ।

 

ମିଶରରେ ପହଞ୍ଚିବା ପରେ ଶାସକମାନଙ୍କ ପାଖକୁ ବାର୍ତ୍ତା ପଠାଇଲେ, “ରୋମ୍‍ର ପ୍ରତିନିଧି ହିସାବରେ, ମୁଁ ଏଠିକି ଆସିଛି । ମିଶରର ରାଜନୈତିକ ବାତାବରଣ ଅସ୍ଥିର ହୋଇ ଉଠିଛି-। ରାଜା ଓ ରାଣୀଙ୍କର କ୍ଷମତା ଶୀତଳ ଯୁଦ୍ଧରେ ମିଶର ଅଣନିଃଶ୍ଵାସୀ ହୋଇ ଉଠିଛି । ମିଶରର ସ୍ଵାର୍ଥ ଦୃଷ୍ଟିରୁ ମୁଁ ଏହାର ଆଶୁ ସମାଧାନ ଚାହେଁ ।

 

ଟଲେମି ଓ କ୍ଳିଓପେଟ୍ରାଙ୍କୁ ନିମନ୍ତ୍ରଣ କଲେ ।

 

ନିମନ୍ତ୍ରଣ ରକ୍ଷା କରି ଟଲେମି ସଦଳବଳେ ଆଲେକଜାଣ୍ଡ୍ରିୟାରେ ଆସି ପହଞ୍ଚିଲେ । କ୍ଳିଓପେଟ୍ରା ଅସୁବିଧାରେ ପଡ଼ିଲେ । ଟମେଲି ଦଳ ପଥରେ ସଜବାଜ ହୋଇ କ୍ଳିଓପେଟ୍ରା ଆସିବାକୁ ଅପେକ୍ଷା କରି ରହିଛି । ତାଙ୍କୁ ପାଇବାମାତ୍ରେ ହତ୍ୟା କରିବାପାଇଁ ଦୃଢ଼ସଂକଳ୍ପ କରିଯାଇଛି ।

 

କ’ଣ କରିବେ କ୍ଳିଓପେଟ୍ରା !!! ସିଜରଙ୍କ ପାଖରେ ନ ପହଞ୍ଚିଲେ ନିଜର ଦାବି ପ୍ରତିଷ୍ଠିତ ହୋଇ ପାରିବ ନାହିଁ !!!

 

ନିଜ ଅନୁଚର ଆପ୍‍ଲୋ ଡୋରାସ୍‍ଙ୍କ ସହିତ ବହୁ ସମୟ ପରାମର୍ଶ କରି ସ୍ଥିର କଲେ । ଜୀବନ ବିପନ୍ନ ହେଉ ପଛେ, ସିଜରଙ୍କୁ ଦେଖା କରିବାକୁ ହେବ ।

 

ଗଭୀର ରାତି, ନିବିଡ଼ ଅନ୍ଧକାର, ଚନ୍ଦ୍ର ନଥିଲେ ଆକାଶରେ । ନକ୍ଷତ୍ରମାନେ ନିଷ୍ପ୍ରଭ । ନିସ୍ତବ୍ଧ ପ୍ରକୃତି । ସମୁଦ୍ରର ଊର୍ମିମାଳା ଥକି ପଡ଼ିଥିଲେ ସତେ ।

 

ଜଳପଥରେ ଆଶା ନିରାଶାର ଢେଉ ମନରେ ଚାପି କ୍ଳିଓପେଟ୍ରା ବିଶ୍ୱସ୍ତ ଆପ୍‍ଲୋ ଡୋରାସ୍‍ଙ୍କ ସଙ୍ଗରେ ଗୋଟିଏ ଛୋଟ ନୌକାରୁ ଅବତରଣ କଲେ ।

 

ଜନପଥ, ରାଜପଥ, ସବୁଆଡ଼େ ଶୂନଶାନ୍ ।

 

ନିର୍ବିଘ୍ନରେ ରାଜପ୍ରାସାଦର ଦ୍ଵାର ଦେଶରେ ପହଞ୍ଚିଲେ ଆପ୍‍ଲୋ ଡୋରାସ୍ ।

 

ରୋମୀୟ ପ୍ରହରୀ ସତର୍କ କରି ଅଟକିଯିବାକୁ ଆଦେଶ ଦେଲେ ।

 

“ତମେ କିଏ ? ଏତେ ରାତିରେ ଆସିବାର ଉଦ୍ଦେଶ୍ୟ ?”

 

“ମାନ୍ୟବର ସିଜରଙ୍କର ଦର୍ଶନ ପ୍ରାର୍ଥୀ, ତାଙ୍କପାଇଁ ସାମାନ୍ୟ ଉପହାର ନେଇ ଆସିଛି ପ୍ରହରୀ ।”

 

“ମାନ୍ୟବର ସିଜରଙ୍କ ପାଇଁ ଉପହାର ନେଇ ଆସିଛି !

 

‘‘ଦବିଗଲା ପ୍ରହରୀ । ବାଧା ଦେବାର ସାହସ ଅବଶ ହୋଇଗଲା ।’’ ତାହାହେଲେ ବର୍ତ୍ତମାନ ଦେଖା କରିବା ନିତାନ୍ତ ପ୍ରୟୋଜନ ?

 

“ପ୍ରୟୋଜନ ନିଶ୍ଚୟ.... ।

 

ଧୀରେ ଧୀରେ ପ୍ରହରୀ ଆପ୍‍ଲୋ ଡୋରାସ୍‍କୁ ତାଙ୍କ କକ୍ଷକୁ ବାଟ କଢ଼ାଇ ନେଲେ ।

 

ମହାନାୟକ ରୋମୀୟ ସେନାପତି ସିଜର......

 

ମିଶରୀୟ ସେନାନାୟକ ଆପ୍‍ଲୋ ଡୋରାସ ଚମକି ଉଠିଲେ ।

 

ପ୍ରୌଢ଼ ସିଜର...ଦୀର୍ଘକାୟ । ବିରଳ କେଶ । ଦିପ୍ତୀମୟ କଟାକ୍ଷ । ଜ୍ଵଳନ୍ତ ଅଗ୍ନିସ୍ଫୁଲିଙ୍ଗ ବିଚ୍ଛୁରିତ ହୋଇ ପଡ଼ୁଥିଲେ ସତେ !

 

ଆପ୍‍ଲୋ ଡୋରାସ୍ ଥରି ଉଠିଲେ । ପରେ କାନ୍ଧରେ ଧରିଥିବା କାପେର୍ଟ୍ ଓହ୍ଲାଇ ତଳେ ରଖିଦେଲେ ।

 

କାର୍ପେଟ୍ ଆପେଆପେ ଖୋଲିଗଲା ।

 

କ୍ଳିଓପେଟ୍ରା ଉଠି ଛିଡ଼ା ହେଲେ ।

 

ରୋମ ସାମ୍ରାଜ୍ୟର ଅଧୀଶ୍ଵର ଅଧୀର ହୋଇ ଉଠିଲେ । ନିଟୋଳ ଯୌବନର ଏକ ତୁଳନାହୀନ ଅପୂର୍ବ ରୂପସୀ, ତାଙ୍କ ଆଗରେ ଉଭା ହୋଇଛନ୍ତି । ଏତେ ସୌନ୍ଦର୍ଯ୍ୟ କିପରି ଠୁଳ ହେଲା ତାଙ୍କ ଅଙ୍ଗରେ ।...ଅବୟବରେ...ଚାହାଣିରେ...କଥାରେ...

 

ସିଜର ଯେପରି ଭାବରେ ଅଧୀର ହେଲେ ସେହିପରି ଭାବରେ ରୂପ ପାଗଳ ହୋଇ ଉଠିଲେ ।

 

ଇଙ୍ଗିତ ଦେଲେ ଡୋରାସ୍‍ଙ୍କୁ । ସେ ସେଠୁ ଚାଲିଗଲେ ।

 

“ତମେ ! ତମେ–’’ ପ୍ରଶ୍ନକଲେ ସିଜର ।

 

“କ୍ଳିଓପେଟ୍ରା ?” ଉତ୍ତର ଦେଲେ ରୂପସୀ ।

 

ମହାବୀର ସିଜରଙ୍କ ରକ୍ତରେ ଉଦ୍ଦାମ ଝଡ଼ ସୃଷ୍ଟି ହୋଇଛି । ମନରେ ରୂପ ସମ୍ଭୋଗର ମହାବିପ୍ଳବ......ବାରବାର ନିରେଖି ଦେଖିଲେ.....ସେ ଦେଖିବାରେ ଶେଷ ନାହିଁ, ଅନ୍ତ ନାହିଁ ।

 

ଥମି ଥମି ସିଜର ଚହଲା କଣ୍ଠରେ କହିଲେ “ଏପରି ଭାବରେ ଆସିବାକୁ ଭୟ ହେଲାନାହିଁ ରୂପସୀ ?”

 

“ଆଉ ଅନ୍ୟ ଉପାୟ ନଥିଲା ମହାବୀର ।”

 

“ସତେ ତମେ ମୋତେ ବିସ୍ମିତ କରାଇଛ ପ୍ରେୟସୀ ।”

 

କ୍ଳିଓପେଟ୍ରା ପ୍ରାଣଭରି ଉପଭୋଗ କଲେ ମହାବୀରଙ୍କର ଦୁର୍ବଳତାର ଇଙ୍ଗିତ ।

 

ମୁଗ୍ଧ ପତଙ୍ଗକୁ ନିଜ ଆଡ଼କୁ ଟାଣିନେବାର ଦୁର୍ବାର ଶକ୍ତି କ୍ଳିଓପେଟ୍ରାଙ୍କୁ ବେଶ୍ ଜଣାଥିଲା-। ଈଷତ୍ ହସିଲେ । ସେ ହସରେ ଲକ୍ଷ ଲକ୍ଷ ମୁକ୍ତା ଝରି ଆସିଛି ସତେ ?

 

ସିଜର ବିଶାଳ ବାହୁପଲ୍ଲବ ବିସ୍ତାର କରି ରୂପସୀକୁ ତୋଳି ନେଲେ । କ୍ଳିଓପେଟ୍ରା ସେମିତି ଭାବରେ ପ୍ରଶସ୍ତ ଛାତିରେ ଧରା ଦେବାକୁ ଯେପରି ଚାହାନ୍ତି.... ।

 

କାମନା ଜଡ଼ିତ ସିଜରଙ୍କ ପ୍ରାଣର ତୃଷା ମେଣ୍ଟାଇଛି କ୍ଳିଓପେଟ୍ରା ।”

 

କ୍ଳିଓପେଟ୍ରା ବିଜୟିନୀ । ମିଶରର ରାଜସିଂହାସନ ପାଇବା ସଙ୍ଗେ ସଙ୍ଗେ ମହାବୀର ସିଜରଙ୍କ ଅଭୟ ପାଇଛନ୍ତି । ପ୍ରେମ ପାଇଛନ୍ତି ।

 

ସିଜର ଆଦେଶ ଦେଲେ । କ୍ଳିଓପେଟ୍ରା ମିଶରର ରାଣୀ । ସମସ୍ତ ଷଡ଼ଯନ୍ତ୍ରର ମୂଳଚ୍ଛେଦ ହେଲା । ରୋମ ଅଭିଭାବକତ୍ଵରେ ମିଶରର ରାଜଶାସନ ଚାଲିବ ।

 

ମିଶରର ରାଣୀ ରୋମ ଅଧୀଶ୍ଵରଙ୍କର ଅବୈଧ ପ୍ରେମିକ ? କାହାକୁ ଅଜଣା ରହିଲା ନାହିଁ ।

 

ଉଦ୍ଦାମ ଗତିରେ ବହୁ ରଜନୀରେ ପ୍ରେମସମ୍ଭାଷଣର ହିସାବ ନାହିଁ ।

 

ମିଶରର ପ୍ରଜାମାନେ ସୁଖୀ । ହେଲେ ଟଲେମି, ପଥିକାସ୍ ତ୍ରକ୍‍ନାସ ନୀରବ ଦର୍ଶକ ହୋଇ ରହିପାରିଲେ ନାହିଁ ।

 

ଷଡ଼ଯନ୍ତ୍ରର ଜାଲ ମେଲାଇ, ସୈନ୍ୟସଜ୍ଜା କରି ଦୂରଦୂରାନ୍ତ ପ୍ରଦେଶଗୁଡ଼ିକ କରାୟତ କରିଗଲେ, ଚାରିଆଡ଼େ ବିପ୍ଳବ ବିଶୃଙ୍ଖଳା ଦେଖାଗଲା ।

 

ସିଜର ବିବ୍ରତ ହେଲେ । ବିଦ୍ରୋହୀମାନେ ଯେବେ ଜଳପଥରୁ ଅବରୋଧ କରନ୍ତି, ରୋମୀୟ ସୈନ୍ୟମାନଙ୍କର ପରାଜୟ ଘଟିବ । ବିବ୍ରତ ହୋଇପଡ଼ିଲେ ସିଜର । ଦିନସାରା ବିବ୍ରତ.....ଚିନ୍ତିତ ।

 

ଭାବନ୍ତି ଏଇ ପ୍ରେମ ସତ୍ୟ ଆଉ ସବୁ ମିଥ୍ୟା । ତୁଚ୍ଛ । କ୍ଳିଓପେଟ୍ରାର ଦେହ ସାମ୍ରାଜ୍ୟ ଯେ ପାଇଛି ତା’ର ପୃଥିବୀ ସାମ୍ରାଜ୍ୟ ମଧ୍ୟ ପ୍ରୟୋଜନହୀନ ।

 

ଅତୀତ ତାଙ୍କ ପାଖରେ ପ୍ରହେଳିକା–ଭବିଷ୍ୟତ ଏକ ଅନଶ୍ଚିତତାର ପ୍ରତାରଣା ବର୍ତ୍ତମାନ ତାଙ୍କର ସବୁକିଛି ।

 

ଏତେ ସୁଖ, ଆନନ୍ଦ–କେବେ କିଏ କ’ଣ ପାଇଛି ?

 

କହୁ କହୁ ନିବିଡ଼ ଭାବରେ କ୍ଳିଓପେଟ୍ରାକୁ ନିଃଶେଷ କରି ଦିଅନ୍ତି । ଏହି ଲୁଣ୍ଠନରେ କ୍ଳିଓପେଟ୍ରା ପୂର୍ଣ୍ଣତା ପାଏ ।

 

ବିପଦରେ କଳାମେଘ କ୍ରମେ ଘନରୁ ଘନତର ହୋଇ ମିଶରର ଆକାଶ ଘୋଟି ଆସିଲା । ସିଜରଙ୍କର ରଣ କୌଶଳରେ ବିପକ୍ଷ ପକ୍ଷ ଆତ୍ମସମର୍ପଣ କଲେ । ଶାନ୍ତି ପ୍ରତିଷ୍ଠା ପାଇଲା ।

 

ରୋମରୁ ନିର୍ଦ୍ଦେଶ ଆସିଲା ସିଜର ରୋମକୁ ଫେରି ଆସନ୍ତୁ ।

 

ରୋମରେ କ୍ଳିଓପେଟ୍ରାର ପ୍ରେମପ୍ରସଙ୍ଗ ଆଉ କାହାରିକୁ ଅଛପା ରହିଲା ନାହିଁ । ସେମାନେ ପ୍ରେମର ମୂଲ୍ୟ ବୁଝନ୍ତି । କିନ୍ତୁ ପ୍ରେମପାଇଁ ଦାସତ୍ଵକୁ ପସନ୍ଦ କରନ୍ତି ନାହିଁ ।

 

ଫେରିଯିବା କଥା ଭାବିବାମାତ୍ରେ ସିଜର ଚମକି ପଡ଼ନ୍ତି । ଏତେ ଐଶ୍ଵର୍ଯ୍ୟ, ଏମିତି ପୂର୍ଣ୍ଣତାକୁ ପଛରେ ପକାଇ ସେ ଚାଲିଯିବେ ?? କ୍ଳିଓପେଟ୍ରା ଏହି ଖବରପାଇଁ ତାଙ୍କୁ ପ୍ରାଣ ଆବେଗରେ ଆଲିଙ୍ଗନ କରନ୍ତି–ଥରିଲା ହାତ ସିଜରଙ୍କର ଖସିଆସେ ।

 

କ୍ଳିଓପେଟ୍ରା ଛଳଛଳ ଆଖିର ଅବାରିତ ଲୁହ ଧାରକୁ ପୋଛି ପୋଛି, ସିଜର କ୍ଳିଓପେଟ୍ରାଙ୍କ ହାତଧରି ବିଳାସ ତରୀରେ ସମୁଦ୍ର ପଥରେ ଦୁହେଁ ବହୁଦୂରକୁ ଚାଲିଗଲେ ।

 

ଦିଗ ଦିଗନ୍ତ ବାରିରାଶି । ପ୍ରେମିକ ସିଜର–ପ୍ରେମିକା କ୍ଳିଓପେଟ୍ରା, ଅମାପ ପ୍ରେମ । ବୁକୁଭରା ସୁହାଗ ।

 

“ମୁଁ ଅନ୍ତଃସତ୍ତ୍ଵା ସିଜର”

 

ସିଜର କ୍ଳିଓପେଟ୍ରାଙ୍କୁ ଆଲିଙ୍ଗନ କରୁ କରୁ ଦୁହିଁଙ୍କ ଆଖିରୁ ଆନନ୍ଦର ଅସୀମଅଶ୍ରୁ ଦୁହିଁଙ୍କ ବକ୍ଷ ଶିକ୍ତ କଲା ।

 

ବିଦାୟ ପୂର୍ବରୁ ପୁଣି ଥରେ ଦେଖା ହେବାର ପ୍ରତିଶ୍ରୁତି ଦେଇ ଓ ପାଇ ଦୁହେଁ ସ୍ଥଳ ଦେଶକୁ ଫେରି ଆସିଲେ ।

 

ସିଜରଙ୍କ ଶ୍ରେଷ୍ଠ ଉପହାର । କ୍ଳିଓପେଟ୍ରା ପୁତ୍ରବତୀ । ନାମକରଣ କରାଗଲା ଟଲେମିୟାସ ସିଜର ।

 

ଚାରିଆଡ଼େ ଅପବାଦ ନାଗରା ବାଜି ଉଠିଲା । ରାଣୀଙ୍କର ଅବୈଧ ସନ୍ତାନର ଉତ୍ସବ ପାଳନରେ ସମସ୍ତେ ରାଣୀଙ୍କର ନିର୍ଲଜ୍ଜତା ପାଇଁ ତିରସ୍କାର କଲେ ।

 

ମିଶରର ରାଣୀ ହୋଇ କ୍ଳିଓପେଟ୍ରା ନିଜକୁ ନିରାପଦ ମନେ କଲେ ନାହିଁ । ପୁଅକୁ ନେଇ ସିଜର ପାଖକୁ ରୋମ ଚାଲିଗଲେ ।

 

ସିଜରଙ୍କ ପ୍ରତିପତ୍ତି, ଯଶ ଚାରିଆଡ଼େ ବ୍ୟାପୀ ଯାଇଛି । ମିଶରରୁ ଫେରିଆସିବା ବାଟରେ ଅନେକ ରାଜ୍ୟ ଜୟା କରିଛନ୍ତି । ସେଥିପାଇଁ ତାଙ୍କୁ ରାଜମୁକୁଟ ପିନ୍ଧାଇ ଦେବାପାଇଁ ରୋମର ଲୋକେ ଆଗ୍ରହୀ ହୋଇ ଉଠିଥିଲେ ।

 

ରୋମର ରାଜା ନୁହେଁ, ଡିକ୍‍ଟେଟର ହିସାବରେ ସିଜର ରହିବାକୁ ଚାହୁଁଥିଲେ ।

 

ଟାଇବାର ନଦୀକୂଳରେ, ଏକ ରମଣୀୟ ପ୍ରାସାଦ । ପ୍ରେୟସୀର ପ୍ରେମ ଉପଭୋଗ କରିବାପାଇଁ ଏକାନ୍ତ ଭାବରେ ସୁନ୍ଦର ।

 

ବହୁ ସମୟ କଟାନ୍ତି ସିଜର ପ୍ରେମିକ କ୍ଳିଓପେଟ୍ରାଙ୍କର ସାନ୍ନିଧ୍ୟରେ ।

 

ଅନେକ ସ୍ଵପ୍ନ । କେତେ ଯେ ଉପଭୋଗ ।

 

“ରୋମର ସମ୍ରାଟ ହୁଅ ତମେ, ମୁଁ ହେବି ସାମ୍ରାଜ୍ଞୀ ।”

 

ସିଜର କ୍ଳିଓପେଟ୍ରାକୁ ଆଲିଙ୍ଗନ କରି, ଲାଲ ଟହଟହ ଓଠରେ ଓଠ ମିଳାଇ ନେଇ କହନ୍ତି, “ତମେତ ମୋର ପ୍ରାଣର ସାମ୍ରାଜ୍ଞୀ ଏହାଠାରୁ ରୋମର ସାମ୍ରାଜ୍ଞୀ ହେଲେ ଅଧିକ ସୁଖୀ ହୋଇପାରିବ ?”

 

ଏହି ଆନନ୍ଦ ଅସରନ୍ତି ନୁହେଁ । ସୀମିତ କ’ଣ ?

 

ରୋମ ରାଜନୈତିକ ଆକାଶରେ ଘୂର୍ଣ୍ଣିବାତ୍ୟା ଦେଖାଦେଲା । ସିଜରଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ବହୁ ଭାବରେ ଚକ୍ରାନ୍ତ ଚାଲିଲା । ସିଜରଙ୍କର ଏକାନ୍ତ ବିଶ୍ଵସ୍ତ ମାର୍କସ୍‍ବ୍ରୁଟାସ୍ ଏହି ଚକ୍ରାନ୍ତର ନେତୃତ୍ଵ ନେଇଛନ୍ତି ଶୁଣି ସିଜର ଅବାକ୍ ହୋଇଗଲେ ।

 

ମାର୍ଚ୍ଚ ୧୫ ତାରିଖ ।

 

ଇଦମ୍–ଆବ୍ ପର୍ବ । ଉତ୍ସବ–ମତ୍ତ ମନରେ ନିଜର ସ୍ତ୍ରୀ କାଲିଫର୍ଣ୍ଣିଆଠାରୁ ବିଦାୟ ନେଇ ଯାଉଥିଲେ ସିଜର । ଉତ୍ସବ ଦିନରେ ଘରୁ ନ ଯିବାପାଇଁ ସ୍ତ୍ରୀ ବାରମ୍ବାର ମନା କରୁଥିଲେ ।

 

ସିନେଟ୍ କୋଠରୀରେ ପ୍ରବେଶ କଲେ ସିଜର ।

 

କ୍ୟାସିୟାସ୍, ବ୍ରୁଟାସ୍, କାସ୍କା ଏ୍ୟାଣ୍ଟନ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

ସଭା ଶେଷ ହେଲା । କ୍ଳିଓପେଟ୍ରା ଉଦ୍ଦେଶ୍ୟରେ ଯିବାକୁ ଉଦ୍ୟତ ହେଲାବେଳେ କାସ୍ଵା ପ୍ରଥମେ ଆଘାତ ଦେଲେ...ପରେ ପରେ ଆତତାୟୀମାନେ ସିଜରଙ୍କୁ ହତ୍ୟାକଲେ । ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ସିଜର ଟଳି ପଡ଼ିଲେ । ଶେଷକଥା ତାଙ୍କ ପାଟିରେ ଅଟକି ଗଲା । “ବୁଟସ୍ ତମେ.....”

 

ଶେଷକଥା ଶେଷ କରିପାରିଲେ ନାହିଁ ।

 

କ୍ଳିଓପେଟ୍ରାର ରଙ୍ଗିନ ସ୍ଵପ୍ନ, ରୋମର ସାମ୍ରାଜ୍ଞୀ ହେବାର ସ୍ଵପ୍ନ ମଉଳିଗଲା ।

 

ପ୍ରୌଢ଼ ପ୍ରେମିକର ଅଫୁରନ୍ତ ଯୌବନ ବିଳାସ ଦେଖୁଦେଖୁ ଶେଷ ହୋଇଗଲା । ପ୍ରବଳ ଯୌନ ବିଳାସରେ ଅଧୀର ହୋଇ ସିଜର ଆଉ ଆସିଲେ ନାହିଁ ।

 

ରୋମର କେନ୍ଦ୍ରସ୍ଥଳରେ “ଭେନାସ” ମନ୍ଦିର ତିଆରି କରି କ୍ଳିଓପେଟ୍ରାର ସ୍ଵର୍ଣ୍ଣମୂର୍ତ୍ତି ପ୍ରତିଷ୍ଠା କରିଥିବା ପ୍ରୌଢ଼ ପ୍ରେମିକଙ୍କର ପ୍ରେମ ଏମିତି ଭାବରେ ଶେଷ ହେଲା ।

 

ହାୟ, ହାୟ, କ୍ଳିଓପେଟ୍ରା କିଛିଦିନ ପାଇଁ ହତାଶ ହୋଇପଡ଼ିଲେ ।

 

ସାମାଜିକ ମର୍ଯ୍ୟାଦା ଦେଇ ତାଙ୍କୁ ସିଜର ବିବାହ କରି ନଥିଲେ ସତ, ହେଲେ ପ୍ରେମିକକୁ ସମ୍ଭବ ଅସମ୍ଭବ ଐଶ୍ଵର୍ଯ୍ୟ ଦେଇ ରୋମୀୟ ସମାଜରେ କ୍ଷମତା ବଳରେ ସମ୍ମାନିତ କରିବାପାଇଁ ସିଜର ସମସ୍ତ ଚେଷ୍ଟା କରି ଆସିଥିଲେ, ହେଲେ ସିଜରଙ୍କ ମୃତ୍ୟୁପରେ ପ୍ରାଣ ନେଇ ତାଙ୍କୁ ପଳାଇ ଯିବାକୁ ହେବ ।

 

ପଳାଇ ଯାଇ ସେ ମିଶରରେ ପହଞ୍ଚିଲେ । ପିଲାକୁ ମଣିଷ କରିବା ଓ ମିଶର ଲୋକଙ୍କ କଲ୍ୟାଣପାଇଁ ନିଜର ସମୟ ଦେଲେ । ସିଜରଙ୍କ ସ୍ମୃତି ସମ୍ମାନିତ କରି ଜୀବନ କଟାଇ ଦେବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ ।

 

ହେଲେ ନିୟତିର ନିର୍ଦ୍ଦେଶ ଥିଲା ଭିନ୍ନ । ୩ୟ ଥରପାଇଁ ପ୍ରେମ ପଲଙ୍କରେ ଶଯ୍ୟା–ସଙ୍ଗିନୀ ହୋଇ ଉଠିଲେ କ୍ଳିଓପେଟ୍ରା । ସିଜରଙ୍କ ଛାତିରେ ପ୍ରେମ ବିହ୍ଵଳା ହୋଇ ଅଧୀର ହେଲା ପରି, ଅଜେୟ ରୋମାନ୍ ସେନାପତି ମାର୍କଆଣ୍ଟୋନିଙ୍କ ଛାତିରେ ଲୋଟିଯାଇ ପ୍ରେମସୁରା ପାନ କରିବାପାଇଁ ଅଧୀର ହୋଇ ଉଠିଲେ ।

 

ସିଜରଙ୍କ ହତ୍ୟା ପର୍ବରେ ସେନାପତି ମାର୍କଆଣ୍ଟୋନି ନୀରବ ଦର୍ଶକ ଥିଲେ । ସିଜର ହତ୍ୟାର ପ୍ରତିଶୋଧ ନେବାପାଇଁ ରୋମର ଜନତାକୁ ଆହ୍ଵାନ ଦେଲେ । ବ୍ରୁଟ୍‍ସ ସମୁଚିତ ଶାସ୍ତି ପାଇଲେ ।

 

ସେନାପତି ଆଣ୍ଟୋନୀ ବିତ୍ତଶାଳୀ ନହେଲେ ମଧ୍ୟ ସମ୍ଭ୍ରାନ୍ତ ବଂଶୀୟ, ସୁନ୍ଦର, ସୁଦର୍ଶନ ଯୁବକ ତୀକ୍ଷ୍ଣ ନାସିକା । ମନୋରମ ମୁଖ ଲାବଣ୍ୟ । ସୁନ୍ଦରୀ ମନ ଜୟ କରିବାର ଅପରୂପ ଯୁବକ-। ସୈନ୍ୟବାହିନୀରେ ଯୋଗ ଦେବା ସଙ୍ଗେ ସଙ୍ଗେ ନିଜର କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟଦକ୍ଷତା ଫଳରେ ସର୍ବୋଚ୍ଚ ସେନାପତିମାନଙ୍କ ମଧ୍ୟରୁ ସେ ଜଣେ ହୋଇଉଠିଥିଲେ । ସିଜରଙ୍କ ପ୍ରିୟପାତ୍ର ହେଲେ ମଧ୍ୟ ।

 

ସିଜରଙ୍କ ମୃତ୍ୟୁପରେ କ୍ଷମତାଲୋଭରେ ବିଦ୍ରୋହର ନିଆଁ ଜଳି ଉଠିଲା । ଆଣ୍ଟୋନୀ ବିପକ୍ଷ ପକ୍ଷର ନେତୃତ୍ଵ ନେଲେ । ବ୍ରୁଟ୍‍ସ ଓ କ୍ୟାସିୟସର ପତ୍ତନ ପରେ ରୋମ ସାମ୍ରାଜ୍ୟର ପ୍ରଧାନ ସେନାପତି ହୋଇଉଠିଲେ ଆଣ୍ଟୋନୀ । ଦେଶରେ ସୁଶାସନ ପ୍ରତିଷ୍ଠା କରି, ପ୍ରାଚ୍ୟ ଦେଶଗୁଡ଼ିକୁ କରାୟତ କରିବାପାଇଁ ଯାତ୍ରା କଲେ ।

 

ଅନେକ କ୍ଷେତ୍ରରେ ଯୁଦ୍ଧର ଆବଶ୍ୟକତା ହେଲା ନାହିଁ । ଦେଶ ପରେ ଦେଶ ଆତ୍ମସମର୍ପଣ କଲେ ।

 

ମିଶର କଥା ମନେ ପଡ଼ିଲା । କ୍ଳିଓପେଟ୍ରା...ବିସ୍ମୟକର ସୌନ୍ଦର୍ଯ୍ୟର ନାୟିକା ସେ.....

 

ରୋମ ସହିତ ମିଶରର ପୂର୍ବ ସମ୍ପର୍କ ଫେରାଇ ଆଣିବାପାଇଁ ଆଉ କ୍ଳିଓପେଟ୍ରାକୁ ନିଜ ଆଖିରେ ଥରେ ଦେଖିବାପାଇଁ ମନରେ ଅଭିଳାଷ ଜାଗିଉଠିଲା ।

 

କ୍ଳିଓପେଟ୍ରାକୁ ଖବର ଦିଆଗଲା । ଖବର ନେଇଗଲେ ଆଣ୍ଟୋନୀର ବନ୍ଧୁ କୁଇଣ୍ଟାସ୍ ଡେଲିୟାସ୍ ।

 

କ୍ଳିଓପେଟ୍ରାଙ୍କ ବିରୁଦ୍ଧରେ ଅଭିଯୋଗ । ରୋମର ରାଷ୍ଟ୍ରବିପ୍ଳବ ସମୟରେ ସେ କ୍ୟାସିୟାସଙ୍କୁ ସୈନ୍ୟ ଯୋଗାଇ ଥିଲେ । ଅବଶ୍ୟ ଅଭିଯୋଗ ସତ୍ୟ ନୁହେଁ । ହେଲେ ସନ୍ତୋଷଜନକ କୈଫିୟତକୁ ନିଜେ ଯାଇ ଦେଇ ଆସିବାକୁ ପଡ଼ିବ ।

 

ମିଳନ ମୁଖ । ଅଧୀର ଚିତ୍ତ କ୍ଳିଓପେଟ୍ରାଙ୍କର ।

 

ଆଣ୍ଟୋନୀ ଭଲ ମଣିଷ । ଦେଖା କଲାବେଳେ ଏମିତି ଭାବରେ ଯିବେ ନାହିଁ । ରାଜକୀୟତା ବଜାୟ ରଖି, ଉତ୍ତମ ପୋଷାକ ରୁଚି ସମ୍ପନ୍ନ ପରିପାଟୀ ନେଇ, ଦେଖା କରିବାକୁ ଯିବେ ।

 

ଦୂତ ବିଦାୟ ନେବା ପରେ, ତାଙ୍କ କଥାର ଅର୍ଥ କରି ବସିଲେ କ୍ଳିଓପେଟ୍ରା ।

 

ଆଣ୍ଟୋନୀଙ୍କ ବଳବୀର୍ଯ୍ୟ, ଏକାଗ୍ରତା ଓ ସୁପୁରୁଷୋତ୍ଵରେ ସେ ବିହ୍ଵଳା । ତେବେ...ରାଜଦୂତ କ’ଣ ଇଙ୍ଗିତ ଦେଇଗଲା ?

 

କ୍ଳିଓପେଟ୍ରା ଭାବିଲେ ଦେଶର ମଙ୍ଗଳପାଇଁ, ନିଜର ସମ୍ମାନ ଓ ନିରାପଦତା ପାଇଁ ସିଜରଙ୍କ ସ୍ମୃତି ପାଳନ ଯଥେଷ୍ଟ ହେବ ହାହିଁ ।

 

ଅଠେଇଶବର୍ଷ ବୟସୀ ରୂପସୀ କ୍ଳିଓପେଟ୍ରା ପୁଣି ପ୍ରେମାଗ୍ନୀରେ ନିଜକୁ ଝାସ ଦେବାପାଇଁ ପ୍ରସ୍ତୁତି ହୋଇଗଲେ ।

 

ସିଲିସିଆର ଏକ ଜନପଦ ଟାରମାସ । ଅପରାଧୀମାନଙ୍କର ବିଚାରପାଇଁ ଆଣ୍ଟୋନୀ ଏକ ଦରବାର ବସାଇଥିଲେ । ସନ୍ଧ୍ୟା । ବିଚାରକ ସେନାପତି କ୍ଳାନ୍ତ ହୋଇ ପଡ଼ିଥିଲେ । ଖବର ପହଞ୍ଚିଲା ସିଡ଼୍‍ନାସ୍ ନଦୀକୂଳରେ ଓହ୍ଲାଇଛନ୍ତି । ରାଣୀ କ୍ଳିଓପେଟ୍ରା ।

 

ଅଧୀର ହୋଇ ପଡ଼ିଲେ ସେନାପତି । ଲୋଭସମ୍ବରଣ କରି ନ ପାରି ନଦୀକୂଳରେ ଯାଇ ପହଞ୍ଚିଗଲେ ସେ ।

ରୂପଲାବଣ୍ୟ ଦାଉଦାଉ ହୋଇ ଜଳି ଉଠୁଛି । କି ଆଶ୍ଚର୍ଯ୍ୟ–ଏତେ ସୁନ୍ଦର ସମ୍ଭବ ହେଲା କିମିତି ? ଜୀବନରେ ଅସଂଖ୍ୟ ଯୁବତୀର ପ୍ରେମ ପାଇଛନ୍ତି ଆଣ୍ଟୋନୀ । କିନ୍ତୁ ଏ କି ରୂପ–କି ମଧୁର ହୋଇ ନଥିବ ଏହାର ଉପଭୋଗ । ସତେ ! ସିଜର ବାସ୍ତବରେ ଭାଗ୍ୟବାନ...ଚିନ୍ତାର ଶେଷ ନାହିଁ ।

 

କ୍ଳିଓପେଟ୍ରା ମଧ୍ୟ ସେନାପତିଙ୍କ ରୂପରେ ଅଧୀରା.......ସିଜର ଚିତ୍ତ ଜୟ କରିପାରିଥିଲେ ପ୍ରଥମ ଦେଖାରେ–କିନ୍ତୁ ଆଣ୍ଟୋନୀ ତାଙ୍କ ମନର ପୁରୁଷ...କଳ୍ପନାରେ କୌଣସି ପୁରୁଷ ଏପରି ସୁନ୍ଦର ହୋଇ ପାରେନା ... ସତେ, ସେ ଭାଗ୍ୟବତୀ ଯେବେ ସେ...

 

ଆଣ୍ଟୋନୀ ସ୍ଵାଗତ ସମ୍ଭାଷଣ ଜଣାଇଲେ । ନୈଶ ଭୋଜିରେ ଦେଖାହେଲା–।

 

ନିର୍ଜନରେ ଆଣ୍ଟୋନୀ ନତଜାନୁ ହୋଇ ପ୍ରଣୟ ମାଗି ବସିଲେ । କ୍ଳିଓପେଟ୍ରା ଅଧୀର ହୋଇ ନିଜର ବାହୁ ପଲ୍ଲବ ପ୍ରସାର କରି ଅଙ୍ଗ ଜଡ଼ାଇଦେଲେ ନିଜର ମନର ପୁରୁଷ ସାଙ୍ଗରେ ।

 

ଆହା, କି ତୃପ୍ତି ! କ୍ଳିଓପେଟ୍ରା ସେ ତୃପ୍ତି ପାଇ ନଥିଲେ ସିଜରଙ୍କଠାରୁ, ଆଣ୍ଟୋନୀ ପ୍ରଥମ କରି ମନର, ଦେହର ତୃପ୍ତି ପାଇଛନ୍ତି ସତେ ।

 

ଜୀବନସାରା ଏମିତି ରତିଲଗ୍ନା ହୋଇ ରୁହନ୍ତେ ଦୁହେଁ–

 

କ୍ଳିଓପେଟ୍ରା ଜୀବନରେ ଅଫୁରନ୍ତ ଶାନ୍ତି । ପ୍ରୌଢ଼ ସିଜର ନୁହନ୍ତି–କାମରାଜ–କାମରୂପ–ମାର୍କ ଆଣ୍ଟୋନୀ–ତାଙ୍କ ମନର ପୁରୁଷ ।

 

ଆଣ୍ଟୋନୀ ଭୁଲିଗଲେ ନିଜର ସ୍ତ୍ରୀକୁ, ପିଲାପିଲିଙ୍କୁ, ପଦମର୍ଯ୍ୟାଦା, ସବୁ କିଛି ।

 

ଏ ତ ପୃଥିବୀର ନୂତନ ସୃଷ୍ଟି ଆଣ୍ଟୋନୀଙ୍କ ପାଇଁ, ଜୀବନ ତ ଏଇ ଆରମ୍ଭ ହେଲା । ସବୁ ଯାଉ...କି ଲାଭ ? ଏମିତି ଅମୃତ ପାନ କରିବାକୁ କେହି କେବେ ଦେଇନାହାନ୍ତି ।

 

ବରଷକ ପରେ ରୋମରୁ ଖବର ଆସିଲା ଗୃହ ବିପ୍ଳବ । ଆଣ୍ଟୋନୀଙ୍କର ମୋହ ଭାଙ୍ଗିଗଲା । ତାଙ୍କ ସ୍ତ୍ରୀକୁ ରୋମରୁ ବହିଷ୍କାର କରାଯାଇଛି । ରାଗରେ ସେ ଜଳିବାକୁ ଲାଗିଲେ ।

 

ସ୍ତ୍ରୀ ଲେଖିଛନ୍ତି X X ଆଣ୍ଟୋନୀଙ୍କ ପରି ସ୍ଵାମୀ ଥାଉଁଥାଉଁ ମୋତେ ଏପରି ଲାଞ୍ଛନା ଭୋଗିବାକୁ ପଡ଼ିଲା X X X

 

ଆଣ୍ଟୋନୀ ଯଥାଶୀଘ୍ର ବାହାରି ପଡ଼ିଲେ । କ୍ଳିଓପେଟ୍ରାଙ୍କୁ ଫେରି ଆସିବାର ପ୍ରତିଶ୍ରୁତି ଦେଇ ରୋମ ଅଭିମୁଖରେ ଯାତ୍ରା କଲେ ।

 

ସାମାନ୍ୟ ଅସୁସ୍ଥତାରେ ଫିଲ୍‍ଜିୟା ଆଣ୍ଟୋନୀ ପିଲାପିଲିଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ, କିଛିକାଳ ପାଇଁ ଆଣ୍ଟୋନୀ ଦୁଃଖରେ ସମୟ କଟାଇଲେ ।

 

ପରେ ବିପ୍ଳବୀ ଅକ୍ଟୋଭିୟାନଙ୍କ ସାଙ୍ଗରେ ଶାନ୍ତି ପ୍ରତିଷ୍ଠା କରାଗଲା । ଅକ୍ଟୋଭିୟାନ ତାଙ୍କ ପରମା ସୁନ୍ଦରୀ ଭଉଣୀକୁ ଆଣ୍ଟୋନୀଙ୍କୁ ବିବାହ ଦେଲେ ।

 

ଅକ୍ଟୋଭିୟାଙ୍କୁ ବିବାହ କରି ଆଣ୍ଟୋନୀଙ୍କର ଦିନଗୁଡ଼ିକ ସୁଖରେ କଟିବାକୁ ଲାଗିଲା । କ୍ଳିଓପେଟ୍ରାଙ୍କୁ ସେ ଭୁଲିଗଲେ । ଅକ୍‍ଟୋଭିୟାଙ୍କର ଦୁଇଟି ଝିଅ ହେଲା । ସୁଖରେ ସ୍ତ୍ରୀଙ୍କ ସହିତ କାଳାତିପାତ କରୁଥିଲେ ଆଣ୍ଟୋନୀ ।

 

ପମ୍ପେୟାସଙ୍କ ନେତୃତ୍ଵରେ ବିଦ୍ରୋହାଗ୍ନୀ ଜଳି ଉଠିଲା । ପାଥିୟାସ ମଧ୍ୟ ରୋମ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଲା ।

 

ଅକ୍‍ଟୋଭିୟାନ ପମ୍ପେୟାସକୁ ଦମନ କରିବାପାଇଁ ଚାଲିଲେ ଏବଂ ଆଣ୍ଟୋନୀକୁ ପାଥିୟାସ ଜବତ କରିବାପାଇଁ ସରିଆ ଅଗ୍ରସର ହେଲେ ।

 

ସ୍ତ୍ରୀ ଓ ଛୁଆମାନଙ୍କ ନିକଟରୁ ବିଦାୟ ନେଇ ଆଣ୍ଟୋନୀ ସିରିଆ ଯାତ୍ରା କଲେ । ଏସିଆ ମାଟିରେ ଗୋଡ଼ ଦେବା ସଙ୍ଗେ ସଙ୍ଗେ ଅତୀତର ଲାସ୍ୟମୟୀ ଦିନଗୁଡ଼ିକ ତାଙ୍କ ମନରେ ଉଙ୍କି ମାରିଲା ।

 

କ୍ଳିଓପେଟ୍ରାକୁ ପ୍ରତିଶ୍ରୁତି ଦେଇ ଆସିଥିଲେ । ସେ କ’ଣ କ୍ଷମା କରିବ ???

 

ମିଶରର ରାଣୀପାଇଁ ପାଗଳ ହୋଇ ଉଠିଲେ ଆଣ୍ଟୋନୀ । କ୍ଳିଓପେଟ୍ରାର ପ୍ରେମ ଓ ତାଙ୍କର ବିରାଟ ସୈନ୍ୟବାହିନୀ ପାଇଁ ପ୍ରଚୁର ଖାଦ୍ୟ ସମ୍ଭାର ଆବଶ୍ୟକ । ମିଶର ବ୍ୟତୀତ କେହି ଏ ସାହାଯ୍ୟ ଦେଇ ପାରିବ ନାହିଁ । ତେଣୁ କ୍ଳିଓପେଟ୍ରା ନିତାନ୍ତ ପ୍ରୟୋଜନ.... ।

 

କ୍ଳିଓପେଟ୍ରା ଅଭିମାନରେ ଫୁଲି ଫୁଲି ଉଠିଲେ । ଭ୍ରମର ଏ ପୁରୁଷ ଜାତି । କହିଯାଇଥିଲେ ଶୀଘ୍ର ଫେରିଆସିବେ । ପୁଣି ବିବାହ କରିଛନ୍ତି । ଦୁଇଟି ସନ୍ତାନର ଜନକ ହୋଇ ଫେରିଛନ୍ତି ତାଙ୍କ ପାଖକୁ ।

 

ଅଭିମାନ ଢେଉ ପହଁରି ପହଁରି କ୍ଳିଓପେଟ୍ରା ବିଗତ ପ୍ରେମ ରାଜ୍ୟରୁ ଫେରି ପୁଣି ଯେମିତି ଜଣେ ନୂଆ ପ୍ରେମିକଙ୍କ ପାଖରେ ଆସି ପହଞ୍ଚିଛନ୍ତି ।

 

ଆଣ୍ଟୋନୀଙ୍କ ଜୀବନରେ ପୁଣି ଯେପରି ଫଗୁଳ ବସନ୍ତ ଅପୂର୍ବ ଉନ୍ମାଦନତାର ତଡ଼ିତ ଜଗାଇଛି ।

 

ଅପୂର୍ବ ସେ ଶିହରଣ–

 

ବାହୁ ଯୁଗଳ ବଢ଼ାଇ ଅଭିମାନିନୀ କ୍ଳିଓପେଟ୍ରାକୁ ନିଜ ଅଙ୍ଗରେ ଜଡ଼ାଇ ନେଲେ ।

 

ରାଗ, ଅଭିମାନ, ଅନୁପସ୍ଥିତତା ସବୁ ଭୁଲି କ୍ଳିଓପେଟ୍ରା ଏକାନ୍ତ ଭାବରେ ଜଡ଼ି ରହିଲେ ପ୍ରେମିକ ସେନାପତିଙ୍କ ବିଶାଳ ବକ୍ଷରେ ।

 

ସବୁ କିଛି ଭୁଲିଗଲେ ମିଶରର ରାଣୀ ।

 

ଏଇତ ଜୀବନ...ଏଇତ ଐଶ୍ଵର୍ଯ୍ୟ...କାମନା ତୃପ୍ତ ଦୁଇଟି ଜୀବନ ଏକରୁ ଦୁଇ ହୋଇ ପରସ୍ପରଠାରୁ ଯେତେବେଳେ ଆଖି ଫେରାଇ ନିଅନ୍ତି, ସେଥିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯେମିତି ଏକକ ଐତିହାସିକ ଘଟଣା ହୋଇ ଠିଆ ହୁଏ ।

 

ରୋମ ଓ ମିଶରର ଦୂରତ୍ଵ ସେଠି କାହିଁ ?

 

ପରାଜୟ କରିବାକୁ ଆସି ପରାଜିତ ହୋଇ ଦୁଇଟି ଜୀବନ ସ୍ନିଗ୍‍ଧତାର ନୂପୁର ଧ୍ଵନିରେ ଗୁଞ୍ଜରିତ ହୋଇ ଉଠିଛି ।

 

ରୋମରେ ଆଣ୍ଟୋନୀଙ୍କର ପ୍ରେମ ସମ୍ବାଦ ପହଞ୍ଚିବାରେ ଡେରି ହେଲା ନାହିଁ । ପ୍ରେମରେ ବୁଡ଼ି ରହି ତାଙ୍କରିପାଇଁ ରୋମ ସାମ୍ରାଜ୍ୟରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ସାମ୍ରାଜ୍ୟରୁ ସ୍ଵତନ୍ତ୍ର ହୋଇ ଯାଇଛି ।

 

ଅକ୍‍ଟୋଭିୟାନ ଅସ୍ଥିର ହୋଇ ଉଠିଲେ ।

 

ମିଶରର ରାଣୀ କ୍ଳିଓପେଟ୍ରା ପୁନଶ୍ଚ ପୁତ୍ରସନ୍ତାନର ଜନନୀ ହୋଇଛନ୍ତି ।

 

ଚାରିଆଡ଼େ ଅପବାଦ ।

 

ମିଶର ଓ ରୋମ ଆଣ୍ଟୋନୀ ଓ କ୍ଳିଓପେଟ୍ରାଙ୍କର ଅବାଧ ପ୍ରେମ ଜ୍ଵାଳାରେ ଯେପରି ଜଳି ଉଠିଛି ।

 

ଅକ୍‍ଟୋଭିୟାଙ୍କୁ ପାଣ୍ଡୁର ମଳିନ ମୁଖ, ସ୍ଵାମୀ ବିରହ ପାଗଳ ଉନ୍ମାଦିନୀ ଭଉଣୀକୁ ଦେଖି ଅକ୍‍ଟୋଭିୟାନଙ୍କ ମନ ଆହୁରି ବିଦ୍ରୋହ କରିଉଠିଲା ।

 

“ମୋତେ ତାଙ୍କ ପାଖକୁ ପଠାଇ ଦେବାକୁ ବ୍ୟବସ୍ଥା କରିପାରିବ ? ଥରିଲା ଥରିଲା କଣ୍ଠରେ ଅକ୍‍ଟୋଭିୟା ପଚାରିଲେ ।’’

 

“ତୁ ଯେତେ ଶୀଘ୍ର ଯାଇ, ତାକୁ ନିଜେ ବାଟରେ ଫେରାଇ ଆଣ । ଦେଶ ପକ୍ଷରେ, ତୋ ପକ୍ଷରେ, ମୋ ପକ୍ଷରେ ଅଶେଷ ମଙ୍ଗଳ ହେବ । ମୁଁ ବନ୍ଦୋବସ୍ତ କରୁଛି ତୁ ଶୀଘ୍ର ବାହାରିପଡ଼ ।”

 

ଉନ୍ମାଦିନୀ ଅକ୍‍ଟୋଭିୟା ସମସ୍ତ ସ୍ଵାମୀ ସୋହାଗ, ଆଶା ସବୁକିଛି ବ୍ୟର୍ଥ ହେଲା । କ୍ଳିଓପେଟ୍ରା ପ୍ରେମପାଗଳ ଆଣ୍ଟୋନୀ ନିର୍ମମ ଭାବରେ ସ୍ତ୍ରୀକୁ ଅପମାନିତ କରି ରୋମ ଫେରାଇଦେଲେ ।

 

ଦେଖାବି ମିଳିଲା ନାହିଁ ।

 

କିନ୍ତୁ କ୍ଳିଓପେଟ୍ରା ଏଇ ଘଟଣାରେ ବିଜୟ ଉଲ୍ଲାସରେ ଦିଗହରା ହୋଇ ଉଠି ପ୍ରେମିକକୁ ସମସ୍ତ ଶକ୍ତି ଦେଇ ଆଲିଙ୍ଗନ କରି ବସିଲେ ।

 

ବିଦ୍ରୋହ କରୁ ରୋମ, ବିଦ୍ରୋହ କରୁ ମିଶର । ପୃଥିବୀ ଯେବେ ବିଦ୍ରୋହ କରେ, ପ୍ରେମ ବିଜୟିନୀ କ୍ଳିଓପେଟ୍ରା କିଛି ମାନିବ ନାହିଁ ।

 

ଅକ୍‍ଟୋଭିୟାନଙ୍କର ଭଉଣୀର ଅପମାନରେ ଛାତି ଫାଟି ପଡ଼ିଲା । ଏହି ଚରମ ଅପମାନର ପ୍ରତିଶୋଧ ନେବାପାଇଁ ରୋମର ସମସ୍ତ ସୈନ୍ୟ ଶକ୍ତି ନିୟୋଜିତ କରି ଦେଖିବେ, କ୍ଳିଓପେଟ୍ରାର ପ୍ରେମର ଗଭୀରତା କେତେ ?

 

ରୋମ ସୈନ୍ୟ ଘେରାରେ ପଡ଼ିଯିବା ପର୍ଯ୍ୟନ୍ତ ଆଣ୍ଟୋନୀ ଅଗାଧ ପ୍ରେମ ସାଗରରେ ବୁଡ଼ି ରହିଥିଲେ । ହଠାତ୍ ରଣଦୁନ୍ଦୁଭି ବାଜିଉଠିବାରେ ଚେତନା ଫେରିଆସିଲା ।

 

ନିଜ ଅଧୀନରେ ଥିବା ସମସ୍ତ ସୈନ୍ୟ ଫୌଜଙ୍କୁ ଏକଜୁଟ କରି ଅକ୍‍ଟୋଭିୟାନଙ୍କ ଆହ୍ଵାନକୁ ମୁକାବିଲା ଦେବାପାଇଁ ଆଗେଇ ଆସିଲେ ।

 

ନିକଟତମ ବନ୍ଧୁମାନେ ପରାମର୍ଶ ଦେଲେ ରଣକ୍ଷେତ୍ରରୁ କ୍ଳିଓପେଟ୍ରାଙ୍କୁ ନିରାପଦ ସ୍ଥାନକୁ ପଠାଇ ଦିଅ । କିନ୍ତୁ କ୍ଳିଓପେଟ୍ରା ଚାହିଁଲେ ନାହିଁ କି ଆଣ୍ଟୋନୀ ଶେଷ ପର୍ଯ୍ୟନ୍ତ ଛାଡ଼ିପାରିଲେ ନାହିଁ ।

 

ନିଜର ଦୁଇଶତ ଜାହାଜ, ପ୍ରଚୁର ଅର୍ଥ ସାହାଯ୍ୟ ଦେଇ ଚାହିଁଲେ ତାଙ୍କ ପ୍ରେମିକର ଏହି ଯୁଦ୍ଧରେ ଜୟ ହେଉ ।

 

ଏହି ଯୁଦ୍ଧରେ ତାଙ୍କର ଜୟ ହେଲେ, ଜୀବନରେ ସେ ବଡ଼ ଜିତାପଟ ମାରିନେବେ ।

 

ପାଖେପାଖେ କ୍ଳିଓପେଟ୍ରା ନିଜ ପଣତ କାନିରେ ଆଣ୍ଟୋନୀଙ୍କୁ ବାନ୍ଧି ରଖିବାର ଆଉ ଗୋଟିଏ କାରଣ ଥାଇପାରେ ।

 

ଥରେ ହାତଛଡ଼ା କରିଦେଲେ ଅକ୍‍ଟୋଭିୟାଙ୍କ ସାଙ୍ଗରେ ଆଣ୍ଟୋନୀଙ୍କର ସାକ୍ଷାତ ହେଲେ, କୌଣସି ସର୍ତ୍ତ ସିଦ୍ଧାନ୍ତ କରି ଆଣ୍ଟୋନୀଙ୍କୁ ନିଜ ଭଉଣୀର ସ୍ଵାର୍ଥପାଇଁ ରୋମ ନେଇ ଯିବେ-। ସେ ଆଉ ତାଙ୍କ ପାଖକୁ ଫେରିବେ ନାହିଁ ।

 

ମିଶର ପ୍ରଜା, ସାମନ୍ତ ବୃନ୍ଦ, ନିଜର ଆତ୍ମୀୟମଣ୍ଡଳୀ ସମସ୍ତଙ୍କୁ ଏଡ଼ାଇ ଦେଇ, ନିଜକୁ ଆଣ୍ଟୋନୀଙ୍କ ବାହୁ ଯୁଗଳରେ ହଜାଇ ଦେଇ କେଉଁଠି ସେ ଫେରି ଯିବେ !

 

ଆଣ୍ଟୋନୀ ତାଙ୍କର ଯଥାସର୍ବସ୍ଵ ଆଶ୍ରୟ, ଭରସା, ସବୁକିଛି ।

 

ଭାଗ୍ୟର ଚରମ ବିପର୍ଯ୍ୟୟ ଘଟିଲା । ସେନାପତି, ଉପସେନାପତି ଏପରିକି ସୈନିକମାନେ ଆଣ୍ଟୋନୀ ଓ କ୍ଳିଓପେଟ୍ରାର ଆନୁଗତ୍ୟ ସ୍ଵୀକାର ନକରି ବିପକ୍ଷ ପକ୍ଷ ଜୟୀ ହୁଅନ୍ତୁ ବୋଲି ନିଷ୍କ୍ରିୟ ହୋଇ ଉଠିଲେ ।

 

ସେ ଦୁହିଁଙ୍କର ଅବାରିତ, ଅଗାଧ ପ୍ରେମ... ।

 

ଆଣ୍ଟୋନୀଙ୍କ ପରି ପରମ ଯୋଦ୍ଧ ଗୋଟିଏ ଚରିତ୍ରହୀନା ନାରୀ ପାଖରେ ଏପରି ଆତ୍ମସମର୍ପଣ କରିବେ ବୋଲି ସେମାନେ ବରଦାସ୍ତ କରିପାରିଲେ ନାହିଁ ।

 

ଉନ୍ମାଦିନୀ ପ୍ରେମିକା କ୍ଳିଓପେଟ୍ରା ଅପରିଣାମଦର୍ଶୀ ଭାବରେ ସେନାପତିଙ୍କୁ ଶେଷ ପର୍ଯ୍ୟନ୍ତ କାମୁକ ଭାବରେ କରାୟତ କରିବାର ଅପଚେଷ୍ଟା, ସେମାନଙ୍କର ପତ୍ତନର କାରଣ ହେବ ବୋଲି ଭାବିପାରିଲେ ନାହିଁ ।

 

ଶେଷରେ ନିଜ ଶକ୍ତି ଉପରେ ଆଶା ହରାଇ ବସିଲେ ଆଣ୍ଟୋନୀ–

 

ଚରମ ବିପର୍ଯ୍ୟୟ । ଆଉ ଉପାୟ ନାହିଁ । ଉପାୟ ନାହିଁ ।

 

ଅକ୍‍ଟୋଭିୟାନଙ୍କୁ ସାନୁନୟ ଭାବରେ ଲେଖି ଜଣାଇଲେ X X X

 

ମିଶର ଛାଡ଼ି ଚାଲିଯିବି...ଏଥେନ୍‍ସରେ ବାକି ଜୀବନ କଟାଇବା ପାଇଁ ପ୍ରାଣ ଭିକ୍ଷା ଦେବ ନାହିଁ ।

 

ମୋର ଆଉ କିଛି କହିବାର ନାହିଁ, ମାଗିବାର ନାହିଁ ।

 

X X X

 

ପୁଣି କ୍ଳିଓପେଟ୍ରା ମଧ୍ୟ ଲେଖିଥିଲେ X X ମିଶରୀୟ ଜାହାଜଗୁଡ଼ିକ ମୋତେ ଛାଡ଼ି ମିଶର ଅଭିମୁଖରେ ଚାଲିଗଲେଣି । ଆଣ୍ଟୋନୀଙ୍କୁ ପ୍ରାଣଭିକ୍ଷା ଦେବାପାଇଁ ନିଷ୍ପତ୍ତି କଲେ, ମୋତେ ମଧ୍ୟ ସାହାଯ୍ୟ କରନ୍ତୁ–ଶେଷ ଜୀବନ ମୋର ପିଲାମାନଙ୍କୁ ନେଇ X X X

 

ଅକ୍‍ଟୋଭିୟାନ ସେମାନଙ୍କ ଆବେଦନ ଶୁଣି ଛାତି ଫଟାଇ ହସି ଉଠିଲେ ।

 

ପ୍ରିୟତମର ଶୋଚନୀୟ ପରାଜୟରେ ପ୍ରେମିକା ଶିରୋମଣି ବ୍ରୀଡ଼ାବ୍ରତୀ କ୍ଳିଓପେଟ୍ରାଙ୍କୁ ପ୍ରେମ ମାଗି ବସିଲେ । ପ୍ରାୟ ସେ ଅସମ୍ମତ ହେବେ ନାହିଁ...କ୍ଳିଓପେଟ୍ରାଙ୍କୁ ପାଇଲେ ତାଙ୍କୁ ଖଣ୍ଡଖଣ୍ଡ କରି କାଟି ଶ୍ଵାନ, ଶୃଗାଳକୁ ବାଣ୍ଟି ଦେଲେ ମନ୍ଦ କ’ଣ ହେବ ?

 

ବହୁବାର ନିଜର ଜୀବନପାଇଁ, ନିରାପତ୍ତା ପାଇଁ, ରାଜ୍ୟ ଭୋଗପାଇଁ, ଐଶ୍ୱର୍ଯ୍ୟପାଇଁ ନିଜ ଯୌବନକୁ ବାଣ୍ଟି ପାରିଛି । ଏଥର ଚେଷ୍ଟା କରାଯାଉ ।

 

କ୍ଳିଓପେଟ୍ରା ଭଲପାଏ ଆଣ୍ଟୋନୀଙ୍କୁ–ତା’ଠାରୁ ବେଶୀ ଭଲ ପାଏ ନିଜର ଜୀବନକୁ, ନିଜର ସ୍ଵାର୍ଥକୁ X X ।

 

ବଞ୍ଚି ରହିଲେ ପ୍ରେମିକର ଅଭାବ ଘଟିବ ନାହିଁ । ପ୍ରେମରୁ ଅଭାବ ରହିବ ନାହିଁ !!!

 

ତେବେ କାହିଁ କ୍ଳିଓପେଟ୍ରାର ସେ ପ୍ରେମ !

 

କ୍ଳିଓପେଟ୍ରା ନିଜ ଜୀବନ ରକ୍ଷାପାଇଁ ଏକାକୀ ଆଗେଇଗଲା ।

 

ଆଣ୍ଟୋନୀ କ୍ଳିଓପେଟ୍ରା ତାଙ୍କୁ ଛାଡ଼ି ଯାଇଛି ବୋଲି ଦେଖି ହତଜ୍ଞାନ ହୋଇ ଉଠିଲେ ।

 

ଗୋଟିଏ ଛୋଟ ଜାହାଜରେ ମିଶର ଅଭିମୁଖରେ ଆଣ୍ଟୋନୀ କ୍ଳିଓପେଟ୍ରାଙ୍କୁ ଅନୁସରଣ କଲେ ।

 

ଆଣ୍ଟୋନୀଙ୍କୁ ଦେଖି କ୍ଳିଓପେଟ୍ରା ମନରେ ଦୟା ହେଲା । ଛୋଟ ଜାହାଜରୁ ଆଣ୍ଟୋନୀଙ୍କୁ ନିଜ ଜାହାଜକୁ ନେଇଗଲେ ।

 

ଆଣ୍ଟୋନୀ ପ୍ରେମ ଦୁନିଆରୁ ବାସ୍ତବ ଜଗତକୁ ଫେରିଆସିଛନ୍ତି ।

 

ଗୋଡ଼ ରଖି ଛିଡ଼ାହେବା ପାଇଁ ଥଳକୂଳ ଆଉ ନାହିଁ । ନୀରବ ଆଣ୍ଟୋନୀ–ବିମୁଖ କ୍ଳିଓପେଟ୍ରା ।

 

ତିନି ଦିନ ପରେ କ୍ଳିଓପେଟ୍ରା ଆସି ଆଣ୍ଟୋନୀଙ୍କ ଆଗରେ ଛିଡ଼ା ହେଲେ ।

 

ମୁଣ୍ଡ ଟେକି ଆଣ୍ଟୋନୀଙ୍କୁ ଚାହିଁଲେ । ଦେଖିଲେ–ଦୁନିଆରେ ସବୁ ସେ ହଜାଇ ବସିଛନ୍ତି–ହେଲେ କ୍ଳିଓପେଟ୍ରାର ଆଖି କୋଣରେ ଦେଖିଲେ ଭରସାର ଛିଟିକା–ଥରିଲା ଚିବୁକରେ ବଞ୍ଚି ରହିବାପାଇଁ ଏକ ଖୁବ୍ କ୍ଷୀଣ ମମତା ।

 

ବଞ୍ଚିରହିବାର କାମନା ପ୍ରେମିକ ଯୁଗଳକୁ ନିଜ ନିଜ ବଞ୍ଚି ରହିବା ମୋହରେ ବିପରୀତଗାମୀ କରିଛି ।

 

ହେଲେ, ପୁରୁଷ ସ୍ଵାର୍ଥପର, ସେ ଚାହେଁନା, ତା’ ଉପସ୍ଥିତିରେ ଆଉ କେହି ତା’ର ପ୍ରେମିକା ଚିବୁକରେ ଚିବୁକ ମିଶାଉ–ନିଃସଙ୍ଗ ଜୀବନକୁ ସରସ କରୁ ।

 

ଶେଷ ଜୀବନକୁ ନେଇ ସେ ପ୍ରତିରୋଧ କରିବ । ଆଣ୍ଟୋନୀ ଜୀବନରେ ସେହି ଉନ୍ମାଦନା ଭୂତ ଗ୍ରାସୀ ବସିଥିଲା ।

 

କ୍ଳିଓପେଟ୍ରା ପୁଣି ପୌନଃପୁନିକ ଭାବରେ ବିଜୟୀ ସେନାପତି ଅକ୍‍ଟୋଭିୟାନଙ୍କ ପାଖରୁ ନିଜର ରୂପଲାବଣ୍ୟ ଭୂୟସୀ ପ୍ରଶଂସା, ତାଙ୍କ ସଙ୍ଗ ଲାଭ ପିପାସାରେ ସେ ନୀଶହରା । ଆବଶ୍ୟକ ହେଲେ ଆମର ପ୍ରେମର ଅନ୍ତରାୟ ହୋଇ ଆଣ୍ଟୋନୀଙ୍କୁ ହତ୍ୟା କରାଯିବ...ବା ମିଶରରୁ ତଡ଼ି ଦିଆଯିବ ।

 

ଏହି ସମ୍ବାଦ ପାଇ କ୍ଳିଓପେଟ୍ରା ଦୁର୍ଗଜୟ କଲା ପରି ହସି ଉଠିଲେ । ଦର୍ପଣ ପାଖରେ ନିଜ ଅଙ୍ଗ ଅବୟବର ପ୍ରତିଫଳନରେ ଫୁଲି ଉଠିଲେ ।

 

“ମୁଁ ସୁନ୍ଦର ।”

 

ଅନନ୍ତ ଯୌବନା ।

 

ସେ ଯେମିତି ପ୍ରାଣେ ପ୍ରାଣେ ପ୍ରେମିକ ଅକ୍‍ଟୋଭିୟାନଙ୍କ ପଦଧ୍ଵନି ଅନୁଭବ କରିବାକୁ ଲାଗିଲେ ।

 

ଅକ୍‍ଟୋଭିୟାନଙ୍କ ଦୂତ ସହିତ ତାଙ୍କର ବାରବାର ଦେଖାସାକ୍ଷାତ୍ ହେଲା ।

 

ଏ ସମ୍ବାଦ ପାଇ, ଆଣ୍ଟୋନୀଙ୍କର ସାରା ଅଙ୍ଗପ୍ରତ୍ୟଙ୍ଗ ଈର୍ଷାରେ ଜଳିବାକୁ ଲାଗିଲା ।

 

କ୍ଳିଓପେଟ୍ରାଙ୍କର ଆଣ୍ଟୋନୀଙ୍କ ପ୍ରତି ଭ୍ରୂକ୍ଷେପ ନାହିଁ ।

 

ଜୀବନରେ ସୁଖରେ ରହିବାରେ ସୁଯୋଗ ଯେବେ ମିଳେ ନିର୍ବୋଧଙ୍କ ପରି ପ୍ରତ୍ୟାଖ୍ୟାନ କରିବା ଉଚିତ ନୁହେଁ ।

 

ଅକ୍‍ଟୋଭିୟାନଙ୍କ ପ୍ରତି ପ୍ରତିଶୋଧର ଶେଷ ଅଗ୍ନି ଜଳି ଉଠିଲା ଆଣ୍ଟୋନୀଙ୍କ ମନରେ-। ସମସ୍ତ ଶକ୍ତି ଠୁଳ କରି ପ୍ରଖ୍ୟାତ ସେନାପତି ନିଜ ଭାଗ୍ୟ ପରୀକ୍ଷାପାଇଁ ଆପ୍ରାଣ ଚେଷ୍ଟା କଲେ-

 

ହାୟ, ଭାଗ୍ୟଲକ୍ଷ୍ମୀ ସୁପ୍ରସନ୍ନ ହେଲେ ନାହିଁ । ସେ ସମ୍ପୂର୍ଣ୍ଣ ଭାବରେ ପରାଜିତ ହେଲେ ।

 

ଅକ୍‍ଟୋଭିୟାନଙ୍କ ହାତରେ ପଡ଼ିଲେ ପ୍ରାଣବଳୀ ବା ନିର୍ବାସନ ଘଟିବ...ଜୀବନ ଝଡ଼ରେ ଏତେ ପରାକ୍ରମୀ ସେନାପତିଙ୍କର ଶେଷ ଜୀବନ ଅନ୍ୟର ଦୟା ଓ ଘୃଣାରେ ସୀମିତ ।

 

ପରକ୍ଷଣରେ କ୍ଳିଓପେଟ୍ରା ଉପରେ ସମସ୍ତ ରାଗ ଘନୀଭୂତ ହୋଇଗଲା । ସାମାନ୍ୟ ନାରୀର ପ୍ରେମରେ ପଡ଼ି ସେ ଜୀବନରେ ସବୁ କିଛି ହରାଇ ବସିଲେ । ପୁଣି ସେହି ପ୍ରେମିକା, ବିଟପୀ, ବ୍ୟଭିଚାରିଣୀଙ୍କ ପରି ଓଠରେ ହସ ଫୁଟେଇ ଆଖିରେ ମତୁଆଲର ନିଶା ଉକୁଟାଇ ଅକ୍‍ଟୋଭିୟାନଙ୍କୁ ପ୍ରେମ ସ୍ଵାଗତ ଗୀତ ଶୁଣାଇବ...ହେବନାହିଁ, ହେବନାହିଁ.... ।

 

ପ୍ରତିହିଂସା, ପ୍ରତିଶୋଧ ନେବାପାଇଁ କ୍ଳିଓପେଟ୍ରା ପାଖକୁ ଆଲେକଜାଣ୍ଡ୍ରିଆକୁ ଧାଇଁ ଯାଇ କ୍ଳିଓପେଟ୍ରା ରହୁଥିବା ପ୍ରାସାଦର ପ୍ରତ୍ୟେକ କକ୍ଷ ଧୂମକେତୁ ପରି ଘୂରି ବୁଲିଲେ । କାହିଁ କ୍ଳିଓପେଟ୍ରା । କାହିଁ ସେ କାଳସର୍ପିଣୀ–ବିଶ୍ଵାସଘାତିନୀ ।

 

ପ୍ରେମ ନୁହେଁ, ସେ କ୍ଳିଓପେଟ୍ରାଠାରୁ ଗରଳ ପାନ କରି ଆସିଛନ୍ତି । ହେଲେ, ତା’ରି ରକ୍ତରେ ସେ ଅମୃତର ସନ୍ଧାନ ପାଇଛନ୍ତି । ତାକୁ ହତ୍ୟାକଲେ ରକ୍ତ ପାଇବେ–ଅମୃତ ପାନ କରିବେ-

 

ହାୟ, କ୍ଳିଓପେଟ୍ରାକୁ ଆଉ ପାଇଲେ ନାହିଁ । ସେ ଅକ୍‍ଟୋଭିୟାନଙ୍କଠାରୁ ମୁକ୍ତି ପାଇବାପାଇଁ ଆତ୍ମହତ୍ୟା କରିଛି ।

 

ଏହି ସମ୍ବାଦ ପାଇ ଆଣ୍ଟୋନୀ “ପ୍ରିୟତମା ପ୍ରିୟତମା” କହି ଚିତ୍କାର କରି ଉଠିଲେ । ନିଜର ଭୁଲପାଇଁ କ୍ଳିଓପେଟ୍ରା ଉଦ୍ଦେଶ୍ୟରେ ଚିତ୍କାର କରି କ୍ଷମା ମାଗିବା ଭଙ୍ଗୀରେ ଉନ୍ମାଦ ହୋଇ ପଡ଼ିଲେ ।

 

“ଧନ୍ୟ କ୍ଳିଓପେଟ୍ରା, ଧନ୍ୟ ତୋର ପ୍ରେମ....

 

ଜୀବନ ବିଷମୟ ହୋଇ ଉଠିଲା । କ୍ଳିଓପେଟ୍ରା ସଙ୍ଗରେ ପରପାରରେ ଭେଟିବାପାଇଁ ଆତ୍ମହତ୍ୟା କରିବେ–

 

ହେଲେ, କ୍ଳିଓପେଟ୍ରା ଆତ୍ମହତ୍ୟା କରିନାହାନ୍ତି ।

 

ନିଜକୁ ନିରାପଦ କରିବେ ବୋଲି ଆତ୍ମଗୋପନ କରିଥିଲେ । ଏକ କୀର୍ତ୍ତିସ୍ତମ୍ଭ ଭିତରେ-

 

ସେ ଜାଣିଥିଲେ ଆଣ୍ଟୋନୀ ପ୍ରତିହିଂସା ନେବାପାଇଁ ତାଙ୍କୁ ହତ୍ୟା କରିବାପାଇଁ ଧାଇଁ ଆସିବ । ଦ୍ଵିତୀୟରେ ଅକ୍‍ଟୋଭିୟାନର ପ୍ରୀତି ନିବେଦନକୁ ସେ ସତ ବୋଲି ବିଶ୍ଵାସ କରୁ ନଥିଲେ-

 

ନିଜର ମୃତ୍ୟୁ ଖବର କୌଶଳରେ ପ୍ରଚାର କରିଥିଲେ ଅନନ୍ତ ଯୌବନା, ପରମା ସୁନ୍ଦରୀ, କ୍ରୀଡ଼ା ବିଳାସିନୀ କ୍ଳିଓପେଟ୍ରା ।

 

ଅନ୍ୟ ପକ୍ଷରେ କ୍ଳିଓପେଟ୍ରା ଖବର ପାଇଲେ ଆଣ୍ଟୋନୀ ତୀକ୍ଷ୍ଣ ଛୁରିକାରେ ନିଜକୁ ଆଘାତ କରି ମୃତ୍ୟୁଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

 

ଦୁଃଖିତ ହେଲେ କ୍ଳିଓପେଟ୍ରା ।

 

ଆଉ, ଉପାୟ ନାହିଁ ।

 

ମିଶରର ରାଣୀ ଆଦେଶ ଦେଲେ ଅର୍ଦ୍ଧମୃତ ଆଣ୍ଟୋନୀଙ୍କୁ ଶୂନ୍ୟେ ଶୂନ୍ୟେ ସ୍ମୃତିସ୍ତମ୍ଭ ଉପରକୁ ନେଇଆସ ।

 

ଆଣ୍ଟୋନୀ ମରିବା ପୂର୍ବରୁ ଶୁଣିଲେ ତାଙ୍କର ପ୍ରିୟତମା କ୍ଳିଓପେଟ୍ରା ବଞ୍ଚିଛି ।

 

ଦଉଡ଼ି ସାହାଯ୍ୟରେ ଆଣ୍ଟୋନୀଙ୍କ ଶରୀରକୁ ଉପରକୁ ଉଠାଇ ନିଆ ହେବାବେଳେ ଥପଥପ ହୋଇ ରକ୍ତ ଛିଟିକି ପଡ଼ୁଥିଲା ।

 

ବଡ଼ ମର୍ମନ୍ତୁଦ ସେ ଦୃଶ୍ୟ ।

 

କ୍ଳିଓପେଟ୍ରା ତାଙ୍କୁ ଶେଷଥର ପାଇଁ ଆଲିଙ୍ଗନ କରିବାପୂର୍ବରୁ ବହୁ ଯଶ–ଅପଯଶର ନାୟକ, ତାଙ୍କର ପ୍ରେମିକ ଆଉ ଜୀବନରେ ନାହାନ୍ତି ।

 

କ୍ଳିଓପେଟ୍ରା କିଛି ସମୟ ସ୍ତମ୍ଭିତହୋଇ ତାଙ୍କ ମୁହଁକୁ ଚାହିଁ ରହିଲେ । ସମୟ କମ୍‍ । କିଛି ଗୋଟାଏ ନିଷ୍ପତ୍ତି ନେବାକୁ ହେବ ।

 

ଅକ୍‍ଟୋଭିୟାନଙ୍କ ନିମନ୍ତ୍ରଣ ଅଛି । ଆଣ୍ଟୋନୀ ଆଉ ପ୍ରତିବନ୍ଧକ ହେବାକୁ ନାହାନ୍ତି ।

 

ଦୂରରୁ ଅକ୍‍ଟୋଭିୟାନଙ୍କ ପଦଧ୍ଵନି ଆହୁରି ପାଖକୁ ପାଖ ଶୁଣାଗଲା ।

 

ସଶସ୍ତ୍ର ସୈନ୍ୟ ଫୌଜ ନେଇ ସେ ବିଜୟ ଉଲ୍ଲାସରେ ଆସିନାହିଁ । ଭଗ୍ନୀପତି ଆଣ୍ଟୋନୀଙ୍କର ଦୁଃଖ ଖବର ସେ ପାଇସାରିଥିଲେ ।

 

ରୋମ ସାମ୍ରାଜ୍ୟର ପ୍ରତିଦ୍ଵନ୍ଦ୍ୱୀ ଆଣ୍ଟୋନୀଙ୍କ ମୃତ୍ୟୁ ଖବରରେ ସେ ଦୁଃଖିତ କି ଆନନ୍ଦିତ କହି ହେଉନି । ହେଲେ, ସେ ଖୁବ୍‍ ଗମ୍ଭୀର...ତଥାପି ଉନ୍ମାଦ ପରି ମନେହୁଏ ।

 

 

କାହିଁ ସେ ସ୍ପର୍ଦ୍ଧିତା ନାରୀ । କାହିଁ ରୂପ ବିଳାସିନୀ ନୀଳଭୁଜଙ୍ଗୀ...ତା’ର ଗରଳରେ ଅମୃତ ସନ୍ଧାନ ପାଇଥିଲେ ନା ଦୁର୍ଦ୍ଧର୍ଷବୀର, ପ୍ରଖ୍ୟାତଯଶା ସିଜର...ଆଣ୍ଟୋନୀ, ଯାହାର ରୂପ ବିଭବରେ ମିଶରର ସମସ୍ତଙ୍କ ମନରେ ପ୍ରେମ ଅଗ୍ନି ଜଳି ଜଳି ଆସିଛି, ସେ କାହିଁ....

 

କୋଠରୀ ପରେ କୋଠରୀ ତନଖି କରି ଚାଲିଛନ୍ତି । ଅକ୍‍ଟୋଭିଆନ ହଠାତ୍ ସମ୍ଭୀଭୂତ ହୋଇ ରହିଗଲେ ।

 

ବହୁ ରତ୍ନଖଚିତ ହାତୀଦନ୍ତ ପଲଙ୍କରେ ଶାୟିତା ଅନନ୍ତ ଯୌବନା ପ୍ରେୟସୀ....ଅଙ୍ଗ ଅବୟବ ଝଟକି ଉଠି ଚିର ଯୌବନର ଇଙ୍ଗିତ ହେଉଥିଲା ।

 

ସେ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ ।

 

ଆହୁରି ନିକଟକୁ ଚାଲିଆସିଲେ ଅକ୍‍ଟୋଭିୟାନ । ନିଶ୍ଚଳ । ନିଷ୍ପନ୍ଦ....

 

ସର୍ପଗରଳ ପିଇ ଚିରନିଦ୍ରା ଯାଇଛି କ୍ଳିଓପେଟ୍ରା ।

 

ଅକ୍‍ଟୋଭିଆନ ନତମସ୍ତକ ହୋଇ, ବିଗତ ଆତ୍ମାର ସଦ୍‍ଗତି ପାଇଁ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ।

 

ଅକ୍‍ଟୋଭିଆନ କହିଲେ–ତମ ଜୀବନ ନାଟକୀୟ କ୍ଳିଓପେଟ୍ରା ତମ ଜୀବନରେ ମୃତ୍ୟୁ ଆହୁରି ନାଟକୀୟ ।

 

ବିସ୍ମୟକର ତମେ ରମଣୀ !

☆☆☆

 

ଅତୃପ୍ତ ପ୍ରେମ ପିପାସୁ ନେପୋଲିୟନ

 

ସତେ, ସମ୍ରାଟ ! ଆପଣଙ୍କ ପାଇଁ ଆଖି ଓଦା ହୋଇ ଆସେ । ଜୟ ଯୋଦ୍ଧା ! ପ୍ରଣୟିନୀଙ୍କ ପ୍ରତି ଘୃଣା ଜାତ ହୁଏ ।

 

ବିଶ୍ଵ ଜୟ କରିବାର ଯାହାର ସାହସ ଥିଲା, ସାମାନ୍ୟ ନାରୀ ହୃଦୟ ଜୟ କରିବାକୁ ଅକ୍ଷମ ହୋଇଗଲା ! ପୃଥିବୀକୁ ଶୃଙ୍ଖଳା ରଜ୍ଜୁରେ ବାନ୍ଧି ରଖିବାର ଯେ କୌଶଳ, ସାମାନ୍ୟ ନାରୀ ପାଖରେ ଏତେ ବିଶୃଙ୍ଖଳିତ ହୋଇ ଉଠିଲା କାହିଁକି ?

 

ଆପଣଙ୍କୁ ଶତ ଶତ ନମସ୍କାର କରି, ଆପଣଙ୍କ ପ୍ରେମ ପ୍ରବାହର କେତୋଟି କଥା କହୁଛି ।

 

ପୃଥିବୀର ଇତିହାସରେ ଆପଣ ଏକ ଅବିସ୍ମରଣୀୟ ଚରିତ୍ର । ଆପଣଙ୍କର ଅମାପ ବୀରତ୍ଵ ବଳରେ ପୃଥିବୀରେ ଫ୍ରାନ୍‍ସ ଏକକ ଭାବରେ ମୁଣ୍ଡ ଟେକି ଛିଡ଼ା ହୋଇପାରିଥିଲା ।

 

ଭୂ–ଲୋକର ସମସ୍ତ ଶକ୍ତି ସଙ୍କୋଚିତ ହୋଇ ଫ୍ରାନ୍‍ସ ଆଡ଼େ ନା, ନା ଆପଣଙ୍କ ଆଡ଼େ ଦୃଷ୍ଟି ପକାଇଥିଲା । ଗୋଟିକ ପରେ ଗୋଟିଏ ଦେଶ ଜୟକରି ଆପଣ ପୃଥିବୀ ସାମ୍ରାଜ୍ୟ ସ୍ଥାପନ କରିପାରିବେ ବୋଲି ସ୍ଵପ୍ନ ଦେଖୁଥିଲେ ।

 

ଜୀବନରେ କିଛି ଅସମ୍ଭବ ନୁହେଁ । ଅସମ୍ଭବ କେବଳ ନିର୍ବୋଧଙ୍କ ଅଭିଧାନର ଏକ ଆଳଙ୍କାରିକ ଶବ୍ଦ...

 

X X X ଯେ ନିଜର ସବୁ ଅଭିଯାନରେ ପ୍ରତିପାଦିତ କରିପାରିଥିଲେ, ସେହି ନେପୋଲିୟନ ବୋନାପାର୍ଟ ସବୁ କିଛି ଜୀବନରେ ପାଇ, ଆଜୀବନ ପ୍ରେମର ଅତୃପ୍ତ ବାସନା ନେଇ ଦଗ୍ଧୀଭୂତ ହେଉଥିଲେ ।

 

ସମ୍ରାଟ ନେପୋଲିୟନ ପୃଥିବୀ ଜୟ କରିବାର ସାହସ ନେଇ ଗୋଟାକ ପରେ ଗୋଟାଏ ଦେଶ ଜୟ କରିଥିଲେ ମଧ୍ୟ ସେ ତାଙ୍କର ପ୍ରଣୟ ଦେଇ ହୃଦୟ ଜୟକରି ପାରି ନଥିଲେ । ଦୁନିଆଟାକୁ ସୁନ୍ଦର କରିବାର ପରିକଳ୍ପନା ନେଇ ବିଭୋର ହେଲାବେଳେ, ନିଜର ପାରିବାରିକ ଓ ଦାମ୍ପତ୍ୟ ଜୀବନକୁ ସୁଖକର କରିପାରି ନଥିଲେ ।

 

ଶେଷ ପର୍ଯ୍ୟନ୍ତ ତାଙ୍କର ଜ୍ଵଳନ୍ତ ଅଭିଳାଷ, ଜଣେ ନାରୀ ତାଙ୍କୁ ଆନ୍ତରିକ ଜୀବନ ଦେଇ ଭଲପାଉ ।

 

ଦିଗ୍‍ବିଜୟୀ ରଣକ୍ଳାନ୍ତ ନେପୋଲିୟନ ଅତୃପ୍ତ କାମନାର ପରିସମାପ୍ତି ପାଇଁ ବାରବାର ନିଜ ସ୍ତ୍ରୀ ପାଖକୁ ଦଉଡ଼ି ଆସି ପ୍ରାଣ ଭରି ତୃପ୍ତି ପାଇ ନାହାନ୍ତି ।

 

ବହୁ ନାରୀଙ୍କଠାରୁ ପ୍ରାଣ ଭରି ପ୍ରେମ–ତୃଷା ମେଣ୍ଟାଇବା ପାଇଁ ସେ ଆଗେଇ ଆସିଛନ୍ତି-। ନିବିଡ଼ ଭାବରେ ଅଙ୍ଗ ଜଡ଼ାଇ ଦେଇଛନ୍ତି । କ୍ଷଣିକ ତୃପ୍ତିରେ ଆତ୍ମହରା ହୋଇଛନ୍ତି–ସବୁ କ୍ଷଣିକ-। ସବୁ ପ୍ରତାରଣା । ପ୍ରେମହିଁ ତାଙ୍କ ଜୀବନରେ ଅସତ୍ୟ । ଆଉ ସବୁ ସତ୍ୟ ।

 

ରୋଜେ ଜୋସେଫାଇନ୍‍ ! ତାଙ୍କ ପ୍ରେମ ଜୀବନରେ ସେ ଏକ ରୂପସୀ ଜାଜ୍ଜଲ୍ୟମାନ ଧୂମକେତୁ !!!

ଫରାସୀ ଉପକୂଳଠାରୁ ଶହେ ମାଇଲ ଦୂରରେ କର୍ସିକା ଦ୍ଵୀପ । ଏହି ଦ୍ଵୀପଟିକୁ ପ୍ରକୃତିରାଣୀ ଶୋଭାର ଭଣ୍ଡାର କରି ତୋଳିଛି । ଏହା ଇଟାଲୀ ସାମ୍ରାଜ୍ୟ ଅନ୍ତର୍ଗତ ଥିଲା । ଇଟାଲିୟ ସଂସ୍କୃତି, ଇଟାଲୀ ଭାଷା କର୍ସିକା ଅଧିବାସୀଙ୍କୁ ଅନୁପ୍ରାଣିତ କରିଥିଲା ।

୧୭୬୭ ଖ୍ରୀଷ୍ଟାବ୍ଦରେ ଅଚାନକ ଭାବରେ ଫରାସୀ ସୈନ୍ୟବାହିନୀ କର୍ସିକା ଦ୍ଵୀପ ଦଖଲ କରିଗଲେ ।

ଚାର୍ଲସ ବୋନାପାର୍ଟ ଜଣେ ଇଟାଲିୟାନ । ସେ ଓକିଲ ଥିଲେ । ଆଇନ ବ୍ୟବସାୟରେ ତାଙ୍କର ସୁଖ୍ୟାତି ଥିଲା ।

୧୭୬୯ ମସିହା, ଅଗଷ୍ଟ ୧୬ ତାରିଖରେ ନେପୋଲିୟନଙ୍କର ଜନ୍ମ । ସୁନ୍ଦର ଶିଶୁ । ମାଗେଲେଟେସିଆ ଚାର୍ଲସ ବୋନାପାର୍ଟ ଶିଶୁ ସନ୍ତାନଟିକୁ ଦେଖି ଆତ୍ମବିଭୋର ହୋଇ ଉଠିଥିଲେ-। କିନ୍ତୁ ଏହି ଶିଶୁ ଦିନେ ବିଶ୍ଵର ବିସ୍ମୟ ହୋଇ ପଡ଼ିବ ବୋଲି କିଏ ଜାଣିଥିଲା ?

ଚାର୍ଲସଙ୍କର ଏଗାରଟି ପୁଅ, ଝିଅ । ନେପୋଲିୟନ ବାପମା’ଙ୍କର ଦ୍ଵିତୀୟ ସନ୍ତାନ ।

ଚାର୍ଲସଙ୍କର ଅକାଳରେ ବିୟୋଗ ଘଟିବାରୁ ନେପୋଲିୟନଙ୍କ ପରିବାରରେ ଅର୍ଥ ସଙ୍କଟ ଘଟିଲା । ଛୁଆଙ୍କୁ ବଞ୍ଚାଇବା ପାଇଁ ମା’ ତାଙ୍କର ପ୍ରାୟ ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଲାଗିଲେ ।

 

ସୌଭାଗ୍ୟବଶତଃ କର୍ସିକା ଦ୍ଵୀପର ଫରାସୀ ଶାସକ କାଉଣ୍ଟ ମାବେଁଙ୍କ ଦୃଷ୍ଟି ଚାର୍ଲସ ପରିବାରର ପ୍ରତି ପଡ଼ିଲା । ନେପୋଲିୟନ୍‍ଙ୍କୁ ସେତେବେଳେ ଦଶ ବରଷ ।

 

ସେ ସଦୟ ହେଲେ । ନେପୋଲିୟନ୍‍ଙ୍କୁ ଫ୍ରାନ୍‍ସ ସୈନିକ ବିଦ୍ୟାଳୟରେ ପଢ଼ିବାପାଇଁ ସୁବନ୍ଦୋବସ୍ତ କରିଦେଲେ ।

 

କାଉଣ୍ଟମାବେଁଙ୍କ ସଦୟ ବୃଷ୍ଟି ପଡ଼ି ନଥିଲେ ନେପୋଲିୟନଙ୍କ ଜୀବନରେ କ’ଣ ଯେ ଘଟିଥାନ୍ତା, କିଏ କହି ପାରିବ ? ଈଶ୍ଵରଙ୍କ ଅଭିଳାଷ କାଉଣ୍ଟଙ୍କ ଜରିଆରେ ସତେଅବା ପୂରଣ ହେଲା ।

 

୧୭୮୫ ମସିହା ପର୍ଯ୍ୟନ୍ତ ସାମରିକ ବିଦ୍ୟାଳୟରେ ସେ ଅଧ୍ୟୟନ କଲେ । ଶିକ୍ଷା ଶେଷ ହେବା ସଙ୍ଗେ ସଙ୍ଗେ ଫରାସୀ ସୈନ୍ୟ ବିଭାଗରେ ଚାକିରି ପାଇଲେ ।

 

ଭାଗ୍ୟଦେବୀ ସୁପ୍ରସନ୍ନା । ଫରାସୀ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା, ପୃଥିବୀର ଗଣତନ୍ତ୍ର ଜନ୍ମ ଦିବସରେ ଫରାସୀ ବିପ୍ଳବ । ତାଙ୍କର ନିଷ୍ଠା, ଚରିତ୍ରବତ୍ତା, କର୍ତ୍ତବ୍ୟ ପରାୟଣତା ଫଳରେ ସୈନ୍ୟବାହିନୀରେ ପ୍ରଥମ ଶ୍ରେଣୀୟ ସେନାପତିରୂପେ ବିବେଚିତ ହେଲେ । ତାଙ୍କର ବୟସ ମାତ୍ର ଚବିଶ ବରଷ ।

 

ବିପ୍ଳବର ପରବର୍ତ୍ତୀ ନାଗରିକ ଜୀବନରେ ବିଶୃଙ୍ଖଳାର ଢେଉ ଖେଳି ବୁଲୁଥିଲା । ଅଶାନ୍ତି । ଅସନ୍ତୋଷ । ନିଷ୍କ୍ରିୟତା ଜାତୀୟଜୀବନରେ ତନ୍ଦ୍ରା ଆଣିଦେଇଥିଲା ।

 

ଶାନ୍ତି, ଶୃଙ୍ଖଳା ଫେରାଇ ଆଣି ଫରାସୀୟ ଜୀବନକୁ ନୂଆ ବାଟରେ ପରିଚାଳିତ କରିବାପାଇଁ ଜାତୀୟ ସଭା ଅନୁଭବ କଲେ । ଶୃଙ୍ଖଳା ଫେରାଇ ଆଣିବାପାଇଁ ନିରସ୍ତ୍ରୀକରଣ ଅତି ଆବଶ୍ୟକ ମନେହେଲା ।

 

ଜାତୀୟ ସଭା ନେପୋଲିୟନଙ୍କୁ ଏହି କାର୍ଯ୍ୟରେ ଅଗ୍ରଣୀ ହେବାପାଇଁ ଆଦେଶ ଦେଲେ-

 

କାଉଣ୍ଟ ବୋହାର୍ଣ୍ଣ । ଫରାସୀ ରାଜତନ୍ତ୍ରର ଏକ ଶକ୍ତିଶାଳୀ ଆରିଷ୍ଟ୍ରେକ୍ରେଟ୍ । ତାଙ୍କରି ପରି କେତେକ ରଜା ଅନୁଗତ ପ୍ରଭାବଶାଳୀ ଲୋକେ ରାଜତନ୍ତ୍ରକୁ ଜାବୁଡ଼ି ରଖିବାର ପ୍ରଚେଷ୍ଟା କରୁଥିଲେ । ରାଜତନ୍ତ୍ରର ଲୋପ ସାଧନ କରିବା ବ୍ରତୀ ଜନତା କ’ଣ ସେମାନଙ୍କୁ ଶେଷ ନ କରି ଛାଡ଼ି ଦିଅନ୍ତା !

 

ଭାଇ କାଉଣ୍ଟ ବୋହାର୍ଣ୍ଣକୁ ଗଣ–ବିପ୍ଳବୀମାନେ ହତ୍ୟା କଲେ । ରାଜଦତ୍ତ ତରବାରିଟି ଗଣ–ବିପ୍ଳବୀମାନେ ଆଣି ନେପୋଲିୟନଙ୍କୁ ଜମା ଦେଲେ । କିଛିଦିନ ବିତିଯାଇଛି । ଦିନେ ବାଳକ ଇତ୍ତଜିନ୍ ନେପୋଲିୟନଙ୍କୁ ଦେଖା କରିବାକୁ ଆସିଲେ । ତାଙ୍କୁ ଦେଖା କରିବାକୁ ଅନୁମତି ମିଳିଲା-। ବାଳକର ପିତୃଭକ୍ତି ନେପୋଲିୟନ ଆତ୍ମବିସ୍ମୃତ ହେଲେ ।

 

“ଗଣ–ବିପ୍ଳବୀମାନେ ମୋ ବାବାଙ୍କୁ ହତ୍ୟା କରିଛନ୍ତି । ତାଙ୍କ ତରବାରିଟି ମୋତେ ଫେରାଇ ଦିଅ । ପିତୃ–ସ୍ମୃତି ହିସାବରେ ତରବାରିଟିକୁ ସାଇତି ରଖିବାପାଇଁ ମୋତେ ସୁଯୋଗ ଦିଅନ୍ତୁ, ମହାଶୟ ।’’

 

ନେପୋଲିୟନଙ୍କ ନୟନ ଯୁଗଳ ବିସ୍ମୟମୟ ହୋଇ ଉଠିଲା । “କିଏ କିଏ ତମେ ବାଳକ ?”

 

“କାଉଣ୍ଟ ବୋହାର୍ଣ୍ଣ ମୋର ବାବା”...କାନ୍ଦି ପକାଇଲା ବାଳକ ଇଭଜିନ୍‍ ।

 

ନେପୋଲିୟନ ମୁଗ୍ଧ ଭାବରେ ବାରମ୍ବାର ବାଳକ ଆଡ଼କୁ ଆଖି ଫେରାଇଲେ । ପିତୃ–ସ୍ମୃତି ପାଗଳ–ବାଳକ ! କି ଗରୀୟାନ୍ ଏହାର ଶିକ୍ଷା ! ଧନ୍ୟ ତା’ର ମା’ ।

 

ତାଙ୍କ ମନରେ ନିଜର ବାଲ୍ୟଜୀବନ ଉଙ୍କି ମାରିଲା । ତାଙ୍କର ମା’ ଥିଲେ । ତାଙ୍କୁ ବଡ଼ମଣିଷ କରିବାପାଇଁ କିମିତି ସେ ବ୍ୟାକୁଳ ହୋଇ ନଥିଲେ, ତାଙ୍କର ମା’ ! କାହା କୃପା ବଳରେ ସେ ଫରାସୀ ସୈନ୍ୟବାହିନୀରେ ସେନାପତିତ୍ଵ କରିବାର ସୁଯୋଗ ପାଇଛନ୍ତି ? ସେହି ମା’...

 

ଏହି ପିଲାର ମା’, କି ମହୀୟସୀ ମହିଳା ହୋଇ ନଥିବେ । ଥରେ ତାଙ୍କର ଦେଖା ମିଳନ୍ତା କି ?

 

ଅସ୍ଥିର ହୋଇ ଉଠିଲେ ନେପୋଲିୟନ...

 

ପରେ ଜାଣିଲେ, ଫରାସୀୟ ବିଭବଶାଳୀ ସମାଜରେ କାଉଣ୍ଟ ବୋହାର୍ଣ୍ଣଙ୍କ ବିଧବା ସ୍ତ୍ରୀ ଜୋସେଫାଇନ୍‍ ଅତି ପରିଚିତା ।

 

ସୁରସିକା ଜୋସେଫାଇନଙ୍କ ପ୍ରସାଦ ଫରାସୀ ଗଣସଭା ପ୍ରଧାନମାନଙ୍କର ଥିଲା ଆଡ଼୍‍ଡ଼ା ସ୍ଥଳ ।

 

ଜୋସେଫାଇନଙ୍କ ସାଙ୍ଗରେ ନେପୋଲିୟନଙ୍କର ନାଟକୀୟ ଭାବରେ ପରିଚୟ ହେଲା-

 

ନେପୋଲିୟନ ନିଜ ଆଖିକୁ ବିଶ୍ଵାସ କରିପାରିଲେ ନାହିଁ । କିଶୋର ଇଉଜିନଙ୍କର ଏ କ’ଣ ମା’ ! ଅସମ୍ଭବ !

 

ଚମ୍ପକ ବରଣୀ, ଅଳ୍ପ ବୟସୀ, ଅପ୍‍ସରା କ’ଣ ସତେ ଜନନୀ ହୋଇଛି ! ନେପୋଲିୟନ ପ୍ରତି ଦୃଷ୍ଟିପାତରେ, ତା’ର ସୌନ୍ଦର୍ଯ୍ୟର ବିସ୍ମୟକର ଆବିଷ୍କାର କରି ବସିଲେ ।

 

ଚିବୁକରେ ରକ୍ତ ଗୋଲାପର ଆଭାସ । ଲମ୍ବା ଲମ୍ବା ଆଖିରେ ମତୁଆଳୀ ନିଶା । ତୀକ୍ଷ୍ଣ ନାସିକାରେ ସୌନ୍ଦର୍ଯ୍ୟର ଅତୁଟ ବିଭବ । ଆଜାନୁଲମ୍ବିତ ରେଶମୀ ବେଣୀ, ସୁନାଖାଡ଼ି ପରି ତନ୍ଵୀ ଜୋଶେଫାଇନକୁ ନିଜକୁ ନିଜର ଉପମା ଓ ଉପମେୟ କରି ତୋଳିଛି ।

 

ନା, ନା, ସେ କୁମାରୀ ! ମା’ ନୁହେଁ, ସ୍ତ୍ରୀ ନୁହେଁ, ସେ ପ୍ରଣୟିନୀ । ବିଶ୍ଵମୋହିନୀ ଜୋଶେଫାଇନ କେବଳ ତାଙ୍କରିପାଇଁ ଉଦ୍ଦିଷ୍ଟ ।

 

ସେ କାହାର ହୋଇନି ବା ହୋଇ ପାରେନା ।

 

ଜୋଶେଫାଇନକୁ ସେତେବେଳେକୁ ଅଠେଇଶ ବରଷ । ନେପୋଲିୟନ ୨୬ ବରଷ ଅତିକ୍ରମ କରି ନାହାନ୍ତି ।

 

ଜୋଶେଫାଇନ ଥରେ ଦୁଇ ଥର ନେପୋଲିୟନଙ୍କ ଆଡ଼କୁ ଦୃଷ୍ଟି ପକାଇ, ତାଙ୍କ ସୌନ୍ଦର୍ଯ୍ୟରେ ଆତ୍ମତୃପ୍ତି ପାଇଥିଲେ କି ନା କହିହେବ ନାହିଁ । ହେଲେ ଏହି ଯୁବକଙ୍କର ଶକ୍ତିରେ କ’ଣ ସାରା ଫରାସୀ ଜାତି ବିଶ୍ଵାସ କରି ବସିଛି ।

 

“ଧନ୍ୟ ତୁମେ ଯୁବକ ।” ଜୋଶେଫାଇନଙ୍କ ପ୍ରାଣରେ ଗୁଞ୍ଜରିତ ହୋଇ ଉଠିଛି ।

 

ଇଉଜିନ୍‍ର ପିତୃଭକ୍ତିକୁ ପ୍ରଶଂସା କରି ନେପୋଲିୟନ କଥା ଆରମ୍ଭ କଲେ ।

 

କଥାର ଶେଷ କେଉଁଠି ? ଜୋଶେଫାଇ ମନେମନେ ଅନୁଭବ କଲେ, ସେ ନେପୋଲିୟନଙ୍କୁ ମୁଗ୍ଧ କରିପାରିଛି । ବିଜେତା ନେପୋଲିୟନ ହାରି ଯାଇଛନ୍ତି । ଜୋସେଫାଇନ ବିଜୟିନୀର ଗୌରବ ଟିକା ନେଇ ନେପୋଲିୟନଙ୍କୁ ଆତ୍ମତୃପ୍ତ ହେବାପାଇଁ....କ’ଣ !

 

ନିଜର ସବୁ ହରାଇ ନେପୋଲିୟନ ସେ ଦିନ ଫେରିଲେ । ଫେରିବାପାଇଁ ମନ ଯେମିତି ଚାହୁଁ ନଥିଲା ।

 

ପରେ ପରେ ଜୋଶେଫାଇ ବିଷୟରେ ଆଉ କେତେକ ଖବର ସଂଗ୍ରହ କଲେ ନେପୋଲିୟନ ।

 

“ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ମାର୍ଟନି କୋର୍‍ରେ, ଗୋଟିଏ ମଧ୍ୟବିତ୍ତ ପରିବାରରେ ଜୋଶେଫାଇନଙ୍କର ଜନ୍ମ । ଘଟଣା ଚକ୍ରରେ ଜୋଶେଫାଇନ ପରିବାରରେ ଆସି ଫ୍ରାନ୍‍ସରେ ରହିଲେ । ଯୌବନରେ କାଉଣ୍ଟ ବୋହାର୍ଣ୍ଣକୁ ବିବାହ କରି ତାଙ୍କୁ ଭାଗ୍ୟବାନ କରି ପକାଇଥିଲେ ।

 

ହାୟ ଭାଇ କାଉଣ୍ଟ ! ତମେ ହତଭାଗ୍ୟ ! ଏମିତି ଐଶ୍ୱର୍ଯ୍ୟ ପାଇ ତମେ ମରିପାରିଲ !!!

 

ବିଧବା ହେବାପରେ, ଅନେକ ସୁଦର୍ଶନ ଯୁବକଙ୍କ ପାଇଁ ତାଙ୍କର ଦ୍ଵାର ଉନ୍ମୁକ୍ତ ।

 

ଏହି ଯୁବକମାନେ କାହିଁକି ଆସନ୍ତି ? ଉଦାରମନା ନେପୋଲିୟନଙ୍କ ପ୍ରଶସ୍ତ ମନରେ ଅଣୁମାତ୍ର ସନ୍ଦେହ ଜାତ ହେଲା ନାହିଁ । କେତେଜଣ ଯୁବକ ବନ୍ଧୁ ଆଉ ବାନ୍ଧବୀ ଆସି ଏକତ୍ରିତ ହୋଇ କଳା, ସଂସ୍କୃତିର ଉନ୍ମେଷ ପାଇ ବୈଠକ ବସାଉଥିବେ । କିମ୍ବା ରାଜନୈତିକ ଆଲୋଚନାରେ ଭାଗ ନେଉଥିବେ । ଏହା ଦୋଷାବହ ହେବ କାହିଁକି ?

 

ନେପୋଲିୟନଙ୍କ ସିଦ୍ଧାନ୍ତରେ ଭୁଲ ରହିଗଲା । ବିଚକ୍ଷଣ ସେନାପତି ମଧ୍ୟ ଭୁଲ୍ କରି ବସିଲେ ।

 

ଯୁଦ୍ଧକ୍ଷେତ୍ର ଓ ପ୍ରଣୟ ଶିବିର ଏକ ମାନଦଣ୍ଡରେ ବିଚାର କରାଯାଇପାରେନା । ସାମାନ୍ୟ ଭାବରେ ପ୍ରେମିକାର ଚରିତ୍ର ଅନୁଶୀଳନ କରିଥିଲେ, ବେଶ୍ ବୁଝିପାରିଥାଆନ୍ତେ, ସୁନ୍ଦରୀ ତରୁଣୀଟି ପ୍ରେମିକା ହୋଇ ପାରିଥା’ନ୍ତେ, କିନ୍ତୁ ଘର–ସଂସାର ତାଙ୍କ ସଙ୍ଗରେ କରିବା ବାଞ୍ଛନୀୟ ନୁହେଁ ।

 

ଯାହା ଘଟିବାର ଥିଲା ଘଟିଗଲା । ଘନଘନ ଦେଖାସାକ୍ଷାତ୍ ହେବାପରେ ନେପୋଲିୟନଙ୍କର ପ୍ରେମ ପାଗଳାମୀ ଭୟଙ୍କର ହୋଇ ଉଠିଲା । ତାଙ୍କର ବହୁ ଯୁଗଳରେ ଜୋଶେଫାଇନକୁ ତୋଳି ନେଇ ଆକଣ୍ଠ ପ୍ରେମ–ସୁରା ପାନ କଲେ । କି ସେ ତୃପ୍ତି ! ପୃଥିବୀକୁ ଜୟ କରିବାଠାରୁ ସେ ସୁଖ ଆହୁରି ପ୍ରାଣସ୍ପର୍ଶୀ ।

 

ଏହି ବିନୟ ଅହଂକାର ଅତୁଳନୀୟ ହୋଇପଡ଼ିଲା ।

 

ପରେ ପରେ ନେପୋଲିୟନ ଜୋଶେଫାଇନର ଯୌବନ ମଦିରା ବୋଳା ରୂପଲାବଣ୍ୟ ପିପାସୁ ଯୁବକ ବନ୍ଧୁମାନଙ୍କର ତାଙ୍କରି ପିପାସା ଭଳି ପିପାସାକୁ ତୃପ୍ତ କରିବାପାଇଁ ବହୁ ପ୍ରେମିକ ଯେ ଜୋଶେଫାଇନକୁ ଘେରି ବୁଲୁଥିଲେ, ଅନୁଭବ କଲେ ।

 

ହେଲେ, ମତୁଆଳୀ ମନ ଆଉ ମାନିଲା ନାହିଁ । ଜୋଶେଫାଇନର ଚରିତ୍ରର ଅନୁଶୀଳନ କରିବାପାଇଁ ସାହସ ମଧ୍ୟ ହେଲା ନାହିଁ ।

 

ପାଶି ଅନ୍ଧ । ପ୍ରେମ ଅନ୍ଧ ।

 

ନେପୋଲିୟନ ଏତିକିବେଳେ ଜୋଶେଫାଇନକୁ ଲେଖିଲେ ।

 

X X X

 

ତମେ ସମସ୍ତ ଉପାଦାନରେ ତିଳତିଳ ହୋଇ ଗଢ଼ି ଉଠିଛ । ତମର ସବୁକିଛିକୁ ମୁଁ ଭଲପାଇ ବସି, ଆତ୍ମହରା ହୋଇ ଉଠିଛି ।

 

ସେମାନଙ୍କର ଗୋପନୀୟ ପ୍ରେମ ଆଉ ଗୁପ୍ତ ହୋଇ ରହିଲା ନାହିଁ । ଫରାସୀୟ ଭଦ୍ର ସମାଜରେ ଏହି ଖବର ବହୁମୁଖରେ ଆଲୋଚିତ ହେବାକୁ ଲାଗିଲା । ନେପୋଲିୟନଙ୍କୁ ନେଇ ଏହି ସବୁ ଆଲୋଚନା ବେଶି ସମୟ ଲାଗି ନ ରହୁ, ସେଥିପାଇଁ ଆସି ଜୋଶେଫାଇନକୁ ବିବାହ ପ୍ରସ୍ତାବ ଦେଲେ । ବହୁ ଆଲୋଚନା ପରେ ୧୭୯୬ ମସିହା ମାର୍ଚ୍ଚ ୬ ତାରିଖରେ ସେମାନଙ୍କର ରେଜିଷ୍ଟ୍ରେସନ ମ୍ୟାରେଜ୍ ହୋଇଗଲା ।

 

କୌଣସି କୌଳିକ ପ୍ରଥାରେ ବିବାହ କରିବାପାଇଁ ନେପୋଲିୟନଙ୍କର ବିଶ୍ଵାସ ନଥିଲା । ଜୀବନ ଯାତ୍ରାର ପ୍ରୟୋଜନୀୟ ଦୃଷ୍ଟିରୁ ଏହି ପଦ୍ଧତି ନେପୋଲିୟନକୁ ବିଶେଷ ଉତ୍ସାହିତ କରୁଥିଲା-। ଅବଶ୍ୟ ଫରାସୀ ବିପ୍ଳବ ପରେ ଧର୍ମଯାଜକର ପ୍ରଭାବ ଫ୍ରାନ୍‍ସରେ କମି କମି ଆସୁଥିଲା-। ଧର୍ମାନୁଷ୍ଠାନ ବ୍ୟକ୍ତିଗତ ଜୀବନରେ ପ୍ରତିବନ୍ଧକ ନ ହେଉ । ସେଥିପାଇଁ ପ୍ରଗତିଶୀଳ ବ୍ୟକ୍ତିମାନେ ସ୍ଵତନ୍ତ୍ରତା ପାଇଁ ରେଜିଷ୍ଟ୍ରି ବିବାହକୁ ବିଶେଷ ପସନ୍ଦ କରୁଥିଲେ ।

 

ବିବାହର ଦୁଇ ଦିନ ମାତ୍ର ଅତିବାହିତ କରିଛନ୍ତି । ୩ୟ ଦିନ ଇଟାଲୀ ଅଭିଯାନର ସେ ପ୍ରଧାନ ସେନାପତିଭାବେ ନିଯୁକ୍ତି ପାଇଲେ । ଦୁଇଟି ରଜନୀ ଜୋଶେଫାଇନଙ୍କ ସଙ୍ଗରେ କଟାଇ କର୍ତ୍ତବ୍ୟ ଅନୁରୋଧରେ ଇଟାଲୀ ଅଭିମୁଖରେ ସୈନ୍ୟ ଚାଳନା କରିବାକୁ ବାହାରି ପଡ଼ିଲେ ।

 

ନବବିବାହିତ ନେପୋଲିୟନ ଏହି ବିଚ୍ଛେଦର ଭଗ୍ନହୃଦୟ ନେଇ ଜୋଶେଫାଇନଙ୍କ ଠାରୁ ବିଦାୟ ନେଲେ ସତ । କିନ୍ତୁ ଜୋଶେଫାଇନଙ୍କର ସ୍ମୃତି ଜୀବନ୍ତ ହୋଇ ରହିଥିଲା ।

 

ଇଟାଲୀରେ ପହଞ୍ଚିବାପୂର୍ବରୁ ବାଟରୁ ଏକ ଶିବିରରୁ ପ୍ରିୟତମାକୁ ଲେଖିଲେ ।

 

ପ୍ରତି ମୁହୂର୍ତ୍ତରେ ତମ ପାଖରୁ ମୁଁ ଦୂରେଇ ହୋଇଯାଉଛି । ମୋତେ ଯେ କି କଷ୍ଟ ସହ୍ୟ କରିବାକୁ ପଡ଼ୁଛି, ତମେ ଅନୁଭବ କରିପାରିବ ନାହିଁ । ତମ ପାଖରୁ ଦୂରେଇ ଯାଉଥିବାରୁ ମୋର ନିଜ ଉପରୁ ଆସ୍ଥା କମିଯାଉଛି ।

 

ପରେ ଲେଖିଲେ ।

 

X X X

 

ଗତ କେତେକ ରାତିରେ ସୁଖ ସ୍ଵପ୍ନନେଇ ବାରବାର ମୁଁ ତମକୁ ଅନୁଭବ କରୁଛି ।

 

X X X

 

ପ୍ରତିଦିନ ରଣକ୍ଷେତ୍ରରୁ ନେପୋଲିୟନଙ୍କ ସ୍ଵହସ୍ତ ଲିଖିତ ଚିଠି ପାଇବାକୁ ଲାଗିଲେ ଜୋଶେଫାଇନ ।

 

ବିଧବା ହେବାପରେ ଜୋଶେଫାଇନ ଏକ ମର୍ଯ୍ୟାଦାମନ୍ତ ସମ୍ମାନ ସୂଚକ ପରିଚୟ ଚାହୁଁଥିଲେ । ନେପୋଲିୟନ ତାଙ୍କୁ ବିବାହ କରିବାଦ୍ଵାରା ସେ ସମ୍ମାନରେ ସମ୍ମାନିତ ହୋଇ ଉଠିଲେ-। ଉତ୍‍ଫୁଲ୍ଲମନା ଜୋଶେଫାଇନ ସ୍ୱାମୀ ଯୁଦ୍ଧକୁ ଯିବା ପରେ ପୂର୍ଣ୍ଣ ପ୍ରାଣରେ ତାଙ୍କର ପୁରୁଣା ପ୍ରେମିକ ଚାର୍ଲସ ହିପୋପୋଲାଇଟ୍‍ଙ୍କ ପ୍ରେମରେ ମଜ୍ଜିଗଲେ ।

 

ଚାର୍ଲସ ହିପୋପୋଲାଇଟ୍‍ ଜଣେ ଉଚ୍ଚ ପଦସ୍ଥ ସାମରିକ ଅଫିସର, ତରୁଣ !

 

ବିବାହ ପୂର୍ବରୁ ଜୋଶେଫାଇନ ତାଙ୍କ ପ୍ରେମପାଇଁ ଆତ୍ମହରା ହୋଇ ବହୁ ରଜନୀ ତାଙ୍କ ସହିତ ଅତିବାହିତ କରିଥିଲେ ।

 

ଏଣେ ଯୁଦ୍ଧ ପରେ ଯୁଦ୍ଧରେ ନେପୋଲିୟନ ବିଜୟ ହାସଲ କରୁଥାଆନ୍ତି । ସମଗ୍ର ଇଟାଲୀ ପରାଜୟ ସ୍ଵୀକାର କରିବ, ଏହି ମୁହୂର୍ତ୍ତରେ ରଣକ୍ଳାନ୍ତ ସେନାପତି ନେପୋଲିୟନଙ୍କର ପରିଚୟ ହେଲା ଅଭିନେତ୍ରୀ ଗ୍ରାସିନୀର ସାଙ୍ଗରେ ।

 

ବିଖ୍ୟାତ ଅଭିନେତ୍ରୀ ସୁଗାୟିକା ଗ୍ରାସିନୀ ବୀର ସେନାପତିଙ୍କର ବୀରତ୍ଵରେ ବିମୁଗ୍‍ଧ ।

 

ସୁଗାୟିକା, ସୁରସିକା ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଗଲେ । ହେଲେ ନେପୋଲିୟନ ଉପେକ୍ଷା କଲେ ।

 

କହିଲେ ! “ବନ୍ଧୁତାରେ ଥାଉ...ମୁଁ ବିବାହିତ । ମୁଁ ମୋର ସ୍ତ୍ରୀକୁ ଜୀବନ ଦେଇ ଭଲପାଏ-

 

ଏହି ସମୟରେ ଜୋଶେଫାଇନଠାରୁ ଚିଠି ପାଇଲେ । ସେ ଅନ୍ତଃସତ୍ତ୍ଵା ।

 

ଚିଠିଟି ଖାଲି ଛଳନା ! ପ୍ରତାରଣା ! ନେପୋଲିୟନଙ୍କୁ ଭୁଲେଇ ରଖିବାପାଇଁ, ଜୋଶେଫାଇନର ଚରମ କୌଶଳ ।

 

ବୀର ସେନାପତି ନିର୍ବୋଧ । ଚିଠି ପାଇ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ । ଜୋଶେଫାଇନ କେବଳ ମା’ ହେବାକୁ ଯାଉନି, ସେ ବାପ ହେବେ । ତାଙ୍କରି ରକ୍ତର ସ୍ଵାକ୍ଷର ନେଇ ନବାଗତ ଏହି ସଂସାରକୁ ଆସିବ ।

 

ଜୋଶେଫାଇନଙ୍କୁ ଦେଖିବାପାଇଁ ସେ ଆତ୍ମହରା ହୋଇ ପଡ଼ିଲେ । ଫ୍ରାନ୍‍ସ ସରକାର ଓ ତାଙ୍କ ଆତ୍ମୀୟସ୍ଵଜନକୁ ଜୋଶେଫାଇନର ସବୁ ପ୍ରକାର ଯତ୍ନ ନେବାପାଇଁ ତାଗିଦ୍ କରି ଲେଖିଲେ । ଶେଷରେ ଜୋଶେଫାଇନଙ୍କୁ ତାଙ୍କ ପାଖକୁ ପଠାଇ ଦେବାର ବ୍ୟବସ୍ଥା କରିବାପାଇଁ ଅନୁରୋଧ ଜଣାଇଲେ ।

 

ଜୋଶେଫାଇନଙ୍କୁ ତାଙ୍କ ନିକଟକୁ ଇଟାଲୀ ପଠାଇ ଦିଆଗଲା ।

 

ନେପୋଲିୟନ ଆତ୍ମବିଭୋର ହୋଇ ଜୋଶେଫାଇନଙ୍କ ସାଙ୍ଗରେ ମଜ୍ଜି ରହିଲେ ।

 

ନେପୋଲିୟନ ଫ୍ରାନ୍‍ସର ଚୂଡ଼ାନ୍ତ ବିଭବ ଫେରାଇ ଆଣି ଫ୍ରାନ୍‍ସ ଫେରିଆସିଲେ । ବିପୁଳ ସମ୍ବର୍ଦ୍ଧନା ଦିଆଗଲା ।

 

ନେପୋଲିୟନ ଗୌରବାନ୍ଵିତ ମନେକଲେ ।

 

ତା’ପରେ ମିଶର ଅଭିଯାନରେ ତାଙ୍କୁ ଯିବାକୁ ହେବ । ପ୍ରାଚ୍ୟ ଭୂଖଣ୍ଡର ଏହି ବିଭବଶାଳୀ ଦେଶକୁ, ଫ୍ରାନ୍‍ସ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିବାର ଦାୟିତ୍ଵ ସେ ନେଲେ ।

 

ପୁଣି ଜୋଶେଫାଇନଙ୍କର ବିଚ୍ଛେଦ ଭୋଗିବାକୁ ହେବ ।

 

ଜୋଶେଫାଇନ ଛଳନାପୂର୍ଣ୍ଣ ଭାବରେ ନିଜର ଆନ୍ତରିକତା ଦେଖାଇ ରହିଲେ ଫ୍ରାନ୍‍ସରେ । ତାଙ୍କର ବନ୍ଧୁ ଚାର୍ଲସଙ୍କର ପ୍ରେମ ପ୍ରୟୋଜନ । ଫ୍ରାନ୍‍ସର ଧନୀମାନୀମାନେ ତାଙ୍କ ସଙ୍ଗ ସୁଖ କାମନାରେ ମତୁଆଳ । ସେନାପତି, ସ୍ଵାମୀ ଦେଶ କାର୍ଯ୍ୟ କରିବାକୁ ଯାଇଛନ୍ତି । ଯାଆନ୍ତୁ-

 

ହେଲେ, ନିର୍ବୋଧ ନେପୋଲିୟନ–ବୀରପୁଙ୍ଗବ ନିଜ ସ୍ତ୍ରୀକୁ ଚିହ୍ନିପାରିଲେ ନାହିଁ । ହାୟ ମନ୍ଦ ଭାଗ୍ୟ !

 

ମିଶର ଜୟ କରିବା ସହଜ ହୋଇ ନଥିଲା । ଅସଂଖ୍ୟ ଖଣ୍ଡଯୁଦ୍ଧ । ଫ୍ରାନ୍‍ସର ସୈନିକଙ୍କର ବିପର୍ଯ୍ୟୟ ସେ କଳ୍ପନା କରିପାରୁ ନଥିଲେ । ଅଦମ୍ୟ ବୀରତ୍ଵ, ନିଷ୍ଠା, ନିପୁଣତା ବଳରେ ମିଶର ଜୟ କଲେ ।

 

ଏହି ସମୟରେ ସେ ଖବର ପାଇଲେ ଇଟାଲୀ, ଫ୍ରାନ୍‍ସ ଅଧିକାରକୁ ଅସ୍ଵୀକାର କରିଛି-। ତେଣୁ ମିଶରରେ ଆଉ ବେଶି ସମୟ ରହିବାକୁ ସେ ଚାହିଁଲେ ନାହିଁ ।

 

ଇଟାଲୀୟନମାନଙ୍କୁ ସମୁଚିତ ଶିକ୍ଷା ଦେବାପାଇଁ ସେ ବାହୁଡ଼ି ଆସିବାପାଇଁ ଆୟୋଜନ କଲେ ।

 

ଫ୍ରାନ୍‍ସ ଯାତ୍ରା କରିବା ପୂର୍ବରୁ ତାଙ୍କର ଜଣେ ବନ୍ଧୁ ଆସି ଜୋଶେଫାଇନଙ୍କ ବିଷୟରେ କେତେକ ଖବର ଦେଇଥିଲେ ।

 

ନେପୋଲିୟନ ଅଧୀର ହୋଇ ଗୁଡ଼େଇ ତୁଡ଼େଇ ଜୋଶେଫାଇନଙ୍କ ବିଷୟରେ ପ୍ରଶ୍ନ କଲେ ।

 

ବନ୍ଧୁଜନେ । ଯାହା ଜାଣିଥିଲେ, ନେପୋଲିୟନକୁ ସବୁ ଜଣାଇଲେ । ଜୋଶେଫାଇନ ଯେ ବହୁ ବଲ୍ଲଭ ହୋଇ ପ୍ରଣୟ–ସୁରା ଚାଖି ଅତିଷ୍ଠ ହୋଇପଡ଼ିଛି, ସେ କଥା ଶୁଣିବାକୁ ତାଙ୍କର ଧୈର୍ଯ୍ୟ ରହିଲା ନାହିଁ ।

 

ତାଙ୍କର ପ୍ରଥମ ସନ୍ଦେହ ନିର୍ମମ ସତ୍ୟରୂପେ ତାଙ୍କ ଆଗରେ ଠିଆ ହୋଇଛି । ଆଉ, ଉପାୟ... ।

 

“ମନ ଅଭିମାନରେ ଉଛୁଳି ଉଠିଲା ।

 

ଏଇ ନାରୀ, ଯାହାକୁ ସେ ଜୀବନଠାରୁ ଅଧିକ ମଣି ଆସିଛନ୍ତି, ନିଜକୁ ଏକପତ୍ନୀବ୍ରତର କଠୋର ଶୃଙ୍ଖଳା ଭିତରେ ବାନ୍ଧି ରଖିଛନ୍ତି...

 

ମିଶରରୁ ରାଗ ଅଭିମାନ ଭରି ଗୋଟିଏ ଦୀର୍ଘଚିଠି ଜୋଶେଫାଇନଙ୍କୁ ଲେଖିଲେ...

 

X X ତମେ ପୃଥିବୀର ଅଧେ ଲୋକଙ୍କ ସାଙ୍ଗରେ ଦୈହିକ ପ୍ରେମ କ୍ରୀଡ଼ାରେ ଲିପ୍ତ ରହିଛ, ମୁଁ ଜାଣିସାରିଛି ।

 

ଚିଠି ଲେଖିସାରି ଜୋଶେଫାଇନ ଉପରେ ଓ ନିଜ ଉପରେ ଚରମ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହୋଇଗଲେ ।

 

ପ୍ରେମ ଉଦ୍ଭ୍ରାନ୍ତ ସେନାପତି ମାକ୍‍ସାର ଗୋଟିଏ ସୁନ୍ଦରୀ ତରୁଣୀ ସାଙ୍ଗରେ ଦୈହିକ ସୁଖ ଭୋଗରେ କିଛିଦିନ ମଜ୍ଜି ରହିଲେ । ତା’ପରେ ଦୃଷ୍ଟି ପଡ଼ିଲା ତାଙ୍କର ଜଣେ ଅଧସ୍ତନ କର୍ମଚାରୀଙ୍କ ଯୁବତୀ ସ୍ତ୍ରୀ ଉପରେ ।

 

ଆଗପଛ କିଛି ନ ଭାବି ହଠାତ୍ ସେ ତରୁଣୀକୁ ନେଇ ନେପୋଲିୟନ କିଛିଦିନ ଆତ୍ମଗୋପନ କଲେ ।

 

ତା’ପରେ ମତୁଆଳ ନେପୋଲିୟନଙ୍କର ଆଖି ପଡ଼ିଲା ପଲିନ୍‍ ଉପରେ ।

 

ପଲିନ୍‍କୁ ଦେଖି ଅଧୀର ହୋଇ ପଡ଼ିଲେ । ଅତୃପ୍ତ ମନ ତୃପ୍ତି ଆସ୍ଵାଦନରେ ମଜ୍‍ଗୁଲ୍‍ ହୋଇ ଉଠିଲେ ।

 

ଉତ୍ତର ଫ୍ରାନ୍‍ସର ଦ୍ଵାବିଂଶ ବର୍ଷିୟା ପଲିନ୍ ଲେଫ୍‍ଟନାଣ୍ଟ ଫୁର୍ୟାଁର ସ୍ତ୍ରୀ ।

 

ଲେଫ୍‍ଟନାଣ୍ଟଙ୍କୁ କୌଶଳ କ୍ରମେ ଦୂରକୁ ପଠାଇ ଦେଲେ । ଭାଗ୍ୟଦେବୀ ନେପୋଲିୟନଙ୍କର ବାସନା ପୂରଣ କରିବାପାଇଁ ସୁପ୍ରସନ୍ନା ହେଲେ । ସେ ଇଂରେଜମାନଙ୍କ ଦ୍ଵାରା ବନ୍ଦୀ ହେଲେ ।

ପ୍ରେମିକ ସେନାପତି, ବୀରପୁଙ୍ଗବ ନେପୋଲିୟନ ଏଇଆହିଁ ଚାହୁଁଥିଲେ ।

କାଳବିଳମ୍ବ ନକରି ନେପୋଲିୟନ ଏକ ଡିନରପାର୍ଟି ଆୟୋଜନ କରି ପଲିନ୍‍କୁ ନିମନ୍ତ୍ରଣ କଲେ ।

ହଠାତ୍‍ ତାଙ୍କ ଗ୍ଲାସ୍‍ରୁ ଝଲକାଏ ମଦ ପଲିନ୍‍ ଉପରେ ଛିଟିକି ପଡ଼ିଲା ।

କ’ଣ ହେଲା ? ପଲିନ୍‍ଙ୍କ ପରିଚ୍ଛଦ ତିକ୍ତ ହୋଇଗଲା । ଏଇ ଆଳ ନେଇ ସେ ପଲିନ୍‍ଙ୍କୁ ସାଙ୍ଗରେ ନେଇ ନିକଟସ୍ଥ ଗୋଟିଏ କୋଠରୀକୁ ଚାଲିଗଲେ ।

ତା’ପରେ ହଠାତ୍‍ ଝରକା, କବାଟ ବନ୍ଦ ହୋଇଗଲା ।

ତା’ପରେ....ତା’ପରେ ପଲିନ୍‍ଙ୍କ ସାଙ୍ଗରେ ଅବାଧ ମିଳାମିଶାରେ କୌଣସି ବାଧା ନଥିଲା ।

ଏମିତି କିଛିଦିନ ବିତିଯାଇଛି । ନେପୋଲିୟନ ସ୍ଥିର କଲେ, ଜୋଶେଫାଇନଙ୍କୁ ଡାଇଭର୍ସ୍ କରିବେ । ଘନିଷ୍ଠ ପ୍ରେମାଶକ୍ତ ନେପୋଲିୟନ ଅନୁଭବ କଲେ ପଲିନ୍‍ ତାଙ୍କ ପ୍ରତି ଏକନିଷ୍ଠ ପ୍ରେମିକା ହୋଇ ରହିବ । ଏଣୁ, ଫ୍ରାନ୍‍ସ ଫେରିଯିବା ପାଇଁ ସ୍ଥିର କଲେ ।

 

ଫ୍ରାନ୍‍ସ ନେପୋଲିୟନ ଫେରି ଆସୁଛନ୍ତି । ଚାରିଆଡ଼େ ଆନନ୍ଦର ଢେଉ । ପ୍ୟାରିସ୍‍ରେ ପହଞ୍ଚିବା ସଙ୍ଗେ ସଙ୍ଗେ ବିପୁଳ ଜୟଧ୍ଵନି ଭିତରେ ତାଙ୍କୁ ଅଭିନନ୍ଦନ ଦିଆଗଲା ।

 

ଜୋଶେଫାଇନ ଜାଣିଲେ ନେପୋଲିୟନ ଫେରି ଆସୁଛନ୍ତି । ତାଙ୍କ ଭାଗ୍ୟରେ ଯେ କ’ଣ ଘଟିବ ?

 

ସୁଚତୁରା ଜୋଶେଫାଇନ ଶେଷଥର ପାଇଁ ନିଜର ପରମ କୌଶଳ ପ୍ରୟୋଗ କରିବାପାଇଁ ବାଟରେ ତାଙ୍କୁ ଦେଖା କରି ତାଙ୍କ ମନ ଭୁଲାଇବା ପାଇଁ ଉଦ୍ୟମ କରିବେ ।

 

ଜୋଶେଫାଇନର ଦୁର୍ଭାଗ୍ୟ । ବାଟରେ ସାକ୍ଷାତ ହେଲାନାହିଁ । ନିର୍ଦ୍ଦିଷ୍ଟ ପଥରେ ନେପୋଲିୟନ ନ ଫେରି ଅନ୍ୟ ବାଟରେ ଆସିଲେ ।

 

ଜୋଶେଫାଇନ ପ୍ୟାରିସ୍‍ ଫେରିଲେ ନେପୋଲିୟନ ପହଞ୍ଚିବାର କେତେଦିନ ପରେ ।

 

ନେପୋଲିୟନଙ୍କୁ ଦେଖା କରିବାକୁ ସାହସ ବାନ୍ଧି ଜୋଶେଫାଇନ ଯାଇ ଦ୍ଵାରଦେଶରେ ଅପେକ୍ଷା କଲେ ।

 

ପ୍ରହରୀ ଭିତରକୁ ଯିବାକୁ ବାରଣ କଲା ।

 

“ପ୍ରଭୁଙ୍କର ଆଦେଶ ଆପଣଙ୍କ ସହିତ ଦେଖା ହୋଇ ପାରିବ ନାହିଁ ।”

 

କାକୁତି ମିନତି ଜୋଶେଫାଇନଙ୍କର ବ୍ୟର୍ଥ ହେଲା । ଜୋଶେଫାଇନ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କଲେ । ଏଇ, ଅପମାନ !

 

ଘଣ୍ଟା ଘଣ୍ଟା ବିତିଗଲା । ଜୋଶେଫାଇନ ନିବିଷ୍ଟ ମନରେ ସେମିତି ଛିଡ଼ା ହୋଇଥାନ୍ତି ।

 

ତା’ପରେ ଦରଜା ଖୋଲିଗଲା–ନେପୋଲିୟନ ବାହାରି ଆସିଲେ...

 

“କ’ଣ ହୋଇଛି ତମର ?” ଏତିକି ପଚାରି ନିଜକୁ ଫେରାଇ ନେଇ ପାରିଲେ ନାହିଁ ସେ-

 

ଉନ୍ମୁକ୍ତ କେଶା, ମଳିନ ପୋଷାକ ପରିହିତା, ଜୋଶେଫାଇନଙ୍କର ଲାଲ ଆଖିରୁ ଯେମିତି ଅନୁତାପର ଅଶ୍ରୁ ନେପୋଲିୟନ ଦେଖିପାରିଲେ ।

 

କଠିନ ଲୁହା ପରି ନେପୋଲିୟନଙ୍କ ଛାତିରେ ଯେମିତି ଆଗ୍ନେୟଗିରିର ଲାଭାସ୍ରୋତ ବାଟ ଖୋଜି ବିସ୍ତାରିତ ହେବାକୁ ଚାହିଁଲା...ସହି ପାରିଲେ ନାହିଁ । ନିବିଡ଼ ବନ୍ଧନରେ ଜୋଶେଫାଇନଙ୍କୁ ବକ୍ଷ ଦେଶରେ ଚାପି ଧରି ସମସ୍ତ କ୍ରୋଧ ଅଭିମାନ କ୍ଷଣକରେ ପାଶୋରି ପକାଇଲେ ।

 

ଫ୍ରାନ୍‍ସ ରାଜନୈତିକ ଆକାଶରେ ମେଘ ଖଣ୍ଡ ଭାସି ଭାସି ଚାଲି ଯାଇଛି । ଡିକ୍ ଟେଟରୀ ଅବସ୍ଥାର ମଧ୍ୟ ଅବସାନ ଘଟିଛି ।

 

ନେପୋଲିୟନ ଫ୍ରାନ୍‍ସର ସମ୍ରାଟ । ଜୋଶେଫାଇନ ସାମ୍ରାଜ୍ଞୀ ।

 

ସମ୍ରାଟ ନେପୋଲିୟନ ଆଉ ଏକକମନା ନୁହନ୍ତି । ଜୋଶେଫାଇନ ସାମ୍ରାଜ୍ଞୀ ସତ...ହେଲେ ନେପୋଲିୟନ ବହୁ ବଲ୍ଲଭା ।

 

ପ୍ୟାରିସ୍‍ର ସୁନ୍ଦରୀ ତରୁଣୀ ସମ୍ରାଟଙ୍କୁ ଦେହ ଦେଇ ଅମାପ ଆନନ୍ଦ ପାଇବାପାଇଁ ବ୍ୟଗ୍ର । ପ୍ରାଚୁର୍ଯ୍ୟ ପ୍ରେମ ପାଥେୟ ହୋଇ ଉଠିଛି ସମ୍ରାଟଙ୍କର ।

 

ପ୍ରେମ ପ୍ରାର୍ଥିନୀ ଅଭିନେତ୍ରୀ ଗ୍ରାସିନୀର କଥା ମନେ ପଡ଼ିଛି । କି ଆଗ୍ରହ ତା’ର... ।

 

ପୁଣି ଇଟାଲୀ ଯାତ୍ରା ।

 

ଜୋଶେଫାଇନ ! ସାମ୍ରାଜ୍ଞୀଙ୍କ ଉପସ୍ଥିତିରେ ଅଭିନେତ୍ରୀ ସୁଗାୟିକା ପ୍ରେମିକାର ହାତ ଟାଣି ଟାଣି ନେଇଗଲେ ସଂଲଗ୍ନ କକ୍ଷକୁ...ତା’ର ପ୍ରେମ ପିପାସା ମେଣ୍ଟାଇବା ପାଇଁ ।

 

ଜୋଶେଫାଇନ ନିର୍ବାକ୍...ସମ୍ରାଟଙ୍କ ବେପରୁଆ ପ୍ରେମ ଲୀଳାରେ ଜର୍ଜରିତା । ପ୍ରତିବାଦ କରିବାର ସାହସ ନାହିଁ ।

 

ଜୋଶେଫାଇନ କ’ଣ ସମ୍ରାଟଙ୍କ ଐଶ୍ୱର୍ଯ୍ୟରେ ସାମ୍ରାଜ୍ଞୀ ହୋଇ ଆତ୍ମସନ୍ତୋଷ ପାଇପାରିଲେ ନାହିଁ ।

 

ଷୋଡ଼ଶ ବୟସୀ ଅଭିନେତ୍ରୀ ମାଦାଦୋୟା ଜର୍ଜ, ନେପୋଲିୟନଙ୍କ ଜୀବନକୁ ଅଭିନବ ପ୍ରେମ ବିଳାସରେ ପୁଷ୍ପିତ କରି ତୋଳିଲା ।

 

ପ୍ରଥମ ରାତ୍ରୀ, ଦ୍ଵିତୀୟ ରାତ୍ରୀ ନେପୋଲିୟନଙ୍କ ଶୟନ କକ୍ଷରେ ଜର୍ଜ ନିଜକୁ ଭିନ୍ନକରି ରଖିଲେ, ହେଲେ ତୃତୀୟ ରାତ୍ରୀରେ ସେ ନିଜକୁ ଅଲଗା କରି ରଖିପାରିଲେ ନାହିଁ ।

 

ତା’ପରେ ପ୍ରତ୍ୟହ ନେପୋଲିୟନ ପ୍ରେମିକାକୁ ଅପରୂପ ବେଶରେ ସଜାଇ ଦିଅନ୍ତି । ବିଛଣା ନିଜ ହାତରେ କରି ଷୋଡ଼ଶୀକୁ ଅବଲୁଣ୍ଠିତ କରି ପ୍ରେମ ଲୀଳାର ଅସରନ୍ତି ସୁଖରେ ମଜି ଯାଆନ୍ତି ।

 

ଶୟନ କକ୍ଷରେ ଲୁଚକାଳି ଖେଳରେ ଜର୍ଜଙ୍କୁ ଆନନ୍ଦ ଦେଇ ନିଜେ ପାଗଳଙ୍କ ପରି ବକ୍ଷ ଦେଶରେ ଅନନ୍ତକାଳ ପାଇଁ ବାନ୍ଧି ରଖିବାର ଅଭିନୟ କରନ୍ତି ।

 

ଏତେ ଭଲ ପାଇବା କ’ଣ ବ୍ୟର୍ଥ ହୁଏ ? ଅଦୃଷ୍ଟ ଶକ୍ତିର ଅଭିଶାପରେ ୟେ ପ୍ରେମ ମଧ୍ୟ ତୁଟିଗଲା ।

 

ଦିନେ ନେପୋଲିୟନ ଜର୍ଜଙ୍କୁ ବିଛଣାରେ ଶୋଇରଖି ରଙ୍ଗରସରେ ମଜିଥିଲେ । ହଠାତ୍ ସମ୍ରାଟ ଅସୁସ୍ଥ ହୋଇ ପଡ଼ିଲେ । ଅସୁସ୍ଥତା ବଢ଼ିଚାଲିଲା । ଜର୍ଜ ଭୟଭୀତ ହୋଇ ଚିତ୍କାର କଲେ ।

 

ପ୍ରାସାଦର ଦାସଦାସୀ କବାଟ ପାଖରେ ରୁଣ୍ଡ ହୋଇଗଲେ । ଜୋଶେଫାଇନ ଆସି ପହଞ୍ଚିଗଲେ ।

 

ଏହି ଗୁପ୍ତପ୍ରଣୟ ରାଜଧାନୀରେ ଆଉ ଅବିଦିତ ହୋଇ ରହିଲା ନାହିଁ ।

 

ନେପୋଲିୟନ ପରେ ପରେ ଜର୍ଜ ସହିତ ପ୍ରଣୟ ତୁଟାଇଦେଲେ ।

 

ଜୋଶେଫାଇନ କୁଟିଳ ହସ ହସି ସମ୍ରାଟଙ୍କର ଏହି ପ୍ରଣୟପାଇଁ ସମାଲୋଚନା କରି ବସିଲେ ।

 

ଜୋଶେଫାଇନ ସମ୍ରାଟଙ୍କ ପ୍ରତି କ୍ରମେ କ୍ରମେ ବିମୁଖ ହୋଇ ପଡ଼ିଲେ । ହୃଦୟର ସମ୍ପର୍କ ଭିନ୍ନ ହେବାପରେ ଲୋକଦେଖାଣିଆ ସମ୍ପର୍କ ଥାଇ ଲାଭ କ’ଣ ?

 

ମଣିଷ ମରଣଶୀଳ । ସମ୍ରାଟଙ୍କର ସନ୍ତାନ ସନ୍ତତି କିଛି ନାହିଁ, ସମ୍ରାଟଙ୍କ ପରେ କିଏ ସିଂହାସନ ଅଧିକାର କରିବ ? ତେଣୁ ଦ୍ଵିତୀୟବାର ତାଙ୍କୁ ବିବାହ କରିବାକୁ ହେବ । ଜୋଶେଫାଇନ ଥାଉଁଥାଉଁ ଆଉଥରେ ବିବାହ କରିବା ରୁଚିକର, ସୁନ୍ଦର ହେବନାହିଁ ।

 

ଏଇ କଥା ଜୋଶେଫାଇନଙ୍କୁ ସମ୍ରାଟ ବୁଝାଇ ଦେଲେ ।

 

ଜୋଶେଫାଇନଙ୍କର ମନ ଭାଙ୍ଗିଯାଇଥିଲା । ତେଣୁ ଦୁହେଁ ଅଲଗା ହେବାପାଇଁ ନିଷ୍ପତ୍ତି ଗ୍ରହଣ କଲେ ।

 

ବିବାହ ବିଚ୍ଛେଦ ଘଟିଲା ୧୮୦୯ ମସିହା ଡିସେମ୍ବର ୯ ତାରିଖରେ ।

 

ଜାନୁଆରୀ ୧୦ ତାରିଖରେ ପ୍ରସାଦରେ ଗୋଟିଏ ବିଶେଷ ସଭା ଡକାଗଲା । ଅଷ୍ଟ୍ରିଆ ରାଜକୁମାରୀଙ୍କ ସଙ୍ଗେ ବିବାହ ହେବାପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା ।

 

ଅଷ୍ଟ୍ରିଆର ସମ୍ରାଟ ଆନନ୍ଦରେ ଏହି ପ୍ରସ୍ତାବରେ ରାଜିହେଲେ । ଅଷ୍ଟାଦଶବର୍ଷିୟା ରାଜକୁମାରୀ ମେରିୟା ଲୁଇସର ନେପୋଲିୟନଙ୍କର ବୀରତ୍ଵରେ ପ୍ରଲୁବ୍‍ଧ । ୧୮୧୦ ମସିହା ମଇ ୧୧ ତାରିଖ । ଭିଏନାରେ ବିବାହ ସମ୍ପନ୍ନ ହେଲା । ଅବଶ୍ୟ ନେପୋଲିୟନ ଉପସ୍ଥିତ ନଥିଲେ-

 

ରାଜକୀୟ ବିବାହରେ ପାତ୍ର ଅନୁପସ୍ଥିତିରେ ବିବାହ ହୋଇଥାଏ । ସମ୍ରାଟ ପ୍ରାସାଦରେ ସାମ୍ରାଜ୍ଞୀଙ୍କୁ ପାଛୋଟି ନେବାପାଇଁ ଉଦ୍‍ବିଗ୍ନ ହୋଇ ଉଠିଲେ । ସାମାନ୍ୟ ବିଳମ୍ବ ସହି ନ ପାରି ମଝି ବାଟରେ ଯାଇ ମେରିୟାଙ୍କୁ ଭେଟିଲେ ।

 

ପୂର୍ବରୁ କେହି କାହାରିକୁ ଦେଖି ନାହାନ୍ତି ।

 

ପ୍ରଥମ ଦେଖାରେ ନେପୋଲିୟନ ମେରିୟାଙ୍କର ଅପୂର୍ବ ରୂପଲାବଣ୍ୟରେ ସ୍ତବ୍ଧ ହୋଇ ଉଠିଲେ ।

 

ମେରିୟା ମଧ୍ୟ । ସେ କହିଲେ, ‘‘ସମ୍ରାଟ ! ଆପଣଙ୍କର ଚିତ୍ର ମୁଁ ଦେଖିଛି । ହେଲେ, ଚିତ୍ରରେ ଆପଣଙ୍କ ଚେହେରା ଠିକ୍ ଭାବରେ....”

 

ନେପୋଲିୟନ ଅଳ୍ପ ହସି କହିଲେ,–ସାମ୍ରାଜ୍ଞୀ, ସେ ଅପରାଧ ଚିତ୍ରକରର, ମୋର ନିଶ୍ଚୟ ନୁହେଁ...

 

ଏଇ ଆଳାପନରେ ଦୁହେଁ ଆତ୍ମହରା ହୋଇ ପଡ଼ିଥିବେ ନିଶ୍ଚୟ...

☆☆☆

 

ମିହିରୁନିସା

 

ଆକବର ବାଦଶାହଙ୍କ ହାରେମ୍‍ । ସନ୍ନିକଟସ୍ଥ ପ୍ରାଙ୍ଗଣରେ ଲଳନାମାନଙ୍କର ମିନାବଜାର ।

 

ଆଲୋକମାଳାର ମହାମହୋତ୍ସବ ।

 

ବର୍ଣ୍ଣ ବିଭବର ପ୍ରାଚୁର୍ଯ୍ୟତା ଯେପରି ଅଳକାପୁରୀକୁ ଟପି ଯାଇଛି ।

 

ନାରୀ ପ୍ରାଧାନ୍ୟ ପ୍ରମିଳା ରାଜ୍ୟର ଯେପରି ଏକ ରୂପାନ୍ତର...। ନୂତନ ସଂସ୍କରଣ ।

 

ରାଜ୍ୟର ବଛାବଛା ପ୍ୟୁପଲ ରୂପବତୀ କୁମାରୀୟେ ଦୋକାନ ମେଲି ବସିଛନ୍ତି ।

 

କ୍ରେତାମାନେ ମଧ୍ୟ ତାଙ୍କ ଦଳରେ...

 

ସୌନ୍ଦର୍ଯ୍ୟ ଓ ପ୍ରାଚୁର୍ଯ୍ୟତାରେ କଣ୍ଠରୁଦ୍ଧ ହୋଇଯାଏ । ସେମାନଙ୍କର ଖିଲି ଖିଲି ବେପରବାୟ ହସର ଲହରୀ ପୁରୁଷମାନଙ୍କର ଆଧିପତ୍ୟକୁ ଉପହାସିତ କରି କେଉଁ ଦୂରକୁ ଫିଙ୍ଗି ଦେଇଛି ।

 

ପୁରୁଷମାନଙ୍କର ମିନାବଜାରରେ ପ୍ରବେଶ ନିଷେଧ...

 

ହେଲେ, ଯୁବରାଜ ଆଉ ସମ୍ରାଟ ଆକବରଙ୍କ ପାଇଁ ସବୁ ବ୍ୟତିକ୍ରମ ।

 

ସମ୍ରାଟ ଆକବର ଆଉ ସେଲିମଙ୍କୁ ମିନାବଜାର ବୁଲିଯିବା ପାଇଁ ପଟମହିଷୀ ଯୋଧବାଈ ନିମନ୍ତ୍ରଣ ଦେଇଛନ୍ତି ।

 

ଯୋଧବାଈ ଛିଡ଼ାହୋଇ ଗୋଟିଏ ମୁକ୍ତାମାଳ ପରୀକ୍ଷା କରି ଦେଖୁଥିଲେ । ଅଦୂରରେ ଅନ୍ୟତମ ମହିଷୀ ସାଲିମା ଅପେକ୍ଷା କରି ରହିଥିଲେ ସତେଅବା ଆଉ କାହାର ଉଦ୍ଦେଶ୍ୟରେ.... ।

 

ସାଲିମାଙ୍କର ସ୍ଵତନ୍ତ୍ର ନିମନ୍ତ୍ରଣ ପାଇଁ ମୀର୍ଜାଗିୟାସ ବେଗ୍ ତାଙ୍କ ଝିଅ ମିହିରୁନିସାଙ୍କୁ ନେଇ ସେଠି ପହଞ୍ଚିଗଲେ ।

 

ସାଲିମା ଆଗେଇ ଯାଇ ଝିଅଟିକୁ ଆଲିଙ୍ଗନ କରି କହିଲେ “ଏଇ ତେବେ ତମ ଝିଅ ମିହିରୁନିସା ।”

 

ମୀର୍ଜାବେଗ୍ ଈଷତ୍ ହସି ଅଙ୍ଗୀକାର ଭାଙ୍ଗିଲେ ଉତ୍ତର ଦେଲେ ।

 

“ରୂପଲାବଣ୍ୟରେ ତମ ଝିଅ ଅଦ୍ଵିତୀୟା ରୂପସୀ !”

 

ସାଲିମା ମିହିରୁନିସା ଚିବୁକରେ ଆଶୀର୍ବାଦ ସଂକେତ ଦେଇ ପାଟମହିଷୀ ଯୋଧବାଈଙ୍କ ସଙ୍ଗରେ ପରିଚୟ କରାଇଦେଲେ ।

 

ମିହିରୁନିସା ଯୋଧବାଈଙ୍କୁ ଆଶୀର୍ବାଦ ମାଗିଲେ ।

 

ଯୋଧବାଈ କୋଳାଗ୍ରତ କରୁ କରୁ ଥମି ରହିଗଲେ । ସତେ ତ ! ମିନାବଜାରରେ ରୁଣ୍ଡ ହୋଇଥିବା ସୁନ୍ଦରୀମାନଙ୍କ ଭିତରେ ମିହିରୁନିସା ମଉଡ଼ମଣି ।

 

ମାର୍ବଲ ଧଳାରଙ୍ଗ ଦେହର କାନ୍ତି ! ଚମ୍ପା କଢ଼ିପରି ଧଳା ଧଳା ଆଙ୍ଗୁଠି । ଲାଲ ଟହଟହ ଉଠରେ ହସ ଲାଗିରହିଛି । ତୀକ୍ଷ୍ଣ ନାସିକା ଉପରେ ଭ୍ରମର ରଙ୍ଗର ଭ୍ରୂଲତା । ଆଜାନୁଲମ୍ବିତ କେଶଗୁଚ୍ଛ । ଓଃ ! ଏତେ ଘନ କେଶ ତ କେବେ ସମ୍ଭବ ନୁହେଁ...

 

ବିଧାତା କ’ଣ ସବୁ ସୁନ୍ଦର ଉପାଦାନଗୁଡ଼ିକୁ ବାଛି ବାଛି ମିହିରୁନିସାକୁ ଗଢ଼ିଛନ୍ତି !

 

ରାଜମହିଷୀମାନଙ୍କର ତାରିଫର ମିହିରୁନିସାଙ୍କର ଚଞ୍ଚଳ ରକ୍ତିମ ଅଧର ଆହୁରି ଆରକ୍ତ ହୋଇ ଉଠିଲା ! ସତେ, ସେ କ’ଣ ଏତେ ସୁନ୍ଦର ! ମନ ହେଲା, ଦଉଡ଼ି ଯାଇ, ଆଇନା ଆଗରେ ତାଙ୍କ ରୂପ ବିଭବ ସେ ନିଜେ ପରୀକ୍ଷା କରି ଦେଖି ନେବେ ।

 

ହଠାତ୍‍ ମିନାବଜାର ଲଲନାମାନଙ୍କର ମଧୁଗୁଞ୍ଜନରେ ଗୁଞ୍ଜରିତ ହୋଇ ଉଠିଲା...“ଯୁବରାଜ ସେଲିମ୍... ।”

 

ଯୁବରାଜ ସେଲିମ୍‍ଙ୍କୁ ପାଛୋଟି ଆଣିବାକୁ ସାଲିମା ଆଗେଇ ଗଲେ । ସାଲିମା, ଯୁବରାଜ ସେଲିମ୍‍ଙ୍କର ଅତିପ୍ରିୟା ଅତି ଆପଣାର ।

 

ସେଲିମ୍ ମାତା ଯୋଧବାଈଙ୍କଠାରୁ ସାଲିମା ପ୍ରତି ବିଶେଷ ଆନୁଗତ୍ୟ ପ୍ରକାଶ କରନ୍ତି ।

 

ସେଲିମ୍‍ଙ୍କର ଯୁବଚଞ୍ଚଳ ଆଖି କ୍ଷୀପ୍ର ଭାବରେ ଅନ୍ଵେଷଣୀ ହୋଇ ଉଠିଛି ।

 

ଅନତିଦୂରରେ ମିହିରୁନିସା... । ସେଲିମ୍‍ଙ୍କର ଆଖି ପଡ଼ିଯିବାମାତ୍ରେ ସେଲିମାଙ୍କ କହିଲେ, ‘‘ମା’ ! ଚମତ୍କାର ମାର୍ବଲ ଷ୍ଟାଚ୍ୟୁ ସତେ ! ଚମତ୍କାର ।’’

 

“ମାର୍ବଲ ଷ୍ଟାଚ୍ୟୁ ? କାହିଁ ? କେଉଁଠି ?” ମାଲିମା ହସି ଉଠିଲେ ।

 

“ଭୁଲ ହୋଇଗଲା ମା’ !”

 

ମୃଦୁ ପବନରେ ପଣତ କାନି ଉଡ଼ିବା ଦେଖି କଳ୍ପନା ବିଳାସୀ ସେଲିମ୍‍ଙ୍କର ଭ୍ରମ ତୁଟିଗଲା ।

 

“ମା’, ସେ ଝିଅଟିର ପରିଚୟ ?” ପଚାରୁ ପଚାରୁ ସେଲିମ୍ ମିହିରୁନିସା ପାଖକୁ ଆଗେଇ ଗଲେ ।

 

ସମ୍ରାଟଙ୍କ ଆସିବାର ସଂକେତ ପାଇ ଯୋଧବାଈ ସୋଲିମାଙ୍କୁ ସାଙ୍ଗରେ ନେଇ ଅଭ୍ୟର୍ଥନା କରିବାପାଇଁ ଚାଲିଗଲେ ।

 

ସେଲିମ୍ ମିହିରୁନିସାଙ୍କ ଆଡ଼େ ସ୍ତମ୍ଭିତ ଭାବରେ ଅନାଇ ରହିଲେ । କେତେ ପ୍ରଶ୍ନ କଲେ-। ମିହିରୁନିସା କୌଣସି ଉତ୍ତର ଦେଲେ ନାହିଁ ।

 

ବ୍ୟଥିତ ହେଲେ ଭାବୀ ସମ୍ରାଟ... ।

 

ଆକବର ବାଦଶାହା ବିଜେ କରିଛନ୍ତି । ମିହିରୁନିସା ଆଉ ମୀର୍ଜାଗିୟାସ୍ ବେଗ୍ ବାଦଶାହାଙ୍କୁ ସମ୍ମାନ ଜଣାଇବା ପାଇଁ ଆଗେଇ ଗଲେ ।

 

ସେଲିମ୍ ହୃଦୟରେ ଗୋଟିଏ ପ୍ରଶ୍ନ । ଉତ୍ତର ନ ଦେଇ ଏମିତି ଭାବରେ ଚାଲିଗଲା ।

 

ଭାବୀ ସମ୍ରାଟ ସ୍ଵପ୍ନରେ ମଧ୍ୟ ଭାବି ନଥିଲେ ।

 

ଆହତ ମନ ନେଇ ଫେରି ଆସିଲେ ସେଲିମ୍ ନିଜ ଶୟନ କକ୍ଷକୁ ।

 

ମନରେ ଗୋଟିଏ ପ୍ରଶ୍ନ । ଅପୂର୍ବ ରୂପ ସମ୍ଭାର ନେଇ ମିନାବଜାରରେ କିଏ ସେ ତରୁଣୀ ଆସିଥିଲା । କାହିଁକି ତାଙ୍କୁ ଏମିତି ଭାବରେ ଲୁଣ୍ଠିତ କରି ଚାଲିଗଲା । ସମଗ୍ର ମୋଗଲ ସାମ୍ରାଜ୍ୟ ପାଇବାର ଆଶା ତାଙ୍କୁ ଆଉ ଲୋଭିଲା କରି ରଖିପାରିଲା ନାହିଁ ।

 

ବିଛଣାରେ ପଡ଼ିରହି ଆକାଶପାତାଳ କେତେକଅଣ ଭାବିଲେ ।

 

ଭୃତ୍ୟମାନେ ଯୁବ ସମ୍ରାଟଙ୍କ ମତିଗତିରେ ପ୍ରମାଦ ଗଣି ବସିଲେ ।

 

ହଠାତ୍ ଭାବୀ ସମ୍ରାଟ ମିନାବଜାର ନ ଦେଖି ଫେରି ଆସିବାର କାରଣ ଖୋଜି ପାଇଲେ ନାହିଁ । ହେଲେ, ସାହସ କରି କେହି ପଚାରି ପାରିଲେ ନାହିଁ ।

 

ତରୁଣୀକୁ ଭୁଲିଯିବା ପାଇଁ ମୂଲ୍ୟବାନ ସୁରାପାତ୍ରରେ ସୁରାଢ଼ାଳି ପିଇବାକୁ ଆରମ୍ଭ କରିଛନ୍ତି ସେଲିମ୍ ।

 

ଏମିତି ମାନସିକ ଅବସ୍ଥାରେ ସୁରାପାନ ଆରମ୍ଭ ହୋଇଛି । ପରିଚାରକମାନେ ପ୍ରମାଦ ଗଣିଲେ ।

 

କିଛି ସମୟ ପରେ ଆଦେଶ ହେଲା ହାରେମ୍‍ର ପରିଚାରକ ରାୟସନଙ୍କୁ ଆସିବାକୁ ଖବର ଦିଅ ।

 

ସେଲିମ୍‍ଙ୍କ ଆଦେଶ ଯଥାସମୟରେ ରାୟସନଙ୍କୁ ଜଣାଇ ଦିଆଗଲା ।

 

ରାଜବାଟୀର ବିଶ୍ଵସ୍ତ ହିନ୍ଦୁ ପରିଚାରକ ରାୟସନ ।

 

ବଳିଷ୍ଠ ବପୁ । ସୁଦର୍ଶନ ଯୁବକ । ଯୁବସମ୍ରାଟଙ୍କ ଏକାନ୍ତ ଅନୁଗତ ରାୟସନଙ୍କୁ ସୁନ୍ଦରୀର ପରିଚୟ ପଚାରିଲେ । ତା’ର ସମସ୍ତ ବିବରଣୀ ଆଣିଦେବାକୁ ଆଦେଶ କଲେ ।

 

ରାୟସନ ଫେରିଗଲେ ।

 

ସେଲିମ୍ ଆବେଗ ଉତ୍କଣ୍ଠାରେ ଅପେକ୍ଷା କରି ବିଛଣାରେ ପଡ଼ିରହି ତରୁଣୀର ରୂପଲାବଣ୍ୟରେ ଉତ୍କଣ୍ଠିତ ହୋଇ ଉଠୁଥାଆନ୍ତି ।

 

ଠିକ୍ ସମୟରେ ରାୟସନ ଆସି ଖବର ଦେଲା । ତା’ ମୁହଁରେ ଉଲ୍ଲାସର ଢେଉ । ଭାବୀ ସମ୍ରାଟଙ୍କ ଚିତ୍ତକୁ ଯେ ଜୟ କରିଛି ସେ ବିଜୟିନୀ ହେଉଛନ୍ତି ମିହିରୁନିସା !

 

ମୀର୍ଜାଗିୟାସବେଗ୍‍ଙ୍କର କନ୍ୟା ! ପାରସ୍ୟର ସେ ଲୋକ । ବର୍ତ୍ତମାନ ଅବସ୍ଥିତ ହିନ୍ଦୁସ୍ଥାନରେ । ହିନ୍ଦୁସ୍ଥାନକୁ ଆସିବା ଓ ମିହିରୁନିସାଙ୍କର ଜନ୍ମ ବୃତ୍ତାନ୍ତ ପୁଲକିତ ଭାବରେ ଶୁଣୁଥାନ୍ତି ସେଲିମ୍ ।

 

ପାରସ୍ୟରେ ବଞ୍ଚି ରହିବାର ପାଥେୟ ସଂଗ୍ରହ କରିବାରେ ଅପାରଗ ହେବାରୁ ମୋଗଲ ଦରବାରରେ କୌଣସି ଏକ ନିଯୁକ୍ତି ପାଇବାର ଆଶାରେ ନିଜର ଜନ୍ମଭୂମି ଛାଡ଼ିଆସିଲେ । ସାଙ୍ଗରେ ଆସନ୍ନପ୍ରସବା ସ୍ତ୍ରୀ । ଆସିବା ବାଟରେ କାନ୍ଦାହାର ମରୁଭୂମିରେ ମିହିରୁନିସାର ଜନ୍ମ ।

 

ବଞ୍ଚି ରହିବାର ଅନ୍ନସଂସ୍ଥାନ ଯାହାର ନାହିଁ, ମରୁଭୂମିରେ କନ୍ୟାରତ୍ନଟିଏ ପାଇବାର ଆନନ୍ଦ ତାଙ୍କର ନଥିଲା ।

 

ଅନ୍ନଚିନ୍ତା ଚମତ୍କାର ।

 

ଆଗରେ ଅସରନ୍ତି ବାଟ । ପଛରେ ବହୁତ ଦୂରରେ ଜନ୍ମମାଟି । ଅତୀତର ଗୌରବ ନାହିଁ । ଭବିଷ୍ୟତ ଘନ ଅନ୍ଧକାର । ଜୀବନ ମରଣ ଦ୍ଵନ୍ଦ୍ୱରେ ଯେ ମ୍ରିୟମାଣ, ନିଜ ଜୀବନର ଯେଉଁଠି ଆଶା ନାହିଁ, ନୈରାଶ୍ୟର ଛିଟା ନେଇ ଯେ ଆଗେଇ ଯିବାକୁ ଚାହେଁ, ସେ କିପରି ଝିଅଟିପାଇଁ ପ୍ରଲୁବ୍‍ଧ ହେବ ?

 

ବହୁ ଆଲୋଚନା ପରେ ସ୍ତ୍ରୀକୁ ପ୍ରବର୍ତ୍ତାଇଲେ । ମା’ର କାନ୍ଦ, ଶୋଚନା ସବୁ କିଛି ଜଳାଞ୍ଜଳି ଦେଇ ଗିୟାସ ବେଗ୍‍ଙ୍କ ଆଦେଶରେ ନବଜାତ ଶିଶୁଟିକୁ ପଛରେ ପକାଇ ଦେଇ, ଗିୟାସ ବେଗ୍ ପତ୍ନୀଙ୍କୁ ସାଙ୍ଗରେ ନେଇ ମରୁଭୂମି ଅତିକ୍ରମ କରି ଆଗେଇ ଚାଲିଲେ ।

ହେଲେ, ଈଶ୍ଵରଙ୍କ କୃପା ଅପାର । ସଦ୍ୟଜାତ କନ୍ୟାଟିକୁ ଛାଡ଼ି ଆସିବା ବାଟରେ କିଛି ସମୟ ପରେ, ଜଣେ ବଣିକ ଅତିକ୍ରମ କରୁଥିଲେ...ହଠାତ୍ ଦେଖିଲେ ଏକ ବିରାଟ ନାଗସାପ ଆଗରେ ଫଣାଟେକି ଅନେଇ ରହିଛି ।

ବଣିକଟି ଆଗେଇ ଯିବାକ୍ଷଣି ସର୍ପଟି ଅନ୍ତର୍ଦ୍ଧାନ ହୋଇଗଲା । ଦେଖିଲେ, ସ୍ଵର୍ଣ୍ଣବର୍ଣ୍ଣ–ଜିଣି ଏକ ନବଜାତ ଶିଶୁ...ବଣିକ ଆଚମ୍ବିତ ହେଲେ । କନ୍ୟାଟିକୁ କୋଳକୁ ଆଣି ଓଟ ପିଠିରେ ଆଗେଇ ଚାଲିଲେ ।

ଛୁଆଟିକୁ ସିନା ଉଠେଇ ଆଣିଲେ, ବଞ୍ଚାଇବେ କେମିତି ? ଏକ ଜଟିଳ ସମସ୍ୟା ।

ହୀରା, ନୀଳା, ମୋତି, ମାଣିକ ଦେଇ କ’ଣ ତାକୁ ବଞ୍ଚେଇ ହେବ ? ମରୁଭୂମିରେ ଛୁଆଟିକୁ ବଞ୍ଚେଇବେ କେମିତି ?

ଅନ୍ନଜଳ ଅଭାବରେ ଗିଆସ୍ ପତ୍ନୀ ମରଣନ୍ତୁଦ ଯନ୍ତ୍ରଣା ପାଇ ଆଗରେ ଆଶ୍ରୟ ନେଇଥିଲେ ।

ବଣିକକୁ ଦେଖି ଅନ୍ନ ଭିକ୍ଷା କରିବାପାଇଁ ସପତ୍ନୀକ ଗିଆସ୍‍ ବଣିକଙ୍କର ଶରଣପ୍ରାର୍ଥୀ ହେଲେ ।

 

ବଣିକ ନିଜର ଆବଶ୍ୟକତା ପାଇଁ ସେମାନଙ୍କୁ ଆଶ୍ରୟ ଦେବା ସଙ୍ଗେ ସଙ୍ଗେ ଗିଆସ୍‍ ପତ୍ନୀଙ୍କ କୋଡ଼କୁ ନବଜାତ କନ୍ୟାକୁ ଟେକିଦେଇ, ଦୀର୍ଘନିଃଶ୍ଵାସ ମାରିଲେ ।

 

ଗିଆସ୍‍ ପତ୍ନୀ କନ୍ୟାଟିକୁ ଫେରି ପାଇଲେ ବୋଲି ଆଲ୍ଲାଙ୍କୁ ଶତ ଶତ ପ୍ରଣତି ଜଣାଇଲେ ।

 

ଧାତ୍ରୀମାତା ଯେ ପ୍ରକୃତରେ ସନ୍ତାନଟିର ମା’, ଆଗ୍ରାରେ ପହଞ୍ଚି ଜାଣିବା ପରେ ସଉଦାଗରଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

ସଉଦାଗରଙ୍କର ସାହାଯ୍ୟରେ ଗିଆସ୍ ମୋଗଲ ଦରବାରରେ ରାଜସ୍ୱ ବିଭାଗରେ ଉଚ୍ଚ ପଦରେ ନିଯୁକ୍ତି ପାଇଲେ । ତାଙ୍କର ସ୍ତ୍ରୀ ମଧ୍ୟ ସାଲିମାଙ୍କର ଅତି ପ୍ରିୟତମ ପାର୍ଶ୍ଵଚାରୀକା ହିସାବରେ ନିଯୁକ୍ତି ପାଇଲେ ।

 

ଗିଆସ୍‍ଙ୍କର ପରମାସୁନ୍ଦରୀ ସ୍ୱାସ୍ଥ୍ୟବତୀ, ଭାଗ୍ୟବତୀ ଅଲିଅଳ ଝିଅ ମିହିରୁନିସା...

 

ମନ୍ତ୍ରମୁଗ୍ଧ ପରି ସେଲିମ୍ ମିହିରୁନିସାଙ୍କର ଜୀବନ ପରିଚୟ ଓ ଜୀବନ ବୃତ୍ତାନ୍ତ ଶୁଣିସାରିବା ପରେ ଦୀର୍ଘନିଃଶ୍ଵାସ ପକାଇଲେ ।

 

ଧନ୍ୟବାଦ ଜଣାଇଲେ ସେଲିମ୍ । ଆତ୍ମସନ୍ତୋଷ ପାଇ ଫେରିଗଲା ରାୟସନ ।

 

ହଠାତ୍ ଯାଇ ସାହାଜାଦା ଗିଆସ୍‍ଙ୍କ କୋଠିରେ ପହଞ୍ଚିଲେ ।

 

ଗିଆସ୍ ପତ୍ନୀ ଚକିତ । ଭାବୀ ସମ୍ରାଟଙ୍କର ଅପାର କୃପାପାଇଁ କୃତଜ୍ଞତା ଜଣାଇଲେ ଗିଆସ୍‍ ଦମ୍ପତି ।

 

ସ୍ଵପ୍ନର ଜାଲ ଘେରା, ଐନ୍ଦ୍ରାଜାଲିକ ମିହିରୁନିସାର ସୌନ୍ଦର୍ଯ୍ୟରେ ସେ ଆତ୍ମହରା ହୋଇ ଉଠିଛନ୍ତି ।

 

ଏତେ ସୌନ୍ଦର୍ଯ୍ୟ ଯେବେ ସଚରାଚର ପୃଥିବୀରେ ସମ୍ଭବ ହୁଏ, ସମ୍ରାଟ ହୋଇ ସେ ଏମିତି ଐଶ୍ୱର୍ଯ୍ୟର ଅଧିକାରୀ ହୋଇ ପାରିବେ ନାହିଁ ?

 

ମତୁଆଲି ମନ ଅଧୀର ହୋଇ ଉଠିଲା ।

 

କାହାକୁ କହିବେ ସେ ମନକଥା ! ପ୍ରାସାଦକୁ ଫେରିଆସିବାକୁ ସତେ ଯେମିତି ମନ ହେଉ ନଥିଲା ।

 

ମନରେ ଦ୍ଵନ୍ଦ୍ୱ ।

 

ସାମ୍ରାଜ୍ଞୀ ମାତା ଯେବେ ତାଙ୍କ ପ୍ରସ୍ତାବରେ କ୍ଷୁଣ୍ଣ ହୁଅନ୍ତି !!! ନା, ନା, ସେ ନିଜର ମନକଥା ସାଲିମାଙ୍କୁ ଜଣାଇବେ ! ବିମାତା ହେଲେ କ’ଣ ହେବ ? ତାଙ୍କର ଅକୃତ୍ରିମ ସ୍ନେହ, ପ୍ରାଣଭରା ସ୍ନେହ ସେଲିମ୍‍ଙ୍କୁ ଏକାନ୍ତ ଅନୁଗତ କରି ରଖିଥିଲା ।

 

ଶେଷରେ ସାଲିମାଙ୍କ ପ୍ରାସାଦରେ ପହଞ୍ଚିଲେ ସେଲିମ୍ ।

 

ବିଦୁଷୀ ସାଲିମା ସେତେବେଳେ ରୁବାୟତ ରଚନାରେ ଆତ୍ମହରା ହୋଇ ଉଠିଥିଲେ । ଅସମୟରେ ସେଲିମ୍‍ଙ୍କୁ ଦେଖି ବିସ୍ମିତ ହୋଇ ପାଛୋଟି ନେଇ ପଚାରିଲେ...

 

“ବେଟା...ୟେ ଅସମୟରେ...”

 

“ମା’, ତମ ପାଖକୁ ଏକ ଜରୁରୀ ଦରଖାସ୍ତ ନେଇ ଆସିଛି ।”

 

“ଦରଖାସ୍ତ !”

 

“ହଁ, ଆପଣ କେବଳ ଆଶୀର୍ବାଦ କଲେ, ଏହା ସମ୍ଭବ ହୋଇ ପାରିବ...”

 

“ବିଷୟଟା କୁହ”

 

“ଆପଣଙ୍କର ପାର୍ଶ୍ଵଚାରୀକା, ଗିଆସ୍‍ ବେଗ୍‍ଙ୍କ ସ୍ତ୍ରୀ...

 

“ହୁଁ....”

 

“ସେ ଆପଣଙ୍କ କଥା ରଖିବ...ମୁଁ ତା’ର ଝିଅ ମିହିରୁନିସାକୁ ବିବାହ କରିବାକୁ ଚାହେଁ...-।”

 

“ଅତି ଉତ୍ତମ–ହେଲେ, ବାଦଶାହା ଆଉ ବଡ଼ମା’ଙ୍କର ମତ ଅନୁକୂଳ ହେବା ଉଚିତ...ଅବଶ୍ୟ ଝିଅଟି ଅନିନ୍ଦ୍ୟ ସୁନ୍ଦରୀ ଉଚ୍ଚ ବଂଶୀୟ...ସର୍ବଗୁଣ ସମ୍ପନ୍ନ...”

 

“ଅନେକ ଚିନ୍ତା କରି ଆପଣଙ୍କ ଉପରେ ସବୁ ଦାୟିତ୍ଵ ଦେଲି–ଆପଣ ଯାହା ଭାବିବେ କରିବେ...”

 

“ଆଶାବାଦୀ ହୁଅ ସେଲିମ୍ ! ମୋର ଆଶୀର୍ବାଦ ଅଛି । “ସାଲିମା କହିଲେ, ଈଷତ୍ ହସି ପୁଅକୁ ବିଦାୟ ଦେଲେ ।

 

ସାଲିମା ପରଦିନ ସକାଳେ ସାହାନ୍‍ଶାହା ଉଦ୍ୟାନ ପରିଭ୍ରମଣବେଳେ କଥାଟା ଉଠେଇବା ପାଇଁ ସ୍ଥିର କଲେ ।

 

ସମ୍ରାଟ ଆକବରଙ୍କ ବିଭିନ୍ନ କର୍ମବ୍ୟସ୍ତତାରୁ ଦୂରେଇ ଯାଇ ସକାଳେ ନିର୍ଜନରେ ବିଭିନ୍ନ ପଶୁ ପକ୍ଷୀ, ଗଛଲତା ସହିତ ପ୍ରାଣଭରି କଟାଇ ଦିଅନ୍ତି । ଉଦ୍ୟାନରୁ ଫେରିବାବେଳେ ତାଙ୍କ ମାନସିକ ଅବସ୍ଥା ଖୁବ୍ ଭଲ ଥାଏ ।

 

ସେଦିନ ନିତ୍ୟକର୍ମ ସାରି ପ୍ରାତଃ ଭୋଜନ ଶେଷକଲେ । ଯୋଧବାଈ ବେଶ ପରିପାଟୀ ଶେଷକରି ସାରିଥିଲେ । ସମ୍ରାଟ ଦରବାରକୁ ବିଜେ କରିବା ପୂର୍ବରୁ ସାଲିମା ଯାଇ ସେଠି ପହଞ୍ଚିଲେ-

 

“ଖୁବ୍ ଭାଗ୍ୟ...ବେଗମ୍ ସାହେବା । ସକାଳୁ, ସକାଳୁ...”

 

“ଆବଶ୍ୟକତା ଦୃଷ୍ଟିରୁ ସକାଳ ସନ୍ଧ୍ୟାର ପ୍ରଶ୍ନ କାହିଁ ?”

 

ହସିଲେ ସମ୍ରାଟ ! ଆହୁରି ହସିଲେ ଯୋଧବାଈ ।

 

“ଭାବୀ ସମ୍ରାଟଙ୍କର ଏକ ଅର୍ଜି ପେସ୍ କରିବା ଦାୟିତ୍ଵ ମୁଁ ନେଇଛି’’ । ସାଲିମା ହସି ହସି କହିଲେ ।

 

“ସେଲିମ୍‍ର ଅର୍ଜି ନଥିଲେ ବେଗମ୍ ସାହେବା, ଏତେ ତତ୍ପର ହୋଇ ନଥାନ୍ତେ–ନୁହେଁ” ଅଳ୍ପ ହସି, ପରିହାସ କଲେ ଯୋଧବାଈ ।

 

ସମ୍ରାଟ ପ୍ରସନ୍ନ ଦେଖାଗଲେ ।

 

“କଥାଟା କ’ଣ କି ? ସେଲିମ୍ ମିହିରୁନିସାକୁ ବିବାହ କରିବାପାଇଁ ଚାହୁଁଛି । ମିହିରୁନିସା...ରାଜସ୍ୱ ମନ୍ତ୍ରୀ ଗିଆସ୍‍ ବେଗ୍‍ଙ୍କ କନ୍ୟା...

 

ଯୋଧବାଈଙ୍କ ଆଡ଼କୁ କିଛି ସମୟ ଚାହିଁ ରହିଲେ ସମ୍ରାଟ ଆକବର ।

 

“ମିନାବଜାରରେ ମୁଁ ମଧ୍ୟ ଝିଅଟିକୁ ଦେଖିଛି, ଜାହାଁପନା ! ଅପୂର୍ବ ସୁନ୍ଦରୀ । ମନଲାଖି ଝିଅଟିଏ ଏକା...

 

ଆକବର ଦୁଇ ରାଣୀଙ୍କର କଥା ଶୁଣି ଆନନ୍ଦିତ ହେଲା ପରି କହିଲେ “ବେଗମ୍ ସାହେବା ଚାହୁଁଛନ୍ତି, ତମେ ଚାହୁଁଛ, ମୋର ଆପତ୍ତି କାହିଁକି ରହିବ ? ମୀର୍ଜାଗିଆସ୍‍ଙ୍କୁ ଖବର ଦିଅ ।

 

ଏ ସମ୍ବାଦ ପାଇ ଗିଆସ୍‍ଙ୍କ ପରିବାରର ଆତ୍ମୀୟ ସମସ୍ତେ ବିସ୍ମିତ ହୋଇ ପଡ଼ିଲେ ।

 

ମିହିରୁନିସା ଅବାକ୍ ।

 

ସାହାଜାଦା ତା’ ପ୍ରତି ଏତେ ଅନୁରକ୍ତ ! ମାତ୍ର ଥରେ ଦୁଇ ଥର ଦେଖା !

 

ସେ କ’ଣ ଏତେ ସୁନ୍ଦରୀ !!!

 

ଭାବୀ ସମ୍ରାଟ ଭିକ୍ଷା ଥାଳି ଧରି ତାଙ୍କ ପ୍ରଣୟପାଇଁ ଧାଇଁ ଆସିଛନ୍ତି ।

 

ହେଲେ, ଏହି କଳ୍ପନାତୀତ ଆନନ୍ଦକୁ ଆଗ୍ରହରେ ଗ୍ରହଣ କରିବାର ତା’ର ସୌଭାଗ୍ୟ ନଥିଲା ।

 

କାରଣ ବହୁ ପୂର୍ବରୁ ସେ ବାଗ୍‍ଦତ୍ତା !

 

ମୀର୍ଜାଗିଆସ୍‍ ଏହି ସମ୍ବାଦରେ ଆତଙ୍କିତ ହୋଇ ପଡ଼ିଲେ । ତାଙ୍କ ଝିଅ ହିନ୍ଦୁସ୍ଥାନର ରାଣୀ ହୋଇଯିବା ଆଶାରେ ସେ ଆଦୌ ଗୌରବାନ୍ଵିତ ବୋଧ କଲେ ନାହିଁ ।

 

ପାରସ୍ୟର ଆଲିକୁଲି ଖାଁଙ୍କ ସହିତ ମିହିରୁନିସାର ବିବାହ ସ୍ଥିର ହୋଇ ଯାଇଛି ।

 

ଆଲିକୁଲି ଖାଁ ଏକ ରୂପବାନ୍ ଯୁବକ । ସାହସୀ । ବୁଦ୍ଧିମାନ୍ । ବିଦ୍ଵାନ ମଧ୍ୟ ।

 

ଏହି ବିବାହର ସ୍ଵୀକୃତି ବହୁ ପୂର୍ବରୁ ସ୍ଥିର ହୋଇଥିବାରୁ ଧର୍ମ ଅନୁସାରେ ନୈତିକତା ଦୃଷ୍ଟିରୁ ଗିଆସ୍‍ ଏହି ବିବାହକୁ ଏଡ଼ି ଦେଇ ପାରିବେ ନାହିଁ ।

 

କିନ୍ତୁ... ।

 

ସମ୍ରାଟଙ୍କ ଅଭିଳାଷ ପୂରଣ ନହେଲେ, ମହାବିପଦ ।

 

ସମ୍ପଦ ଏକଆଡ଼େ ହାତ ଠାରି ସ୍ଵାଗତ କରିବାକୁ ଇଙ୍ଗିତ ଦେଉଛି । ଧର୍ମ ପଛ ଆଡ଼କୁ ଟାଣିନେଇ କହୁଛି, ‘‘ଐଶ୍ୱର୍ଯ୍ୟ କ୍ଷଣସ୍ଥାୟୀ–ବିବେକକୁ ଜଳାଞ୍ଜଳି ଦେଇ ଧନ ପଛରେ ଗୋଡ଼ାଇଲେ ଜୀବନସଂଗ୍ରାମରେ ଥକି ପଡ଼ିବ ।’’

 

ଧର୍ମରହିଁ ଜୟ, ପାପର କ୍ଷୟ ।

 

ଗିଆସ୍‍ଙ୍କ ମନ ଦବିଗଲା ।

 

ତେବେ ଉପାୟ !!!

 

ରାତିରେ ନିଦ ନାହିଁ ।

 

ଆଲିକୁଲିଖାଁଙ୍କ ହାତରେ ମିହିରକୁ ଟେକି ଦେଲେ ଯାଇ ରକ୍ଷା !

 

ହେଲେ ସମ୍ରାଟଙ୍କୁ କି ଖବର ଦେବେ ? ସମ୍ରାଟ କ’ଣ ତାଙ୍କୁ ଧର୍ମର ବିରୁଦ୍ଧାଚରଣ କରିବାପାଇଁ ଜୁଲମ କରିବେ ?

 

ଆବୁଲ ଫାଜଲହିଁ ଏକମାତ୍ର ସହାୟକ ! ସମ୍ରାଟଙ୍କୁ ସେଇହିଁ କେବଳ ବୁଝେଇ ଦେଇ ପାରିବେ ।

 

ସମ୍ରାଟ ଆବୁଲ ଫାଜଲଙ୍କୁ କର୍ମଚାରୀ ବୋଲି ଅନୁଭବ କରନ୍ତି ନାହିଁ ।

 

ସେ ବିଶ୍ଵସ୍ତ ବନ୍ଧୁ ।

 

ପଥପ୍ରଦର୍ଶକ ।

 

ଦାର୍ଶନିକ ।

 

ଐତିହାସିକ ।

 

ଆଉ ଚିତ୍ତବିନୋଦନର ସାଥୀ ।

 

ଗିଆସ୍‍ବେଗ୍‍ଙ୍କୁ ସେଇହିଁ କେବଳ ସାହାଯ୍ୟ କରିପାରିବେ ।

 

ପ୍ରାତଃ ପ୍ରାର୍ଥନା କରିସାରିଥିଲେ ଆବୁଲ ଫାଜଲ ।

 

ଏଡ଼େ ସଅଳ ଗିଆସ୍‍ବେଗ୍‍ଙ୍କୁ ଦେଖି ସେ ବିସ୍ମିତ ହେଲେ । ସହାନୁଭୂତିଶୀଳ ଭାବରେ ଆବୁଲ ଫାଜଲ ସମସ୍ୟାଟିକୁ ବୁଝିନେଲେ ।

 

ଏକ ଦିଗରେ ହିନ୍ଦୁସ୍ଥାନରେ ଭାବୀ ସାମ୍ରାଜ୍ଞୀ–ଅନ୍ୟ ପକ୍ଷରେ ଧର୍ମ ।

 

ଧର୍ମର ଜୟ ହେବ ବୋଲି ଆବୁଲ ଫାଜଲ ଆଶ୍ଵସ୍ତିରେ ପ୍ରତିଶ୍ରୁତି ଦେଲେ ।

 

ସମ୍ରାଟ ଆକବରଙ୍କୁ ଆବୁଲ ଫାଜଲ ସବୁ ବୁଝାଇ ଦେଲେ ।

 

“ଆଲାମ୍‍ପନା ! ଶାହାଦାଦା ଝିଅଟିର ରୂପ ଆଉ ଗୁଣରେ ମୁଗ୍ଧ ହୋଇ ବିବାହ ପ୍ରସ୍ତାବ ଆଣିଛନ୍ତି । ହେଲେ, ମୀର୍ଜା ସାହେବ ଅବସ୍ଥା ଆପଣ ହୃଦୟଙ୍ଗମ କରନ୍ତୁ । ସେ ବାକ୍‍ଦତ୍ତା ।

 

ସମ୍ରାଟ କିଛି ସମୟ ଚିନ୍ତିତ ହେଲା ପରି ମନେହେଲା । ସ୍ମିତ ହସି କହିଲେ, “ମୀର୍ଜା ବେଗ୍‍ଙ୍କୁ ନିଜର ଧର୍ମ ରକ୍ଷା କରିବାକୁ ଦିଅ । ତାଙ୍କ ଝିଅର ବିବାହ ଶୀଘ୍ର ସମ୍ପନ୍ନ କରାଇଦିଅ ।

 

ଦରବାରରୁ ଶୀଘ୍ର ସମ୍ରାଟ, ରାଣୀ ଅନ୍ତଃପୁରକୁ ଚାଲିଗଲେ ।

 

ଶାହାଜାଦା ସେଲିମ୍‍ଙ୍କ ଅଭିଳାଷ ପୂରଣ କରିବାରେ ଅସମର୍ଥତା ସାଲିମା ଆଉ ଯୋଧବାଈଙ୍କୁ ଜଣାଇଦେଲେ ।

 

ସେଲିମ୍ ସମ୍ରାଟଙ୍କର ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ଉଠିଲେ । ଅଭିମାନରେ ଫାଟିଫାଟି ଗଲେ । ସାଲିମା, ଯୋଧବାଈ ଯେତେ ବୁଝାଇଲେ, ସେ ବୁଝିଲେ ନାହିଁ ।

 

ହିନ୍ଦୁସ୍ଥାନ ଭାବୀ ସମ୍ରାଟଙ୍କୁ ରାଜପୁରୀର ଐଶ୍ୱର୍ଯ୍ୟ, ମାତୃସ୍ନେହ ପିତାଙ୍କର ଆଶୀର୍ବାଦ ସମ୍ରାଟଙ୍କ ନିଷ୍ପତ୍ତିପାଇଁ ସବୁ ତିକ୍ତମୟ ହୋଇ ଉଠିଲା । ଜୀବନ ବିଷମୟ ହୋଇ ଉଠିଲା । ନିରାଶ ଆଉ ହତାଶର ନିଆଁରେ ଦଗ୍ଧୀଭୂତ ହୋଇ ଉଠିଲେ ।

 

ରାଜପ୍ରାସାଦ ଛାଡ଼ି ଆଲାହାବାଦ ଚାଲିଗଲେ ।

 

ସମ୍ରାଟଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ ।

 

ସାଲିମା, ଯୋଧବାଈ ସ୍ଵୟଂ ସମ୍ରାଟ ସେଲିମ୍‍ଙ୍କର ଏହି ପାଗଳାମୀରେ ଆଶ୍ଚର୍ଯ୍ୟ ହେଲେ । ରାଜବାଟୀରେ ଚହଳ ପଡ଼ିଗଲା । ରାଜନ୍ୟବର୍ଗ, ପ୍ରଜାକୁଳ ସମସ୍ତେ ବିବ୍ରତ ହୋଇ ପଡ଼ିଲେ ।

 

ତଥାପି ସେଲିମ୍‍ଙ୍କର ପାଗଳାମୀର ଶେଷ ନାହିଁ ।

 

ସେ ବିଦ୍ରୋହୀ । ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବେ । ପିତାଙ୍କୁ ସମୁଚିତ ଶାସ୍ତି ଦେବେ ।

 

ସବୁ ଥାଇ ସେ ନିଃସ୍ଵ । ସମ୍ରାଟଙ୍କ ପାଇଁ ସେ ମିହିରୁନିସାଙ୍କୁ ହରାଇଛନ୍ତି । ଆଦର୍ଶ ସମ୍ରାଟ ବୋଲି ପ୍ରତିପାଦିତ କରିବାକୁ ଯାଇ ବାପର କର୍ତ୍ତବ୍ୟରେ ସେ ଚରମ ଅବହେଳା ଦେଖାଇଛନ୍ତି ।

 

ନା ନା, ସେ ବିଦ୍ରୋହ କରିବେ । ମିହିରୁନିସା ତାଙ୍କର କାମ୍ୟ, ସାମ୍ରାଜ୍ୟ ନୁହେଁ ।

 

ବିଦ୍ରୋହାଗ୍ନି ଜଳିଛି, ହେଲେ, ଆକବରଙ୍କ ବ୍ୟକ୍ତିତ୍ଵ ଆଉ ଧର୍ମ ନିକଟରେ ବିଦ୍ରୋହାଗ୍ନି ଲିଭି ଲିଭି ଆସିଲା ।

 

ପୃଥିବୀ ଇତିହାସରେ ଗୋଟିଏ ଝିଅକୁ ବିବାହ କରି ନ ପାରିବାରୁ ପୁଅ ବାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଏକ ଉଲ୍ଲେଖନୀୟ ଘଟଣା, ପୁଣି ଆକବରଙ୍କ ପରି ସନ୍ତାନ ବାତ୍ସଲ୍ୟ ସେଲିମ୍–ପ୍ରାଣ ବାପ ଇତିହାସରେ ବିରଳ ।

 

ସାଲିମା, ଯୋଧବାଈ ଅଶ୍ରୁରେ ସେଲିମ୍ ଆତ୍ମସ୍ଥ ହେଲେ ।

 

ସମ୍ରାଟଙ୍କ ଆଖିରେ ଲୁହ ।

 

ସାଲିମା ସେଲିମ୍‍ଙ୍କୁ ନେଇ ସମ୍ରାଟଙ୍କର କ୍ଷମା ଚାହୁଁଥିଲେ ।

 

ସେଲିମ୍ ନିରବରେ ଛିଡ଼ା ହୋଇଥିଲେ ।

 

“ବସ ସେଲିମ୍ । ମୁଁ ତୁମର ଶୁଭକାମନା କରେ ।

 

ଆଉ କିଛି କହି ପାରିଲେ ନାହିଁ ସମ୍ରାଟ ଆକବର ।

 

ସେଲିମ୍ ତଳକୁ ମୁହଁ ପୋତିଥିଲେ, ତାଙ୍କ ଆଖିରୁ ଅନୁତାପର ଲୁହ ବହିଥିଲା କି ନାହିଁ, ସେଲିମ୍ କହି ପାରନ୍ତି ।

 

ମିହିରୁନିସାଙ୍କର ବିବାହ ସରିଛି । ସେ ସୁଖୀ । ସୁଖୀ ମିହିର ସ୍ଵାମୀ ଆଲିକୁଲି ।

 

ଆଲିକୁଲି ରାଜଧାନୀରେ ରହିଲେ ନିରାପଦ ନୁହେଁ । ତେଣୁ ସମ୍ରାଟଙ୍କର ଆଶୀର୍ବାଦ ପାଇ ବର୍ଦ୍ଧମାନର ଜାଗରଦାର ହୋଇ ମିହିରୁନିସାଙ୍କୁ ଏକାନ୍ତ ଭାବରେ ସୁଖୀ କରିବାପାଇଁ, ସସ୍ତ୍ରୀକ ବର୍ଦ୍ଧମାନ ଚାଲିଯାଇଛନ୍ତି ।

 

ପ୍ରଥମେ ପ୍ରଥମେ ସେଲିମ୍ ମିହିରୁନିସାର ଖବର ନେଇଥିଲେ । କାଳକ୍ରମେ ହୃଦୟର କ୍ଷତ ଉପସମ କରିବାରେ ଚେଷ୍ଟାକଲେ ସତ । କିନ୍ତୁ ଦାଗ ଲାଖି ରହିଲା ।

 

ତା’ପରେ, ସମ୍ରାଟ ଆକବରଙ୍କ ମହାପ୍ରୟାଣ ।

 

ସେଲିମ୍ ଜାହାଙ୍ଗୀର ନାମରେ ପରିଚିତ ହୋଇ ମୋଗଲ ସିଂହାସନ ଆରୋହଣ କଲେ-

 

ବର୍ଦ୍ଧମାନରେ ମିହିରୁନିସା ଗୋଟିଏ କନ୍ୟା ସନ୍ତାନର ମା’ ।

 

ଭାଗ୍ୟବତୀ ।

 

ପତି ସୁହାଗିନୀ ।

 

ମିହିରୁନିସାଙ୍କ ଜୀବନରେ ଅସୀମ ଆନନ୍ଦ ।

 

ବେଳେବେଳେ ମିହିରୁନିସା ସେଲିମ୍‍ଙ୍କ କଥା ଭାବନ୍ତି ।

 

ଥରେ ଦେଖାରେ ଏତେ ଅଧୀର ହୋଇ ପଡ଼ିଲେ ସେଲିମ୍ । ମନେମନେ ମିହିରୁନିସା ହସନ୍ତି । ପୁରୁଷ ପ୍ରକୃତିରେ କିଛି ବ୍ୟତିକ୍ରମ ଦେଖି ପାରିଲେ ନାହିଁ, ମିହିରୁନିସା... ।

 

ସବୁ ପୁରୁଷ ପ୍ରାୟ ଏକ...ହେଲେ ଆଲିକୁଲି...ହିନ୍ଦୁସ୍ଥାନର ସେ ସମ୍ରାଟ ନୁହନ୍ତି...ତାଙ୍କର ପ୍ରେମ ଅଭିଳାଷ ସେଲିମ୍‍ଙ୍କ ପରି ଉଗ୍ର ହୋଇ ନ ପାରେ...ଅଶେଷ ଦୋଷ ଦୁର୍ବଳତାର ମଣିଷ ସତ-!

 

ହେଲେ ମଣିଷର ଦୁର୍ବଳତା ନେଇ ମିହିର ପାଖରେ ସେ ଦେବତା ! ଅତି ପ୍ରିୟ ! ଅତି ଆପଣାର !

 

ସେଲିମ୍ ଓରଫ୍‍ ଜାହାଙ୍ଗୀର ସଚରାଚର ଦାୟିତ୍ଵ ନେଇ ଐଶ୍ୱର୍ଯ୍ୟ, କ୍ଷମତା, ରାଜକୀୟତାରେ କଣ୍ଠରୁଦ୍ଧ ହୋଇଗଲେ ମଧ୍ୟ ହୃଦୟର ସେ କ୍ଷତଚିହ୍ନରେ ପୁଣି ଯନ୍ତ୍ରଣା ଅନୁଭବ କରିଛନ୍ତି । କି ଅର୍ଥ ଏସବୁ ଐଶ୍ୱର୍ଯ୍ୟରେ...ମନର ରାଣୀ...ଯାହାଙ୍କ ପାଇଁ ସେ ସମଗ୍ର ହିନ୍ଦୁସ୍ଥାନକୁ ବିପନ୍ନ କରି ବିଦ୍ରୋହ କରିଥିଲେ, ଜୀବନର ସବୁ କିଛି ଢାଳିଦେଇ ଯାହାର କର–ପଲ୍ଲବ ପାଇବାପାଇଁ ପ୍ରଲୁବ୍‍ଧ ହୋଇ ଉଠିଥିଲେ ସେ...ସେ ଓଃ ମିହିରୁନିସା ! ହେଲେ, ସେ ସମ୍ରାଟ ...ମିହିରୁନିସାକୁ ନିଜର କରି ଆଣିବାରେ ବହୁ ସାମାଜିକ ଅସୁବିଧା ଅଛି । ପୁଣି, ସେ ବିବାହିତା...

 

ଜୀବନରେ ପୁଣି ଆକାଶପାତାଳ ଭାବନା...ସେ ଭାବନା କଳନା କରି ହୁଏନା...ପ୍ରତ୍ୟେକ ପ୍ରେମ ପାଗଳଙ୍କ ଚିନ୍ତାରେ ଏହି ବିଭ୍ରାଟ... ।

 

ସେଦିନ ବହୁ ଚିନ୍ତାକରି ସମ୍ରାଟ ଜାହାଙ୍ଗୀର ଆଦେଶ ଦେଲେ “ବର୍ଦ୍ଧମାନର ଜାଗିରିଦାର ଆଲିକୁଲିଙ୍କୁ ସପରିବାରେ ରାଜଧାନୀକୁ ଆସିବାପାଇଁ ଖବର ଦିଅ” ।

 

ଏହି ଖବର ପାଇ ମିହିରୁନିସା ରାଜକୀୟ ସମ୍ମାନ ପାଇବା ଆଶାରେ ଉତ୍‍ଫୁଲ୍ଲତ ହୋଇ ନଥିଲେ ! ଜୀବନରେ ୟେ ପୁଣି କି ବିଡ଼ମ୍ବନା ।

 

ଦେଶସାରା ଏତେ ଜାଗିରଦାର ଅଛନ୍ତି, ହେଲେ ସମ୍ରାଟ ଅଜାଚିତ ଭାବରେ ତାଙ୍କ ଉପରେ ଅନୁଗ୍ରହ ଢାଳି ଦେବାପାଇଁ ବ୍ୟଗ୍ର କାହିଁକି ?

 

ଯଥାସମୟରେ ଆଲିକୁଲି ଆବଶ୍ୟକୀୟ ଉପଢ଼ୌକନ ନେଇ ସମ୍ରାଟଙ୍କ ଦର୍ଶନପାଇଁ ସପରିବାରରେ ରାଜଧାନୀରେ ଉପସ୍ଥିତ ହେଲେ ।

 

ଦରବାରରେ ଦେଖା ।

 

ମିହିରଦମ୍ପତିଙ୍କୁ ଯଥାର୍ଥ ଭାବରେ ରାଜକୀୟ ଅଭ୍ୟର୍ଥନା ଦିଆଗଲା ! ପ୍ରଲୁବ୍‍ଧ ସମ୍ରାଟ ଜାହାଙ୍ଗୀର ମିହିରୁନିସାଙ୍କର ଅପାଙ୍ଗ ଚାହାଣି, ମୁନିଜନ–ମୋହୀ ରୂପଲାବଣ୍ୟରେ ଅସ୍ଥିର ହୋଇ ପଡ଼ିଥିଲେ ।

 

ସମ୍ରାଟ ବାଦଶାହ ଆକବର ସବୁ ଦେଇ ସାମାନ୍ୟ କୃପଣତା ଦେଖାଇ ତାଙ୍କୁ ଫକୀର କରି ଦେଇଯାଇଛନ୍ତି...ଫକୀରର ଭିକ୍ଷା ପାତ୍ର ଧରି ମିହିରକୁ ଭିକ୍ଷା ଆଣି ପାରିବେ...ଯାଉ ସାମ୍ରାଜ୍ୟ...ଆଲିକୁଲିଖାଁ ସମସ୍ତ ସାମ୍ରାଜ୍ୟ ନେଇ ତାଙ୍କୁ ଯେବେ ମିହିର ସହିତ ବର୍ଦ୍ଧମାନ ପଠାଇ ଦିଅନ୍ତା କି–ପ୍ରତି ତନ୍ତ୍ରୀରେ ମିହିରୁନିସାର ବିଦ୍ୟୁତ ତଡ଼ିତ ଉପଲବ୍ଧି କଲେ ସମ୍ରାଟ ଜାହାଙ୍ଗୀର... ।

 

ଦେଖା ନ ହୋଇଥିଲେ ବରଂ...

 

ଦରବାର ଶେଷ ହେବା ପ୍ରାୟ !

 

“ଆଲିକୁଲି ଖାଁ ! ତମର ସାହସ, ବୀରତ୍ଵର ଅନେକ କାହାଣୀ ଶୁଣିଛି !!!”

 

“ଜାହାଁପନା !”

 

“ହଁ, ତମ ବୀରତ୍ଵ କାହାଣୀର ଚାକ୍ଷୁସ ପ୍ରମାଣ ପାଇବାପାଇଁ ଅନ୍ୟାନ୍ୟ ପାତ୍ର ମନ୍ତ୍ରୀଙ୍କ ନେଇ ତମ ସାଙ୍ଗରେ ଶିକାରରେ ଯିବାକୁ ମନସ୍ଥ କରିଛି ଖାଁ ସାହେବ !”

 

“ବନ୍ଦାକୁ ଯାହା ଆଦେଶ କରିବେ ଜାହାଁପନା !”

 

ଆଲିକୁଲି ଖାଁଙ୍କ ମନରେ ଅମାପ ଆତ୍ମସନ୍ତୋଷ । ହେଲେ ମିହିରୁନିସା ସମ୍ରାଟ ଜାହାଙ୍ଗୀରଙ୍କ ଅଭିଳାଷର ଇଙ୍ଗିତ ବେଶ୍ ପାଇଛନ୍ତି ।

 

ନିଃସହାୟ ଭାବରେ ଆଲ୍ଲାଙ୍କୁ ମନକଥା ଜଣାନ୍ତି...

 

ଶିକାର ।

 

ଶିକାର ପ୍ରିୟ ହୋଇ ଉଠିଛନ୍ତି ସମ୍ରାଟ !

 

ପୁଣି ନିଜର ବୀରତ୍ଵ ପ୍ରମାଣିତ କରିବାପାଇଁ ଆଲିକୁଲିଖାଁ ତାଙ୍କ ସାଙ୍ଗରେ ଯିବେ ?

 

କି ଆବଶ୍ୟକ ସମ୍ରାଟଙ୍କର ଅନୁରାଗ ! ରାଜକୀୟ ସ୍ଵୀକୃତିପାଇଁ କାହିଁକି ତା’ର ସ୍ଵାମୀ ସମ୍ରାଟଙ୍କ ସହିତ ଶିକାରରେ ଯିବାକୁ ରାଜିହେଲେ ???

 

ମିହିର ମନରେ ବାରବାର ଏସବୁ ନାନା ଭାବନା ଗୁଡ଼େଇ ତୁଡ଼େଇ ହୋଇ ଉଠିଲା । ହେଲେ, ସ୍ଵାମୀକୁ ଏସବୁ କହିହୁଏ ନାହିଁ ।

 

ଉପସ୍ଥିତ ପରିସ୍ଥିତିରେ ସବୁ ମୁଣ୍ଡପାତି ସହି ଯିବାକୁ ହେବ । ନଚେତ୍ ଉପାୟ ନାହିଁ ।

 

ନିରୂପିତ ଦିବସରେ ପାତ୍ର ମନ୍ତ୍ରୀ ଗହଣରେ ସମ୍ରାଟ ଜାହାଙ୍ଗୀର ପାରିଧିକି ଗଲେ ।

 

ଦିଲ୍ଲୀ ଆଉ ଆଗ୍ରା ମଧ୍ୟବର୍ତ୍ତୀ ଘନ ଅରଣ୍ୟ, ସୂର୍ଯ୍ୟ ରଶ୍ମି, ଜ୍ୟୋତ୍ସ୍ନା ଆଲୋକ ବହୁବର୍ଷ ହେଲା ଯେପରି ମାଟିକୁ ଛୁଇଁ ନାହିଁ । ହିଂସ୍ରଜନ୍ତୁଙ୍କର ଚରାଭୂଇଁ...ବିପଦ ସଂକୁଳ ପ୍ରତି ପଦକ୍ଷେପରେ-

 

ପାତ୍ର ଓ ଅନୁଚରଗଣ ରାଜକୀୟ ପ୍ରୀତିଭାଜନ ହେବାପାଇଁ ସ୍ଵ ସ୍ଵ ଭିତରେ ତୀବ୍ର ପ୍ରତିଦ୍ଵନ୍ଦ୍ୱିତା ।

 

ରାଜକୀୟ ଅଭିଯାନରେ ପ୍ରାଣ ବିକଳରେ ହିଂସ୍ର, ବ୍ୟାଘ୍ର, ସିଂହ, ହାତୀ ଯେପରି ଆତ୍ମଗୋପନ କଲେ ।

 

ସମ୍ରାଟ ଅନ୍ୟମନା ହୋଇ ଉଠିଛନ୍ତି । ଏତେ ଆୟୋଜନ ବ୍ୟର୍ଥ ହେବ...ଶୂନ୍ୟ ହସ୍ତରେ ସମ୍ରାଟ ରାଜଧାନୀକୁ ଫେରିଯିବେ । ନିଜ ଅଭିଳଷିତ ଲକ୍ଷ୍ୟ କ’ଣ ସାଧିତ ହୋଇ ପାରିବ ନାହିଁ ?

 

ସ୍ଵର୍ଣ୍ଣ ମଞ୍ଚାରେ ବସିଥିଲେ ସମ୍ରାଟ ଜାହାଙ୍ଗୀର–ମାନ୍ୟାସ୍ପଦ ସହଚରମାନେ ନିକଟସ୍ଥ ମଞ୍ଚାରେ ପ୍ରାଣୀମାନଙ୍କୁ ଆଗ୍ରହ ପ୍ରାଣରେ ଅପେକ୍ଷା କରି ରହିଥିଲେ ସତେ !

 

ଝଲକାଏ ଜ୍ୟୋତ୍ସ୍ନା ଆଲୋକ ବିଛାଡ଼ି ହୋଇ ପଡ଼ିଥିଲା ଅନତିଦୂରରେ ଜଳାଶୟ ଉପରେ । ଭୟଙ୍କର ହିଂସ୍ର ଶବ୍ଦ ଶୁଣାଯାଉଛି ନିଶ୍ଚୟ ଏକ ହାତୀ ବା ବ୍ୟାଘ୍ର ବା ସିଂହ... ।

 

ଅନୁଚରବର୍ଗ ସ୍ଵ ସ୍ଵ ଅସ୍ତ୍ରଶସ୍ତ୍ର ନେଇ ଲକ୍ଷ୍ୟ କରିବାକୁ ସତର୍କ ହୋଇ ଉଠିଲେ ।

 

ସମ୍ରାଟ ସଙ୍କେତରେ ବାରଣ କଲେ ।

 

ନିଜର ବୀରତ୍ଵ ପ୍ରମାଣିତ କରିବାକୁ ହେଲେ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ହେବ ନାହିଁ ।

 

ଜ୍ୟୋତ୍ସ୍ନାଲୋକରେ ସ୍ପଷ୍ଟ ଦେଖାଗଲା ଏକ ଭୟଙ୍କର ସିଂହ–ଅଙ୍ଗ ଅବୟବରୁ ବେଶ୍ ଜଣାପଡ଼ୁଥିଲା ମହାବଳରେ ବଳୀୟାନ ଏହି ସିଂହଟି । ଜନ୍ତୁମାନଙ୍କ ଭିତରେ ଏହି ଜନ୍ତୁଟି ସବୁଠୁ ବଳୀୟାନ...ସେହି ଅନୁପାତରେ ହିଂସ୍ର ।

 

ତେଣୁ ତା’ର ନାମ ପଶୁରାଜ ।

 

ବିନା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଜନ୍ତୁଟିକୁ ମାରିଦେବାକୁ ହେବ...ସମ୍ରାଟଙ୍କର ଆଦେଶ, ବାହାରି ପଡ଼ି ବୀର ପୁଙ୍ଗବ...

 

ରାୟସିଂହ, ବୀରସିଂହ ଆଉ ଆଉ ପ୍ରସିଦ୍ଧ ରାଜପୁତବୀରଗଣ ଅମାତ୍ୟମାନେ ଉଠି ପଡ଼ିଲେ । ସମ୍ରାଟ ସେମାନଙ୍କୁ କ୍ଷାନ୍ତ ହେବାକୁ ଇଙ୍ଗିତ ଦେଲେ ।

 

“ବହୁ କ୍ଷେତ୍ରରେ ନିଜର ବୀରତ୍ଵର ପ୍ରମାଣ ଦେଇଛନ୍ତି ଆପଣମାନେ...ତରୁଣ ଯୁବଗୋଷ୍ଠୀଙ୍କୁ ମୁଁ ଉତ୍ସାହିତ କରିବାକୁ ଚାହେଁ...। ଆପଣମାନଙ୍କ ଭିତରୁ କେହି...ଆଲିକୁଲି...” କଣ୍ଠରୁଦ୍ଧ ହୋଇ ଆସୁଥିଲା ସମ୍ରାଟ ଜାହାଙ୍ଗୀରଙ୍କର ।

 

ଆଲିକୁଲି ଉଠିପଡ଼ି ସ୍ଵୀକୃତି ଦେଲେ ଆଲାମ୍‍ପନାଙ୍କ ଆଦେଶ ଓ ଆଶୀର୍ବାଦ ପାଇଲେ ସିଂହଟିକୁ...

 

ଉତ୍ସାହର ମଧୁ ଗୁଞ୍ଜନରେ ଗୁଞ୍ଜରିତ ହୋଇ ଉଠିଲା ।

 

ଆହୁରି ଗୁଞ୍ଜରିତ ହୋଇ ଉଠିଲା ସମ୍ରାଟଙ୍କର ମନର ବାସନା । ସେ ଗୁଞ୍ଜନରେ ମିହିରୁନିସାଙ୍କୁ ପାଇବାରେ ପ୍ରଲୁବ୍‍ଧ ବାସନା...ଅସମ୍ଭବ ଏଇ ପଶୁରାଜ ଶିକାର...ପୁଣି ବିନା ଅସ୍ତ୍ରଶସ୍ତ୍ରରେ ଯେବେ ସିଂହଟିକୁ ମାରିଦିଏ, ଜାହାଙ୍ଗୀର ଆଉ କିଛି ଭାବିପାରନ୍ତି ନାହିଁ ।

 

ବୀର ଦର୍ପରେ ଆଲିକୁଲି ହିଂସ୍ରଜନ୍ତୁର ସମ୍ମୁଖୀନ ହେଲେ । ହିଂସ୍ର–ଦୀପ୍ତ ଆଖିରେ ସିଂହ ଯେତେବେଳେ ଆଲିକୁଲିଙ୍କ ପ୍ରତି ଆକ୍ରମଣ କରିବାକୁ ଆଗେଇ ଆସିଲା, ଆଶାର ଢେଉ ବିଦ୍ୟୁତ୍ ବେଗରେ ଜାହାଙ୍ଗୀରଙ୍କର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ଖେଳିଗଲା...ଆଲ୍ଲା ଯେବେ ସୁପ୍ରସନ୍ନ ହୁଅନ୍ତି...ସମ୍ରାଟ ଆକବରଙ୍କର ପକ୍ଷପାତିତାର ସେ ଜବାବ ଦେବେ, ପ୍ରାଣ କାନ୍ଦି କାନ୍ଦି ଉଠିଲା । ମିହିରୁନିସା–ମିହିରୁନିସା...

 

ଏଁ, ଏଁ, ସିଂହଟିକୁ ହତ୍ୟା କରି ରକ୍ତାକ୍ତ ଦେହରେ ଟଳି ଟଳି ଫେରି ଆସୁଛନ୍ତି ଆଲିକୁଲି ଖାଁ ।

 

ସମସ୍ତେ ଉତ୍ତେଜିତ ହୋଇ ବାରବାର କରତାଳି ଧ୍ଵନି କରି ଆଲିକୁଲିଙ୍କୁ ପାତ୍ର ମନ୍ତ୍ରୀ ଓ ଆଉ ଆଉ ଉପସ୍ଥିତ ଅନୁଚରଗଣ ସ୍ଵାଗତ ଜଣାଇଲେ ।

 

ସ୍ଵାଗତ ଜଣାଇଲେ ସମ୍ରାଟ ଜାହାଙ୍ଗୀର, ଧନ୍ୟ ତୁମେ ଆଲିକୁଲିଖାଁ...ତମ ଜୀବନ ଯୌବନ ଧନ୍ୟ...ତମେ ବୀର ଶ୍ରେଷ୍ଠ...ମୋଗଲ ସାମ୍ରାଜ୍ୟର ଯୋଗ୍ୟ ଜାଗିରଦାର ତମେ ।

 

ସମ୍ରାଟ ଜାହାଙ୍ଗୀରଙ୍କର ପ୍ରଶଂସା ନ କରି ଉପାୟ ନଥିଲା, ଆଲିକୁଲିଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଦରବାରରେ ଆୟୋଜନ ରାଜଧାନୀରେ ମହାମହୋତ୍ସବ... ।

 

ମିହିରୁନିସା ଜୀବନରେ ଅମାପ, ଅସମାପ୍ତ ଆତ୍ମସନ୍ତୋଷ । ତାଙ୍କ ସ୍ଵାମୀ ବୀର ଶ୍ରେଷ୍ଠ...ସୁପୁରୁଷ...ସ୍ଵନାମଧନ୍ୟ...ନାରୀ ଯାହା ଚାହେଁ, ସବୁ ପରିପୂରଣ କରିଛନ୍ତି ଆଲ୍ଲା !

 

ଜାହାଙ୍ଗୀର ! ସମ୍ରାଟ ଜାହାଙ୍ଗୀର, ଯନ୍ତ୍ରଚାଳିତ ଶାସନର ରଜ୍ଜୁ ଧରି ଆଲିକୁଲିଖାଁଙ୍କୁ ଶେର୍ ଆଫଗାନ୍ ପଦବୀରେ ସମ୍ମାନିତ କରି, ନିଜେ ଆତ୍ମଗ୍ଳାନିରେ ମ୍ରିୟମାଣ ହୋଇ ପଡ଼ିଲେ ।

 

ଉପାୟ !

 

ବହୁ ମୁଖରେ ପ୍ରଶଂସିତ ଶେର୍ ଆଫଗାନ୍‍ଙ୍କୁ ଶୀଘ୍ର ବର୍ଦ୍ଧମାନକୁ ଫେରି ଯିବାକୁ ଆଦେଶ ଦିଆଗଲା ।

 

ମିହିରୁନିସା ସେ ସମ୍ୱାଦରେ ଅଧୀର ହୋଇ ପଡ଼ିଲେ । କି ଲୋଡ଼ା ଏ ରାଜଧାନୀର ଅନ୍ତଃ–ଦୁଃଖୀ ସୁଖ–ସମ୍ଭାର !

 

“ବର୍ଦ୍ଧମାନର ସେ ଛୋଟ ପରିବାର...କର୍ମମୟ ଜୀବନ ଦାମ୍ପତ୍ୟ ଜୀବନକୁ ଆହୁରି ସୁଖକର ଲାଗେ ପ୍ରିୟତମ ! ଶୀଘ୍ର ଯିବାର ବନ୍ଦୋବସ୍ତ କର । ଲୋଟି ପଡ଼ିଲା ମିହିରୁନିସା ଶେର୍ ଆଫଗାନ୍‍ଙ୍କର ସେହି ବିଶାଳ ଛାତି ଉପରେ ।

 

ଶେର୍ ପରିବାର ସପରିବାରରେ ବର୍ଦ୍ଧମାନ ଚାଲିଗଲେ ।

 

ହେଲେ, ସମ୍ରାଟ ଜାହାଙ୍ଗୀରଙ୍କର ଅନ୍ତରର ଝଡ଼ ଆହୁରି ପ୍ରଖର ହୋଇ ଉଠିଲା ।

 

ବିଶ୍ଵସ୍ତ ଅଶ୍ଵାଧ୍ୟକ୍ଷ ଆବୁଲ ପଲବ ଡକରାପାଇଁ ହାଜର ହେଲେ । ଏକ ଗୁପ୍ତପତ୍ର ତାଙ୍କ ହାତରେ ଦେଇ ସମ୍ରାଟ ଜାହାଙ୍ଗୀର ଆଦେଶ ଦେଲେ “ଅତି ଶୀଘ୍ର ବଙ୍ଗଳା ସୁବେଦାର କୁତୁବଦ୍ଦିନ୍‍ଙ୍କୁ ଏ ପତ୍ର ଦେଇ ଆସିବାକୁ ହେବ । ଏ ସମ୍ପର୍କରେ କେହି ଯେପରି ନ ଜାଣନ୍ତି–ଅତି ଗୋପନୀୟ ।”

 

“ଜି–ଆଲମ୍‍ପନା !...”

 

ଆବୁଲ ପଲବ ଦ୍ରୁତଗାମୀ ଅଶ୍ଵ ପୃଷ୍ଠରେ ବଙ୍ଗଳା ସୁବାଦାରଙ୍କୁ ରାଜକୀୟ ଗୁପ୍ତ ପରୁଆନା ଦେବାକୁ ଗଲେ ।

 

ଏଣେ ବହୁ ମୁଖରେ ସମ୍ରାଟ ଶେର୍ ଆଫଗାନ୍‍ଙ୍କ ଔଦ୍ଧତ୍ୟ ବିଷୟରେ ଆଲୋଚକା କରାଇଲେ । ରାଜକୀୟ ମର୍ଯ୍ୟାଦା ପାଇବା ପରେ ଆଫଗାନ ସମ୍ରାଟଙ୍କ ଆନୁଗତ୍ୟ ବିଷୟରେ ସନ୍ଦେହ କରାଯାଉଛି ।

 

ବର୍ଦ୍ଧମାନ ଫେରିଗଲା ପରେ ସମ୍ରାଟଙ୍କ ବିରୁଦ୍ଧରେ ବିଦ୍ରୋହ କରିବାର ସଜବାଜ ହେଉଛି ।

 

କିନ୍ତୁ ଶେର୍ ଆଫଗାନ୍ ଅନ୍ୟାନ୍ୟ ଯେକୌଣସି ସୁବାଦାରଙ୍କଠାରୁ ମୋଗଲ ସାମ୍ରାଜ୍ୟ ଓ ସମ୍ରାଟଙ୍କର ଯେ ଏକାନ୍ତ ଅନୁଗତ ଏକଥା ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ ।

 

ମିହିରୁନିସାଙ୍କର ସୁଖମୟ ଜୀବନରେ ଅକାଳ ଝଡ଼ ଦେଖା ଦେଲା । ଏତେ ଆନନ୍ଦ...ଏତେ ଜୀବନ ପ୍ରାୟ ସ୍ଵୟଂ ଆଲ୍ଲା ମଧ୍ୟ ସହିପାରିଲେ ନାହିଁ ।

 

କୁତୁବୁଦ୍ଦିନ୍, ବଙ୍ଗଳାର ସୁବାଦାର ସମ୍ରାଟଙ୍କର ସ୍ଵଲିଖିତ ଆଦେଶ ପାଇ ବର୍ଦ୍ଧମାନ ସୁବାଦାରଙ୍କ ବିରୁଦ୍ଧରେ ଅଚାନକ ଭାବରେ ଯୁଦ୍ଧ ଘୋଷଣା କଲେ ।

 

ଶେର୍‍ ଆଫଗାନ୍ ଖବର ପାଇ ଆଶ୍ଚର୍ଯ୍ୟରେ ସ୍ତମ୍ଭୀଭୂତ ହୋଇଗଲେ ।

 

ସମ୍ରାଟଙ୍କୁ ଲେଖି ସ୍ପଷ୍ଟୀକରଣ କରାଇ ନେବାକୁ ଅବସର ନଥିଲା ।

 

ଯୁଦ୍ଧ । ଅବଶ୍ୟମ୍ଭାବୀ । ସମ୍ମୁଖୀନ ହେବାକୁ ପଡ଼ିବ । ବୀର ଯୋଦ୍ଧା ଶେର୍ ଆଫଗାନ୍ ନିଜର ସମସ୍ତ ସମ୍ବଳକୁ ଠୁଳକରି ବଙ୍ଗଳା ସୁବାଦାରଙ୍କର ଆକ୍ରମଣର ମୁକାବିଲା କରିବାକୁ ବାହାରି ପଡ଼ିଲେ ।

 

ସରଳ ବିଶ୍ଵାସୀ ବୀରପୁଙ୍ଗବ ଶେର୍‍ ଆଫଗାନ୍‍ଙ୍କୁ ସିନା ସମ୍ରାଟଙ୍କର ଅଭିଳାଷ ଅବିଦିତ ଥିଲା, ହେଲେ ମିହିରୁନିସା ପ୍ରାଣେ ପ୍ରାଣେ ସମ୍ରାଟଙ୍କର ଏହି ଯୁଦ୍ଧ ଆୟୋଜନର ଅଭିଳାଷ ଅନୁଭବ କରୁଥିଲେ ।

 

ଦୀର୍ଘଶ୍ଵାସରେ ମିହିରୁନିସା ଆଲ୍ଲାଙ୍କୁ ବାରବାର ପ୍ରଣତି ଜଣାଇଲେ ।

 

ହାୟ, ଆଲ୍ଲାଙ୍କ ଦପ୍ତରରେ ନ୍ୟାୟ, ଅନ୍ୟାୟ, ପାପ ପୁଣ୍ୟ କ’ଣ ଏକ ରୀତିରେ, ଏକ ସ୍ତରରେ ବିଚାର କରାଯାଏ ।

 

ନ୍ୟାୟ ଅନ୍ୟାୟର ସଂଜ୍ଞା ମଣିଷର ବିକଳ୍ପ ଚିନ୍ତା !

 

ଈଶ୍ଵରଙ୍କ ଦଣ୍ଡିରେ ଓଜନଦାର ସାମଗ୍ରୀର ଗୁରୁତ୍ଵ ସବୁବେଳେ ପ୍ରାଧାନ୍ୟ ଲାଭ କରିଥାଏ-

 

ତାହାହିଁ ହେଲା । ପ୍ରତିଭାଶାଳୀ ବଙ୍ଗ ସୁବାଦାର ଜୟୀ ହେଲେ, ରକ୍ତାକ୍ତ ବୀରଗଣ୍ୟ ଶେର୍ ଆଫଗାନ୍‍ଙ୍କ ରକ୍ତାକ୍ତ ଶରୀର ଭୂଇଁରେ ଲୋଟି ପଡ଼ିଲା ।

 

ହିଂସ୍ର ଶେର୍‍କୁ ହତ୍ୟାକରି ଆଲିକୁଲିଙ୍କ ଶେର୍ ଆଫଗାନ୍‍ ପଦବୀରେ ମୋଗଲ ଦରବାରରେ ସମ୍ମାନିତ କରିଥିଲା ।

 

ସେହି ମୋଗଲ ସମ୍ରାଟଙ୍କ ଗୁପ୍ତ ନିର୍ଦ୍ଦେଶରେ ଶେର୍‍ ଆଫଗାନ୍ ମିହିରୁନିସା ଆଉ ଶିଶୁ ଝିଅଟିକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ।

 

ମିହିରୁନିସାଙ୍କୁ ବନ୍ଦିନୀ କରି ଆଗ୍ରା ରାଜପ୍ରାସାଦକୁ ନିଆଗଲା ।

 

ପରମା ସୁନ୍ଦରୀ ମିହିରୁନିସା ରାଜବନ୍ଦୀ । ପୁଣି ମୋଗଲ ସମ୍ରାଟଙ୍କ ଉଆସରେ ।

 

ସମ୍ରାଟ ଜାହାଙ୍ଗୀର ମିହିରୁନିସାଙ୍କୁ ଭାବି ଭାବି ସୁଖ ନିଦ୍ରାରେ ଅଭିଭୂତ ।

 

ମିହିରୁନିସାଙ୍କ ପାଖକୁ ଯିବାକୁ ବଳବତ୍ତର ଅଭିଳାଷ ଜାଗ୍ରତ ହୁଏ । ଜାହାଙ୍ଗୀର ତାଙ୍କ ପାଖକୁ ଯିବାକୁ ସଂକୋଚ ମନେକରନ୍ତି ।

 

ସବୁ ଖବର ପା’ନ୍ତି ଜାହାଙ୍ଗୀର ।

 

କୌଳିକ ପ୍ରଥା ଅନୁସାରେ ଚାରିମାସ ଦଶଦିନ ଅତିବାହିତ ହୋଇଗଲା ।

 

ସେଦିନ ଜ୍ୟୋତ୍ସ୍ନା ବିଧୌତ ରାତ୍ର...ବେଶି ସମୟ ହୋଇ ନଥାଏ ।

 

ଗବାକ୍ଷ ପାଖରେ ଛିଡ଼ା ହୋଇ ଯମୁନା ନଦୀର ବର୍ଣ୍ଣାଭ ଢେଉ ଉପରେ ନିଜର ଅତୀତ ଭବିଷ୍ୟତ ତରଙ୍ଗକୁ ମିଶାଇ ଚାଲିଥିଲେ ମିହିରୁନିସା ।

 

ସମ୍ରାଟ ଜାହାଙ୍ଗୀରଙ୍କ ଉପସ୍ଥିତି ଅବୁଭବ କଲେ ମିହିରୁନିସା !

 

“ମିହିର...ମୁଁ...ମିହିର...”

 

ମିହିରୁନିସା ନୀରବ ।

 

“ମିହିର...!” ଉଦ୍‍ବେଳିତ କଣ୍ଠ । ସତେ ଯେମିତି ନିଜର ଅପରାଧ ପାଇଁ କ୍ଷମା ମାଗୁଥିଲେ ସମ୍ରାଟ ଜାହାଙ୍ଗୀର ।

 

“କୁହନ୍ତୁ ଜାହାଁପନା !”

“ଦୀର୍ଘଦିନ ପରେ ତମ ପାଖକୁ ଧାଇଁ ଆସିଛି ମିହିର ! ହେଲେ, ତମେ ଏତେ ନିକଟରେ ଥାଇ ମୁଁ ଅନୁଭବ କରୁଛି...” କୌଣସି ଘଟଣା ନେଇ ତମକୁ ଭୁଲି ପାରିନି...ତମକୁ ପାଇବି ବୋଲି, ଯାହା ସବୁ କରିଛି...”

“ଆପଣ ନିଜ ପ୍ରତି ନିଷ୍ଠୁର ହେବା ସଙ୍ଗେ ସଙ୍ଗେ ମୋର ମଧ୍ୟ ସର୍ବନାଶ କରିଛନ୍ତି ।”

“ମିହିର ! କ୍ଷମା ଦିଅ...ଯାହା ସବୁ ଘଟିଯାଇଛି ତମରି ଆଉ ମୋର ମିଳନପାଇଁ...” କର ବଢ଼ାଇ ମିହିରର ଚମ୍ପକକଢ଼ି–ନିନ୍ଦି ଅଙ୍ଗୁଳିଗୁଡ଼ିକୁ ନିଜ ହାତରେ ଧରିନେଲେ ।

“ସମ୍ରାଟ !”

“ତମେ ସାମ୍ରାଜ୍ଞୀ ନହେଲେ, ମୋର ସାମ୍ରାଜ୍ୟର ଲୋଡ଼ା ନାହିଁ...” ଉତ୍ୟକ୍ତ ହୋଇ ପଡ଼ିଥିଲେ ସମ୍ରାଟ । ହିନ୍ଦୁମାନେ କହନ୍ତି, ତମ ଜନ୍ମ ବୃତ୍ତାନ୍ତରେ ନାଗସାପର ଆବିର୍ଭାବ, ତମ ଭବିଷ୍ୟତରେ ଚୂଡ଼ାନ୍ତ ସଂକେତ ଦେଇଯାଇଛି । ତମେ ସାମ୍ରାଜ୍ଞୀ ! ମିହିରୁନିସା...ତମର ମୃତ୍ୟୁ ଘଟିଛି–ତମେ...

“ମୋତେ ଭାବିବାକୁ ଦିଅ ସମ୍ରାଟ–ନିର୍ଜନରେ ମୋତେ ଭାବିବାକୁ ଦିଅନ୍ତୁ...”

ମିହିରୁନିସା ଅନ୍ତଃପୁରକୁ ଚାଲି ଯାଇଛି–ବାଦଶାହା ଶଯ୍ୟାରେ ଲୋଟିଗଲେ...ଅତୀତର ସମସ୍ତ ସ୍ମୃତି ହୃଦୟରେ ଆଲୋଡ଼ନ ସୃଷ୍ଟି କଲା ।

କିଛିଦିନ ପରେ ଜାହାଙ୍ଗୀର ଜୟଯୁକ୍ତ ହେଲେ ।

ନିରାଡ଼ମ୍ବର ଭାବରେ ସମ୍ରାଟ ତାଙ୍କର ଚିର ଅଭିପ୍ରେତ ନାୟିକାଙ୍କୁ କେବଳ ସ୍ତ୍ରୀ ରୂପରେ ପାଇ ନାହାନ୍ତି । ପାଇଛନ୍ତି ସାମ୍ରାଜ୍ଞୀ ନୁରଜାହାନ...

ଅତୃପ୍ତ ପ୍ରେମିକ ସମ୍ରାଟ ଜାହାଙ୍ଗୀର ଜୀବନରେ ଶାନ୍ତ ତୃପ୍ତି ଆସ୍ଵାଦନରେ ଆତ୍ମହରା ହୋଇ ଉଠିଛନ୍ତି ।

ମିହିରୁନିସା ସମ୍ରାଟଙ୍କ ଦେହରୁ ନିଜର ଅଙ୍ଗ ଅଲଗାକରି ନେଇ କହିଲେ “ଜାହାଁପନା ! ଦରବାର କାର୍ଯ୍ୟରେ ଆପଣ ମନ ଦିଅନ୍ତୁ...ସାମ୍ରାଜ୍ୟର ସମସ୍ତେ ଉତ୍କଣ୍ଠିତ ହୋଇ ଆପଣଙ୍କୁ ଅନାଇ ରହିଛନ୍ତି–କର୍ତ୍ତବ୍ୟ ଭୁଲି ଯାଆନ୍ତୁ ନାହିଁ ।

ସମ୍ରାଟ ମିହିରୁନିସାଙ୍କ ଚିବୁକରେ ହାତ ବୁଲାଇ ଆଣି କହିଲେ ସାମ୍ରାଜ୍ଞୀ ! ମୁଁ ନୂତନ ସାମ୍ରାଜ୍ୟରେ ଅଧିଷ୍ଠିତ ହୋଇଛି–ତେଣୁ ପତ୍ନୀ ହିସାବରେ, ସାମ୍ରାଜ୍ଞୀ ହିସାବରେ ଶାସନ ତମେ ଚଳାଇପାରିବ ନାହିଁ ? ମିହିର !

ଲଜ୍ଜିତ ହୋଇ ମିହିରୁନିସା କହିଲେ–“ସମ୍ରାଟ”

“ହଁ ସାମ୍ରାଜ୍ଞୀ ! ମୋର ଏହାହିଁ ଅଭିଳାଷ ।”

☆☆☆

 

Unknown

ସ୍ମରଣୀୟ ପ୍ରେମିକା ରାଣୀ ସେବା

 

ଉଦ୍ଦାମ ଯୌବନା ରାଣୀ ସେବା ।

ଇଥୋପିଆ ରାଜବଂଶରେ ଏମିତି ସୁନ୍ଦରୀ କେବେ ଜନ୍ମଗ୍ରହଣ କରି ନାହାନ୍ତି ।

ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟର ଏକ ଅପୂର୍ବ ସମାବେଶ । ଦୟା ଆଉ କରୁଣାର ଆଉ ଏକ ଏକକ ଆଦର୍ଶ ।

ବୀରତ୍ଵ କାହାଣୀର ଏକ ଅମାପ ସଙ୍କଳନ ।

ପୃଥିବୀ ଇତିହାସରେ ଏତେ କରୁଣାମୟୀ, ମାତୃପ୍ରତିମ, ପ୍ରଜାବତ୍ସଳ ରାଣୀ ସିଂହାସନ ଆରୋହଣ କରିଥିଲେ କି ନାହିଁ କହିହେବ ନାହିଁ ।

ଇଥୋପିଆର ପ୍ରଜାକୁଳ ଭଗବାନଙ୍କୁ ବହୁ ପ୍ରଣାଳୀରେ ରାଣୀ ସେବାଙ୍କର ମଙ୍ଗଳପାଇଁ ପ୍ରାର୍ଥନା କରୁଥିଲେ । ହେଲେ, ତାଙ୍କର କୁମାରୀ ଜୀବନପାଇଁ ସମସ୍ତେ ବ୍ୟସ୍ତ ।

ରାଣୀ ଚିରଜୀବନ କୁମାରୀ ହୋଇ ରହିବେ ?

ଅନେକ ପ୍ରସ୍ତାବ ଆସେ । ରାଣୀ କର୍ଣ୍ଣପାତ କରନ୍ତି ନାହିଁ । ଶୁଭେଚ୍ଛୁମାନେ ଚାପ ପକାଇଲେ ଈଷତ୍ ହସିଦେଇ, ଅନ୍ୟକାମ ବାହାନାରେ ଅନେକ ପ୍ରସ୍ତାବ ଏପରି ଭାବରେ ପ୍ରତ୍ୟାଖ୍ୟାନ କରି ଯାଆନ୍ତି ।

 

ରାଣୀଙ୍କର ମନର କଥା ନେଇ ଅନେକ ଗୁଜବ ଲୋକ ମୁଖରୁ ଶୁଣାଯାଏ । ସେବା ସେମିତି ଶୁଣନ୍ତି । କୁତୂହଳ ହୋଇ ଅନେକ ପ୍ରଶ୍ନ ପଚାରନ୍ତି । ମନେମନେ ଉପଭୋଗବି କରନ୍ତି ।

 

ବିଚିତ୍ର ଏ ମଣିଷ ସମାଜ !

 

ଆହୁରି ବିଚିତ୍ର ମଣିଷର ପ୍ରକୃତି !

 

କିଏ ତାଙ୍କର ଯୋଗ୍ୟ ! ପୃଥିବୀରେ ଏମିତି କିଏ ସୁପୁରୁଷ, ବୀରପୁଙ୍ଗବ ଅଛି ? କାର୍ତ୍ତିକେୟଙ୍କ ପରି ସୁନ୍ଦର, ଗଣେଷଙ୍କ ପରି ବୁଦ୍ଧିମାନ ଆଉ ଅର୍ଜୁନଙ୍କ ପରି ବୀରଶ୍ରେଷ୍ଠ ପୁରୁଷ ତାଙ୍କର ମନ ଜୟ କରିବେକି ନା ସନ୍ଦେହ !

 

ସୌନ୍ଦର୍ଯ୍ୟ, ବୀରତ୍ଵ ଓ ପ୍ରତିଭାପନ୍ନ ରାଜପୁରୁଷ ଯେବେ ଜୀବନରେ କେବେ କିଏ ଆସେ, ସେତେବେଳେ କୁମାରୀ ରାଣୀ ବିବାହ କରିବେକି ନା ବିଚାର କରିବେ ।

 

ଡାରମିନ୍, ଇଥୋପିଆର ଜଣେ ବିଖ୍ୟାତ ବଣିକ । ରାଣୀ ସେବାଙ୍କର ଏକ ବିଶ୍ଵସ୍ତ ବନ୍ଧୁ...କହିଲେ ଭୁଲ ହେବ, ଇଥୋପିଆର ଜଣେ ସୁଖ୍ୟାତ ସମ୍ପନ୍ନ ନାଗରିକ । ରାଣୀଙ୍କର ଏକ ବିଶ୍ଵସ୍ତ ପ୍ରଜା !

 

ଡାରମିନ୍ ବଡ଼ଲୋକ ପ୍ରିୟ । ଧର୍ମପରାୟଣ । ନିତିବାଦୀ । କଳ୍ପନା ବିଳାସୀ ଭାବୁକ ନୁହନ୍ତି । କର୍ମକୁଶଳୀ ଏକ ନିର୍ମାତା । ଦେଶ ବିଦେଶରେ ତାଙ୍କର ବେଶ୍ ଖ୍ୟାତି ଥିଲା ।

 

ଜେରୁଜେଲମର ସମ୍ରାଟ ସଲମନ୍ ଏକ ଚାରୁକଳା ସମ୍ପନ୍ନ ମନ୍ଦିର ତିଆରି କରିବାପାଇଁ ମନସ୍ଥ କରି ଡାରମିନ୍‍କୁ ନିମନ୍ତ୍ରଣ କଲେ ।

 

ଡାରମିନ୍ ଜେରୁଜେଲମରୁ ନିମନ୍ତ୍ରଣ ପାଇ ନିଜକୁ ଗୌରବାନ୍ଵିତ ମନେ କଲେ । ଜେରୁଜେଲମ ଯାଇ ମନ୍ଦିରର ନକ୍ସା ପ୍ରଭୃତି ପ୍ରସ୍ତୁତ କରି, ମନ୍ଦିର ନିର୍ମାଣ ଭାର ହାତକୁ ନେଲେ ।

 

ବହୁଦିନ ରହିଗଲେ ଡାରମିନ୍ ଜେରୁଜେଲମରେ । ରାଜା ସଲମନ୍‍ଙ୍କ ସଂସର୍ଗରେ ଆସି ବିଶେଷ ଗୌରବାନ୍ଵିତ ମନେକଲେ । ସୌର୍ଯ୍ୟ, ବୀର୍ଯ୍ୟ ଓ ଜ୍ଞାନ, ବୁଦ୍ଧିରେ, ସେ ନିଜେ ନିଜର ଆଦର୍ଶ ଏକ ଅତୁଳନୀୟ ଚରିତ୍ର ସଲମନ ।

 

ପ୍ରଜାଏ ଅତି ଭାଗ୍ୟବାନ ହେଲେ ଏପରି ରାଜାଙ୍କ ରାଜ୍ୟରେ ବାସ କରି ।

 

ମନ୍ଦିର କାର୍ଯ୍ୟ ଶେଷ କରି ବହୁଦିନ ପରେ ଜେରୁଜେଲମରୁ ଫେରିଲେ ଡାରମିନ୍...

 

ଡାରମିନ୍ ସେଦିନ କେତେକ ଉପହାର ନେଇ, ରାଣୀ ସେବାଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲେ ।

 

ରାଣୀ ଯଥାଯୋଗ୍ୟ ଅଭ୍ୟର୍ଥନା କରି ଡାରମିନ୍‍କୁ ନିଜ ଉଆସରେ ସାକ୍ଷାତ୍ ଦେଲେ । ବହୁଦିନ ଅନୁପସ୍ଥିତ ରହିବାର କାରଣ ରାଣୀଙ୍କୁ ଜଣାଇଲେ ।

 

ଜେରୁଜେଲମ ଆଉ ରାଜା ସଲମନ୍ ।

 

ପ୍ରଜାବତ୍ସଳ ରାଜା ସଲମନ୍ । ସୁରସିକ । ରାଜା ସଲମାନ କନ୍ଦର୍ପକୁ ଜିଣି ସୁପୁରୁଷ ସଲମନ୍–ରାଜତନ୍ତ୍ରର ପ୍ରତିକ ସଲମନ୍ ପ୍ରଜାଙ୍କ ପାଖରେ ଗଣତନ୍ତ୍ରର ସ୍ଵାଦ ଲୋକଙ୍କୁ ଚଖାଇ, ଅତି ଆପଣାର ହୋଇ ଉଠିଛନ୍ତି ।

ସଲମନ୍ ଜେରୁଜେଲମକୁ ସରଗରେ ପରିଣତ କରିଛନ୍ତି । ସ୍ନେହ ! ସୌହାର୍ଦ୍ଦ୍ୟ ପ୍ରେମର ସମାଜ ପ୍ରତିଷ୍ଠା ପାଇଛି ।

 

ରାଜତନ୍ତ୍ରର ଅହମିକା ତାଙ୍କୁ ଛୁଇଁ ନାହିଁ । ଧନକୁବେର ହୋଇ ପ୍ରଜା ସାଧାରଣ ପାଖରେ, ସେ ଜଣେ ଅତି ସାଧାରଣ, ଅସାଧାରଣ ନୁହନ୍ତି ।

 

ସରଳା, ନିଷ୍କପଟ, ଜ୍ଞାନୀ, ପ୍ରୌଢ଼, ପୁଣି ଚପଳତା ଲକ୍ଷ୍ୟ କଲେ ବିସ୍ମିତ ହେବାକୁ ପଡ଼େ-

 

ମନ ଦେଇ ଶୁଣନ୍ତି ସେବା । ପୂର୍ବରୁ କୌଣସି ପୁରୁଷର ପୌରୁଷ କଥା ଶୁଣିବାରେ ସତେ, ଏତେ ଆଗ୍ରହ ପ୍ରକାଶ କରି ନାହାନ୍ତି ସେ ।

 

ଅନେକ ବିଳମ୍ବ ରାତିରେ ଡାରମିନ୍ ଫେରି ଯାଆନ୍ତି ଘରକୁ ।

 

ପୁଣି ପରଦିନ ରାଣୀଙ୍କ ପାଖକୁ ଡକରା ଆସେ ।

 

ଆଗ୍ରହୀ ରାଣୀଙ୍କୁ ସୁଖୀ କରିବାପାଇଁ ଡାରମିନ୍ ଆରମ୍ଭ କରନ୍ତି ।

 

ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି ସଲମନ୍ । ସମସ୍ତେ ପ୍ରଜା ସମସ୍ତେ ମିତ୍ର । ସମସ୍ତେ ନିରାପଦରେ ପ୍ରାଣ ପ୍ରାଚୁର୍ଯ୍ୟତା ଉପଭୋଗ କରନ୍ତି ସେଠି ।

 

ସତେ ଜେରୁଜେଲମର ପ୍ରଜାମାନେ କେବଳ ଭାଗ୍ୟବାନ ନୁହନ୍ତି । ଜେରୁଜେଲମ ଯେଉଁମାନେ ଦିନେ ଅଧେ ବୁଲି ଆସି ସଲମନ୍‍ଙ୍କ ସଂସର୍ଗରେ ଆସିଛନ୍ତି, ସେମାନେ ମଧ୍ୟ ଭାଗ୍ୟବାନ ।

 

କୁମାରୀ ରାଣୀ ସେବା ପୁରୁଷର ନାମ ଶୁଣି, ଐଶ୍ୱର୍ଯ୍ୟ, ବିଭବ, ପରାକ୍ରମ ଶୁଣି ଯେ ଈର୍ଷାନ୍ଵିତ ହୋଇ ଉଠୁଥିଲେ, ସଲମନ୍‍ଙ୍କ ଗୁଣାବଳୀ ଶୁଣିବା ପରେ ଅନ୍ୟମନସ୍କ ହୋଇ ଉଠିଛନ୍ତି କାହିଁକି ?

 

ସତେ କ’ଣ ପୃଥିବୀରେ ଏମିତି ପୁରୁଷ, ଶାସକ, ରାଜା ଓ ମଣିଷ ଥାଇପାରନ୍ତି ?

 

ଜୀବନରେ କୌମାର୍ଯ୍ୟପାଇଁ ଯେ ବ୍ରତୀ...ଦୁନିଆକୁ ଫାଙ୍କି ଦେଇ ଆନନ୍ଦ ଓ ଗୌରବ ପାଇବାପାଇଁ ଯେ ନିଃସଙ୍କୋଚରେ ବହୁ ପରିଚାରିକା, ଆତ୍ମୀୟଙ୍କ ପାଖରେ ବାରବାର ଘୋଷଣା କରି ଆସିଛନ୍ତି, ତାଙ୍କର ଏପରି ପରିବର୍ତ୍ତନ କାହିଁକି ?

 

ଏହି ପରିବର୍ତ୍ତନରେ ରାଜନବରର ସମସ୍ତେ ବିସ୍ମିତ । ପାଟ ମନ୍ତ୍ରୀ ବିବ୍ରତ ।

 

ସତେ ରାଣୀ ସେବାଙ୍କ ମନରେ ଝଡ଼ ଆସିଛି । ଯଦି ସଲମନ୍ ଆଦର୍ଶ ଶାସକ, ସୁପୁରୁଷ ଆଉ ବିଚକ୍ଷଣ ରାଜନୀତିଜ୍ଞ ହୋଇଥାନ୍ତି, ତାଙ୍କଠାରୁ ଅନେକ କଥା ଶିଖି ହେବ । ସଲମନ୍‍ଙ୍କର ରାଜ୍ୟ ଚାଳନା ପଦ୍ଧତି ସ୍ଵଆଖିରେ ଦେଖି ଆସିଲେ, ଇଥୋପିଆ ରାଜ୍ୟର ଅଶେଷ ମଙ୍ଗଳ ହେବ ।

 

ବାରି ବାଇଗଣ ନିଶ୍ଚୟ ପୋଥି ବାଇଗଣଠାରୁ ଶ୍ରେୟସ୍କର ।

 

ପୁଣି ଅପୂର୍ବ ସୁଦର୍ଶନ ଯୁବକ...ସୁରସିକ ସଲମନ୍...ନାରୀ ଜୀବନରେ ସେହି ଦୁର୍ବଳତା ଉଙ୍କି ମାରିଛି ।

 

ସଲମନ୍‍ଙ୍କ ବାହୁ ବେଷ୍ଟନୀରେ ନିଜକୁ ଧରା ଦେବାପାଇଁ ବାସନା କ’ଣ ଜାଗ୍ରତ ହେଲା-?

 

ଚିର ଅବିବାହିତା ହେବାପାଇଁ ଯାହାର ବାଞ୍ଛନା ଅବାଞ୍ଛିତରୂପେ ପରପୁରୁଷ ସାନ୍ନିଧ୍ୟ ପାଇବାପାଇଁ ବ୍ୟାକୁଳ କାହିଁକି ?

 

କେତେ କଳ୍ପନା କରି ବସିଲେ ସେବା ।

 

ରାଜକାର୍ଯ୍ୟରେ ଆଗ୍ରହ ହରାଇ, ଖାଇବା ପିଇବା ଭୁଲିଯାଇ ମନ ରାଇଜର ବାରବାର ସେହି କଳ୍ପନା ପୁରୁଷର ରୂପ ଉଇଁ ରହିଲା ।

 

ଯେପରି ସେ ରୂପର ଅବସାନ ନାହିଁ ।

 

ଚନ୍ଦ୍ର ଓ ରାହୁ !

 

ନା ନା ଚନ୍ଦ୍ର ତ ସୁନ୍ଦର, ରାହୁ କୁତ୍ସିତ !

 

ସେବାଙ୍କର ରାହୁ ଚନ୍ଦ୍ରଠାରୁ ସୁନ୍ଦର !

 

ଶାସକ ହିସାବରେ ଦୁଇ ଜଣ ଏକ ପଂକ୍ତିର ।

 

ହେଲେ, ସେବା ନାରୀ, ସଲମନ୍ ପୁରୁଷ !

 

ସେବା ଭାବି ବସିଲେ, ସେ ଏକ ମୟୂରୀ !

 

ହେଲେ, ସଲମନ୍–ମୟୂର !

 

ମୟୂର ନିଶ୍ଚୟ ମୟୂରୀଠାରୁ ସୁନ୍ଦର ।

 

ଅଧିକ ରୂପବାନ୍... ।

 

ସେବା ଜୀବନରେ ଛନ୍ଦ ହରାଇ ବସିଲେ ।

 

ଜେରୁଜେଲମ ପରିଦର୍ଶନରେ ଯିବାପାଇଁ ସଲମନ୍‍ଙ୍କୁ ସନ୍ଦେଶ ପଠାଇଲେ । ଅଥୟ ମନ ।

 

ପ୍ରଜାକୁଳ ଜାଣିଲେ ରାଣୀ ସେବା ଜେରୁଜେଲମ ଯାଉଛନ୍ତି ଦେଖି ଆସିବେ ସେ ରାଜ୍ୟର ଶାସନ । ସେ ଦେଶର ଆଇନ, କାନୁନ, କାରୁକାର୍ଯ୍ୟ...ପ୍ରଜାମଣ୍ଡଳୀ ବିଶେଷକରି ରାଜା ସଲମନ୍‍ଙ୍କର ରାଜତନ୍ତ୍ର କୋଳରେ ପ୍ରଜାତନ୍ତ୍ରର ପାଳନ...କିନ୍ତୁ, ଇଥୋପିଆର ଜନମନ ରାଣୀଙ୍କର ଜୀବନରେ ପୁରୁଷପାଇଁ ଝଡ଼ର ଆଭାସପାଇଁ ନଥିଲେ ।

 

ନିମନ୍ତ୍ରଣ ମିଳିବାକୁ ଅପେକ୍ଷା ନ କରି, ବିପଦ ସଂକୁଳ ପଥରେ ନିରାପଦରେ ଯାତ୍ରା କରିବାପାଇଁ ସୈନ୍ୟ, ସାମନ୍ତ, ହାତୀ, ଘୋଡ଼ା ପିଠିରେ ଭୋଜନ ସାମଗ୍ରୀ, ଉପଢ଼ୌକନ ନେଇ ଯାତ୍ରା ଆରମ୍ଭ କଲେ ସେବା... !

 

ଅନ୍ୟ ପକ୍ଷରେ ରାଜା ସଲମନ୍...ସେବାଙ୍କ ବିଷୟରେ ବହୁ କଥା ଶୁଣିଥିଲେ...-। ରୂପସୀ, ଚତୁରୀ, କଳାବତୀ ସେବା... ।

 

ପୁରୁଷର ଚତୁରତା ନେଇ ଇଥୋପିଆର ରାଣୀ ରାଜ୍ୟ ଚଳାଏ । ପ୍ରଜାଏ ସୁଖୀ । ରାଜ୍ୟ ସମୃଦ୍ଧ...ହେଲେ, ସେବା କୁମାରୀ ହୋଇ ଜୀବନ ବିତାଇ ଦେବାର ସଂକଳ୍ପ କଥା ଶୁଣିଛନ୍ତି...-

 

ସଲମନ୍ ଭାବନ୍ତି, ସେବା ରାଜକାର୍ଯ୍ୟରେ ଚତୁରତା ଦେଖାଇ ପାରିଥାନ୍ତି, କିନ୍ତୁ ଜୀବନ ଆଉ ଯୌବନରେ ବ୍ୟର୍ଥତାର ରାଗିଣୀରେ, ଏଇ ପୃଥିବୀ ସଙ୍ଗୀତ ଶୁଣାଇ ଯେ ଜୀବନ ବିତାଇ ଦେବାକୁ ସଂକଳ୍ପ କରିଛି, ସେ ନିର୍ବୋଧ !

 

ସେବାଙ୍କର ରୂପ ସାମଗ୍ରୀର ବିଭବ କଥା ଚିନ୍ତା କରୁ କରୁ ଭାବନ୍ତି–ଆଃ, ଜୀବନର ଯୌବନ ହେଉଛି ବସନ୍ତ–ବସନ୍ତ କୋକିଳର ଆଗମନକୁ କ’ଣ ନିଷେଧ କରେ ? ମଳୟର ବାହୁ ବଲ୍ଲରିରେ ବସନ୍ତ ଧରା ନହେଲେ, ବସନ୍ତର ସାର୍ଥକ କେଉଁଠି ? ମଳୟ ପୂର୍ଣ୍ଣତା ପାଇବ ନାହିଁ ।

 

ଐଶ୍ୱର୍ଯ୍ୟ ବିମଣ୍ଡିତ ଇଥୋପିଆ ରାଣୀ କେବଳ ନୁହନ୍ତି ସେବା, ସେ ଏ ଧରଣୀର ଏକ ସର୍ବ ବିଭବ ମଣ୍ଡିତ ଫୁଲ...ବିନା ଭ୍ରମର ଆଘ୍ରାଣରେ ପୂର୍ଣ୍ଣତା କାହିଁ ? ଦେବ ପୂଜାରେ ନ ଲାଗିଲେ ସେ ପୁଷ୍ପର ମହନୀୟତା କାହିଁ ?

 

ନା ନା, ସେ ଆଉ ଭାବିପାରନ୍ତି ନାହିଁ ।

 

ଦୁନିଆଯାକର ସୌନ୍ଦର୍ଯ୍ୟତା ଆବୁରି ବସି, ଏମିତି ଫାଙ୍କି ଦେଇ ଚାଲିଯିବେ ?

 

ନିଶ୍ଚୟ ନା ! ସଲମନ୍ ଆଶ୍ଚର୍ଯ୍ୟ ହୁଅନ୍ତି ।

 

ସତେ ତମେ ସୁନ୍ଦର ସେବା ! ତମର ବୀରତ୍ଵ କାହାଣୀ ମୋର ଶୁଣିବାର ଇଚ୍ଛା ନାହିଁ । ତମ ରାଜ୍ୟ ପାଳନର ପାରଗତା ବିଷୟ ଜାଣି ମୋର ଲାଭ ନାହିଁ । ତମେ ଦୟାଳୁ...କିନ୍ତୁ ମୋ ମତରେ ନିଷ୍ଠୁର ।

 

ନିଜକୁ ଏକକ ଭାବରେ ପ୍ରତିଷ୍ଠା କରିବାକୁ ଯାଇ, ବହୁ ଜୀବନରେ ଅନେକଭାବ ଜାତ କରାଇବାର ଗୌରବର ଅଧୀଶ୍ଵର ହୋଇ ଫାଙ୍କି ଦେଇ ଯିବାକୁ, ଜେରୁଜେଲମର ରାଜା ସଲମନ୍ ଦେବ ନାହିଁ ।

 

ଆଉ, ଭାବିପାରନ୍ତି ନାହିଁ ସଲମନ୍ । ଦୀର୍ଘନିଃଶ୍ଵାସ ପକାଇ କହନ୍ତି “ସତେ ! ସେବା ! ତମେ ଏତେ ସୁନ୍ଦର ! ତମେ ତମ ସୌନ୍ଦର୍ଯ୍ୟର ଉପମା ଉପମେୟ ନିଜେ ନିଜର...

 

ଅକସ୍ମାତ୍ ସେବା ଜେରୁଜେଲମ ବୁଲି ଆସିବାର ଖବର ପାଇଲେ ସଲମନ୍ ! ସତେଅବା ସେ ବହୁ ରାଜ୍ୟ ଜୟ କରି ସମ୍ରାଟ ହୋଇ ଉଠିଛନ୍ତି ସଲମନ୍... ।

 

ସୈନ୍ୟସାମନ୍ତ ଜେରୁଜେଲମର ଦ୍ଵାରଦେଶରେ ପହଞ୍ଚିବା ସଙ୍ଗେ, ସଙ୍ଗେ ରାଜା ସଲମନ୍‍ଙ୍କ ପାଖରେ ଖବର ପହଞ୍ଚିଲା, ଇଥୋପିଆର ରାଣୀ ଜେରୁଜେଲମ ଆକ୍ରମଣ କରି ଆସିଛନ୍ତି ।

 

ସେତେବେଳକୁ ରାଜା ସଲମନ୍ ସେବାଙ୍କର ଚିଠି ପାଇସାରିଥିଲେ । ପାତ୍ରମନ୍ତ୍ରୀମାନଙ୍କୁ ବୁଝାଇ ଦେଲେ ସଲମନ୍ । ନିଜେ ଅଭ୍ୟର୍ଥନା କରି ଆଣିବାପାଇଁ ସେବାଙ୍କୁ ବାଟରେ ଭେଟି ପାଛୋଟି ଆଣିଲେ ।

 

ଜେରୁଜେଲମରେ ସେବାଙ୍କୁ ଅଭ୍ୟର୍ଥନା କରିବାପାଇଁ ମହାମହୋତ୍ସବ !

 

ପ୍ରଥମ ଦେଖାରେ ରାଣୀ ସେବା ଆତ୍ମ ବିମୁଗ୍‍ଧ ହେଲେ–ରାଜା ସଲମନ୍ ପ୍ରଲୁବ୍‍ଧ ହୋଇ ଉଠିଲେ । ଦୁହିଁଙ୍କ ଆଖିରେ ଦୁହେଁ ଅତୁଳନୀୟ ସୌନ୍ଦର୍ଯ୍ୟର ଆଧାର ।

 

ସଲମନ୍ ମନେମନେ କହିଲେ, ‘‘ଏଇତ ମୋର ଈପ୍ସିତ ପ୍ରେମିକା ।”

 

ରାଣୀ ସେବା ଭାବିଲେ, ‘‘ଏଇତ ମୋର କାମନାର ପୁରୁଷ ।”

 

ବିଧାତା ଆମକୁ ପରସ୍ପର ଅଜଣା, ଅପରିଚୟ କରି ରଖିବାରେ କି ଆନନ୍ଦ ପାଇଲେ କେଜାଣି ।

 

ରାଜ ଉଆସରେ ରାଣୀ ସେବାଙ୍କର ରହଣିର ଆୟୋଜନ କରାଗଲା ।

 

ଜେରୁଜେଲମ ରାଜପ୍ରାସାଦ ଯେପରି ନୂଆ ଜୀବନ ପାଇଛି । ଆଲୋକ । ବତାସ । ଯିବା । ଆସିବା । ପୋଷାକ ଖାଦ୍ୟ । ପାନୀୟ । ସବୁଥିରେ ନୂତନତା ଆସିଛି । ଚାରିଆଡ଼େ ଖିଲି ଖିଲି ହିଲ୍ଲୋଳ । ପରିପାଟୀ । ଯାହା କିଛି ସମ୍ଭବ ସବୁ କିଛି ଆୟୋଜନ କରାଯାଇଛି ।

 

ଜେରୁଜେଲମର ଯାହା କିଛି ବୈଶିଷ୍ଠ୍ୟ, ସେ ସବୁ ଚିତ୍ତବିନୋଦନ କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟାରେ ଆୟୋଜିତ ହୋଇଛି । ପ୍ରତ୍ୟହ ରମଣୀୟ ସ୍ଥାନ ପରିଦର୍ଶନ କରିବାପାଇଁ ଇଥୋପିଆ ରାଣୀ, ଜେରୁଜେଲମ ରାଜା ରାଜନ୍ୟବର୍ଗ ଗହଣରେ ଯାତ୍ରା କରନ୍ତି ।

 

ରାଣୀ ସେବା ଦର୍ପଣ ଆଗରେ ଛିଡ଼ା ହୋଇ ଅଙ୍ଗ ବିଭବ ସଜାଡ଼ିବାରେ ନୂତନ ପରିପାଟୀ କରି ବସନ୍ତି ।

 

ଭାବନ୍ତି ସତେ କ’ଣ ସଲମନ୍‍ଙ୍କ ସମକକ୍ଷ ହୋଇ ପାରିବେ ?

 

ସଲମନ୍ ହୃଦୟ ହରାଇ ବସିଛନ୍ତି । ପରିପାଟୀ ପାଇଁ ଆଗ୍ରହ ନାହିଁ । ସବୁ କିଛି ଆୟୋଜନ କରି ସବୁ ଯେପରି ହରାଇ ବସିଛନ୍ତି । ପୁରୁଷର ପ୍ରକୃତି ଏଇଆ–

 

ନାରୀ ତ ପୁରୁଷ...

 

ନାରୀ ଆୟୋଜନ କରେ ପୁରୁଷକୁ ଜିଣିବାପାଇଁ, ଜୟ କରି କରି ପୁରୁଷକୁ ନିଃଶେଷ କରିବାରେ ତା’ର ଗୌରବ । ପାଇବାର ଉଗ୍ରତାପାଇଁ ନିଜକୁ ଶେଷ ପର୍ଯ୍ୟନ୍ତ ପ୍ରସ୍ତୁତ କରାଇନିଏ !

 

ହେଲେ, ପୁରୁଷ ! ସଲମନ୍ ଜାତୀୟ ପୁରୁଷ ! ସବୁ ହରାଇ ନିଶ୍ଚଳ ହୋଇ ଉଠିଲେ ପ୍ରଥମ ଦେଖାର କେତେଟା ଦିନ ଭିତରେ... ।

 

ନିକଟରେ ରହି, ପ୍ରତିକ୍ଷଣ ଏତେ ନିବିଡ଼ ଭାବରେ ସାହଚର୍ଯ୍ୟ ଲାଭ କରି, ସଲମନ୍ କିଛି ପାଇ ନାହାନ୍ତି ବୋଲି ଅନୁଭବ କଲେ ।

 

ଅନ୍ୟ ପକ୍ଷରେ ସେବା ! ସଲମନ୍‍ଙ୍କର ସାହଚର୍ଯ୍ୟ ଲାଭ କଲେ ଜୀବନର ସବୁକିଛି ପାଇଲେ ବୋଲି ଜୀବନ ଯୌବନ ଫୁଲି ଫୁଲି ଉଠିଲା ।

 

ଶାସନ, ରାଜନୀତି, ପ୍ରଜା ପାଳନ, ଜେରୁଜେଲମର ସମସ୍ୟା, ଇଥୋପିଆର ଭୂଗୋଳ, ଇତିହାସ, କେତେକଅଣ ଯେ ଆଲୋଚନା କରାଯାଏ, ତା’ର ବିବରଣୀ ଦେବା କଷ୍ଟକର ।

 

ରାଜା ବିଜ୍ଞତାର ସହିତ ସବୁ ସମସ୍ୟାର ସମାଧାନ ଦିଗରେ ସମ୍ୟକ ଆଲୋକପାତ କରନ୍ତି ।

 

ବହୁ ଦିନ ସେବାଙ୍କର ଜେରୁଜେଲମର ରହଣି ହୋଇଗଲା ।

 

ବିନିଦ୍ରିତ ଭାବରେ ବିଛଣା ପରେ ପଡ଼ିରହି, ଜ୍ଞାନୀ, ପଣ୍ଡିତ, ବୀର ତାଙ୍କର ମନର ପୁରୁଷ ସଲମନ୍‍ଙ୍କୁ ପାଖେପାଖେ ଅନୁଭବ କରନ୍ତି । ଦେହରେ ଉତ୍ତାପ ଖେଳିବୁଲେ, ବିନିଦ୍ରିତ ରଜନୀ କେବଳ ବ୍ୟର୍ଥତାର ଉତ୍ତର ଦିଏ ।

 

ଅନ୍ୟ ପକ୍ଷରେ ରାଜା ସଲମନ୍ ଏକ ସହସ୍ର ରାଣୀଙ୍କୁ ନିଜ ନିଜ ପୁରୀରେ ଦିବାଲି ଜାଳି ରାଜାଙ୍କର ଆଗମନର ମୂର୍ଚ୍ଛନା ତୋଳି ଉନ୍ନିଦ୍ରତ ରଜନୀ କଟାଇ ଦେବାକୁ ଲାଗିଲେ...। ହେଲେ ନିଜେ ନିଜକୁ ସେବାଙ୍କର ସୌନ୍ଦର୍ଯ୍ୟରେ ଉତ୍ତାପ ଦୂରରୁ ଅନୁଭବ କରିବାକୁ ଲାଗିଲେ ।

 

ହଠାତ୍ ଦିନେ ସେବା ପ୍ରସ୍ତାବ କଲେ “ରାଜନ ! ବହୁଦିନ ନିଜକୁ ଭୁଲି ଆପଣଙ୍କ ପାଖରେ କଟାଇଦେଲି । ମୋ ଦେଶବାସୀ, ଇଥୋପିଆର ଜନସାଧାରଣ ମୋର ଏହି ଦୀର୍ଘ ଅନୁପସ୍ଥିତ ପାଇଁ କ୍ଷମା ଦେବେ ନାହିଁ । ମୋତେ ଫେରି ଯିବାକୁ ଅନୁମତି ଦିଅନ୍ତୁ ।”

 

ସଲମନ୍ ଅବାକ୍ ହୋଇଗଲେ । ସତେ ବିଜୟିନୀ ୟେ ନାରୀ ! ଚତୁର ସଲମନ୍ ନିଜ ମନର ଦୁର୍ବଳତାକୁ ଚାପି ରଖି କହିଲେ–

 

“ରାଜଧର୍ମ ପାଳନ କରିବାରେ ଆପଣ ଅଦ୍ଵିତୀୟା ! ଇଥୋପିଆର ରାଣୀ ସାହେବା ! ଆପଣଙ୍କର ଫେରି ଯିବାର ବିହିତ ବ୍ୟବସ୍ଥା କରିବା ରାଣୀ ସାହେବା !”

 

ମନ ଚମକି ଉଠିଲା ସେବାଙ୍କର ! ଏମିତି ସହଜ ଭାବରେ ଫେରି ଯିବାକୁ ସଲମନ୍ ସନମତ ହୋଇଗଲେ ?

 

ଶେଷରେ ସଲମନ୍ ଅଜୟ ହୋଇ ରହିଗଲେ । ଏତେ ଆତ୍ମନିବେଦନ, ଏତେ ଆନ୍ତରିକତା ତାଙ୍କର ମନର ପୁରୁଷ ପାଖରେ ବ୍ୟର୍ଥ ହୋଇଗଲା ।

 

ନିର୍ଜନରେ ଅନେକ ଥର ଦୁହେଁ ବସି ଅନେକ ମଧୁ ଆଳାପନରେ ସମୟ କଟାଇଛନ୍ତି ।

 

ପୂର୍ଣ୍ଣିମାର ଜହ୍ନ, ଅମାବାସ୍ୟାର ଅନ୍ଧକାର, ବାଳୁତ ସୂର୍ଯ୍ୟ ରଶ୍ମିର ଅଙ୍ଗ ପରଶରେ ବିହ୍ଵଳିତ ହୋଇ, ପରସ୍ପରଠାରୁ ଲୁଚାଇ ଦୁହେଁ ଯେ ମନଧରା କମ୍ପନ ପାଇ ନାହାନ୍ତି ତାହା ନୁହେଁ ?

 

ମଣିଷ ଦେହୀ ବିଧର୍ମୀ ପ୍ରେମିକ ପ୍ରେମିକା ଯୁଗଳ ଏହି ରାଜା ଆଉ ରାଣୀ ।

 

ରାଜତନ୍ତ୍ରର ଅହମିକା ନେଇ ଏହି ପ୍ରେମିକ ଯୁଗଳ ନିଜେ ନିଜକୁ ଅଲଗା କରି ରଖିଲେ, ଏହି ଦୀର୍ଘକାଳ...

 

ସାଧାରଣ ପ୍ରେମିକ ପ୍ରେମିକାଙ୍କ ଜୀବନରେ ଅନ୍ୟ କିଛି ଘଟି ଯାଆନ୍ତା ନିଶ୍ଚୟ ।

 

ରାଜକୀୟ ଏ ପ୍ରେମ...

 

ଜଣେ ଏକ ସହସ୍ର ରାଣୀଙ୍କୁ ହରେମ୍‍ରେ ରଖି ନିଜେ ସଂଯତ...ଶୃଙ୍ଖଳିତ ବୋଲି ଆତ୍ମ ପ୍ରରୋଚନା କରି ବସିଲେ ।

 

ଅନ୍ୟ ଜଣେ ନିଜ ଜୀବନର କୁମାରୀ ଜୀବନର ମିଥ୍ୟା ସଂକଳ୍ପର ଜୟଢ଼କ୍‍କା ବଜାଇ ସଂଯତ ବୋଲି ପ୍ରତିପାଦିକ କରିବାପାଇଁ ଆୟୋଜନ କରି ଯଶସ୍ଵୀ ହେଲେ ବୋଲି, ରାଜା ସଲମନ୍‍ଙ୍କୁ ଦେଖାଇ ବସିଲେ ।

 

ହେଲେ, ଦୁହେଁ ପ୍ରବଞ୍ଚକ...ସମୟ, ସୁଯୋଗ ପ୍ରାଚୁର୍ଯ୍ୟତାକୁ ଅସମ୍ମାନିତ କରି ଦୁହେଁ ଦୁହିଁଙ୍କ ଭୋକିଲା ଆତ୍ମାକୁ ପ୍ରବଞ୍ଚିତ କଲେ !

 

ସେବା କହିପାରିଲେ ନାହିଁ “ପ୍ରିୟ ! ମୋ ଜୀବନକୁ ସାର୍ଥକ କର ।”

 

ସଲମନ୍ କମ୍ପିତ ଚିବୁକରେ ଚିବୁକ ମିଶାଇ କହି ପାରିଲେ ନାହିଁ “ପ୍ରିୟତମା ! ତମେ ମୋର କେତେ ଆପଣାର...”

 

ଯିବା ଦିନ ସ୍ଥିର ହୋଇଗଲା !

 

ଆଗାମୀ କାଲି ରାଣୀ ସେବା ଇଥୋପିଆ ଯାତ୍ରା କରିବେ ।

 

ମଳିନ ନିଷ୍ପ୍ରଭ ହୋଇଉଠିଛି ଜେରୁଜେଲମ ଅଧିପତି, ସଲମନ୍‍ଙ୍କ ମନ ।

 

ତଥାପି ବିଦାୟ ଯାତ୍ରାର ଆୟୋଜନରେ କୌଣସି ତ୍ରୁଟି ନାହିଁ । ରାଜକୀୟ ବିଦାୟ ସେ ବାହୁଡ଼ା ପର୍ବ !

 

ଭୋଜି ସଭା ! ଜେରୁଜେଲମରେ ଏପରି ବିଦାୟ ଭୋଜି କେଭେଁ ଏପରି ମହାସମାରୋହରେ ଆୟୋଜିତ ହୋଇ ନଥିଲା ।

 

ହୀରା, ନୀଳା, ମୋତି, ମାଣିକରେ ସଜ୍ଜିତ ହୋଇଥିଲେ ରାଣୀ ! ଆଲୋକ ସଭାରେ ତପ୍ତ କାଞ୍ଚନ ରଙ୍ଗର ସେବା ଆହୁରି ଉଜ୍ଜ୍ୱଳ ହୋଇ ଉଠିଥିଲେ । ଇଥୋପିଆର ସୁନ୍ଦରୀମାନଙ୍କ ଗହଣରେ ସେବା ଭୋଜି ସଭାକୁ ବିଜେ କଲେ ।

 

ଅନ୍ୟ ପକ୍ଷରେ ଜେରୁଜେଲମର ସଲମନ୍‍ଙ୍କ ସହସ୍ର ରମଣୀ ଆଉ ଆଉ ସମ୍ଭ୍ରାନ୍ତ ବଂଶୀୟ ରମଣୀ ବେଶଭୂଷାର ଚରମ ପରାକାଷ୍ଠା ଦେଖାଇ ଭୋଜି ସଭା ମଣ୍ଡନ କଲେ । ଏହି, ମହାସମାରୋହରେ ସଲମନ୍ ଦେଖିଲେ, ରମଣୀମାନେ ଯେବେ ନୀଳ ଆକାଶର ଅସଂଖ୍ୟ ତାରକା ହୁଅନ୍ତି, ସେବା ସେଠି ଚନ୍ଦ୍ରା ଅଙ୍ଗନାମାନଙ୍କର ଆସନ ଏପରି ଭାବରେ ଆୟୋଜିତ ହୋଇଥିଲା ଯେ, ସେମାନେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଦେଖୁଥିଲେ, ହେଲେ ସେମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ଦେଖିପାରୁ ନଥିଲେ ।

 

ସଙ୍ଗୀତର ମୂର୍ଚ୍ଛନା ଭାସି ଭାସି ଆସୁଥିଲା ।

 

ଖାଦ୍ୟ ସାମଗ୍ରୀର ପ୍ରାଚୁର୍ଯ୍ୟତାର ଆତିଶଯ୍ୟରେ ଭୋଜି ସଭାରେ ଲକ୍ଷ୍ମୀଙ୍କ ଗନ୍ତାଘରୁ ଯେପରି ଭୋଜି ସାମଗ୍ରୀ ଅନବରତ ଛୁଟି ଚାଲିଛି ।

 

କିନ୍ତୁ ରମଣୀମାନଙ୍କୁ, ବିଶେଷକରି ଭୋଜି ସଭାର ପ୍ରଧାନ ନାୟିକାଙ୍କୁ ଏପରି ଖାଦ୍ୟ ସାମଗ୍ରୀ ପରିବେଷଣ କରାଗଲା ଯେ, ସେ ଆତ୍ମବିଭୋର ହୋଇ ଖାଇବାକୁ ଲାଗିଲେ । ସଙ୍ଗେ ସଙ୍ଗେ ଗଭୀର ତୃଷା ଅନୁଭବ କଲେ ।

ଏହି ତୃଷା ଐନ୍ଦ୍ରଜାଲିକ ତୃଷା ! ରାଜା ସଲମନ୍ ଆୟୋଜିତ ତୃଷା...

ଭୋଜି ପରେ ନିମନ୍ତ୍ରିତ ଅତିଥିମାନେ ବିଦାୟ ନେଇଗଲେ ।

ରହିଗଲେ ରାଜା ସଲମନ୍ ଆଉ ରାଣୀ ସେବା !

ରାଜାଙ୍କ ନିର୍ଦ୍ଦେଶରେ ପାର୍ଶ୍ଵଚର ଓ ସେବିକାମାନେ ରାଣୀଙ୍କୁ ଛାଡ଼ି ଚାଲିଯାଇଥିଲେ । ପରଦା ଆଡ଼େଇ ସଲମନ୍ ଦେଖନ୍ତି, ବିଚିତ୍ର ରୂପସୀ ୟେ ରାଣୀ ସେବା ।

ଦେବଦୁର୍ଲଭ ।

ରାଣୀଙ୍କର ମତୁଆଲି ଆଖି ସଲମନ୍‍ଙ୍କୁ ଯେପରି ଅଭ୍ୟର୍ଥନା ଜଣାଉଥିଲା । ସେ ମଧ୍ୟ ମତୁଆଳର ଉତ୍ତେଜନା ନେଇ ସେବାଙ୍କର ଦୁଇ ଆଖି ସହିତ ନିଜର ଦୁଇ ଆଖି ମିଶାଇ ସମକାମନାର ପରିତୃପ୍ତି ପାଇଁ ନିବେଦନ ଜଣାଇଲେ ।

ସଲମନ୍ ଜୀବନର ସବୁକିଛି ଏକତ୍ରିତ କରି ଥରିଲା ଗଳାରେ କହିଲେ, “ପ୍ରିୟ ଶ୍ରୀ ! ପ୍ରାସାଦର ଏହି ନିର୍ଜନ କକ୍ଷରେ ତମେ ଆଉ ମୁଁ, ନିର୍ଜନ ରାତି–

ସେବା ସବୁ ଅନୁଭବ କରୁଥାନ୍ତି । ଜୀବନ ଯାହା ଚାହୁଁଥିଲା, ବହୁ–ପଲ୍ଲବ ଯାହାଙ୍କ ଗଳାରେ ଜଡ଼ାଇ ଦେବାପାଇଁ ଅପେକ୍ଷା କରି ରହିଥିଲା, ନିଜର ସବୁ କିଛି ଜଡ଼ାଇ ଦେଇ ଇହକାଳ ଓ ପରକାଳର ଯେଉଁ ଆମୋଦପାଇଁ ପ୍ରାଣ ମତୁଆଲ ହୋଇଉଠିଛି, ସେ ସୁଦର୍ଶନ ଯୁବକ, ସେହି ଅତି ଆପଣାର ପ୍ରିୟ ବାନ୍ଧବ ସାନ୍ନିଧ୍ୟ ପାଇବାପାଇଁ ଆତୁର ହୋଇ ନିବେଦନ ଜଣାଉଛନ୍ତି ।

ଥରି ଉଠିଲା ଚିବୁକ...ଥରି ଉଠିଲା ବାହୁଲତା...ପିପାସିତ ଆତ୍ମାର ଇଙ୍ଗିତ ସତ୍ତ୍ୱେ ରାଜା ବୁଝିପାରିଛନ୍ତି ଚକ୍ଷୁ ବୁଜି ସେବା ଯେପରି ଦେହର ପ୍ରତ୍ୟେକ ରକ୍ତକଣିକାରେ ଏକ ପ୍ରଲୁବ୍‍ଧ ଶିହରଣ ବାରବାର ଅନୁଭବ କଲେ ।

ଥରିଲା କଣ୍ଠରେ ସୁଲମାନ କହିଲେ, “ଜୀବନରେ ଏଇ କେତେଦିନ ସାଧନାର ସବୁକିଛି ବନ୍ଧନ ଦେଇ ତମ ପାଖରେ ଛିଡ଼ା ହୋଇଛି ସେବା–ମୋର କିଛି ଅଦେୟ ନାହିଁ...

“କିନ୍ତୁ ମୁଁ ଯେ–କୌମାର୍ଯ୍ୟପାଇଁ ସଂକଳ୍ପ କରିଛି ରାଜନ ! ପ୍ରଜାକୁଳ କ’ଣ କହିବେ ? ମୋର ନିଜର ସ୍ଵାର୍ଥପାଇଁ...

“ରାଜା, ପ୍ରଜା, ସାମନ୍ତ, ଚରାଚର ବିଶ୍ଵବାସୀଙ୍କର ଯାହା କାମ୍ୟ, ଆମେ ଭ୍ରାନ୍ତ ଆଦର୍ଶ ନାମରେ ନିଜକୁ ପ୍ରତାରିତ କରିବାକୁ ଦେବାନାହିଁ, ରାଣୀ !”

ସେବା ନୀରବ ।

“ନୀରବ ! ରହିଲେ ଯେ...ସେବା !”

“କୁହନ୍ତୁ, ମୁଁ ଶୁଣିବି–ଶୁଣିବାପାଇଁ ମୁଁ ବ୍ୟଗ୍ର ହୋଇ ଇଥୋପିଆରୁ ଧାଇଁ ଆସିଛି ରାଜନ-!

“କିନ୍ତୁ ମୁଁ ଆଜି କିଛି ଶୁଣାଇବାକୁ ଇଚ୍ଛୁକ ନୁହେଁ । ଆଜି ତମଠାରୁ ଶୁଣିବାକୁ ଉଦ୍‍ବିଗ୍ନ ହୋଇଉଠିଛି, ରାଣୀ ! କାଲି ଇଥୋପିଆକୁ ତମେ ଚାଲିଯିବ ! ଯିବା ପୂର୍ବରୁ ମୋତେ ଶୁଣାଇବ ନାହିଁ ରାଣୀ !”

“ୟେ ଶୁଭମୁହୂର୍ତ୍ତ ମୋପାଇଁ ଆଉ ମିଳିବ ନାହିଁ, ସଲମନ୍ । ତମେ କୁହ, ମୁଁ ଶୁଣିବି–ହଁ ଶୁଣିବି–ଏକାନ୍ତ ଭାବରେ ଶୁଣିବି ।”

“ମୁଁ କ’ଣ କହିବାକୁ ଚାହୁଁଛି, ତମେ ଜାଣିଛ ପ୍ରିୟତମ ? ମୁଁ ଚାହେଁ...ତମକୁ ନେଇ ରାଣୀ ହିସାବରେ ଚାହେଁ...ବିବାହ ହେବାକୁ ଚାହେଁ...”

“ନା ନା, ସଲମନ୍–ମୁଁ ଅଭିଶପ୍ତ–ତେଣୁ ଏ ବିବାହ ହୋଇପାରୁନାହିଁ ।” ସେବା କହିଲେ-

“କିନ୍ତୁ ମୋର ଆଦର୍ଶ ସନ୍ତାନର ଜନନୀ ହେବାପାଇଁ ତମେ କେବଳ...” ରାଜା ସଲମନ୍‍ଙ୍କର ବାକ୍‍ରୁଦ୍ଧ ହୋଇଗଲା ।

“ନା ନା, ରାଜା । ଭଗବାନଙ୍କ ନାମରେ ମୁଁ ବାରଣ କରୁଛି ବଳାତ୍କାର କରି ମୋ ଅଙ୍ଗ ସ୍ପର୍ଶ କରନାହିଁ । କୁମାରୀ ଜୀବନର ସବୁକିଛି ଅଜାଡ଼ି ଦେଇ ଲାଞ୍ଛିତା ଭାବରେ ମୋ ରାଜ୍ୟକୁ ଯାଇ ପାରିବି ନାହିଁ ।”

“ବଳାତ୍କାର କରି ପୁରୁଷତ୍ଵକୁ ଜାହିର କରିବାର ନାୟକ ମୁଁ ନୁହେଁ, ସେବା ! ହେଲେ ଭଗବାନଙ୍କ ନାମ ନେଇ, ମୁଁ ବାରଣ କରୁଛି ମୋତେ ନ ଜଣାଇ ମୋ ଅନୁମତି ନ ପାଇ, ଏହି ପ୍ରାସାଦର କୌଣସି ପାନୀୟ ବା ଖାଦ୍ୟ ଆଜି ଗ୍ରହଣ କରିପାରିବ ନାହିଁ ।”

ବିସ୍ମିତ ହେଲେ ସେବା ! ଏ କ’ଣ କହୁଛନ୍ତି ସଲମନ୍ !

“ଆପଣ ମୋର ଅନୁରୋଧ ରକ୍ଷା କଲେ, ଆପଣଙ୍କ ଆଦେଶ ନିଶ୍ଚୟ ପାଳନ କରିବି-।”

ସେବା ।”

“ସଲମନ୍ !”

“ଦୀର୍ଘ ଛଅ ମାସ ହେଲା, ମୁଁ ବଳାତ୍କାରରେ ମୋର ପୌରୁଷତ୍ଵକୁ ଲଦି ଦେବାକୁ କେବେ ଉଦ୍ୟମ କରିଛି ସେବା ? ଏ ହେଉଛି ବିଦାୟ ମୁହୂର୍ତ୍ତ...ମୋ ଜୀବନର ବାସନା ମଳିନ ପଡ଼ିଯାଉ ପଛେ–ଭଲ ପାଇବାର ସ୍ମାରକରୂପେ ମୋତେ...ହଁ ମୁଁ ତମକୁ ସୁଖୀ କରିବାପାଇଁ ପୁଣି ଈଶ୍ଵରଙ୍କ ନାମରେ ପ୍ରତିଜ୍ଞା କଲି...ହେଲେ, ମୋର ଆଦେଶ ତମକୁ ପାଳନ କରିବାକୁ ହେବ...

ଶୁଭରାତ୍ରି ଜଣାଇ ରାଜା ସଲମନ୍ ବିଦାୟ ନେଲେ !

ଜୀବନରେ ଦାରୁଣ ବ୍ୟଥା ନେଇ ଢଳି ଢଳି ରାଣୀ ସେବା ବିଛଣାକୁ ଫେରିଗଲେ...ଜୀବନରେ ମତୁଆଲି ମନ–ଭାବନାରେ ଆଦର୍ଶର କୁହୁଡ଼ି...ସବୁ ଝାପ୍‍ସା...ଦୁନିଆରେ ସବୁ ଥାଇ ଯେପରି ରାଣୀ ସେବା ଲମ୍ବ ହୋଇ ବିଛଣାରେ ପଡ଼ି ରହିଛନ୍ତି ।

 

ଜୀବନର ଆଦର୍ଶକୁ ସମାଧି ଦେଇ ସେ କ’ଣ ଯାହା ଚାହୁଁଛନ୍ତି...ନା ନା, ଅଧୀର ଅସ୍ଥିର ହୋଇ ସେବା ଛଟପଟ ହେଲେ....

 

ହଠାତ୍ ସେ ଅନୁଭବ କଲେ ତୃଷାରେ ଛାତି ଫାଟି ପଡ଼ିବ । ଓଃ, କି କାଳଗ୍ରାସୀ ତୃଷା...ନା ନା, ୟେ ତୃଷାରେ ତାଳୁ ତଳିପା ପର୍ଯ୍ୟନ୍ତ ଗ୍ରାସୀ ବସିଛି ।

 

ଚିତ୍କାର କଲେ “ପାଣି ! ପାଣି !! ଘରର ଚାରିଆଡ଼େ ଘୂରି ବୁଲିଲେ ପାଣିପାଇଁ ।

 

ପ୍ରକୋଷ୍ଠର ଆର ପାଖରେ ସଲମନ୍ ନିଦ୍ରିତ ।

 

ନିଜ ପ୍ରକୋଷ୍ଠରେ ପାଣି ନପାଇ, ସଲମନ୍‍ଙ୍କ ପ୍ରକୋଷ୍ଠକୁ ପଶିଯାଇ ଦେଖିଲେ, ତାଙ୍କ ଶଯ୍ୟା ପାଖରେ ଜଳପୂର୍ଣ୍ଣ ଏକ ପାତ୍ର ସଜ୍ଜିତ ହୋଇ ରଖାଯାଇଛି ।

 

ପରଦା ଆଡ଼େଇ ସଲମନ୍‍ଙ୍କ ଶଯ୍ୟା ପାଖକୁ ଯାଇ, ପାତ୍ରରୁ ଜଳ ଢାଳି ଆକଣ୍ଠ ଭରି ପାନ କଲେ ।

 

‘‘ହଠାତ୍ ସଲମନ୍ ଶଯ୍ୟାରୁ ଉଠିପଡ଼ି କହିଲେ, ତମେ ପ୍ରତିଜ୍ଞା ଭଙ୍ଗ କରିଛ ପ୍ରିୟଶ୍ରୀ” ।

 

“ମୁଁ କେଭେ ପ୍ରତିଜ୍ଞା ଭଙ୍ଗ କରିନି ରାଜନ ।”

 

“ଏଇ ମାତ୍ର ମୋ ପାତ୍ର ନିଃଶେଷ କରି ଆକଣ୍ଠ ଭରି...

 

“ରାଜନ !” ଚିତ୍କାର କରି ଉଠିଲେ ସେବା !

 

“ସାମାନ୍ୟ ଜଳ”

 

“ଜଳହିଁ ଜୀବନ ।”

 

ସେବାଙ୍କର ଆଉ ବୁଝିବାର କିଛି ରହିଲା ନାହିଁ । କେବଳ ଦେହ, ମନ, ଦେଇ ରାଜା ତାଙ୍କୁ ଜୟକରି ପାରି ନଥିଲେ । ବୁଦ୍ଧି, ପ୍ରଜ୍ଞା ଛଳରେ ତାଙ୍କୁ ପରାଜୟ କରିଛନ୍ତି ।

 

“ରାଣୀ ! ପରାଜୟ ଗ୍ଳାନିରେ, ତମେ ଅଜୟା ହୋଇ ରହିପାରିବ ନାହିଁ...ତମେ ଯେତେବେଳେ ତମ ପ୍ରତିଜ୍ଞା ରକ୍ଷା କରିପାରିନା, ମୋତେ ମୋ ପ୍ରତିଜ୍ଞାରେ ଅଟଳ ହୋଇ ରହିବାକୁ ଆଉ ଅନୁରୋଧ କରିପାରିବେ ନାହିଁ ।”

 

ରାଣୀ ପରାଜିତ ହେଲେ–ଉତ୍‍ଫୁଲିତ ହୋଇ ଉଠିଲେ ।

 

ସଲମନ୍ ନିଜର ଲମ୍ବା ବାହୁବନ୍ଧନରେ ବନ୍ଦିନୀ କରିନେଲେ ସେବାଙ୍କୁ...ସେବା ଆଖି ବୁଜି ସଲମନ୍‍ଙ୍କର ବିସ୍ତୃତ ଛାତି ଉପରେ ଆଉଜି ଗଲେ । କେତେ ଅଭୟ ଅଛି ଏଠି ଗଚ୍ଛିତ ହୋଇ–କି ଉଷ୍ମ–କି ଉର୍ବର–ୟେ ଚିବୁକ–ରାଜା ବାରବାର ରକ୍ତ ଗୋଲାପ ନିନ୍ଦି ଚିବୁକରେ ଚିବୁକ ମିଶାଇ, ଅଧୀର ଅସ୍ଥିର ବକ୍ଷରେ ବାରବାର କମ୍ପନ ସୃଷ୍ଟି କଲେ ସଲମନ୍... !

 

ଥରିଲା କଣ୍ଠରେ ସେବା କହିଲେ “ତମେ ରାଜନ...”

 

“ତମକୁ ଜେରୁଜେଲମରେ ବନ୍ଦିନୀ କରି ରଖିବି ନାହିଁ ରାଣୀ ! ମୋ ଅନ୍ତରରେ ଚିରଜୀବନ ବନ୍ଦିନୀ ତମେ ସେବା !

 

ସେଦିନ ରାତିରେ ଜୀବନର ଚିରକୁମାରୀ ବ୍ରତ ଉଦ୍‍ଜାପନ, ରାତିରେ ସେବା ନିଜକୁ ହଜାଇ ସଲମନ୍‍ଙ୍କୁ ସମ୍ରାଟ କରିଛି...ନିଜେ ସାମ୍ରାଜ୍ଞୀ....

 

ସଲମନ୍ ସେବାଙ୍କ ହାତରେ ଗୋଟିଏ ମୁଦି ପିନ୍ଧାଇ ଦେଲେ କହିଲେ, “ଶିଶୁ ସନ୍ତାନର ତମେ ଯେବେ ଜନନୀ ହୁଅ...ଏହି, ସଂକେତ ଦେଇ ସାବାଳକ ହେଲେ, ତାକୁ ମୋ ପାଖକୁ ପଠାଇ ଦେବ ସେବା...

 

ସେ ରାତ୍ରୀ ! ସେ ପ୍ରେମ ପିପାସା ! ସେ ଶୃଙ୍ଖଳା ଆଜିର ଦୁନିଆପାଇଁ ଏକ ସାଙ୍କେତିକ ବିସ୍ମୟ !

 

ଧନ୍ୟ ସେବା !

 

ଧନ୍ୟ ସଲମନ୍ !

☆☆☆

 

ହତଭାଗିନୀ ପ୍ରେମିକା ଆନିବଲେନ୍

 

ଇଂରେଜ ଇତିହାସର ସୁପ୍ରସିଦ୍ଧ ରାଣୀ ଏଲିଜାବେଥ୍‍ଙ୍କର ଜନନୀ ହେଉଛନ୍ତି ଆନିବଲେନ୍ ।

 

କୌଣସି ଲର୍ଡ଼ ବଂଶ ସମ୍ଭୂତା ନଥିଲେ କୁଇନ୍ ଆନିବଲେନ୍ ! କି କୁକ୍ଷଣରେ ହେନେରୀଙ୍କ ସହିତ ଦେଖା ହେଲା କେଜାଣି, ଐଶ୍ୱର୍ଯ୍ୟପାଇଁ, ଜୀବନଟାକୁ ତିଳତିଳ କରି ଜାଳିପୋଡ଼ି, ଫାଶି ଖୁଣ୍ଟରେ ଆହୁତି ଦେଲେ । ପୁଣି ସ୍ଵାମୀଙ୍କ ଷଡ଼ଯନ୍ତ୍ରରେ । ସ୍ଵାମୀଙ୍କର ଯୌନତୃଷା ଅନ୍ୟନାରୀ ସଙ୍ଗରେ ସ୍ଵଚ୍ଛନ୍ଦରେ କଟାଇବା ପାଇଁ ।

 

ସୁନ୍ଦରୀ ତରୁଣୀ ଆନିବଲେନ୍ । ଅନୁପମ ରୂପବତୀ । ରକ୍ତିମ ଚିବୁକ । କାମ ଉଛୁଳା ଅପାଙ୍ଗ ଚାହାଣି । ରକ୍ତ ଗୋଲାପ ନିନ୍ଦି ଶରୀରର ବର୍ଣ୍ଣ ବିଭବ । ଯେକୌଣସି ଯୁବକକୁ ମତୁଆଲ କରି ବସିବ ।

 

ଟମାସ ବଲେନଙ୍କ କନ୍ୟା ଆନିବଲେନ୍ । ତାଙ୍କର ଜନ୍ମ ୧୫୦୯ ଖ୍ରୀଷ୍ଟାବ୍ଦରେ ।

 

ଟମାସ ବଲେନ, ଧନୀ, ମାନୀ । ଇଂରେଜ ଆରିଷ୍ଟୋକ୍ରେଟ୍‍ ପରିବାରରେ ସୁପରିଚିତ ।

 

ଆନିଙ୍କର ଜନ୍ମରେ ଟମାସ ଅତ୍ୟନ୍ତ ଖୁସି ହେଲେ । ଏତେ ସୁନ୍ଦର ଚେହେରା ଆନିଙ୍କର ଯେ, ଦେଖିବା ଲୋକେବି ଖୁସି ହେଉଥିଲା ।

 

ଯୌବନରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ରୂପ ସୌରଭରେ ଅନେକ ଉଚ୍ଚବଂଶ ସମ୍ଭୂତ ଯୁବକ ବନ୍ଧୁମାନେ ଆନିଙ୍କର ସାନ୍ନିଧ୍ୟ ଲାଭପାଇଁ ବ୍ୟାକୁଳ ହୋଇ ଉଠିଲେ । ଯୌବନ ପ୍ରଲୁବ୍‍ଧ ଯୁବକ ବନ୍ଧୁମାନେ ଅନେକ ଆଳନେଇ ଟମାସଙ୍କ ଘରେ ରୁଣ୍ଡ ହେଲେ ।

 

ପାର୍ଟି, ପିକ୍‍ନିକ୍‍ରେ ଆନିଙ୍କ ସହିତ ଅନେକ ଆସି ମେଳ ହେଲେ ।

 

ଆନି ନିଜ ସୌନ୍ଦର୍ଯ୍ୟରେ ଦିଗ୍‍ବିଜୟୀ ହୋଇ ନିଜ ସୌନ୍ଦର୍ଯ୍ୟର ପ୍ରଚାରପାଇଁ ଅନେକ ଯୁବକ ବନ୍ଧୁଙ୍କୁ ନେଇ ଘୂରି ବୁଲିଲେ । ଶେଷରେ ଆନିଙ୍କର ଲର୍ଡ଼ ନର୍ଦ୍ଦାମର ଲ୍ୟଣ୍ଡଙ୍କ ସଙ୍ଗରେ ପ୍ରେମ ଜମି ଉଠିଲା ।

 

ଆନି ତାଙ୍କୁ ବିବାହ କରିବାପାଇଁ ଶେଷ ନିଷ୍ପତ୍ତି କରିନେଲେ ।

 

ଦୁଇ ପରିବାରରେ ସେମାନଙ୍କ ବିବାହ ପ୍ରସ୍ତାବକୁ ସ୍ଵାଗତ କଲେ ।

 

ଠିକ୍ ବିବାହ ଦିନ ସ୍ଥିର ହେବାର କିଛିଦିନ ପରେ ପରମ ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ ହେଉ ଆନିଙ୍କର ଦେଖା ହେଲା ଇଂଲଣ୍ଡର ରାଜା ହେନେରୀଙ୍କ ସାଙ୍ଗରେ ।

 

ଇଂରେଜ ଇତିହାସରେ ଏକ କଳଙ୍କ, ଚରିତ୍ରହୀନ ପୁରୁଷ ।

 

ଅଷ୍ଟମ ହେନେରୀ ଇଂରେଜ ସାମ୍ରାଜ୍ୟ ପାଇବାପାଇଁ ହକ୍‍ଦାର ନଥିଲେ । ହାତୀ ସୁନା କଳସ ଢାଳିବା ପରି ଭାଇ ଆର୍ଥର ମରିଯାଇଥିବାରୁ ସପ୍ତମ ହେନେରୀଙ୍କ ପରେ ଇଂରେଜ ରାଜସିଂହାସନକୁ ସେ ଅଳଙ୍କୃତ କଲେ । ହେନେରୀ ଅଷ୍ଟମ ଯେବେ ଇଂରେଜ ସିଂହାସନ ଅଳଙ୍କୃତ କରି ନଥାନ୍ତେ, ଇଂଲଣ୍ଡର ଇତିହାସ ଅନ୍ୟ ରୂପ ଧାରଣ କରିଥାନ୍ତା ।

 

ସିଂହାସନ ଆରୋହଣ ପୂର୍ବରୁ ସପ୍ତମ ହେନେରୀଙ୍କର ବିଧବା ପତ୍ନୀ କାଥାରାଇନ୍‍ଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କେତେଦିନ କାଥାରାଇନଙ୍କୁ ସୁଖୀ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନାରୀ ଯୌବନ ଲାଳସୀ ଅଷ୍ଟମ ହେନେରୀଙ୍କର ଅସ୍ଥିରତା, ଉଚ୍ଛୃଙ୍ଖଳତା ସକାଶେ ବ୍ରିଟିଶ ରାଜବଂଶ କଳଙ୍କିତ ହେଲା ।

 

କ୍ୟାଥ୍‍ଲିକ୍‍ ଧର୍ମର ପୃଷ୍ଠପୋଷକ ହୋଇ ପ୍ରୋଟେଷ୍ଟାଟମାନଙ୍କର ଚରମ ବିରୋଧତା କରି ମହାମାନ୍ୟ ପୋପଙ୍କର ଅତି ପ୍ରିୟ ହୋଇ ଉଠିଥିଲେ । କିନ୍ତୁ ବିଧାତାର ଉପହାସରେ କ୍ୟାଥ୍‍ଲିକ୍‍ ଧର୍ମର ଚରମ ବିରୁଦ୍ଧାଚରଣ କରି ପୋପଙ୍କୁ ଅସ୍ଵୀକାର କଲେ । ନିଜେ ପ୍ରୋଟେଷ୍ଟାଣ୍ଡ ଧର୍ମରେ ଦୀକ୍ଷିତ ହେଲେ ।

 

ଆନିବଲନଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ବିବାହ କରିବାପାଇଁ ହେନେରୀ ନିଷ୍ପତ୍ତି କଲେ । ଏହି ଖବରରେ ଇଂରେଜ ନାଗରିକ, ମନ୍ତ୍ରୀସଭା ଭିନ୍ନ ମତ ପ୍ରକାଶ କଲେ । ପ୍ରଧାନମନ୍ତ୍ରୀଙ୍କୁ ରାଜା ଟାଣ ଟାଣ କରି ଶୁଣାଇ ଦେଲେ ।

 

“ମୋର ବ୍ୟକ୍ତିଗତ ବିଷୟ ନେଇ ଇଂରେଜ ଜାତି ବା ମନ୍ତ୍ରୀ ସଭାର କୌଣସି ପରାମର୍ଶ ଚାହେଁ ନାହିଁ । ମୁଁ ଆନିବଲେନ୍‍ଙ୍କୁ ବିବାହ କରିବି ଆଉ ତାକୁ ରାଣୀର ସମ୍ମାନ ଦେବି ।”

 

“ମି, ଲର୍ଡ଼...ରାଣୀ କ୍ୟାଥାରାଇନ୍ ଜୀବିତ ଥାଉଁଥାଉଁ...ମହାମାନ୍ୟ ପୋପ ! ଆନିବଲେନ୍‍ଙ୍କ ବିବାହକୁ ସ୍ଵୀକାର କରିବେ ନାହିଁ...

 

“ମହାମାନ୍ୟ ପୋପଙ୍କୁ ଅତୀତରେ ବହୁ ସମ୍ମାନ ଦେଇଛି । କ୍ୟାଥ୍‍ଲିକ୍‍ ଧର୍ମର ଉତ୍ଥାନପାଇଁ ମୋର କାର୍ଯ୍ୟରେ ସେ ପ୍ରୀତ...ସେ ଯେବେ ଏହି ବିବାହକୁ ସମ୍ମାନିତ ନ କରନ୍ତି, ତେବେ ତା’ର ଫଳ ସେ ଭୋଗିବେ...”

 

ପ୍ରଧାନମନ୍ତ୍ରୀ ହତଜ୍ଞାନ ହୋଇ ଫେରିଲେ । ହେନେରୀ ମନ ଉଲ୍ଲାସରେ ଆନିବଲେନ୍‍ଙ୍କ ପ୍ରେମକୁ ଆକଣ୍ଠ ଉପଭୋଗ କଲେ ।

 

ନିଃସଙ୍କୋଚ, ବେପରୁଆ ପ୍ରେମିକ ଅଷ୍ଟମ ହେନେରୀ ଯୌନ ଉପଭୋଗରେ ଚରମ ରତିବିଳାସରେ ସବୁକିଛି ଭୁଲିଗଲେ ।

 

ନିଜ ବାହୁବନ୍ଧନରେ ଆନିବଲେନ୍‍ଙ୍କୁ ବନ୍ଦୀ କରି କହିଲେ, “ତମକୁ ମୁଁ ରାଣୀକରି ଉଆସକୁ ନେବି–”

 

ଚମକି ଉଠିଲେ ଆନିବଲେନ୍....

 

“ରାଣୀ କ୍ୟାଥାରାଇନ୍ ଥାଉଁଥାଉଁ”

 

“ତାକୁ ଡାଇଭର୍ସ୍ କରିବାପାଇଁ ଚରମ ନିଷ୍ପତ୍ତି ନେଇସାରିଛି ।”

 

“ଡାଇଭର୍ସ୍... !!”

 

“ହଁ ହଁ, ଡାଇଭର୍ସ୍ । କ୍ୟାଥାରାଇନ ବନ୍ଧ୍ୟା ! ଇଂରେଜ ରାଜବଂଶର ଉତ୍ତରାଧିକାରୀ ଆଳରେ ମୁଁ କ୍ୟାଥାରାଇନଙ୍କୁ ଡାଇଭର୍ସ୍ କରିବା ନିଷ୍ପତ୍ତିରୁ କେହି ଟଳାଇ ପାରିବେ ନାହିଁ ।”

 

କ୍ୟାଥାରାଇନଙ୍କୁ ଜଣାଇ ଦିଆଗଲା, ନିର୍ବାକ୍ ସେ–ଲମ୍ପଟ ଅଷ୍ଟମ ହେନେରୀଙ୍କର ସମ୍ମତି ଆଗରୁ ଜଣାଯାଇଥିଲା...ଜନମତକୁ ବିଭ୍ରାନ୍ତ କରିବାପାଇଁ କୌଶଳ ଆଉ କାହାରିକି ଅଜଣା ରହିଲା ନାହିଁ ।

 

ପୋପ କ୍ୟାଥାରାଇନଙ୍କର ବିବାହ ବିଚ୍ଛେଦପାଇଁ ଅନୁମତି ଦେଲେ ନାହିଁ ।

 

ତେଣୁ ସେ କାଳବିଳମ୍ବ ନ କରି ପ୍ରୋଟେଷ୍ଟାଣ୍ଡ ଧର୍ମରେ ଦୀକ୍ଷିତ ହୋଇଗଲେ । ସେତିକିରେ ସେ କ୍ଷାନ୍ତ ହେଲେ ନାହିଁ । ନିଜର ବିଶ୍ଵସ୍ତ ବନ୍ଧୁ କର୍ଣ୍ଣମାରଙ୍କୁ କ୍ୟାଣ୍ଡରବରୀ ଆର୍‍ଚବିଶପରୂପେ ଅଧିଷ୍ଠିତ କରାଇଲେ । ଆର୍‍ଚବିଶପ ହେଲାପରେ, କ୍ୟାଥାରାଇନଙ୍କ ସଙ୍ଗରେ ବିବାହ ବିଚ୍ଛେଦକୁ ଧର୍ମର ସ୍ଵୀକୃତି ପ୍ରଦାନ କଲେ ।

 

ବିବାହ ବିଚ୍ଛେଦ ପରେ ପ୍ରେମିକାକୁ ରାଣୀ କରି ଉଆସକୁ ଆଣିଲେ । ଅମାପ ଆନନ୍ଦ ଆନିବଲେନ୍‍ଙ୍କ ଯୌବନ ଆଉ ଯୌନଲିପ୍‍ସୁ କାମକୁ ହେନେରୀଙ୍କର ବିଜୟ ଗୌରବରେ ଆତ୍ମହରା ହୋଇ ଉଠିଲେ ।

 

ବିବାହର ପାଞ୍ଚମାସ ପରେ ଆନିବଲେନ୍ ମା’ ହେଲେ ।

 

ଅତି ସୁନ୍ଦର କନ୍ୟାରତ୍ନଟିଏ ଉପହାର ଦେଲେ ଆନିବଲେନ୍...କିନ୍ତୁ ହେନେରୀ ଚାହିଁଥିଲେ, ପୁଅଟିଏ ହେବ–ଆଉ, ସେ ଇଂରେଜ ରାଜବଂଶର ଦାୟାଦ ହେବ... ।

 

ଏହି କନ୍ୟାରତ୍ନଟି ବିଶ୍ଵବିଖ୍ୟାତ ଏଲିଜାବେଥ୍ ପ୍ରଥମ ।

 

ଆନିବଲେନ୍‍ଙ୍କର ପ୍ରେମ ପ୍ରାଚୁର୍ଯ୍ୟ, ରାଜକୀୟ ପ୍ରେମ ମାତ୍ର ତିନିବରଷ ପରେ ମଳିନ ପଡ଼ି ଆସିଲା ।

 

ଏତେ ଆନନ୍ଦ ! ଏତେ ପ୍ରେମ ! ଏତେ ଭଲପାଇବା ବ୍ୟର୍ଥ ହୋଇ ହୋଇ ଆସିଲା !

 

କାମୁକ ଉଚ୍ଛୃଙ୍ଖଳ ପ୍ରେମିକ ହେନେରୀ, ଚରିତ୍ରଗତ ଦୁର୍ବଳତା ପାଇଁ କ୍ୟାଥାରାଇନଙ୍କୁ ଯେପରି ହତାଶ କରିଥିଲେ, ଐତିହାସିକ ପୁନରାବୃତ୍ତିପରି ଆନିବଲେନ୍‍ଙ୍କ ଜୀବନରେ ଆହୁରି ନିଷ୍ଠୁର ଭାବରେ ପ୍ରତିଫଳିତ ହେଲା ।

 

୧୫୩୫ ସାଲ । ମେ ମାସ ।

 

ଫିଉଡ଼ାଲସମାନଙ୍କର ଗହଣରେ ରାଜା ଅଷ୍ଟମ ହେନେରୀ ଗ୍ରୀନଉଇଚର ଏକ ପ୍ରଦର୍ଶନୀରେ ପ୍ରଧାନ ଅତିଥିରୂପେ ଯୋଗ ଦେଇଥିଲେ ।

 

ଦେଖାଗଲା ସେ ଅନ୍ୟମନା... । ହଠାତ୍ ସଭା ମଣ୍ଡପ ଛାଡ଼ି ଘୋଡ଼ା ପିଠିରେ ଲଣ୍ଡନ ଫେରି ଆସିଲେ ।

 

ସମସ୍ତେ ଅବାକ୍ ହୋଇ ରାଜାଙ୍କ ଯିବା ବାଟକୁ ଅନାଇ ରହିଲେ । ହେଲେ, ତାଙ୍କର କାହା ପ୍ରତି ଭ୍ରୂକ୍ଷେପ ନାହିଁ–ଅବାନ୍ତର ତାଙ୍କର ମତିଗତି । ବେପରୁଆ ପ୍ରେମ ପାଗଳ ସେ । ପ୍ରେମପାଇଁ, ଅନ୍ୟର ସାନ୍ନିଧ୍ୟପାଇଁ ସବୁ କିଛି କରିପାରନ୍ତି ନିଶ୍ଚୟ ।

 

ଘୋଡ଼ା ପିଠିରେ ଅବତରଣ କରି, ସିଧାସଳଖ ଯାଇ ଆନିବଲେନ୍‍ଙ୍କୁ ଦେଖାଇଲେ । କି କଥୋପକଥନ କଲେ କେଜାଣି–ତା’ ପରଦିନ ଆନିବଲେନ୍‍ଙ୍କ ନାମରେ ଗୁରୁରେ ଅଭିଯୋଗ । ମହାମାନ୍ୟ ହେନେରୀ ଅଇଝିଅଙ୍କୁ ଆନିବଲେନ୍‍ ରାଜକୀୟ ବ୍ୟବହାର କରି ନାହାନ୍ତି । ସେଥିପାଇଁ ସେ ଦଣ୍ଡିତ ହେବେ । ପ୍ରିଭି କାଉନ୍‍ସିଲ୍‍ରେ ବିଚାର ହେବାପାଇଁ ତାଙ୍କୁ ରାଣୀ ଅନ୍ତଃପୁରରୁ ଡକାଗଲା ।

 

ବିସ୍ମିତ ନୁହେଁ, ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଆନିବଲେନ୍ ଇତିହାସରେ ଏହି ଦୃଷ୍ଟାନ୍ତ ବିରଳ-। ସାରା ବ୍ରିଟେନରେ ଚହଳ ପଡ଼ିଗଲା । ଯେଉଁ ଆନିବଲେନ୍‍ଙ୍କ ପ୍ରେମପାଇଁ ସେ ଧର୍ମଛଡ଼ା ହେଲେ, ଅନୁପମା ରୂପବତୀ କ୍ୟାଥାରାଇନଙ୍କୁ ଡାଇଭର୍ସ୍ କଲେ, ମହାମାନ୍ୟ ପୋପଙ୍କୁ ଅପମାନିତ କଲେ-। ସେହି ରୂପସୀ ପ୍ରିୟତମ ପ୍ରତି ଏତେ ବୈରାଗ୍ୟ କାହିଁକି ?

 

ପ୍ରକାଶ୍ୟରେ ସାଧାରଣଙ୍କ ପରି ତାଙ୍କର ବିଚାର କରାଯିବ ?

 

ଆଶ୍ଚର୍ଯ୍ୟ ! ଆଶ୍ଚର୍ଯ୍ୟ ତମେ ହେନେରୀ ! ଆନିବଲେଙ୍କର ଅପରାଧ କ’ଣ ? ଅପରାଧଟା ଜଣେଇ ଦେଇଥିଲେ–ହେଲେ ଆନିବଲେନ୍ ନିଜ ପକ୍ଷ ନେଇ ସଫେଇ ଦେଇ ପାରିଥାନ୍ତେ...

ରାଜକୀୟ ଏହି ଦଣ୍ଡାଦେଶ ପ୍ରଥମେ ପ୍ରଥମେ ଆନିବଲେନ୍‍ କିଛି ବୁଝିପାରିଲେ ନାହିଁ...ପରେ ତାଙ୍କୁ କିଛି ଅଛପା ରହିଲା ନାହିଁ । ହେଲେ, ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ ।

ହେଲେ, ଇତିହାସ ନୁହେଁ, ଆନିବଲେନ୍‍ଙ୍କ ଠାରୁ ମୁକ୍ତିପାଇଁ ଆଉ ଜେନିଙ୍କୁ ନିଜର ଅଙ୍କଶାୟୀ କରିବାପାଇଁ, ଇଏ, ଏକ ଅଭିନବ ଯୋଜନା ।

ଆନିବଲେନ୍‍ଙ୍କ ଠାରୁ ମୁକ୍ତିପାଇଁ ସେ ଲୋଟି ପଡ଼ିବେ ଓଜନରେ ଚିକ୍‍କଣ ଚମ୍ପାରଙ୍ଗର ଅଙ୍ଗ ବିଭବରେ ନିଜକୁ ଜଡ଼ାଇଦେବ ।

ଆନିବଲେନ୍, ପ୍ରତିବନ୍ଧକ ହେବ । ସେ ବାଟରୁ ଆନିବଲେନ୍‍ଙ୍କୁ ଅପସାରି ଦେବାପାଇଁ ହେନେରୀଙ୍କର, ଏହି କ’ଣ ଚକ୍ରାନ୍ତ !!!

ପ୍ରିଭି କାଉନ୍‍ସିଲ୍‍ରେ ରାଜାଦେଶରେ ଆନିବଲେନ୍‍ଙ୍କର ବିଚାର ହେଲା ।

ଥରିଲା ଗଳାରେ ଆନିବଲେନ୍ ନିଜକୁ ନିର୍ଦ୍ଦୋଷ ବୋଲି ବିଷୟ ବସ୍ତୁଟିକୁ ସ୍ପଷ୍ଟ କରିବାପାଇଁ ସ୍ପଷ୍ଟୀକରଣ ଚାହିଁଲେ । ହେଲେ ପ୍ରିଭି କାଉନ୍‍ସିଲ୍ କିଂକର୍ତ୍ତବ୍ୟବିମୂଢ଼ । ସେ କହିଲେ “ରାଜା ମୋର ଇହକାଳ ପରକାଳର ସାଖୀ ! ମହାମାନ୍ୟ ରାଜାସାହେବଙ୍କର କାୟମନୋବାକ୍ୟରେ ବିରୁଦ୍ଧାଚରଣ କରି ନାହାନ୍ତି । ରାଜାଙ୍କର ପ୍ରେମ ଛାଡ଼, ଜୀବନରେ କୌଣସି ବିଭବ ସେ ଚାହିଁ ନାହାନ୍ତି । ଧନ ସମ୍ପତ୍ତି–ପ୍ରତିପତ୍ତି କିଛି ନା କିଛି ସେ ଚାହାନ୍ତି ନାହିଁ ।

ରାଜା, ତାଙ୍କର ପତି, ଗୁରୁ, ଦେବତା । ତାଙ୍କର ବିରୁଦ୍ଧାଚରଣ କରିବା ନାରୀର ଧର୍ମ ନୁହେଁ । ତେଣୁ, ରାଜାଙ୍କୁ କିପରି ସେ ଅସମାନ କରିପାରିବେ ?

ରାଜାଙ୍କର ନିୟୋଜିତ ପ୍ରିଭି କାଉନ୍‍ସିଲ୍ ନ୍ୟାୟ ଦେବାକୁ ଏକବାରେ ଅସମର୍ଥ । ରାଜାଙ୍କର ସ୍ପଷ୍ଟ ଆଦେଶ ଅଛି । ଆନିବଲେନ୍‍ଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ।

ତାଙ୍କୁ ବିଚାର କରିବା ଏକ ପ୍ରହସନ !

ଆନିବଲେନ୍‍ ଧୀରସ୍ଥିର ଭାବରେ ଦୋଷୀ ନୁହନ୍ତି ବୋଲି ପ୍ରିଭି କାଉନ୍‍ସିଲ୍‍କୁ ନିଜର ନିବେଦନ ଜଣାଇଲେ । କିନ୍ତୁ, ବିଚାରକଗଣ କ’ଣ ରାୟଦେବେ ତାହା ଆଗରୁ ସ୍ଥିର ହୋଇଥିଲା । ରାଜାଦେଶରେ ସର୍ବଶେଷ ନିଷ୍ପତ୍ତି ହୋଇସାରିଥିବ । ପରେ, ସେ ସବୁ ବିଚାର ପ୍ରତାରଣା ।

ତେବେ ଆନିବଲେନ୍‍ ତାଙ୍କ ଶେଷ ଚିଠି ରାଜାଙ୍କୁ ଲେଖିବାପାଇଁ ସ୍ଥିର କଲେ ।

ଲଣ୍ଡନ ଟାୱାର

ମଇ ୬ ତାରିଖ

୧୫୩୬

ପ୍ରିୟ ମହାନୁଭବ,

ବନ୍ଦିଶାଳାରେ ଅନେକ ଭାବୁଛି । ଅନୁଭବ କରୁଛି । କିଛି ଥଳକୁଳ ପାଉନି । ସତେ କ’ଣ ମୋର ପ୍ରିୟତମକୁ ଆଘାତ କରିବାପାଇଁ ମୁଁ କିଛି ପାପ କରିଛି ? ସେ ପାପର ପରିଣତ ମୋତେ ମୁଣ୍ଡପାତି ସହିବାକୁ ହେବ ।

ହେଲେ, ସେ ପାପଟି କ’ଣ ? ସେତିକି ଜାଣିଲେ ମୋ ପ୍ରାଣ ପ୍ରଶମିତ ହୁଅନ୍ତା ।

କିନ୍ତୁ, ମୁଁ ଅନୁଭବ କରେ, ଆପଣଙ୍କର ଆନିବଲେନ୍‍ ନିଷ୍ପାପ ! ରାଜାଙ୍କର ଏକାନ୍ତ ଭାବରେ ଅନୁଗତ ପତି ପ୍ରାଣ ।

ମୋତେ କାହିଁକି ସାଧାରଣ ଜୀବନରୁ ଆଶୀର୍ବାଦ କରି, ରାଣୀ କଲ ।

ନିୟତିର କ୍ରୂର ପରିହାସ, ଅଧମ ବୁଝିବାକୁ ଅପାରଗ ।

କରୁଣାମୟ, ଜୀବନରେ ଯାହା ମୋତେ ଦେଇଛ, ମୋର କିଛି ଆପଣଙ୍କ ପାଖରେ ଅଦେୟ ନାହିଁ ।

ମୁଁ ଯେବେ ଆପଣଙ୍କ ପାଖରେ କୌଣସି ଦୋଷ କରିଛି । ମୋ ପାଖରେ ଆପଣ ଯେବେ କିଛି ତ୍ରୁଟି ପରିଲକ୍ଷିତ କରିଛନ୍ତି, ଦୟାବହି ମୋତେ ଜଣାଇ ଦେଲେ ଅନ୍ତତଃ, ମୁଁ ଅନୁତାପ ଅଶ୍ରୁରେ ସେସବୁ କଳଙ୍କ ପୋଛି ଦେଇ, ଶାନ୍ତିରେ ଫାଶୀକାଠରେ ଝୁଲିପାରିବି ।

ମୋର ଶେଷଜୀବନରେ ଆଉ କିଛି ପ୍ରାର୍ଥନା ନାହିଁ,

ଲୋକଲୋଚନ ଅଗୋଚରରୁ ଏତିକି କରୁଣ ପ୍ରାର୍ଥନା ତମେ ରଖିବ ନାହିଁ ରାଜନ !

ଏତେ ସ୍ନେହ, ଅମାପ ପ୍ରେମ ଦେଇ ମୋତେ ଉନ୍ମାଦିନୀ କରିଛ ପ୍ରଭୁ !

ମୋର ବିଚାର ହେଉ...ମୋର ପାପରାଶିର ଯେବେ ଅନ୍ତଃ ନାହିଁ, ପ୍ରକାଶ୍ୟରେ ମୋତେ ବିଚାର କଲେ, ବିଶ୍ଵ ଜନତାର ଘୃଣାରେ ମୁଁ ଜଳିପୋଡ଼ିପାରେ । ହେଲେ, କାରାରୁଦ୍ଧ କରି, କୌଣସି କାରଣ ନର୍ତା ସାକ୍ଷୀ, କେବଳ ରାଜାଙ୍କର ବିରାଗ ଭୋଜନ ବୋଲି ମୋତେ ଯେବେ ଫାଶୀକାଠରେ ଝୁଲାଇ ଦିଆଯାଏ, ଲୋକେ ଆପଣଙ୍କୁ ନିନ୍ଦା କରିବେ ।

ସହସ୍ର ମୁଖରେ ମୋତେ ଜନତା ତିରସ୍କାର କରୁ । ଆପଣଙ୍କୁ ଲୋକେ ନିନ୍ଦିତ କଲେ, ମୁଁ କ’ଣ ଅମ୍ଳାନ ବଦନରେ ସହିପାରିବି ??? ମୋର ଏକାନ୍ତ ଅନୁରୋଧ ଆପଣଙ୍କ ପାଇଁ, ଆପଣଙ୍କର ଗୌରବପାଇଁ ମୋର ପ୍ରକାଶ୍ୟରେ ବିଚାର କରିବା ପରେ, ଫାଶୀକାଠରେ ମୋତେ ଝୁଲାଇ, ଜେନିଙ୍କୁ ନେଇ ଜୀବନରୁ ଉପଭୋଗ କରନ୍ତୁ ।

ରାଜକୀୟ ପ୍ରେମର ପଟାନ୍ତର ନାହିଁ ରାଜା !

ଭଗବାନ ଯେବେ ସତରେ ଥାଆନ୍ତି, ପାପ ପୁଣ୍ୟ ବିଚାରକ ବୋଲି ମାନବ ସମାଜ ଯେଉଁ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ, ନିଃସହାୟ ଭାବରେ ତାଙ୍କ ନିକଟରେ ଆତ୍ମସମର୍ପଣ କରନ୍ତି, ସେ ଜାତିର ନାୟିକା ମୁଁ ନୁହେଁ ହେନେରୀ ।

ମୋର ଆତ୍ମା ତାଙ୍କ ବିରୁଦ୍ଧରେ ବିପ୍ଳବ କରୁଛି । ସେ ନିଷ୍ଠୁର । ତମେ ନିଷ୍ଠୁର । ମୋର ଗତି ନାହିଁ !

ମୋ ପ୍ରତି ଦଣ୍ଡାଦେଶ ଯେତେ କଠୋର ହେଲେ ମଧ୍ୟ, ନିଷ୍ଠୁର ହେଲେ ମଧ୍ୟ ମୁଣ୍ଡପାତି ସହିଯିବା ବ୍ୟତିରେକ ମୋର ଉପାୟ ନାହିଁ ।

ମୋତେ ଆଶୀର୍ବାଦ କର, ସ୍ଵାମୀଙ୍କର ଅଭିଳାଷକୁ ଚରିତାର୍ଥ କରିବାପାଇଁ, ସବୁ କିଛି ମୁଣ୍ଡ ପାତି ସହିନିଏ । ଆଉ, ଗୋଟିଏ ଅନୁରୋଧ ରଖିବେ ରାଜନ !

ମୋରିପାଇଁ ଯେଉଁ ନିର୍ଦ୍ଦୋଷ ଚରିତ୍ରଗୁଡ଼ିକ କାରାରୁଦ୍ଧ ହୋଇ ହନ୍ତସନ୍ତ ହୋଇ ମରୁଛନ୍ତି-। ତାଙ୍କୁ ତମେ ମୁକ୍ତି ଦିଅ–ଯେକୌଣସି ଶପଥ ନେଇ କହିବି । ନିଷ୍କଳଙ୍କ ଚରିତ୍ରଗୁଡ଼ିକ ମୁକ୍ତି ପାଆନ୍ତୁ । ନ୍ୟାୟ, ଧର୍ମ ମାନବ ଜାତିପାଇଁ ବଡ଼ ଅମୂଲ୍ୟ ।

ଏକମାତ୍ର ସତ୍ୟ ଆଉ ସବୁ ଭୁଲ ଅବାଞ୍ଛିତ ।

ଟାଦୋରର ପ୍ରସ୍ତର ଘେରା ମେଘନାଦ ପାଚେରୀ ଭିତରୁ ମୋର କରୁଣ ପ୍ରାର୍ଥନା ତମେ କ’ଣ ଶୁଣି ପାରିବ ?

ଭଗବାନ ମୋର ରାଜାଙ୍କର ମଙ୍ଗଳ କରନ୍ତୁ । ମୋର ଏକମାତ୍ର କାମନା, ରାଜା ସୁଖରେ ରହନ୍ତୁ ।

ଇତି

ଆଜ୍ଞାଧୀନା

ଆନିବଲେନ୍

 

ଏହି ଚିଠି ହେନେରୀଙ୍କ ହସ୍ତଗତ ହେବାପରେ ସେ ବହୁ ଭାବରେ କ୍ରୋଧରେ ଜର୍ଜରିତ ହୋଇ ପଡ଼ିଲେ !

 

“ମୋତେ ସରମନ ଶୁଣାଉଛି ଆନିବଲେନ୍‍ । ନା ନା, ଆଜୀବନ ବନ୍ଦିନୀ କରି ନିଶ୍ଚିତ ହୋଇ ପାରିବି ନାହିଁ ।

 

ଜେନି ଖୁବ୍ ପାଖକୁ ଲାଗି ଆସିଲେ । ଆନିବଲେନ୍‍ଙ୍କ ଚିଠିର ବିକୃତ ଭାବରେ ଅର୍ଥ କରି ଆହୁରି ଉତ୍ତେଜିତ କଲେ...

 

ଲର୍ଡ଼ ନରଫୋକ ଓ ଆଉ ତିନିଜଣ ଆନିବଲେନ୍‍ ସକ୍ରାନ୍ତ ଅଭିଯୋଗରେ ଫାଶୀକାଠରେ ଝୁଲିଲେ ।

 

ଟ୍ରିବ୍ୟୁନାଲ ଗଠିତ ହେଲା । ରାଣୀଙ୍କର ସପକ୍ଷରେ କେହି ଯେବେ କିଛି ମତ ପୋଷଣ କରେ, ରାଜାଙ୍କ ଆଦେଶରେ ମୃତ୍ୟୁଦଣ୍ଡ ଭୋଗିବାକୁ ହେବ । ଗୁପ୍ତ ଥିଲା ରାଜାଙ୍କର ଏହି ଆଦେଶ-

 

ତିନି ଦିନ ବିଚାର ପରେ ରାଜା ଅଭିପ୍ରେତ ରାୟ ବାହାରିଲା ।

 

ସର୍ବସମ୍ମତି କ୍ରମେ ଚବିଶ ଜଣ ବିଶିଷ୍ଟ ବିଚାରକ ମଣ୍ଡଳିର ରାୟ ବାହାରିଲା । ଫାଶୀଦଣ୍ଡ ।

 

ତାଙ୍କୁ ଜୀବନ ଶାସ୍ତି ଦେବ । ଲବିରେ ଅସଂଖ୍ୟ ଭିଡ଼ ।

 

କଳୁଷିତ ୟେ ନାରୀ, ହେନେରୀଙ୍କର ପ୍ରେମ କଳୁଷିତ ନୁହେଁ । ବହୁ ବଲ୍ଲଭା ରାଜା ହେନେରୀ ଏଇଟ୍‍ଙ୍କର ପ୍ରେମର କଳଙ୍କ ଚିନ୍ତାରୁ ମୁକ୍ତିପାଇଁ ଆନିବଲେନ୍ ବିଦାୟ ନେଲେ ।

 

ଆନିବଲେନ୍‍ଙ୍କର ଶେଷ ପ୍ରାର୍ଥନା ପ୍ରତି ରାଜାଙ୍କର ସଶ୍ରଦ୍ଧ ଅନୁମୋଦନ ଥିଲା ।

 

ଆନିବଲେନ୍‍ ଚାହୁଁଥିଲେ ଅତି ତୀକ୍ଷ୍ଣ ଛୁରିକାରେ ତାଙ୍କର ଶିରଚ୍ଛେଦ ଘଟୁ ।

 

ସତେ କି ଯନ୍ତ୍ରଣା ! ଧାର ନଥିବା ଛୁରିକାରେ ବାରବାର ଆଘାତ କରି ମୁଣ୍ଡ ଛିଣ୍ଡେନା ହେଲେ, ତୀକ୍ଷ୍ଣ ଛୁରିକାରେ ଏକ ଆଘାତରେ ଆନିବଲେନ୍‍ଙ୍କର ଆଖି ପିଛୁଳାକେ ଗଣ୍ଡିରୁ ଅଲଗା ହୋଇଗଲା ।

 

ପୁଣି, ଥରେ ହେନେରୀ ଅଷ୍ଟମ ଜେନିଙ୍କର ବାହୁବନ୍ଧନରେ ନିଜକୁ ହଜାଇ ଜୀବନର ଯୌନ କାମନାରେ ନିଜକୁ ହଜାଇ ଦେଲେ ।

 

ଆନିବଲେନ୍‍ ! ତମ ମୃତ୍ୟୁର ମାନବ ସମାଜପାଇଁ କ’ଣ କିଛି ଇଙ୍ଗିତ ନାହିଁ । ତମ ଯନ୍ତ୍ରଣାରେ କ’ଣ ବିଶ୍ଵବାସୀଙ୍କୁ ତମ ପ୍ରେମ କାହାଣୀ ବିଷୟରେ କିଛି ବାର୍ତ୍ତା ନାହିଁ ?

 

ହେ, କାମୁକ ହେନେରୀ ଏଇଟିଥ୍, ତମ ଯୌନତୃଷା କ’ଣ ଜେନିଙ୍କ ସହିତ ମେଣ୍ଟିପାରିଛି ?

 

ବିଶ୍ଵ ଜନତା ତାହାହିଁ ଶୁଣିବାପାଇଁ ଆଗ୍ରହୀ ହୋଇ ରହିଛନ୍ତି ।

 

ତମର ପ୍ରେମିକ ଜୀବନ କଳୁଷିତ । ଦାମ୍ପତ୍ୟ ଜୀବନ ଘୃଣ୍ୟ ।

Image